ବିଶ୍ଵର କଳା ସଂସ୍କୃତିର ଅନ୍ତୁଡ଼ିଶାଳ ଓଡ଼ିଶା। ପାତାଳ ଭେଦୀ ମହାମାନବୀୟ ସଂସ୍କୃତିର ମାଟିରେ ଅନେକ ପାଷାଣ୍ଡ, ବିଧର୍ମୀ, ଲୁଟେରାମାନେ ଶହ ଶହ ବର୍ଷ ଧରି ପ୍ରଚଣ୍ଡ ଆକ୍ରମଣ କରିବା ଏବଂ ଦୁର୍ଭାଗ୍ୟବଶତଃ ୧୫୬୮ରେ ଗୋହୀରା ଟିକିରି ଯୁଦ୍ଧରେ ମୁକୁନ୍ଦ ଦେବଙ୍କ ପରାଜୟ ପରେ ଆଫଗାନ, ମୋଗଲ, ମରହଟ୍ଟା, ଇଷ୍ଟଇଣ୍ଡିଆ କମ୍ପାନୀ ଅବଶେଷରେ ଇଂରେଜ ମାନଙ୍କ ଦ୍ଵାରା ଶାସିତ ହେବା ଫଳରେ ଆମର ଭାଷା, ସାହିତ୍ୟ,କଳା ସଂସ୍କୃତି, କ୍ଷେତ୍ରକୁ ସକଳ ପ୍ରକାର ଅପସଂସ୍କୃତି ଭିତରକୁ ଠେଲି ଦିଆଯାଇଛି। ସ୍ବାଧୀନୋତ୍ତର ଓଡ଼ିଶାରେ ତାର ପୁନଃଉଦ୍ଧାର ପାଇଁ ଯେଭଳି ଉଦ୍ୟମ ଆବଶ୍ୟକ ଥିଲା ତାହା କରାଯାଇପାରି ନାହିଁ।ଅତଏବ ଆମର ଅନେକ ଲୋକକଲା ବିଲୁପ୍ତ ଓ ଅନେକ ସେଇ ପଥର ଯାତ୍ରୀ। ଆମର ଭାଷା ସାହିତ୍ୟକୁ ପରିପ୍ରକାଶ କରୁଥିବା ପାଲା ସଂସ୍କୃତି ଆଜି ଘୋର ବିପଦରେ, ଦାସକାଠିଆ , ପ୍ରହଲ୍ଲାଦ ନାଟକ , ସୁଆଙ୍ଗ,ଛଉ ନୃତ୍ୟ ପ୍ରଭୃତି ମୃତ ପ୍ରାୟ। ଆଜି ବିଶ୍ୱର ପ୍ରଥମ ସାମାଜିକ ନ୍ୟାୟ ସଂହତି ମହାମାନବୀୟ ଦର୍ଶନର ନାଭି କେନ୍ଦ୍ର ଶ୍ରୀଜଗନ୍ନାଥ ସଂସ୍କୃତିକୁ ଲୁପ୍ତ କରିବା ପାଇଁ ପ୍ରତିଯୋଗିତା ଚାଲିଛି। ବିଶ୍ଵ ଆଧ୍ୟାତ୍ମିକ କେନ୍ଦ୍ର ଜଗତର ନାଥ ଜଗନ୍ନାଥଙ୍କ ପୁରୁଷୋତ୍ତମ କ୍ଷେତ୍ରକୁ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ପାଇଁ ଶାସନକଳ ବ୍ୟସ୍ତ ଓ ବ୍ୟଗ୍ର। ଅଷ୍ଟମ ଶତାବ୍ଦୀରେ ପଦ୍ମପୁରାଣରେ ଉଲ୍ଲେଖ ରହିଛି, ବର୍ଷାଣାମ୍ ଭାରତ ଶ୍ରେଷ୍ଠ, ଦେଶାନାମ୍ ଉତ୍କଳ ଶ୍ରୁତଃ, ଉତ୍କଳସ୍ୟ ସମୋଦେଶ ଦେଶ ନାସ୍ତି ମହୀତଳେ। ଅତଏବ ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳର କଳା, ସଂସ୍କୃତି ଆଜି କିଭଳି ବିପନ୍ନ ତାହା ଆମେ ହାଡେ ହାଡେ ଅନୁଭବ କରୁଛେ।ଏହାର ପୁନଃ ଉଦ୍ଧାର ପାଇଁ ଯେଉଁମାନେ ଉଦ୍ୟମରତ ସେମାନେ ସର୍ବଦା ଅଭିନନ୍ଦନୀୟ । ଏଇ ଦୃଶ୍ୟ – ଶ୍ରାବ୍ୟ ମାଧ୍ୟମର ଅନ୍ତୁଡିଶାଳରେ ତାର ଯଶସ୍ଵୀ ଦୀର୍ଘାୟୁ ଜୀବନ କାମନା କରୁଛି।
ପ୍ରଦ୍ୟୁମ୍ନ ଶତପଥୀ (ବରିଷ୍ଠ ସାମ୍ବାଦିକ)