ଜାଣନ୍ତୁ ଫୁଲୁରୀ ତେଲ କିପରି ପ୍ରସ୍ତୁତ ହୁଏ ।

ଅଣସରର ପଞ୍ଚମୀ । ମଣିମା ଲାଗିହେବେ ଫୁଲୁରୀ ତେଲ। ହେଲେ କ’ଣ ଏହି ଫୁଲୁରି ତେଲ। କେମିତି ତିଆରି ହୁଏ ଏହି ଦିବ୍ୟ ମହୌଷଧୀ। ଆସନ୍ତୁ ଜାଣିବା ସେ ସମ୍ପର୍କରେ….
ଫୁଲରୁ ଫୁଲୁରୀ । ଘଣା ପେଡା ରାଶି ତେଲ ଆଉ ସୁଗନ୍ଧିତ ଫୁଲ ସବୁକୁ ମିଶାଇ ପ୍ରସ୍ତୁତ ହୁଏ ଏହି ଫୁଲୁରୀ ତେଲ। ୧୪ ପ୍ରକାର ଫୁଲ ଆଉ ୭ ପ୍ରକାର ଚେରମୂଳି ଏହି ତେଲରେ ମିଶିଥାଏ। ପ୍ରମୁଖ ଭାବରେ ଔଷଧୀୟ ଗୁଣ ସମ୍ପନ୍ନ ସୁଗନ୍ଧିତ ମଲ୍ଲୀ, କିଆ, କେତକି ସହ କିଛି ଶୁକ୍ଲ ଧାନ ଓ ବେଣାଚେରକୁ ଘଣା ହୋଇଥିବା ରାଶିତେଲରେ ମିଶାଇ ଏକ ମାଟି ହାଣ୍ଡିରେ ମାଟିରେ ପୋତିଦିଆଯାଏ। ଏହି ମିଶ୍ରଣକୁ ମାଟିତଳେ ଦୀର୍ଘ ଏକ ବର୍ଷ କାଳ ରଖାଯାଇଥିଲା। ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ଏହାକୁ ମାଟିରୁ ବାହାର କରାଯାଇଥାଏ। ସେତେବେଳକୁ ଏହି ତେଲ ଔଷଧରେ ରୁପାନ୍ତରିତ ହୋଇ ସାରିଥାଏ। ଶ୍ରୀକ୍ଷେତ୍ରରେ ଥିବା ବଡ଼ ଓଡ଼ିଆ ମଠ ଏହାକୁ ପ୍ରସ୍ତୁତ କରି ସେବା ନିମିତ୍ତ ଯୋଗାଇଥାନ୍ତି। ପ୍ରାୟ ୬ ସେର ଫୁଲୁରୀ ତେଲ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ମର୍ଦନ ହୋଇଥାଏ। ମଠ ପକ୍ଷରୁ ଅଣସର ପଞ୍ଚମୀରେ ଏହାକୁ ଶ୍ରୀମନ୍ଦିରକୁ ପଠାଯାଇଥାଏ। ଦେଉଳ କରଣଙ୍କ ନେତୃତ୍ୱରେ ଏହାକୁ ଅଣସର ଗୃହକୁ ଆଣାଯିବା ପରେ ଦଇତା ସେବକମାନେ ପ୍ରଭୁ ବଳଭଦ୍ର, ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗରେ ଏହାକୁ ମାଲିସ କରିଥାନ୍ତି ।

ଉପସ୍ଥାପନା: ପଣ୍ଡିତ ସୌମ୍ୟରଂଜନ ପଣ୍ଡା

ମହାଦେବ ଓ ମାତା ପାର୍ବତୀଙ୍କ ଶୁଭ ପରିଣୟ।

ଆଜି ହେଉଛି ଭଗବାନ ମହାଦେବ ଶିବ ଏବଂ ଜଗତଜନନୀ ମାତା ପାର୍ବତୀଙ୍କର ଶୁଭ ପରିଣୟ । ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ମାତା ପାର୍ବତୀ ଓ ଭଗବାନ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା’ ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଏ ।

ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବେସିତ । ଶିବ ପୁରାଣ ଅନୁଯାୟୀ ବ୍ରହ୍ମାଙ୍କୁ କଠୋର ତପସ୍ୟା କରି ଦକ୍ଷ ପ୍ରଜାପତି ମାତା ସତୀଙ୍କୁ ପୁତ୍ରୀ ରୂପେ ପ୍ରାପ୍ତ ହୁଅନ୍ତି । ମାତା ସତୀ ବିବାହ ଯୋଗ୍ୟା ହେବାରୁ ପିତାଙ୍କ ଅନିଚ୍ଛା ସତ୍ତ୍ୱେ ଶ୍ମଶାନଚାରୀ ଭଗବାନ ଶିବଙ୍କୁ ବିବାହ କରନ୍ତି । ଏଥିରେ କ୍ଷୁବ୍ଧ ହୋଇ ଦକ୍ଷ ପ୍ରଜାପତି ଝିଅ ଜ୍ୱାଇଁଙ୍କୁ ଆମନ୍ତ୍ରଣ କରନ୍ତି ନାହିଁ । ମହାଦେବଙ୍କ ଅନିଚ୍ଛା ସତ୍ତ୍ୱେ ମାତା ସତୀ ପିତ୍ରାଳୟ ଗଲେ । ଯଜ୍ଞସ୍ଥଳରେ ଦକ୍ଷ ପ୍ରଜାପତି ଭଗବାନ ଶିବଙ୍କର ଅପମାନ କଲେ । ସ୍ଵାମୀଙ୍କର ଅପମାନକୁ ସହି ନ ପାରି ମାତା ସତୀ ଯଜ୍ଞକୁଣ୍ଡରେ ଝାସ ଦେଲେ । ସତୀଙ୍କ ଯଜ୍ଞକୁଣ୍ଡରେ ଝାସ ଦେବା ଶୁଣି ମହାଦେବ ଯଜ୍ଞସ୍ଥଳକୁ ଧ୍ୱଂସ କରି ଦେଲେ । ସେଠାରୁ ସତୀଙ୍କ ଶବକୁ କାନ୍ଧରେ ପକାଇ ଚାରିଆଡ଼େ ଘୁରି ବୁଲିଲେ ।ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ର ଦ୍ୱାରା ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଶିବଙ୍କ ଠାରୁ ଅଲଗା କରିଦେଲେ । ପରବର୍ତ୍ତୀ ସମୟରେ ବ୍ରହ୍ମାଙ୍କ ବରରେ ବଳିୟାନ ହୋଇ ତାରକାସୁର ଅତ୍ୟାଚାର କଲା । ତାରକାସୁରର ଅତ୍ୟାଚାରରେ ଦେବତାମାନେ ଆତଙ୍କିତ ହୋଇ ବ୍ରହ୍ମାଙ୍କ ଶରଣ ପଶିଲେ । ମାତ୍ର ବ୍ରହ୍ମା ଶିବଙ୍କ ଔରସରୁ ଜନ୍ମିତ ସନ୍ତାନ ତାରକାସୁରକୁ ବଧ କରିବ ବୋଲି ପ୍ରକାଶ ପରେ ଦେବତାମାନେ ଆଦିଶକ୍ତି ମାତା ପାର୍ବତୀଙ୍କୁ ତପସ୍ୟା କରନ୍ତି । ଦେବଗଣଙ୍କ କଠୋର ତପସ୍ୟା ଯୋଗୁଁ ମାତା ପାର୍ବତୀ ଗିରିରାଜ ହିମାଳୟଙ୍କ ଘରେ ଆବିର୍ଭାବ ହୁଅନ୍ତି । ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ଦିନ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ପୁନଃମିଳନ ହୁଏ । ମହାଦେବ ମାତା ପାର୍ବତୀଙ୍କୁ ପାଇବା ପରେ ରୁଦ୍ର ରୂପ ତ୍ୟାଗ କରି ହୋଇଯାନ୍ତି ଶାନ୍ତ ଶୀତଳ । ଦେବଦମ୍ପତିଙ୍କ ଏହି ମହାମିଳନକୁ ଲୋକାଚାରରେ ଶୀତଳଷଷ୍ଠୀ ଭାବେ ପାଳନ କରାଯାଏ ।

ସର୍ବଶେଷରେ ହରଉମା ବିବାହ ମହୋତ୍ସବର ପବିତ୍ର ଅବସରରେ ସମସ୍ତ ସନାତନୀ ହିନ୍ଦୁ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା । ହର ହର ମହାଦେବ । ଜୟ ମାଆ ଆଦିଶକ୍ତି।।

ଉପସ୍ଥାପନା: ଅରବିନ୍ଦ ମହାନ୍ତି

ସାବିତ୍ରୀ ବ୍ରତର କିମ୍ବଦନ୍ତୀ ଜାଣନ୍ତୁ।

ସାବିତ୍ରୀ ଓଷା ଓଡ଼ିଶାରେ ସଧବା ନାରୀମାନଙ୍କ ପାଳିତ ଏକ ଓଷା। ସାବିତ୍ରୀ ସାଧ୍ୱୀ ନାରୀଙ୍କର ଆଦର୍ଶ; ତେଣୁ ଏହା ନିଜ ପତିଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ, ଏ ଓଷା ପାଳନ କରିଥାନ୍ତି। ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏ ଦିନ ସଧବା ସ୍ତ୍ରୀଲୋକମାନେ ଉପବାସ କରନ୍ତି, ଅନ୍ନ ଗ୍ରହଣ କରନ୍ତି ନାହିଁ ଓ ଅପରାହ୍ଣରେ ପୂଜା ଶେଷ ହେଲେ (ଧୂଆମୁଗ, ନଡ଼ିଆ, କଦଳୀ (ରମ୍ଭା), ଆମ୍ବ, ପଣସ, ସପୁରୀ, ତାଳସଜ ଆଦି) ଫଳାହାର କରନ୍ତି । ଏଥିପାଇଁ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା’ ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ ।

କିମ୍ବଦନ୍ତୀ କୁହେ ମହାଭାରତ ମତେ ମଦ୍ର ଦେଶରେ ଅଶ୍ୱପତି ନାମରେ ଜଣେ ରାଜା ରାଜତ୍ୱ କରୁଥିଲେ । ସେ ସାବିତ୍ରୀଦେବୀଙ୍କୁ କନ୍ୟା ରୂପେ ପାଇବା ପାଇଁ ଏକଦା ଯଜ୍ଞର ଆୟୋଜନ କଲେ । ନିର୍ଦ୍ଦିଷ୍ଟ ସମୟ ଉପନୀତ ଉତ୍ତାରୁ ଦେବୀ ଅଶ୍ୱପତିଙ୍କୁ ଦର୍ଶନ ଦେଇ ଇପ୍‌ସିତ ବର ମାଗିବାକୁ କହିଲେ । ରାଜା ନିଃସନ୍ତାନ ଥିବାରୁ ପୁତ୍ରସନ୍ତାନ ପାଇଁ ଦେବୀଙ୍କ ପାଖରେ ମିନତୀ କଲେ । ଦେବୀ ରାଜାଙ୍କୁ ପୁତ୍ରସନ୍ତାନ ଲାଭ କରିବା ଯୋଗ ନ’ଥିବା ସୂଚାଇ ଦେଲେ ଏବଂ ଏକ ଉତ୍ତମ କନ୍ୟା ହେବାର ଆର୍ଶିବାଦ ଦେଇ ଅନ୍ତର୍ଦ୍ଧାନ ହୋଇଗଲେ । ଉପଯୁକ୍ତ ସମୟରେ ଦେବୀଙ୍କ କୃପାରୁ ଅଶ୍ୱପତିଙ୍କ ପତ୍ନୀଙ୍କ କୋଳରେ କନ୍ୟାଟିଏ ଜାତ ହେଲା । ସାବିତ୍ରୀ (ଗାୟତ୍ରୀ)ଙ୍କୁ ଉପାସନା କରି ତାଙ୍କ ଆଶୀର୍ବାଦରୁ କନ୍ୟା ସନ୍ତାନଟିଏ ଲାଭ କରି ତାହର ନାମ ସାବିତ୍ରୀ ରଖିଥିଲେ । ଗାୟତ୍ରୀ କ୍ରମେ ଯୌବନରେ ପାଦ ଦେବାପରେ ପିତା ଅଶ୍ୱପତିଙ୍କ ଆଦେଶମତେ ନିଜ ଇଚ୍ଛାରେ ବର ଖୋଜିବାକୁ ସମ୍ମତି ପ୍ରକାଶ କରି ସହଚରୀମାନଙ୍କ ସହ ପତି ଅନ୍ୱେଷଣାର୍ଥେ ଭ୍ରମଣ କରିବାକୁ ବାହାରିଲେ ।

ଶାଲ୍ୱଦେଶର ରାଜା ଦ୍ୟୁମତସେନଙ୍କ ଔରସରେ ଶୈବ୍ୟାଙ୍କ ଗର୍ଭରୁ ସତ୍ୟବାନ ଜନ୍ମଗ୍ରହଣ କରିଥିଲେ । ଦୈବୀ ଦୁର୍ବିପାକରୁ ସତ୍ୟବାନଙ୍କ ଶୈଶବାସ୍ଥାରେ ଦ୍ୟୁମତସେନ ଅନ୍ଧ ଓ ଭ୍ରଷ୍ଟରାଜ୍ୟ ହୋଇ ବନବାସୀ ହୋଇ ଥିଲେ। ସତ୍ୟବାନ ବଣରେ ଫଳମୂଳ ଖାଇ ମୁନିବୃତ୍ତି ଅବଲମ୍ବନ କରି ଭକ୍ତି ସହକାରେ ପିତାମାତାଙ୍କର ସେବା କରୁଥିଲେ।

ସାବିତ୍ରୀ ଭ୍ରମଣ କରୁ କରୁ ସେହି ବଣରେ ପହଞ୍ଚି ସତ୍ୟବାନଙ୍କ ଅସୀମ ପିତୃଭକ୍ତି, ଧର୍ମପରାୟଣାତା ଓ ରୂପରେ ମୁଗ୍ଧା ହୋଇ ଐଶ୍ୱର୍ଯ୍ୟ ଭୋଗଲାଳସା ତ୍ୟାଗ କରି ଏହାଙ୍କ ସଙ୍ଗରେ ଜୀବନଯାପନ କରିବା ପାଇଁ ସଂକଳ୍ପ କରି ସତ୍ୟବାନଙ୍କୁ ପତିରୂପେ ମନୋନୀତ କରି ରାଜଧାନୀକୁ ଫେରି ପିତାଙ୍କୁ ଜଣାଇଲେ। ଏହି ସମୟରେ ନାରଦ ଉପସ୍ଥିତ ହୋଇ ସତ୍ୟବାନଙ୍କ ପରମାୟୁ ଆଉ ମାତ୍ର ଏକ ବର୍ଷ ଥିବା ଜଣାଇ, ନିଜ ମତ ବଦଳାଇବାକୁ ସାବିତ୍ରୀଙ୍କୁ ଅନୁରୋଧ କଲେ। ମାତ୍ର ସାବିତ୍ରୀ ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ନିଜ ନିଷ୍ପତ୍ତିରେ ଅଟଳ ରହିଲେ। ଅଗତ୍ୟା ଉଭୟ ପକ୍ଷଙ୍କ ପିତାମାତାଙ୍କ ଅନୁମତି କ୍ରମେ ସାବିତ୍ରୀଙ୍କର ସତ୍ୟବାନଙ୍କ ସହିତ ଯଥାରୀତି ବିବାହ ସମ୍ପନ୍ନ ହେଲା । ବିବାହ ପରେ ସାବିତ୍ରୀ ପିତୃଗୃହର ରାଜ ସମ୍ପଦ, ବିଳାସ ଓ ଦାସଦାସୀ ବର୍ଗଙ୍କୁ ତ୍ୟାଗ କରି ସ୍ୱାମୀଙ୍କ ସହିତ ତପୋବନର କୁଟୀରରେ ରହି ଶାଶୁ ଓ ଶ୍ୱଶୁରଙ୍କ ସେବାରେ ଲାଗିଲେ ।

ବିବାହର ଏକ ବର୍ଷ ପୂରିବାକୁ ତିନି ଦିନ ପୂର୍ବରୁ ସାବିତ୍ରୀ ତ୍ରିରାତ୍ର-ବ୍ରତ ଅବଲମ୍ବନ କଲେ । ଅନନ୍ତର ଯେଉଁଦିନ ଏକ ବର୍ଷ ପୂର୍ଣ୍ଣ ହେବ ଓ ସତ୍ୟବାନଙ୍କର ପରମାୟୁ ଶେଷ ହେବ, ସେ ଦିନ ସତ୍ୟବାନ ଫଳମୂଳ ଓ ସମିଧ ସଂଗ୍ରହ କରିବାକୁ ବଣକୁ ଯିବାବେଳେ ସାବିତ୍ରୀ ତାଙ୍କ ସଙ୍ଗରେ ଗଲେ । ବଣରେ ସତ୍ୟବାନ ଅଶ୍ୱସ୍ତି ବୋଧ କରିବାରୁ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରା ଗଲେ ଓ ତାହାହିଁ ତାଙ୍କର ମହାନିଦ୍ରା (ମୃତ୍ୟୁ) ହେଲା । କିନ୍ତୁ ସାବିତ୍ରୀ ନିଜ ମୃତ ସ୍ୱାମୀଙ୍କ ମସ୍ତକକୁ ନିଜ କ୍ରୋଡ଼ରେ ରଖି ସେହିଠାରେ ବସି ରହିଲେ । ଯମଦୂତମାନେ ସତ୍ୟବାନଙ୍କ ଜୀବ ନେବା ପାଇଁ ଆସି ସାଧ୍ୱୀ ସାବିତ୍ରୀଙ୍କ ନିକଟରୁ ଛଡ଼ାଇ ନେଇ ନ ପାରି ଫେରିଗଲେ। ବିଫଳ ଯମଦୂତଙ୍କଠାରୁ ଖବର ପାଇ ନିଜେ ଯମ ଆସି ସେଠାରେ ପହଞ୍ଚି ସତ୍ୟବାନଙ୍କ ଜୀବ ଧରି ବାହାରିଲେ। ସାବିତ୍ରୀ ମଧ୍ୟ ଯମଙ୍କୁ ଅନୁଗମନ କଲେ। ଯମରାଜା ଏହାଙ୍କ ପତିଭକ୍ତି ଓ ସ୍ତୁତିପାଠରେ ତୁଷ୍ଟ ହୋଇ ସତ୍ୟବାନଙ୍କ ବଦଳରେ ତିନୋଟି ବର ଦେବାକୁ ସତ୍ୟକଲେ ସର୍ତ୍ତ ରଖିଲେ ଯେ ସତ୍ୟବାନଙ୍କ ଜୀବନ ବଦଳରେ ଆଉ ଯାହା କିଛି ମାଗି ପାରନ୍ତି । ଏହି କ୍ରମରେ ପ୍ରଥମ ବରରେ ଶ୍ୱଶୁରଙ୍କ ନଷ୍ଟ ଚକ୍ଷୁ ଓ ହୃତ ରାଜ୍ୟ ପୁନଃ ପ୍ରାପ୍ତ, ଦ୍ୱିତୀୟ ବରରେ ନିଜ ପିତାଙ୍କ ପାଇଁ ଏକ ପୁତ୍ର ସନ୍ତାନ ଓ ତୃତୀୟ ବରରେ ନିଜ ଗର୍ଭରୁ ଶତପୁତ୍ର କାମନା କଲେ । ଯମ ତଥାସ୍ତୁ କହି, ଫେରିଯିବାକୁ କହିବାରୁ, ସାବିତ୍ରୀ ସ୍ୱାମୀଙ୍କ ବିନା କିପରି ଶତପୁତ୍ର ପାଇବେ ପଚାରିଲେ, ଅଗତ୍ୟା ନିରୁପାୟ ହୋଇ ସତ୍ୟବାନଙ୍କୁ ପୁନଃ ଜୀବିତ କରାଇ ଆୟୁଦାନ କଲେ ।

କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟା।

ଓଡି଼ଶା ଯାହାର ପ୍ରତ୍ୟକ ମାସରେ କିଛି ନା କିଛି ପର୍ବପର୍ବାଣୀ ଓ ସେହି ପର୍ବ କିଛି ବିଶେଷ ମହତ୍ବ ବହନ କରେ। ଏଇ ଜଗନ୍ନାଥ ଧାମରେ ମାଟି ପାଣି ସବୁ ପବିତ୍ର ତେଣୁ ଏ କ୍ଷେତ୍ରେ ଅଣୁ ଠାରୁ ବୃହତ ବୃକ୍ଷ ସହିତ ସଭିଙ୍କୁ ପୂଜନ ଓ ସମ୍ମାନ କରାଯାଏ। ଆମେ ସମସ୍ତେ ଶୁଣିଛେ ବାର ମାସରେ ତେର ଯାତରା ପ୍ରତ୍ୟେକ ଓଡି଼ଆଙ୍କ ଘରେଘରେ ପାଳନ କରାଯାଏ ସେହି ଅନ୍ତରାଳରେ ଗୋଟିଏ ବିଶେଷ ପର୍ବ ହେଉଛି ବୈଶାଖ ଶୁକ୍ଳପକ୍ଷ ତୃତୀୟା ବା ଅକ୍ଷୟ ତୃତୀୟା ଯାହାକୁ ଆମେ ସ୍ଥାନିୟ ଭାବେ ଅକ୍ଷୀ ତୃତୀୟା କହିଥାଉ। ଅକ୍ଷୟ ଶବ୍ଦର ଅର୍ଥ ହେଉଛି ଯାହା କ୍ଷୟ ହୁଏ ନାହିଁ ଏହି ଦିନ କୌଣସି କାର୍ଯ୍ୟ ଆରମ୍ଭ କଲେ ତାହା କ୍ଷୟ ନହୋଇ ଅକ୍ଷୁର୍ଣ୍ଣ ରହିଥାଏ, ତାହା ହିଁ ଏ ପର୍ବର ବିଶେଷତା। ଆମର ଓଡି଼ଶାର ସମସ୍ତ ପର୍ବମାନଙ୍କରେ କିଛି ନା କିଛି କାରଣ ଓ ବୈଜ୍ଞାନିକ ମହତ୍ବ ଥାଏ ଏବଂ।ଏଥିରେ ମଧ୍ୟ ଅଛି। ଆମେ ଜାଣିଛେ ଅକ୍ଷୟ ତୃତୀୟାରେ ସାଧାରଣତଃ ବିଲରେ ଅକ୍ଷୀ ମୁଠି ଅନୁକୂଳ କରାଯାଏ,ଏହି ପବିତ୍ର ଦିନରେ ଅକ୍ଷି ମୁଠି ବୁଣି ଭୁମିକର୍ଷଣ ଆରମ୍ଭ କରେ ଚଷାପୁଅ।ଏହି ମହାନ ଦିନଟି କାହିଁ କେଉଁ ଅନାଦି କାଳରୁ ଚାଲି ଆସୁଥିବାବେଳେ କୃଷକ ଭାଇମାନେ ନୂତନ ଟୋକେଇ ବା ବାଉଁସିଆରେ ବିହନକୁ ସାଙ୍ଗରେ ଧରି ହଳ ଲଙ୍ଗଳ ସହିତ ବିଲକୁ ଯାଇଥାଏ। ବିଲରେ ଧନଧାନ୍ୟର ଦେବୀ ମା ଲକ୍ଷ୍ମୀଙ୍କୁ ପୂଜା ଆରାଧନା କରି ଜମିକୁ ହଳ କରି ନୂତନ ବିହନକୁ ବୁଣିଥାଏ ଓ ତାର ଶଷ୍ୟ ତାର ପରିଶ୍ରମ ସର୍ବଦା ଅକ୍ଷୟ ରହୁ ଏହା ହିଁ ପ୍ରାର୍ଥନା କରେ। ଏଥିପାଇଁ କେବଳ ଶଷ୍ୟ ବୋଲି ନୁହଁ ଘରେ ଘରେ ଜମିଠାରୁ ଆରମ୍ଭ କରି ବହୁ ଅଳଙ୍କାର ଆଦି ଏହି ଦିନରେ କ୍ରୟ କରିଥାନ୍ତି ଓ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମମାନ ମଧ୍ୟ ଅନୁକୂଳ କରିଥାନ୍ତି।

ଏହି ବୈଶାଖ ମାସରେ ଧାନ ବିହନ ବୁଣିବାର ବା ହଳ କରିବାର କାରଣ ଅଛି ଏହାର କାରଣ ଗ୍ରୀଷ୍ମ ଦିନରେ ଜମିର ମାଟି ହାଲୁକା ଓ ଉର୍ବର ଥାଏ ତେଣୁ ଫସଲ ବୁଣିବା ପାଇଁ ସମ୍ପୁର୍ଣ୍ଣ ଉପଯୋଗୀ ହୁଏ। କଥାରେ ଅଛି;-

ଜ୍ୟେଷ୍ଠାଳି ବୁଣା ବୁଣନ୍ତି ଖରୁଡି
ସେଥିରୁ ବଳିଲେ ଚଷାଯାଏ ହୁଡି଼

ଏହାର ଅର୍ଥ ଜ୍ୟେଷ୍ଠମାସ ବା ଖରାଦିନେ ଖରୁଡି ବୁଣା ନ ସରିଲେ ବର୍ଷା ହୋଇଗଲେ ବତୁରୀ ଅର୍ଥ ଓଦା ମାଟିରେ ବୁଣାଯାଏ ଯାହା ଦ୍ବାରା ମାଟି କାଦୁଆ ହୁଏ ବଳଦକୁ ହଳ କରିବାକୁ କଷ୍ଟ ହୁଏ ଓ ମାଟି ଶୁଖିଗଲା ପରେ ବିହନ ଗଜା ହୋଇ ଉପରକୁ ଆସିବା କଷ୍ଟ ହୁଏ। ତେଣୁ କରି ଏ ଅକ୍ଷୟ ତୃତୀୟା ହେଉଛି ଉତ୍କୃଷ୍ଟ ସମୟ ବିହନ ଆଦି ବୁଣିବାର ଓ ଚାଷ କାର୍ଯ୍ୟ ଆରମ୍ଭ କରିବାର।

ପୌରାଣିକ ଦୃଷ୍ଟିକୋଣରୁ ଏ ଦିନର ମହତ୍ତ୍ୱ ଯଥେଷ୍ଟ ଅଧିକ । ଏହି ଦିନକୁ ସତ୍ୟ ଯୁଗର ପ୍ରାରବ୍ଧ ଦିବସ ରୂପେ ଗ୍ରହଣ କରାଯାଇଛି । ଅକ୍ଷୟ ତୃତୀୟାରେ ଋଷି ବେଦବ୍ୟାସ ଓ ପ୍ରଭୁ ଗଣେଷ ମହାଭାରତ ଲେଖିବା ଆରମ୍ଭ କରିଥିଲେ । ପୌରାଣିକ କାଳରେ ଅକ୍ଷୟତୃତୀୟାରୁ ତ୍ରେତୟା ଯୁଗ ଆରମ୍ଭ ହେଉଥିବା ବେଳେ ପାପ-ନାଶିନୀ ଗଙ୍ଗା ପୃଥିବୀ ପୃଷ୍ଠରେ ପ୍ରବାହିତ ହୋଇଥିଲେ ବୋଲି କିମ୍ବଦନ୍ତୀ କହେ । ଅକ୍ଷୟତୃତୀୟା ତିଥିରେ ଶ୍ରୀକୃଷ୍ଣ ବାଲ୍ୟ ବନ୍ଧୁ ସୁଦାମାଙ୍କୁ ଭେଟି ତାଙ୍କ ଦାରିଦ୍ର୍ୟର ଅନ୍ତ ଘଟାଇଥିଲେ । ଏଣୁ ଏହି ତିଥିକୁ ସମୃଦ୍ଧି ଓ ସୌଭାଗ୍ୟର ତିଥି ବୋଲି ବିଶ୍ୱାସ କରାଯାଏ । ଏହି ଦିନ ସ୍ଵର୍ଣ୍ଣ କ୍ରୟ କଲେ ଲକ୍ଷ୍ମୀ ଧନଧାନ୍ୟରେ ଗୃହ ପୂରିଦିଅନ୍ତି ବୋଲି ବିଶ୍ଵାସ ଅଛି । ଏହି ଦିନରେ ସଧବା ସ୍ତ୍ରୀମାନେ ଷଠିବୁଢ଼ୀ ପୂଜା କରନ୍ତି । ବଳଦେବ ଜିଉ ମନ୍ଦିରରେ କୃଷିର ଆରାଧ୍ୟ ଦେବ ହଳାୟୁଧ ବଳରାମ ଓ ରେବତୀଙ୍କ ବିବାହୋତ୍ସବ ଅନୁଷ୍ଠିତ ହୁଏ । ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ଜୟନ୍ତୀ, ମା ଅନ୍ନପୂର୍ଣ୍ଣାଙ୍କ ଜୟନ୍ତୀ ଓ ଗୀତଗୋବିନ୍ଦ ରଚୟିତା କବି ଜୟଦେବଙ୍କ ଜୟନ୍ତୀ ପାଳନ ହୁଏ । ବହୁତ କମ ସମୟ ଖୋଲାଯାଉଥିବା ବଦ୍ରୀନାଥ ଧାମ ଏହି ଦିନ ଖୋଲାଯାଇଥିବା ବିଧି ରହିଛି ।

ଅକ୍ଷୟ ତୃତୀୟା ହେଉଛି ଆବୁଝା ମୁହୁର୍ତ୍ତ ବା ସ୍ବୟଂ ସିଦ୍ଧ ମୁହୂର୍ତ୍ତ। ଅର୍ଥାତ୍ ଯେଉଁ ତିଥିର ସବୁ ସମୟରେ ଶୁଭ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ ସମ୍ପର୍ଣ୍ଣ କରିହେବ ଏବଂ କୌଣସି ସମୟକୁ ବିବେଚନା କରାଯିବ ନାହିଁ, ତାହାକୁ ଆବୁଝା ମୁହୁର୍ତ୍ତ କିମ୍ବା ସ୍ବୟଂ ସିଦ୍ଧ ମୁହୂର୍ତ୍ତ ବୋଲି କୁହାଯାଏ। ଏହି ଦିନ ଦାନ,ଧର୍ମ ଏବଂ ଶୁଭ କାର୍ଯ୍ୟ କରିବା ଦ୍ବାରା ଅକ୍ଷୟ ଫଳ ବା ସୌଭାଗ୍ୟ ପ୍ରାପ୍ତି ହୁଏ। ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ଜନ୍ମ ତିଥି। ଏହାକୁ ପର୍ଶୁରାମ ଜୟନ୍ତୀ ବୋଲି ମଧ୍ୟ କୁହାଯାଏ।ବିଶ୍ୱାସ କରାଯାଏ ଯେ, ବୈଶାଖ ମାସର ଶୁକ୍ଲ ପକ୍ଷ ତିଥିରେ ମାତା ଗଙ୍ଗାଦେବୀ ଧରା ପୃଷ୍ଠରେ ଅବତାରଣ କରିଥିଲେ।ଅକ୍ଷୟ ତୃତୀୟା ତିଥିରେ ସତ୍ୟଯୁଗ ଏବଂ ତ୍ରେତୟାଯୁଗ ର ଆରମ୍ଭ ହୋଇଥିଲା।

ଅସ୍ୟାଂ ତିଥୌ କ୍ଷୟମୁର୍ପତି ହୁତଂ ନ ଦତ୍ତମ୍
ତେନାକ୍ଷୟେତି କଥିତା ମୁନିଭିସ୍ତୁତୀୟା।
ଉଦ୍ଦିଶ୍ୟ ଦୈବତପିତୁକ୍ରିୟନ୍ତେ ମନୁଷ୍ୟୈଃ
ତତ୍ ଚ ଅକ୍ଷୟଂ ଭବତି ଭାରତ ସର୍ବମେବ।।

ଗୀତାରେ ଶ୍ରୀକୃଷ୍ଣ ଯୁଦ୍ଧିଷ୍ଠିରଙ୍କୁ କହୁଛନ୍ତି,” ହେ ଯୁଦ୍ଧିଷ୍ଠିର ! ଏହି ତିଥୀରେ କରାଯାଇଥିବା ଦାନ ଓ ଯଜ୍ଞ ଆଦି କଦାପି କ୍ଷୟ ଯିବନାହିଁ।ଏଥିପାଇଁ ମୁନୀମାନେ ଏହାକୁ ଅକ୍ଷୟ ତୃତୀୟା କହିଛନ୍ତି। ଏହି ଦିନରେ ଯଦି ଦେବତା ଓ ପୂର୍ବପୁରୁଷଙ୍କୁ ଉତ୍ସର୍ଗ କରି ଯେଉଁ କର୍ମ ଆରମ୍ଭ କରାଯାଏ ତାହା ସର୍ବଦା ଅକ୍ଷୟ ରହିଥାଏ।

ଓଡି଼ଶାର ରାଷ୍ଟ୍ର ଦେବତା ହେଲେ ଜଗନ୍ନାଥ ତେବେ ତାଙ୍କର ମାନବୀୟ ଲିଳା ମଧ୍ୟରେ ପୁରାତନ ଦୀର୍ଘ ଓ ସୁନ୍ଦର ଯାତ ହେଉଛି ଚନ୍ଦନ ଯାତ,

ଦୋଳେ ଚ ଦୋଳଗୋବିନ୍ଦ, ଚାପେ ଚ ମଧୁସୁଦନ
ରଥେ ତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମ ନ ଲଭ୍ୟତେ।।

ତେଣୁ ଏହି ଚନ୍ଦନ ଯାତ୍ରାରେ ଯିଏ ମହାପ୍ରଭୁ ମଦମମୋହନଙ୍କୁ ଚାପରେ ଦେଖେ ତାର ସମସ୍ତ ପାପ କ୍ଷୟ ହୁଏ ଓ ତାର ପୁନର୍ଜନ୍ମ ହୁଏ ନାହିଁ ବୋଲି କଥା ଅଛି। ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା) ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ । ଶ୍ରୀମନ୍ଦିରରେ ଏହା ଏକ ଯାତ ଯାହା ସର୍ବ ବୃହତ ସମୟ ଧରି ଚାଲିଥାଏ। ଏଥିରେ ମହାପ୍ରଭୁଙ୍କର ମୂଖ୍ୟ ପ୍ରତିନିଧୀ ବା ଉତ୍ସବ ବିଗ୍ରହ ମଦନମୋହନ ,ଶ୍ରୀଦେବୀ ଓ ଭୂଦେବୀ ମଣିବିମାନରେ ବଡ଼ଦେଉଳରୁ ବାହାରି ଯାଆନ୍ତି ନରେନ୍ଦ୍ର ସରୋବରକୁ ଓ ସେଠାରେ ଧଳା ଚାପ ବା ନନ୍ଦା ଚାପରେ ବିରାଜିତ ହୁଅନ୍ତି ଓ ଶ୍ରୀ ବଡ଼ଠାକୁରଙ୍କ ଉତ୍ସବ ବିଗ୍ରହ ରାମ କୃଷ୍ଣ ଗଜଦନ୍ତ ପାଲିଙ୍କିରେ ଆସିଥାନ୍ତି ସରୋବର ନିକଟକୁ ଓ ତାଙ୍କ ସାଙ୍ଗରେ ରହିଥାନ୍ତି ପଞ୍ଚମହାଦେବ(ମାର୍କଣ୍ଡେୟ,କପାଳମୋଚନ,ଲୋକନାଥ,ନୀଳକଣ୍ଠ,ଜମ୍ବେଶ୍ବର) ଆଦି ଆସି ନାଲି ଚାପ ବା ଭଦ୍ରା ଚାପରେ ବିଜେ କରି ଚାପ ଖେଳିଥାନ୍ତି ଏହି ଦିନରେ ଏକ ବିଶେଷ ଛେନା ମାଣ୍ଡୁଅ ଭୋଗ ହୋଇଥାଏ।

ଏହିତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ । ମନ୍ତ୍ର ପୂଜିତ କୁରାଢି଼ ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି଼ ସ୍ପର୍ଶ କରାଯାଇଥାଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯାଗ ପୂଜା ସମ୍ପାଦନା କରିବାର ବିଧି ରହିଛି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ । ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥନିର୍ମାଣ କରାଯାଏ ।ରଥରେ ଲାଗୁଥିବା କାଠଗୁଡିକ ହେଲା ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମଚାରୀ ରଥଖଳାରେ ଉପସ୍ଥିତ ରହି ଏହିକାର୍ଯ୍ୟ ସୁରୁଖୁରରେ ହେବାରେ ସାହାଯ୍ୟ କରିଥାନ୍ତି । ବାହାର ଚନ୍ଦନ ଯାତ୍ରାର ଶେଷଦିନ ରଥ ଅଖରେ ଚକ ଲାଗେ ।

ତେଣୁ ଆମେ ଦେଖିବାକୁ ଗଲେ ଓଡି଼ଶାର ଏକ ପାରମ୍ପରିକ କୃଷିଭିତିକ ପର୍ବ ହେଉଛି ଅକ୍ଷୟ ତୃତୀୟା ଯାହାକି କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଅଛି। ଯାହାର ମହତ୍ତ୍ବ ଅନେକ, ତେଣୁ ଏ ସବୁ ପର୍ବ ପର୍ବାଣୀ ହେଉଛି ଏ ଓଡି଼ଶା ଜାତିର ପରିଚୟ ଏହି ଭଳି ସଂସ୍କୃତି ପାଇଁ ଓଡି଼ଶା ସମଗ୍ର ବିଶ୍ବରେ ପରିଚିତ। ଓଡି଼ଶାର ଅସ୍ମୀତାକୁ ବଞ୍ଚାଇ ରଖିଛି ଏହି ପର୍ବପର୍ବାଣୀମାନ । ଆମର ଏ ବଳିଷ୍ଠ ସଂସ୍କୃତିମାନ କିପରି ଆଗକୁ ସମସ୍ତେ ଜାଣିପାରିବେ ଓ ଏହା କିପରି ସୁଦୂର ପ୍ରଚାର ପ୍ରସାର ହୋଇପାରିବ ଏହା ଆମ ସମସ୍ତଙ୍କର ଲକ୍ଷ ହେବା ଅତ୍ୟନ୍ତ ଆବଶ୍ୟକ ଅଟେ।

ଉପସ୍ଥାପନା: ଆଫତାବ ହୋସେନ୍

ଦଣ୍ଡ ଯାତ୍ରାର ପୌରାଣିକ ଉପାଖ୍ୟାନ ଜାଣନ୍ତୁ ।

ଦଣ୍ଡ ପର୍ବରେ ମିଶିଥିବା ଭକ୍ତଙ୍କୁ ଦଣ୍ଡୁଆ ବା ଭୋକ୍ତା କୁହାଯାଏ । ଭୋକ୍ତାମାନେ ବହୁ କଷ୍ଟ କରି ଶରୀରକୁ ଦଣ୍ଡ ଦେଉଥିବାରୁ ଏହାକୁ ଦଣ୍ଡନାଚ କୁହାଯାଏ । ଦଣ୍ଡ ନାଟରେ ମିଶିବାଦ୍ୱାରା ମା’କାଳୀଙ୍କ କୃପାରୁ ପାପ ଓ ଦୁଖ ଦୂର ହୋଇ ମାନବ ଶାନ୍ତି ଓ ଧନ ପ୍ରାପ୍ତ ହୁଏ ବୋଲି ବିଶ୍ୱାସକରି ଓଡ଼ିଶାବାସୀ ଏହି ପର୍ବକୁ ପାଳନ କରନ୍ତି । ଦଣ୍ଡନାଚରେ ୧୩ଜଣ ମୁଖ୍ୟଭୋକ୍ତା ଥାଆନ୍ତି, ଏହି ୧୩ଜଣ ତେର ବର୍ଷ ପାଇଁ ଅଂଶଗ୍ରହଣ କରିବାକୁ ବାଧ୍ୟ । ସେମାନଙ୍କ ମଧ୍ୟରେ ଜଣେ ପାଟଭୋକ୍ତା ଥାଆନ୍ତି । ଭୋକ୍ତାମାନଙ୍କ ପାଇଁ କଠିନ ଆଚରଣ, ନିଷ୍ଠା ଏବଂ ତ୍ୟାଗର ବିଧିବିଧାନ ରହିଛି । ଭୋକ୍ତାମାନେ ଯେଉଁ ୧୬ପ୍ରକାର ଦଣ୍ଡ ପରମ୍ପରା ଅନୁସାରେ ଗ୍ରହଣ କରନ୍ତି ସେଗୁଡ଼ିକ ହେଲା: ଆହାର, ଉଜାଗର (ନିଦ୍ରା), ମୈଥୁନ ତ୍ୟାଗ, ଗୃହତ୍ୟାଗ, ପଦଗମନ, ଶ୍ମଶାନ, ନୃତ୍ୟ, ଧୂଳି, ପାଣି, ଅଗ୍ନି, ଗୃହଦଣ୍ଡ, ଅଙ୍ଗବଳୀ, ମେରୁପଟା (କଣ୍ଟା ଫୋଡ଼ିବା), ଶୁଦ୍ଧିକ୍ରିୟା, କୁଳଭୋଜି, ଅଗ୍ନି ପରିକ୍ଷା (ଅଗ୍ନିରେ ଚାଲିବା) ।

ଲିଆ, ପଣା ତଥା ମୁଗସିଝା ଏମାନଙ୍କର ଖାଦ୍ୟ । ଭୋକ୍ତାମାନେ ଶିବ, ପାର୍ବତୀ, କାଳୀ, କଳସ, ବେତ, ଛତ୍ର, ବାନା, ଆଲଟ, ଚାମର, ଘଣ୍ଟ, ଢୋଲ, ମହୁରୀ, ଶଙ୍ଖ, ତୁରୀ ଧରି ଗାଁକୁ ଗାଁ ବୁଲନ୍ତି । ମାନସିକ କରିଥିବା ବ୍ୟକ୍ତି ସେମାନଙ୍କୁ ନିମନ୍ତ୍ରଣ କରନ୍ତି । ଷୋହଳ ସୁଆଙ୍ଗ ଦଣ୍ଡନାଚର ମୁଖ୍ୟ ଆକର୍ଷଣ । ଯଜମାନଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରି ପାଣିଦଣ୍ଡ, ଧୂଳି ଦଣ୍ଡ, ବଜ୍ର ଦଣ୍ଡ, ଅଗ୍ନି ଦଣ୍ଡ, ନୃତ୍ୟ ଦଣ୍ଡ ଆଦି ବରଣ କରନ୍ତି । ପ୍ରଚଣ୍ଡ ଖରାରେ ତତଲା ବାଲି ଉପରେ ଗଡ଼ି, ପିରାମିଡ଼ କରି ଭୋକ୍ତାମାନେ ପାଣିଦଣ୍ଡ ନୃତ୍ୟ ପରିବେଷଣ କରନ୍ତି । ଶିବ ପାର୍ବତୀ, ଯୋଗିଯୋଗିଆଣୀ, କେଳା କେଳୁଣୀ, ଶବର ଶବରୁଣୀ, ହାଡ଼ି ହାଡ଼ିଆଣୀ, ଚଢ଼େୟା ଚଢ଼େୟାଣୀ, ବୀଣାକାର ଇତ୍ୟାଦି ସୁଆଙ୍ଗ ଦର୍ଶକମାନଙ୍କୁ ଆକୃଷ୍ଟ କରେ । ସୁଆଙ୍ଗବେଳେ ଚରିତ୍ରକୁ ଚାହିଁ ବେଶ ପୋଷାକ ପିନ୍ଧିଥାନ୍ତି ।

ପୌରାଣିକ, କୃଷିଭିତ୍ତିକ ଏବଂ ସାଧାରଣ ଜୀବନ ଦର୍ଶନର ପ୍ରଭାବ ଦଣ୍ଡନାଟ ସୁଆଙ୍ଗରେ ଦେଖିବାକୁ ମିଳିଥାଏ । ଏଥିରେ ଅତି ସରଳ ଗ୍ରାମୀଣ ଭାଷା ବ୍ୟବହାର କରାଯାଇଥାଏ । ବିଷୁବ ସଂକ୍ରାନ୍ତି ଦିନ ଦଣ୍ଡନାଚ ଶେଷ ହୁଏ । ଏହି ଶେଷଦିନକୁ ମେରୁ ପୂଜା କୁହାଯାଏ । ପ୍ରଜ୍ଜ୍ୱଳିତ ଅଗ୍ନି ଉପରେ ମେରୁ ଖୁଣ୍ଟରେ ଝୁଲି ପାଟଭୋକ୍ତା ଭକ୍ତମାନଙ୍କ ପାଇଁ ଶାରିରୀକ କଷ୍ଟ ଗ୍ରହଣ କରନ୍ତି । ଘଣ୍ଟ, ଝାଞ୍ଜ ଓ ଢୋଲ ଇତ୍ୟାଦି ବାଦ୍ୟଯନ୍ତ୍ର ବାଜୁଥିବା ବେଳେ ଭୋକ୍ତାମାନଙ୍କ କଳାରୁଦ୍ରମଣିକି ଭଜ ହେ ଧ୍ୱନି ଶ୍ରଦ୍ଧାଳୁଙ୍କ ମନରେ ଭୟ ମିଶ୍ରିତ ଭକ୍ତି ଭାବ ସୃଷ୍ଟି କରିଥାଏ । ଏହାର ପରଦିନ କୁଳଭୋଜି ହୁଏ, ସମସ୍ତେ ଏକାଠି ବସି ଖାଆନ୍ତି ଓ ନିଜ ନିଜର ଶୁଦ୍ଧିକ୍ରିୟା କରି ଭୋକ୍ତାମାନେ ଘରକୁ ବାହୁଡ଼ନ୍ତି ।

ପୌରାଣିକ ଉପାଖ୍ୟାନ- ୧
ଥରେ ଦକ୍ଷ ପ୍ରଜାପତି ଯଜ୍ଞର ଆୟୋଜନ କରି ନିଜ କନ୍ୟା ସତୀ ଓ ଜାମାତା ଶିବଙ୍କ ବ୍ୟତୀତ ସବୁ ଦେବତାମାନଙ୍କୁ ଆମନ୍ତ୍ରିତ କରିଥିଲେ। ଅନିମନ୍ତ୍ରିତ ଭାବରେ ସତୀ ଯଜ୍ଞସ୍ଥଳକୁ ଯିବାରୁ ଦକ୍ଷ ତାଙ୍କୁ ଭର୍ତ୍ସନା କରିବା ସହିତ ଶିବଙ୍କୁ ଅପମାନ ଦେଇ ଅନେକ କଥା କହିଲେ। ଏହା ସହି ନ ପାରି ସତୀ ଯଜ୍ଞକୁଣ୍ଡରେ ଝାସଦେଇ ପ୍ରାଣତ୍ୟାଗ କଲେ। ଏହି ସମ୍ବାଦ ପାଇ ଶିବ କ୍ରୋଧାନ୍ୱିତ ହୋଇ ଦକ୍ଷଙ୍କର ଶିରଚ୍ଛେଦର କରିଥିଲେ। ତାଙ୍କର ଉଗ୍ରରୂପକୁ ଶାନ୍ତ କରିବାପାଇଁ ଦକ୍ଷ ପତ୍ନୀ ପ୍ରସୂତୀ ଅର୍ଘ୍ୟ ଦେଇ ବନ୍ଦା କରିବାକୁ ଆସନ୍ଦେ ଶିବଙ୍କର ଦିଗମ୍ବର ରୂପକୁ ଦେଖି ତାଙ୍କୁ ଲିଙ୍ଗରୂପରେ ପୂଜା ପାଇବାକୁ ଅଭିଶାପ ପ୍ରଦାନ କଲେ। ଅଭିଶାପ ହେତୁ ଶିବଲିଙ୍ଗ ଭୂପତିତ ହେଲା ଏବଂ ଆଦିଶକ୍ତି ଉଭା ହୋଇ ଏହି ଲିଙ୍ଗକୁ ଧାରଣ କଲେ। ସେହିଦିନଠାରୁ ଶିବଶକ୍ତି ଦଣ୍ଡ ଓ ଘଡ଼ି ରୂପରେ ପୂଜା ପାଇଥାନ୍ତି। ବ୍ରହ୍ମା ଏହି ଦଣ୍ଡ-ଘଡ଼ି ପୂଜା କରିବାକୁ ଚଢ଼େଇଆକୁ ଦେଲେ। ସେହି ଦିନଠାରୁ ଦଣ୍ଡଯାତ୍ରାର ଆରମ୍ଭ ହେଲା।

ପୌରାଣିକ ଉପାଖ୍ୟାନ- ୨
ବ୍ରହ୍ମାଙ୍କ ପାଞ୍ଚ କୁମାର ମରୀଚି, ପୁଲହ, ପୁଲସ୍ତ୍ୟ, କ୍ରତୁ ଓ ଅଙ୍ଗିରା ଇନ୍ଦ୍ରଙ୍କ ପାଞ୍ଚ ପୁଅ ଜୟନ୍ତ, ପାକଶାସ୍ତ୍ରୀ, ସୁବତ୍ସ, ସୁରସେନ, ଗନ୍ଧର୍ବସେନ ଓ କୁବେରଙ୍କ ତିନିପୁତ୍ର ନଳ, ମଣିଭଦ୍ର, ସୁକୁବେର ସତ୍ୟ ଯୁଗରେ ଦେବଗୁରୁ ବୃହସ୍ପତିଙ୍କଠାରୁ ବିଦ୍ୟାଶିକ୍ଷା କରି ଫେରୁଥିବା ସମୟରେ ପିତୃଲୋକଙ୍କୁ ଜଳଦାନ କରୁଥିବା ଋଷି କର୍ତୃଙ୍କୁ ଦେଖି ହସିବାରୁ ଶାପିତ ହୋଇ କୁଷ୍ଠରୋଗାକ୍ରାନ୍ତ ହେଲେ। ଏଥକୁ ମୁକ୍ତି ପାଇବାକୁ ସେମାନେ ମହାଦେବ ଶିବଙ୍କ କୃପାପ୍ରାର୍ଥୀ ହେଲେ। ତେବେ ମହାଦେବ ସ୍ୱୟଂ ଆଦିଶକ୍ତିଙ୍କୁ ସ୍ମରଣ କରୁଥିଲେ। ଏ ସମୟରେ ମା କାଳୀ ଆବିର୍ଭୁତା ହୋଇ ୧୩ ଦିନ ରୁଦ୍ରକାଳୀ ଦଣ୍ଡବ୍ରତ ପାଳନ କରିବାକୁ କହିବାରୁ ଦଣ୍ଡଯାତ୍ରାର ଆରମ୍ଭ ହେଲା।

ପୌରାଣିକ ଉପାଖ୍ୟାନ- ୩
ତରଣୀ ଋଷିଙ୍କର ୧୪ ଜଣ ଉଦ୍ଧତ ପୁଅ ଅନେକ ଅନ୍ୟାୟ ଅତ୍ୟାଚାର କରୁଥିଲେ। ସେମାନଙ୍କ ଭିତରୁ ଜଣେ ଅଭକ୍ଷ୍ୟ ଭକ୍ଷଣ କରି ମୃତ୍ୟୁବରଣ କଲା ଓ ଅନ୍ୟମାନଙ୍କୁ ବ୍ରହ୍ମା ଉଇହୁଙ୍କା ପାଲଟି ଯିବାକୁ ଅଭିଶାପ ଦେଲେ। ସେହି ତେରଜଣଙ୍କ ଭିତରୁ ଜଣେ ଶିବଙ୍କ ଶରଣାପନ୍ନ ହୋଇ ଦଣ୍ଡ ପାଳନ କରି ବ୍ରହ୍ମାଙ୍କୁ ତୁଷ୍ଟ କଲା ଓ ତେରଭାଇ ଶାପମୁକ୍ତ ହେଲେ। ଏହି ତେର ଋଷିପୁତ୍ରଙ୍କୁ ନେଇ ତେର ଦଣ୍ଡନାଟର ଆରମ୍ଭ ବୋଲି କଥିତ ଅଛି।

ପୌରାଣିକ ଉପାଖ୍ୟାନ- ୪
ଅଷ୍ଟାବକ୍ର ଋଷିଙ୍କର କୁରୂପ ଶରୀରକୁ ଦେଖି ବୃହସ୍ପତି, ଇନ୍ଦ୍ର ଓ କୁବେରଙ୍କର ୧୩ ପୁତ୍ର ପରିହାସ କରିବାରୁ ଋଷିଙ୍କ ଅଭିଶାପରେ ସେମାନେ ଚଢ଼େୟା ଶବର ଭାବେ ପୃଥିବୀ ପୃଷ୍ଠରେ ଜନ୍ମ ଗ୍ରହଣ କଲେ। ଥରେ ନିଷିଦ୍ଧ ଅଞ୍ଚଳରେ ପକ୍ଷୀ ଶିକାର କରିବାରୁ ପକ୍ଷୀମାନେ ଗରୁଡ଼ଙ୍କୁ ନିଜର ଦୁଃଖ ଜଣାଇଲେ। ଫଳତଃ ଗରୁଡ଼ଙ୍କ ଆଦେଶରେ ଶିବଙ୍କର ସର୍ପ ଦଂଶନ କରି ମାରିଦେଲେ। ସେମାନଙ୍କ ପତ୍ନୀ ମା କାଳୀଙ୍କୁ ପ୍ରାର୍ଥନା କରିବାରୁ ସେ ୧୩ ଜଣ ଚଢ଼େୟାଙ୍କୁ ଜୀବଦାନ ଦେଲେ। ଏହି ମହିମାକୁ ପ୍ରଚାର କରିବାପାଇଁ ୧୩ ଜଣ ଦଣ୍ଡୁଆ ଦଣ୍ଡକାଳୀ ବ୍ରତ ଧାରଣ କରିବାର କିମ୍ବଦନ୍ତୀ ରହିଛି।

ଦଣ୍ଡନାଚର କିମ୍ବଦନ୍ତୀ ।

ଦଣ୍ଡନାଚ ଓଡ଼ିଶାର ଗଂଜାମ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ ଏବଂ ହଠ ଯୋଗ ର ଏକ ଅଂଶ ବିଶେଷ । ଏହା ଗଞ୍ଜାମ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକ ଗୁଡିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ୱୀକାର କରାଯାଇ ନ’ପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ,ପାଣିନି,କୃଶାଶ୍ୱ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନୃତ୍ୟ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବର୍ହିଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ । ଜନଜୀବନର କାହାଣୀକୁ ବା ଲୋକ ବୃତ୍ତିକୁ ବିଶ୍ୱସ୍ତ ଭାବେ ଉପସ୍ଥାପିତ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ୍ୟ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପୀର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ ,ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ୱାନ ଦେଇଥାନ୍ତି । ଲୋକ ନାଟକର ସୃଷ୍ଟିର ଉତ୍ସ ସମ୍ପର୍କରେ କେତେଗୁଡିଏ ତଥ୍ୟ ହେଲା :୧-ପ୍ରକୃତି ପ୍ରଭାବ,୨-ଧର୍ମ ଚିନ୍ତନ,୩-କୃଷି ସଭ୍ୟତା,୪-ସାମରିକ ପରମ୍ପରା, ୫- କାରୁକଳା, ୬-ଆଦିବାସୀ ଓ ଓଡଶୀ ନୃତ୍ୟ ।
ବୈଦିକ ଯୁଗରେ ଲୋକ ନାଟକର ଉଦ୍ଭବ ହୋଇଥିଲେ ମଧ୍ୟ ଏବେ ଏଗୁଡିକ ଲୋକ ସମାଜରେ ମୁମୂର୍ଷ ଅବସ୍ଥାରେ କେବଳ ବଞ୍ଚିରହିଛନ୍ତି । ଏଗୁଡ଼ିକର ପୁର୍ନଉଦ୍ଧାର ପାଇଁ ଏବେ ଅବଶ୍ୟ ସମଗ୍ର ବିଶ୍ୱ ଚଳଚଞ୍ଚଳ ହୋଇପଡ଼ିଛି । ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାର ଲୋକନାଟକ ପ୍ରଚଳିତ । ଚୀନ୍,ଆମେରିକା,ଲୋହିତ ଭାରତୀୟ ,ଆଫ୍ରିକାର ଆଦିବାସୀ,ୟୁରୋପର ଅନୁନ୍ନତ ଅଞ୍ଚଳ ତଥା ଭାରତର ବିଭିନ୍ନ ପ୍ରଦେଶରେ ଭଳିକି ଭଳି ଲୋକନାଟ୍ୟର ପ୍ରଚଳନ ଦେଖିବାକୁ ମିଳେ । ସେହିଭଳି ଓଡ଼ିଶାରେ ମଧ୍ୟ ବିଭିନ୍ନ ଲୋକନାଟକ ମଧ୍ୟରୁ ଦଣ୍ଡନାଟ ଏକ ପ୍ରଭାବଶାଳୀ ଶାଖା ।

କୁହାଯାଏ ଦଣ୍ଡନାଚ ସର୍ବ ପ୍ରଥମେ ଗଂଜାମ ଜିଲ୍ଲାର କୁଲାଗଡ଼ ଠାରେ ହେଇଥିଲା। ଦଣ୍ଡନାଚ ର ଉତ୍ପତ୍ତି ବିଷୟରେ ବହୁତ ପୌରାଣିକ ଆଖ୍ୟାନ ରହିଛି ସେଥିମଧ୍ୟରୁ କିଛି କିମ୍ବଦନ୍ତୀ ଉପସ୍ଥାପନ କରାଗଲା ଯଥା :-

ଥରେ ଦକ୍ଷ ପ୍ରଜାପତି ଯଜ୍ଞର ଆୟୋଜନ କରି ନିଜ କନ୍ୟା ସତୀ ଓ ଜାମାତା ଶିବଙ୍କ ବ୍ୟତୀତ ସବୁ ଦେବତାମାନଙ୍କୁ ଆମନ୍ତ୍ରିତ କରିଥିଲେ। ଅନିମନ୍ତ୍ରିତ ଭାବରେ ସତୀ ଯଜ୍ଞସ୍ଥଳକୁ ଯିବାରୁ ଦକ୍ଷ ତାଙ୍କୁ ଭର୍ତ୍ସନା କରିବା ସହିତ ଶିବଙ୍କୁ ଅପମାନ ଦେଇ ଅନେକ କଥା କହିଲେ। ଏହା ସହି ନ ପାରି ସତୀ ଯଜ୍ଞକୁଣ୍ଡରେ ଝାସଦେଇ ପ୍ରାଣତ୍ୟାଗ କଲେ। ଏହି ସମ୍ବାଦ ପାଇ ଶିବ କ୍ରୋଧାନ୍ୱିତ ହୋଇ ଦକ୍ଷଙ୍କର ଶିରଚ୍ଛେଦନ କରିଥିଲେ। ତାଙ୍କର ଉଗ୍ରରୂପକୁ ଶାନ୍ତ କରିବାପାଇଁ ଦକ୍ଷଙ୍କ ପତ୍ନୀ ପ୍ରସୂତୀ ଅର୍ଘ୍ୟ ଦେଇ ବନ୍ଦାପନା କରିବାକୁ ଆସନ୍ତେ ଶିବଙ୍କର ଦିଗମ୍ବର ରୂପକୁ ଦେଖି ତାଙ୍କୁ ଲିଙ୍ଗରୂପରେ ପୂଜା ପାଇବାକୁ ଅଭିଶାପ ପ୍ରଦାନ କଲେ। ଅଭିଶାପ ହେତୁ ଶିବଲିଙ୍ଗ ଭୂପତିତ ହେଲା ଏବଂ ଆଦିଶକ୍ତି ଉଭା ହୋଇ ଏହି ଲିଙ୍ଗକୁ ଧାରଣ କଲେ। ସେହିଦିନଠାରୁ ଶିବଶକ୍ତି ଦଣ୍ଡ ଓ ଘଡ଼ି ରୂପରେ ପୂଜା ପାଇଥାନ୍ତି। ବ୍ରହ୍ମା ଏହି ଦଣ୍ଡ-ଘଡ଼ି ପୂଜା କରିବାକୁ ଚଢ଼େଇଆକୁ ଦେଲେ। ସେହି ଦିନଠାରୁ ଦଣ୍ଡଯାତ୍ରାର ଆରମ୍ଭ ହେଲା।

ବ୍ରହ୍ମାଙ୍କ ପାଞ୍ଚ କୁମାର ମରୀଚି, ପୁଲହ, ପୁଲସ୍ତ୍ୟ, କ୍ରତୁ ଓ ଅଙ୍ଗିରା ଇନ୍ଦ୍ରଙ୍କ ପାଞ୍ଚ ପୁଅ ଜୟନ୍ତ, ପାକଶାସ୍ତ୍ରୀ, ସୁବତ୍ସ, ସୁରସେନ, ଗନ୍ଧର୍ବସେନ ଓ କୁବେରଙ୍କ ତିନିପୁତ୍ର ନଳ, ମଣିଭଦ୍ର, ସୁକୁବେର ସତ୍ୟ ଯୁଗରେ ଦେବଗୁରୁ ବୃହସ୍ପତିଙ୍କଠାରୁ ବିଦ୍ୟାଶିକ୍ଷା କରି ଫେରୁଥିବା ସମୟରେ ପିତୃଲୋକଙ୍କୁ ଜଳଦାନ କରୁଥିବା ଋଷି କର୍ତ୍ତୃଙ୍କୁ ଦେଖି ହସିବାରୁ ଋଷି କର୍ତ୍ତୃଙ୍କ ଦ୍ଵାରା ଶାପିତ ହୋଇ କୁଷ୍ଠରୋଗାକ୍ରାନ୍ତ ହେଲେ। ଏଥକୁ ମୁକ୍ତି ପାଇବାକୁ ସେମାନେ ବ୍ରହ୍ମାଙ୍କ ପାଖକୁ ଗଲେ। ବ୍ରହ୍ମାଙ୍କ ଆଦେଶରେ ସେମାନେ ଶିଵଙ୍କ ଶରଣାପନ୍ନ ହେଲେ ଓ ମହାଦେବ ଶିବଙ୍କ କୃପାପ୍ରାର୍ଥୀ ହେଲେ। ତେବେ ମହାଦେବ ସ୍ୱୟଂ ଆଦିଶକ୍ତିଙ୍କୁ ସ୍ମରଣ କରୁଥିଲେ। ଏ ସମୟରେ ମା କାଳୀ ଆବିର୍ଭୁତା ହୋଇ ୧୩ ଦିନ ରୁଦ୍ରକାଳୀ ଦଣ୍ଡବ୍ରତ ପାଳନ କରିବାକୁ କହିବାରୁ ଦଣ୍ଡଯାତ୍ରାର ଆରମ୍ଭ ହେଲା।

ତରଣୀ ଋଷିଙ୍କର ୧୪ ଜଣ ଉଦ୍ଧତ ପୁଅ ଅନେକ ଅନ୍ୟାୟ ଅତ୍ୟାଚାର କରୁଥିଲେ। ସେମାନଙ୍କ ଭିତରୁ ଜଣେ ଅଭକ୍ଷ୍ୟ ଭକ୍ଷଣ କରି ମୃତ୍ୟୁବରଣ କଲେ ଓ ଅନ୍ୟମାନଙ୍କୁ ବ୍ରହ୍ମା ଉଇହୁଙ୍କା ପାଲଟି ଯିବାକୁ ଅଭିଶାପ ଦେଲେ। ସେହି ତେରଜଣଙ୍କ ଭିତରୁ ଜଣେ ଶିବଙ୍କ ଶରଣାପନ୍ନ ହୋଇ ଦଣ୍ଡ ପାଳନ କରି ବ୍ରହ୍ମାଙ୍କୁ ତୁଷ୍ଟ କଲେ ଓ ତେରଭାଇ ଶାପମୁକ୍ତ ହେଲେ। ଏହି ତେର ଋଷିପୁତ୍ରଙ୍କୁ ନେଇ ତେର ଦଣ୍ଡନାଟର ଆରମ୍ଭ ବୋଲି କଥିତ ଅଛି।

ଅଷ୍ଟାବକ୍ର ଋଷିଙ୍କର କୁରୂପ ଶରୀରକୁ ଦେଖି ବୃହସ୍ପତି, ଇନ୍ଦ୍ର ଓ କୁବେରଙ୍କର ୧୩ ପୁତ୍ର ପରିହାସ କରିବାରୁ ଋଷିଙ୍କ ଅଭିଶାପରେ ସେମାନେ ଚଢ଼େୟା ଶବର ଭାବେ ପୃଥିବୀ ପୃଷ୍ଠରେ ଜନ୍ମ ଗ୍ରହଣ କଲେ। ଥରେ ନିଷିଦ୍ଧ ଅଞ୍ଚଳରେ ପକ୍ଷୀ ଶିକାର କରିବାରୁ ପକ୍ଷୀମାନେ ଗରୁଡ଼ଙ୍କୁ ନିକଟରେ ଦୁଃଖ ଜଣାଇଲେ। ଫଳତଃ ଗରୁଡ଼ଙ୍କ ଆଦେଶରେ ଶିବଙ୍କର ସର୍ପ ଦଂଶନରେ ଚଢ଼େୟାଙ୍କ ମୃତ୍ୟୁ ହେଲା। ସେମାନଙ୍କ ପତ୍ନୀ ମା କାଳୀଙ୍କୁ ପ୍ରାର୍ଥନା କରିବାରୁ ସେ ୧୩ ଜଣ ଚଢ଼େୟାଙ୍କୁ ଜୀବନଦାନ ଦେଲେ। ଏହି ମହିମାକୁ ପ୍ରଚାର କରିବାପାଇଁ ୧୩ ଜଣ ଦଣ୍ଡୁଆ ଦଣ୍ଡକାଳୀ ବ୍ରତ ଧାରଣ କରିବାର କିମ୍ବଦନ୍ତୀ ରହିଅଛି।

ଦଣ୍ଡନାଚରେ ପ୍ରଭା, ନାଗ, ଫାସ, ଦଣ୍ଡ, ଗୌରୀବେତ, ମୟୂରଚନ୍ଦ୍ରିକା, ଚମ୍ପାବର, ଗୁଆ, କଷାୟବସ୍ତ୍ର, ପତାକା ଏବଂ ବେତ ଏକାନ୍ତ ଆବଶ୍ୟକ । ଗୌରୀବେତରେ ସ୍ୱୟଂ ଶିବ ବିରାଜମାନ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ । ଏହି ପର୍ବ ପ୍ରାଚୀନ ଇତିହାସରୁ ଓଡ଼ିଶାରେ ଚଳି ଆସୁଛି ଏବଂ ଓଡ଼ିଶା ବାସୀଙ୍କର ନୂଆ ବର୍ଷ ଦିନ ଅର୍ଥାତ୍ ମହାବିଷୁବ ସଂକ୍ରାନ୍ତି ବା ମେଷ ସଂକ୍ରାନ୍ତି ଦିନ ଏହା ଉଦଯାପିତ ହୁଏ । ଦଣ୍ଡନାଚରେ ଉଭୟ ଭଗବାନ ଶିବ ଓ ମା କାଳୀଙ୍କୁ ଉପାସନା କରାଯାଏ। ଏହା ବୈଶାଖ ମାସରେ ଆରମ୍ଭ ହୋଇ ୧୩ ଦିନ ପର୍ଯ୍ୟନ୍ତ ପାଳନ ହୁଏ । ୧୩ ଦିନ ଶେଷର ଦିନକୁ ମେରୁ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି କୁହାଯାଏ ।

ରୋଗବଇରାଗ ନିବାରଣ, ପାରିବାରିକ କଷ୍ଟ ଦୂରୀକରଣ, କୃଷିର ଉନ୍ନତି ବା ମନୋକାମନା ପୂର୍ତ୍ତିର ଫଳ ସ୍ୱରୂପ ଶରୀରକୁ କଷ୍ଟ ଦେଇ ୧୩, ୧୮ ବା ୨୧ ଦିନ ପର୍ଯ୍ୟନ୍ତ ମା’ ଦଣ୍ଡକାଳୀ ଓ ରୁଦ୍ର ମହାଦେବଙ୍କୁ ଧ୍ୟାନ କରି ଚୈତ୍ରମାସ ପୂର୍ଣ୍ଣିମାପରଠାରୁ ଭକ୍ତମାନେ ରହିଥାନ୍ତି। ପ୍ରାୟ ତିନିଶହରୁ ଉର୍ଦ୍ଧ୍ୱ ଦଣ୍ଡ ଦଳ ମାନସିକଧାରୀ ଭକ୍ତମାନଙ୍କ ଗୃହ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି। ଘୁମୁସର ଅଞ୍ଚଳର କୁଲାଗଡ଼ରୁ ଆରମ୍ଭ ହୋଇଥିବା ଦଣ୍ଡନାଟ ପରବର୍ତି ସମୟରେ ଗଞ୍ଜାମର ଅନ୍ୟାନ୍ୟ ଅଞ୍ଚଳ ବିଶେଷ କରି ଶକ୍ତିପୀଠଗୁଡ଼ିକୁ ବ୍ୟାପିଥିବାର ଜଣାପଡ଼େ।
“ହେ ଋଷିପୁତ୍ରେ!
ଅଇଲେ ହର, ଦେଇଗଲେ ବର
ଅନ୍ୟ ସେବା ଛାଡ଼ି ଏ ସେବା କର
ଏ ସେବା କଲେ କି ଫଳ ପାଏ
ଉଷୁନାଧାନ ଗଜା ହୁଏ
ଶୁଖିଲା କାଠ କଞ୍ଚା ହୁଏ
ଭଜାମୁଗ ଗଜା ହୁଏ
ଅପୁତ୍ରିକ ପୁତ୍ରଦାନ ପାଏ
ଅନ୍ଧ ଚକ୍ଷୁଦାନ ପାଏ

ଜରାରୋଗ ଭଲ ହୁଏ” ବୋଲି ବାଣୀକାର ଗାଇ ଦଣ୍ଡନାଟ ଆରମ୍ଭ କରିଥାଏ।
ପାରମ୍ପରିକ ବିଧି ଅନୁସାରେ ୨୧ ଦିନ ପର୍ଯ୍ୟନ୍ତ ଆମିଷ, ମଦ୍ୟ, ନାରୀସଂସର୍ଗ ପରିହାରର ସଂକଳ୍ପ କରି ୧୩ ଜଣ ଦଣ୍ଡୁଆ ବା ଭୋକ୍ତା ଗେରୁଆ ବସ୍ତ୍ର ପିନ୍ଧି କାମନା ମନ୍ଦିର ପୀଠରେ ଯାତ୍ରା ଆରମ୍ଭ ଦିନର ମଧ୍ୟରାତ୍ରରେ ଏକାଠି ହୁଅନ୍ତି। କାମନା ଘଟ ସ୍ଥାପିତ ହୁଏ ଓ ତା ପରେ ଦୁଇଟି ବେତକୁ ଶିବ ଓ ଗୌରୀଙ୍କ ପ୍ରତୀକରୂପେ ସ୍ଥାପନ କରାଯାଏ। ଦଳର ମୁଖ୍ୟ ପାଟ ଦଣ୍ଡୁଆ ଓ ଅନ୍ୟ ଦଣ୍ଡୁଆମାନେ ଉପବୀତ ଧାରଣ ପୂର୍ବକ ବାଉଁଶକାଠକୁ ଘର୍ଷଣ କରି ଶିବାଗ୍ନି ବାହାର କରନ୍ତି ଓ ଏଥିରେ ନଡ଼ାରେ ତିଆରି ରମ୍ପାବରକୁ ପ୍ରଜ୍ଜ୍ୱଳିତ କରାଯାଏ ଯାହା ୧୩ ଦିନ ପର୍ଯ୍ୟନ୍ତ ଜଳିରୁହେ। କାଳୀଙ୍କ ଚିତ୍ରପଟ, ମହାଦେବଙ୍କ ପ୍ରତୀକ ନାଗ ମୂର୍ତ୍ତି, ମୟୁରପୁଚ୍ଛ, ପତାକା ପୂଜାପରେ ଦଣ୍ଡନାଟ ଆରମ୍ଭ ହୁଏ। ଢୋଲ, ମହୁରୀ, ସାହାନାଇ, ଘଣ୍ଟ, ଶଙ୍ଖ,କାହାଳୀ, ଝାଞ୍ଜ, ଘୁଙ୍ଗୁର, ଘାଗୁଡ଼ି, ଦାସକାଠି, ରାମତାଳି, ଘୁଡୁକୀ, ଖଞ୍ଜଣୀ ପ୍ରଭୃତି ପାରମ୍ପାରିକ ବାଦ୍ୟର ତାଳେ ତାଳେ ଦଣ୍ଡନାଟ ପ୍ରଥମେ କାମନା ମନ୍ଦିର ପରିସରରେ ଆରମ୍ଭ ହୋଇ ପରେ ମାନସିକଧାରୀ ଭକ୍ତମାନଙ୍କ ଗୃହ ସମ୍ମୁଖରେ ଅନୁଷ୍ଠିତ ହୋଇଥାଏ।
ଧୂଳିଦଣ୍ଡ, ପାଣିଦଣ୍ଡ ଏବଂ ସୁଆଙ୍ଗ ଏହି ତିନି କ୍ରମରେ ଦଣ୍ଡନାଟ ପ୍ରଦର୍ଶିତ ହୁଏ।

ଦିନ ଦିପହରରେ ଧୂଳିଦଣ୍ଡ ପରିବେଷଣରେ କ୍ଷେତ୍ର ପ୍ରସ୍ତୁତି, ହଳ ଚାଳନା, ଧାନ ରୋପଣ, ବଛାବଛି, ଅମଳ, ଭୂମି ପୂଜା, ମନ୍ଦିର ନିର୍ମାଣ, ଲୁଗା ବୁଣା, ହଳଦୀ ବଟା, କୂଅ ଖୋଳା ଆଦି ପ୍ରଦର୍ଶିତ ହୁଏ। ଜଣେ କୃଷକ ପରିବାରର ନିଛକ କାହାଣୀକୁ ହସମଜାରେ ପ୍ରଚଣ୍ଡ ଖରାତାତିରେ ପ୍ରଦର୍ଶନ କରାଯାଏ।

ଧୂଳି ଦଣ୍ଡ ପରେ ଆରମ୍ଭ ହୁଏ ପୋଖରୀ କିମ୍ବା ନଦୀରେ ପାଣି ଦଣ୍ଡ। ଛଅ ଆଙ୍ଗୁଳି ଲମ୍ବର ଆମ୍ବ ଡାଳରେ ଦାନ୍ତ ଘସି ସ୍ନାନ କରିବା ପରେ ତେରଥର ବୁଡ଼ି ତେର ଆଞ୍ଜୁଳା ପାଣି ଆଣି ଦଣ୍ଡୁଆମାନେ ଶିବଲିଙ୍ଗ ସ୍ଥାପନା କରନ୍ତି। ତା ପରେ ବିଭିନ୍ନ ଉପଚାରରେ ପୂଜାର୍ଚନା ହୁଏ। ପଣା ଏବଂ ଲିଆଖଇର ପ୍ରସାଦ ପାଇ ଦଣ୍ଡୁଆମାନେ କିଛି ସମୟ ବିଶ୍ରାମ ନିଅନ୍ତି।
ସନ୍ଧ୍ୟାରେ ଆଳତୀ ହୁଏ। ସନ୍ଧ୍ୟା ଆଳତୀରେ ଯୋଗଦେଇ ଲୋକେ ନିଜର ଅପରାଧ କ୍ଷମାପାଇଁ ପ୍ରାର୍ଥନା କରିଥାନ୍ତି। ଦଣ୍ଡୁଆଙ୍କ ଦେହରେ ମା କାଳୀ ବିରାଜନ୍ତି ବୋଲି ଲୋକେ ବିଶ୍ୱାସ କରନ୍ତି। ଅରୁଆ ଚାଉଳ, ମୁଗ ଡାଲି ଓ ପରିବାକୁ ମିଶାଇ ଅକଟା ଅଫୁଟା ହବିଷ୍ୟାନ୍ନ ପ୍ରସ୍ତୁତ କରାଯାଏ ଯାହା କାଳୀଙ୍କ ପାଖରେ ଭୋଗ ଲଗାଯିବା ପରେ ମଧ୍ୟରାତ୍ରରେ ଦଣ୍ଡୁଆମାନେ ଢୋଲ, ଝାଞ୍ଜରର ତାଳେ ତାଳେ ଭୋଜନ କରନ୍ତି।

ଏହା ପରେ ଝୁଣା ଖେଳି ଖେଳି ଦଣ୍ଡଦଳ ମାନସିକଧାରୀଙ୍କ ଘରକୁ ଆସନ୍ତି। ସ୍ୱପ୍ନାଦେଶ ପାଇଥିବା ଦଣ୍ଡୁଆମାନେ କଳା ପୋଷାକ ପିନ୍ଧିଥାନ୍ତି, ମୁଣ୍ଡରେ କଳା କନା ବାନ୍ଧିଥାନ୍ତି ଓ ରକ୍ତ ସିନ୍ଦୁର ଚିତା ଲଗାଇ କାଳୀପ୍ରଭା ଧାରଣ କରିଥାନ୍ତି। ଢୋଲ ତାଳେ ତାଳେ ଝୁଣା ନିଆଁର ପ୍ରୟୋଗରେ ଦଣ୍ଡୁଆଙ୍କ ଦେହରେ କାଳିକା ପ୍ରସନ୍ତ ହୁଅନ୍ତି। ଏହି ଅଗ୍ନିଦଣ୍ଡ ଫଳରେ ସେ ଚେତାଶୂନ୍ୟ ହୋଇ ସାଷ୍ଟାଙ୍ଗ ପ୍ରଣିପାତ କଲା ପରେ ଚେତା ଫେରିଲା ପରେ ଆରମ୍ଭ ହୁଏ ଦଣ୍ଡସୁଆଙ୍ଗ।

ଦଣ୍ଡସୁଆଙ୍ଗକୁ ଦଣ୍ଡ ଚଢ଼େୟା ନାଚ ବୋଲି ମଧ୍ୟ କୁହାଯାଏ। ଏଥିରେ ଚଢ଼େୟା, ଚଢ଼େୟାଣୀ, ଦକ୍ଷିଣକାଳୀ, ଡୁବଡୁବା, ଗଉଡ଼, ଗଉଡ଼ୁଣୀ, ସାପୁଆ, ଚହଟା ଦିଅର, ସିପାହୀ, ଢୋଲିଆ, ଉଲ, ବୀଣାକାର, ଜଗାଳି, ରାଜଗୁଣିଙ୍କ ଚରିତ୍ର ମାଧ୍ୟମରେ ହାସ୍ୟରସ ପ୍ରକାଶ ସହିତ ବହୁ ଉପଦେଶ ଜନ ସମୁଦାୟକୁ ପରିବେଷଣ କରା ଯାଇଥାଏ।
କେତେଜଣ ପ୍ରମୁଖ ଦଣ୍ଡସୁଆଙ୍ଗ ଲେଖକଙ୍କ ଭିତରେ ରଙ୍ଗୁଣି ବନ୍ଧ ସାହିର ସନ୍ନ୍ୟାସୀ ନାୟକ, ମୁଣ୍ଡମରେଇର ଦଣ୍ଡପାଣି ଜେନା ଓ ବାସୁଦେବପୁରର ଅନ୍ତର୍ଯ୍ୟାମୀ ଦାସ ଅନ୍ୟତମ।

ଏହିପରି ୧୩, ୧୮, ୨୧ ଦିନ ବୁଲିବାପରେ ଦଣ୍ଡଦଳ ବିଷୁବ ସଂକ୍ରାନ୍ତି ଦିନ କାମନା ମନ୍ଦିର ପାଖରେ ରୁଣ୍ଡ ହୁଅନ୍ତି। ସେଠାରେ ମେରୁଯାତ୍ରା ଅନୁଷ୍ଠିତ ହୁଏ। ମେରୁକୁଣ୍ଡର ଦୁଇପାଖରେ ବେଲକାଠଦ୍ୱାରା ଦୁଇଟି ଖୁଣ୍ଟ ପୋତାଯାଏ। ସେ ଦୁଇଟିକୁ ଗୋଟିଏ କାଠଦ୍ୱାରା ସଂଯୁକ୍ତ କରାଯାଏ। ମୁଖ୍ୟ ଦଣ୍ଡୁଆ ସ୍ନାନସାରି ଓଦାବସ୍ତ୍ରରେ ପ୍ରଭୁଙ୍କୁ ଦର୍ଶନ କରନ୍ତି, ତାଙ୍କ ଦେହରେ କାଳୀ ଲାଗିଲା ପରେ କେତକ ଲୋକ ମିଶି ତାଙ୍କୁ ନିୟନ୍ତ୍ରଣ କରନ୍ତି ଏହା ପରେ ତାଙ୍କୁ ସେହି କାଠରେ ଓଲଟା ଲଟକାଇ ଦିଆଯାଏ। ତଳେ ଝୁଣା ଧୂଆଁର ଝାସରେ ତାଙ୍କ ନାକରୁ ତିନିଟୋପା ରକ୍ତ ପଡ଼ିବାପରେ ସେ ଅଚେତ ଅବସ୍ଥାରେ ସେଥିରେ ଝୁଲି ରୁହନ୍ତି। ତାଙ୍କୁ ନିକଟସ୍ଥ ଜଳାଶୟକୁ ନେଇ ତାଙ୍କ ଚେତା ଫେରାଇ ଆଣିବାପରେ ସମାପନ ହୁଏ ଦଣ୍ଡନାଚ।

ଏହି ପର୍ବରେ ମିଶିଥିବା ଭକ୍ତଙ୍କୁ ଦଣ୍ଡୁଆ ବା ଭୋକ୍ତା କୁହାଯାଏ । ଭୋକ୍ତାମାନେ ବହୁ କଷ୍ଟ କରି ଶରୀରକୁ ଦଣ୍ଡ ଦେଉଥିବାରୁ ଏହାକୁ ଦଣ୍ଡନାଚ କୁହାଯାଏ । ଦଣ୍ଡ ନାଟରେ ମିଶିବାଦ୍ୱାରା ମା’କାଳୀଙ୍କ କୃପାରୁ ପାପ ଓ ଦୁଃଖ ଦୂର ହୋଇ ମାନବ ଶାନ୍ତି ଓ ଧନ ପ୍ରାପ୍ତ ହୁଏ ବୋଲି ବିଶ୍ୱାସକରି ଓଡ଼ିଶାବାସୀ ଏହି ପର୍ବକୁ ପାଳନ କରନ୍ତି । ଦଣ୍ଡନାଚରେ ୧୩ଜଣ ମୁଖ୍ୟଭୋକ୍ତା ଥାଆନ୍ତି, ଏହି ୧୩ଜଣ ତେର ବର୍ଷ ପାଇଁ ଅଂଶଗ୍ରହଣ କରିବାକୁ ବାଧ୍ୟ । ସେମାନଙ୍କ ମଧ୍ୟରେ ଜଣେ ପାଟଭୋକ୍ତା ଥାଆନ୍ତି । ଭୋକ୍ତାମାନଙ୍କ ପାଇଁ କଠିନ ଆଚରଣ, ନିଷ୍ଠା ଏବଂ ତ୍ୟାଗର ବିଧିବିଧାନ ରହିଛି । ଭୋକ୍ତାମାନେ ଯେଉଁ ୧୬ପ୍ରକାର ଦଣ୍ଡ ପରମ୍ପରା ଅନୁସାରେ ଗ୍ରହଣ କରନ୍ତି ସେଗୁଡ଼ିକ ହେଲା: ଆହାର, ଉଜାଗର (ନିଦ୍ରା), ମୈଥୁନ ତ୍ୟାଗ, ଗୃହତ୍ୟାଗ, ପଦଗମନ, ଶ୍ମଶାନ, ନୃତ୍ୟ, ଧୂଳି, ପାଣି, ଅଗ୍ନି, ଗୃହଦଣ୍ଡ, ଅଙ୍ଗବଳୀ, ମେରୁପଟା (କଣ୍ଟା ଫୋଡ଼ିବା), ଶୁଦ୍ଧିକ୍ରିୟା, କୁଳଭୋଜି, ଅଗ୍ନି ପରିକ୍ଷା (ଅଗ୍ନିରେ ଚାଲିବା) ।

ଲିଆ, ପଣା ତଥା ମୁଗସିଝା ଏମାନଙ୍କର ଖାଦ୍ୟ । ଭୋକ୍ତାମାନେ ଶିବ, ପାର୍ବତୀ, କାଳୀ, କଳସ, ବେତ, ଛତ୍ର, ବାନା, ଆଲଟ, ଚାମର, ଘଣ୍ଟ, ଢୋଲ, ମହୁରୀ, ଶଙ୍ଖ, ତୁରୀ ଧରି ଗାଁକୁ ଗାଁ ବୁଲନ୍ତି । ମାନସିକ କରିଥିବା ବ୍ୟକ୍ତି ସେମାନଙ୍କୁ ନିମନ୍ତ୍ରଣ କରନ୍ତି । ଷୋହଳ ସୁଆଙ୍ଗ ଦଣ୍ଡନାଚର ମୁଖ୍ୟ ଆକର୍ଷଣ । ଯଜମାନଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରି ପାଣିଦଣ୍ଡ, ଧୂଳି ଦଣ୍ଡ, ବଜ୍ର ଦଣ୍ଡ, ଅଗ୍ନି ଦଣ୍ଡ, ନୃତ୍ୟ ଦଣ୍ଡ ଆଦି ବରଣ କରନ୍ତି । ପ୍ରଚଣ୍ଡ ଖରାରେ ତତଲା ବାଲି ଉପରେ ଗଡ଼ି, ପିରାମିଡ଼ କରି ଭୋକ୍ତାମାନେ ପାଣିଦଣ୍ଡ ନୃତ୍ୟ ପରିବେଷଣ କରନ୍ତି । ଶିବ ପାର୍ବତୀ, ଯୋଗିଯୋଗିଆଣୀ, କେଳା କେଳୁଣୀ, ଶବର ଶବରୁଣୀ, ହାଡ଼ି ହାଡ଼ିଆଣୀ, ଚଢ଼େୟା ଚଢ଼େୟାଣୀ, ବୀଣାକାର ଇତ୍ୟାଦି ସୁଆଙ୍ଗ ଦର୍ଶକମାନଙ୍କୁ ଆକୃଷ୍ଟ କରେ । ସୁଆଙ୍ଗବେଳେ ଚରିତ୍ରକୁ ଚାହିଁ ବେଶ ପୋଷାକ ପିନ୍ଧିଥାନ୍ତି ।

ପୌରାଣିକ, କୃଷିଭିତ୍ତିକ ଏବଂ ସାଧାରଣ ଜୀବନ ଦର୍ଶନର ପ୍ରଭାବ ଦଣ୍ଡନାଟ ସୁଆଙ୍ଗରେ ଦେଖିବାକୁ ମିଳିଥାଏ । ଏଥିରେ ଅତି ସରଳ ଗ୍ରାମୀଣ ଭାଷା ବ୍ୟବହାର କରାଯାଇଥାଏ । ବିଷୁବ ସଂକ୍ରାନ୍ତି ଦିନ ଦଣ୍ଡନାଚ ଶେଷ ହୁଏ । ଏହି ଶେଷଦିନକୁ ମେରୁ ପୂଜା କୁହାଯାଏ । ପ୍ରଜ୍ଜ୍ୱଳିତ ଅଗ୍ନି ଉପରେ ମେରୁ ଖୁଣ୍ଟରେ ଝୁଲି ପାଟଭୋକ୍ତା ଭକ୍ତମାନଙ୍କ ପାଇଁ ଶାରିରୀକ କଷ୍ଟ ଗ୍ରହଣ କରନ୍ତି । ଘଣ୍ଟ, ଝାଞ୍ଜ ଓ ଢୋଲ ଇତ୍ୟାଦି ବାଦ୍ୟଯନ୍ତ୍ର ବାଜୁଥିବା ବେଳେ ଭୋକ୍ତାମାନଙ୍କ କଳାରୁଦ୍ରମଣିକି ଭଜ ହେ ଧ୍ୱନି ଶ୍ରଦ୍ଧାଳୁଙ୍କ ମନରେ ଭୟ ମିଶ୍ରିତ ଭକ୍ତି ଭାବ ସୃଷ୍ଟି କରିଥାଏ । ଏହାର ପରଦିନ କୁଳଭୋଜି ହୁଏ, ସମସ୍ତେ ଏକାଠି ବସି ଖାଆନ୍ତି ଓ ନିଜ ନିଜର ଶୁଦ୍ଧିକ୍ରିୟା କରି ଭୋକ୍ତାମାନେ ଘରକୁ ବାହୁଡ଼ନ୍ତି ।

ମହାପ୍ରଭୁଙ୍କ ପାଖରେ ପଖାଳ ଭୋଗ।

ଜାଣିଛନ୍ତି, ଖାଲି ଓଡ଼ିଆ ଘରେ ନୁହେଁ, ଓଡ଼ିଆଙ୍କ ଆରାଧ୍ୟ ବଡ଼ ଠାକୁର ବି ଭାରି ଭଲ ପାଆନ୍ତି ପଖାଳକୁ। ସେଇଥି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ବଢା ହେଉଥିବା ପଖାଳରେ କେତେବଳେ ଦହି ଭାସେ, କେତେବେଳେ ଘିଅ ବାସେ।
ମହାପ୍ରଭୁଙ୍କ ବଡ଼ ପଣିଆକୁ ପ୍ରତିପାଦିତ କରିବାକୁ ଯାଇ ଓଡ଼ିଆ ଲୋକେ କଥା କଥାରେ ଥଟ୍ଟା କରି କୁହନ୍ତି, “ପଖାଳ ଭାତରେ ଘି’ ତୋ ବୋପା ଖାଇଥିଲା କି” ।

ତେବେ ଏହି ପଖାଳର ନାଁ ସବୁ କଣ :

ସୁବାସ ପଖାଳ: ପ୍ରଥମେ କୁଡୁଆରେ ଅନ୍ନ ରନ୍ଧା ହୋଇସାରିବା ପରେ ସେଥିରେ ପାଣି ମିଶିଥାଏ। ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ପରଷାଯାଏ। ଏହା ଏକ ସୁଗନ୍ଧିତ ଅନ୍ନ ହୋଇଥିବାରୁ ପାରମ୍ପରିକ ଭାବେ ଏହାକୁ ସୁବାସ ପଖାଳ ବୋଲି କୁହାଯାଏ।

ଚୁପୁଡା ପଖାଳ: ରନ୍ଧା ହୋଇଥିବା ଅନ୍ନକୁ ଭଲଭାବେ ଚିପୁଡି ଦିଆଯାଏ। ଏଥିରେ ଭଜା ଜିରା, ଲୁଣ ଓ ଦହି ମିଶାଇ ପ୍ରସାଦ ଭାବେ ମାଟିପାତ୍ରରେ ମହାପ୍ରଭୂଙ୍କୁ ପରଷି ଦିଆଯାଏ।
ପାଣି ପଖାଳ: ରନ୍ଧା ହୋଇଥିବା ଅନ୍ନରେ କେବଳ ପାଣି ଓ ଲୁଣ ମିଶାଇ ଏହି ପଖାଳ ପ୍ରସ୍ତୁତ ହୁଏ। ଏଥିରେ ଅନ୍ୟ କୌଣସି ଦ୍ରବ୍ୟ ମିଶ୍ରଣ କରାଯାଏ ନାହିଁ। ସାଧାରଣତଃ ଏହା ପ୍ରତ୍ୟକ ଓଡ଼ିଆ ଘରର ସାଧାରଣ ଖାଦ୍ୟ।

ଦହି ପଖାଳ: ସୁଖିଲା ଅନ୍ନରେ କେବଳ ଦହି ପକାଇ ଗୋଳାଇ ଦିଆଯାଏ। ଏଥିରେ ଦହିର ମାତ୍ରା ଅଧିକ ଥାଏ। ଏହି ମିଶ୍ରିତ ଅନ୍ନରେ ଭଜା ଜିରା ଓ ଅଦା ପାକାଇ ପ୍ରସ୍ତୁତ କରାଯାଏ।

ମିଠା ପଖାଳ: ସାଧା ଅନ୍ନରେ ଚିନି କିମ୍ବା ଧଳା ଗୁଡ ପାକାଇ ରନ୍ଧାଯାଏ। ଏଥିରେ ଭଜା ଜିରା, ଲୁଣ ଓ ଅଦାଖଣ୍ଡ ପକାଇ ପରଷା ଯାଇଥାଏ।

ମଲ୍ଲିଫୁଲ ପଖାଳ: ଏହି ପଖାଳ ଦହି ପଖାଳ ଭଳି ପ୍ରସ୍ତୁତ ହୋଇଥାଏ । ମାତ୍ର ଏହାକୁ ସୁବାସିତ କରିବାକୁ ମଲ୍ଲିଫୁଲ ଦେଇ ପରସାଯାଏ।

ଟଭା ପଖାଳ: ସାଧାଅନ୍ନରେ ଟଭା ମିଶ୍ରିତ ଜଳ ଦେଇ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହୁଏ। ଉପରୋକ୍ତ ପ୍ରଣାଳୀରେ ଏହି ପଖାଳ ପ୍ରସ୍ତୁତ ହୁଏ। ଏହା ମଧ୍ୟ ସୁବାସ ପଖାଳ ପର୍ଯ୍ୟାୟଭୁକ୍ତ।

ଘିଅ ପଖାଳ: ସାଧାଅନ୍ନ, ଲୁଣ, ଅଦାଖଣ୍ଡ, ଦହି, ଭଜା ଜିରା ଇତ୍ୟାଦି ଓଳିରେ ରଖାଯାଇ ଏଥିରେ ଘିଅ ମିଶାଯାଏ। ଯାହାକୁ ଶ୍ରୀମନ୍ଦିର ପାରମ୍ପରିକ ପରିଭାଷାରେ ଘିଅ ପଖାଳ କୁହାଯାଏ।

ବିଶେଷ କରି ସନ୍ଧ୍ୟାଧୂପ ଓ ବଡ଼ ସିଂହାର ବା ରାତ୍ର ପହୁଡ଼ ପୂର୍ବରୁ ମହାପ୍ରଭୁଙ୍କ ପାଖରେ ପଖାଳ ଓ କଦଳୀ ଭଜା ଭୋଗ ଲାଗିଥାଏ।

ଉପସ୍ଥାପନା: ମିହିର ପଟ୍ଟନାୟକ
ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ

ଐତିହ୍ୟ ସମ୍ପନ୍ନ ରଣପୁରଗଡ଼ ।

ରଣପୁର ହେଉଛି ଏକ ଐତିହ୍ୟ ସମ୍ପନ୍ନ ସହର। ରଣାସୁର ପୁର ରୁ ରଣପୁର ହୋଇଛି ବୋଲି ଲୋକକଥା ରହିଛି। ଏହା ହେଉଛି ଉତ୍କଳ ର ସର୍ବପ୍ରାଚୀନ ଗଡଜାତ ରାଜ୍ୟ ମାନଙ୍କ ମଧ୍ୟରୁ ଅନ୍ୟତମ। ରଣପୁର ରାଜ୍ୟ ସ୍ଥାପନ ଆରମ୍ଭରୁ ଗୋଟିଏ ବଂଶର ୧୧୦ ଜଣ ରାଜା ରଣପୁର କୁ ଶାସନ କରିଛନ୍ତି। ବହୁ ଐତିହାସିକ ସ୍ଥାନ ରହିଛି ରଣପୁର ରେ। ଏହା ସହିତ ରଣପୁର ବହୁ ଐତିହାସିକ ଘଟଣା ସହିତ ଜଡିତ।ଶହୀଦ ଅର୍ଜୁନ ରାଉତ ଏବଂ ଶହୀଦ୍ ରଘୁ ଦିବାକର ଙ୍କ ମାଟି ହେଉଛି ରଣପୁର। ନୃଶଂସ ଇଂରେଜ ପଲିଟିକାଲ ଏଜେଣ୍ଟ ମେଜର ବେଜେଲଗେଟ କୁ ଏହି ରଣପୁର ମାଟି ରେ ଠେଙ୍ଗା ରେ ପିଟି ପିଟି ହତ୍ୟା କରାଯାଇଥିଲା। ଯାହାକି ସେତେବେଳେ ସାରା ବିଶ୍ବକୁ ଚକିତ କରି ଦେଇଥିଲା। ବିଲାତ ସଂସଦ ଦୋହଲି ଯାଇଥିଲା। ଉତ୍କଳ ର ଗଜପତି ମହାରାଜା ଙ୍କ ଦରବାରରେ ରଣପୁର ରାଜା ଙ୍କର ରହିଥିଲା ସ୍ବତନ୍ତ୍ର ସ୍ଥାନ।ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ଠାରୁ ରଣପୁର ର ଦୂରତା ହେଉଛି ମାତ୍ର ୬୨ କିମି। ଭୁବନେଶ୍ବର ଠାରୁ ୧୬ ଜାତୀୟ ରାଜପଥ ରେ ବ୍ରହ୍ମପୁର ରାସ୍ତାରେ ଜଙ୍କିଆ ଠାରୁ ୨୦ କିମି ଡାହାଣ କୁ ଗଲେ ପଡେ ଐତିହାସିକ ସହର ରଣପୁର। ଯାହାକି ପ୍ରଥମେ ପୁରୀ ଜିଲ୍ଲାରେ ଥିଲା। ବର୍ତ୍ତମାନ କିନ୍ତୁ ଏହା ନୟାଗଡ଼ ଜିଲ୍ଲାର ଅଂଶ ବିଶେଷ। ଏହା ନୟାଗଡ଼ ଜିଲ୍ଲାର ଏକ ତହସିଲ। ଏହା ନୟାଗଡ଼ ଜିଲ୍ଲାର ଏକ ବୃହତ୍ ବ୍ଲକ।

ରଣପୁର ହେଉଛି ଦ୍ବିତୀୟ ଶ୍ରୀକ୍ଷେତ୍ର। ଏଠାରେ ରହିଛି ଓଡ଼ିଶାର ପ୍ରାଚୀନ ଶ୍ରୀ ଜଗନ୍ନାଥ ମନ୍ଦିର। ରଣପୁର ର ୯୨ ତମ ରାଜା ଉଦ୍ଧବ ସିଂହ ନରେନ୍ଦ୍ର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସ୍ଵପ୍ନାଦେଶ ପାଇ ୧୩୬୩ ଖ୍ରୀଷ୍ଟାବ୍ଦ ରେ ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କରାଇଥିଲେ। ରଣପୁର ସହର ମଝି ଭାଗରେ ଅବସ୍ଥିତ ଏହି ମନ୍ଦିର। ଦେଖିବାକୁ ପୁରା ପୁରୀ ଶ୍ରୀମନ୍ଦିର ଭଳି। ସେହି ବଡ ଦେଉଳ,ବଡ ଦାଣ୍ଡ, ବଡ ଠାକୁର, ଆନନ୍ଦ ବଜାର, ମେଘନାଦ ପାଚେରୀ, ସିଂହ ଦ୍ଵାର, ପ୍ରସିଦ୍ଧ ରଥଯାତ୍ରା ,ସୁନାବେଶ,ଚନ୍ଦନ ପୁଷ୍କରିଣୀ, ଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର,ସ୍ନାନ ମଣ୍ଡପ ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ବାର ମାସରେ ତେର ପର୍ବ ପର୍ବାଣୀ ଅନୁଷ୍ଠିତ ହୋଇଥାଏ। ଏହି ମନ୍ଦିରରେ ଦ୍ବାଦଶ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ରହିଛି ଏଠାରେ ଛତିଷା ନିଯୋଗ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଷୋହଳ କଳା ରୁ ଗୋଟିଏ କଳା ରଣପୁର ମହାପ୍ରଭୁ ଙ୍କ ଠାରେ ରହିଛି ବୋଲି ବିଶ୍ୱାସ ରହିଛି। ପୁରୀ ନଯାଇ ପାରିଲେ ଭକ୍ତ ରଣପୁର ଆସିଥାଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ।ଏଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁର୍ଣ୍ୟ ମିଳେ ବୋଲି ବିଶ୍ଵାସ ରହିଛି। ଚତୁର୍ଧା ମୁର୍ତ୍ତି ଙ୍କୁ ଦେଖିଲେ ଆଖି ଲାଖିଯିବ। ମହାପ୍ରଭୁ ଙ୍କ ଆଖି ରେ ଆଖି ମିଶାଇଲେ ଆଖିରେ ଲୁହ ଆସିଯିବ। ସେହି ସମୟରେ ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟ ଙ୍କ ଜଗନ୍ନାଥଷ୍ଟକମ୍ ମନେପଡିଯିବ। “ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବଃ ତୁମେ”। ଦ୍ବିତୀୟ ଶ୍ରୀକ୍ଷେତ୍ର ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିର ହେଉଛି ଓଡ଼ିଶା ପର୍ଯ୍ୟଟନ ର ଏକ ପ୍ରମୁଖ ତଥା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସମୟରେ ଏଠାରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ।

ଶ୍ରୀ ଜଗନ୍ନାଥ ମନ୍ଦିର ର ଡାହାଣ ପାର୍ଶ୍ଵରେ ରହିଛି ରଣପୁର ରାଜା ଙ୍କର ସର୍ବପ୍ରାଚୀନ ଐତିହାସିକ ରାଜପ୍ରସାଦ।ଯେଉଁ ଠାରୁ ଦିନେ ସାରା ରଣପୁର ଗଡ଼ ର ପ୍ରଶାସନିକ କାର୍ଯ୍ୟ ହେଉଥିଲା। ଉତ୍ତର ରେ ରାଜସୁନାଖଳା ଠାରୁ ଦକ୍ଷିଣରେ ଚାନ୍ଦପୁର ଚମ୍ପାଗଡ ଏବଂ ପୂର୍ବରୁ ନରସିଂହପୁର ଗ୍ରାମ ଠାରୁ ପଶ୍ଚିମ ରେ ଦର୍ପନାରାୟଣପୁର ପର୍ଯ୍ୟନ୍ତ ରଣପୁର ଗଡଜାତ ପରିବ୍ୟାପ୍ତ ଥିଲା। ରଣପୁର ରାଜପ୍ରସାଦ ରେ ରହିଛି ରାଜାମହଲ, ରାଣୀମହଲ ଏବଂ ବହୁ ପ୍ରାଚୀନ ଗୃହ ସବୁ। ଏହା ରଣପୁର ପର୍ଯ୍ୟଟନ ର ଏକ ପ୍ରମୁଖ ସ୍ଥାନ। ଯାହାକି ରହିଛି ରଣପୁର ସହର ର ମଧ୍ୟ ଭାଗରେ।

ରଣପୁର ସହର ର ପଶ୍ଚିମ ପାର୍ଶ୍ଵରେ ରହିଛି ମୈନାକ ପର୍ବତ। ମୈନାକ ପର୍ବତ ର ଉପରେ ରହିଛି ମା ମଣିନାଗ ମନ୍ଦିର। ଯାହାକୁ ଉପର ମଣିନାଗ କୁହାଯାଏ। ରଣପୁର ର ପ୍ରଥମ ରାଜା ବିଶ୍ବାବାସବ ଙ୍କ ଦ୍ୱାରା ଖ୍ରୀ ପୂ ୧୭୨୭ ଖୀଷ୍ଟାବ୍ଦ ରେ ପ୍ରତିଷ୍ଠିତ ମା ମଣିନାଗ। ମା ମଣିନାଗ ହେଉଛନ୍ତି ରଣପୁର ଗଡଜାତ ର ଗଡଦେବୀ। ପାହାଡ଼ ର ତଳେ ରହିଛି ଆଉ ଏକ ମଣିନାଗ ମନ୍ଦିର। ଯାହାକୁ ତଳ ମଣିନାଗ ମନ୍ଦିର କୁହାଯାଏ। ତଳ ମଣିନାଗ ଠାରୁ ଉପର ମଣିନାଗ କୁ ଏକ ଘାଟୀ ରାସ୍ତା ରହିଛି। ଅତି ସୁନ୍ଦର ସ୍ଥାନ। ବର୍ଷ ଯାକ ଏଠାରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଲାଗିରହିଥାଏ। ତଳ ମଣିନାଗ ମନ୍ଦିର ପାଖରେ ରହିଛି ହନୁମାନ ଙ୍କ ମନ୍ଦିର।ଯାହାକି ଦେଖିଲେ ଆଖି ଲାଖିଯିବ। ଉପର ମଣିନାଗ ରୁ ରଣପୁର ସହର ର ସୌନ୍ଦର୍ଯ୍ୟ ଭରା ମନୋରମ ଦୃଶ୍ୟ ଅତି ସୁନ୍ଦର। ଏହା ଓଡ଼ିଶା ପର୍ଯ୍ୟଟନ ର ଏକ ପ୍ରସିଦ୍ଧ ସ୍ଥାନ।

ରଣପୁର ସହରର ଶାମୁକା ସାହି ଠାରେ ରହିଛି ବାବା ସ୍ବପ୍ନେଶ୍ବର ମନ୍ଦିର। ଏହା ଏକ ପୁରାତନ ଶୈବପୀଠ। ଏହା ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ।

ରଣପୁର ସହର ଠାରୁ ନୟାଗଡ଼ ରାସ୍ତାରେ ୮ କିମି ଆଗକୁ ଗଲେ ବଜ୍ରକୋଟ ଗ୍ରାମ ନିକଟରେ ପାହାଡ ତଳେ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନ ରେ ଅବସ୍ଥିତ ମା ଅସୁରକୁମାରୀ ମନ୍ଦିର ଏବଂ ଝରଣା।ଯେଉଁଠାରେ ବାଙ୍କୀ ର ମା ଚର୍ଚ୍ଚିକା ବଧ କରିଥିଲେ ରଣାସୁର କୁ। ଯାହାର ନାମ ଅନୁସାରେ ରଣପୁର ର ନାମକରଣ ହୋଇଛି। ଏହା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ମନୋରମ ସ୍ଥାନ। ଏଠାରେ ମା ଙ୍କ ମନ୍ଦିର ସହିତ ରହିଛି ଏକ ସୁଉଚ୍ଚ ଝରଣା। ପାହାଡ଼ ଉପରକୁ ରହିଛି ଏକ ପାଦଚଲା ପାହାଚ ର ରାସ୍ତା। ଶୀତ ଋତୁରେ ଏଠାରେ ରାଜ୍ୟ ର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ହୁଏ। ଏହା ବଣଭୋଜି ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏଠାରେ ରହିଛି ମନୋରମ ଜଙ୍ଗଲ ଏବଂ ରାସ୍ତାର ଉଭୟ ପାର୍ଶ୍ବରେ ରହିଛି ଦୁଇଟି ବୃହତ ଜଳାଶୟ। ଅତି ସୁନ୍ଦର ସ୍ଥାନ।
ରଣପୁର ଠାରୁ ମଝିଆଖଣ୍ଡ ରାସ୍ତାରେ ଗଲେ ପଡେ ମଝିଆଖଣ୍ଡ ଠାରେ ପ୍ରସିଦ୍ଧ ପଶ୍ଚିମାଭିମୁଖି ବାବା କମଳେଶ୍ବର ଶୈବପୀଠ।ବାବା ଅତି ପ୍ରତ୍ୟକ୍ଷ ଠାକୁର। ସେଠାରୁ ବନ୍ଧମୁଣ୍ଡା ପଞ୍ଚାୟତ ରାସ୍ତାରେ ଗଲେ ପଡେ ଭେଟବର ଡ୍ୟାମ। ସେଠାରୁ ଆଗକୁ ଗଲେ ପଡେ ମା ଖିଲାମୁଣ୍ଡା ଦେବୀ ମନ୍ଦିର। ମା ଅତି ପ୍ରତ୍ୟକ୍ଷ ଠାକୁରାଣୀ। ତାଙ୍କୁ ରଣପୁର ରାଜା ଙ୍କର ଯୁଦ୍ଧଦେବୀ ବୋଲି କୁହାଯାଏ। ମା ଙ୍କ ପାଖରୁ କେହି ଖାଲି ହାତରେ ଫେରିନାହାନ୍ତି। ଦଶହରା ସମୟରେ ମା ଖିଲାମୁଣ୍ଡା ରଣପୁର ରାଜା ଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ଷୋଡ଼ଶ ପୂଜା ପାଇଁ ରଣପୁର ଗଡ କୁ ଆସିଥାନ୍ତି। ସେଠାରୁ ଆଗକୁ ୩ କିମି ଗଲେ ପଡେ ବାବା ଗଙ୍ଗେଶ୍ବର ଶୈବପୀଠ। ଏହା ଏକ ସର୍ବପୁରାତନ ମନ୍ଦିର। ଏହି ମନ୍ଦିର ବର୍ତ୍ତମାନ ସଂପୂର୍ଣ୍ଣ ଭଗ୍ନ ଅବସ୍ଥାରେ ରହିଛି।

ରଣପୁର ଠାରୁ ସୁନାଖଳା ରାସ୍ତାରେ ଗଲେ ପଡେ ବାଘ ଗୁମ୍ଫା।ଏହା ରଣପୁର ପର୍ଯ୍ୟଟନ ର ଏକ ପ୍ରସିଦ୍ଧ ସ୍ଥାନ।

ଆପଣ ରଣପୁର କୁ ବର୍ଷର ଯେ କୌଣସି ସମୟରେ ଆସିପାରିବେ।ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୂର ଆମ ରଣପୁର ଅଂଚଳ।ପ୍ରସିଦ୍ଧ ରଥଯାତ୍ରା, ପନ୍ଚୁଦୋଳ, ଚନ୍ଦନ ଯାତ୍ରା, ଦଣ୍ଡ ଯାତ୍ରା, ଦଶହରା ,ରଣପୁର ମହୋତ୍ସବ ଆଦି ହେଉଛି ରଣପୁର ର ପ୍ରସିଦ୍ଧ ପର୍ବ।

ଉପସ୍ଥାପନା: କଳିଙ୍ଗ କିଶୋର ସେଠୀ

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବିଷୟରେ ଅଜଣା କଥା।

ନ ଚୋତ୍କଳସମୋ ଦେଶୋ ନ ଦେବୀ ବିରଜା ସମା।।
ନ ଚୈକାମ୍ରସମଂ କ୍ଷେତ୍ରଂ ତ୍ରିଷୁ ଲୋକେଷୁ ବିଦ୍ଯତେ।
ଇଦଂ ତ୍ବେକାମ୍ରକଂ କ୍ଷେତ୍ରଂ ସ୍ଥାନଂ ବୈ ବ୍ରହ୍ମଣୋ ବିଦୁଃ।।

ସ୍ଵର୍ଗ, ମର୍ତ୍ତ୍ୟ, ପାତାଳରେ ଏହି ତିନି ଲୋକରେ ଉତ୍କଳ ସମାନ ଦେଶ ନାହିଁ, କି ବିରଜାଙ୍କ ସମାନ ଦେବୀ ନାହାନ୍ତି। ବା ଏକାମ୍ର ସମାନ କ୍ଷେତ୍ର ନାହିଁ। ଏହି ଏକାମ୍ର କ୍ଷେତ୍ର ବ୍ରହ୍ମଙ୍କର ହିଁ ନିବାସସ୍ଥାନ ଅଟେ। ( ସ୍ଵର୍ଣ୍ଣାଦ୍ରି ମହୋଦୟ)

ନିରାକାର ପରମବ୍ରହ୍ମଙ୍କ ସ୍ଵରୁପ ପରମ ଅବ୍ୟକ୍ତ। ତାହା କେବଳ ପରମ ଅନୁଭୂତିର କଥା। ସୃଷ୍ଟିର ପ୍ରତେକ କୋଣ ଅନୁକୋଣରେ ତାଙ୍କର ଉପସ୍ଥିତି। ସକଳ ସୃଷ୍ଟି ତାଙ୍କରି ଭିତରେ ସମାହିତ ହୋଇଅଛି। ସାକାର ଓ ନିରାକାର ଉପାସନ କରି ପରମବ୍ରହ୍ମଙ୍କୁ ପ୍ରାପ୍ତି ହେବା ଏହି ଛାର ଜୀବନର ଉଦ୍ଦେଶ୍ଯ ଅଟେ। ତାଙ୍କୁ ଉପାସନା ନିମିତ୍ତ ବିଭିନ୍ନ ମତବାଦର ସୃଷ୍ଟି। କିଏ ନିରାକାର ଉପାସନା କରେ କିଏ ପୁଣି ସାକାର। ସେହି ସାକାର ନିରାକାର ସ୍ଵରୂପରେ ଆମେ ପରମବ୍ରହ୍ମଙ୍କ ଦିବ୍ୟ ସତ୍ତାକୁ ଅନୁଭବ କରିଥାଉ। ବ୍ରହ୍ମଙ୍କ ଅବ୍ୟକ୍ତ ସ୍ଵରୁପକୁ ସାକାର ସ୍ବରୂପ ଭିତରେ ଦେଖୁ। ମତବାଦ ଅନୁସାରେ ନାମ ଭିନ୍ନ ଭିନ୍ନ ହେଲେ ମଧ୍ଯ ସେ ତ ତତ୍ତ୍ଵତଃ ଏକ। କେବଳ ଯାହା ସ୍ଵରୂପଗତ ଭିନ୍ନତା ଏବଂ ଉପାସନାଗତ ଭିନ୍ନତା ରହିଅଛି। ପରମବ୍ରହ୍ମ ଉପାସନାରେ ଗଣେଶ, ନାରାୟଣ, ରୁଦ୍ର, ଅମ୍ବିକା ଏବଂ ଭାସ୍କର ଆଦି ପଞ୍ଚଦେବତାଙ୍କୁ ପରମବ୍ରହ୍ମଙ୍କ ସ୍ଵରୂପ ବୋଲି କୁହାଯାଇଛି। ଉତ୍କଳରେ ପଞ୍ଚ ଦେବତା ମତବାଦ ଅନୁସାରେ ବ୍ରହ୍ମଙ୍କୁ ଆମେ ଦେବଶ୍ରେଷ୍ଠ ପୁରୁଷୋତ୍ତମ ଜଗନ୍ନାଥ ସ୍ବରୂପରେ କିବା ପୁଣି ନିରାକାର ଶ୍ରୀ ବ୍ରହ୍ମଲିଙ୍ଗ ସଦାଶିବ ଲିଙ୍ଗରାଜ ନାମରେ ପୁଣି କେବେ ଦେବୀ ଶ୍ରେଷ୍ଠା ବ୍ରହ୍ମମୟୀ ବିରଜାଙ୍କ ସ୍ବରୂପରେ ପୁଣି କେବେ ମହାଭାସ୍କର ଅର୍କାଦିତ୍ୟ ଓ ମହାଗଣପତି ନାମରେ। ସମସ୍ତେ ଏକ ଶକ୍ତିର ଭିନ୍ନଭିନ୍ନ ପରିପ୍ରକାଶ। ଯେ ଯାହାକୁ ଯେଉଁ ସ୍ବରୂପରେ ଦେଖିବାକୁ ଚାହେଁ ତାହା ଲାଗି ସେ ଶ୍ରେଷ୍ଠ। ଶ୍ରେଷ୍ଠ ହେଲେ ମଧ୍ୟ ଅନ୍ୟକୁ ଯେ ଛୋଟ ଦେଖାଇବା କେବେବି ଠିକ୍ ନୁହେଁ। ସର୍ବାଗ୍ରେ ଏହି ପାଞ୍ଚ ଏକ ହିଁ ତତ୍ତ୍ଵ। ତାଙ୍କର ମହିମା ବଖାଣିବା ପାଇଁ ବିଭିନ୍ନ ପୁରାଣ ସ୍ତୁତିର ସୃଷ୍ଟି। ଯେଉଁଠାରେ ତାହାଙ୍କ ବିଶେଷ ସ୍ତୁତି ଗାନ କରାଯାଇଅଛି। ସମୟ ଚକ୍ରରେ କିଛି ପୁରାଣ ପ୍ରକାଶ ଓ କେତେକେ ଅପ୍ରକାଶ। ଏହି ପୁରାଣ ନିଜ ନିଜ କ୍ଷେତ୍ରରେ ଶ୍ରେଷ୍ଠ ଅଟନ୍ତି। ଏହାଙ୍କ ଭିତରେ ତୁଳନା କରି ଆପଣା ମତକୁ ଶ୍ରେଷ୍ଠ ଦେଖାଇବା ଅଜ୍ଞାନ ଓ ଅପରିପକ୍ୱତାର ପରିଚୟ ଛଡା ଅନ୍ୟ କିଛି ନୁହେଁ। ସେହିପରି ସମୟ ବିସ୍ମୃତିର ଏକ ଚରିତ ହେଉଛି ଏକାମ୍ର। ଏହି ଏକାମ୍ର ଶ୍ରୀ ପାର୍ବତୀ ପରମେଶ୍ୱରଙ୍କ ଦିବ୍ୟ ଲୀଳାସ୍ଥଳୀ। ଉମା ମହେଶ୍ୱରଙ୍କ ଏହି ଦିବ୍ୟ ଲୀଳାସ୍ଥଳୀକୁ ଭାବରେ ଜାଣିଲେ ଦିବ୍ୟ ଲାଗିବ, ଭାବ ନଥିଲେ ଏହା ସାଧାରଣ ଲାଗିବ।

ବ୍ରହ୍ମଲିଙ୍ଗ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚରିତ।

ପରମବ୍ରହ୍ମ ସ୍ଵୟମ୍ଭୁ ସଦାଶିବ ବିଭିନ୍ନ ଜ୍ୟୋତିର୍ଲିଙ୍ଗ, ସ୍ଵୟମ୍ଭୁ ବ୍ରହ୍ମଲିଙ୍ଗ, ସିଦ୍ଧଲିଙ୍ଗ ଆଦି ମାନଙ୍କରେ ପ୍ରକାଶ ଲାଭ କରିଥାନ୍ତି। ତାଙ୍କ ଲାଗି ଭିନ୍ନ ପବିତ୍ର ପୀଠ ମାନଙ୍କ ଉତ୍ପତ୍ତି। ପବିତ୍ର ଉତ୍କଳ ପ୍ରଦେଶର ଦକ୍ଷିଣ ସାଗର ତୀରଠାରେ ଗନ୍ଧବତୀ ନଦୀ କୂଳରେ ଏକାମ୍ର ବନ ମଧ୍ୟରେ ସ୍ଵର୍ଣ୍ଣକୂଟ ପର୍ବତରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ କେଉଁ ଅନାଦିକାଳରୁ ବିଜେ କରିଅଛନ୍ତି। ଯାହାଙ୍କୁ ତ୍ରିଗୁଣାତୀତ ବ୍ରହ୍ମା, ବିଷ୍ଣୁ, ଶିବ ତତ୍ତ୍ଵଠାରୁ ଉର୍ଦ୍ଧ୍ଵରେ ବ୍ରହ୍ମଲିଙ୍ଗ ବୋଲି ସ୍ତୁତି କରାଯାଏ। ତାଙ୍କର ଅଗଣିତ ସ୍ତୁତିଗାନ ଓ ପୀଠର ଭୂୟସୀ ପ୍ରଶଂସା ବିଭିନ୍ନ ପୁରାଣ, ଉପପୁରାଣ, ସ୍ଥଳ ପୁରାଣ, ଲୋକ ସାହିତ୍ୟ ଆଦି ମାନଙ୍କରେ ବର୍ଣ୍ଣିତ ହୋଇଅଛି। ସେଥି ମଧ୍ୟରୁ ଏକାମ୍ର ପୁରାଣ, ଏକାମ୍ର ଚନ୍ଦ୍ରିକା, ସ୍ଵର୍ଣ୍ଣାଦ୍ରି ମହୋଦୟ, ଶିବ ପୁରାଣ, ଲିଙ୍ଗ ପୁରାଣ, ବ୍ରହ୍ମ ପୁରାଣ, କପିଳ ସଂହିତା, ଶିବ କଳ୍ପଦ୍ରୁମ, ଶିବ ଲୀଳାମୃତ, ବିନ୍ଦୁସାଗର ନାଟକ ଆଦି ଅନେକ ଗ୍ରନ୍ଥରେ ମହାପ୍ରଭୁଙ୍କ ଭୂୟସୀ ପ୍ରଶଂସା କରାଯାଇଅଛି। ସେହି ପୁରାଣ ବର୍ଣ୍ଣିତ କଥା ମାନଙ୍କରୁ ଆସନ୍ତୁ ଜାଣିବା ସେହି ସଦାଶିବଙ୍କ ଦିବ୍ୟ ଲୀଳା ବିଷୟରେ।

ଆମ୍ର ବୃକ୍ଷର ଏକ କ୍ରୋଶ ଛାୟା ତଳେ କୋଟି ଲିଙ୍ଗଙ୍କ ପବିତ୍ର ନିବାସ ଅଟେ। ଏହି ଏକାମ୍ର ବନ ଶ୍ରୀ ବ୍ରହ୍ମଲିଙ୍ଗ ମହାପ୍ରଭୁଙ୍କ ପବିତ୍ର ଧ୍ୟାନପୀଠ ଅଟେ। ମର୍ତ୍ତ୍ୟଲୋକରେ ଏହା ଅନୁତ୍ତମ ବ୍ରହ୍ମସ୍ଥାନ ସହ ପଣ୍ଡିତ ମାନେ ଏହାକୁ ଯଥାର୍ଥରେ ଭୌମସ୍ଵର୍ଗ (ମର୍ତ୍ତ୍ୟଲୋକରେ ଅବସ୍ଥିତ ସ୍ଵର୍ଗସମ ସ୍ଥାନ) ବୋଲି କହିଥାନ୍ତି। ଏହି ପବିତ୍ର ଏକାମ୍ରବନ ପଶ୍ଚିମରେ ଖଣ୍ଡାଚଳଠାରୁ ଆରମ୍ଭ କରି ପୂର୍ବରେ କୁଣ୍ଡଳେଶ୍ବର ଏବଂ ଉତ୍ତରରେ ବଳାହ ଦେବୀଙ୍କ ଠାରୁ ଆରମ୍ଭ କରି ଦକ୍ଷିଣରେ ଧବଳଗିରି ପର୍ଯ୍ୟନ୍ତ ଅଟେ। ଏହି କ୍ଷେତ୍ରର କେନ୍ଦ୍ର ସ୍ଥଳରେ ଦିବ୍ୟ ଆମ୍ରବୃକ୍ଷ ମୂଳରେ ସ୍ଵୟମ୍ଭୁ ପରମେଶ୍ୱର ବ୍ରହ୍ମଲିଙ୍ଗ ରୂପେ ଶ୍ରୀ ସଦାଶିବ ବିଜେ କରିଛନ୍ତି। ଏହି କ୍ଷେତ୍ରର କେନ୍ଦ୍ରଠାରୁ ଆରମ୍ଭ କରି ତିନି ଯୋଜନ ପର୍ଯ୍ୟନ୍ତ ଆୟତନ ମୁକ୍ତି ପ୍ରଦାନ କରିଥାନ୍ତି।

ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଯେଉଁ ଆମ୍ର ବୃକ୍ଷ ମୂଳରେ ବିଜେ କରିଛନ୍ତି ସେ ଅଦୃଶ୍ୟ ଆମ୍ରବୃକ୍ଷ ସ୍ଵୟଂ ସଦାଶିବଙ୍କ ସ୍ଵରୁପ ଅଟନ୍ତି। ଯାହାଙ୍କର ପଞ୍ଚଶାଖା ଚତୁର୍ଦିଗ ସହିତେ ଉର୍ଦ୍ଧକୁ ବ୍ୟାପୀ ଅଛି। ସେହି ପଞ୍ଚ ଶାଖା ସଦାଶିବଙ୍କ ପଶ୍ଚିମ ମୁଖ ସଦ୍ୟୋଜାତ, ଉତ୍ତର ମୁଖ ବାମଦେବ, ଦକ୍ଷିଣ ମୁଖ ଅଘୋର, ପୂର୍ବ ମୁଖ ତତପୁରୁଷ ଏବଂ ଉର୍ଦ୍ଧମୁଖ ଇଶାନଙ୍କୁ ସୂଚୀତ କରିଥାଏ। ସେହି ଏକ ଆମ୍ର ପରିଧି ସିନ୍ଦୁରେଶ୍ବରଙ୍କ ଠାରୁ ଆରମ୍ଭ କରି ମେଘେଶ୍ୱରଙ୍କ ପର୍ଯ୍ୟନ୍ତ ଅଟେ ଯାହାର ପରିସୀମା ଏକ କ୍ରୋଶ ଅଟେ। ଏହି ଏକ କ୍ରୋଶ ପରିଧି ମଧ୍ୟରେ କୋଟିଲିଙ୍ଗ ବିଜେ କରିଅଛନ୍ତି।

ସେହି ଆମ୍ରବୃକ୍ଷ ମୂଳରେ ଶ୍ରୀ ସଦାଶିବ ଲିଙ୍ଗରାଜ ଆଦି ସତ୍ୟଯୁଗରୁ ସ୍ଵୟମ୍ଭୁ ରୂପରେ ପ୍ରକଟ ହୋଇଛନ୍ତି। ଯାହାଙ୍କୁ ସତ୍ୟଯୁଗରେ ହିରଣ୍ୟାକ୍ଷ, ତ୍ରେତୟାରେ ଶ୍ରୀ ଭୃଗୁପତି ପର୍ଶୁରାମ, ଭ୍ରାତା ମାନଙ୍କ ସହିତରେ ଶ୍ରୀ ରଘୁନାଥ, ବିଭୀଷଣ, ପୁଣି କିଛି ମତରେ ରାବଣ ମଧ୍ୟ, ଦ୍ଵାପରରେ ପଞ୍ଚୁପାଣ୍ଡବ ବିଶେଷ କରି ମହାବଳୀ ଭୀମ ଏହି କ୍ଷେତ୍ରକୁ ଆସି ଉପାସନା କରିଯାଇଛନ୍ତି। କଳିଯୁଗରେ ସିଦ୍ଧଭୂତି, ପାଶୁପତ ସମ୍ପ୍ରଦାୟ, ମତ୍ତମୟୂର ସମ୍ପ୍ରଦାୟ ଆଦି ଅନେକ ସିଦ୍ଧ ପୁରୁଷ ମାନେ ଆସି ଶ୍ରୀ ତ୍ରିଭୁବନେଶ୍ବରଙ୍କୁ ଉପାସନା କରି ଯାଇଛନ୍ତି। ଯେପରି ଦୈତେଶ୍ବର, ପର୍ଶୁରାମେଶ୍ଵର, ରାମେଶ୍ୱର, ଲକ୍ଷ୍ମଣେଶ୍ବର, ଭରତେଶ୍ବର, ଶତ୍ରୁଘ୍ନେଶ୍ବର, ଡାକରା ବିଭୀଷଣେଶ୍ବର, ପାଣ୍ଡବଙ୍କ ପ୍ରତିଷ୍ଠିତ ପଞ୍ଚ ଲିଙ୍ଗ ବିଶେଷ କରି ଭୀମେଶ୍ଵର ବିଶେଷ ଭାବେ ପ୍ରସିଦ୍ଧ ଅଟେ। ଏତିକି ନୁହେଁ ବିନ୍ଦୁସାଗରଙ୍କ ପ୍ରତିଷ୍ଠା ପରେ କେତେ କେତେ ଦେବାଦେବୀ ଆସି ଏହି କ୍ଷେତ୍ରକୁ ମହାନୀୟ କରିଯାଇଛନ୍ତି। ତାହାର ପ୍ରମାଣ ତାଙ୍କ ପ୍ରତିଷ୍ଠିତ ଶିବଲିଙ୍ଗ ମାନେ ଦେଇଥାନ୍ତି। ସେହି ଲିଙ୍ଗ ମାନଙ୍କ ମଧ୍ୟରେ ବ୍ରହ୍ମେଶ୍ବର, ସିଦ୍ଧେଶ୍ଵର(ବିଷ୍ଣୁ ଉପାସିତ), ଇନ୍ଦ୍ରେଶ୍ଵର, ମରୁତେଶ୍ବର, କେଦାରେଶ୍ଵର, ଯମେଶ୍ଵର, ଆଦି ଅନେକ ଅନେକ ଦେବତା ପ୍ରତିଷ୍ଠିତ ଲିଙ୍ଗ ମାନ ପ୍ରତିଷ୍ଠା ହୋଇ ଏହି କ୍ଷେତ୍ରର ମହାନୀୟତା ପ୍ରତିପାଦିତ କରିଥାନ୍ତି। ଏହି କ୍ଷେତ୍ର କେତେ ପୁରୁଣା ତାହା ଜ୍ଞାନର ପରିସୀମାର ବାହାରେ।

କ୍ରମଶଃ…….

ଗବେଷଣା ଓ ଉପସ୍ଥାପନା: ଅରବିନ୍ଦ ମହାନ୍ତି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଥିବା ଢ଼ମାଳି ଗୀତ।

ଶ୍ରୀ ଜଗନ୍ନାଥ; ଢ଼ମାଳି ଗୀତ:

( ୧)
ଟିଣା ଜଡ଼ାତେଲ କିଣା କାହାଳି
ଜଗନ୍ନାଥିଆର ହାତ ନାହିଁ ବୋଲି
କହିଲା କିଏ ସେ କାହାର ଶାଳୀ
ଉପରମୁହିଁକୁ ପଚାରିବି କାଲି
କାହା ବୋପା ଦେଲା ବନ୍ଧୁକୁ ଥାଳି?

(୨)
କେମ୍ପା ବାଡ଼ି ସାରା ଡେଙ୍ଗା ସେପେଟା
ଜଗନ୍ନାଥିଆର ଗୋଡ଼ ନାହିଁ ବୋଲି
କହିଲା କିଏ ସେ ଅଇଁଠାଚଟା
ସେ କି ଜାଣିନି ଯୁଝ ଯୁଝିବାକୁ
କାଞ୍ଚି ଯାଇଥିଲା କୋଉ ଲୋକଟା?

(୩)
ପିପିଲି ଶେଜକୁ ଉତ୍ତରା ଖଟ
ଜଗନ୍ନାଥିଆର ପାଟି ନାହିଁ ବୋଲି
କହିଲା କିଏ ସେ ତେଲିଙ୍ଗୀ ଖଣ୍ଟ
ବକତେ ଭାତ ତା ଷାଠିଏ ପଉଟି
ତାକୁ ଅଣ୍ଟୁନାହଁ ସାହିରେ ବାଣ୍ଟ ??

(୪)
ବଡ଼ବଡୁଆକୁ ଗଡ଼ଗଡୁଆ
ଜଗନ୍ନାଥିଆକୁ ଆଖି ବୁଜି ଦେଖ
ଜଣା ପଡିଯିବ କେତେ କାଢୁଆ???

(୫)
ଯାଇ ନାହିଁ ବୋଲି ବଣିଆ ଗଳି
ଗେରସ୍ତ ସଙ୍ଗେ କି କରିବି କଳି
କାଳିଆ ବଳିଆ ଦୁଇ ପୁଅ ମୋର
ମୋ ନଙ୍ଗଳା ବେକର ଦୁଇଟି ମାଳି????

ସଂଗ୍ରହ ଓ ଉପସ୍ଥାପନା: ଶରଣାରବିନ୍ଦ ଓଝା ( ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ)