ଗଣେଶ ଗଜାନନ ରୂପରେ ହିଁ ସର୍ବତ୍ର ପରିଚିତ। ବିଘ୍ନହନ୍ତା ରୂପରେ ମଧ୍ୟ ତାଙ୍କୁ ପୂଜା କରାଯାଏ। ଆଉମଧ୍ୟ ସେ ଆଦ୍ୟପୂଜିତ ଓ ବିଘ୍ନେଶ। ତା ସହିତ ସେ ହେଉଛନ୍ତି ବୁଦ୍ଧି, ବିଦ୍ୟା ବା ଜ୍ଞାନର ଦେବତା, ବିଦ୍ୟାଦାତା। ସେ ପ୍ରତ୍ୟେକ ପୂଜାର ପ୍ରାରମ୍ଭରେ ପୂଜିତ ହୁଅନ୍ତି ଓ ବିଦ୍ୟାରମ୍ଭରେ ମଧ୍ୟ ତାଙ୍କରି ଆବାହନ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଗଜାନନଙ୍କୁ ନେଇ କ’ଣ ରହିଛି ପୌରାଣିକ ତଥ୍ୟ।
ଶିବ ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ନିଜଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବନ ଦାନ ଦେଲେ। ପାର୍ବତୀ ଏହାଙ୍କୁ ଦ୍ୱାର ଜଗାଇ ଏବଂ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇ ଆଦେଶ ଦେଇ ସ୍ନାନ କରିବାକୁ ଗଲେ । ଠିକ ସେହି ସମୟରେ ମହାଦେବ ଘରକୁ ଫେରି ଭିତରକୁ ପ୍ରବେଶ କରନ୍ତେ, ବାଳକ ଗଣେଶ ଆପଣା ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ । ମହାଦେବ ଯେତେ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ କ୍ରୋଧ ଜର୍ଜରିତ ହୋଇ ଶିର ଚ୍ଛେଦନ କଲେ । ପରେ ପାର୍ବତୀଙ୍କ ନିକଟରୁ ଏହାଙ୍କର ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଅଛି । ମହାଦେବ ମୁଣ୍ଡ ଖୋଜି ନ ପାଇ ଉତ୍ତରଦିଗକୁ ମୁଣ୍ଡକରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ କାଟି ଆଣି ଏହାଙ୍କ ଗଣ୍ଡିରେ ଯୋଡ଼ି ଜୀବନ ଦାନ କଲେ । ଏ ମହାଦେବଙ୍କ ପ୍ରମଥ ଗଣର ସେନାପତି। ପୌରାଣିକ ମତେ ଗଣେଶ ବ୍ୟାସୋକ୍ତ ମହାଭାରତର ଲେଖକ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଣେଶଙ୍କର ସ୍ୱତନ୍ତ୍ର ପୂଜା ହୁଏ ।