ଅଭିମାନର ଅଭିନେତ୍ରୀ।

ହଁ ପ୍ରିୟେ! ଜଗତ ଜଣଙ୍କର ପଡ଼ିଦାତ୍ରି ବୋଲି ଏବେ ଚଉଦ ଭୁବନ ରେ ହୁଡ଼ି ପଡ଼ିଛି। ତମେତ ସୁଯୋଗ ଖୋଜିବାକୁ ଯାଇ ମୂଳ ସୁତ୍ରର ମଞ୍ଜି ଟା କୁ ପାଇଗଲ। ଆଉ କଣ ନ କଲ ଯେ?ଯେଉଁ କଥା ଦିନେ ଅପହଁଞ୍ଚ ହବା କଥା ତାକୁ ତ କଲ ଏବଂ ଅସମ୍ଭବ କୁ ସମ୍ଭବ ରେ ପରିଣତ କରିବାର ସତ୍ୟତା, ନିଷ୍ଠା, ର ମୂଳ ସୂତ୍ର ଟାକୁ ଜଗତକୁ ଦେଇଗଲ। ଯଦି ଏ ବିଷୟରେ ଏତେ କାଣ୍ଡ ଭିଆଇବାରେ ଥିଲା ତ ମତେ ଟିକେ ଇଶାରା ତ ଦେଇପାରିଥାନ୍ତ। ସେଥିରେ କୋଉ ତମ ମାନମୟୀ ସମ୍ମାନରେ ଆଞ୍ଚ ଆସିଥାନ୍ତା କି? ଦିନ ନାହିଁ କାଳେ ନାହିଁ ଇଶାରା ତ ଛାଡ଼, ତମ ସହଯୋଗୀ ଙ୍କ ସହ ଟିକେ ଆଲୋଚନା ତ କରିପାରି ଥାଆନ୍ତ। ଦଣ୍ଡ ଦେଲ ତ ଦେଲ ପୁଣି ତା ବାର ବର୍ଷ। ସତରେ ସେହି ଦୁଃଖକୁ ଅନୁଭବି ନହେଲେ ଭାବି ବସିବ ବା କିଏ? ଟିକିଏ ବୁଦ୍ଧି ଥିଲେ ଏସବୁ ହେଇ ନଥାନ୍ତା। କିନ୍ତୁ ଏତେ ଶୀଘ୍ର ହେଲା ଯେ ଦେହ ସହିଲାନି। ମତେ ଏକା ହେଲେ ଦେଇଥାନ୍ତ, ବଡ଼ ଭାଇ ଙ୍କୁ ସେଥିରେ ପୁରାଇବା କଣ ଠିକ୍? ଯିଏ ଖାଲି ସବୁ କଥା ରେ ନ ବୁଝି ହଁ ନାହିଁ ରେ କାମ ଚଲେଇ ନିଅନ୍ତି…। ତାଙ୍କ କଥାକୁ ଟିକିଏ ସହି ଯାଇଥିଲେ କଣ ହେଇ ନଥାନ୍ତା।!!!?


ତମର ସେହି ଅଭିମାନ ଭରା ମୁଖଟି ମତେ କାହିଁ ଟିକେ ଅଡ଼ୁଆ ଲାଗୁଥିଲା। ବଡ଼ ଠାକୁରଙ୍କ ରୋକ୍ ଠୋକ୍ କଥା, ତମେ ଏକୁଟିଆ ବସି ଯୋଜନା କରିବାର ଦୃଶ୍ୟ ରୁ ଯଦିଓ ମୁଁ କିଛି ଅନୁମାନ କରି ପାରୁଥିଲି, କିନ୍ତୁ ଏତେ ବଡ ଘଟଣା ଘଟିବ ଏକଥା ଅନୁମାନ କରିପାରି ନଥିଲି। ଆଛା କହିଲ ଦେଖି ମୋର କଣ ଭୁଲ? ଏତେ ବଡ ଦେଉଳ ତ ତମର ନାଁ ରେ ଶ୍ରୀ ମନ୍ଦିର, ଆଉ ଶାସନ ଚାଲେ ବଡ଼ ଭାଇଙ୍କ କଥାରେ। ମୋର ବା ଅଛି କଣ? ଖାଲି ଲୋକେ ଯାହା କୁହନ୍ତି ଯାଉଚି ଜଗା ପାଖକୁ। ଯଦି ବଡ଼ ଭାଇ ରାତିରେ କୁଆଡେ ନ ଯିବାକୁ କହିଲେ, ତାହେଲେ ତାଙ୍କ କଥାକୁ ଟିକିଏ ଆପୋଷ ବୁଝାମଣା ଦ୍ଵାରା ତାର ସମାଧାନ କରିଥିଲେ କଣ ହେଇ ନଥାନ୍ତା? ମୁଁ ମଧ୍ୟ ପ୍ରତିବାଦ କରିପାରିଲି ନାହିଁ। ଯିଏ ତ୍ୟାଗର ମୂର୍ତ୍ତି ବନ୍ତ ପ୍ରତୀକ ତାଙ୍କୁ କହିବାକୁ ଦେହ ସହିଲା ନାହିଁ। ତମେ ଟିକେ ବୁଝେଇ ଥିଲେ ହୋଇଥାନ୍ତା। କିନ୍ତୁ ଆମର ଦେଉଳ,ଖାଦ୍ୟ, ଆଖି, ଚରଣ, ଓ ନାମ କୁ ତମ ନାଁ ରେ ସମର୍ପି ଦେଲା ବେଳେ ତ କାଇଁ ବଡ଼ ଭାଇ ବିରୋଧ କରି ନଥିଲେ। ଯୋଉଥି ପାଇଁ ଆଜି ସବୁ ଜିନିଷର ର ପୂର୍ବରୁ ଶ୍ରୀ ଯୋଗ ହେଇ ତମ ନାଁ ରେ ହେଇ ଯାଇଛି। ରାଗିକି ନିଜେ ଗଲ ଯେ ଗଲ, ହେଲେ ଚଉଦ ଭୁବନ ର ଗହଣା ଓ ଖାଦ୍ୟ କୁ ଶୂନ୍ୟେ ଶୂନ୍ୟେ ଉଡେଇ ନେଲ।। ସକାଳୁ ଦୁଇ ଭାଇ ବିଳମ୍ବରେ ଉଠିବାରୁ ସାଠିଏ ପୋଉଠୀ, ଦ୍ୱାଦଶ ବ୍ୟଞ୍ଜନ, ଛପନ ଭୋଗ କଥା ଛାଡ଼, ଅଭଙ୍ଗା କୁଡୁଆ ଟିଏ ବି ପାଇଲୁନି। ଭୋକରେ ଦୁଇ ଭାଇ ରୋଷ ଶାଳାରେ ପ୍ରବେଶ କରନ୍ତେ, ଖାଦ୍ୟ ପାଇବାତ ଦୂରର କଥା ଖାଲି କଳା ରଙ୍ଗବୋଳିବା ସାର ହେଲା। ସେଦିନ ବଡ଼ ଭାଇଙ୍କ ରୂପ ମନେ ପଡ଼ିଲା ବେଳକୁ ଦେହରେ ଶିହରଣ ଉଠୁଚି। ଖାଲି ରାଗରେ ଜର୍ଜରିତ ହେଲେ ସିନା କିଛି ଲାଭ ହେଲା ନାହିଁ। ଆଛା ପ୍ରିୟେ!! କହିଲ ଦେଖି ତମେ ଗଲ ପୁଣି ସେ ଛତିଶା ନିଯୋଗ ଓ ସହଚାରୀଙ୍କୁ ବି ନେଇଗଲ। କିନ୍ତୁ ସେଦିନ ଆଉ କାହା କଥା ମନେ ପଡ଼ିନଥିଲା। କାରଣ “ଅନ୍ନ ଚିନ୍ତା ଚମତ୍କାର”ର ସତ୍ୟାସତ୍ୟ ସେଦିନ ଅନୁଭବ କରୁଥିଲି।


ମତେ ତ ଯାହା କଲ କଲ, ବଡ଼ ଭାଇଙ୍କ ପ୍ରତି ତମର ବ୍ୟବହାର ନିଶ୍ଚିନ୍ତ ଭାବେ ପର ପିଢ଼ି ପାଈଁ ଏକ ଖରାପ ପରମ୍ପରା ସୃଷ୍ଟି କରିବା ସହ ସବୁ ନୀତି ନିୟମକୁ ଉବେଇ ଟୁବେଇ ନଦେବ !! ଏକଥା କିଏ କହିବ? ଲୋକେ ଆମକୁ ଖାଲି ଲକ୍ଷ୍ମୀ ଛଡା ବୋଲି କହିବେ। ଏହାତ ଗୋଟେ ପରମ୍ପରା ହେଇଯିବ!!। ଏହା ଦ୍ବାରା କେତେ ପରିବାର ଯେ ଉଜୁଡ଼ି ନଯିବ, ସେ କଥା କିଏ କହିବ?
ତେବେ କୁହତ-ଚଣ୍ଡାଳ ସାହି କୁ ଯାଇଥିଲ ବୋଲି ଭାଈ ତମକୁ ସେ ସାହିରେ ଘର କରିବାକୁ କହିଲେ। ଶେଷରେ ତମେ ଚଣ୍ଡାଳ ପରି ଅଭିନୟ କରି ଆମକୁ ସେହି ଚଣ୍ଡାଳ ହାତରୁ ଖାଦ୍ୟ ଖୁଆଇ ଦେଲ। ସତରେ ତମକୁ ତ ଭଲ ଅଭିନୟ ଆସେ? ସେଥିରେ ତମର ଶେଷ ଆଶା, ଅଭିଳାଷ ପୂର୍ଣ୍ଣ କରିବା ପ୍ରୟାସରୁ ଯଦିଓ ମୁଁ କିଛି କିଛି ଅନୁମାନ କରି ସମାଧାନ ଖୋଜି ଦେଇଥାନ୍ତି,,,,କିନ୍ତୁ କ୍ଷୁଧା ର ଜ୍ଵାଳା ରେ ମୋର ଭାବନା ଶକ୍ତି ପ୍ରାୟ ଲୋପ ପାଇଯାଇଥିଲା। ଦାର୍ଶନିକ ମାନଙ୍କ ମତରେ ଯଦିଓ ମୁଖ ମନୁଷ୍ୟର ଦର୍ପଣ କିନ୍ତୁ ମୁଁ କିଛି ଅଭିବ୍ୟକ୍ତ କରି ପାରୁନଥିଲି। କିନ୍ତୁ ଏବେ ବୁଝୁଛି,, ଆମ ଦୁଇ ଜଣଙ୍କ ମଧ୍ୟରୁ ଜଣେ କିଏ ଏକଥା ବୁଝି ଯାଇଥିଲେ,, ଏତେ ବଡ ଘଟଣାଟା ଘଟି ନଥାନ୍ତା। ଆଉ ଆଜି ନିନ୍ଦା ପ୍ରଶଂସା ର ଅଡ଼ୁଆ ଗଣ୍ଠି ଗୁଡ଼ିକ ଖୋଜିବାକୁ ପଡି ନଥାନ୍ତା। ତମେ କଣ ଖାଲି ଶ୍ରୀୟା ଚଣ୍ଡାଳୁଣୀର ର ପ୍ରଭୁ କି? ଆମେ ପରା ଭକ୍ତ ଙ୍କୁ କହୁ——–
“ତ୍ରିପୁରେ ଅଛି ମୁହିଁ ଛନ୍ଦି, ମୋତେ ଭକତ ପାରେ ବାନ୍ଧି,
ଆବୋରି ଥାଏ ବେନି ପାଶେ, ତାର ଚରଣ ରେଣୁ ଆସେ।”
ପୁନଶ୍ଚ——–


“ମୋର ଭକତ ମୋର ମିତ୍ର, ସେ କରେ ଜଗତ ପବିତ୍ର,
ମୁଁ ନୁହେଁ ଭକ୍ତ ଠାରୁ ଭିନ୍ନ, ମୁଁ ଅଟେ ଭକ୍ତ ର ଅଧୀନ।”


ତମେ ଏଥିରେ ଏତେ ଅସହଣୀ ହେଇ ପଡ଼ିଲ ଯେ, ରାତିରେ ତା ଘରକୁ ପଳେଇଲ। ଏ କଥା ଟା ଭାଇଙ୍କ ଆଗରେ ପେଶ କରିଥିଲେ କଣ ତମ ସମ୍ମାନରେ କଳଙ୍କ ଲଗିଯାଇଥାନ୍ତା? ସେ ଯାହାବି ହେଉ, ଭବିଷ୍ୟତରେ ଆଉ ଏପରି ଖରାପ ପରମ୍ପରା ସୃଷ୍ଟି ନ କରିବା ର ଶପଥ ନେବା ସହ ପାରିବାରିକ ସ୍ଥିତିକୁ-“ବୈକୁଣ୍ଠ ସମାନ ଆହା ଅଟେ ସେହି ଘର” ଠାରେ ପହଞ୍ଚାଇବା ସହ ସୁସ୍ଥ ଓ ରମଣୀୟ ପରିବେଶ, ପରମ୍ପରା ସୃଷ୍ଟି କରିବା।।।
“ଜୟ ଜଗନ୍ନାଥ”

ଉପସ୍ଥାପନା: ସତ୍ୟଜିତ ପଣ୍ଡା

Share if you Care

10 Replies to “ଅଭିମାନର ଅଭିନେତ୍ରୀ।”

  1. Nice connection of myth with poetic imagination 👍👍
    Absolutely Mind blowing 🥰🥰

  2. ସ୍ତ୍ରୀଙ୍କ ଅଭିମାନରୁ ସ୍ଵୟଂ ମହାପ୍ରଭୁ ମଧ୍ୟ ନିସ୍ତାର ପାଇନାହାନ୍ତି।
    ଜୟ ଜଗନ୍ନାଥ।

Comments are closed.