ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବିଷୟରେ ଅଜଣା କଥା।

ନ ଚୋତ୍କଳସମୋ ଦେଶୋ ନ ଦେବୀ ବିରଜା ସମା।।
ନ ଚୈକାମ୍ରସମଂ କ୍ଷେତ୍ରଂ ତ୍ରିଷୁ ଲୋକେଷୁ ବିଦ୍ଯତେ।
ଇଦଂ ତ୍ବେକାମ୍ରକଂ କ୍ଷେତ୍ରଂ ସ୍ଥାନଂ ବୈ ବ୍ରହ୍ମଣୋ ବିଦୁଃ।।

ସ୍ଵର୍ଗ, ମର୍ତ୍ତ୍ୟ, ପାତାଳରେ ଏହି ତିନି ଲୋକରେ ଉତ୍କଳ ସମାନ ଦେଶ ନାହିଁ, କି ବିରଜାଙ୍କ ସମାନ ଦେବୀ ନାହାନ୍ତି। ବା ଏକାମ୍ର ସମାନ କ୍ଷେତ୍ର ନାହିଁ। ଏହି ଏକାମ୍ର କ୍ଷେତ୍ର ବ୍ରହ୍ମଙ୍କର ହିଁ ନିବାସସ୍ଥାନ ଅଟେ। ( ସ୍ଵର୍ଣ୍ଣାଦ୍ରି ମହୋଦୟ)

ନିରାକାର ପରମବ୍ରହ୍ମଙ୍କ ସ୍ଵରୁପ ପରମ ଅବ୍ୟକ୍ତ। ତାହା କେବଳ ପରମ ଅନୁଭୂତିର କଥା। ସୃଷ୍ଟିର ପ୍ରତେକ କୋଣ ଅନୁକୋଣରେ ତାଙ୍କର ଉପସ୍ଥିତି। ସକଳ ସୃଷ୍ଟି ତାଙ୍କରି ଭିତରେ ସମାହିତ ହୋଇଅଛି। ସାକାର ଓ ନିରାକାର ଉପାସନ କରି ପରମବ୍ରହ୍ମଙ୍କୁ ପ୍ରାପ୍ତି ହେବା ଏହି ଛାର ଜୀବନର ଉଦ୍ଦେଶ୍ଯ ଅଟେ। ତାଙ୍କୁ ଉପାସନା ନିମିତ୍ତ ବିଭିନ୍ନ ମତବାଦର ସୃଷ୍ଟି। କିଏ ନିରାକାର ଉପାସନା କରେ କିଏ ପୁଣି ସାକାର। ସେହି ସାକାର ନିରାକାର ସ୍ଵରୂପରେ ଆମେ ପରମବ୍ରହ୍ମଙ୍କ ଦିବ୍ୟ ସତ୍ତାକୁ ଅନୁଭବ କରିଥାଉ। ବ୍ରହ୍ମଙ୍କ ଅବ୍ୟକ୍ତ ସ୍ଵରୁପକୁ ସାକାର ସ୍ବରୂପ ଭିତରେ ଦେଖୁ। ମତବାଦ ଅନୁସାରେ ନାମ ଭିନ୍ନ ଭିନ୍ନ ହେଲେ ମଧ୍ଯ ସେ ତ ତତ୍ତ୍ଵତଃ ଏକ। କେବଳ ଯାହା ସ୍ଵରୂପଗତ ଭିନ୍ନତା ଏବଂ ଉପାସନାଗତ ଭିନ୍ନତା ରହିଅଛି। ପରମବ୍ରହ୍ମ ଉପାସନାରେ ଗଣେଶ, ନାରାୟଣ, ରୁଦ୍ର, ଅମ୍ବିକା ଏବଂ ଭାସ୍କର ଆଦି ପଞ୍ଚଦେବତାଙ୍କୁ ପରମବ୍ରହ୍ମଙ୍କ ସ୍ଵରୂପ ବୋଲି କୁହାଯାଇଛି। ଉତ୍କଳରେ ପଞ୍ଚ ଦେବତା ମତବାଦ ଅନୁସାରେ ବ୍ରହ୍ମଙ୍କୁ ଆମେ ଦେବଶ୍ରେଷ୍ଠ ପୁରୁଷୋତ୍ତମ ଜଗନ୍ନାଥ ସ୍ବରୂପରେ କିବା ପୁଣି ନିରାକାର ଶ୍ରୀ ବ୍ରହ୍ମଲିଙ୍ଗ ସଦାଶିବ ଲିଙ୍ଗରାଜ ନାମରେ ପୁଣି କେବେ ଦେବୀ ଶ୍ରେଷ୍ଠା ବ୍ରହ୍ମମୟୀ ବିରଜାଙ୍କ ସ୍ବରୂପରେ ପୁଣି କେବେ ମହାଭାସ୍କର ଅର୍କାଦିତ୍ୟ ଓ ମହାଗଣପତି ନାମରେ। ସମସ୍ତେ ଏକ ଶକ୍ତିର ଭିନ୍ନଭିନ୍ନ ପରିପ୍ରକାଶ। ଯେ ଯାହାକୁ ଯେଉଁ ସ୍ବରୂପରେ ଦେଖିବାକୁ ଚାହେଁ ତାହା ଲାଗି ସେ ଶ୍ରେଷ୍ଠ। ଶ୍ରେଷ୍ଠ ହେଲେ ମଧ୍ୟ ଅନ୍ୟକୁ ଯେ ଛୋଟ ଦେଖାଇବା କେବେବି ଠିକ୍ ନୁହେଁ। ସର୍ବାଗ୍ରେ ଏହି ପାଞ୍ଚ ଏକ ହିଁ ତତ୍ତ୍ଵ। ତାଙ୍କର ମହିମା ବଖାଣିବା ପାଇଁ ବିଭିନ୍ନ ପୁରାଣ ସ୍ତୁତିର ସୃଷ୍ଟି। ଯେଉଁଠାରେ ତାହାଙ୍କ ବିଶେଷ ସ୍ତୁତି ଗାନ କରାଯାଇଅଛି। ସମୟ ଚକ୍ରରେ କିଛି ପୁରାଣ ପ୍ରକାଶ ଓ କେତେକେ ଅପ୍ରକାଶ। ଏହି ପୁରାଣ ନିଜ ନିଜ କ୍ଷେତ୍ରରେ ଶ୍ରେଷ୍ଠ ଅଟନ୍ତି। ଏହାଙ୍କ ଭିତରେ ତୁଳନା କରି ଆପଣା ମତକୁ ଶ୍ରେଷ୍ଠ ଦେଖାଇବା ଅଜ୍ଞାନ ଓ ଅପରିପକ୍ୱତାର ପରିଚୟ ଛଡା ଅନ୍ୟ କିଛି ନୁହେଁ। ସେହିପରି ସମୟ ବିସ୍ମୃତିର ଏକ ଚରିତ ହେଉଛି ଏକାମ୍ର। ଏହି ଏକାମ୍ର ଶ୍ରୀ ପାର୍ବତୀ ପରମେଶ୍ୱରଙ୍କ ଦିବ୍ୟ ଲୀଳାସ୍ଥଳୀ। ଉମା ମହେଶ୍ୱରଙ୍କ ଏହି ଦିବ୍ୟ ଲୀଳାସ୍ଥଳୀକୁ ଭାବରେ ଜାଣିଲେ ଦିବ୍ୟ ଲାଗିବ, ଭାବ ନଥିଲେ ଏହା ସାଧାରଣ ଲାଗିବ।

ବ୍ରହ୍ମଲିଙ୍ଗ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚରିତ।

ପରମବ୍ରହ୍ମ ସ୍ଵୟମ୍ଭୁ ସଦାଶିବ ବିଭିନ୍ନ ଜ୍ୟୋତିର୍ଲିଙ୍ଗ, ସ୍ଵୟମ୍ଭୁ ବ୍ରହ୍ମଲିଙ୍ଗ, ସିଦ୍ଧଲିଙ୍ଗ ଆଦି ମାନଙ୍କରେ ପ୍ରକାଶ ଲାଭ କରିଥାନ୍ତି। ତାଙ୍କ ଲାଗି ଭିନ୍ନ ପବିତ୍ର ପୀଠ ମାନଙ୍କ ଉତ୍ପତ୍ତି। ପବିତ୍ର ଉତ୍କଳ ପ୍ରଦେଶର ଦକ୍ଷିଣ ସାଗର ତୀରଠାରେ ଗନ୍ଧବତୀ ନଦୀ କୂଳରେ ଏକାମ୍ର ବନ ମଧ୍ୟରେ ସ୍ଵର୍ଣ୍ଣକୂଟ ପର୍ବତରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ କେଉଁ ଅନାଦିକାଳରୁ ବିଜେ କରିଅଛନ୍ତି। ଯାହାଙ୍କୁ ତ୍ରିଗୁଣାତୀତ ବ୍ରହ୍ମା, ବିଷ୍ଣୁ, ଶିବ ତତ୍ତ୍ଵଠାରୁ ଉର୍ଦ୍ଧ୍ଵରେ ବ୍ରହ୍ମଲିଙ୍ଗ ବୋଲି ସ୍ତୁତି କରାଯାଏ। ତାଙ୍କର ଅଗଣିତ ସ୍ତୁତିଗାନ ଓ ପୀଠର ଭୂୟସୀ ପ୍ରଶଂସା ବିଭିନ୍ନ ପୁରାଣ, ଉପପୁରାଣ, ସ୍ଥଳ ପୁରାଣ, ଲୋକ ସାହିତ୍ୟ ଆଦି ମାନଙ୍କରେ ବର୍ଣ୍ଣିତ ହୋଇଅଛି। ସେଥି ମଧ୍ୟରୁ ଏକାମ୍ର ପୁରାଣ, ଏକାମ୍ର ଚନ୍ଦ୍ରିକା, ସ୍ଵର୍ଣ୍ଣାଦ୍ରି ମହୋଦୟ, ଶିବ ପୁରାଣ, ଲିଙ୍ଗ ପୁରାଣ, ବ୍ରହ୍ମ ପୁରାଣ, କପିଳ ସଂହିତା, ଶିବ କଳ୍ପଦ୍ରୁମ, ଶିବ ଲୀଳାମୃତ, ବିନ୍ଦୁସାଗର ନାଟକ ଆଦି ଅନେକ ଗ୍ରନ୍ଥରେ ମହାପ୍ରଭୁଙ୍କ ଭୂୟସୀ ପ୍ରଶଂସା କରାଯାଇଅଛି। ସେହି ପୁରାଣ ବର୍ଣ୍ଣିତ କଥା ମାନଙ୍କରୁ ଆସନ୍ତୁ ଜାଣିବା ସେହି ସଦାଶିବଙ୍କ ଦିବ୍ୟ ଲୀଳା ବିଷୟରେ।

ଆମ୍ର ବୃକ୍ଷର ଏକ କ୍ରୋଶ ଛାୟା ତଳେ କୋଟି ଲିଙ୍ଗଙ୍କ ପବିତ୍ର ନିବାସ ଅଟେ। ଏହି ଏକାମ୍ର ବନ ଶ୍ରୀ ବ୍ରହ୍ମଲିଙ୍ଗ ମହାପ୍ରଭୁଙ୍କ ପବିତ୍ର ଧ୍ୟାନପୀଠ ଅଟେ। ମର୍ତ୍ତ୍ୟଲୋକରେ ଏହା ଅନୁତ୍ତମ ବ୍ରହ୍ମସ୍ଥାନ ସହ ପଣ୍ଡିତ ମାନେ ଏହାକୁ ଯଥାର୍ଥରେ ଭୌମସ୍ଵର୍ଗ (ମର୍ତ୍ତ୍ୟଲୋକରେ ଅବସ୍ଥିତ ସ୍ଵର୍ଗସମ ସ୍ଥାନ) ବୋଲି କହିଥାନ୍ତି। ଏହି ପବିତ୍ର ଏକାମ୍ରବନ ପଶ୍ଚିମରେ ଖଣ୍ଡାଚଳଠାରୁ ଆରମ୍ଭ କରି ପୂର୍ବରେ କୁଣ୍ଡଳେଶ୍ବର ଏବଂ ଉତ୍ତରରେ ବଳାହ ଦେବୀଙ୍କ ଠାରୁ ଆରମ୍ଭ କରି ଦକ୍ଷିଣରେ ଧବଳଗିରି ପର୍ଯ୍ୟନ୍ତ ଅଟେ। ଏହି କ୍ଷେତ୍ରର କେନ୍ଦ୍ର ସ୍ଥଳରେ ଦିବ୍ୟ ଆମ୍ରବୃକ୍ଷ ମୂଳରେ ସ୍ଵୟମ୍ଭୁ ପରମେଶ୍ୱର ବ୍ରହ୍ମଲିଙ୍ଗ ରୂପେ ଶ୍ରୀ ସଦାଶିବ ବିଜେ କରିଛନ୍ତି। ଏହି କ୍ଷେତ୍ରର କେନ୍ଦ୍ରଠାରୁ ଆରମ୍ଭ କରି ତିନି ଯୋଜନ ପର୍ଯ୍ୟନ୍ତ ଆୟତନ ମୁକ୍ତି ପ୍ରଦାନ କରିଥାନ୍ତି।

ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଯେଉଁ ଆମ୍ର ବୃକ୍ଷ ମୂଳରେ ବିଜେ କରିଛନ୍ତି ସେ ଅଦୃଶ୍ୟ ଆମ୍ରବୃକ୍ଷ ସ୍ଵୟଂ ସଦାଶିବଙ୍କ ସ୍ଵରୁପ ଅଟନ୍ତି। ଯାହାଙ୍କର ପଞ୍ଚଶାଖା ଚତୁର୍ଦିଗ ସହିତେ ଉର୍ଦ୍ଧକୁ ବ୍ୟାପୀ ଅଛି। ସେହି ପଞ୍ଚ ଶାଖା ସଦାଶିବଙ୍କ ପଶ୍ଚିମ ମୁଖ ସଦ୍ୟୋଜାତ, ଉତ୍ତର ମୁଖ ବାମଦେବ, ଦକ୍ଷିଣ ମୁଖ ଅଘୋର, ପୂର୍ବ ମୁଖ ତତପୁରୁଷ ଏବଂ ଉର୍ଦ୍ଧମୁଖ ଇଶାନଙ୍କୁ ସୂଚୀତ କରିଥାଏ। ସେହି ଏକ ଆମ୍ର ପରିଧି ସିନ୍ଦୁରେଶ୍ବରଙ୍କ ଠାରୁ ଆରମ୍ଭ କରି ମେଘେଶ୍ୱରଙ୍କ ପର୍ଯ୍ୟନ୍ତ ଅଟେ ଯାହାର ପରିସୀମା ଏକ କ୍ରୋଶ ଅଟେ। ଏହି ଏକ କ୍ରୋଶ ପରିଧି ମଧ୍ୟରେ କୋଟିଲିଙ୍ଗ ବିଜେ କରିଅଛନ୍ତି।

ସେହି ଆମ୍ରବୃକ୍ଷ ମୂଳରେ ଶ୍ରୀ ସଦାଶିବ ଲିଙ୍ଗରାଜ ଆଦି ସତ୍ୟଯୁଗରୁ ସ୍ଵୟମ୍ଭୁ ରୂପରେ ପ୍ରକଟ ହୋଇଛନ୍ତି। ଯାହାଙ୍କୁ ସତ୍ୟଯୁଗରେ ହିରଣ୍ୟାକ୍ଷ, ତ୍ରେତୟାରେ ଶ୍ରୀ ଭୃଗୁପତି ପର୍ଶୁରାମ, ଭ୍ରାତା ମାନଙ୍କ ସହିତରେ ଶ୍ରୀ ରଘୁନାଥ, ବିଭୀଷଣ, ପୁଣି କିଛି ମତରେ ରାବଣ ମଧ୍ୟ, ଦ୍ଵାପରରେ ପଞ୍ଚୁପାଣ୍ଡବ ବିଶେଷ କରି ମହାବଳୀ ଭୀମ ଏହି କ୍ଷେତ୍ରକୁ ଆସି ଉପାସନା କରିଯାଇଛନ୍ତି। କଳିଯୁଗରେ ସିଦ୍ଧଭୂତି, ପାଶୁପତ ସମ୍ପ୍ରଦାୟ, ମତ୍ତମୟୂର ସମ୍ପ୍ରଦାୟ ଆଦି ଅନେକ ସିଦ୍ଧ ପୁରୁଷ ମାନେ ଆସି ଶ୍ରୀ ତ୍ରିଭୁବନେଶ୍ବରଙ୍କୁ ଉପାସନା କରି ଯାଇଛନ୍ତି। ଯେପରି ଦୈତେଶ୍ବର, ପର୍ଶୁରାମେଶ୍ଵର, ରାମେଶ୍ୱର, ଲକ୍ଷ୍ମଣେଶ୍ବର, ଭରତେଶ୍ବର, ଶତ୍ରୁଘ୍ନେଶ୍ବର, ଡାକରା ବିଭୀଷଣେଶ୍ବର, ପାଣ୍ଡବଙ୍କ ପ୍ରତିଷ୍ଠିତ ପଞ୍ଚ ଲିଙ୍ଗ ବିଶେଷ କରି ଭୀମେଶ୍ଵର ବିଶେଷ ଭାବେ ପ୍ରସିଦ୍ଧ ଅଟେ। ଏତିକି ନୁହେଁ ବିନ୍ଦୁସାଗରଙ୍କ ପ୍ରତିଷ୍ଠା ପରେ କେତେ କେତେ ଦେବାଦେବୀ ଆସି ଏହି କ୍ଷେତ୍ରକୁ ମହାନୀୟ କରିଯାଇଛନ୍ତି। ତାହାର ପ୍ରମାଣ ତାଙ୍କ ପ୍ରତିଷ୍ଠିତ ଶିବଲିଙ୍ଗ ମାନେ ଦେଇଥାନ୍ତି। ସେହି ଲିଙ୍ଗ ମାନଙ୍କ ମଧ୍ୟରେ ବ୍ରହ୍ମେଶ୍ବର, ସିଦ୍ଧେଶ୍ଵର(ବିଷ୍ଣୁ ଉପାସିତ), ଇନ୍ଦ୍ରେଶ୍ଵର, ମରୁତେଶ୍ବର, କେଦାରେଶ୍ଵର, ଯମେଶ୍ଵର, ଆଦି ଅନେକ ଅନେକ ଦେବତା ପ୍ରତିଷ୍ଠିତ ଲିଙ୍ଗ ମାନ ପ୍ରତିଷ୍ଠା ହୋଇ ଏହି କ୍ଷେତ୍ରର ମହାନୀୟତା ପ୍ରତିପାଦିତ କରିଥାନ୍ତି। ଏହି କ୍ଷେତ୍ର କେତେ ପୁରୁଣା ତାହା ଜ୍ଞାନର ପରିସୀମାର ବାହାରେ।

କ୍ରମଶଃ…….

ଗବେଷଣା ଓ ଉପସ୍ଥାପନା: ଅରବିନ୍ଦ ମହାନ୍ତି

Share if you Care