ଦଣ୍ଡ ଯାତ୍ରାର ପୌରାଣିକ ଉପାଖ୍ୟାନ ଜାଣନ୍ତୁ ।

ଦଣ୍ଡ ପର୍ବରେ ମିଶିଥିବା ଭକ୍ତଙ୍କୁ ଦଣ୍ଡୁଆ ବା ଭୋକ୍ତା କୁହାଯାଏ । ଭୋକ୍ତାମାନେ ବହୁ କଷ୍ଟ କରି ଶରୀରକୁ ଦଣ୍ଡ ଦେଉଥିବାରୁ ଏହାକୁ ଦଣ୍ଡନାଚ କୁହାଯାଏ । ଦଣ୍ଡ ନାଟରେ ମିଶିବାଦ୍ୱାରା ମା’କାଳୀଙ୍କ କୃପାରୁ ପାପ ଓ ଦୁଖ ଦୂର ହୋଇ ମାନବ ଶାନ୍ତି ଓ ଧନ ପ୍ରାପ୍ତ ହୁଏ ବୋଲି ବିଶ୍ୱାସକରି ଓଡ଼ିଶାବାସୀ ଏହି ପର୍ବକୁ ପାଳନ କରନ୍ତି । ଦଣ୍ଡନାଚରେ ୧୩ଜଣ ମୁଖ୍ୟଭୋକ୍ତା ଥାଆନ୍ତି, ଏହି ୧୩ଜଣ ତେର ବର୍ଷ ପାଇଁ ଅଂଶଗ୍ରହଣ କରିବାକୁ ବାଧ୍ୟ । ସେମାନଙ୍କ ମଧ୍ୟରେ ଜଣେ ପାଟଭୋକ୍ତା ଥାଆନ୍ତି । ଭୋକ୍ତାମାନଙ୍କ ପାଇଁ କଠିନ ଆଚରଣ, ନିଷ୍ଠା ଏବଂ ତ୍ୟାଗର ବିଧିବିଧାନ ରହିଛି । ଭୋକ୍ତାମାନେ ଯେଉଁ ୧୬ପ୍ରକାର ଦଣ୍ଡ ପରମ୍ପରା ଅନୁସାରେ ଗ୍ରହଣ କରନ୍ତି ସେଗୁଡ଼ିକ ହେଲା: ଆହାର, ଉଜାଗର (ନିଦ୍ରା), ମୈଥୁନ ତ୍ୟାଗ, ଗୃହତ୍ୟାଗ, ପଦଗମନ, ଶ୍ମଶାନ, ନୃତ୍ୟ, ଧୂଳି, ପାଣି, ଅଗ୍ନି, ଗୃହଦଣ୍ଡ, ଅଙ୍ଗବଳୀ, ମେରୁପଟା (କଣ୍ଟା ଫୋଡ଼ିବା), ଶୁଦ୍ଧିକ୍ରିୟା, କୁଳଭୋଜି, ଅଗ୍ନି ପରିକ୍ଷା (ଅଗ୍ନିରେ ଚାଲିବା) ।

ଲିଆ, ପଣା ତଥା ମୁଗସିଝା ଏମାନଙ୍କର ଖାଦ୍ୟ । ଭୋକ୍ତାମାନେ ଶିବ, ପାର୍ବତୀ, କାଳୀ, କଳସ, ବେତ, ଛତ୍ର, ବାନା, ଆଲଟ, ଚାମର, ଘଣ୍ଟ, ଢୋଲ, ମହୁରୀ, ଶଙ୍ଖ, ତୁରୀ ଧରି ଗାଁକୁ ଗାଁ ବୁଲନ୍ତି । ମାନସିକ କରିଥିବା ବ୍ୟକ୍ତି ସେମାନଙ୍କୁ ନିମନ୍ତ୍ରଣ କରନ୍ତି । ଷୋହଳ ସୁଆଙ୍ଗ ଦଣ୍ଡନାଚର ମୁଖ୍ୟ ଆକର୍ଷଣ । ଯଜମାନଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରି ପାଣିଦଣ୍ଡ, ଧୂଳି ଦଣ୍ଡ, ବଜ୍ର ଦଣ୍ଡ, ଅଗ୍ନି ଦଣ୍ଡ, ନୃତ୍ୟ ଦଣ୍ଡ ଆଦି ବରଣ କରନ୍ତି । ପ୍ରଚଣ୍ଡ ଖରାରେ ତତଲା ବାଲି ଉପରେ ଗଡ଼ି, ପିରାମିଡ଼ କରି ଭୋକ୍ତାମାନେ ପାଣିଦଣ୍ଡ ନୃତ୍ୟ ପରିବେଷଣ କରନ୍ତି । ଶିବ ପାର୍ବତୀ, ଯୋଗିଯୋଗିଆଣୀ, କେଳା କେଳୁଣୀ, ଶବର ଶବରୁଣୀ, ହାଡ଼ି ହାଡ଼ିଆଣୀ, ଚଢ଼େୟା ଚଢ଼େୟାଣୀ, ବୀଣାକାର ଇତ୍ୟାଦି ସୁଆଙ୍ଗ ଦର୍ଶକମାନଙ୍କୁ ଆକୃଷ୍ଟ କରେ । ସୁଆଙ୍ଗବେଳେ ଚରିତ୍ରକୁ ଚାହିଁ ବେଶ ପୋଷାକ ପିନ୍ଧିଥାନ୍ତି ।

ପୌରାଣିକ, କୃଷିଭିତ୍ତିକ ଏବଂ ସାଧାରଣ ଜୀବନ ଦର୍ଶନର ପ୍ରଭାବ ଦଣ୍ଡନାଟ ସୁଆଙ୍ଗରେ ଦେଖିବାକୁ ମିଳିଥାଏ । ଏଥିରେ ଅତି ସରଳ ଗ୍ରାମୀଣ ଭାଷା ବ୍ୟବହାର କରାଯାଇଥାଏ । ବିଷୁବ ସଂକ୍ରାନ୍ତି ଦିନ ଦଣ୍ଡନାଚ ଶେଷ ହୁଏ । ଏହି ଶେଷଦିନକୁ ମେରୁ ପୂଜା କୁହାଯାଏ । ପ୍ରଜ୍ଜ୍ୱଳିତ ଅଗ୍ନି ଉପରେ ମେରୁ ଖୁଣ୍ଟରେ ଝୁଲି ପାଟଭୋକ୍ତା ଭକ୍ତମାନଙ୍କ ପାଇଁ ଶାରିରୀକ କଷ୍ଟ ଗ୍ରହଣ କରନ୍ତି । ଘଣ୍ଟ, ଝାଞ୍ଜ ଓ ଢୋଲ ଇତ୍ୟାଦି ବାଦ୍ୟଯନ୍ତ୍ର ବାଜୁଥିବା ବେଳେ ଭୋକ୍ତାମାନଙ୍କ କଳାରୁଦ୍ରମଣିକି ଭଜ ହେ ଧ୍ୱନି ଶ୍ରଦ୍ଧାଳୁଙ୍କ ମନରେ ଭୟ ମିଶ୍ରିତ ଭକ୍ତି ଭାବ ସୃଷ୍ଟି କରିଥାଏ । ଏହାର ପରଦିନ କୁଳଭୋଜି ହୁଏ, ସମସ୍ତେ ଏକାଠି ବସି ଖାଆନ୍ତି ଓ ନିଜ ନିଜର ଶୁଦ୍ଧିକ୍ରିୟା କରି ଭୋକ୍ତାମାନେ ଘରକୁ ବାହୁଡ଼ନ୍ତି ।

ପୌରାଣିକ ଉପାଖ୍ୟାନ- ୧
ଥରେ ଦକ୍ଷ ପ୍ରଜାପତି ଯଜ୍ଞର ଆୟୋଜନ କରି ନିଜ କନ୍ୟା ସତୀ ଓ ଜାମାତା ଶିବଙ୍କ ବ୍ୟତୀତ ସବୁ ଦେବତାମାନଙ୍କୁ ଆମନ୍ତ୍ରିତ କରିଥିଲେ। ଅନିମନ୍ତ୍ରିତ ଭାବରେ ସତୀ ଯଜ୍ଞସ୍ଥଳକୁ ଯିବାରୁ ଦକ୍ଷ ତାଙ୍କୁ ଭର୍ତ୍ସନା କରିବା ସହିତ ଶିବଙ୍କୁ ଅପମାନ ଦେଇ ଅନେକ କଥା କହିଲେ। ଏହା ସହି ନ ପାରି ସତୀ ଯଜ୍ଞକୁଣ୍ଡରେ ଝାସଦେଇ ପ୍ରାଣତ୍ୟାଗ କଲେ। ଏହି ସମ୍ବାଦ ପାଇ ଶିବ କ୍ରୋଧାନ୍ୱିତ ହୋଇ ଦକ୍ଷଙ୍କର ଶିରଚ୍ଛେଦର କରିଥିଲେ। ତାଙ୍କର ଉଗ୍ରରୂପକୁ ଶାନ୍ତ କରିବାପାଇଁ ଦକ୍ଷ ପତ୍ନୀ ପ୍ରସୂତୀ ଅର୍ଘ୍ୟ ଦେଇ ବନ୍ଦା କରିବାକୁ ଆସନ୍ଦେ ଶିବଙ୍କର ଦିଗମ୍ବର ରୂପକୁ ଦେଖି ତାଙ୍କୁ ଲିଙ୍ଗରୂପରେ ପୂଜା ପାଇବାକୁ ଅଭିଶାପ ପ୍ରଦାନ କଲେ। ଅଭିଶାପ ହେତୁ ଶିବଲିଙ୍ଗ ଭୂପତିତ ହେଲା ଏବଂ ଆଦିଶକ୍ତି ଉଭା ହୋଇ ଏହି ଲିଙ୍ଗକୁ ଧାରଣ କଲେ। ସେହିଦିନଠାରୁ ଶିବଶକ୍ତି ଦଣ୍ଡ ଓ ଘଡ଼ି ରୂପରେ ପୂଜା ପାଇଥାନ୍ତି। ବ୍ରହ୍ମା ଏହି ଦଣ୍ଡ-ଘଡ଼ି ପୂଜା କରିବାକୁ ଚଢ଼େଇଆକୁ ଦେଲେ। ସେହି ଦିନଠାରୁ ଦଣ୍ଡଯାତ୍ରାର ଆରମ୍ଭ ହେଲା।

ପୌରାଣିକ ଉପାଖ୍ୟାନ- ୨
ବ୍ରହ୍ମାଙ୍କ ପାଞ୍ଚ କୁମାର ମରୀଚି, ପୁଲହ, ପୁଲସ୍ତ୍ୟ, କ୍ରତୁ ଓ ଅଙ୍ଗିରା ଇନ୍ଦ୍ରଙ୍କ ପାଞ୍ଚ ପୁଅ ଜୟନ୍ତ, ପାକଶାସ୍ତ୍ରୀ, ସୁବତ୍ସ, ସୁରସେନ, ଗନ୍ଧର୍ବସେନ ଓ କୁବେରଙ୍କ ତିନିପୁତ୍ର ନଳ, ମଣିଭଦ୍ର, ସୁକୁବେର ସତ୍ୟ ଯୁଗରେ ଦେବଗୁରୁ ବୃହସ୍ପତିଙ୍କଠାରୁ ବିଦ୍ୟାଶିକ୍ଷା କରି ଫେରୁଥିବା ସମୟରେ ପିତୃଲୋକଙ୍କୁ ଜଳଦାନ କରୁଥିବା ଋଷି କର୍ତୃଙ୍କୁ ଦେଖି ହସିବାରୁ ଶାପିତ ହୋଇ କୁଷ୍ଠରୋଗାକ୍ରାନ୍ତ ହେଲେ। ଏଥକୁ ମୁକ୍ତି ପାଇବାକୁ ସେମାନେ ମହାଦେବ ଶିବଙ୍କ କୃପାପ୍ରାର୍ଥୀ ହେଲେ। ତେବେ ମହାଦେବ ସ୍ୱୟଂ ଆଦିଶକ୍ତିଙ୍କୁ ସ୍ମରଣ କରୁଥିଲେ। ଏ ସମୟରେ ମା କାଳୀ ଆବିର୍ଭୁତା ହୋଇ ୧୩ ଦିନ ରୁଦ୍ରକାଳୀ ଦଣ୍ଡବ୍ରତ ପାଳନ କରିବାକୁ କହିବାରୁ ଦଣ୍ଡଯାତ୍ରାର ଆରମ୍ଭ ହେଲା।

ପୌରାଣିକ ଉପାଖ୍ୟାନ- ୩
ତରଣୀ ଋଷିଙ୍କର ୧୪ ଜଣ ଉଦ୍ଧତ ପୁଅ ଅନେକ ଅନ୍ୟାୟ ଅତ୍ୟାଚାର କରୁଥିଲେ। ସେମାନଙ୍କ ଭିତରୁ ଜଣେ ଅଭକ୍ଷ୍ୟ ଭକ୍ଷଣ କରି ମୃତ୍ୟୁବରଣ କଲା ଓ ଅନ୍ୟମାନଙ୍କୁ ବ୍ରହ୍ମା ଉଇହୁଙ୍କା ପାଲଟି ଯିବାକୁ ଅଭିଶାପ ଦେଲେ। ସେହି ତେରଜଣଙ୍କ ଭିତରୁ ଜଣେ ଶିବଙ୍କ ଶରଣାପନ୍ନ ହୋଇ ଦଣ୍ଡ ପାଳନ କରି ବ୍ରହ୍ମାଙ୍କୁ ତୁଷ୍ଟ କଲା ଓ ତେରଭାଇ ଶାପମୁକ୍ତ ହେଲେ। ଏହି ତେର ଋଷିପୁତ୍ରଙ୍କୁ ନେଇ ତେର ଦଣ୍ଡନାଟର ଆରମ୍ଭ ବୋଲି କଥିତ ଅଛି।

ପୌରାଣିକ ଉପାଖ୍ୟାନ- ୪
ଅଷ୍ଟାବକ୍ର ଋଷିଙ୍କର କୁରୂପ ଶରୀରକୁ ଦେଖି ବୃହସ୍ପତି, ଇନ୍ଦ୍ର ଓ କୁବେରଙ୍କର ୧୩ ପୁତ୍ର ପରିହାସ କରିବାରୁ ଋଷିଙ୍କ ଅଭିଶାପରେ ସେମାନେ ଚଢ଼େୟା ଶବର ଭାବେ ପୃଥିବୀ ପୃଷ୍ଠରେ ଜନ୍ମ ଗ୍ରହଣ କଲେ। ଥରେ ନିଷିଦ୍ଧ ଅଞ୍ଚଳରେ ପକ୍ଷୀ ଶିକାର କରିବାରୁ ପକ୍ଷୀମାନେ ଗରୁଡ଼ଙ୍କୁ ନିଜର ଦୁଃଖ ଜଣାଇଲେ। ଫଳତଃ ଗରୁଡ଼ଙ୍କ ଆଦେଶରେ ଶିବଙ୍କର ସର୍ପ ଦଂଶନ କରି ମାରିଦେଲେ। ସେମାନଙ୍କ ପତ୍ନୀ ମା କାଳୀଙ୍କୁ ପ୍ରାର୍ଥନା କରିବାରୁ ସେ ୧୩ ଜଣ ଚଢ଼େୟାଙ୍କୁ ଜୀବଦାନ ଦେଲେ। ଏହି ମହିମାକୁ ପ୍ରଚାର କରିବାପାଇଁ ୧୩ ଜଣ ଦଣ୍ଡୁଆ ଦଣ୍ଡକାଳୀ ବ୍ରତ ଧାରଣ କରିବାର କିମ୍ବଦନ୍ତୀ ରହିଛି।

Share if you Care