ଅଣସରର ପଞ୍ଚମୀ । ମଣିମା ଲାଗିହେବେ ଫୁଲୁରୀ ତେଲ। ହେଲେ କ’ଣ ଏହି ଫୁଲୁରି ତେଲ। କେମିତି ତିଆରି ହୁଏ ଏହି ଦିବ୍ୟ ମହୌଷଧୀ। ଆସନ୍ତୁ ଜାଣିବା ସେ ସମ୍ପର୍କରେ….
ଫୁଲରୁ ଫୁଲୁରୀ । ଘଣା ପେଡା ରାଶି ତେଲ ଆଉ ସୁଗନ୍ଧିତ ଫୁଲ ସବୁକୁ ମିଶାଇ ପ୍ରସ୍ତୁତ ହୁଏ ଏହି ଫୁଲୁରୀ ତେଲ। ୧୪ ପ୍ରକାର ଫୁଲ ଆଉ ୭ ପ୍ରକାର ଚେରମୂଳି ଏହି ତେଲରେ ମିଶିଥାଏ। ପ୍ରମୁଖ ଭାବରେ ଔଷଧୀୟ ଗୁଣ ସମ୍ପନ୍ନ ସୁଗନ୍ଧିତ ମଲ୍ଲୀ, କିଆ, କେତକି ସହ କିଛି ଶୁକ୍ଲ ଧାନ ଓ ବେଣାଚେରକୁ ଘଣା ହୋଇଥିବା ରାଶିତେଲରେ ମିଶାଇ ଏକ ମାଟି ହାଣ୍ଡିରେ ମାଟିରେ ପୋତିଦିଆଯାଏ। ଏହି ମିଶ୍ରଣକୁ ମାଟିତଳେ ଦୀର୍ଘ ଏକ ବର୍ଷ କାଳ ରଖାଯାଇଥିଲା। ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ଏହାକୁ ମାଟିରୁ ବାହାର କରାଯାଇଥାଏ। ସେତେବେଳକୁ ଏହି ତେଲ ଔଷଧରେ ରୁପାନ୍ତରିତ ହୋଇ ସାରିଥାଏ। ଶ୍ରୀକ୍ଷେତ୍ରରେ ଥିବା ବଡ଼ ଓଡ଼ିଆ ମଠ ଏହାକୁ ପ୍ରସ୍ତୁତ କରି ସେବା ନିମିତ୍ତ ଯୋଗାଇଥାନ୍ତି। ପ୍ରାୟ ୬ ସେର ଫୁଲୁରୀ ତେଲ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ମର୍ଦନ ହୋଇଥାଏ। ମଠ ପକ୍ଷରୁ ଅଣସର ପଞ୍ଚମୀରେ ଏହାକୁ ଶ୍ରୀମନ୍ଦିରକୁ ପଠାଯାଇଥାଏ। ଦେଉଳ କରଣଙ୍କ ନେତୃତ୍ୱରେ ଏହାକୁ ଅଣସର ଗୃହକୁ ଆଣାଯିବା ପରେ ଦଇତା ସେବକମାନେ ପ୍ରଭୁ ବଳଭଦ୍ର, ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗରେ ଏହାକୁ ମାଲିସ କରିଥାନ୍ତି ।
ଉପସ୍ଥାପନା: ପଣ୍ଡିତ ସୌମ୍ୟରଂଜନ ପଣ୍ଡା