କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟା।

ଓଡି଼ଶା ଯାହାର ପ୍ରତ୍ୟକ ମାସରେ କିଛି ନା କିଛି ପର୍ବପର୍ବାଣୀ ଓ ସେହି ପର୍ବ କିଛି ବିଶେଷ ମହତ୍ବ ବହନ କରେ। ଏଇ ଜଗନ୍ନାଥ ଧାମରେ ମାଟି ପାଣି ସବୁ ପବିତ୍ର ତେଣୁ ଏ କ୍ଷେତ୍ରେ ଅଣୁ ଠାରୁ ବୃହତ ବୃକ୍ଷ ସହିତ ସଭିଙ୍କୁ ପୂଜନ ଓ ସମ୍ମାନ କରାଯାଏ। ଆମେ ସମସ୍ତେ ଶୁଣିଛେ ବାର ମାସରେ ତେର ଯାତରା ପ୍ରତ୍ୟେକ ଓଡି଼ଆଙ୍କ ଘରେଘରେ ପାଳନ କରାଯାଏ ସେହି ଅନ୍ତରାଳରେ ଗୋଟିଏ ବିଶେଷ ପର୍ବ ହେଉଛି ବୈଶାଖ ଶୁକ୍ଳପକ୍ଷ ତୃତୀୟା ବା ଅକ୍ଷୟ ତୃତୀୟା ଯାହାକୁ ଆମେ ସ୍ଥାନିୟ ଭାବେ ଅକ୍ଷୀ ତୃତୀୟା କହିଥାଉ। ଅକ୍ଷୟ ଶବ୍ଦର ଅର୍ଥ ହେଉଛି ଯାହା କ୍ଷୟ ହୁଏ ନାହିଁ ଏହି ଦିନ କୌଣସି କାର୍ଯ୍ୟ ଆରମ୍ଭ କଲେ ତାହା କ୍ଷୟ ନହୋଇ ଅକ୍ଷୁର୍ଣ୍ଣ ରହିଥାଏ, ତାହା ହିଁ ଏ ପର୍ବର ବିଶେଷତା। ଆମର ଓଡି଼ଶାର ସମସ୍ତ ପର୍ବମାନଙ୍କରେ କିଛି ନା କିଛି କାରଣ ଓ ବୈଜ୍ଞାନିକ ମହତ୍ବ ଥାଏ ଏବଂ।ଏଥିରେ ମଧ୍ୟ ଅଛି। ଆମେ ଜାଣିଛେ ଅକ୍ଷୟ ତୃତୀୟାରେ ସାଧାରଣତଃ ବିଲରେ ଅକ୍ଷୀ ମୁଠି ଅନୁକୂଳ କରାଯାଏ,ଏହି ପବିତ୍ର ଦିନରେ ଅକ୍ଷି ମୁଠି ବୁଣି ଭୁମିକର୍ଷଣ ଆରମ୍ଭ କରେ ଚଷାପୁଅ।ଏହି ମହାନ ଦିନଟି କାହିଁ କେଉଁ ଅନାଦି କାଳରୁ ଚାଲି ଆସୁଥିବାବେଳେ କୃଷକ ଭାଇମାନେ ନୂତନ ଟୋକେଇ ବା ବାଉଁସିଆରେ ବିହନକୁ ସାଙ୍ଗରେ ଧରି ହଳ ଲଙ୍ଗଳ ସହିତ ବିଲକୁ ଯାଇଥାଏ। ବିଲରେ ଧନଧାନ୍ୟର ଦେବୀ ମା ଲକ୍ଷ୍ମୀଙ୍କୁ ପୂଜା ଆରାଧନା କରି ଜମିକୁ ହଳ କରି ନୂତନ ବିହନକୁ ବୁଣିଥାଏ ଓ ତାର ଶଷ୍ୟ ତାର ପରିଶ୍ରମ ସର୍ବଦା ଅକ୍ଷୟ ରହୁ ଏହା ହିଁ ପ୍ରାର୍ଥନା କରେ। ଏଥିପାଇଁ କେବଳ ଶଷ୍ୟ ବୋଲି ନୁହଁ ଘରେ ଘରେ ଜମିଠାରୁ ଆରମ୍ଭ କରି ବହୁ ଅଳଙ୍କାର ଆଦି ଏହି ଦିନରେ କ୍ରୟ କରିଥାନ୍ତି ଓ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମମାନ ମଧ୍ୟ ଅନୁକୂଳ କରିଥାନ୍ତି।

ଏହି ବୈଶାଖ ମାସରେ ଧାନ ବିହନ ବୁଣିବାର ବା ହଳ କରିବାର କାରଣ ଅଛି ଏହାର କାରଣ ଗ୍ରୀଷ୍ମ ଦିନରେ ଜମିର ମାଟି ହାଲୁକା ଓ ଉର୍ବର ଥାଏ ତେଣୁ ଫସଲ ବୁଣିବା ପାଇଁ ସମ୍ପୁର୍ଣ୍ଣ ଉପଯୋଗୀ ହୁଏ। କଥାରେ ଅଛି;-

ଜ୍ୟେଷ୍ଠାଳି ବୁଣା ବୁଣନ୍ତି ଖରୁଡି
ସେଥିରୁ ବଳିଲେ ଚଷାଯାଏ ହୁଡି଼

ଏହାର ଅର୍ଥ ଜ୍ୟେଷ୍ଠମାସ ବା ଖରାଦିନେ ଖରୁଡି ବୁଣା ନ ସରିଲେ ବର୍ଷା ହୋଇଗଲେ ବତୁରୀ ଅର୍ଥ ଓଦା ମାଟିରେ ବୁଣାଯାଏ ଯାହା ଦ୍ବାରା ମାଟି କାଦୁଆ ହୁଏ ବଳଦକୁ ହଳ କରିବାକୁ କଷ୍ଟ ହୁଏ ଓ ମାଟି ଶୁଖିଗଲା ପରେ ବିହନ ଗଜା ହୋଇ ଉପରକୁ ଆସିବା କଷ୍ଟ ହୁଏ। ତେଣୁ କରି ଏ ଅକ୍ଷୟ ତୃତୀୟା ହେଉଛି ଉତ୍କୃଷ୍ଟ ସମୟ ବିହନ ଆଦି ବୁଣିବାର ଓ ଚାଷ କାର୍ଯ୍ୟ ଆରମ୍ଭ କରିବାର।

ପୌରାଣିକ ଦୃଷ୍ଟିକୋଣରୁ ଏ ଦିନର ମହତ୍ତ୍ୱ ଯଥେଷ୍ଟ ଅଧିକ । ଏହି ଦିନକୁ ସତ୍ୟ ଯୁଗର ପ୍ରାରବ୍ଧ ଦିବସ ରୂପେ ଗ୍ରହଣ କରାଯାଇଛି । ଅକ୍ଷୟ ତୃତୀୟାରେ ଋଷି ବେଦବ୍ୟାସ ଓ ପ୍ରଭୁ ଗଣେଷ ମହାଭାରତ ଲେଖିବା ଆରମ୍ଭ କରିଥିଲେ । ପୌରାଣିକ କାଳରେ ଅକ୍ଷୟତୃତୀୟାରୁ ତ୍ରେତୟା ଯୁଗ ଆରମ୍ଭ ହେଉଥିବା ବେଳେ ପାପ-ନାଶିନୀ ଗଙ୍ଗା ପୃଥିବୀ ପୃଷ୍ଠରେ ପ୍ରବାହିତ ହୋଇଥିଲେ ବୋଲି କିମ୍ବଦନ୍ତୀ କହେ । ଅକ୍ଷୟତୃତୀୟା ତିଥିରେ ଶ୍ରୀକୃଷ୍ଣ ବାଲ୍ୟ ବନ୍ଧୁ ସୁଦାମାଙ୍କୁ ଭେଟି ତାଙ୍କ ଦାରିଦ୍ର୍ୟର ଅନ୍ତ ଘଟାଇଥିଲେ । ଏଣୁ ଏହି ତିଥିକୁ ସମୃଦ୍ଧି ଓ ସୌଭାଗ୍ୟର ତିଥି ବୋଲି ବିଶ୍ୱାସ କରାଯାଏ । ଏହି ଦିନ ସ୍ଵର୍ଣ୍ଣ କ୍ରୟ କଲେ ଲକ୍ଷ୍ମୀ ଧନଧାନ୍ୟରେ ଗୃହ ପୂରିଦିଅନ୍ତି ବୋଲି ବିଶ୍ଵାସ ଅଛି । ଏହି ଦିନରେ ସଧବା ସ୍ତ୍ରୀମାନେ ଷଠିବୁଢ଼ୀ ପୂଜା କରନ୍ତି । ବଳଦେବ ଜିଉ ମନ୍ଦିରରେ କୃଷିର ଆରାଧ୍ୟ ଦେବ ହଳାୟୁଧ ବଳରାମ ଓ ରେବତୀଙ୍କ ବିବାହୋତ୍ସବ ଅନୁଷ୍ଠିତ ହୁଏ । ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ଜୟନ୍ତୀ, ମା ଅନ୍ନପୂର୍ଣ୍ଣାଙ୍କ ଜୟନ୍ତୀ ଓ ଗୀତଗୋବିନ୍ଦ ରଚୟିତା କବି ଜୟଦେବଙ୍କ ଜୟନ୍ତୀ ପାଳନ ହୁଏ । ବହୁତ କମ ସମୟ ଖୋଲାଯାଉଥିବା ବଦ୍ରୀନାଥ ଧାମ ଏହି ଦିନ ଖୋଲାଯାଇଥିବା ବିଧି ରହିଛି ।

ଅକ୍ଷୟ ତୃତୀୟା ହେଉଛି ଆବୁଝା ମୁହୁର୍ତ୍ତ ବା ସ୍ବୟଂ ସିଦ୍ଧ ମୁହୂର୍ତ୍ତ। ଅର୍ଥାତ୍ ଯେଉଁ ତିଥିର ସବୁ ସମୟରେ ଶୁଭ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ ସମ୍ପର୍ଣ୍ଣ କରିହେବ ଏବଂ କୌଣସି ସମୟକୁ ବିବେଚନା କରାଯିବ ନାହିଁ, ତାହାକୁ ଆବୁଝା ମୁହୁର୍ତ୍ତ କିମ୍ବା ସ୍ବୟଂ ସିଦ୍ଧ ମୁହୂର୍ତ୍ତ ବୋଲି କୁହାଯାଏ। ଏହି ଦିନ ଦାନ,ଧର୍ମ ଏବଂ ଶୁଭ କାର୍ଯ୍ୟ କରିବା ଦ୍ବାରା ଅକ୍ଷୟ ଫଳ ବା ସୌଭାଗ୍ୟ ପ୍ରାପ୍ତି ହୁଏ। ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ଜନ୍ମ ତିଥି। ଏହାକୁ ପର୍ଶୁରାମ ଜୟନ୍ତୀ ବୋଲି ମଧ୍ୟ କୁହାଯାଏ।ବିଶ୍ୱାସ କରାଯାଏ ଯେ, ବୈଶାଖ ମାସର ଶୁକ୍ଲ ପକ୍ଷ ତିଥିରେ ମାତା ଗଙ୍ଗାଦେବୀ ଧରା ପୃଷ୍ଠରେ ଅବତାରଣ କରିଥିଲେ।ଅକ୍ଷୟ ତୃତୀୟା ତିଥିରେ ସତ୍ୟଯୁଗ ଏବଂ ତ୍ରେତୟାଯୁଗ ର ଆରମ୍ଭ ହୋଇଥିଲା।

ଅସ୍ୟାଂ ତିଥୌ କ୍ଷୟମୁର୍ପତି ହୁତଂ ନ ଦତ୍ତମ୍
ତେନାକ୍ଷୟେତି କଥିତା ମୁନିଭିସ୍ତୁତୀୟା।
ଉଦ୍ଦିଶ୍ୟ ଦୈବତପିତୁକ୍ରିୟନ୍ତେ ମନୁଷ୍ୟୈଃ
ତତ୍ ଚ ଅକ୍ଷୟଂ ଭବତି ଭାରତ ସର୍ବମେବ।।

ଗୀତାରେ ଶ୍ରୀକୃଷ୍ଣ ଯୁଦ୍ଧିଷ୍ଠିରଙ୍କୁ କହୁଛନ୍ତି,” ହେ ଯୁଦ୍ଧିଷ୍ଠିର ! ଏହି ତିଥୀରେ କରାଯାଇଥିବା ଦାନ ଓ ଯଜ୍ଞ ଆଦି କଦାପି କ୍ଷୟ ଯିବନାହିଁ।ଏଥିପାଇଁ ମୁନୀମାନେ ଏହାକୁ ଅକ୍ଷୟ ତୃତୀୟା କହିଛନ୍ତି। ଏହି ଦିନରେ ଯଦି ଦେବତା ଓ ପୂର୍ବପୁରୁଷଙ୍କୁ ଉତ୍ସର୍ଗ କରି ଯେଉଁ କର୍ମ ଆରମ୍ଭ କରାଯାଏ ତାହା ସର୍ବଦା ଅକ୍ଷୟ ରହିଥାଏ।

ଓଡି଼ଶାର ରାଷ୍ଟ୍ର ଦେବତା ହେଲେ ଜଗନ୍ନାଥ ତେବେ ତାଙ୍କର ମାନବୀୟ ଲିଳା ମଧ୍ୟରେ ପୁରାତନ ଦୀର୍ଘ ଓ ସୁନ୍ଦର ଯାତ ହେଉଛି ଚନ୍ଦନ ଯାତ,

ଦୋଳେ ଚ ଦୋଳଗୋବିନ୍ଦ, ଚାପେ ଚ ମଧୁସୁଦନ
ରଥେ ତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମ ନ ଲଭ୍ୟତେ।।

ତେଣୁ ଏହି ଚନ୍ଦନ ଯାତ୍ରାରେ ଯିଏ ମହାପ୍ରଭୁ ମଦମମୋହନଙ୍କୁ ଚାପରେ ଦେଖେ ତାର ସମସ୍ତ ପାପ କ୍ଷୟ ହୁଏ ଓ ତାର ପୁନର୍ଜନ୍ମ ହୁଏ ନାହିଁ ବୋଲି କଥା ଅଛି। ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା) ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ । ଶ୍ରୀମନ୍ଦିରରେ ଏହା ଏକ ଯାତ ଯାହା ସର୍ବ ବୃହତ ସମୟ ଧରି ଚାଲିଥାଏ। ଏଥିରେ ମହାପ୍ରଭୁଙ୍କର ମୂଖ୍ୟ ପ୍ରତିନିଧୀ ବା ଉତ୍ସବ ବିଗ୍ରହ ମଦନମୋହନ ,ଶ୍ରୀଦେବୀ ଓ ଭୂଦେବୀ ମଣିବିମାନରେ ବଡ଼ଦେଉଳରୁ ବାହାରି ଯାଆନ୍ତି ନରେନ୍ଦ୍ର ସରୋବରକୁ ଓ ସେଠାରେ ଧଳା ଚାପ ବା ନନ୍ଦା ଚାପରେ ବିରାଜିତ ହୁଅନ୍ତି ଓ ଶ୍ରୀ ବଡ଼ଠାକୁରଙ୍କ ଉତ୍ସବ ବିଗ୍ରହ ରାମ କୃଷ୍ଣ ଗଜଦନ୍ତ ପାଲିଙ୍କିରେ ଆସିଥାନ୍ତି ସରୋବର ନିକଟକୁ ଓ ତାଙ୍କ ସାଙ୍ଗରେ ରହିଥାନ୍ତି ପଞ୍ଚମହାଦେବ(ମାର୍କଣ୍ଡେୟ,କପାଳମୋଚନ,ଲୋକନାଥ,ନୀଳକଣ୍ଠ,ଜମ୍ବେଶ୍ବର) ଆଦି ଆସି ନାଲି ଚାପ ବା ଭଦ୍ରା ଚାପରେ ବିଜେ କରି ଚାପ ଖେଳିଥାନ୍ତି ଏହି ଦିନରେ ଏକ ବିଶେଷ ଛେନା ମାଣ୍ଡୁଅ ଭୋଗ ହୋଇଥାଏ।

ଏହିତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ । ମନ୍ତ୍ର ପୂଜିତ କୁରାଢି଼ ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି଼ ସ୍ପର୍ଶ କରାଯାଇଥାଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯାଗ ପୂଜା ସମ୍ପାଦନା କରିବାର ବିଧି ରହିଛି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ । ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥନିର୍ମାଣ କରାଯାଏ ।ରଥରେ ଲାଗୁଥିବା କାଠଗୁଡିକ ହେଲା ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମଚାରୀ ରଥଖଳାରେ ଉପସ୍ଥିତ ରହି ଏହିକାର୍ଯ୍ୟ ସୁରୁଖୁରରେ ହେବାରେ ସାହାଯ୍ୟ କରିଥାନ୍ତି । ବାହାର ଚନ୍ଦନ ଯାତ୍ରାର ଶେଷଦିନ ରଥ ଅଖରେ ଚକ ଲାଗେ ।

ତେଣୁ ଆମେ ଦେଖିବାକୁ ଗଲେ ଓଡି଼ଶାର ଏକ ପାରମ୍ପରିକ କୃଷିଭିତିକ ପର୍ବ ହେଉଛି ଅକ୍ଷୟ ତୃତୀୟା ଯାହାକି କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଅଛି। ଯାହାର ମହତ୍ତ୍ବ ଅନେକ, ତେଣୁ ଏ ସବୁ ପର୍ବ ପର୍ବାଣୀ ହେଉଛି ଏ ଓଡି଼ଶା ଜାତିର ପରିଚୟ ଏହି ଭଳି ସଂସ୍କୃତି ପାଇଁ ଓଡି଼ଶା ସମଗ୍ର ବିଶ୍ବରେ ପରିଚିତ। ଓଡି଼ଶାର ଅସ୍ମୀତାକୁ ବଞ୍ଚାଇ ରଖିଛି ଏହି ପର୍ବପର୍ବାଣୀମାନ । ଆମର ଏ ବଳିଷ୍ଠ ସଂସ୍କୃତିମାନ କିପରି ଆଗକୁ ସମସ୍ତେ ଜାଣିପାରିବେ ଓ ଏହା କିପରି ସୁଦୂର ପ୍ରଚାର ପ୍ରସାର ହୋଇପାରିବ ଏହା ଆମ ସମସ୍ତଙ୍କର ଲକ୍ଷ ହେବା ଅତ୍ୟନ୍ତ ଆବଶ୍ୟକ ଅଟେ।

ଉପସ୍ଥାପନା: ଆଫତାବ ହୋସେନ୍

ଅଭିମାନର ଅଭିନେତ୍ରୀ।

ହଁ ପ୍ରିୟେ! ଜଗତ ଜଣଙ୍କର ପଡ଼ିଦାତ୍ରି ବୋଲି ଏବେ ଚଉଦ ଭୁବନ ରେ ହୁଡ଼ି ପଡ଼ିଛି। ତମେତ ସୁଯୋଗ ଖୋଜିବାକୁ ଯାଇ ମୂଳ ସୁତ୍ରର ମଞ୍ଜି ଟା କୁ ପାଇଗଲ। ଆଉ କଣ ନ କଲ ଯେ?ଯେଉଁ କଥା ଦିନେ ଅପହଁଞ୍ଚ ହବା କଥା ତାକୁ ତ କଲ ଏବଂ ଅସମ୍ଭବ କୁ ସମ୍ଭବ ରେ ପରିଣତ କରିବାର ସତ୍ୟତା, ନିଷ୍ଠା, ର ମୂଳ ସୂତ୍ର ଟାକୁ ଜଗତକୁ ଦେଇଗଲ। ଯଦି ଏ ବିଷୟରେ ଏତେ କାଣ୍ଡ ଭିଆଇବାରେ ଥିଲା ତ ମତେ ଟିକେ ଇଶାରା ତ ଦେଇପାରିଥାନ୍ତ। ସେଥିରେ କୋଉ ତମ ମାନମୟୀ ସମ୍ମାନରେ ଆଞ୍ଚ ଆସିଥାନ୍ତା କି? ଦିନ ନାହିଁ କାଳେ ନାହିଁ ଇଶାରା ତ ଛାଡ଼, ତମ ସହଯୋଗୀ ଙ୍କ ସହ ଟିକେ ଆଲୋଚନା ତ କରିପାରି ଥାଆନ୍ତ। ଦଣ୍ଡ ଦେଲ ତ ଦେଲ ପୁଣି ତା ବାର ବର୍ଷ। ସତରେ ସେହି ଦୁଃଖକୁ ଅନୁଭବି ନହେଲେ ଭାବି ବସିବ ବା କିଏ? ଟିକିଏ ବୁଦ୍ଧି ଥିଲେ ଏସବୁ ହେଇ ନଥାନ୍ତା। କିନ୍ତୁ ଏତେ ଶୀଘ୍ର ହେଲା ଯେ ଦେହ ସହିଲାନି। ମତେ ଏକା ହେଲେ ଦେଇଥାନ୍ତ, ବଡ଼ ଭାଇ ଙ୍କୁ ସେଥିରେ ପୁରାଇବା କଣ ଠିକ୍? ଯିଏ ଖାଲି ସବୁ କଥା ରେ ନ ବୁଝି ହଁ ନାହିଁ ରେ କାମ ଚଲେଇ ନିଅନ୍ତି…। ତାଙ୍କ କଥାକୁ ଟିକିଏ ସହି ଯାଇଥିଲେ କଣ ହେଇ ନଥାନ୍ତା।!!!?


ତମର ସେହି ଅଭିମାନ ଭରା ମୁଖଟି ମତେ କାହିଁ ଟିକେ ଅଡ଼ୁଆ ଲାଗୁଥିଲା। ବଡ଼ ଠାକୁରଙ୍କ ରୋକ୍ ଠୋକ୍ କଥା, ତମେ ଏକୁଟିଆ ବସି ଯୋଜନା କରିବାର ଦୃଶ୍ୟ ରୁ ଯଦିଓ ମୁଁ କିଛି ଅନୁମାନ କରି ପାରୁଥିଲି, କିନ୍ତୁ ଏତେ ବଡ ଘଟଣା ଘଟିବ ଏକଥା ଅନୁମାନ କରିପାରି ନଥିଲି। ଆଛା କହିଲ ଦେଖି ମୋର କଣ ଭୁଲ? ଏତେ ବଡ ଦେଉଳ ତ ତମର ନାଁ ରେ ଶ୍ରୀ ମନ୍ଦିର, ଆଉ ଶାସନ ଚାଲେ ବଡ଼ ଭାଇଙ୍କ କଥାରେ। ମୋର ବା ଅଛି କଣ? ଖାଲି ଲୋକେ ଯାହା କୁହନ୍ତି ଯାଉଚି ଜଗା ପାଖକୁ। ଯଦି ବଡ଼ ଭାଇ ରାତିରେ କୁଆଡେ ନ ଯିବାକୁ କହିଲେ, ତାହେଲେ ତାଙ୍କ କଥାକୁ ଟିକିଏ ଆପୋଷ ବୁଝାମଣା ଦ୍ଵାରା ତାର ସମାଧାନ କରିଥିଲେ କଣ ହେଇ ନଥାନ୍ତା? ମୁଁ ମଧ୍ୟ ପ୍ରତିବାଦ କରିପାରିଲି ନାହିଁ। ଯିଏ ତ୍ୟାଗର ମୂର୍ତ୍ତି ବନ୍ତ ପ୍ରତୀକ ତାଙ୍କୁ କହିବାକୁ ଦେହ ସହିଲା ନାହିଁ। ତମେ ଟିକେ ବୁଝେଇ ଥିଲେ ହୋଇଥାନ୍ତା। କିନ୍ତୁ ଆମର ଦେଉଳ,ଖାଦ୍ୟ, ଆଖି, ଚରଣ, ଓ ନାମ କୁ ତମ ନାଁ ରେ ସମର୍ପି ଦେଲା ବେଳେ ତ କାଇଁ ବଡ଼ ଭାଇ ବିରୋଧ କରି ନଥିଲେ। ଯୋଉଥି ପାଇଁ ଆଜି ସବୁ ଜିନିଷର ର ପୂର୍ବରୁ ଶ୍ରୀ ଯୋଗ ହେଇ ତମ ନାଁ ରେ ହେଇ ଯାଇଛି। ରାଗିକି ନିଜେ ଗଲ ଯେ ଗଲ, ହେଲେ ଚଉଦ ଭୁବନ ର ଗହଣା ଓ ଖାଦ୍ୟ କୁ ଶୂନ୍ୟେ ଶୂନ୍ୟେ ଉଡେଇ ନେଲ।। ସକାଳୁ ଦୁଇ ଭାଇ ବିଳମ୍ବରେ ଉଠିବାରୁ ସାଠିଏ ପୋଉଠୀ, ଦ୍ୱାଦଶ ବ୍ୟଞ୍ଜନ, ଛପନ ଭୋଗ କଥା ଛାଡ଼, ଅଭଙ୍ଗା କୁଡୁଆ ଟିଏ ବି ପାଇଲୁନି। ଭୋକରେ ଦୁଇ ଭାଇ ରୋଷ ଶାଳାରେ ପ୍ରବେଶ କରନ୍ତେ, ଖାଦ୍ୟ ପାଇବାତ ଦୂରର କଥା ଖାଲି କଳା ରଙ୍ଗବୋଳିବା ସାର ହେଲା। ସେଦିନ ବଡ଼ ଭାଇଙ୍କ ରୂପ ମନେ ପଡ଼ିଲା ବେଳକୁ ଦେହରେ ଶିହରଣ ଉଠୁଚି। ଖାଲି ରାଗରେ ଜର୍ଜରିତ ହେଲେ ସିନା କିଛି ଲାଭ ହେଲା ନାହିଁ। ଆଛା ପ୍ରିୟେ!! କହିଲ ଦେଖି ତମେ ଗଲ ପୁଣି ସେ ଛତିଶା ନିଯୋଗ ଓ ସହଚାରୀଙ୍କୁ ବି ନେଇଗଲ। କିନ୍ତୁ ସେଦିନ ଆଉ କାହା କଥା ମନେ ପଡ଼ିନଥିଲା। କାରଣ “ଅନ୍ନ ଚିନ୍ତା ଚମତ୍କାର”ର ସତ୍ୟାସତ୍ୟ ସେଦିନ ଅନୁଭବ କରୁଥିଲି।


ମତେ ତ ଯାହା କଲ କଲ, ବଡ଼ ଭାଇଙ୍କ ପ୍ରତି ତମର ବ୍ୟବହାର ନିଶ୍ଚିନ୍ତ ଭାବେ ପର ପିଢ଼ି ପାଈଁ ଏକ ଖରାପ ପରମ୍ପରା ସୃଷ୍ଟି କରିବା ସହ ସବୁ ନୀତି ନିୟମକୁ ଉବେଇ ଟୁବେଇ ନଦେବ !! ଏକଥା କିଏ କହିବ? ଲୋକେ ଆମକୁ ଖାଲି ଲକ୍ଷ୍ମୀ ଛଡା ବୋଲି କହିବେ। ଏହାତ ଗୋଟେ ପରମ୍ପରା ହେଇଯିବ!!। ଏହା ଦ୍ବାରା କେତେ ପରିବାର ଯେ ଉଜୁଡ଼ି ନଯିବ, ସେ କଥା କିଏ କହିବ?
ତେବେ କୁହତ-ଚଣ୍ଡାଳ ସାହି କୁ ଯାଇଥିଲ ବୋଲି ଭାଈ ତମକୁ ସେ ସାହିରେ ଘର କରିବାକୁ କହିଲେ। ଶେଷରେ ତମେ ଚଣ୍ଡାଳ ପରି ଅଭିନୟ କରି ଆମକୁ ସେହି ଚଣ୍ଡାଳ ହାତରୁ ଖାଦ୍ୟ ଖୁଆଇ ଦେଲ। ସତରେ ତମକୁ ତ ଭଲ ଅଭିନୟ ଆସେ? ସେଥିରେ ତମର ଶେଷ ଆଶା, ଅଭିଳାଷ ପୂର୍ଣ୍ଣ କରିବା ପ୍ରୟାସରୁ ଯଦିଓ ମୁଁ କିଛି କିଛି ଅନୁମାନ କରି ସମାଧାନ ଖୋଜି ଦେଇଥାନ୍ତି,,,,କିନ୍ତୁ କ୍ଷୁଧା ର ଜ୍ଵାଳା ରେ ମୋର ଭାବନା ଶକ୍ତି ପ୍ରାୟ ଲୋପ ପାଇଯାଇଥିଲା। ଦାର୍ଶନିକ ମାନଙ୍କ ମତରେ ଯଦିଓ ମୁଖ ମନୁଷ୍ୟର ଦର୍ପଣ କିନ୍ତୁ ମୁଁ କିଛି ଅଭିବ୍ୟକ୍ତ କରି ପାରୁନଥିଲି। କିନ୍ତୁ ଏବେ ବୁଝୁଛି,, ଆମ ଦୁଇ ଜଣଙ୍କ ମଧ୍ୟରୁ ଜଣେ କିଏ ଏକଥା ବୁଝି ଯାଇଥିଲେ,, ଏତେ ବଡ ଘଟଣାଟା ଘଟି ନଥାନ୍ତା। ଆଉ ଆଜି ନିନ୍ଦା ପ୍ରଶଂସା ର ଅଡ଼ୁଆ ଗଣ୍ଠି ଗୁଡ଼ିକ ଖୋଜିବାକୁ ପଡି ନଥାନ୍ତା। ତମେ କଣ ଖାଲି ଶ୍ରୀୟା ଚଣ୍ଡାଳୁଣୀର ର ପ୍ରଭୁ କି? ଆମେ ପରା ଭକ୍ତ ଙ୍କୁ କହୁ——–
“ତ୍ରିପୁରେ ଅଛି ମୁହିଁ ଛନ୍ଦି, ମୋତେ ଭକତ ପାରେ ବାନ୍ଧି,
ଆବୋରି ଥାଏ ବେନି ପାଶେ, ତାର ଚରଣ ରେଣୁ ଆସେ।”
ପୁନଶ୍ଚ——–


“ମୋର ଭକତ ମୋର ମିତ୍ର, ସେ କରେ ଜଗତ ପବିତ୍ର,
ମୁଁ ନୁହେଁ ଭକ୍ତ ଠାରୁ ଭିନ୍ନ, ମୁଁ ଅଟେ ଭକ୍ତ ର ଅଧୀନ।”


ତମେ ଏଥିରେ ଏତେ ଅସହଣୀ ହେଇ ପଡ଼ିଲ ଯେ, ରାତିରେ ତା ଘରକୁ ପଳେଇଲ। ଏ କଥା ଟା ଭାଇଙ୍କ ଆଗରେ ପେଶ କରିଥିଲେ କଣ ତମ ସମ୍ମାନରେ କଳଙ୍କ ଲଗିଯାଇଥାନ୍ତା? ସେ ଯାହାବି ହେଉ, ଭବିଷ୍ୟତରେ ଆଉ ଏପରି ଖରାପ ପରମ୍ପରା ସୃଷ୍ଟି ନ କରିବା ର ଶପଥ ନେବା ସହ ପାରିବାରିକ ସ୍ଥିତିକୁ-“ବୈକୁଣ୍ଠ ସମାନ ଆହା ଅଟେ ସେହି ଘର” ଠାରେ ପହଞ୍ଚାଇବା ସହ ସୁସ୍ଥ ଓ ରମଣୀୟ ପରିବେଶ, ପରମ୍ପରା ସୃଷ୍ଟି କରିବା।।।
“ଜୟ ଜଗନ୍ନାଥ”

ଉପସ୍ଥାପନା: ସତ୍ୟଜିତ ପଣ୍ଡା