ଚାଖୀ ଖୁଣ୍ଟିଆ, ଏହି ନାଁ ଶୁଣିବା ମାତ୍ରେ ବିଦେଶୀ ଶତ୍ରୁର ଛାତି କମ୍ପମାନ ହୋଇ ଉଠୁଥିଲା। କିଏ ସେହି ଚାଖୀ ଖୁଣ୍ଟିଆ ! ଯିଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ହୋଇ ମଧ୍ୟ ଖଣ୍ଡା ଚାଳନାରେ ଥିଲେ ସିଦ୍ଧହସ୍ତ । ଯାହାଙ୍କ ତରବାରୀକୁ ଗୋରା ସାହେବର ମଧ୍ୟ ଭୟ ଥିଲା। ସେ ଆଉ କେହି ନୁହନ୍ତି ଆମ ଉତ୍କଳ ଜନନୀର ଜଣେ ମହାନ ବୀର, ଚନ୍ଦନ ହଜୁରୀ ଓରଫ୍ ଚାଖୀ ଖୁଣ୍ଟିଆ। ଯେତେବେଳେ ୧୮୫୭ ମସିହାରେ ସିପାହୀ ବିଦ୍ରୋହର ଜ୍ୱଳନ୍ତ ଅଗ୍ନି ସମଗ୍ର ଦେଶକୁ କବଳିତ କରିଥିଲା, ସେତେବେଳେ ଯେଉଁମାନେ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ସେହି ବୀର ନେତାଙ୍କ ମଧ୍ୟରେ ଚାଖୀ ଖୁଣ୍ଟିଆ (ଚନ୍ଦନ ହଜୁରୀ) ଅନ୍ୟତମ ଥିଲେ |
୧୮୨୭ ମସିହାରେ ପୁରୀର ହରଚଣ୍ଡୀ ସାହିରେ “ଶାମ୍ବ ଦଶମି” ଭଳି ଏକ ଶୁଭ ଦିନରେ ପିତା ରଘୁନାଥ ଖୁଣ୍ଟିଆ ଓ ମାତା କମଳାବତୀ ଦେବୀଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ ଚନ୍ଦନ ହଜୁରୀ। ସେ ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ | ଜଣେ କବି, ସାମାଜିକ ସଂସ୍କାରକ ଏବଂ ମହାନ ବିପ୍ଳବୀ ଥିଲେ। ସାହିତ୍ୟ ପ୍ରତି ତାଙ୍କର ବହୁତ ଆଗ୍ରହ ଥିଲା ଏବଂ ସେ ସର୍ବତୋମୁଖୀ ବ୍ୟକ୍ତିତ୍ୱ ଥିଲେ। ଖୁଣ୍ଟିଆଙ୍କର ଶାରୀରିକ ବଳ ଅସାଧାରଣ ଥିଲା । ସେ ନେପାଳୀମାନଙ୍କ ପଣ୍ଡା ଥିଲେ ୧୮୫୭ ମସିହାରେ ଭାରତର ସିପାହୀ ବିଦ୍ରୋହବେଳେ ଉତ୍ତରପଶ୍ଚିମାଞ୍ଚଳର ହିନ୍ଦୁ ନେପାଳୀ ସୈନ୍ୟଙ୍କୁ ଇଂରେଜମାନଙ୍କ ବିପକ୍ଷରେ ଉତ୍ତେଜିତ କରି ଥିଲେ । ହେଲେ ଶେଷକୁ ଧରାପଡ଼ି ଦଣ୍ଡ ଭୋଗିଥିଲେ ।
ରଘୁନାଥ ଖୁଣ୍ଟିଆ ଜଗନ୍ନାଥ ମହାପ୍ରଭୁଙ୍କର ଅଙ୍ଗଲାଗି ସେବକ ଥିଲେ । କିମ୍ବଦନ୍ତୀ ରହିଛି ଯେ ରଘୁନାଥଙ୍କର ବଂଶରକ୍ଷା ପାଇଁ ସନ୍ତାନଟିଏ ନ ଥିବାରୁ ପତ୍ନୀ କମଳାବତୀ ବହୁତ ମାନସିକ ବ୍ରତ କରୁଥିଲେ । ବଡ଼ ଏକାଦଶୀ ଦିନ ରଘୁନାଥ ଜଗନ୍ନାଥଙ୍କର ଚନ୍ଦନ ବେଶରେ ବ୍ୟସ୍ତ ଥିବା ବେଳେ ଖବର ପାଇଲେ ଯେ ତାଙ୍କର ପୁଅଟିଏ ହୋଇଛି ବୋଲି। ସେଥି ଲାଗି ପୁଅଟିର ନାମ ରଖିଲେ ଚନ୍ଦନ। ବୃଦ୍ଧ ବୟସରେ ଚନ୍ଦନ ଏକମାତ୍ର ସନ୍ତାନ ହୋଇଥିବାରୁ ଚନ୍ଦନ ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ଲାଭ କରି ବହୁତ ଦୁଷ୍ଟ ହେଲେ । ଛୁରୀ ପରି ତୀକ୍ଷ୍ଣ ହୋଇଥିବାରୁ ଛୁଆଟିକୁ କିଛି ଲୋକ ଛାଖୁ ବା ଚାଖି ଡାକିଲେ । ପରବର୍ତ୍ତୀ ସମୟରେ ସେ ନାମ ହୋଇଗଲା ଚାଖୀ ବା ଚାଖୀ ଖୁଣ୍ଟିଆ । ଚାଖୀ ଖୁଣ୍ଟିଆଙ୍କ ଯେଉଁ ହାତରେ ତରବାରୀ ଧରି ଯୁଦ୍ଧ କରୁଥିଲେ ସେହି ହାତରେ ଲେଖନୀ ଧରି ଅନେକ ଜଗନ୍ନାଥ ଭଜନ ଓ ଜଣାଣ ମଧ୍ୟ ଲେଖିପାରୁଥିଲେ। ଯାହା ଆଜି ପ୍ରତିଟି ଜଗନ୍ନାଥ ପ୍ରେମୀଙ୍କୁ ଭାବ ସାଗରରେ ଭସାଇଦିଏ। ଏହି ଭଳି ଜଣେ ମହାନ ବୀରଙ୍କୁ ଏ ମାଟି ପାଇ ଧନ୍ୟ ହୋଇଛି। ୭୬ତମ ସ୍ବାଧୀନତା ଦିବସ ଅବସରରେ ଆମ ଓଡ଼ିଆ ବୀରଙ୍କୁ ବୀର କଳିଙ୍ଗ ପରିବାର ତରଫରୁ ମଥାଲୋଟା ପ୍ରଣାମ। ବନ୍ଦେ ଉତ୍କଳ ଜନନୀ।