ବାଲିରୁ ଜାତ ବାଲୁଙ୍କେଶ୍ୱର।

ଦେବ ଦେବ ମହାଦେବ ବାଲୁଙ୍କେଶ୍ୱର ନାମରେ ବିଜେ କରିଛନ୍ତି ଖୋର୍ଦ୍ଧା ନିକଟସ୍ଥ ତମାଣ୍ଡୋ ଗ୍ରାମରେ। ଆସନ୍ତୁ ମହାଶିବରାତ୍ରି ଅବସରରେ ସେହି ବାବା ବାଲୁଙ୍କେଶ୍ଵର ଙ୍କ ବିଷୟରେ ଜାଣିବା। ମହାପ୍ରଭୁ ହେଉଛନ୍ତି ସ୍ଵୟମ୍ଭୁ ପାତାଳ ଫୁଟା ଶିବ ଲିଙ୍ଗ। ବର୍ଷସାରା ସେ କ୍ଷୀର ପାଣି ଇତ୍ୟାଦିରେ ଭରି ରୁହନ୍ତି ଓ ମୂଳ ଲିଙ୍ଗଙ୍କ ଦର୍ଶନ କେବେ ମିଳି ପାରେନା। ଅତି ପ୍ରତ୍ୟକ୍ଷ ମହାଦେବ ଅଟନ୍ତି ବାଲୁଙ୍କେଶ୍ବରେ। ବାଲିରୁ ବାହାରିଥିବା ହେତୁ ତାଙ୍କ ନାମ ବାଲୁଙ୍କେଶ୍ୱର ପଡ଼ିଛି ବୋଲି ଶୁଣିବାକୁ ମିଳେ।

ଇତିହାସ କୁହେ,ସେତେବେଳେ ଏହି ଗ୍ରାମରେ ଜଣେ ବୟସ୍କ ଶିବ ଭକ୍ତ ଥିଲେ। ଯେ କି ଶିବ ଦର୍ଶନ ପୂର୍ବରୁ ଅନ୍ନ ଜଳ ସ୍ପର୍ଶ କରନ୍ତି ନାହିଁ। ସେତେବେଳେ ବାଲୁଙ୍କେଶ୍ୱର ମହାଦେବଙ୍କ ଆବିର୍ଭାବ ହୋଇ ନଥିଲା, ପାଖ ଗ୍ରାମ ମଦନପୁରରେ ନୀଳକଣ୍ଠେଶ୍ଵର ମହାଦେବ ନାମରେ ଶିବାଳୟ ଥିଲା। ଯେଉଁଠି କି ଏ ବୃଦ୍ଧ ଶିବ ଭକ୍ତ ଜଣକ ନିତ୍ୟ ଦର୍ଶନ ଓ ଅର୍ଚ୍ଚନା ପାଇଁ ଯାଆନ୍ତି। ଚତୁର୍ମସିୟା ସମୟ ଜୋର(ଏକ ନାଳ ଭଳି) ରେ ପାଣି ବଢ଼ି ବନ୍ୟାର ସମୟ ଦେଖାଦେଲା, ସେବେ ରାସ୍ତାଘାଟର ସୁବିଧା ଭଲ ନଥିବାରୁ ବୃଦ୍ଧ ଜଣକ ବିଲ ହିଡ ପାରି କରି ଦର୍ଶନ ନିମନ୍ତେ ଯାଆନ୍ତି। କିନ୍ତୁ ବନ୍ୟା ହେତୁ ନାଳ ପୋଖରୀ ରାସ୍ତା ଯେମିତି ସମାନ ଯାହା ଫଳରେ ସେ ଯିବାକୁ ସକ୍ଷମ ହେଲେ ନାହିଁ। ଅତି‌ ବିକଳରେ ସେ ମହାପ୍ରଭୁଙ୍କୁ ସ୍ମରଣ କଲେ ଓ କହିଲେ ହେ ପ୍ରଭୁ ତୁମ ଦର୍ଶନ ନକଲେ ମୋ ଜୀବନ ତୁଚ୍ଛ ହୋଇଯିବ। ଯେଉଁ ବ୍ୟକ୍ତି ନିତ୍ୟ ଶିବାଳୟରେ ମହାପ୍ରଭୁଙ୍କ ଦର୍ଶନ ନକଲେ ଅନ୍ନ ଜଳ ସ୍ପର୍ଶ କରନ୍ତି ନାହିଁ ସେ ଅବା କେମିତି ନିଜ ଇଷ୍ଟଙ୍କ ଦର୍ଶନରୁ ବଞ୍ଚିତ ରହିବେ। ଏମିତି ହେଇ ଦୁଇ ଦିନ ଗଲା କିନ୍ତୁ ବନ୍ୟା ପାଣି କମିଲାନି, ଶିବ ଭକ୍ତ ଜଣଙ୍କ ବୃଦ୍ଧ ଥିବା ହେତୁ ଦେହ କ୍ଷୀଣ ଓ ଅସୁସ୍ଥ ହେବାକୁ ଲାଗିଲା। ଅନ୍ତର ମଧ୍ୟରେ ନିଜ ଇଷ୍ଟ ମହାଦେବଙ୍କୁ କାକୁତି ମିନତି କରି ତାଙ୍କ ଦର୍ଶନ ନିମନ୍ତେ ଆକୁଳ ନିବେଦନ କରୁଥାନ୍ତି।

ଶ୍ରୀ ସଦାଶିବ ଶଙ୍କର ତ ଅନ୍ତର୍ଯ୍ୟାମୀ ତାଙ୍କୁ ଅବା କ’ଣ ଅଛପା। ଭକ୍ତର ଗୁହାରି ଶୁଣିକି ଠାକୁରେ ଆଉ ରହି ନପାରି ତୃତୀୟ ଦିନ ରାତ୍ରରେ ତାଙ୍କୁ ସ୍ଵପ୍ନରେ ଦର୍ଶନ ଦେଇ କହିଲେ ଯେ, ତୁମରି ଘର ପାଖେ ଯେଉଁ ବିଶାଳ ବଟବୃକ୍ଷ ଅଛି ସେହି ବଟବୃକ୍ଷ ପାଖରେ ବାଲି ଭିତରେ ମୁଁ ବିଜେ କରିଛି, ଆଜି ଠୁ ତୁମକୁ ଆଉ କୁଆଡ଼େ ଯିବାକୁ ପଡ଼ିବ ନାହିଁ। ତୁମେ ନିତ୍ୟ ମୋର ଦର୍ଶନ ଏହିଠାରେ କରିବ। ଏହା କହି ମହାପ୍ରଭୁ ଅନ୍ତର୍ଧ୍ୟାନ ହୋଇଗଲେ। ଶିବ ଭକ୍ତ ଜଣଙ୍କର ନିଦ୍ରା ଭଙ୍ଗ ହେଲା ଓ ସାହି ପଡ଼ିଶା ଲୋକଙ୍କୁ ଡାକି ଗଲେ ଶମ୍ଭୁଙ୍କ ଲିଙ୍ଗ ସନ୍ଧାନ ଉଦ୍ଧେଶ୍ୟେ। ସତକୁ ସତ ବଟବୃକ୍ଷ ପାଖରେ ବାଲିର ଭିତରକୁ ବହୁତ ତଳେ ଖୋଳିବା ପରେ ମହାପ୍ରଭୁଙ୍କ ଲିଙ୍ଗ ଦୃଶ୍ୟମାନ ହେଲା। ବୃଦ୍ଧ ଶିବ ଭକ୍ତଙ୍କ ମନ ଉଲ୍ଲାସରେ ଭରିଗଲା ନିଜକୁ ଆହୋଭାଗ୍ୟବାନ ମନେ କଲେ ସେ। ସେହି ଦିନ ଠୁ ଶ୍ରୀ ବାଲୁଙ୍କେଶ୍ବର ମହାରୁଦ୍ର ସେହି ସ୍ଥାନରେ ବିଦ୍ୟମାନ ହୋଇ ତାଙ୍କ ନିତ୍ୟଲୀଳା ପ୍ରକାଶ କରୁଛନ୍ତି।

ମହାପ୍ରଭୁ ଶ୍ରୀ ବାଲୁଙ୍କେଶ୍ବର ସେହି ସ୍ଥାନରେ ବିଜେ ହେଲା ପରେ ନିଜ ପ୍ରାଣ ପ୍ରିୟ ବନ୍ଧୁ ଶ୍ରୀ ବସୁଦେବଙ୍କୁ ନିବେଦନ କଲେ ତାଙ୍କ ଏହି ପୁଣ୍ୟ ସ୍ଥାନ ରେ ବିଜେ କରିବା ନିମନ୍ତେ ଯାହା ଫଳରେ ଶ୍ରୀ ବସୁଦେବ ସଦା ଶିବଙ୍କ ସମେତ ଯୁଗଳ କେଶରୀ ନାମରେ ସେହି ପୀଠରେ ବିଜେ କଲେ। କ୍ରମେ ଠାକୁରଙ୍କର ମହିମା ବିଖ୍ୟାତ ହେଲା ଓ ସେତେବେଳର ଜମିଦାରଙ୍କ ସାହାଯ୍ୟରେ ମହାପ୍ରଭୁଙ୍କର ଦେଉଳ ନିର୍ମାଣ ସହ ମନ୍ଦିର ପ୍ରତିଷ୍ଠା, ପାର୍ଶ୍ଵ ଦେବତା ଓ ଯୁଗଳ କେଶରୀଙ୍କ ଦେଉଳ ଓ ଯୁଗଳ କେଶରୀଙ୍କ ପ୍ରତିଷ୍ଠା କରାଗଲା। ଏ ତ ଥିଲା ମହାପ୍ରଭୁଙ୍କ ଆବିର୍ଭାବର ଇତିହାସ। ମୂଳ ଲିଙ୍ଗ ବହୁତ ତଳେ ଥିବାରୁ ସେ ଦୃଶ୍ୟମାନ ହୁଅନ୍ତି ନାହିଁ। କେବଳ ଶକ୍ତିଙ୍କୁ ହିଁ ଦର୍ଶନ କରିହୁଏ। ଏଠି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର ସବୁ ଯାତ୍ରାରେ ଏକା ବିଜେ କରନ୍ତି। ଏଠି ମାତା ପାର୍ବତୀଙ୍କ ବିଗ୍ରହ ଠାକୁରଙ୍କ ସହ ରହି ନାହାଁନ୍ତି। ମୂଳଲିଙ୍ଗ ମନ୍ଦିରରେ ପୂଜା ପାଉଥିବା ବେଳେ ଚଳନ୍ତି ଦିଅଁ ପୂଜକଙ୍କ ଘରେ ପୂଜା ପାଆନ୍ତି।

ପର୍ବପର୍ବାଣୀ:- ବର୍ଷ ତମାମ ଠାକୁରଙ୍କ ଅନେକ ପର୍ବ ପାଳନ ହୁଏ। ସେଥି ମଧ୍ୟରୁ ମୁଖ୍ୟ ପର୍ବ ରୂପେ ଜାଗର, ଦୋଳ ଯାତ୍ରା ଯେଉଁ ଯାତ୍ରାକୁ ୩୦ରୁ ଅଧିକ ସ୍ଥାନର ଦେବତା ଦୋଳ ବିମାନରେ ବସି ମହାପ୍ରଭୁଙ୍କ ଶ୍ରୀ ବାଲୁଙ୍କେଶ୍ୱରଙ୍କ ନିକଟକୁ ବିଜେ କରନ୍ତି, କାର୍ତ୍ତିକ ପୂର୍ଣ୍ଣିମା, ଶ୍ରାବଣ ଓ କାର୍ତ୍ତିକ ମାସର ପ୍ରତି ସୋମବାର ଏବଂ ବୈଶାଖ ମାସରେ ବିଶ୍ଵ ଶାନ୍ତି ମହାଯଜ୍ଞ।

ନିତ୍ୟ ନିତି କାନ୍ତି – ସକାଳୁ ପହଡ଼ ଫିଟିବା ପରେ ମଙ୍ଗଳ ଆଳତି, ତତ୍ ପରେ ଅବକାଶ ଓ ସ୍ନାନ ମଜେନା, ମଜେନା ଅନ୍ତେ ବେଶ ଓ ଗୋପାଳ ବଲ୍ଲଭ ଭୋଗ ଆଳତି, ତତ୍ ପରେ ସାହାଣ ମେଳା ଦର୍ଶନ, ଦ୍ବିପ୍ରହରେ ନିତି ଧୂପ (ଠାକୁର ଏଠି ଦିବା ପହୁଡ଼ ହୁଅନ୍ତିନି), ଏହା ପରେ ସନ୍ଧ୍ୟାରେ ଦହି ପଖାଳ ଭୋଗ ସହ ସନ୍ଧ୍ୟା ଧୂପ ଓ ଆଳତି ଦର୍ଶନ, ପୁନଶ୍ଚ କିଛି ସମୟ ନିମନ୍ତେ ସାହାଣ ମେଳା ଚାଲେ ଓ ଶେଷରେ ପହୁଡ଼ ପଡ଼େ।

ଆଲେଖ୍ୟ – ପ୍ରିଆଂଶୁ ପାତ୍ର
ନାରଗୋଦ, ତମାଣ୍ଡୋ ,
ଜିଲ୍ଲା ଖୋ୍ର୍ଦ୍ଧା, ଭୁବନେଶ୍ୱର

Share if you Care