ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି । ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ । ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ । ପଣାସଂକ୍ରାନ୍ତିଠାରୁ ରାସ୍ତାକଡ଼ରେ ପଥିକମାନଙ୍କର ତୃଷ୍ଣା ନିବାରଣ ପାଇଁ ଜଳଛତ୍ରମାନ ଖୋଲାଯାଏ । ଏହା ସହିତ ବୃକ୍ଷମୁଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ । ସେଥିପାଇଁ ହିନ୍ଦୁ ପରିବାରରେ ଚଉଁରାରେ ପୁଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ । ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ବୋଲି କହିଥାନ୍ତି । ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ପାଳନ କରାଯାଏ । ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍ଯାପନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ବ୍ରତ ଉଦ୍ଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି । ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ ଏହାକୁ ଝାମୁ ବା ପାଟୁଆ ଯାତ୍ରା କହନ୍ତି । ବ୍ରତଧାରୀମାନେ ସମାଜକୁ କଠୋର ତାପ ସହ୍ୟ କରିବାର ଶକ୍ତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାନ୍ତି ।
Category: ଆଲେଖ୍ୟ
ଓଡ଼ିଶାରେ ଦୋଳପର୍ବ ପାଳନ।
ଦୋଳପର୍ବ ଓଡ଼ିଶାରେ ଫାଲ୍’ଗୁନ ମାସ ଶୁକ୍ଳପକ୍ଷ ଦଶମୀ(ଫଗୁ ଦଶମୀ) ଠାରୁ ଆରମ୍ଭ ହୋଇ ଦଶ ଦିନ ପର୍ଯ୍ୟନ୍ତ ପାଳନ କରାଯାଏ। ଦୋଳପର୍ବ ଆମ ଦେଶର ବିଭନ୍ନ ପ୍ରଦେଶରେ ମହା ସମାରୋହରେ ପାଳନ କରାଯାଏ।ଦୋଳପର୍ଵ କେତେ ପ୍ରାଚୀନ ତାହା ଠିକ୍ ଭାବରେ କହିବା ସମ୍ଭବ ନୁହେଁ। ତଥାପି ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀରୁ ଏହା ଦେଶର ବିଭନ୍ନ ସ୍ଥାନରେ ପାଳିତ ହୋଇ ଆସିବାର ପ୍ରମାଣ ରହିଛି।କିଛି ଗଵେଷକଙ୍କ ମତରେ ପଦ୍ମପୁରାଣ, ସ୍କନ୍ଦ ପୁରାଣ, ହରିଭକ୍ତ ବିଳାସ, ବ୍ରହ୍ମାଣ୍ଡ ପୁରାଣ, ଗୋପାଳ ଓଗାଳ, ଋତୁ ସଂହାର, ଚନ୍ଦ୍ରକାୟା, ଲିଙ୍ଗପୁରାଣ ଓ ଶତାନନ୍ଦ ସଂଗ୍ରହ ଇତ୍ୟାଦି ଗ୍ରନ୍ଥମାନଙ୍କରେ ‘ଅନଙ୍ଗୋତ୍ସଵ’ ଵା ଦୋଳୋତ୍ସବ କଥା ବର୍ଣ୍ଣନା କରାଯାଇଛି। ସବୁଠାରୁ ସ୍ପଷ୍ଟ ଭାବରେ ଶତାନନ୍ଦ ସଂଗ୍ରହରେ ଦୋଳ ଉତ୍ସଵ କଥା ବର୍ଣ୍ଣିତ ହୋଇଥିଵା ଜଣାଯାଏ । ଆମ ଓଡ଼ିଶାରେ ରାଜଦୋଳ ବା ଦୋଳପୁନେଇଁ, ପଞ୍ଚୁଦୋଳ, ଛଅଦୋଳ, ସାତଦୋଳ, ନଅଦୋଳ, ଦଶଦୋଳ ଇତ୍ୟାଦି ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ପ୍ରକାରର ଦୋଳୋତ୍ସଵ ପାଳିତ ହୋଇଥାଏ।
ପ୍ରତ୍ୟେକ ଓଡିଆର ପ୍ରାଣକେନ୍ଦ୍ର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଦୋଳୋତ୍ସଵ ମହାସମାରୋହରେ ପାଳନ କରାଯାଏ। ଦୋଳଗୋବିନ୍ଦ,ଶ୍ରୀଦେବୀ ଏବଂ ଭୂଦେବୀଙ୍କର ଚଳନ୍ତି ପ୍ରତିମା ମାନଙ୍କୁ ଦୋଳବେଦୀକୁ ନେଇ ସେବାୟତମାନେ ସେଠାରେ ସେମାନଙ୍କର ରଙ୍ଗୋତ୍ସବ ପାଳନ କରନ୍ତି।ତାହାର ଅନୁକରଣରେ ଓଡିଶାର ପୁରପଲ୍ଲୀରେ ରାଧା-କୃଷ୍ଣଙ୍କୁ ବିମାନରେ ନେଇ ଗ୍ରାମ ପରିକ୍ରମଣ ସଙ୍ଗେ ସଙ୍ଗେ ଭୋଗଲାଗି ଏବଂ ରଙ୍ଗ ଉତ୍ସବ ପାଳନ କରାଯାଏ।ଦୋଳଯାତ ପଡ଼ିଆରେ ଠାକୁରମାନଙ୍କ ବିମାନ ରଖାଯାଇ ପୂଜାର୍ଚ୍ଚନା କରାଯାଏ ଏବଂ ସେହି ସ୍ଥାନ ଯାତ୍ରା ପଡିଆରେ ପରିଣତ ହୋଇଯାଏ।ଏହି ସମୟରେ ନୂତନ ପାଞ୍ଜି ପଠନ ଏବଂ ଗଉଡ଼ବାଡି ଖେଳ ଓ ପାଇକ ଖେଳ ଆଦିର ଆୟୋଜନ କରାଯାଇଥାଏ ।
ପଶ୍ଚିମ ଭାରତରେ ‘ହୋଲିକା ଦହନ’ ପ୍ରଥା ପ୍ରଚଳିତ ଏଵଂ ଉତ୍ତର ଭାରତର ‘ଅବିର ଖେଳ’ ପ୍ରଥା ପ୍ରଚଳିତ। ପୂର୍ଵ ଭାରତରେ, ଵିଶେଷତଃ ଓଡ଼ିଶାର ଦୋଳୋତ୍ସଵରେ ଏହି ଦୁଇ ପ୍ରଥାର ସମନ୍ଵୟ ଦେଖିବାକୁ ମିଳେ। ଓଡ଼ିଶାରେ ଫାଲ୍’ଗୁନ ଶୁକ୍ଳ ଦଶମୀ ଠାରୁ ଆରମ୍ଭ କରି ଏହି ଦଶଦିନର ଉତ୍ସବକୁ “ବସନ୍ତୋତ୍ସବ” ଭାବରେ ପାଳନ କରାଯାଉଛି। ଦୋଳପୂର୍ଣ୍ଣିମାର ସନ୍ଧ୍ୟାରେ ଗାଁ ମୁଣ୍ଡରେ ଅଗି ପୋଡା ବା ଅଇଘରା ପାଳନ କରାଯାଏ।ଦୋଳ ପୂର୍ଣ୍ଣମୀ ବାସି ଦିନ ହୋଲି ଖେଳରେ ବର୍ଣ୍ଣନିର୍ବିଶେଷରେ ସମସ୍ତେ ସାମିଲ ହୁଅନ୍ତି। ପରସ୍ପର ଦେହରେ ଫଗୁ ରଙ୍ଗ ବୋଳି ପିଚକାରୀରେ ପରସ୍ପର ଉପରେ ବିଭିନ୍ନ ରଙ୍ଗ ପକାଇ ଥାଆନ୍ତି। ଏହି ମିଳନ ଉତ୍ସବରେ ପୂର୍ବରୁ ଥିବା ପାରସ୍ପରିକ ମନୋମାଳିନ୍ୟ ଦୂର ହୋଇଯାଏ ଏବଂ ଭାଇଚାରା ସୃଷ୍ଟି ହୁଏ। ଅନେକ ଗ୍ରାମରେ ବିଭିନ୍ନ ଧର୍ମ ନିର୍ବିଶେଷରେ ମଧ୍ୟ ଲୋକେ ହୋଲିଖେଳର ଆନନ୍ଦ ଉପଭୋଗ କରନ୍ତି।
ଉତ୍ତର ଭାରତରେ ପୂର୍ଣ୍ଣମୀ ଦିନ ‘ଛୋଟ ହୋଲି’ ଉତ୍ସବ ପାଳନ କରାଯାଏ।ଛୋଟ ହୋଲି ପାଳନ ସମୟରେ ଲୋକମାନେ ପରସ୍ପରକୁ ଫଗୁ ରଙ୍ଗ ଲଗାଇ କୋଳାଗ୍ରତ କରନ୍ତି।ପୂର୍ଣମୀ ପରଦିନ ‘ବଡ଼ ହୋଲି’ ବା ମୁଖ୍ୟ ହୋଲି ପାଳନ କରାଯାଏ। କେତେକ ସ୍ଥାନରେ ହୋଲି ପୂର୍ବଦିନ ‘ହୋଲିମିଳନ’ ପାଳନ କରାଯାଏ। ସାଇପଡିଶା, ବନ୍ଧୁ ବାନ୍ଧବ ଏବଂ ସାଙ୍ଗସୁଖଙ୍କ ଘରକୁ ଫଗୁ ଓ ମିଠା ନେଇ ଲୋକେ ଯାଇ ପାରସ୍ପରିକ ସୌହାର୍ଦ୍ଦ୍ୟ ବୃଦ୍ଧି କରନ୍ତି।କେତେକ ଅଞ୍ଚଳରେ ଏହି ହୋଲି ମିଳନ ପର୍ବ,ରଙ୍ଗଖେଳ ବାସିଦିନ ପାଳନ କରାଯାଇଥାଏ। ଉତ୍ତର ଭାରତର ଏହି ପ୍ରଥା ଧିରେ ଧିରେ ଆମ ପ୍ରଦେଶରେ ମଧ୍ୟ ପ୍ରଚଳିତ ହେବାକୁ ଲାଗିଲାଣି। ଏପରି ହୋଲିମିଳନର ମୂଳ ଉଦ୍ଦେଶ୍ୟ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସାମାଜିକ ସୌହାର୍ଦ୍ଦ୍ୟ ଓ ଭାଇଚାରା ବଢ଼ାଇବା।
ହୋଲିକା ଦହନ/ଅଇଘରା
ତରୁଣ ଶବ୍ଦକୋଷ ଅଭିଧାନରେ ‘ଅଇଘରା’ ଅର୍ଥ ମାଘ ପୁନେଇଁ ବୋଲି ଉଲ୍ଲେଖ ଅଛି।ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ‘ଅଇଘରା’ ଶବ୍ଦର ଅର୍ଥ ବୁଝାଇବା ପାଇଁ ହୋଲିଖେଳ ଓ ‘ହୋଲିକାଦହନ’ ସମ୍ବନ୍ଧରେ ଟୀକା ରହିଛି । ସେହି ଟୀକା ଅନୁଯାୟୀ ଓଡ଼ିଶାରେ ଫାଲ୍’ଗୁନ ପୂର୍ଣ୍ଣିମା ଦିନ ରାତିରେ ଗାଁ’ ମୁଣ୍ଡରେ କୁଟାକାଠି ଆଦି ଗଦା କରାଯାଇ ଅଗ୍ନି ଉତ୍ସଵ ହେଉଥିଲା ଏହି ନିଆଁ ଜଳାଇଵାକୁ ‘ଅଗିଜଳା’ କୁହାଯାଉଥିଲା । ତେବେ ଦୋଳପୂର୍ଣ୍ଣିମାର ପୂର୍ଵରାତ୍ରିରେ ସନ୍ଧ୍ୟାଠାରୁ ରାତି ପାହିଵା ପର୍ଯ୍ୟନ୍ତ ଗ୍ରାମମୁଣ୍ଡରେ ପାଳନ କରାଯିଵା ଅଗ୍ନି ଉତ୍ସଵକୁ ମଧ୍ୟ ପୁରୀ ଆଦି କେତେକ ଅଞ୍ଚଳରେ “ଅଇଘରା” କୁହାଯାଉଥିଲା ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ “ଅଇଘରା” ଶବ୍ଦ ତଳେ ଦ୍ରଷ୍ଟଵ୍ୟରେ ଲେଖା ଯାଇଛି …
“ବୁଝିଵାକୁ ଗଲେ ଭାରତର ସର୍ଵତ୍ର ହୋଲି ଉତ୍ସଵ ଉପଲକ୍ଷରେ ଦୋଳପୂର୍ଣ୍ଣିମା ରାତିରେ ଓ କେଉଁକେଉଁଠାରେ ଦୋଳପୂର୍ଣ୍ଣିମାର ପୂର୍ଵ ରାତିରେ ଅଗ୍ନି ଉତ୍ସଵ କରାଯାଏ। ପୁରୀ ଜିଲ୍ଲା ବ୍ରାହ୍ମଣ ଶାସନମାନଙ୍କରେ ଦୋଳପୂର୍ଣ୍ଣିମା ପୂର୍ଵ ରାତିରେ ଗ୍ରାମର ଠାକୁର ଗ୍ରାମଦାଣ୍ଡରେ ପଟୁଆର କରି ଯିଵା ସମୟରେ ପ୍ରତ୍ୟେକ ଗୃହସ୍ଥଙ୍କ ଘରସାମନାରେ ପହଞ୍ଚି ‘ଦ୍ୱାରଭୋଗ’ ଖାଆନ୍ତି ଓ ସେହି ସମୟରେ ପ୍ରତି ଗୃହସ୍ଥ ସେମାନଙ୍କ ଦୁଆର ଆଗ ଦାଣ୍ଡରେ ନଡ଼ିଆ ବାହୁଙ୍ଗା ଵା ବାଉଁଶ ‘ଅଗ’ରେ କୁଟା ଆଦି ଗୁଡ଼ାଇ ପୂର୍ଵରୁ ପୋତି ଥାଆନ୍ତି। ଦିଅଁ ଵିଜେ କଲାବେଳେ ଉକ୍ତ ହୁଳାରେ ସେମାନେ ନିଆଁ ଲଗାଇ ଦିଅନ୍ତି। ଦିଅଁ ଗ୍ରାମ ମୁଣ୍ଡରେ ପହଞ୍ଚିବାପରେ ସେଠାରେ ଗ୍ରାମଵାସୀଙ୍କଦ୍ୱାରା ସଂଗୃହୀତ କୁଟାର ଗୋଟିଏ ବଡ଼ ଗଦାରେ ନିଆଁ ଲଗାହୁଏ; ସେ ନିଆଁକୁ “ଅଇଘରା” କହନ୍ତି। ସେହି ଜଳୁଥିଵା ନିଆଁଗଦାକୁ ଦିଅଁ ପ୍ରଦକ୍ଷିଣ କରି ସେଠାରେ ଭୋଗ ଖାଇ ନିଜ ମନ୍ଦିରକୁ ବାହୁଡ଼ନ୍ତି। କଟକ ଜିଲ୍ଲାରେ ଏହି ଅଗ୍ନି ଉତ୍ସଵକୁ “ମେଣ୍ଢାକୁଡ଼ିଆ ପୋଡ଼ି” ଓ ବାଲେଶ୍ୱରରେ ଏହାକୁ “ମେଣ୍ଢାଘର ପୋଡ଼ି” କହନ୍ତି। ବଙ୍ଗ ପ୍ରଦେଶରେ ଦୋଳପୂର୍ଣ୍ଣିମାର ପୂର୍ଵ ସନ୍ଧ୍ୟାରେ ଏହିପରି ଅଗ୍ନି ଉତ୍ସଵ ହୁଏ। ମାରୱ୍ବାଡ଼ିମାନେ ଦୋଳପୂର୍ଣ୍ଣିମା ପୂର୍ଵ ସନ୍ଧ୍ୟାଠାରୁ ଭୋର ପର୍ଯ୍ୟନ୍ତ କୁଟା, ଚିରା କନା, ଚିରା କାଗଜ ଓ କାଠ ଆଦି ଦାଣ୍ଡରେ ଜମା କରି “ଅଗି”(ଅଗ୍ନି) ଜାଳନ୍ତି।”
ବଙ୍ଗ ଦେଶରେ ମଧ୍ୟ ଦୋଳପୂର୍ଣ୍ଣିମାର ପୂର୍ଵ ସନ୍ଧ୍ୟାରେ ପ୍ରତି ଗୃହସ୍ଥଙ୍କ ଘର ଆଗରେ ଏବଂ ଗାଁ ମୁଣ୍ଡରେ “ଅଗି” ଜଳାଯାଏ। ପଶ୍ଚିମ ଭାରତରେ ପ୍ରତ୍ୟେକ ଗୃହସ୍ଥଙ୍କ ଘର ଆଗ ଦାଣ୍ଡରେ ଗୋଟିଏ ଗବ ଗଛ ପୋତା ଯାଇ ତା ଉପରେ କୁଟା, ଚିରା କନା, ଓ ଘଷି ଆଦି ଜମା କରାଯାଇ ଅଗ୍ନି ଉତ୍ସବ ହୁଏ ଏଵଂ ରାତିସାରା ଲୋକେ ଆଦିରସାତ୍ମକ ଗୀତ ବୋଲି ନାଚନ୍ତି। ମାଡ୍ରାସ ଅଞ୍ଚଳରେ ଅଗ୍ନି ଉତ୍ସବ ହୁଏନାହିଁ, କିନ୍ତୁ ଗ୍ରାମଵାସୀମାନେ କୌତୁକରେ ପରସ୍ପର ସହିତ ଯୁଦ୍ଧ କରନ୍ତି। ଏହାକୁ ସେମାନେ “ମଦନ ଉତ୍ସବ” ଭାବରେ ପାଳନ କରନ୍ତି।
“ଅଗି ପୋଡା” ସମୟରେ ଲୋକେ ବାଇଗଣପୋଡ଼ା, ଆଳୁପୋଡା ଇତ୍ୟାଦି ପାଇଁ ‘ଅଇଘରା’ ନିଆଁଗଦା ଉପରକୁ କଞ୍ଚା ବାଇଗଣ ଓ ଆଳୁ ଫିଙ୍ଗନ୍ତି ଓ ନିଆଁ ଲିଭିଯିବା ପରେ ପାଉଁଶକୁ ଖେଳାଇ ଖୋଜାଖୋଜି କରି ପୋଡ଼ା ଆଳୁ ଓ ବାଇଗଣ ଉଦ୍ଧାର କରନ୍ତି। ତାହା ସହିତ ପଖାଳ ଭୋଜନ କରନ୍ତି।
ପୌରାଣିକ ମାନ୍ୟତା
ହୋଲି ପର୍ବ ସହିତ ରାକ୍ଷସ ରାଜା ହିରଣ୍ୟକଶିପୁଙ୍କର ଭଗ୍ନୀ ହୋଲିକାର ଦହନ କାହାଣୀ ମଧ୍ୟ ଯୋଡ଼ି ଦିଆ ଯାଇଛି।ସତ୍ୟ ଯୁଗରେ ରାକ୍ଷସ ରାଜା ହିରଣ୍ୟକଶିପୁଙ୍କର ପୁତ୍ର ପ୍ରହଲ୍ଲାଦ ପରମ ବିଷ୍ଣୁ ଭକ୍ତ ଥିଲେ; କିନ୍ତୁ ନିଜେ ହିରଣ୍ୟକଶିପୁ ହରିଙ୍କୁ ଶତ୍ରୁ ମନେ କରୁଥିଲେ।ନିଜପୁତ୍ରକୁ ବାରମ୍ବାର ନିବର୍ତ୍ତାଇଲେ ମଧ୍ୟ ସେ ବିଷ୍ଣୁ ଭକ୍ତିରୁ ବିରତ ହେଲେନାହିଁ। ତେଣୁ ତାଙ୍କୁ ହତ୍ୟା କରିବା ଦାୟିତ୍ବ ହିରଣ୍ୟକଶିପୁ ନିଜ ଭଗ୍ନୀ ହୋଲିକାକୁ ପ୍ରଦାନ କଲେ।ହୋଲିକା ବରପ୍ରାପ୍ତ ହୋଇଥିଲା ଯେ ତାର ଶରୀର ଅଗ୍ନିରେ ଦଗ୍ଧ ହେବନାହିଁ। ତେଣୁ ସେ ପ୍ରହଲ୍ଲାଦଙ୍କୁ କୋଳରେ ଧରି ଅଗ୍ନିରେ ପ୍ରବେଶ କଲା।ବିଷ୍ଣୁଙ୍କ ଦୟାରୁ ପ୍ରହଲ୍ଲାଦଙ୍କର ଅଗ୍ନିରେ କିଛି କ୍ଷତି ହେଲାନାହିଁ ଏବଂ ହୋଲିକା ଅଗ୍ନିରେ ଦଗ୍ଧିଭୂତା ହୋଇ ଯାଇଥିଲା। ହିରଣ୍ୟକଶିପୁ ରାକ୍ଷସ ଉପରେ ବିଷ୍ଣୁଙ୍କର ବିଜୟ ଉପଲକ୍ଷେ ଏହି ଦିନଟିକୁ ‘ଆସୁରିଶକ୍ତି’ ଉପରେ ‘ଦେବଶକ୍ତି’ର ବିଜୟ ଭାବରେ ମଧ୍ୟ ପାଳନ କରାଯାଏ।
ଚର୍ଚ୍ଚରୀ ବିହାର
ଓଡ଼ିଶାର ପୁରପଲ୍ଲୀରେ ଏହି ଦୋଳପର୍ବକୁ ରାଧାକୃଷ୍ଣଙ୍କ ‘ବସନ୍ତ ରାସ ଉତ୍ସବ’ ଭାବରେ ମଧ୍ୟ ପାଳନ କରାଯାଏ। ଏହା ବ୍ରଜଭୂମିରେ ପାଳିତ ହେଉଥିବା ରାସୋତ୍ସବର ପ୍ରଭାବ ବ୍ୟତୀତ ଅନ୍ୟ କିଛି ନୁହେଁ। ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କୁ ଫଗୁ ଖେଳାଇ ବିମାନରେ ବସାଇ ଗ୍ରାମ ପରିକ୍ରମା କରାଯାଏ।ଠାକୁରମାନେ ପ୍ରତି ଗ୍ରାମବାସୀଙ୍କ ଦୁଆରେ ଭୋଗ ଲାଗି ହେବାପରେ ମନ୍ଦିରକୁ ଫେରିଯାଆନ୍ତି।ଆଗେ ଏହି ହୋଲି ପର୍ବକୁ ‘ଚର୍ଚ୍ଚରୀ’ ଓ ‘ଚର୍ଚ୍ଚରୀବିହାର’ ମଧ୍ୟ କୁହାଯାଉଥିଲା ।’ଚର୍ଚ୍ଚରୀ’ ଶବ୍ଦର ଆଭିଧାନିକ ଅର୍ଥ ‘ନାଟତାମସା ଓ ‘ଆମୋଦପ୍ରମୋଦ’।ଏହି ଚର୍ଚ୍ଚରୀ ଶବ୍ଦର ଅପଭ୍ରଂଶ ଶବ୍ଦ ହେଉଛି”ଚାଚେରୀ” ।
‘ରହସ୍ଯମଞ୍ଜରୀ’ କାବ୍ୟରେ କଵି ‘ଦେଵ ଦୁର୍ଲଭ ଦାସ’ ଉଭୟ ଚାଚେରୀ( ହୋଲି ଖେଳ) ଓ ଦୋଳ ପୂର୍ଣ୍ଣିମା କଥା ଉଲ୍ଲେଖ କରିଛନ୍ତି । ଯଥା……
“ଚାଚେରୀ ଗହଳ ସଖି ଗୋଵିନ୍ଦଙ୍କ ଦୋଳ”
ଏହି ଚାଚେରୀ ପର୍ବ କଥା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରାଯାଇଛି ।
ବିଭିନ୍ନ ପ୍ରଦେଶରେ ଓ ବିଭିନ୍ନ ସମ୍ପ୍ରଦାୟରେ ହୋଲିପର୍ବ
ସମଗ୍ର ଦେଶରେ ଏହି ପର୍ବ ବିଭିନ୍ନ ନାମରେ ପାଳିତ ହୋଇ ଆସୁଅଛି। ମହାରାଷ୍ଟ୍ରରେ ଫାଲ୍’ଗୁନ ପୂର୍ଣ୍ଣିମା ଓ ରଙ୍ଗପଞ୍ଚମୀ ନାମରେ,ଉତ୍ତର ପ୍ରଦେଶରେ ‘ଲାଠମାର୍’ ନାମରେ, ପଞ୍ଜାବରେ ‘ହୋଲ୍ଲା ମୋହୋଲ୍ଲା’ ନାମରେ,ଗୋଆରେ ‘ସିଗମୋ’ ନାମରେ, କେରଳରେ ‘ମଞ୍ଜଲ୍ କୁଲି’ ନାମରେ ଗୁଜୁରାଟରେ ‘ଧୂଳେଟି’ ନାମରେ, ପଶ୍ଚିମବଙ୍ଗ ଓ ଓଡିଶାରେ ‘ଦୋଳଯାତ୍ରା’ ନାମରେ, ବିହାରରେ ‘ଫଗୁଆ’ ନାମରେ ଏବଂ ଟାମିଲନାଡୁ/କର୍ଣ୍ଣାଟକରେ ‘ମଦନୋତ୍ସବ’ ନାମରେ ହୋଲିପର୍ବ ପାଳନ କରାଯାଏ। ବିଦେଶରେ ରହିଥିବା ଲକ୍ଷ ଲକ୍ଷ ଭାରତୀୟ ମଧ୍ୟ ରଙ୍ଗର ଏହି ପର୍ବ ହର୍ଷୋଲ୍ଲାସ ସହିତ ପାଳନ କରିଥାଆନ୍ତି। ସେମାନଙ୍କ ସହିତ ସେମାନଙ୍କ ବିଦେଶୀ ବନ୍ଧୁମାନେ ମଧ୍ୟ ଆନନ୍ଦରେ ଯୋଗ ଦେଇଥାନ୍ତି।ଶ୍ରୀଲଙ୍କା, ନେପାଳ,ମରିସସ୍,ବାଙ୍ଗଲା ଦେଶ ଭଳି ଦେଶମାନଙ୍କରେ ଥିବା ହିନ୍ଦୁମାନେ ଏହି ପର୍ବ ପାଳନ କରିଥାନ୍ତି। ତେଣୁ ଭାଇଚାରାର ଏହି ପର୍ବ କେବଳ ଭାରତ ଭୂଖଣ୍ଡରେ ସୀମିତ ହୋଇ ରହିନାହିଁ; ଏହା ଏକ ବିଶ୍ବସ୍ତରୀୟ ପର୍ବରେ ପରିଣତ ହୋଇଛି।
ଦୋଳପର୍ବ ପାଳନ ଅବସରରେ ବିଭିନ୍ନ ପ୍ରକାରର ରଙ୍ଗର ବ୍ୟବହାର କରାଯାଏ। ସେହି ରଙ୍ଗ ଭିତରୁ ଅନେକ ରଙ୍ଗ ଶରୀରର ତ୍ବଚା ପାଇଁ କ୍ଷତିକାରକ।ଶରୀରକୁ କ୍ଷତି ପହୁଞ୍ଚାଉ ଥିବା ରଙ୍ଗ ଏହି ଉତ୍ସବ ପାଳନ ସମୟରେ ଆମେ ବ୍ୟବହାର କରିବା ଉଚିତ ନୁହେଁ। “ବନ୍ଧୁତା ର ପର୍ବ” ଶତ୍ରୁତାର ପର୍ବରେ ପରିଣତ ନହେବାପାଇଁ ଆମକୁ ଏହି ସଚେତନତାର ବାର୍ତ୍ତା ପାଳନ କରିବାକୁ ହେବ।
ଆଲେଖ୍ୟ – କୁଳମଣି ଷଡଙ୍ଗୀ
ସାଇ ବିହାର ପଟିଆ କଲେଜ୍ ରୋଡ଼,
ଭୁବନେଶ୍ଵର ୭୫୧୦୨୪
ମୋ: ୭୦୦୮୯୯୪୦୭୧
ବାଲିରୁ ଜାତ ବାଲୁଙ୍କେଶ୍ୱର।
ଦେବ ଦେବ ମହାଦେବ ବାଲୁଙ୍କେଶ୍ୱର ନାମରେ ବିଜେ କରିଛନ୍ତି ଖୋର୍ଦ୍ଧା ନିକଟସ୍ଥ ତମାଣ୍ଡୋ ଗ୍ରାମରେ। ଆସନ୍ତୁ ମହାଶିବରାତ୍ରି ଅବସରରେ ସେହି ବାବା ବାଲୁଙ୍କେଶ୍ଵର ଙ୍କ ବିଷୟରେ ଜାଣିବା। ମହାପ୍ରଭୁ ହେଉଛନ୍ତି ସ୍ଵୟମ୍ଭୁ ପାତାଳ ଫୁଟା ଶିବ ଲିଙ୍ଗ। ବର୍ଷସାରା ସେ କ୍ଷୀର ପାଣି ଇତ୍ୟାଦିରେ ଭରି ରୁହନ୍ତି ଓ ମୂଳ ଲିଙ୍ଗଙ୍କ ଦର୍ଶନ କେବେ ମିଳି ପାରେନା। ଅତି ପ୍ରତ୍ୟକ୍ଷ ମହାଦେବ ଅଟନ୍ତି ବାଲୁଙ୍କେଶ୍ବରେ। ବାଲିରୁ ବାହାରିଥିବା ହେତୁ ତାଙ୍କ ନାମ ବାଲୁଙ୍କେଶ୍ୱର ପଡ଼ିଛି ବୋଲି ଶୁଣିବାକୁ ମିଳେ।
ଇତିହାସ କୁହେ,ସେତେବେଳେ ଏହି ଗ୍ରାମରେ ଜଣେ ବୟସ୍କ ଶିବ ଭକ୍ତ ଥିଲେ। ଯେ କି ଶିବ ଦର୍ଶନ ପୂର୍ବରୁ ଅନ୍ନ ଜଳ ସ୍ପର୍ଶ କରନ୍ତି ନାହିଁ। ସେତେବେଳେ ବାଲୁଙ୍କେଶ୍ୱର ମହାଦେବଙ୍କ ଆବିର୍ଭାବ ହୋଇ ନଥିଲା, ପାଖ ଗ୍ରାମ ମଦନପୁରରେ ନୀଳକଣ୍ଠେଶ୍ଵର ମହାଦେବ ନାମରେ ଶିବାଳୟ ଥିଲା। ଯେଉଁଠି କି ଏ ବୃଦ୍ଧ ଶିବ ଭକ୍ତ ଜଣକ ନିତ୍ୟ ଦର୍ଶନ ଓ ଅର୍ଚ୍ଚନା ପାଇଁ ଯାଆନ୍ତି। ଚତୁର୍ମସିୟା ସମୟ ଜୋର(ଏକ ନାଳ ଭଳି) ରେ ପାଣି ବଢ଼ି ବନ୍ୟାର ସମୟ ଦେଖାଦେଲା, ସେବେ ରାସ୍ତାଘାଟର ସୁବିଧା ଭଲ ନଥିବାରୁ ବୃଦ୍ଧ ଜଣକ ବିଲ ହିଡ ପାରି କରି ଦର୍ଶନ ନିମନ୍ତେ ଯାଆନ୍ତି। କିନ୍ତୁ ବନ୍ୟା ହେତୁ ନାଳ ପୋଖରୀ ରାସ୍ତା ଯେମିତି ସମାନ ଯାହା ଫଳରେ ସେ ଯିବାକୁ ସକ୍ଷମ ହେଲେ ନାହିଁ। ଅତି ବିକଳରେ ସେ ମହାପ୍ରଭୁଙ୍କୁ ସ୍ମରଣ କଲେ ଓ କହିଲେ ହେ ପ୍ରଭୁ ତୁମ ଦର୍ଶନ ନକଲେ ମୋ ଜୀବନ ତୁଚ୍ଛ ହୋଇଯିବ। ଯେଉଁ ବ୍ୟକ୍ତି ନିତ୍ୟ ଶିବାଳୟରେ ମହାପ୍ରଭୁଙ୍କ ଦର୍ଶନ ନକଲେ ଅନ୍ନ ଜଳ ସ୍ପର୍ଶ କରନ୍ତି ନାହିଁ ସେ ଅବା କେମିତି ନିଜ ଇଷ୍ଟଙ୍କ ଦର୍ଶନରୁ ବଞ୍ଚିତ ରହିବେ। ଏମିତି ହେଇ ଦୁଇ ଦିନ ଗଲା କିନ୍ତୁ ବନ୍ୟା ପାଣି କମିଲାନି, ଶିବ ଭକ୍ତ ଜଣଙ୍କ ବୃଦ୍ଧ ଥିବା ହେତୁ ଦେହ କ୍ଷୀଣ ଓ ଅସୁସ୍ଥ ହେବାକୁ ଲାଗିଲା। ଅନ୍ତର ମଧ୍ୟରେ ନିଜ ଇଷ୍ଟ ମହାଦେବଙ୍କୁ କାକୁତି ମିନତି କରି ତାଙ୍କ ଦର୍ଶନ ନିମନ୍ତେ ଆକୁଳ ନିବେଦନ କରୁଥାନ୍ତି।
ଶ୍ରୀ ସଦାଶିବ ଶଙ୍କର ତ ଅନ୍ତର୍ଯ୍ୟାମୀ ତାଙ୍କୁ ଅବା କ’ଣ ଅଛପା। ଭକ୍ତର ଗୁହାରି ଶୁଣିକି ଠାକୁରେ ଆଉ ରହି ନପାରି ତୃତୀୟ ଦିନ ରାତ୍ରରେ ତାଙ୍କୁ ସ୍ଵପ୍ନରେ ଦର୍ଶନ ଦେଇ କହିଲେ ଯେ, ତୁମରି ଘର ପାଖେ ଯେଉଁ ବିଶାଳ ବଟବୃକ୍ଷ ଅଛି ସେହି ବଟବୃକ୍ଷ ପାଖରେ ବାଲି ଭିତରେ ମୁଁ ବିଜେ କରିଛି, ଆଜି ଠୁ ତୁମକୁ ଆଉ କୁଆଡ଼େ ଯିବାକୁ ପଡ଼ିବ ନାହିଁ। ତୁମେ ନିତ୍ୟ ମୋର ଦର୍ଶନ ଏହିଠାରେ କରିବ। ଏହା କହି ମହାପ୍ରଭୁ ଅନ୍ତର୍ଧ୍ୟାନ ହୋଇଗଲେ। ଶିବ ଭକ୍ତ ଜଣଙ୍କର ନିଦ୍ରା ଭଙ୍ଗ ହେଲା ଓ ସାହି ପଡ଼ିଶା ଲୋକଙ୍କୁ ଡାକି ଗଲେ ଶମ୍ଭୁଙ୍କ ଲିଙ୍ଗ ସନ୍ଧାନ ଉଦ୍ଧେଶ୍ୟେ। ସତକୁ ସତ ବଟବୃକ୍ଷ ପାଖରେ ବାଲିର ଭିତରକୁ ବହୁତ ତଳେ ଖୋଳିବା ପରେ ମହାପ୍ରଭୁଙ୍କ ଲିଙ୍ଗ ଦୃଶ୍ୟମାନ ହେଲା। ବୃଦ୍ଧ ଶିବ ଭକ୍ତଙ୍କ ମନ ଉଲ୍ଲାସରେ ଭରିଗଲା ନିଜକୁ ଆହୋଭାଗ୍ୟବାନ ମନେ କଲେ ସେ। ସେହି ଦିନ ଠୁ ଶ୍ରୀ ବାଲୁଙ୍କେଶ୍ବର ମହାରୁଦ୍ର ସେହି ସ୍ଥାନରେ ବିଦ୍ୟମାନ ହୋଇ ତାଙ୍କ ନିତ୍ୟଲୀଳା ପ୍ରକାଶ କରୁଛନ୍ତି।
ମହାପ୍ରଭୁ ଶ୍ରୀ ବାଲୁଙ୍କେଶ୍ବର ସେହି ସ୍ଥାନରେ ବିଜେ ହେଲା ପରେ ନିଜ ପ୍ରାଣ ପ୍ରିୟ ବନ୍ଧୁ ଶ୍ରୀ ବସୁଦେବଙ୍କୁ ନିବେଦନ କଲେ ତାଙ୍କ ଏହି ପୁଣ୍ୟ ସ୍ଥାନ ରେ ବିଜେ କରିବା ନିମନ୍ତେ ଯାହା ଫଳରେ ଶ୍ରୀ ବସୁଦେବ ସଦା ଶିବଙ୍କ ସମେତ ଯୁଗଳ କେଶରୀ ନାମରେ ସେହି ପୀଠରେ ବିଜେ କଲେ। କ୍ରମେ ଠାକୁରଙ୍କର ମହିମା ବିଖ୍ୟାତ ହେଲା ଓ ସେତେବେଳର ଜମିଦାରଙ୍କ ସାହାଯ୍ୟରେ ମହାପ୍ରଭୁଙ୍କର ଦେଉଳ ନିର୍ମାଣ ସହ ମନ୍ଦିର ପ୍ରତିଷ୍ଠା, ପାର୍ଶ୍ଵ ଦେବତା ଓ ଯୁଗଳ କେଶରୀଙ୍କ ଦେଉଳ ଓ ଯୁଗଳ କେଶରୀଙ୍କ ପ୍ରତିଷ୍ଠା କରାଗଲା। ଏ ତ ଥିଲା ମହାପ୍ରଭୁଙ୍କ ଆବିର୍ଭାବର ଇତିହାସ। ମୂଳ ଲିଙ୍ଗ ବହୁତ ତଳେ ଥିବାରୁ ସେ ଦୃଶ୍ୟମାନ ହୁଅନ୍ତି ନାହିଁ। କେବଳ ଶକ୍ତିଙ୍କୁ ହିଁ ଦର୍ଶନ କରିହୁଏ। ଏଠି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର ସବୁ ଯାତ୍ରାରେ ଏକା ବିଜେ କରନ୍ତି। ଏଠି ମାତା ପାର୍ବତୀଙ୍କ ବିଗ୍ରହ ଠାକୁରଙ୍କ ସହ ରହି ନାହାଁନ୍ତି। ମୂଳଲିଙ୍ଗ ମନ୍ଦିରରେ ପୂଜା ପାଉଥିବା ବେଳେ ଚଳନ୍ତି ଦିଅଁ ପୂଜକଙ୍କ ଘରେ ପୂଜା ପାଆନ୍ତି।
ପର୍ବପର୍ବାଣୀ:- ବର୍ଷ ତମାମ ଠାକୁରଙ୍କ ଅନେକ ପର୍ବ ପାଳନ ହୁଏ। ସେଥି ମଧ୍ୟରୁ ମୁଖ୍ୟ ପର୍ବ ରୂପେ ଜାଗର, ଦୋଳ ଯାତ୍ରା ଯେଉଁ ଯାତ୍ରାକୁ ୩୦ରୁ ଅଧିକ ସ୍ଥାନର ଦେବତା ଦୋଳ ବିମାନରେ ବସି ମହାପ୍ରଭୁଙ୍କ ଶ୍ରୀ ବାଲୁଙ୍କେଶ୍ୱରଙ୍କ ନିକଟକୁ ବିଜେ କରନ୍ତି, କାର୍ତ୍ତିକ ପୂର୍ଣ୍ଣିମା, ଶ୍ରାବଣ ଓ କାର୍ତ୍ତିକ ମାସର ପ୍ରତି ସୋମବାର ଏବଂ ବୈଶାଖ ମାସରେ ବିଶ୍ଵ ଶାନ୍ତି ମହାଯଜ୍ଞ।
ନିତ୍ୟ ନିତି କାନ୍ତି – ସକାଳୁ ପହଡ଼ ଫିଟିବା ପରେ ମଙ୍ଗଳ ଆଳତି, ତତ୍ ପରେ ଅବକାଶ ଓ ସ୍ନାନ ମଜେନା, ମଜେନା ଅନ୍ତେ ବେଶ ଓ ଗୋପାଳ ବଲ୍ଲଭ ଭୋଗ ଆଳତି, ତତ୍ ପରେ ସାହାଣ ମେଳା ଦର୍ଶନ, ଦ୍ବିପ୍ରହରେ ନିତି ଧୂପ (ଠାକୁର ଏଠି ଦିବା ପହୁଡ଼ ହୁଅନ୍ତିନି), ଏହା ପରେ ସନ୍ଧ୍ୟାରେ ଦହି ପଖାଳ ଭୋଗ ସହ ସନ୍ଧ୍ୟା ଧୂପ ଓ ଆଳତି ଦର୍ଶନ, ପୁନଶ୍ଚ କିଛି ସମୟ ନିମନ୍ତେ ସାହାଣ ମେଳା ଚାଲେ ଓ ଶେଷରେ ପହୁଡ଼ ପଡ଼େ।
ଆଲେଖ୍ୟ – ପ୍ରିଆଂଶୁ ପାତ୍ର
ନାରଗୋଦ, ତମାଣ୍ଡୋ ,
ଜିଲ୍ଲା ଖୋ୍ର୍ଦ୍ଧା, ଭୁବନେଶ୍ୱର
ଖଣ୍ଡପଡାର ଶୈବ ସଂସ୍କୃତି।
ଶିବ ପୁରାଣ ଅନୁଯାୟୀ ଯେ ଶିବ ସେ’ ହିଁ ବିଷ୍ଣୁ।ଉଭୟେ ସତ୍ୟ ଶିବ ସୁନ୍ଦର।ଜଣକୁ ପୂଜା କଲେ ଅନ୍ୟ ଜଣକ ସେ ପୂଜା ଗ୍ରହଣ କରନ୍ତି।ସ୍କନ୍ଦ ପୁରାଣ ଅନୁଯାୟୀ:-
“ଯୋ ରୁଦ୍ରଃ ସୋ ସ୍ବୟଂ ବିଷ୍ଣୁ,ଯୋ ବିଷ୍ଣୁ ସ ମହେଶ୍ୱରଃ,
ଉଭୟୋଃ ଅନ୍ତରଂ ନାସ୍ତି,ପବନାକାଶୟୋଃ ଇବ।”
ଆକାଶ ଏବଂ ବାୟୁର ଭିନ୍ନତା ଯେପରି ଅକଳ୍ପନୀୟ ସେହିପରି ଶିବ ଏବଂ ବିଷ୍ଣୁଙ୍କ ମଧ୍ୟରେ ଭେଦ କଳ୍ପନାତୀତ। ଧର୍ମପ୍ରାଣ ଖଣ୍ଡପଡ଼ାବାସୀ ବୋଧହୁଏ ଏହି ମହାସତ୍ୟ ଠିକ୍ ହୃଦୟଙ୍ଗମ କରି ପାରିଥିଲେ। ତେଣୁ ଏଠାରେ ଜନସାଧାରଣ ବହୁକାଳରୁ ପରମ ବିଷ୍ଣୁ ଭକ୍ତ ଥାଇ ମଧ୍ୟ ପରମ ଶିବ ଭକ୍ତ ଥିଲେ ଏବଂ ଏ ଯାବତ୍ ରହି ଆସିଛନ୍ତି।ଶିବ ମହାଯୋଗେଶ୍ବରଙ୍କ ପ୍ରତୀକ।ସେ ତପେ ବର ଦାନ କରନ୍ତି;କୋପରେ ମଧ୍ୟ ବର ଦିଅନ୍ତି। ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଭକ୍ତକୁ ପ୍ରଥମେ ଶିବ ମନ୍ଦିର ହିଁ ଦେଖାଯାଏ।ଦୁରାରୋଗ୍ୟ ବ୍ୟାଧି ଉପଶମ ପାଇଁ ହେଉ କିମ୍ବା ନିଜର ବ୍ୟକ୍ତିଗତ ଅଭିଷ୍ଟ ସାଧନ ହେଉ କିମ୍ବା ପରିବାରର ମଙ୍ଗଳ କାମନା ହେଉ ଦେବାଧିଦେବଙ୍କ ମନ୍ଦିର ଦୁଆରେ ମୁଣ୍ଡ ପିଟି ଭକ୍ତ ଶରଣ ଯାଏ। ବାଲୁଙ୍କେଶ୍ୱର ଶିବଙ୍କ ବେଢ଼ାରେ ଜିଭ କାଟି ଅଧିଆ ପଡିବା ଅନେକ ଭକ୍ତଙ୍କୁ ପିଲାଦିନେ ଏ ଆଖି ଦେଖିଛି। ସେମାନଙ୍କ ଭିତରୁ କେତେ ତରିଯାଇଛନ୍ତି ତ କେତେ ମରିଯାଇଛନ୍ତି।
ଖଣ୍ଡପଡାର ପ୍ରସିଦ୍ଧ ଶିବ ପୀଠ ମଧ୍ୟରୁ ବ୍ରହ୍ମାଦ୍ରିବିହାରୀ ନୀଳମାଧବ ମନ୍ଦିର ପରିସରରେ ବିରାଜିତ ସିଦ୍ଧେଶ୍ବର ମନ୍ଦିର ଅତି ପୁରାତନ ମନେ ହୁଏ।ଏହା ନୀଳମାଧବଙ୍କ ମନ୍ଦିର ବେଢାର ଦକ୍ଷିଣ ପାର୍ଶ୍ବରେ ଅବସ୍ଥିତ। ଏଠାରେ ଲିଙ୍ଗ ପାତାଳୀ; ଯେତେ ଜଳଶାୟୀ କଲେ ମଧ୍ୟ ଟୋପେ ପାଣି ରହେ ନାହିଁ। ଏହି ମନ୍ଦିର ନୀଳମାଧବ ମନ୍ଦିର ଗଠନ ସମୟରେ ହୋଇଥିବା ଅନୁମାନ କରାଯାଏ।ଏ ପର୍ଯ୍ୟନ୍ତ ନୀଳମାଧବଙ୍କ ମନ୍ଦିର ଗଠନ କାଳ ସଠିକ ଭାବେ ନିର୍ଣ୍ଣୟ କରାଯାଇ ପାରିନାହିଁ। ତଥାପି “ଧାନଚେଙ୍ଗେଡା” ଠାରୁ ପ୍ରାପ୍ତ ତାମ୍ରଲିପି ଭଞ୍ଜବଂଶର ଶୀଳଭଞ୍ଜଙ୍କର ହୋଇ ଥିବାରୁ ଏହି ମନ୍ଦିର ଭଞ୍ଜ ବଂଶର ରାଜାଙ୍କ ଦ୍ବାରା ଗଢା ଯାଇଥିବା ଅନୁମାନ କରାଯାଏ।ବୌଦ୍ଧର ଗନ୍ଧାରାଡି ଶୀଳଭଞ୍ଜଙ୍କର ଦ୍ବିତୀୟ ରାଜଧାନୀ ଥିଲା। ସେଠାରୁ ଅନତି ଦୂରରେ “ଜହ୍ନ ପଙ୍କ” ଅଞ୍ଚଳରେ ମହାନଦୀ କୂଳରେ ଚାରିଶମ୍ଭୂ ମନ୍ଦିର ବିଦ୍ୟମାନ।ତାଭିତରୁ ସିଦ୍ଧେଶ୍ୱର ଏବଂ ନୀଳମାଧବଙ୍କ ଦ୍ବୈତ ମନ୍ଦିର ଠିକ୍ କଣ୍ଟିଲୋର ନୀଳମାଧବଙ୍କ ମନ୍ଦିର ପରି। ଏହି ତଥ୍ୟକୁ ଆଧାର କରି କୁହାଯାଇପାରେ ଯେ ନୀଳମାଧବ ମନ୍ଦିର ଶୀଳଭଞ୍ଜ(ଅଷ୍ଟମ ଶତାବ୍ଦୀ)କିମ୍ବା ତାଙ୍କ ପରବର୍ତ୍ତୀ କୌଣସି ଭଞ୍ଜ ରାଜା କିମ୍ବା ଭଞ୍ଜ ବଂଶ ପରେ ବଉଦରେ ଶାସନ କରୁଥିବା ସୋମବଂଶୀ ରାଜାଙ୍କ ଦ୍ବାରା ନିର୍ମିତ ହୋଇଥିଲା।ଅଷ୍ଟମ ଶତାବ୍ଦୀରୁ ଦଶମ ଶତାବ୍ଦୀ ଭିତରେ ଏହା ନିର୍ମିତ ହୋଇଥିବା ଅନୁମାନ କରାଯାଏ।
ରାମେଶ୍ବର ପୀଠର ଚିତ୍ର ଉପରେ ଦିଆଗଲା।
ଖଣ୍ଡପଡା ଗଡ଼ରେ କୁସୁମୀ ନଦୀ କୂଳରେ ଥିବା ବାଲୁଙ୍କେଶ୍ୱର ମନ୍ଦିର ୩୦୦ ବର୍ଷର ପୁରୁଣା ହେଲେ ମଧ୍ୟ ଏବେ ବି ନୂଆ ଭଳି ଲାଗେ।ଏହି ମନ୍ଦିର ବଘେଲ ବଂଶର ତୃତୀୟ ରାଜା ବାଲୁକେଶ୍ବର ମଙ୍ଗରାଜଙ୍କ ଦ୍ବାରା (୧୭୦୭-୧୭୨୦ ମସିହା) ନିର୍ମିତ ହୋଇଥିଲା। ଏହି ଠାକୁରଙ୍କୁ ଲୋକେ ବଡ଼ ପ୍ରତ୍ୟକ୍ଷ ମାନନ୍ତି ଏବଂ ଏହାଙ୍କ ପାଖରେ ଗୁହାରିଆ ପଡ଼ି ଅଲୌକିକ ଶକ୍ତି ଲାଭ କରିବା ଉଦାହରଣ ଅଛି। ପ୍ରସିଦ୍ଧ ପାଲାକାର ଦାମୋଦର ବାହିନୀପତି (ରାଜା ନଟବରଙ୍କ ସମୟର) ଏଠାରେ ଗୁହାରିଆ ପଡି ଆଶୁକବିତ୍ବ ଲାଭ କରିଥିଲେ। ଏହି ମନ୍ଦିରର ମଣ୍ଡପରେ କାରୁକାର୍ଯ୍ୟରେ ପରିପୂର୍ଣ୍ଣ କାଠର ଅତି ସୁନ୍ଦର ମୂର୍ତ୍ତି ଖଚିତ ହୋଇଥିଲା।ରାଜୁଡା ଶାସନ ଶେଷ ହେବାର କିଛି ବର୍ଷ ଭିତରେ ସେ ସବୁ ଚୋରି ହୋଇଗଲା।
ବର୍ତ୍ତମାନ ରାଜବାଟିର ଅନତି ଦୂରରେ ଯେଉଁ ନୀଳକଣ୍ଠେଶ୍ଵର ଶିବ ମନ୍ଦିର ରହିଛି ତାହା ଦୁଇଶହ ବର୍ଷତଳେ ରାଜା ନୃସିଂହ ଭ୍ରମରବରଙ୍କ ସମୟରେ ନିର୍ମିତ ହୋଇଥିଲା।
ଖଣ୍ଡପଡାର ସବୁ ଶିବପୀଠ ମାନଙ୍କ ମଧ୍ୟରେ ଅଧିକ ଚର୍ଚ୍ଚାରେ ରହିଛି ଖୁଣ୍ଟୁପଡା ଗ୍ରାମରେ ଥିବା ରାମେଶ୍ବର ଶିବଙ୍କ ପୀଠ। ରାମେଶ୍ବର ମହାପ୍ରଭୁଙ୍କ କୃପାରୁ ବିଶ୍ବବନ୍ଦ୍ୟ ଜ୍ୟୋତିର୍ବିଜ୍ଞାନୀ ନକ୍ଷତ୍ର-ପୁରୁଷ, ଉତ୍କଳ-ଭାସ୍କର ସାମନ୍ତ ଚନ୍ଦ୍ରଶେଖର ଧରାପୃଷ୍ଠକୁ ଓହ୍ଲାଇ ଆସି ଥିଲେ ବୋଲି ଏକ ରୋଚକ କିମ୍ବଦନ୍ତୀ ରହିଛି। ପଠାଣି ସାମନ୍ତ ୧୮୩୫ ମସିହା ଡିସେମ୍ବର ମାସ ୧୩ତାରିଖରେ ଜନ୍ମ ଲାଭ କରିଥିଲେ।ତାର ଠିକ୍ ଦଶମାସ ପୂର୍ବରୁ ଏହି ଘଟଣାଟି ରାମେଶ୍ବର ମନ୍ଦିର ପ୍ରାଙ୍ଗଣରେ ଘଟିଥିଲା। ସେଦିନ ଶିବ ଚତୁର୍ଦ୍ଦଶୀ ଯୋଗୁଁ ଖୁଣ୍ଟୁପଡା ଗ୍ରାମର ରାମେଶ୍ବର ଶିବ ମନ୍ଦିର ବେଢ଼ାରେ ଅନେକ ଭକ୍ତଙ୍କର ସମାଗମ ହୋଇଥାଏ। ସେମାନଙ୍କ ଭିତରେ ଶ୍ୟାମବନ୍ଧୁ ସିଂହ ଏବଂ ତାଙ୍କ ଧର୍ମପତ୍ନୀ ବିଷ୍ଣୁମାଳୀ ଦେବୀ ମଧ୍ୟ ଥାଆନ୍ତି।ଆଗରୁ ଗୋଟିଏ ପୁତ୍ର ଏବଂ ଦୁଇଟି କନ୍ୟା ଅକାଳରେ ହରାଇଥିବା ସାମନ୍ତ ଦମ୍ପତି ପୁତ୍ର ଲାଭ ମାନସିକ ନେଇ ଜାଗର ଉପବାସ ପାଳନ କରିବାପାଇଁ ଆସିଥାନ୍ତି। ହଠାତ୍ ରାମେଶ୍ବରଙ୍କ ବୁଢାମାଳୀ ମନ୍ଦିର ଭିତରୁ ଭୟରେ ଥରି ଥରି ବାହାରକୁ ଆସି କହିବାକୁ ଲାଗିଲେ..”ବାବା ହେ,ରକ୍ଷା କର, କ୍ଷମା କର ପ୍ରଭୁ।” ଭକ୍ତମାନେ ଭୟର କାରଣ ପଚାରିବାରୁ ମାଳି କହିଲେ.. ରାମେଶ୍ବରଙ୍କ ଲିଙ୍ଗ ଉପରେ କେତକୀ ପାଖୁଡା ଲାଗି କରିବା ସମୟରେ ତାହା ବାରମ୍ବାର ତଳେ ପଡିଯାଉଥିଲା। ନିରୀକ୍ଷଣ କରି ଦେଖିବାରୁ ଜଣାଗଲା ଯେ ଶିବଲିଙ୍ଗ ଚାରିପାଖରେ ଗୋଟିଏ ନାଗସାପ ଗୁଡେ଼ଇ ହୋଇ ରହିଛି। ଏତେଦିନ ପ୍ରଭୁଙ୍କର ସେବା କରିବା ଭିତରେ ଏଭଳି ଘଟଣା କେବେ ମୋ ଦୃଷ୍ଟି କୁ ଆସିନାହିଁ।”
ଏହା ଶୁଣିବା ପରେ ଉପସ୍ଥିତ ଭକ୍ତ ମାନଙ୍କ ମନରେ ଆବେଗ ସୃଷ୍ଟି ହେବା ସ୍ବଭାବିକ। ସେଦିନ ରାତିରେ ଜାଗର ଜାଳି ଭକ୍ତମାନେ ବେଢ଼ା ଭିତରେ ବସିଥାନ୍ତି।ସାମନ୍ତ ଶ୍ୟାମବନ୍ଧୁ ଏବଂ ବିଷ୍ଣୁମାଳୀ ଦେବୀ ମଧ୍ୟ ଜାଗର ଜାଳି ସେଠାରେ ବସିଥିଲେ। ରାତିର ତୃତୀୟ ପ୍ରହରରେ ଶ୍ୟାମବନ୍ଧୁଙ୍କ ଆଖି ଯେତେବେଳେ ତନ୍ଦ୍ରାଛନ୍ନ ଥିଲା ସେ ଏକ ସ୍ବପ୍ନ ଦେଖିଲେ ଜଣେ ତେଜୋଦୀପ୍ତ ଶୁକ୍ଳାମ୍ବରଧାରୀ ବ୍ରାହ୍ମଣଙ୍କ ପାଖରେ ଜଣେ ଅପୂର୍ବ ସୁନ୍ଦରୀ ନାରୀ ଉପସ୍ଥିତ ହୋଇ ତାଙ୍କ ମସ୍ତକରେ କେତକୀ ପାଖୁଡା ଲାଗି କରିବା ପାଇଁ ଉଦ୍ୟତ ହେଉଛନ୍ତି।ଏହା ଦେଖି ସେ ବ୍ରାହ୍ମଣ କହୁଛନ୍ତି-ଏ କଣ କରୁଛ ପ୍ରିୟେ ! ଚତୁର୍ଦ୍ଦଶୀ ବ୍ୟତୀତ ଅନ୍ୟ କୌଣସି ଦିନରେ ମୁଁ କେତକୀ ପାଖୁଡା ଗ୍ରହଣ କରେନାହିଁ ବୋଲି ତୁମେ କଣ ଜାଣିନାହିଁ ?
ଆଶ୍ଚର୍ଯ୍ୟ ହୋଇ ସେ ଅପୂର୍ବ ନାରୀ କହିଲେ.. କିନ୍ତୁ ମୋର ଭୁଲ୍ କେଉଁଠି ରହିଲା ପ୍ରଭୁ ! ଆଜି ପରା ଜାଗର ଚତୁର୍ଦ୍ଦଶୀ ! ଏହା ଶୁଣି ବ୍ରାହ୍ମଣ କହିଲେ.. ନାଁ ଦେବୀ , ସ୍ଥୂଳ ଗଣନା ଅନୁଯାୟୀ ଆଜି ଭକ୍ତମାନେ ଜାଗର ପାଳନ କରୁଛନ୍ତି। ପ୍ରକୃତରେ ଜାଗର ଆଜି ନୁହେଁ।ବିଶ୍ବବ୍ରହ୍ମାଣ୍ଡ ଏକ ଐଶ୍ୱରୀୟ ନିୟମ ଅନୁସାରେ ପରିଚାଳିତ। ସେଥିରେ ବ୍ୟତୀକ୍ରମ ହେଲେ ଈଶ୍ବର ମଧ୍ୟ ଋଷ୍ଟ ହୁଅନ୍ତି ଏବଂ ସମାଜର ଅମଙ୍ଗଳ ହୁଏ। ଖୁବ୍ ଶୀଘ୍ର ମୋର କଳା ନେଇ ଜଣେ ମହାପୁରୁଷ ଏଇ ମାଟିରେ ଜନ୍ମନେବ ଏବଂ ସୂକ୍ଷ୍ମ ଗଣନା କରି ଠିକ୍ ଭାବରେ ଦିନ ଦଣ୍ଡ ଲିତା ଏବଂ ତିଥି ନିର୍ଣ୍ଣୟ କରିବ।” ଶ୍ୟାମବନ୍ଧୁଙ୍କର ତନ୍ଦ୍ରା ଭାଙ୍ଗିଗଲା। ଠିକ୍ ସେହି ସମୟରେ ତନ୍ଦ୍ରାଛନ୍ନ ଅବସ୍ଥାରେ ତାଙ୍କ ପତ୍ନୀ ବିଷ୍ଣୁମାଳୀ ଦେବୀ ସ୍ବପ୍ନରେ ଦେଖିଲେ ଜଣେ ସୁନ୍ଦରୀ ନାରୀ ତାଙ୍କ ଆଗରେ ଉଭା ହୋଇ କହୁଛନ୍ତି…ଦେବୀ ! ପ୍ରଭୁ ତୁମ ଗୁହାରି ଶୁଣିଛନ୍ତି। ଅତି ଶୀଘ୍ର ତୁମେ ଏକ ଧୀମାନ ପୁତ୍ରର ଜନନୀ ହେବ।କାଲି ସକାଳେ ଶିବ ଦର୍ଶନ ସମୟରେ ଲିଙ୍ଗ ପାଖରେ ଅଣ୍ଡାଳି ଯାହା ପାଇବ ତାହା ନିର୍ବିକାର ମନରେ ଉଦରସ୍ଥ କରିବ। ବିଷ୍ଣୁମାଳୀ ଦେବୀ ତାହାହିଁ କଲେ। ଲିଙ୍ଗ ଚାରିପାଖ ଦରାଣ୍ଡି ଗୋଟିଏ କ୍ଷୁଦ୍ର କୃଷ୍ଣ ଶିଳା ପାଇ ତାହା ଉଦରସ୍ଥ କଲେ। ପରଦିନ ଘରକୁ ଫେରିବା ସମୟରେ ସ୍ବପ୍ନାଦେଶ କଥା ଆଲୋଚନା କରି ଦୁହେଁ ଆଶ୍ଚର୍ଯ୍ୟ ହେଲେ।
କିଛି ଦିନ ପରେ ବିଷ୍ଣୁମାଳୀ ଦେବୀଙ୍କର ଗର୍ଭ ଲକ୍ଷଣ ଦେଖାଗଲା।ଯଥା ସମୟରେ ୧୮୩୫ ମସିହା ଡିସେମ୍ବର ୧୩ ତାରିଖରେ ବିଷ୍ଣୁମାଳୀ ଏବଂ ଶ୍ୟାମବନ୍ଧୁଙ୍କ କୋଳ ଗୋଟିଏ ପୁତ୍ର ସନ୍ତାନ ମଣ୍ଡନ କଲେ।ପ୍ରଭୁ ଶିବ ବା ଚନ୍ଦ୍ରଶେଖରଙ୍କ କୃପାରୁ ପୁତ୍ରଲାଭ ହୋଇଥିବାରୁ ତାଙ୍କ ନାମ ରଖାଗଲା ଚନ୍ଦ୍ର ଶେଖର। ଜ୍ୟୋତିର୍ବିଜ୍ଞାନରେ ଅଲୌକିକ ସାଧନା ଯୋଗୁଁ ଦିନେ ଏହି ମହାପୁରୁଷ ଆମ ଓଡିଆଙ୍କ ପରିଚୟ ଭାବେ ବିଶ୍ବଦରବାରରେ ବନ୍ଦିତ ହୋଇଥିଲେ।
ଆଲେଖ୍ୟ – କୁଳମଣି ଷଡଙ୍ଗୀ
ସାଇ ବିହାର ପଟିଆ କଲେଜ୍ ରୋଡ଼,
ଭୁବନେଶ୍ଵର ୭୫୧୦୨୪
ମୋ: ୭୦୦୮୯୯୪୦୭୧
ମହାଶିବରାତ୍ରିରେ ଜାଣନ୍ତୁ ଗତିକେଶ୍ବର ମହାଦେବଙ୍କ କଥା |
ପବିତ୍ର ମହାଶିବରାତ୍ରିରେ ଆସନ୍ତୁ ଆଜି ଆମେ ବୁଲିଯିବା ଦେବାଧି ଦେବ ମହାଦେବଙ୍କ ଏକ ଅନନ୍ୟ ଶୈବପୀଠକୁ, ଯେଉଁଠି ବାବା ଭୋଳାନାଥ ପୂଜା ପାଉଛନ୍ତି ଗତିକେଶ୍ବରଙ୍କ ନାମରେ।
ପ୍ରକୃତିର କୋଳରେ ବନଜଙ୍ଗଲର ସବୁଜିମା ମଧ୍ୟରେ ଅବସ୍ଥିତ ନୟାଗଡ଼ ଜିଲ୍ଲା , ତେବେ ଆମର ଆଜିର ଯାତ୍ରା ନୟାଗଡ଼ର ପ୍ରସିଦ୍ଧ ଦ୍ବାଦଶସମ୍ଭୁଙ୍କ ମଧ୍ୟରୁ ଅନ୍ୟତମ ଶମ୍ଭୁ ଶ୍ରୀଗତିକେଶ୍ବରଙ୍କ ପୀଠକୁ। ପ୍ରଥମେ ଆମେ ରାଜଧାନୀ ଭୁବନେଶ୍ଵର ରୁ ନୟାଗଡ଼ ଅଭିମୁଖେ ଯାତ୍ରା ଆରମ୍ଭ କଲୁ।ଆଉ ନୟାଗଡ଼ରୁ ବାଲୁଗାଁ ଦେଇ ଅଳ୍ପ କିଛି ବାଟ ଗଲାପରେ ଆମେ ମାଳିସାହି ଗ୍ରାମ ରେ ପହଞ୍ଚିଲୁ। ଆଉ ସେହି ଗ୍ରାମରେ ବିଜେ ହୋଇଛନ୍ତି ବାବା ଗତିକେଶ୍ବର ମହାଦେବ। ତେବେ ଆସନ୍ତୁ ଜାଣିବା ବାବା ଗତିକେଶ୍ବର ମହାଦେବଙ୍କ କିମ୍ବଦନ୍ତୀ ବିଷୟରେ।
ବାବା ଗତିକେଶ୍ବରଙ୍କରର ଏହି ଦେଉଳଟି ହେଉଛି ନବମ ଶତାବ୍ଦୀର। ତେବେ ଏହି ମନ୍ଦିରକୁ ରାଜା ରଣଭଞ୍ଜ ତାଙ୍କ ରାଜତ୍ବ ସମୟରେ ତୋଳାଇଥିଲେ ବୋଲି କିମ୍ବଦନ୍ତି କହେ। ଏବଂ ଲୋକକଥା କହେ ଏହା ଶ୍ରୀ ଲିଙ୍ଗରାଜ ମନ୍ଦିରଠାରୁ ମଧ୍ୟ ପ୍ରାଚୀନ । ଗତୀକେଶ୍ବର ମହାଦେବଙ୍କର କିଛି କିମ୍ବଦନ୍ତୀ ଥାଉ ଅବା ନଥାଉ, ଏହା ଯେ ବୌଦ୍ଧନରେଶଙ୍କ କିର୍ତ୍ତୀ ବୋଲି ଅନେକ ପିଢି଼ରୁ କିମ୍ବଦନ୍ତୀ ରହିଆସିଛି। ଏଠାରେ ଥିବା ପ୍ରାଚୀନ ଶୀଳାଲେଖ ଯାହାକି ବର୍ତ୍ତମାନ ନଷ୍ଟପ୍ରାୟ ଯାହା ଏହାକୁ ବୌଦ୍ଧନରେଶଙ୍କର କିର୍ତ୍ତୀ ବୋଲି ପ୍ରମାଣ କରାଇଥାଏ।
ଦେବ ଦେବ ମହାଦେବଙ୍କ ମନ୍ଦିର ପ୍ରାଙ୍ଗରେ ଶୋଭାପାଉଛନ୍ତି ପାର୍ଶ୍ବ ଦେବ ଦେବୀ, ଯଥା ଅଷ୍ଟଭୂଜା ରଣଚଣ୍ଡୀ , ବିଦ୍ୟାଦାତା ଗଣେଷ, କୁମାର କାର୍ତ୍ତିକେୟ ଆଦି ଅନେକ ବିଗ୍ରହ। ସେଠାକାର ବିଶେସତ୍ତ୍ବ ହେଉଛି ଏକ ୫ଫୁଟ ବିଶିଷ୍ଟ ସ୍ତମ୍ଭ ଯେଉଁଥିରେ ତିନୋଟି ଖୋଲ ଅଛି। ପ୍ରଥମ ଖୋଲରେ ପ୍ରାଚୀନ ଉମାମହେଶ ବିଗ୍ରହ , ଦ୍ବୀତିୟଟିରେ ଦୁଇଜଣ ସଖି ବା ନାରୀ ମୁର୍ତ୍ତି ଶୋଭା ପାଉଥିବା ବେଳେ , ତୃତୀୟ ଖୋଲରେ ବିରାଜିଥିବା ଶିବଗଣ ସମସ୍ତଙ୍କ ମନ ମୋହୁଛନ୍ତି । ମନ୍ଦିରର ଚତୁଃପାର୍ଶ୍ବ ବୁଲି ଦେଖିଲେ ଆପଣ ପାଇ ପାରିବେ ଏକ ପ୍ରାଚୀନ ଦେଉଳର ଅନେକ ଭଗ୍ନାବଶେଷ ।
ବାବା ଗତିକେଶ୍ବରଙ୍କଠାରେ ପ୍ରତିଦିନ ତିନିଧୂପ ଇତ୍ୟାଦି ହେଇଥାଏ, ଏଠାକାର ମୂଖ୍ୟ ପର୍ବପର୍ବାଣୀ ହେଉଛି ମହାଶୀବରାତ୍ରୀ ଓ ଶୀତଳଷଷ୍ଠୀ, ଏହି ଦୁଇପର୍ବ ଗ୍ରାମବାସୀମାନେ ଖୁବ ଉଲ୍ଲାସର ସହ ପାଳନ କରିଥାନ୍ତି। ତେବେ ଏ ଥିଲା କିଛି ତଥ୍ୟ ନୟାଗଡ଼ର ପ୍ରସିଦ୍ଧ ଶମ୍ଭୁ ଗତିକେଶ୍ବରଙ୍କର ଉପରେ। ସମୟ ପାଇଲେ ନିଶ୍ଚୟ ଆସିବେ ଏ ପବିତ୍ର ଶୈବ କ୍ଷେତ୍ରକୁ।
ଆଲେଖ୍ୟ – ରୋହନ ମହାପାତ୍ର
ସମ୍ପାଦକ, ବୀର କଳିଙ୍ଗ
ପୁରୁଷୋତ୍ତମ ଶ୍ରୀରାମ।
ଚୈତ୍ର ଶୁକ୍ଳ ନବମୀ ରାମ ନବମୀ ରୂପେ ପରିଚିତ । ଏହି ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଏ । ତ୍ରେତୟା ଯୁଗରେ ଅଯୋଧ୍ୟାର ରାଜା ଥିଲେ ଦଶରଥ । ତାଙ୍କର ତିନିରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରା । ରାଜାଙ୍କର ବଡଦୁଃଖ ଥିଲା ଯେ ତାଙ୍କର କୌଣସି ସନ୍ତାନ ନ ଥିଲେ ମହାନ ଇକ୍ଷାକୁ କୁଳରେ ଉତ୍ତରାଧିକାରୀ ହେବାକୁ । କୁଳଗୁରୁ ବଶିଷ୍ଠ ପ୍ରାର୍ଥିତ ସନ୍ତାନ ପ୍ରାପ୍ତି ନିମନ୍ତେ ଋଷିଶୃଙ୍ଗଙ୍କଦ୍ୱାରା ପୁତ୍ରେଷ୍ଟି ଯଜ୍ଞ କରିବାକୁ ଦଶରଥଙ୍କୁ ଉପଦେଶ ଦେଲେ । ରାଜା କୁଳଗୁରୁ ଉପଦେଶ ଅନୁସାରେ ମହାନ୍ ଋଷି ଋଷିଶୃଙ୍ଗଙ୍କୁ ଅଯୋଧ୍ୟାରେ ଯଜ୍ଞ କରିବାକୁ ତାଙ୍କ ଆଶ୍ରମକୁ ଯାଇ ପ୍ରାର୍ଥନା କଲେ । ବଶିଷ୍ଠ ଓ ଋଷିଶୃଙ୍ଗଦ୍ୱାରା ପୁତ୍ରେଷ୍ଟି ଯଜ୍ଞ ସମାପନ ପରେ ଯଜ୍ଞେଶ୍ୱର ଯଜ୍ଞକୁଣ୍ଡରୁ ଆବିର୍ଭୁତ ହୋଇ ଦଶରଥଙ୍କୁ ଏକ ଚରୁଅନ୍ନପୂର୍ଣ୍ଣ ପାତ୍ର ପ୍ରଦାନ କରି ରାଣୀମାନଙ୍କୁ ସେବନ କରିବାକୁ କହିଲେ । ଦଶରଥ ଅଧା ଚରୁଅନ୍ନ କୌଶଲ୍ୟାଙ୍କୁ ଓ ଅନ୍ୟଅଧା ଭାଗକୁ କୈକେଇଙ୍କୁ ପ୍ରଦାନ କଲେ । କୌଶଲ୍ୟା ଓ କୈକେୟୀ ନିଜନିଜର ଚରୁଅନ୍ନର ଅଧାଭାଗରୁ କନିଷ୍ଠା ରାଣୀ ସୁମିତ୍ରାଙ୍କୁ ସେବନ କରିବାକୁ ଦେଲେ । ଏହାର କିଛିଦିନ ପରେ ତିନିରାଣୀ ଅନ୍ତଃସତ୍ତ୍ୱା ହେଲେ । ପବିତ୍ର ଚୈତ୍ର ନବମୀଦିନ ଦ୍ୱିପ୍ରହରରେ କୌଶଲ୍ୟା ପ୍ରଭୁ ରାମଚନ୍ଦ୍ରଙ୍କୁ, କୈକେୟୀ ଭରତଙ୍କୁ ଓ ସୁମିତ୍ରା ଯମଜ ସନ୍ତାନ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଲେ । ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ରାମଚନ୍ଦ୍ର ସ୍ୱଇଚ୍ଛାରେ ଅଧର୍ମର ବିଲୋପ ଓ ରାବଣ ଆଦି ରାକ୍ଷାସମାନଙ୍କୁ ସଂହାର କରିବାକୁ ପୃଥିବୀପୃଷ୍ଟରେ ଅବତରଣ କରିଥିଲେ । ବୟଃପ୍ରାପ୍ତ ହେବାପରେ ପ୍ରଭୁ ରାମଚନ୍ଦ୍ର ମିଥିଳା ନରେଶ ରାଜର୍ଷି ଜନକଙ୍କ ଦୁହିତା ଦେବୀ ସୀତାଙ୍କ ସହିତ ବିବାହ ହୋଇଥିଲା । ବାଲ୍ମିକୀ ରାମାୟଣ ମତେ ମାର୍ଗଶିର ଶୁକ୍ଳପଞ୍ଚମୀ ଦିନ ସେହି ବିବାହ ଅନୁଷ୍ଠିତ ହୋଇଥିଲା । ରାଜସୁଖକୁ ପରିହାର ପୂର୍ବକ ପିତୃସତ୍ୟ ପାଳନ କରି ଚଉଦ ବର୍ଷ ରାମଚନ୍ଦ୍ର ଦେବୀସୀତା ଓ ଅନୁଜ ଲକ୍ଷ୍ମଣଙ୍କୁ ସାଙ୍ଗରେ ଧରି ବନବାସ ଯାଇଥିଲେ । ଅରଣ୍ୟରୁ ଅରଣ୍ୟ ଘୂରିବୁଲୁଥିଲେ ଦୁଃଖ ଯନ୍ତ୍ରଣାକୁ ପାଥେୟ କରି । ଦଣ୍ଡକାରଣ୍ୟରେ ଅବସ୍ଥାନ କାଳରେ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣଙ୍କ ଅନୁପସ୍ଥିତିରେ ଦୁରାଚାରୀ ରାବଣ ମାତା ସୀତାଙ୍କୁ ଏକାକିନୀ ଦେଖି ଅପହରଣ କରିନେଲା । ରାବଣ ଓ ସମସ୍ତ ରାକ୍ଷାସମାନଙ୍କୁ ନିଧନ କରି ସୀତାଙ୍କୁ ଉଦ୍ଧାର ବେଳକୁ ଚଉଦ ବର୍ଷର ବନବାସ ପୂରିଯାଇଥିଲା । ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜସିଂହାସନରେ ଅଭିସିକ୍ତ ହୋଇ ରାଜଧର୍ମ ପାଳନ ଅବସରରେ ପ୍ରଜାକୁଳକୁ ସମ୍ମାନ ଜଣାଇବାକୁ ଯାଇ ଲଙ୍କାରୁ ଉଦ୍ଧାର ସମୟରେ ସୀତା ଅଗ୍ନିପରୀକ୍ଷା ଦେଇଥିଲେ ମଧ୍ୟ ତାଙ୍କୁ ନିର୍ବାସନ ଦଣ୍ଡ ଦେଇଥିଲେ । ଶ୍ରୀରାମଙ୍କ ତାଙ୍କ ଅବତାରରେ ସଂପୂର୍ଣ୍ଣ ମାନବଜୀବନ ଯାପନ କରିଥିଲେ । ରାମନବମୀ ଉପଲକ୍ଷେ ନଅଦିନ ବ୍ୟାପୀ ଭଜନ କୀର୍ତ୍ତନ, ଅଖଣ୍ଡ ପାଠ ଆଦି ଚାଲେ ବିଶେଷ ଭାବରେ ରାମଚରିତ ମାନସ ପାଠ କରାଯାଏ ।
ଉତ୍କଳୀୟ ପରମ୍ପରାରେ ପ୍ରଥମାଷ୍ଟମୀ।
ଉତ୍କଳୀୟ ପରମ୍ପରା ଅନୁସାରେ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପ୍ରଥମାଷ୍ଟମୀ ପର୍ବ ପାଳନ କରାଯାଏ । ଅତୀତରେ କେତେକଙ୍କ ମତରେ ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି । ଏ ଦିନ ବଂଶର ପ୍ରଥମ ଜାତ ସନ୍ତାନ (ପୁଅ ବା ଝିଅ)ଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ I ଉତ୍କଳୀୟ ପରମ୍ପରା ଅନୁସାରେ ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ । ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା’ ମାନେ ତାଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି । ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କହିଥାନ୍ତି I ‘ପଢୁଆଁ’ ଶବ୍ଦଟି ‘ପ୍ରଥମା’ ର ଅପଭ୍ରଂଶ ।
ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ ।ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ I ଅବଶ୍ୟ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଘରର ଜ୍ୟେଷ୍ଠପୁତ୍ର ବା ଜ୍ୟେଷ୍ଠକନ୍ୟାକୁ ନୂଆ ଲୁଗାପଟା ବାପ ମାଆମାନେ ପିନ୍ଧେଇଥାନ୍ତି। ଏହିବିଧିରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଅତିମାତ୍ରାରେ ନିହିତ ରହିଛି । ଜ୍ୟେଷ୍ଠପୁତ୍ର, ପରିବାରରେ ପିତା ସମାନ । ପିତାଙ୍କ ଅନ୍ତେ କିମ୍ବା ପିତାଙ୍କ ଅକର୍ତ୍ତବ୍ୟରେ ଘର ଚଳାଇବା ଓ ଅନ୍ୟ ସନ୍ତାନ (ଭାଇ ଭଉଣୀ) ମାନଙ୍କୁ ପ୍ରତିପୋଷଣ କରିବା ଦାୟିତ୍ୱ ଜ୍ୟେଷ୍ଠ ପୁତ୍ର ଉପରେ ପଡ଼ିଥାଏ ।ତେଣୁ ତାକୁ ସମସ୍ତେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଓ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରଥମ ସନ୍ତାନ ବା ଜ୍ୟେଷ୍ଠ ସନ୍ତାନକୁ ପୂଜା ବନ୍ଦାପନା କରିବାର ବିଧି ଆମ ସମାଜରେ ପ୍ରଚଳିତ ।
ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ I କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ପ୍ରସିଦ୍ଧ ।
ଶ୍ରୀଗଣେଶଙ୍କ ଜନ୍ମ କାହାଣୀ।
ଗଣେଶ ଗଜାନନ ରୂପରେ ହିଁ ସର୍ବତ୍ର ପରିଚିତ। ବିଘ୍ନହନ୍ତା ରୂପରେ ମଧ୍ୟ ତାଙ୍କୁ ପୂଜା କରାଯାଏ। ଆଉମଧ୍ୟ ସେ ଆଦ୍ୟପୂଜିତ ଓ ବିଘ୍ନେଶ। ତା ସହିତ ସେ ହେଉଛନ୍ତି ବୁଦ୍ଧି, ବିଦ୍ୟା ବା ଜ୍ଞାନର ଦେବତା, ବିଦ୍ୟାଦାତା। ସେ ପ୍ରତ୍ୟେକ ପୂଜାର ପ୍ରାରମ୍ଭରେ ପୂଜିତ ହୁଅନ୍ତି ଓ ବିଦ୍ୟାରମ୍ଭରେ ମଧ୍ୟ ତାଙ୍କରି ଆବାହନ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଗଜାନନଙ୍କୁ ନେଇ କ’ଣ ରହିଛି ପୌରାଣିକ ତଥ୍ୟ।
ଶିବ ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ନିଜଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବନ ଦାନ ଦେଲେ। ପାର୍ବତୀ ଏହାଙ୍କୁ ଦ୍ୱାର ଜଗାଇ ଏବଂ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇ ଆଦେଶ ଦେଇ ସ୍ନାନ କରିବାକୁ ଗଲେ । ଠିକ ସେହି ସମୟରେ ମହାଦେବ ଘରକୁ ଫେରି ଭିତରକୁ ପ୍ରବେଶ କରନ୍ତେ, ବାଳକ ଗଣେଶ ଆପଣା ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ । ମହାଦେବ ଯେତେ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ କ୍ରୋଧ ଜର୍ଜରିତ ହୋଇ ଶିର ଚ୍ଛେଦନ କଲେ । ପରେ ପାର୍ବତୀଙ୍କ ନିକଟରୁ ଏହାଙ୍କର ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଅଛି । ମହାଦେବ ମୁଣ୍ଡ ଖୋଜି ନ ପାଇ ଉତ୍ତରଦିଗକୁ ମୁଣ୍ଡକରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ କାଟି ଆଣି ଏହାଙ୍କ ଗଣ୍ଡିରେ ଯୋଡ଼ି ଜୀବନ ଦାନ କଲେ । ଏ ମହାଦେବଙ୍କ ପ୍ରମଥ ଗଣର ସେନାପତି। ପୌରାଣିକ ମତେ ଗଣେଶ ବ୍ୟାସୋକ୍ତ ମହାଭାରତର ଲେଖକ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଣେଶଙ୍କର ସ୍ୱତନ୍ତ୍ର ପୂଜା ହୁଏ ।
ଉତ୍କଳର ବୀର ସନ୍ତାନ ଚାଖୀ ଖୁଣ୍ଟିଆ।
ଚାଖୀ ଖୁଣ୍ଟିଆ, ଏହି ନାଁ ଶୁଣିବା ମାତ୍ରେ ବିଦେଶୀ ଶତ୍ରୁର ଛାତି କମ୍ପମାନ ହୋଇ ଉଠୁଥିଲା। କିଏ ସେହି ଚାଖୀ ଖୁଣ୍ଟିଆ ! ଯିଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ହୋଇ ମଧ୍ୟ ଖଣ୍ଡା ଚାଳନାରେ ଥିଲେ ସିଦ୍ଧହସ୍ତ । ଯାହାଙ୍କ ତରବାରୀକୁ ଗୋରା ସାହେବର ମଧ୍ୟ ଭୟ ଥିଲା। ସେ ଆଉ କେହି ନୁହନ୍ତି ଆମ ଉତ୍କଳ ଜନନୀର ଜଣେ ମହାନ ବୀର, ଚନ୍ଦନ ହଜୁରୀ ଓରଫ୍ ଚାଖୀ ଖୁଣ୍ଟିଆ। ଯେତେବେଳେ ୧୮୫୭ ମସିହାରେ ସିପାହୀ ବିଦ୍ରୋହର ଜ୍ୱଳନ୍ତ ଅଗ୍ନି ସମଗ୍ର ଦେଶକୁ କବଳିତ କରିଥିଲା, ସେତେବେଳେ ଯେଉଁମାନେ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ସେହି ବୀର ନେତାଙ୍କ ମଧ୍ୟରେ ଚାଖୀ ଖୁଣ୍ଟିଆ (ଚନ୍ଦନ ହଜୁରୀ) ଅନ୍ୟତମ ଥିଲେ |
୧୮୨୭ ମସିହାରେ ପୁରୀର ହରଚଣ୍ଡୀ ସାହିରେ “ଶାମ୍ବ ଦଶମି” ଭଳି ଏକ ଶୁଭ ଦିନରେ ପିତା ରଘୁନାଥ ଖୁଣ୍ଟିଆ ଓ ମାତା କମଳାବତୀ ଦେବୀଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ ଚନ୍ଦନ ହଜୁରୀ। ସେ ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ | ଜଣେ କବି, ସାମାଜିକ ସଂସ୍କାରକ ଏବଂ ମହାନ ବିପ୍ଳବୀ ଥିଲେ। ସାହିତ୍ୟ ପ୍ରତି ତାଙ୍କର ବହୁତ ଆଗ୍ରହ ଥିଲା ଏବଂ ସେ ସର୍ବତୋମୁଖୀ ବ୍ୟକ୍ତିତ୍ୱ ଥିଲେ। ଖୁଣ୍ଟିଆଙ୍କର ଶାରୀରିକ ବଳ ଅସାଧାରଣ ଥିଲା । ସେ ନେପାଳୀମାନଙ୍କ ପଣ୍ଡା ଥିଲେ ୧୮୫୭ ମସିହାରେ ଭାରତର ସିପାହୀ ବିଦ୍ରୋହବେଳେ ଉତ୍ତରପଶ୍ଚିମାଞ୍ଚଳର ହିନ୍ଦୁ ନେପାଳୀ ସୈନ୍ୟଙ୍କୁ ଇଂରେଜମାନଙ୍କ ବିପକ୍ଷରେ ଉତ୍ତେଜିତ କରି ଥିଲେ । ହେଲେ ଶେଷକୁ ଧରାପଡ଼ି ଦଣ୍ଡ ଭୋଗିଥିଲେ ।
ରଘୁନାଥ ଖୁଣ୍ଟିଆ ଜଗନ୍ନାଥ ମହାପ୍ରଭୁଙ୍କର ଅଙ୍ଗଲାଗି ସେବକ ଥିଲେ । କିମ୍ବଦନ୍ତୀ ରହିଛି ଯେ ରଘୁନାଥଙ୍କର ବଂଶରକ୍ଷା ପାଇଁ ସନ୍ତାନଟିଏ ନ ଥିବାରୁ ପତ୍ନୀ କମଳାବତୀ ବହୁତ ମାନସିକ ବ୍ରତ କରୁଥିଲେ । ବଡ଼ ଏକାଦଶୀ ଦିନ ରଘୁନାଥ ଜଗନ୍ନାଥଙ୍କର ଚନ୍ଦନ ବେଶରେ ବ୍ୟସ୍ତ ଥିବା ବେଳେ ଖବର ପାଇଲେ ଯେ ତାଙ୍କର ପୁଅଟିଏ ହୋଇଛି ବୋଲି। ସେଥି ଲାଗି ପୁଅଟିର ନାମ ରଖିଲେ ଚନ୍ଦନ। ବୃଦ୍ଧ ବୟସରେ ଚନ୍ଦନ ଏକମାତ୍ର ସନ୍ତାନ ହୋଇଥିବାରୁ ଚନ୍ଦନ ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ଲାଭ କରି ବହୁତ ଦୁଷ୍ଟ ହେଲେ । ଛୁରୀ ପରି ତୀକ୍ଷ୍ଣ ହୋଇଥିବାରୁ ଛୁଆଟିକୁ କିଛି ଲୋକ ଛାଖୁ ବା ଚାଖି ଡାକିଲେ । ପରବର୍ତ୍ତୀ ସମୟରେ ସେ ନାମ ହୋଇଗଲା ଚାଖୀ ବା ଚାଖୀ ଖୁଣ୍ଟିଆ । ଚାଖୀ ଖୁଣ୍ଟିଆଙ୍କ ଯେଉଁ ହାତରେ ତରବାରୀ ଧରି ଯୁଦ୍ଧ କରୁଥିଲେ ସେହି ହାତରେ ଲେଖନୀ ଧରି ଅନେକ ଜଗନ୍ନାଥ ଭଜନ ଓ ଜଣାଣ ମଧ୍ୟ ଲେଖିପାରୁଥିଲେ। ଯାହା ଆଜି ପ୍ରତିଟି ଜଗନ୍ନାଥ ପ୍ରେମୀଙ୍କୁ ଭାବ ସାଗରରେ ଭସାଇଦିଏ। ଏହି ଭଳି ଜଣେ ମହାନ ବୀରଙ୍କୁ ଏ ମାଟି ପାଇ ଧନ୍ୟ ହୋଇଛି। ୭୬ତମ ସ୍ବାଧୀନତା ଦିବସ ଅବସରରେ ଆମ ଓଡ଼ିଆ ବୀରଙ୍କୁ ବୀର କଳିଙ୍ଗ ପରିବାର ତରଫରୁ ମଥାଲୋଟା ପ୍ରଣାମ। ବନ୍ଦେ ଉତ୍କଳ ଜନନୀ।
ଦଶମୂଳ ସେବନ ପରେ ଚକା ବିଜେ କରିବେ ମହାପ୍ରଭୁ।
ଆଜି ଅଣସର ଦଶମୀ ତିଥି ରେ ଶ୍ରୀଜିଉ ମାନଙ୍କୁ ଦଶମୂଳ ମୋଦକ ଲାଗି ହୋଇ ସାରିବା ପରେ ଚକା ବିଜେ ହେବେ ଶ୍ରୀ ମହାପ୍ରଭୁ l ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁସାରେ ଶ୍ରୀଜୀଉ ଙ୍କ ନିମନ୍ତେ ଦଶମୂଳ ମୋଦକ ପ୍ରସ୍ତୁତ ହୋଇଥାଏ l ଏହା ଏକାଦଶୀ ଦିନ ଶ୍ରୀଜୀଉ ଙ୍କ ପାଖେ ସମର୍ପଣ ହୋଇଥାଏ l ଶ୍ରୀମନ୍ଦିର ର ରାଜବୈଦ୍ୟ ସେବକ ମାନେ ପୁରୁଷାନୁକ୍ରମେ ମହାପ୍ରଭୁଙ୍କ ଏହି ସେବା କରିଥାନ୍ତି l ଏହି ମହୌଷଧି ପ୍ରସ୍ତୁତି ନିମନ୍ତେ –
ଶାଳପନ୍ନି , ଗମ୍ଭାରୀ , ଫଣଫଣା , କୃଷ୍ଣ ପନ୍ନି , ଅଗବଥୁ , ବେଲ , ଅଙ୍କରାନ୍ତି , ଗୋଖରା ,ଲବିଂ କୋଳି , ନବାଙ୍କୁରୀ କୁ ପ୍ରଥମେ ଶୁଖା ଯାଇଥାଏ l ପରେ ଏହାକୁ କୁଟା ଯାଇ ଗୁଣ୍ଡ କରାଯାଇଥାଏ l ଏହି ଗୁଣ୍ଡ କୁ ଗାମୁଛାରେ ଛାଣି ନୂତନ କାଠ ଚୁଲିରେ କଡେଇ ବସଯାଇ ଖୁଆ , ଶର୍କରା , ସର , ମହୁ , ଘିଅ , ଭାଙ୍ଗ ଆଦି ପକାଯାଇ ଏହାକୁ ପାଗ କରାଯାଏ l ପାଗ ପରେ ଏହାକୁ କଦଳୀ ପତ୍ର ଉପରେ ରଖି ଥଣ୍ଡା କରାଯାଇଥାଏ l ଥଣ୍ଡା ହେଲା ପରେ ଏହାକୁ ଗୋଲାକାର ମୋଦକ କରି ୩ଟି କୁଡୁଆ ରେ ରଖା ଯାଇଥାଏ l ଏହା ଉପରେ କର୍ପୂର ଦେଇ ତାଳପତ୍ର ଭୋଗେଇରେ ରଖି ଶ୍ରୀମନ୍ଦିର ଗାରଦ ରେ ଦାଖଲ କରାଯାଇଥାଏ l
ନୀଳାଦ୍ରି ମହୋଦୟ ଶାସ୍ତ୍ରରେ ମହାପ୍ରଭୁଙ୍କ ଅଣସର କାଳୀନ ଗୋପନ ସେବା ସଂପର୍କରେ ରହିଥିବା ମାର୍ଗ ଦର୍ଶକ ମୁତାବକ, ବିଶ୍ୱାବସୁ ତଥା ବିଦ୍ୟାପତି ବଂଶଧାରମାନେ ଶ୍ରୀଅଙ୍ଗ ସେବାରେ ଲାଗିବେ l ଏହି ସେବା ପାଇଁ ବିଭିନ୍ନ ପ୍ରକାରର ଚେରମୂଳିରୁ ପ୍ରସ୍ତୁତ ଔଷଧ ପ୍ରସ୍ତୁତ କରାଯାଇଛି l ସେଥିମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବଡଓଡିଆ ମଠରୁ ଆସିଥିବା ଫୁଲୁରି ତେଲ ଓ ଶୁଦ୍ଧସୁଆର ସେବକମାନେ ଯୋଗାଇଥିବା ଓଷୁଅ ବା ଖଳି l
ଆର୍ୟୁବେଦ ଶାସ୍ତ୍ର ଉପରେ କାହିଁକି ଭରସା କରନ୍ତି ମହାପ୍ରଭୁ?
ସ୍ନାନ ପୂର୍ଣ୍ଣମୀ ଦିନ ସର୍ବାଙ୍ଗ ସ୍ନାନ ପରେ ଅସୁସ୍ଥ ହୋଇ ପଡିଥିବା ମହାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ଲାଗି ଦଶମୂଳ ମହୌଷଧି ଲାଗି କରାଯାଏ l ପବିତ୍ର ଏକାଦଶୀ ତିଥି ଅବସରରେ ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ପତି ମହାପାତ୍ର ସେବକ ଏହାକୁ ଲାଗି କରିବେ lଏହି ମହୌଷଧି ଶ୍ରୀ ଅଙ୍ଗରେ ଉପଚାର କରାଯିବା ପରେ ଜ୍ୱରରେ କମ୍ପୁଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ l ଏଥିସହିତ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ନୀତି ମଧ୍ୟ ଅନୁଷ୍ଠିତ ହେବ l ଶ୍ରୀଜୀଉମାନେ ରକ୍ତବସ୍ତ୍ର ପରିଧାନ କରିବେ ଓ ମହାପ୍ରଭୁଙ୍କୁ ତୁଳସୀ ଲାଗି ହେବେ l ସ୍ନାନ ପୂର୍ଣ୍ଣିମୀ ପରଠାରୁ ଅସୁସ୍ଥ ହୋଇପଡିବା ପରେ ମହାପ୍ରଭୁଙ୍କୁ ନୀତିରେ ତୁଳସୀ କିମ୍ୱା ଧଳା ଫୁଲ ବ୍ୟବହାର ହେଉନଥିଲା l
ଦଇତାପତି ସେବକଙ୍କ ଉଦ୍ୟମ କ୍ରମେ ମହାପ୍ରଭୁ କ୍ରମଶଃ ସୁସ୍ଥ ହୋଇ ଉଠନ୍ତି l ପୂର୍ବରୁ ବଡ଼ ଓଡ଼ିଆ ମଠ ଫୁଲୁରି ତେଲ ଯୋଗାଇ ଦିଅନ୍ତି, ଯାହା ମହାପ୍ରଭୁଙ୍କ ଠାରେ ଲାଗି କରାଯାଏ l ସେହିଭଳି ଶୁଦ୍ଧ ସୁଆର ସେବକ ମହାପ୍ରଭୁଙ୍କୁ ଔଷଧ ଯୋଗାଇ ଦିଅନ୍ତି l ଏହି କ୍ରମରେ ମହାପ୍ରଭୁ ଚକାବିଜେ ହେବା ପରେ ସୁସ୍ଥ ହେଉଥିବା ଲକ୍ଷଣ ପ୍ରକାଶ ପାଏ l ଏବଂ ପ୍ରଭୁଙ୍କ କବିରାଜ ତୁରନ୍ତ ଶ୍ରୀମନ୍ଦିରକୁ ଦଶମୂଳ ବା ମୋଦକ ବିଜେ କରାନ୍ତି l
ଆଷାଢ଼ କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରର ଅନବସର ଗୃହରେ ତିନୋଟି ମୁଗୁନି ପଥରର ଚକା ଅଣସର ପିଣ୍ଡିରେ ରଖାଯାଇ ବିଗ୍ରହଙ୍କୁ ଏକ ଚକା ଉପରେ ବିଜେ କରାଯାଏ l ପାରମ୍ପରିକ ରୀତି ମତେ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କୁ ଆରୋଗ୍ୟ ହେବା ନିମନ୍ତେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ମୋଦକ ସେବନ କରିବାକୁ ଦିଆଯାଇଥାଏ l ରାଜବୈଦ୍ୟମାନେ ପ୍ରସ୍ତୁତ କରିଥିବା ଦଶମୂଳ ମୋଦକକୁ ପତି ମହାପାତ୍ର ସେବକ ଠାକୁରମାନଙ୍କୁ ଭୋଗ କରିବା କରିବା ପରେ ଅଣସର ଘରେ ଶୋଇରହିଥିବା ଜୀଉମାନେ ଉଠି ଚକା ଉପରକୁ ବିଜେ କରିଥାନ୍ତି l
ଉପସ୍ଥାପନା: ପଣ୍ଡିତ ସୌମ୍ୟ ରଂଜନ ପଣ୍ଡା