ଉତ୍କଳିୟ ଦୁର୍ଗୋତ୍ସବ।

ଆମ ସମାଜରେ କାହିଁ କେଉଁ କାଳରୁ ଆର୍ଯ୍ୟ ହୁଅନ୍ତୁ ଅବା ଅନାର୍ଯ୍ୟ ହୁଅନ୍ତୁ ପ୍ରକୃତିର ପୂଜା କରିଆସୁଛନ୍ତି। ଆମେ ଜୀବ ଜଗତର ଆଧାର ଆମ ପ୍ରକୃତିକୁ ହିଁ ମାନୁ। ପ୍ରକୃତି କହିଲେ କେବଳ ଜଙ୍ଗଲ ବଣକୁ ବଝାଏନା ମାଆ ମଧ୍ୟ ପ୍ରକୃତି, ଧରା ମଧ୍ୟ ପ୍ରକୃତି ଓ ଦେବୀ ମାଆ ମଧ୍ୟ ପ୍ରକୃତି ସ୍ବରୂପ। ତେବେ ଏହି ଆରାଧନା ମଧ୍ୟରେ ଦଶହରା ବା ଦୁର୍ଗୋତ୍ସବ ସମଗ୍ର ଭାରତ ବର୍ଷରେ ବହୁତ ଆଡ଼ମ୍ବର ସହ ପାଳନ କରାଯାଏ। ଆମ ଓଡି଼ଶାରେ କିନ୍ତୁ ଦୁର୍ଗୋତ୍ସବ ପାଳନର କିଛି ସ୍ବତନ୍ତ୍ରତା ରହିଛି,ଯାହାକି ସମଗ୍ର ଭାରତରେ ଦାଖାଯାଏ ନାହିଁ। ଏବଂ ଶ୍ରୀମନ୍ଦିରରେ ଦୁର୍ଗୋତ୍ସବ ଏକ ଅନନ୍ୟ ପରମ୍ପରା।

ଉତ୍କଳରେ ଦୁର୍ଗାପୂଜା।

ସାଧାରଣତଃ ସମଗ୍ର ଭାରତରେ ଦୁର୍ଗାପୂଜା ପାଳନ କରାଯାଏ କିନ୍ତୁ ଓଡି଼ଶାର ଦୁର୍ଗାପୂଜା ଭିନ୍ନ ଏକ ରଙ୍ଗର। ଓଡି଼ଶା ବାହାରେ ଏହାକୁ ନଅଦିନ(ନବରାତ୍ରୀ)ପାଳନ କରୁଥିବା ବେଳେ ଓଡି଼ଶାରେ ଏହା ଷୋଡ଼ଶ ଦିନାତ୍ମକ ପୂଜା।ଓଡି଼ଶାରେ ଦୁଇଭଳି ପୂଜା ହୋଇଥାଏ ଯଥା ପୀଠରେ ଓ ମଣ୍ଡପରେ। ପୀଠ ବା ମନ୍ଦିରମାନଙ୍କରେ ଦେବୀ ଉତ୍ଥାପନ ପରେପରେ ମୁଳାଷ୍ଟମୀ ଠାରୁ ଏହା ଷୋଡ଼ଶ ଦିନ ପୂଜା ଆରାଧନା କରାଯାଏ(ମାଆ ବିମଳା,ମାଆ ମଙ୍ଗଳା,ମାଆ ବିରଜା ଇତ୍ୟାଦି) ଏଥିରେ ପ୍ରଥମ ଦୀବସରୁ ଘଟ ସଂସ୍ଥାପନା କରାଯାଇ ମାଆଙ୍କର ନାନାଦି ଦ୍ରବ୍ୟରେ ଷୋଡ଼ଶ ଉପଚାର ପୂଜା ଆରାଧନା କରାଯାଏ ଓ ବିଜୟା ଦଶମୀ ଦିନ ଘଟ ବିଷର୍ଜନ କରାଯାଏ। ଅନ୍ୟ ଭାବରେ ହେଉଛି ମଣ୍ଡପ ଦୁର୍ଗାପୂଜା ବା ମୃଣ୍ମୟୀ ପ୍ରତିମାଙ୍କର ପୂଜା।ମଣ୍ଡପମାନଙ୍କରେ ଷଷ୍ଠୀଠାରୁ ବିଲ୍ବବରଣ ଓ ଘଟ ସଂସ୍ଥାପନା କରାଯାଇ ପୂଜା କରାଯାଏ।ଓଡି଼ଶାରେ ସୁପ୍ରସିଦ୍ଧ ଦୁର୍ଗାପୂଜା ହୋଇଥାଏ କଟକରେ। ରୋପ୍ୟନଗରୀ କଟକରେ ଦୁର୍ଗାପୂଜାର ମାହାତ୍ମ୍ୟ ଅନେକ।

ଓଡି଼ଶାରେ ଦୁର୍ଗାପୂଜାର ଆରମ୍ଭ (ମଣ୍ଡପ)

ଯେପରି ଆମ ଦେଶରେ ପଶ୍ଚିମବଙ୍ଗ ଦୁର୍ଗାପୂଜା ନିଆରା ସେପରି ଆମ ରାଜ୍ୟରେ କଟକର ଦୁର୍ଗାପୂଜା ନିଆରା। ତେବେ କଟକରେ ମୃଣ୍ମୟୀ ଦେବୀଙ୍କର ଆରାଧନା ପ୍ରଥମେ ହୋଇଛି ବୋଲି କିଛି ମତ ଦିଅନ୍ତି କିନ୍ତୁ ଭଦ୍ରକ ଜିଲ୍ଳାର ରାମେଶ୍ବରପୁର ଅଞ୍ଚଳରେ ୫୦୦ବର୍ଷ ତଳେ ଦୁର୍ଗାପୂଜାର ଆରମ୍ଭ ହୋଇଥିଲା ବୋଲି ମତ ଦିଆଯାଏ। ଏହା ବିଶ୍ବର ଏକ ପୂରାତନ ପୂଜାସ୍ଥାନ ଏବଂ ଏହା ଅଧୁନା ମଧ୍ୟ ଚାଲୁଅଛି। ସେହିପରି କଟକରେ ଯେବେ ନବଦ୍ବୀପରୁ ଚୈତନ୍ୟ ଦେବ ୧୫୧୨ ମସିହରେ ଓଡି଼ଶା ଆସିଲେ ପ୍ରତାପରୁଦ୍ର ଦେବଙ୍କୁ ଦେଖାକଲେ ସେତବେଳେ ଗଡ଼ ଥାଏ କଟକ ବାରବାଟୀରେ।ତେଣୁ ତାଙ୍କର ପରାମର୍ଶ କ୍ରମେ ପ୍ରଥମେ କଟକରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା ବାଲୁବଜାର ଠାରେ ଯାହା ଏ ପର୍ଯ୍ୟନ୍ତ ମଧ୍ୟ ଚାଲିଛି ତେଣୁ ବାଲୁବଜାର ଠାକୁରାଣୀଙ୍କୁ ବଡ଼ ଭଉଣୀ କୁହାଯାଏ।ତେବେ ଏହି ମେଢ଼ ଆଜି କଟକରୁ ଆରମ୍ଭ ହୋଇ ଅଧୁନା ସମଗ୍ର ଓଡି଼ଶାରେ ବହୁତ ଚିତ୍ତାକର୍ଷକ ଭାବେ ପାଳନ ହେଉଛି।

ନିଆରା ପୁରୀର ଗୋଷାଣୀ ଯାତ;-


ସମଗ୍ର ଭାରତରେ ସଂସ୍କୃତି ଓ ପରମ୍ପରାରେ ପୁରୀ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରୀ। ତେବେ ପୁରୀରେ ଦଶହରା ଏକ ସ୍ବତନ୍ତ୍ର ଓ ନିଆରା ଭାବେ ପାଳନ କରାଯାଏ ଯାହାକୁ ଗୋଷାଣୀ ଯାତ ବୋଲି କୁହାଯାଏ। ଆମେ ଯଦି ଗୋଷାଣୀ ଶବ୍ଦର ଅର୍ଥ ବୁଝିବା, ଏହା ଗୋଷାମଣୀ ଶବ୍ଦର ଏକ ପରିବର୍ତ୍ତିତ ଶବ୍ଦ।ତେବେ ଆମେ ଆମର ରାଜା ବା ମହପ୍ରଭୁଙ୍କୁ ଗୋସ୍ବାମୀ କହୁ ଯଥକ୍ରମେ ମହାରାଣୀ ବା ଦେବୀ ମାଆଙ୍କୁ ଗୋଷାମଣୀ ଡାକେ। ତେଣୁ ପୁରୀରେ ଦେବୀ ଦୁର୍ଗାଙ୍କୁ ସେହି ଅର୍ଥରେ ଗୋଷାଣୀ ଡକାଯାଏ ଯଥା,ଗେଲବାଇ ଗୋଷାଣୀ, ଜହ୍ନିଖାଇ ଗୋଷାଣୀ, ଶୁନ୍ୟ ଗୋଷାଣୀ ଇତ୍ୟାଦି। ଆହୁରି ମଧ୍ୟ ଆମେ ଯଦି ପୁରୀର ମାଆଙ୍କୁ ସ୍ବରୂପକୁ ଧ୍ୟାନ ଦେବା ସେ ସବୁ ପାରମ୍ପରିକ ପଟ୍ଟଚିତ୍ର ଶୈଳୀରେ ଗଠନ। ତେଣୁ ଏଠାକାର ପୂଜାର ଏକ ସ୍ବତନ୍ତ୍ର ମାନ୍ୟତା ଅଛି।

ଶ୍ରୀମନ୍ଦିରରେ ଶକ୍ତି ଉପାସନା ବା ଦୁର୍ଗୋତ୍ସବ।

ସର୍ବ ରହସ୍ୟ ପୁରୁଷୋତ୍ତମ କ୍ଷେତ୍ରରେ ରହସ୍ୟ ହେଉଛି ତେଣୁ ଶ୍ରୀମନ୍ଦିରରେ ଦୁର୍ଗୋତ୍ସବର ମହାତ୍ମ୍ୟ ଅନେକ। କ୍ଷେତ୍ରେଶ୍ବରୀ ବିମଳାଙ୍କ ପୀଠରେ ମୁଖ୍ୟ ରୂପରେ ଦୁର୍ଗୋତ୍ସବ ହୋଇଥାଏ ତାହା ସହି ନାରାୟଣୀ ମନ୍ଦିର ଓ ଉତ୍ତରାୟଣୀ ମନ୍ଦିରରେ ମଧ୍ୟ ଚଣ୍ଡି ଇତ୍ୟାଦି ହୋଇଥାଏ। ଏଥିପାଇଁ ଗଜପତି ମହାରାଜ ନିଜେ ଆଚାର୍ଯ୍ୟ ବରଣ କରିଥାନ୍ତି ଏହି ଷୋଡ଼ଶ ଦିନାତ୍ମକ ପୂଜା ନିମନ୍ତେ। ଶାରଦୀୟ ଦୁର୍ଗାପୂଜାର ସପ୍ତମୀ ଠାରୁ ନବମୀ ଯାଏଁ ମାଆ ବିମଳା ସର୍ବସାଧାରଣ ଦର୍ଶନ ଦିଅନ୍ତି ନାହିଁ,ତେଣୁ ବିମଳାଙ୍କ ପ୍ରତିନିଧି ଭାବେ ଦର୍ଶନ ଦେଇଥାନ୍ତି ଶ୍ରୀକ୍ଷେତ୍ର ପ୍ରମୁଖ ଗୋଷାଣୀ କାକୁଡି଼ଖାଇ ଗୋଷାଣୀ। ଏହି ଦନମାନଙ୍କରେ ହୁଏ ଶାକ୍ତ ଗୁଣ୍ଡିଚା ବା ଗୁପ୍ତଗୁଣ୍ଡିଚା। ପ୍ରସିଦ୍ଦ ଦୁର୍ଗାମାଧବ ଉପାସନା।
ଯେ ଦୁର୍ଗାମାଧବଂ ନିତ୍ୟଂ ସ୍ମରନ୍ତି ଶ୍ରଦ୍ଧୟାନ୍ବିତେ ,
ସର୍ବବିଘ୍ନ ଭୟରେଷାଂ ବିନଶ୍ୟନ୍ତି ପଦେ ପଦେ ।।
ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜାରେ ଦୁର୍ଗା ମାଧବ ଏକତ୍ର ଭଦ୍ରାସନରେ ରୁନ୍ଧା ହୋଇଥାନ୍ତି ଏବଂ ବିମଳା ମନ୍ଦିରରେ ବିଜେ କରିଥାନ୍ତି। ପ୍ରଥମ ୮ ଦିନ ସକାଳ ଧୂପ ସମ୍ପନ୍ନ ହେବା ପରେ ଦୁର୍ଗା ମାଧବ ଭଣ୍ଡାରଘର ନିକଟରୁ ବିମଳା ମନ୍ଦିରକୁ ବିଜେ ହୋଇଥାନ୍ତି । ସନ୍ଧ୍ୟା ଧୂପ ନୀତି ବଢିବା ପରେ ପୁନଃ ଭଣ୍ଡାରଘର ନିକଟକୁ ବାହୁଡ଼ି ଥାନ୍ତି । ଆଶ୍ୱିନ ଶୁକ୍ଳ ପକ୍ଷ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ପ୍ରତିଦିନ ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିରକୁ ରଥରେ ରଥଯାତ୍ରା କରିଥାନ୍ତି , ଏହାକୁ ଶାକ୍ତ ଗୁଣ୍ଡିଚା କୁହାଯାଏ। କିଛି ଗବେଷକଙ୍କ ମତରେ ଉକ୍ତ ପରମ୍ପରା ଆଦି ଶଙ୍କରାଚାର୍ଯ୍ୟଙ୍କ ସମୟରୁ ପ୍ରଚଳିତ ହୋଇ ଆସୁଛି।
ତେଣୁ କୁହାଯାଏ,
” ବିମଳା ସା ମହାଦେବୀ ଜଗନ୍ନାଥାସ୍ତୁ ଭୈରବଃ “
ଏହାକୁ କୁହାଯାଏ ଶାକ୍ତ ବା ଗୁପ୍ତ ଗୁଣ୍ଡିଚା।

ଦଶହରା ନା କି କେବଳ ମହିଷାର ବଧ ଏହିଦିନ ମଧ୍ୟ ଅଧର୍ମ ଉପରେ ଧର୍ମର ବିଜୟ ହୋଇଥିଲା ବିଭିନ୍ନ ସ୍ଥାନରେ ରାବଣ ପୋଡି଼ହୋଇଥାଏ ତାହାର କାରଣ ହେଉଛି ଏହିଦିନ ଶ୍ରୀରାମ ରାବଣର ଅହଂକାର ଶରୀରକୁ ବଦ୍ଧ କରିଥିଲେ।

ଶସ୍ତ୍ର ବା ଆୟୁଧ ପୂଜା

ବିଭିନ୍ନ ସ୍ଥାନରେ ହୁଏ ଶସ୍ତ୍ର ପୂଜା ବିଭିନ୍ନ ଅନୁଷ୍ଠାନ ଓ ଘରମାନଙ୍କର ଶସ୍ତ୍ର ସଜ ବସିଥାଏ। ଆୟୁଧ ପୂଜା ବା ଶସ୍ତ୍ର ପୂଜା ବହୁତ ପୁରାତନ କାଳରୁ ଚାଲୁଛି କାରଣ ଆୟୁଧ ହେଉଛି ଦେବୀଙ୍କର ପ୍ରମୁଖ ଶସ୍ତ୍ର। ଆମର ସମସ୍ତ କାର୍ଯ୍ୟରେ କିଛି ନା କିଛି ଶସ୍ତ୍ର ବା ଆୟୁଧର ବ୍ୟବହାର ତେଣୁ ଏହାର ପୂଜା କରାଯାଏ।

ଏହା ହେଉଛି ଓଡି଼ଶାରେ ହେଉଥିବା ଶାରଦୀୟ ଦୁର୍ଗୋତ୍ସବ। ସମଗ୍ର ଭାରତରେ ଦୁର୍ଗୋତ୍ସବ ବା ପୂଜା ହେଉଥିବା ବେଳେ ଓଡି଼ଶାରେ ତାହାର ମାହାତ୍ମ୍ୟ ଅନେକ।

ଉପସ୍ଥାପନା: ଆଫତାବ ହୋସେନ

ଅଭିମାନର ଅଭିନେତ୍ରୀ।

ହଁ ପ୍ରିୟେ! ଜଗତ ଜଣଙ୍କର ପଡ଼ିଦାତ୍ରି ବୋଲି ଏବେ ଚଉଦ ଭୁବନ ରେ ହୁଡ଼ି ପଡ଼ିଛି। ତମେତ ସୁଯୋଗ ଖୋଜିବାକୁ ଯାଇ ମୂଳ ସୁତ୍ରର ମଞ୍ଜି ଟା କୁ ପାଇଗଲ। ଆଉ କଣ ନ କଲ ଯେ?ଯେଉଁ କଥା ଦିନେ ଅପହଁଞ୍ଚ ହବା କଥା ତାକୁ ତ କଲ ଏବଂ ଅସମ୍ଭବ କୁ ସମ୍ଭବ ରେ ପରିଣତ କରିବାର ସତ୍ୟତା, ନିଷ୍ଠା, ର ମୂଳ ସୂତ୍ର ଟାକୁ ଜଗତକୁ ଦେଇଗଲ। ଯଦି ଏ ବିଷୟରେ ଏତେ କାଣ୍ଡ ଭିଆଇବାରେ ଥିଲା ତ ମତେ ଟିକେ ଇଶାରା ତ ଦେଇପାରିଥାନ୍ତ। ସେଥିରେ କୋଉ ତମ ମାନମୟୀ ସମ୍ମାନରେ ଆଞ୍ଚ ଆସିଥାନ୍ତା କି? ଦିନ ନାହିଁ କାଳେ ନାହିଁ ଇଶାରା ତ ଛାଡ଼, ତମ ସହଯୋଗୀ ଙ୍କ ସହ ଟିକେ ଆଲୋଚନା ତ କରିପାରି ଥାଆନ୍ତ। ଦଣ୍ଡ ଦେଲ ତ ଦେଲ ପୁଣି ତା ବାର ବର୍ଷ। ସତରେ ସେହି ଦୁଃଖକୁ ଅନୁଭବି ନହେଲେ ଭାବି ବସିବ ବା କିଏ? ଟିକିଏ ବୁଦ୍ଧି ଥିଲେ ଏସବୁ ହେଇ ନଥାନ୍ତା। କିନ୍ତୁ ଏତେ ଶୀଘ୍ର ହେଲା ଯେ ଦେହ ସହିଲାନି। ମତେ ଏକା ହେଲେ ଦେଇଥାନ୍ତ, ବଡ଼ ଭାଇ ଙ୍କୁ ସେଥିରେ ପୁରାଇବା କଣ ଠିକ୍? ଯିଏ ଖାଲି ସବୁ କଥା ରେ ନ ବୁଝି ହଁ ନାହିଁ ରେ କାମ ଚଲେଇ ନିଅନ୍ତି…। ତାଙ୍କ କଥାକୁ ଟିକିଏ ସହି ଯାଇଥିଲେ କଣ ହେଇ ନଥାନ୍ତା।!!!?


ତମର ସେହି ଅଭିମାନ ଭରା ମୁଖଟି ମତେ କାହିଁ ଟିକେ ଅଡ଼ୁଆ ଲାଗୁଥିଲା। ବଡ଼ ଠାକୁରଙ୍କ ରୋକ୍ ଠୋକ୍ କଥା, ତମେ ଏକୁଟିଆ ବସି ଯୋଜନା କରିବାର ଦୃଶ୍ୟ ରୁ ଯଦିଓ ମୁଁ କିଛି ଅନୁମାନ କରି ପାରୁଥିଲି, କିନ୍ତୁ ଏତେ ବଡ ଘଟଣା ଘଟିବ ଏକଥା ଅନୁମାନ କରିପାରି ନଥିଲି। ଆଛା କହିଲ ଦେଖି ମୋର କଣ ଭୁଲ? ଏତେ ବଡ ଦେଉଳ ତ ତମର ନାଁ ରେ ଶ୍ରୀ ମନ୍ଦିର, ଆଉ ଶାସନ ଚାଲେ ବଡ଼ ଭାଇଙ୍କ କଥାରେ। ମୋର ବା ଅଛି କଣ? ଖାଲି ଲୋକେ ଯାହା କୁହନ୍ତି ଯାଉଚି ଜଗା ପାଖକୁ। ଯଦି ବଡ଼ ଭାଇ ରାତିରେ କୁଆଡେ ନ ଯିବାକୁ କହିଲେ, ତାହେଲେ ତାଙ୍କ କଥାକୁ ଟିକିଏ ଆପୋଷ ବୁଝାମଣା ଦ୍ଵାରା ତାର ସମାଧାନ କରିଥିଲେ କଣ ହେଇ ନଥାନ୍ତା? ମୁଁ ମଧ୍ୟ ପ୍ରତିବାଦ କରିପାରିଲି ନାହିଁ। ଯିଏ ତ୍ୟାଗର ମୂର୍ତ୍ତି ବନ୍ତ ପ୍ରତୀକ ତାଙ୍କୁ କହିବାକୁ ଦେହ ସହିଲା ନାହିଁ। ତମେ ଟିକେ ବୁଝେଇ ଥିଲେ ହୋଇଥାନ୍ତା। କିନ୍ତୁ ଆମର ଦେଉଳ,ଖାଦ୍ୟ, ଆଖି, ଚରଣ, ଓ ନାମ କୁ ତମ ନାଁ ରେ ସମର୍ପି ଦେଲା ବେଳେ ତ କାଇଁ ବଡ଼ ଭାଇ ବିରୋଧ କରି ନଥିଲେ। ଯୋଉଥି ପାଇଁ ଆଜି ସବୁ ଜିନିଷର ର ପୂର୍ବରୁ ଶ୍ରୀ ଯୋଗ ହେଇ ତମ ନାଁ ରେ ହେଇ ଯାଇଛି। ରାଗିକି ନିଜେ ଗଲ ଯେ ଗଲ, ହେଲେ ଚଉଦ ଭୁବନ ର ଗହଣା ଓ ଖାଦ୍ୟ କୁ ଶୂନ୍ୟେ ଶୂନ୍ୟେ ଉଡେଇ ନେଲ।। ସକାଳୁ ଦୁଇ ଭାଇ ବିଳମ୍ବରେ ଉଠିବାରୁ ସାଠିଏ ପୋଉଠୀ, ଦ୍ୱାଦଶ ବ୍ୟଞ୍ଜନ, ଛପନ ଭୋଗ କଥା ଛାଡ଼, ଅଭଙ୍ଗା କୁଡୁଆ ଟିଏ ବି ପାଇଲୁନି। ଭୋକରେ ଦୁଇ ଭାଇ ରୋଷ ଶାଳାରେ ପ୍ରବେଶ କରନ୍ତେ, ଖାଦ୍ୟ ପାଇବାତ ଦୂରର କଥା ଖାଲି କଳା ରଙ୍ଗବୋଳିବା ସାର ହେଲା। ସେଦିନ ବଡ଼ ଭାଇଙ୍କ ରୂପ ମନେ ପଡ଼ିଲା ବେଳକୁ ଦେହରେ ଶିହରଣ ଉଠୁଚି। ଖାଲି ରାଗରେ ଜର୍ଜରିତ ହେଲେ ସିନା କିଛି ଲାଭ ହେଲା ନାହିଁ। ଆଛା ପ୍ରିୟେ!! କହିଲ ଦେଖି ତମେ ଗଲ ପୁଣି ସେ ଛତିଶା ନିଯୋଗ ଓ ସହଚାରୀଙ୍କୁ ବି ନେଇଗଲ। କିନ୍ତୁ ସେଦିନ ଆଉ କାହା କଥା ମନେ ପଡ଼ିନଥିଲା। କାରଣ “ଅନ୍ନ ଚିନ୍ତା ଚମତ୍କାର”ର ସତ୍ୟାସତ୍ୟ ସେଦିନ ଅନୁଭବ କରୁଥିଲି।


ମତେ ତ ଯାହା କଲ କଲ, ବଡ଼ ଭାଇଙ୍କ ପ୍ରତି ତମର ବ୍ୟବହାର ନିଶ୍ଚିନ୍ତ ଭାବେ ପର ପିଢ଼ି ପାଈଁ ଏକ ଖରାପ ପରମ୍ପରା ସୃଷ୍ଟି କରିବା ସହ ସବୁ ନୀତି ନିୟମକୁ ଉବେଇ ଟୁବେଇ ନଦେବ !! ଏକଥା କିଏ କହିବ? ଲୋକେ ଆମକୁ ଖାଲି ଲକ୍ଷ୍ମୀ ଛଡା ବୋଲି କହିବେ। ଏହାତ ଗୋଟେ ପରମ୍ପରା ହେଇଯିବ!!। ଏହା ଦ୍ବାରା କେତେ ପରିବାର ଯେ ଉଜୁଡ଼ି ନଯିବ, ସେ କଥା କିଏ କହିବ?
ତେବେ କୁହତ-ଚଣ୍ଡାଳ ସାହି କୁ ଯାଇଥିଲ ବୋଲି ଭାଈ ତମକୁ ସେ ସାହିରେ ଘର କରିବାକୁ କହିଲେ। ଶେଷରେ ତମେ ଚଣ୍ଡାଳ ପରି ଅଭିନୟ କରି ଆମକୁ ସେହି ଚଣ୍ଡାଳ ହାତରୁ ଖାଦ୍ୟ ଖୁଆଇ ଦେଲ। ସତରେ ତମକୁ ତ ଭଲ ଅଭିନୟ ଆସେ? ସେଥିରେ ତମର ଶେଷ ଆଶା, ଅଭିଳାଷ ପୂର୍ଣ୍ଣ କରିବା ପ୍ରୟାସରୁ ଯଦିଓ ମୁଁ କିଛି କିଛି ଅନୁମାନ କରି ସମାଧାନ ଖୋଜି ଦେଇଥାନ୍ତି,,,,କିନ୍ତୁ କ୍ଷୁଧା ର ଜ୍ଵାଳା ରେ ମୋର ଭାବନା ଶକ୍ତି ପ୍ରାୟ ଲୋପ ପାଇଯାଇଥିଲା। ଦାର୍ଶନିକ ମାନଙ୍କ ମତରେ ଯଦିଓ ମୁଖ ମନୁଷ୍ୟର ଦର୍ପଣ କିନ୍ତୁ ମୁଁ କିଛି ଅଭିବ୍ୟକ୍ତ କରି ପାରୁନଥିଲି। କିନ୍ତୁ ଏବେ ବୁଝୁଛି,, ଆମ ଦୁଇ ଜଣଙ୍କ ମଧ୍ୟରୁ ଜଣେ କିଏ ଏକଥା ବୁଝି ଯାଇଥିଲେ,, ଏତେ ବଡ ଘଟଣାଟା ଘଟି ନଥାନ୍ତା। ଆଉ ଆଜି ନିନ୍ଦା ପ୍ରଶଂସା ର ଅଡ଼ୁଆ ଗଣ୍ଠି ଗୁଡ଼ିକ ଖୋଜିବାକୁ ପଡି ନଥାନ୍ତା। ତମେ କଣ ଖାଲି ଶ୍ରୀୟା ଚଣ୍ଡାଳୁଣୀର ର ପ୍ରଭୁ କି? ଆମେ ପରା ଭକ୍ତ ଙ୍କୁ କହୁ——–
“ତ୍ରିପୁରେ ଅଛି ମୁହିଁ ଛନ୍ଦି, ମୋତେ ଭକତ ପାରେ ବାନ୍ଧି,
ଆବୋରି ଥାଏ ବେନି ପାଶେ, ତାର ଚରଣ ରେଣୁ ଆସେ।”
ପୁନଶ୍ଚ——–


“ମୋର ଭକତ ମୋର ମିତ୍ର, ସେ କରେ ଜଗତ ପବିତ୍ର,
ମୁଁ ନୁହେଁ ଭକ୍ତ ଠାରୁ ଭିନ୍ନ, ମୁଁ ଅଟେ ଭକ୍ତ ର ଅଧୀନ।”


ତମେ ଏଥିରେ ଏତେ ଅସହଣୀ ହେଇ ପଡ଼ିଲ ଯେ, ରାତିରେ ତା ଘରକୁ ପଳେଇଲ। ଏ କଥା ଟା ଭାଇଙ୍କ ଆଗରେ ପେଶ କରିଥିଲେ କଣ ତମ ସମ୍ମାନରେ କଳଙ୍କ ଲଗିଯାଇଥାନ୍ତା? ସେ ଯାହାବି ହେଉ, ଭବିଷ୍ୟତରେ ଆଉ ଏପରି ଖରାପ ପରମ୍ପରା ସୃଷ୍ଟି ନ କରିବା ର ଶପଥ ନେବା ସହ ପାରିବାରିକ ସ୍ଥିତିକୁ-“ବୈକୁଣ୍ଠ ସମାନ ଆହା ଅଟେ ସେହି ଘର” ଠାରେ ପହଞ୍ଚାଇବା ସହ ସୁସ୍ଥ ଓ ରମଣୀୟ ପରିବେଶ, ପରମ୍ପରା ସୃଷ୍ଟି କରିବା।।।
“ଜୟ ଜଗନ୍ନାଥ”

ଉପସ୍ଥାପନା: ସତ୍ୟଜିତ ପଣ୍ଡା

ଶୁଭେଚ୍ଛା ବାର୍ତ୍ତା।

ବିଶ୍ଵର କଳା ସଂସ୍କୃତିର ଅନ୍ତୁଡ଼ିଶାଳ ଓଡ଼ିଶା। ପାତାଳ ଭେଦୀ ମହାମାନବୀୟ ସଂସ୍କୃତିର ମାଟିରେ ଅନେକ ପାଷାଣ୍ଡ, ବିଧର୍ମୀ, ଲୁଟେରାମାନେ ଶହ ଶହ ବର୍ଷ ଧରି ପ୍ରଚଣ୍ଡ ଆକ୍ରମଣ କରିବା ଏବଂ ଦୁର୍ଭାଗ୍ୟବଶତଃ ୧୫୬୮ରେ ଗୋହୀରା ଟିକିରି ଯୁଦ୍ଧରେ ମୁକୁନ୍ଦ ଦେବଙ୍କ ପରାଜୟ ପରେ ଆଫଗାନ, ମୋଗଲ, ମରହଟ୍ଟା, ଇଷ୍ଟଇଣ୍ଡିଆ କମ୍ପାନୀ ଅବଶେଷରେ ଇଂରେଜ ମାନଙ୍କ ଦ୍ଵାରା ଶାସିତ ହେବା ଫଳରେ ଆମର ଭାଷା, ସାହିତ୍ୟ,କଳା ସଂସ୍କୃତି, କ୍ଷେତ୍ରକୁ ସକଳ ପ୍ରକାର ଅପସଂସ୍କୃତି ଭିତରକୁ ଠେଲି ଦିଆଯାଇଛି। ସ୍ବାଧୀନୋତ୍ତର ଓଡ଼ିଶାରେ ତାର ପୁନଃଉଦ୍ଧାର ପାଇଁ ଯେଭଳି ଉଦ୍ୟମ ଆବଶ୍ୟକ ଥିଲା ତାହା କରାଯାଇପାରି ନାହିଁ।ଅତଏବ ଆମର ଅନେକ ଲୋକକଲା ବିଲୁପ୍ତ ଓ ଅନେକ ସେଇ ପଥର ଯାତ୍ରୀ। ଆମର ଭାଷା ସାହିତ୍ୟକୁ ପରିପ୍ରକାଶ କରୁଥିବା ପାଲା ସଂସ୍କୃତି ଆଜି ଘୋର ବିପଦରେ, ଦାସକାଠିଆ , ପ୍ରହଲ୍ଲାଦ ନାଟକ , ସୁଆଙ୍ଗ,ଛଉ ନୃତ୍ୟ ପ୍ରଭୃତି ମୃତ ପ୍ରାୟ। ଆଜି ବିଶ୍ୱର ପ୍ରଥମ ସାମାଜିକ ନ୍ୟାୟ ସଂହତି ମହାମାନବୀୟ ଦର୍ଶନର ନାଭି କେନ୍ଦ୍ର ଶ୍ରୀଜଗନ୍ନାଥ ସଂସ୍କୃତିକୁ ଲୁପ୍ତ କରିବା ପାଇଁ ପ୍ରତିଯୋଗିତା ଚାଲିଛି। ବିଶ୍ଵ ଆଧ୍ୟାତ୍ମିକ କେନ୍ଦ୍ର ଜଗତର ନାଥ ଜଗନ୍ନାଥଙ୍କ ପୁରୁଷୋତ୍ତମ କ୍ଷେତ୍ରକୁ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ପାଇଁ ଶାସନକଳ ବ୍ୟସ୍ତ ଓ ବ୍ୟଗ୍ର। ଅଷ୍ଟମ ଶତାବ୍ଦୀରେ ପଦ୍ମପୁରାଣରେ ଉଲ୍ଲେଖ ରହିଛି, ବର୍ଷାଣାମ୍ ଭାରତ ଶ୍ରେଷ୍ଠ, ଦେଶାନାମ୍ ଉତ୍କଳ ଶ୍ରୁତଃ, ଉତ୍କଳସ୍ୟ ସମୋଦେଶ ଦେଶ ନାସ୍ତି ମହୀତଳେ। ଅତଏବ ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳର କଳା, ସଂସ୍କୃତି ଆଜି କିଭଳି ବିପନ୍ନ ତାହା ଆମେ ହାଡେ ହାଡେ ଅନୁଭବ କରୁଛେ।ଏହାର ପୁନଃ ଉଦ୍ଧାର ପାଇଁ ଯେଉଁମାନେ ଉଦ୍ୟମରତ ସେମାନେ ସର୍ବଦା ଅଭିନନ୍ଦନୀୟ । ଏଇ ଦୃଶ୍ୟ – ଶ୍ରାବ୍ୟ ମାଧ୍ୟମର ଅନ୍ତୁଡିଶାଳରେ ତାର ଯଶସ୍ଵୀ ଦୀର୍ଘାୟୁ ଜୀବନ କାମନା କରୁଛି।

ପ୍ରଦ୍ୟୁମ୍ନ ଶତପଥୀ (ବରିଷ୍ଠ ସାମ୍ବାଦିକ)

ଶୁଭେଚ୍ଛା ବାର୍ତ୍ତା

ଓଡ଼ିଶାର ସାହିତ୍ୟ ସଂସ୍କୃତି ଓ ଆଧ୍ୟାତ୍ମିକତାର ବିକାଶ ପାଇଁ ପ୍ରଚାର ଓ ପ୍ରସାର ପାଇଁ ଯେଉଁ କେତୋଟି ଓ୍ବେବପୋର୍ଟାଲ ଯେଉଁ କେତୋଟି ଡିଜିଟାଲ ଅନୁଷ୍ଠାନ କାମ କରୁଛନ୍ତି ସେମାନଙ୍କ ଭିତରେ ବୀର କଳିଙ୍ଗ ଅନ୍ୟତମ। ବୀର ସାହିତ୍ୟ ସଂସ୍କୃତି ସମ୍ପନ୍ନ ମାଟି ନୟାଗଡ଼ରୁ ଜନ୍ମ ଲାଭ କରିଛି। ଶୁଣି ଖୁସି ହେଲେ ଯେ ବୀର କଳିଙ୍ଗ ତା’ର ଓ୍ବେବସାଇଟ ପ୍ରଥମଥର ପାଇଁ ଆରମ୍ଭ କରୁଛି । ଆଶା କରୁଛି ବୀର କଳିଙ୍ଗ ଫେସବୁକ ପେଜ ଯେଉଁଭଳି ଭାବରେ ଅଗଣିତ ଜନତାଙ୍କ ଭିତରେ ଭାବ ଭକ୍ତି ଓ ସଂସ୍କୃତି ସଚେତନତାର ଚିନ୍ତନକୁ ସଞ୍ଚାରଣ କରିଛି ବୀର କଳିଙ୍ଗ ଓ୍ବେବସାଇଟ ମଧ୍ୟ ସେଇଭଳି ଭାବରେ ସାହିତ୍ୟ ଓ ସଂସ୍କୃତିର ସେବକ ହୋଇ କାର୍ଯ୍ୟ କରିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ବୀର କଳିଙ୍ଗ ଓ୍ବେବସାଇଟର ବିକାଶ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି।
ଜୟ ଜଗନ୍ନାଥ।

  ଶରଣାରବିନ୍ଦ ଓଝା

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ

ଶୁଭେଚ୍ଛା ବାର୍ତ୍ତା

ଅକେଲେ ଚଲେଥେ ଲୋଗ ମିଲିତେ ଗେ ଫିର କାରବା ବନତାଗୟା।
କୁହାଯାଏ, ଯାହାର ଆରମ୍ଭ ଯେତିକି ସୁନ୍ଦର,ତାର ପ୍ରତ୍ୟେକଟି ଅଭିଯାନ ସେତିକି ସୁନ୍ଦର। ଆମେ କେବେ ଭାବି ନଥିଲୁ, ଚିନ୍ତା ବି କରିନଥିଲୁ ଯେତେବେଳେ ଏଭଳି ଏକ ଛୋଟିଆ ସଂସ୍ଥା ଟିଏ କରିଥିଲୁ ଯେ ଆପଣମାନଙ୍କ ଏତେ ଭଲ ପାଇବା, ଶ୍ରଦ୍ଧା, ସ୍ନେହ , ବିଶ୍ଵାସ ପାଇବୁ ବୋଲି। ଏଇ ତ ଆରମ୍ଭ ମାତ୍ର। ଆଗକୁ ବହୁତ ବାଟ ଯିବାର ଅଛି। ଯଦି ଭଲପାଇବାର ଏହି ଧାରା ଆଗକୁ ଜାରିରୁହେ ତେବେ ଏଇ ବୀର କଳିଙ୍ଗ ଚ୍ୟାନେଲ ଆପଣଙ୍କ ଚ୍ୟାନେଲ ହେବ। ଓଡ଼ିଆ ସାହିତ୍ୟ,କଳା ଓ ସଂସ୍କୃତିକୁ ଆଗକୁ ବଢ଼ାଇବାରେ ସମୃଦ୍ଧ କରିବାରେ ସବୁବେଳେ ସବୁସମୟରେ କାମ କରିବ।

ଭବାନୀ ମହାପାତ୍ର (ବରିଷ୍ଠ ଉପସ୍ଥାପକ)

ଆଜି ମହାପ୍ରଭୁଙ୍କ ଚିତାଲାଗି।

ଶ୍ରୀମନ୍ଦିର ରେ ପାଳିତ ଅନେକ ଯାତ୍ରା , ଉପଯାତ୍ରା ତଥା ଉତ୍ସବାଦି ଓ ତ୍ରୟୋଦଶ ଯାତ୍ରା ବ୍ୟତୀତ ୫୦ରୁ ଉର୍ଦ୍ଧ ଉପଯାତ୍ରା , ଉତ୍ସବାଦି ମଧ୍ୟରେ ଚିତାଲାଗି ଅମାବାସ୍ୟା ଅନ୍ୟତମ ଅଟେ ।

“ଶ୍ରାବଣସ୍ୟ ଚ ଦର୍ଶେ ଅପିହ୍ୟରୁଣୋଦୟକାଳକେ।
ନୈବେଦ୍ୟାମଧିକଂ ଦଦ୍ୟାତ୍ ପ୍ରାତଃ ପୂଜନକାଳକେ।।
ସୁବର୍ଣ୍ଣରଚିତଂ ଦିବ୍ୟଂ ନାନାରତ୍ନସମୁଜ୍ଜ୍ଵଳମ୍।
ତିଳକଂ ତୁ କପାଳେଷୁ ଦେବାନାଂ ଭିଲ୍ଲଜାତୟଃ।।”

ଶ୍ରାବଣ ଅମାବାସ୍ୟା ଦିନ ଶ୍ରୀମନ୍ଦିର ରେ ଚିତା ଲାଗି ଅମାବାସ୍ୟା ନୀତି ପାଳିତ ହୋଇଥାଏ। ଏହି ଦିନ ମହାପ୍ରଭୁଙ୍କ ସ୍ଵର୍ଣଚିତା ଲାଗି ହୋଇଥାଏ।

ଏହି ଦିନ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ରତ୍ନସିଂହାସନ ରୁ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରକୁ ବିଜେ କରିଥାନ୍ତି। ଏହାପରେ ଶ୍ରୀଜୀଉମାନଙ୍କ ଝୋବା ମଇଲମ ହୋଇ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥାଏ। ଏହି ଦିନ ସାଗର ବିଜେ କରିଥିବା ଅମାବାସ୍ୟା ଠାକୁର ଶ୍ରୀମନ୍ଦିର କୁ ବାହୁଡା ବିଜେ କରିବା ପରେ ପତି ମହାପାତ୍ର , ବାଡ଼ଗ୍ରାହୀ ଦଇତା ମାନେ ରତ୍ନସିଂହାସନାଧିଷ୍ଠିତ ଶ୍ରୀଜୀଉ ଙ୍କର ଚିତାଲାଗି କାର୍ଯ୍ୟ କରିଥାନ୍ତି । ତିନୋଟି ସ୍ବର୍ଣ୍ଣ ଚିତା ଶ୍ରୀଜୀଉମାନଙ୍କ କପାଳର ଶୀର୍ଷ ଭାଗରେ ଓଷୁଅ ରେ ପାଟ ଡୋର ସାହାଯ୍ୟରେ ଏହାକୁ ଦୃଢ଼ ଭାବରେ ବନ୍ଧା ଯାଇଥାଏ।

ସୂଚନାଯୋଗ୍ୟ ଯେ ଏହି ରତ୍ନଖଚିତ ସ୍ବର୍ଣ୍ଣ ଚିତା କୁ ପୂର୍ବରୁ ଅର୍ଥାତ ସ୍ନାନପୂର୍ଣ୍ଣିମା ଦିନ ରାତ୍ରି ରେ ଶ୍ରୀଜୀଉମାନଙ୍କ ଶ୍ରୀକପାଳ ଦେଶରୁ ଓଲାଗି କରାଯାଇଥାଏ। ଏହି ଚିତାକୁ ଭଣ୍ଡାରରୁ ଅଣାଯାଇ ଶ୍ରୀମନ୍ଦିର ପରିସର ରେ ଦେଉଳକରଣ , ତଢ଼ାଉ କରଣ , ଶ୍ରୀମନ୍ଦିର ପ୍ରଶାସନ ର ପଦାଧିକାରୀ ଉପସ୍ଥିତି ରେ ବଣିଆ ସେବକ ଦ୍ୱାରା ସଫା କରାଯାଇଥାଏ ଓ ପୁନଃ ସଂସ୍ଥାପିତ ହୋଇଥାଏ। ଚିତାଲାଗି ନୀତି ଗୋପନୀୟ ହୋଇଥିବାରୁ ଏହି ସମୟରେ ଭକ୍ତ ଙ୍କୁ ଭିତରକାଠ ମଧ୍ୟକୁ ପ୍ରବେଶ କରିବାକୁ ବାରଣ କରାଯାଇଥାଏ।

ବଡ଼ ଠାକୁର ଶ୍ରୀ ବଳଭଦ୍ର ଙ୍କ ସ୍ୱର୍ଣ୍ଣ ଚିତା ମଝିରେ ଏକ ବଡ଼ ମର୍କତ ପଥର ରହିଛି । ଏହାର ଚାରି ପାର୍ଶ୍ୱରେ ପାଞ୍ଚୋଟି ବେଢ଼ରେ ଛୋଟ ଛୋଟ ମାଣିକ୍ୟ , ହୀରା , ମର୍କତ / ପାନ୍ନା ଏବଂ ନୀଳ ପଥର ଖଚିତ ହୋଇଛି।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସ୍ଵର୍ଣ୍ଣଚିତା ମଝିରେ ହୀରା ରହିଛି । ଚିତାର ସାତୋଟି ବେଢ଼ ରେ ମାଣିକ୍ୟ , ହୀରା , ପାନ୍ନା ଏବଂ ଓପଲ ଖଞ୍ଜା ଯାଇଛି। ଶେଷ ଅର୍ଥାତ ସପ୍ତମ ବେଢ଼ରେ ଶୀର୍ଷରେ ବା ଚିତାର ଶୀର୍ଷରେ ପାନପତ୍ର ଅକୃତିର ଏକ ହୀରା ପଥର ରହିଛି । ଏହାକୁ ବ୍ରହ୍ମଜ୍ୟୋତି ହୀରା କୁହାଯାଏ।

ଦେବୀ ସୁଭଦ୍ରା ଙ୍କ ଚିତା ମଝିରେ ଏକ ବଡ଼ ମାଣିକ୍ୟ ପଥର ରହିଛି । ଚିତାର ତିନୋଟି ବେଢ଼ରେ ପାନ୍ନା , ମର୍କତ , ହୀରା ଓ ମାଣିକ୍ୟ ରହିଛି।

ଏହି ତିନୋଟି ରତ୍ନଖଚିତ ସୁବର୍ଣ୍ଣ ଚିତାଗୁଡିକୁ ମର୍କତ ଚିତା , ହୀରଚିତା ଏବଂ ପାନ୍ନା ଚିତା କୁହାଯାଇଥାଏ। ଚିତା ଲାଗି ନୀତି ସମ୍ପର୍ଣ୍ଣ ହେଲା ପରେ ମହାସ୍ନାନ ବଢ଼ି ଅନ୍ୟାନ୍ୟ ନୀତି ହୋଇଥାଏ। ଏହି ତୀଥିରେ କେତେକ ନିଯୋଗ ମାନଙ୍କ ପକ୍ଷରୁ ଆଳତି ଭୋଗ ମଧ୍ୟ ହୋଇଥାଏ। ଏଥିରେ ଛେନା ତାଡ଼ିଆ , ଫାଳ ସୋଲା ପ୍ରଭୃତି ଭୋଗ ହୋଇଥାଏ।

ଇତିହାସ ପୃଷ୍ଠା ରୁ ଜଣାଯାଏ କି ରକ୍ତବାହୁ ଆକ୍ରମଣ ସମୟରେ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ସୁବର୍ଣ୍ଣପୁର ରେ ପାତଳୀ କରି ରଖା ଯାଇଥିଲା । ଆଦି ଶଙ୍କରାଚାର୍ଯ୍ୟ ଙ୍କ ତତ୍ୱାବଧାନରେ ଯଯାତି କେଶରୀ ଶ୍ରୀଜୀଉମାନଙ୍କୁ ସେଠାରୁ ଆଣି ଶ୍ରୀମନ୍ଦିର ରେ ରତ୍ନବେଦୀରେ ପଟାଅଭିଷେକ କରାଇଥିଲେ ଏବଂ ଏହି ରତ୍ନଖଚିତ ସୁବର୍ଣ୍ଣ ଚିତା ଲାଗି କରାଇଥିଲେ । ସେହିଦିନ ଠାରୁ ଓଡ଼ିଶାର ପୁରପଲ୍ଲୀ ଶ୍ରାବଣ ମାସ ଅମାବାସ୍ୟା ଚିତା ଲାଗି ଅମାବାସ୍ୟା ନାମରେ ପରିଚିତ ହୋଇଛି।
ଏହି ଦିନ ପ୍ରତିହାରୀ ନିଯୋଗମାନଙ୍କ ପକ୍ଷରୁ ଆଳତି ଭୋଗ ହୋଇଥାଏ।

ଉପସ୍ଥାପନା: ଆମେ ଓଡ଼ିଆ,ଆମ ଜଗନ୍ନାଥ।