ଖଣ୍ଡପଡାର ଶୈବ ସଂସ୍କୃତି।

ଶିବ ପୁରାଣ ଅନୁଯାୟୀ ଯେ ଶିବ ସେ’ ହିଁ ବିଷ୍ଣୁ।ଉଭୟେ ସତ୍ୟ ଶିବ ସୁନ୍ଦର।ଜଣକୁ ପୂଜା କଲେ ଅନ୍ୟ ଜଣକ ସେ ପୂଜା ଗ୍ରହଣ କରନ୍ତି।ସ୍କନ୍ଦ ପୁରାଣ ଅନୁଯାୟୀ:-

“ଯୋ ରୁଦ୍ରଃ ସୋ ସ୍ବୟଂ ବିଷ୍ଣୁ,ଯୋ ବିଷ୍ଣୁ ସ ମହେଶ୍ୱରଃ,
ଉଭୟୋଃ ଅନ୍ତରଂ ନାସ୍ତି,ପବନାକାଶୟୋଃ ଇବ।”

ଆକାଶ ଏବଂ ବାୟୁର ଭିନ୍ନତା ଯେପରି ଅକଳ୍ପନୀୟ ସେହିପରି ଶିବ ଏବଂ ବିଷ୍ଣୁଙ୍କ ମଧ୍ୟରେ ଭେଦ କଳ୍ପନାତୀତ। ଧର୍ମପ୍ରାଣ ଖଣ୍ଡପଡ଼ାବାସୀ ବୋଧହୁଏ ଏହି ମହାସତ୍ୟ ଠିକ୍ ହୃଦୟଙ୍ଗମ କରି ପାରିଥିଲେ। ତେଣୁ ଏଠାରେ ଜନସାଧାରଣ ବହୁକାଳରୁ ପରମ ବିଷ୍ଣୁ ଭକ୍ତ ଥାଇ ମଧ୍ୟ ପରମ ଶିବ ଭକ୍ତ ଥିଲେ ଏବଂ ଏ ଯାବତ୍ ରହି ଆସିଛନ୍ତି।ଶିବ ମହାଯୋଗେଶ୍ବରଙ୍କ ପ୍ରତୀକ।ସେ ତପେ ବର ଦାନ କରନ୍ତି;କୋପରେ ମଧ୍ୟ ବର ଦିଅନ୍ତି। ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଭକ୍ତକୁ ପ୍ରଥମେ ଶିବ ମନ୍ଦିର ହିଁ ଦେଖାଯାଏ।ଦୁରାରୋଗ୍ୟ ବ୍ୟାଧି ଉପଶମ ପାଇଁ ହେଉ କିମ୍ବା ନିଜର ବ୍ୟକ୍ତିଗତ ଅଭିଷ୍ଟ ସାଧନ ହେଉ କିମ୍ବା ପରିବାରର ମଙ୍ଗଳ କାମନା ହେଉ ଦେବାଧିଦେବଙ୍କ ମନ୍ଦିର ଦୁଆରେ ମୁଣ୍ଡ ପିଟି ଭକ୍ତ ଶରଣ ଯାଏ। ବାଲୁଙ୍କେଶ୍ୱର ଶିବଙ୍କ ବେଢ଼ାରେ ଜିଭ କାଟି ଅଧିଆ ପଡିବା ଅନେକ ଭକ୍ତଙ୍କୁ ପିଲାଦିନେ ଏ ଆଖି ଦେଖିଛି। ସେମାନଙ୍କ ଭିତରୁ କେତେ ତରିଯାଇଛନ୍ତି ତ କେତେ ମରିଯାଇଛନ୍ତି।

ଖଣ୍ଡପଡାର ପ୍ରସିଦ୍ଧ ଶିବ ପୀଠ ମଧ୍ୟରୁ ବ୍ରହ୍ମାଦ୍ରିବିହାରୀ ନୀଳମାଧବ ମନ୍ଦିର ପରିସରରେ ବିରାଜିତ ସିଦ୍ଧେଶ୍ବର ମନ୍ଦିର ଅତି ପୁରାତନ ମନେ ହୁଏ।ଏହା ନୀଳମାଧବଙ୍କ ମନ୍ଦିର ବେଢାର ଦକ୍ଷିଣ ପାର୍ଶ୍ବରେ ଅବସ୍ଥିତ। ଏଠାରେ ଲିଙ୍ଗ ପାତାଳୀ; ଯେତେ ଜଳଶାୟୀ କଲେ ମଧ୍ୟ ଟୋପେ ପାଣି ରହେ ନାହିଁ। ଏହି ମନ୍ଦିର ନୀଳମାଧବ ମନ୍ଦିର ଗଠନ ସମୟରେ ହୋଇଥିବା ଅନୁମାନ କରାଯାଏ।ଏ ପର୍ଯ୍ୟନ୍ତ ନୀଳମାଧବଙ୍କ ମନ୍ଦିର ଗଠନ କାଳ ସଠିକ ଭାବେ ନିର୍ଣ୍ଣୟ କରାଯାଇ ପାରିନାହିଁ। ତଥାପି “ଧାନଚେଙ୍ଗେଡା” ଠାରୁ ପ୍ରାପ୍ତ ତାମ୍ରଲିପି ଭଞ୍ଜବଂଶର ଶୀଳଭଞ୍ଜଙ୍କର ହୋଇ ଥିବାରୁ ଏହି ମନ୍ଦିର ଭଞ୍ଜ ବଂଶର ରାଜାଙ୍କ ଦ୍ବାରା ଗଢା ଯାଇଥିବା ଅନୁମାନ କରାଯାଏ।ବୌଦ୍ଧର ଗନ୍ଧାରାଡି ଶୀଳଭଞ୍ଜଙ୍କର ଦ୍ବିତୀୟ ରାଜଧାନୀ ଥିଲା। ସେଠାରୁ ଅନତି ଦୂରରେ “ଜହ୍ନ ପଙ୍କ” ଅଞ୍ଚଳରେ ମହାନଦୀ କୂଳରେ ଚାରିଶମ୍ଭୂ ମନ୍ଦିର ବିଦ୍ୟମାନ।ତାଭିତରୁ ସିଦ୍ଧେଶ୍ୱର ଏବଂ ନୀଳମାଧବଙ୍କ ଦ୍ବୈତ ମନ୍ଦିର ଠିକ୍ କଣ୍ଟିଲୋର ନୀଳମାଧବଙ୍କ ମନ୍ଦିର ପରି। ଏହି ତଥ୍ୟକୁ ଆଧାର କରି କୁହାଯାଇପାରେ ଯେ ନୀଳମାଧବ ମନ୍ଦିର ଶୀଳଭଞ୍ଜ(ଅଷ୍ଟମ ଶତାବ୍ଦୀ)କିମ୍ବା ତାଙ୍କ ପରବର୍ତ୍ତୀ କୌଣସି ଭଞ୍ଜ ରାଜା କିମ୍ବା ଭଞ୍ଜ ବଂଶ ପରେ ବଉଦରେ ଶାସନ କରୁଥିବା ସୋମବଂଶୀ ରାଜାଙ୍କ ଦ୍ବାରା ନିର୍ମିତ ହୋଇଥିଲା।ଅଷ୍ଟମ ଶତାବ୍ଦୀରୁ ଦଶମ ଶତାବ୍ଦୀ ଭିତରେ ଏହା ନିର୍ମିତ ହୋଇଥିବା ଅନୁମାନ କରାଯାଏ।

ରାମେଶ୍ବର ପୀଠର ଚିତ୍ର ଉପରେ ଦିଆଗଲା।

ଖଣ୍ଡପଡା ଗଡ଼ରେ କୁସୁମୀ ନଦୀ କୂଳରେ ଥିବା ବାଲୁଙ୍କେଶ୍ୱର ମନ୍ଦିର ୩୦୦ ବର୍ଷର ପୁରୁଣା ହେଲେ ମଧ୍ୟ ଏବେ ବି ନୂଆ ଭଳି ଲାଗେ।ଏହି ମନ୍ଦିର ବଘେଲ ବଂଶର ତୃତୀୟ ରାଜା ବାଲୁକେଶ୍ବର ମଙ୍ଗରାଜଙ୍କ ଦ୍ବାରା (୧୭୦୭-୧୭୨୦ ମସିହା) ନିର୍ମିତ ହୋଇଥିଲା। ଏହି ଠାକୁରଙ୍କୁ ଲୋକେ ବଡ଼ ପ୍ରତ୍ୟକ୍ଷ ମାନନ୍ତି ଏବଂ ଏହାଙ୍କ ପାଖରେ ଗୁହାରିଆ ପଡ଼ି ଅଲୌକିକ ଶକ୍ତି ଲାଭ କରିବା ଉଦାହରଣ ଅଛି। ପ୍ରସିଦ୍ଧ ପାଲାକାର ଦାମୋଦର ବାହିନୀପତି (ରାଜା ନଟବରଙ୍କ ସମୟର) ଏଠାରେ ଗୁହାରିଆ ପଡି ଆଶୁକବିତ୍ବ ଲାଭ କରିଥିଲେ। ଏହି ମନ୍ଦିରର ମଣ୍ଡପରେ କାରୁକାର୍ଯ୍ୟରେ ପରିପୂର୍ଣ୍ଣ କାଠର ଅତି ସୁନ୍ଦର ମୂର୍ତ୍ତି ଖଚିତ ହୋଇଥିଲା।ରାଜୁଡା ଶାସନ ଶେଷ ହେବାର କିଛି ବର୍ଷ ଭିତରେ ସେ ସବୁ ଚୋରି ହୋଇଗଲା।

ବର୍ତ୍ତମାନ ରାଜବାଟିର ଅନତି ଦୂରରେ ଯେଉଁ ନୀଳକଣ୍ଠେଶ୍ଵର ଶିବ ମନ୍ଦିର ରହିଛି ତାହା ଦୁଇଶହ ବର୍ଷତଳେ ରାଜା ନୃସିଂହ ଭ୍ରମରବରଙ୍କ ସମୟରେ ନିର୍ମିତ ହୋଇଥିଲା।

ଖଣ୍ଡପଡାର ସବୁ ଶିବପୀଠ ମାନଙ୍କ ମଧ୍ୟରେ ଅଧିକ ଚର୍ଚ୍ଚାରେ ରହିଛି ଖୁଣ୍ଟୁପଡା ଗ୍ରାମରେ ଥିବା ରାମେଶ୍ବର ଶିବଙ୍କ ପୀଠ। ରାମେଶ୍ବର ମହାପ୍ରଭୁଙ୍କ କୃପାରୁ ବିଶ୍ବବନ୍ଦ୍ୟ ଜ୍ୟୋତିର୍ବିଜ୍ଞାନୀ ନକ୍ଷତ୍ର-ପୁରୁଷ, ଉତ୍କଳ-ଭାସ୍କର ସାମନ୍ତ ଚନ୍ଦ୍ରଶେଖର ଧରାପୃଷ୍ଠକୁ ଓହ୍ଲାଇ ଆସି ଥିଲେ ବୋଲି ଏକ ରୋଚକ କିମ୍ବଦନ୍ତୀ ରହିଛି। ପଠାଣି ସାମନ୍ତ ୧୮୩୫ ମସିହା ଡିସେମ୍ବର ମାସ ୧୩ତାରିଖରେ ଜନ୍ମ ଲାଭ କରିଥିଲେ।ତାର ଠିକ୍ ଦଶମାସ ପୂର୍ବରୁ ଏହି ଘଟଣାଟି ରାମେଶ୍ବର ମନ୍ଦିର ପ୍ରାଙ୍ଗଣରେ ଘଟିଥିଲା। ସେଦିନ ଶିବ ଚତୁର୍ଦ୍ଦଶୀ ଯୋଗୁଁ ଖୁଣ୍ଟୁପଡା ଗ୍ରାମର ରାମେଶ୍ବର ଶିବ ମନ୍ଦିର ବେଢ଼ାରେ ଅନେକ ଭକ୍ତଙ୍କର ସମାଗମ ହୋଇଥାଏ। ସେମାନଙ୍କ ଭିତରେ ଶ୍ୟାମବନ୍ଧୁ ସିଂହ ଏବଂ ତାଙ୍କ ଧର୍ମପତ୍ନୀ ବିଷ୍ଣୁମାଳୀ ଦେବୀ ମଧ୍ୟ ଥାଆନ୍ତି।ଆଗରୁ ଗୋଟିଏ ପୁତ୍ର ଏବଂ ଦୁଇଟି କନ୍ୟା ଅକାଳରେ ହରାଇଥିବା ସାମନ୍ତ ଦମ୍ପତି ପୁତ୍ର ଲାଭ ମାନସିକ ନେଇ ଜାଗର ଉପବାସ ପାଳନ କରିବାପାଇଁ ଆସିଥାନ୍ତି। ହଠାତ୍ ରାମେଶ୍ବରଙ୍କ ବୁଢାମାଳୀ ମନ୍ଦିର ଭିତରୁ ଭୟରେ ଥରି ଥରି ବାହାରକୁ ଆସି କହିବାକୁ ଲାଗିଲେ..”ବାବା ହେ,ରକ୍ଷା କର, କ୍ଷମା କର ପ୍ରଭୁ।” ଭକ୍ତମାନେ ଭୟର କାରଣ ପଚାରିବାରୁ ମାଳି କହିଲେ.. ରାମେଶ୍ବରଙ୍କ ଲିଙ୍ଗ ଉପରେ କେତକୀ ପାଖୁଡା ଲାଗି କରିବା ସମୟରେ ତାହା ବାରମ୍ବାର ତଳେ ପଡିଯାଉଥିଲା। ନିରୀକ୍ଷଣ କରି ଦେଖିବାରୁ ଜଣାଗଲା ଯେ ଶିବଲିଙ୍ଗ ଚାରିପାଖରେ ଗୋଟିଏ ନାଗସାପ ଗୁଡେ଼ଇ ହୋଇ ରହିଛି। ଏତେଦିନ ପ୍ରଭୁଙ୍କର ସେବା କରିବା ଭିତରେ ଏଭଳି ଘଟଣା କେବେ ମୋ ଦୃଷ୍ଟି କୁ ଆସିନାହିଁ।”

ଏହା ଶୁଣିବା ପରେ ଉପସ୍ଥିତ ଭକ୍ତ ମାନଙ୍କ ମନରେ ଆବେଗ ସୃଷ୍ଟି ହେବା ସ୍ବଭାବିକ। ସେଦିନ ରାତିରେ ଜାଗର ଜାଳି ଭକ୍ତମାନେ ବେଢ଼ା ଭିତରେ ବସିଥାନ୍ତି।ସାମନ୍ତ ଶ୍ୟାମବନ୍ଧୁ ଏବଂ ବିଷ୍ଣୁମାଳୀ ଦେବୀ ମଧ୍ୟ ଜାଗର ଜାଳି ସେଠାରେ ବସିଥିଲେ। ରାତିର ତୃତୀୟ ପ୍ରହରରେ ଶ୍ୟାମବନ୍ଧୁଙ୍କ ଆଖି ଯେତେବେଳେ ତନ୍ଦ୍ରାଛନ୍ନ ଥିଲା ସେ ଏକ ସ୍ବପ୍ନ ଦେଖିଲେ ଜଣେ ତେଜୋଦୀପ୍ତ ଶୁକ୍ଳାମ୍ବରଧାରୀ ବ୍ରାହ୍ମଣଙ୍କ ପାଖରେ ଜଣେ ଅପୂର୍ବ ସୁନ୍ଦରୀ ନାରୀ ଉପସ୍ଥିତ ହୋଇ ତାଙ୍କ ମସ୍ତକରେ କେତକୀ ପାଖୁଡା ଲାଗି କରିବା ପାଇଁ ଉଦ୍ୟତ ହେଉଛନ୍ତି।ଏହା ଦେଖି ସେ ବ୍ରାହ୍ମଣ କହୁଛନ୍ତି-ଏ କଣ କରୁଛ ପ୍ରିୟେ ! ଚତୁର୍ଦ୍ଦଶୀ ବ୍ୟତୀତ ଅନ୍ୟ କୌଣସି ଦିନରେ ମୁଁ କେତକୀ ପାଖୁଡା ଗ୍ରହଣ କରେନାହିଁ ବୋଲି ତୁମେ କଣ ଜାଣିନାହିଁ ?

ଆଶ୍ଚର୍ଯ୍ୟ ହୋଇ ସେ ଅପୂର୍ବ ନାରୀ କହିଲେ.. କିନ୍ତୁ ମୋର ଭୁଲ୍ କେଉଁଠି ରହିଲା ପ୍ରଭୁ ! ଆଜି ପରା ଜାଗର ଚତୁର୍ଦ୍ଦଶୀ ! ଏହା ଶୁଣି ବ୍ରାହ୍ମଣ କହିଲେ.. ନାଁ ଦେବୀ , ସ୍ଥୂଳ ଗଣନା ଅନୁଯାୟୀ ଆଜି ଭକ୍ତମାନେ ଜାଗର ପାଳନ କରୁଛନ୍ତି। ପ୍ରକୃତରେ ଜାଗର ଆଜି ନୁହେଁ।ବିଶ୍ବବ୍ରହ୍ମାଣ୍ଡ ଏକ ଐଶ୍ୱରୀୟ ନିୟମ ଅନୁସାରେ ପରିଚାଳିତ। ସେଥିରେ ବ୍ୟତୀକ୍ରମ ହେଲେ ଈଶ୍ବର ମଧ୍ୟ ଋଷ୍ଟ ହୁଅନ୍ତି ଏବଂ ସମାଜର ଅମଙ୍ଗଳ ହୁଏ। ଖୁବ୍ ଶୀଘ୍ର ମୋର କଳା ନେଇ ଜଣେ ମହାପୁରୁଷ ଏଇ ମାଟିରେ ଜନ୍ମନେବ ଏବଂ ସୂକ୍ଷ୍ମ ଗଣନା କରି ଠିକ୍ ଭାବରେ ଦିନ ଦଣ୍ଡ ଲିତା ଏବଂ ତିଥି ନିର୍ଣ୍ଣୟ କରିବ।” ଶ୍ୟାମବନ୍ଧୁଙ୍କର ତନ୍ଦ୍ରା ଭାଙ୍ଗିଗଲା। ଠିକ୍ ସେହି ସମୟରେ ତନ୍ଦ୍ରାଛନ୍ନ ଅବସ୍ଥାରେ ତାଙ୍କ ପତ୍ନୀ ବିଷ୍ଣୁମାଳୀ ଦେବୀ ସ୍ବପ୍ନରେ ଦେଖିଲେ ଜଣେ ସୁନ୍ଦରୀ ନାରୀ ତାଙ୍କ ଆଗରେ ଉଭା ହୋଇ କହୁଛନ୍ତି…ଦେବୀ ! ପ୍ରଭୁ ତୁମ ଗୁହାରି ଶୁଣିଛନ୍ତି। ଅତି ଶୀଘ୍ର ତୁମେ ଏକ ଧୀମାନ ପୁତ୍ରର ଜନନୀ ହେବ।କାଲି ସକାଳେ ଶିବ ଦର୍ଶନ ସମୟରେ ଲିଙ୍ଗ ପାଖରେ ଅଣ୍ଡାଳି ଯାହା ପାଇବ ତାହା ନିର୍ବିକାର ମନରେ ଉଦରସ୍ଥ କରିବ। ବିଷ୍ଣୁମାଳୀ ଦେବୀ ତାହାହିଁ କଲେ। ଲିଙ୍ଗ ଚାରିପାଖ ଦରାଣ୍ଡି ଗୋଟିଏ କ୍ଷୁଦ୍ର କୃଷ୍ଣ ଶିଳା ପାଇ ତାହା ଉଦରସ୍ଥ କଲେ। ପରଦିନ ଘରକୁ ଫେରିବା ସମୟରେ ସ୍ବପ୍ନାଦେଶ କଥା ଆଲୋଚନା କରି ଦୁହେଁ ଆଶ୍ଚର୍ଯ୍ୟ ହେଲେ।

କିଛି ଦିନ ପରେ ବିଷ୍ଣୁମାଳୀ ଦେବୀଙ୍କର ଗର୍ଭ ଲକ୍ଷଣ ଦେଖାଗଲା।ଯଥା ସମୟରେ ୧୮୩୫ ମସିହା ଡିସେମ୍ବର ୧୩ ତାରିଖରେ ବିଷ୍ଣୁମାଳୀ ଏବଂ ଶ୍ୟାମବନ୍ଧୁଙ୍କ କୋଳ ଗୋଟିଏ ପୁତ୍ର ସନ୍ତାନ ମଣ୍ଡନ କଲେ।ପ୍ରଭୁ ଶିବ ବା ଚନ୍ଦ୍ରଶେଖରଙ୍କ କୃପାରୁ ପୁତ୍ରଲାଭ ହୋଇଥିବାରୁ ତାଙ୍କ ନାମ ରଖାଗଲା ଚନ୍ଦ୍ର ଶେଖର। ଜ୍ୟୋତିର୍ବିଜ୍ଞାନରେ ଅଲୌକିକ ସାଧନା ଯୋଗୁଁ ଦିନେ ଏହି ମହାପୁରୁଷ ଆମ ଓଡିଆଙ୍କ ପରିଚୟ ଭାବେ ବିଶ୍ବଦରବାରରେ ବନ୍ଦିତ ହୋଇଥିଲେ।

ଆଲେଖ୍ୟ – କୁଳମଣି ଷଡଙ୍ଗୀ
ସାଇ ବିହାର ପଟିଆ କଲେଜ୍ ରୋଡ଼,
ଭୁବନେଶ୍ଵର ୭୫୧୦୨୪
ମୋ: ୭୦୦୮୯୯୪୦୭୧