ଆଜି ଅଣସର ଦଶମୀ ତିଥି ରେ ଶ୍ରୀଜିଉ ମାନଙ୍କୁ ଦଶମୂଳ ମୋଦକ ଲାଗି ହୋଇ ସାରିବା ପରେ ଚକା ବିଜେ ହେବେ ଶ୍ରୀ ମହାପ୍ରଭୁ l ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁସାରେ ଶ୍ରୀଜୀଉ ଙ୍କ ନିମନ୍ତେ ଦଶମୂଳ ମୋଦକ ପ୍ରସ୍ତୁତ ହୋଇଥାଏ l ଏହା ଏକାଦଶୀ ଦିନ ଶ୍ରୀଜୀଉ ଙ୍କ ପାଖେ ସମର୍ପଣ ହୋଇଥାଏ l ଶ୍ରୀମନ୍ଦିର ର ରାଜବୈଦ୍ୟ ସେବକ ମାନେ ପୁରୁଷାନୁକ୍ରମେ ମହାପ୍ରଭୁଙ୍କ ଏହି ସେବା କରିଥାନ୍ତି l ଏହି ମହୌଷଧି ପ୍ରସ୍ତୁତି ନିମନ୍ତେ –
ଶାଳପନ୍ନି , ଗମ୍ଭାରୀ , ଫଣଫଣା , କୃଷ୍ଣ ପନ୍ନି , ଅଗବଥୁ , ବେଲ , ଅଙ୍କରାନ୍ତି , ଗୋଖରା ,ଲବିଂ କୋଳି , ନବାଙ୍କୁରୀ କୁ ପ୍ରଥମେ ଶୁଖା ଯାଇଥାଏ l ପରେ ଏହାକୁ କୁଟା ଯାଇ ଗୁଣ୍ଡ କରାଯାଇଥାଏ l ଏହି ଗୁଣ୍ଡ କୁ ଗାମୁଛାରେ ଛାଣି ନୂତନ କାଠ ଚୁଲିରେ କଡେଇ ବସଯାଇ ଖୁଆ , ଶର୍କରା , ସର , ମହୁ , ଘିଅ , ଭାଙ୍ଗ ଆଦି ପକାଯାଇ ଏହାକୁ ପାଗ କରାଯାଏ l ପାଗ ପରେ ଏହାକୁ କଦଳୀ ପତ୍ର ଉପରେ ରଖି ଥଣ୍ଡା କରାଯାଇଥାଏ l ଥଣ୍ଡା ହେଲା ପରେ ଏହାକୁ ଗୋଲାକାର ମୋଦକ କରି ୩ଟି କୁଡୁଆ ରେ ରଖା ଯାଇଥାଏ l ଏହା ଉପରେ କର୍ପୂର ଦେଇ ତାଳପତ୍ର ଭୋଗେଇରେ ରଖି ଶ୍ରୀମନ୍ଦିର ଗାରଦ ରେ ଦାଖଲ କରାଯାଇଥାଏ l
ନୀଳାଦ୍ରି ମହୋଦୟ ଶାସ୍ତ୍ରରେ ମହାପ୍ରଭୁଙ୍କ ଅଣସର କାଳୀନ ଗୋପନ ସେବା ସଂପର୍କରେ ରହିଥିବା ମାର୍ଗ ଦର୍ଶକ ମୁତାବକ, ବିଶ୍ୱାବସୁ ତଥା ବିଦ୍ୟାପତି ବଂଶଧାରମାନେ ଶ୍ରୀଅଙ୍ଗ ସେବାରେ ଲାଗିବେ l ଏହି ସେବା ପାଇଁ ବିଭିନ୍ନ ପ୍ରକାରର ଚେରମୂଳିରୁ ପ୍ରସ୍ତୁତ ଔଷଧ ପ୍ରସ୍ତୁତ କରାଯାଇଛି l ସେଥିମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବଡଓଡିଆ ମଠରୁ ଆସିଥିବା ଫୁଲୁରି ତେଲ ଓ ଶୁଦ୍ଧସୁଆର ସେବକମାନେ ଯୋଗାଇଥିବା ଓଷୁଅ ବା ଖଳି l
ଆର୍ୟୁବେଦ ଶାସ୍ତ୍ର ଉପରେ କାହିଁକି ଭରସା କରନ୍ତି ମହାପ୍ରଭୁ?
ସ୍ନାନ ପୂର୍ଣ୍ଣମୀ ଦିନ ସର୍ବାଙ୍ଗ ସ୍ନାନ ପରେ ଅସୁସ୍ଥ ହୋଇ ପଡିଥିବା ମହାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ଲାଗି ଦଶମୂଳ ମହୌଷଧି ଲାଗି କରାଯାଏ l ପବିତ୍ର ଏକାଦଶୀ ତିଥି ଅବସରରେ ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ପତି ମହାପାତ୍ର ସେବକ ଏହାକୁ ଲାଗି କରିବେ lଏହି ମହୌଷଧି ଶ୍ରୀ ଅଙ୍ଗରେ ଉପଚାର କରାଯିବା ପରେ ଜ୍ୱରରେ କମ୍ପୁଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ l ଏଥିସହିତ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ନୀତି ମଧ୍ୟ ଅନୁଷ୍ଠିତ ହେବ l ଶ୍ରୀଜୀଉମାନେ ରକ୍ତବସ୍ତ୍ର ପରିଧାନ କରିବେ ଓ ମହାପ୍ରଭୁଙ୍କୁ ତୁଳସୀ ଲାଗି ହେବେ l ସ୍ନାନ ପୂର୍ଣ୍ଣିମୀ ପରଠାରୁ ଅସୁସ୍ଥ ହୋଇପଡିବା ପରେ ମହାପ୍ରଭୁଙ୍କୁ ନୀତିରେ ତୁଳସୀ କିମ୍ୱା ଧଳା ଫୁଲ ବ୍ୟବହାର ହେଉନଥିଲା l
ଦଇତାପତି ସେବକଙ୍କ ଉଦ୍ୟମ କ୍ରମେ ମହାପ୍ରଭୁ କ୍ରମଶଃ ସୁସ୍ଥ ହୋଇ ଉଠନ୍ତି l ପୂର୍ବରୁ ବଡ଼ ଓଡ଼ିଆ ମଠ ଫୁଲୁରି ତେଲ ଯୋଗାଇ ଦିଅନ୍ତି, ଯାହା ମହାପ୍ରଭୁଙ୍କ ଠାରେ ଲାଗି କରାଯାଏ l ସେହିଭଳି ଶୁଦ୍ଧ ସୁଆର ସେବକ ମହାପ୍ରଭୁଙ୍କୁ ଔଷଧ ଯୋଗାଇ ଦିଅନ୍ତି l ଏହି କ୍ରମରେ ମହାପ୍ରଭୁ ଚକାବିଜେ ହେବା ପରେ ସୁସ୍ଥ ହେଉଥିବା ଲକ୍ଷଣ ପ୍ରକାଶ ପାଏ l ଏବଂ ପ୍ରଭୁଙ୍କ କବିରାଜ ତୁରନ୍ତ ଶ୍ରୀମନ୍ଦିରକୁ ଦଶମୂଳ ବା ମୋଦକ ବିଜେ କରାନ୍ତି l
ଆଷାଢ଼ କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରର ଅନବସର ଗୃହରେ ତିନୋଟି ମୁଗୁନି ପଥରର ଚକା ଅଣସର ପିଣ୍ଡିରେ ରଖାଯାଇ ବିଗ୍ରହଙ୍କୁ ଏକ ଚକା ଉପରେ ବିଜେ କରାଯାଏ l ପାରମ୍ପରିକ ରୀତି ମତେ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କୁ ଆରୋଗ୍ୟ ହେବା ନିମନ୍ତେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ମୋଦକ ସେବନ କରିବାକୁ ଦିଆଯାଇଥାଏ l ରାଜବୈଦ୍ୟମାନେ ପ୍ରସ୍ତୁତ କରିଥିବା ଦଶମୂଳ ମୋଦକକୁ ପତି ମହାପାତ୍ର ସେବକ ଠାକୁରମାନଙ୍କୁ ଭୋଗ କରିବା କରିବା ପରେ ଅଣସର ଘରେ ଶୋଇରହିଥିବା ଜୀଉମାନେ ଉଠି ଚକା ଉପରକୁ ବିଜେ କରିଥାନ୍ତି l
ଉପସ୍ଥାପନା: ପଣ୍ଡିତ ସୌମ୍ୟ ରଂଜନ ପଣ୍ଡା