ଖୁଦୁରୁକୁଣୀ ଓଷା।

ଓଡି଼ଶା ସମଗ୍ର ବିଶ୍ବରେ ତାହାର ସଂସ୍କୃତି ପରମ୍ପରାକୁ ନେଇ ପରିଚିତ। ପ୍ରତ୍ୟେକ ଘରେ ସବୁ ମାସରେ କିଛି ନା କିଛି ପୂଜା ଉପାସନା ଚାଲି ରହିଥାଏ। ଏହି କ୍ରମରେ ଖୁଦରକୁଣୀ ହେଉଛି ଏକ ଓଷା ଯାହାକୁ କୁମାରୀମାନେ ଭାଦ୍ରବର ପ୍ରତି ରବିବାରେ ଜଗତ ଜନନୀ ମା’, ମଙ୍ଗଳାଙ୍କୁ ଆରାଧାନା କରନ୍ତି । ଏହି ଓଷା ବ୍ରତରେ ନା କି କେବଳ ପୂଜା ଆରାଧନା କରାଯାଏ ଏହା ମଧ୍ୟ ସାମାଜିକ ସ୍ତରରେ ଏକ ଗୁରୁତ୍ବ ବହନ କରେ ପରଷ୍ପର ମଧ୍ୟରେ ମୈତ୍ରୀ,ବନ୍ଧୁତ୍ବ ଓ ସଦଭାବର ଓ ପ୍ରତିଟି କୁମାରୀମାନଙ୍କ ଠାରେ ସୃଷ୍ଟି କରେ ନୂତନ ଆଶା ଓ ବିଶ୍ବାସ। ବହୁତ ଭକ୍ତିଭାବର ସହ ଏ ପୂଜା କରାଯାଇଥାଏ।

ଭଉଣୀମାନେ ନିଜ ଭାଇର ନିରାମୟ ଜୀବନ, ଉଜ୍ଜଳ ଭବିଷ୍ୟତ ଓ ଦୀର୍ଘ ଆୟୁ କାମନା କରି ମଙ୍ଗଳମୟୀ ମା ମଙ୍ଗଳାକୁ ସ୍ମରଣ କରିଥାନ୍ତି । ମାଆ ମଙ୍ଗଳାଙ୍କର ବିଗ୍ରହକୁ ଏଥିରେ ପୂଜାର୍ଚ୍ଚନା କରାଯାଇଥାଏ। ପ୍ରତ୍ୟୁଷରୁ କୁମାରୀ ଝିଅମାନେ ସଙ୍ଗ ହୋଇ ନଦୀକୁ ସ୍ନାନ ପାଇଁ ଯାଆନ୍ତି ସେଠାରେ ସ୍ନାନାଦି ନିତ୍ୟକର୍ମ ସାରି ବାଲୁକା ସ୍ଥାପନ କରି ନିଜ ଭାଇମାନଙ୍କ ମଙ୍ଗଳ କାମନା କରି ଆରାଧନା କରିଥାଆନ୍ତି।

ପରିବାର ଭିତରେ ସମ୍ପର୍କର ଡୋରି ବାନ୍ଧିବାର ପର୍ବ ହେଉଛି ଖୁଦୁରୁକୁଣୀ ।ଭାଦ୍ରବ ମାସର ପ୍ରତି ରବିବାରରେ ଖୁଦୁରୁକୁଣୀ ଓଷା ବ୍ରତ ପାଳନ କରାଯାଏ । ମାଆ ମଙ୍ଗଳାଙ୍କର ବିଗ୍ରହ ସ୍ଥାପନ କରି ବିଭିନ୍ନ ପୁଷ୍ପ ଓ ନାନାଦି ଅଳଙ୍କାରରେ ସୁସଜ୍ଜିତ କରାଯାଇଥାଏ । ସଂଧ୍ୟା ସମୟରେ କୁମାରୀମାନେ ଦୁହୁଡି(ଦିହୁଡି) ଜାଳି ଝୁଣା ମାରି ଆନନ୍ଦର ସହ ନିଜର ଭାଇର ସୁରକ୍ଷା ପାଇଁ କୁମାରୀମାନେ ପୂଜା କରନ୍ତି ।

ଉପସ୍ଥାପନା: ଆଫତାବ ହୋସେନ

ଶ୍ରୀ ମନ୍ଦିରରେ ରାହୁରେଖା ନୀତି।

ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଠାକୁରମାନଙ୍କର ରାହୁ ରେଖା ଲାଗି ହୋଇଥାଏ. ବିଗ୍ରହ ମାନଙ୍କର ଶ୍ରୀମୁଖର ଚତୁଃପାର୍ଶ୍ଵରେ ସ୍ପର୍ଶ ନିର୍ମିତ ଏକ ବଳୟ ପଟି କୁ ରାହୁ ରେଖା କୁହାଯାଏ ।

ଉକ୍ତ ଦିନ ଗୋପାଳବଲ୍ଲଭ ଭୋଗ ବଢିବା ପରେ ତଢ଼ାଉ କରଣ ଓ ଦେଉଳକରଣ ଭଣ୍ଡାର ମେକାପ ଙ୍କୁ କହି ଭଣ୍ଡାରରୁ ମୁଦ ହୋଇ ରହିଥିବା ସୁବର୍ଣ୍ଣ ରାହୁରେଖା ବାହାର କରି ଆଣିଥାନ୍ତି। ବେହେରଣ ଦ୍ୱାର ନିକଟରେ ଥିବା ଶ୍ରୀମନ୍ଦିର ବଣିଆ ସେବକ ଉକ୍ତ ରାହୁରେଖା କୁ ମାଜି ସଫା କରିଥାନ୍ତି। ଭୋଗମଣ୍ଡପ ନୀତି ବଢିବା ପରେ ପାଳିଆ ପ୍ରତିହାରୀ ଜୟ ବିଜୟ ଦ୍ୱାର ବନ୍ଦ କରିଥାନ୍ତି। ଏହାପରେ ପାଳିଆ ପୁଷ୍ପାଳକମାନେ ସିଂହାସନ ଉପରେ ଉଠି ଶ୍ରୀଜୀଉ ମାନଙ୍କର ଝୋବା ମଇଲମ କରିଥାନ୍ତି। ସୁଦୁସୁଆର ସିଂହାସନ ତଳେ ଓଷୁଅ ରଖିଥାନ୍ତି ଏବଂ ବୋଇରାଣୀ ବସ୍ତ୍ର ପାହାଡ଼ା ପକାଇଥାନ୍ତି। ବଣିଆ ମାନେ ସେହି ବୋଇରାଣୀ ପାହାଡ଼ା ଉପରେ ସ୍ବର୍ଣ୍ଣ ରାହୁରେଖା ରଖି ଉକ୍ତ ଓଷୁଅରେ ମୁହଁ ବନ୍ଦ କରିଥାନ୍ତି। ଏହାପରେ ପାଳିଆ ଖୁଣ୍ଟିଆ ଦଇତାପତି ମାନଙ୍କୁ ଡାକିଥାନ୍ତି । ଦଇତାପତିମାନେ ଆସି ବେହେରଣ ତଳେ ଗୋଡ଼ ଧୋଇ ସିଂହାସନ ଉପରକୁ ଉଠିଥାନ୍ତି ଏବଂ ଗରାବଡୁ ସେବକ ଠାରୁ ହାତୁଆଣୀ ନେଇ ପାଳିଆ ମେକାପ ଠାରୁ ଶ୍ରୀ ଅଙ୍ଗ ମଣି ନେବେ। ପାଳିଆ ମେକାପ ପ୍ରଥମେ ବଡ଼ବାଡ଼ଙ୍କର ରାହୁରେଖା ପତି ମହାପାତ୍ରଙ୍କ ହାତକୁ ବଢ଼ାଇଥାନ୍ତି। ପତିମହାପାତ୍ରେ ଉକ୍ତ ରାହୁରେଖା କୁ ସଂସ୍କାର ପୂର୍ବକ ଯଥାକ୍ରମେ ତିନି ବାଡ଼ର ବାଡ଼ଗ୍ରାହୀ ଦଇତାମାନଙ୍କୁ ବଢ଼ାଇଥାନ୍ତି। ଏହାପରେ ସମସ୍ତ ଦଇତାମାନେ ମିଶି ସୁଧସୁଆର ଠାରୁ ଓଷୁଅ ଓ ଚାଙ୍ଗଡ଼ା ମେକାପଙ୍କ ଠାରୁ ବଇଟମ ନେଇ ରୁନ୍ଧା କାର୍ଯ୍ୟ ଶେଷ କରିଥାନ୍ତି। ଏହି ରୁନ୍ଧା କାର୍ଯ୍ୟ ଶେଷ ହେବା ପରେ ପାଳିଆ ମେକାପ ଙ୍କୁ ଶ୍ରୀଅଙ୍ଗ ମଣାଇ ଦେଇ ସିଂହାସନ କୁ ଓହ୍ଲାଇ ଆସିଥାନ୍ତି।

ଏହାପରେ ପାଳିଆ ମେକାପ ସିଂହାସନ ପୋଛା ମାରିବା ପରେ ପୂଜାପଣ୍ଡାଙ୍କ ଦ୍ଵାରା ମହାସ୍ନାନ ନୀତି ବଢିଥାଏ। ତତ୍ପରେ ମହାଜନ ସେବକ ଭୂଦେବୀ ଓ ଶ୍ରୀଦେବୀ ଙ୍କୁ ଖଟ ଶେଜ ଘରୁ ଆଣି ରତ୍ନସିଂହାସନ ରେ ବିଜେ କରିଥାନ୍ତି। ଏହାପରେ ଶ୍ରୀଜୀଉମାନଙ୍କ ମଇଲମ ହୋଇ ବେଶ ବଢିଥାଏ। ତତ୍ପରେ ମଧ୍ୟାହ୍ନ ଧୂପ ପୂଜା ସରି ଭିତରେ ପାଣି ପଡିବା ପରେ ପୂଜାପଣ୍ଡା , ପତି ମହାପାତ୍ର ଓ ମୁଦିରସ୍ତ ସେବକମାନେ ୩ ବାଡ଼ରେ ବନ୍ଦାପନା କରିଥାନ୍ତି। ଏହାପରେ ଅନ୍ୟାନ୍ୟ ଦୈନିକ ନୀତି ହୋଇଥାଏ।

ଉପସ୍ଥାପନା: ଶ୍ରୀଜଗନ୍ନାଥ

ଆଜି ସ୍ବାଭାବକବିଙ୍କ ଜୟନ୍ତୀ।

ମୁଁ ତ ଅମୃତ ସାଗର ବିନ୍ଦୁ
ନଭେ ଉଠିଥିଲି ତେଜି ସିନ୍ଧୁ
ଖସି ମିଶିଛି ଅମୃତ ଧାରେ
ଗତି କରୁଛି ସେ ଅକୂପାରେ

ଚମତ୍କାର ଶବ୍ଦ ସଂଯୋଜନା, ଚମତ୍କାର ଭାବାନ୍ତର। ଆଉ ଏହି ସୁନ୍ଦର ଅନୁସୃଜନର ଜନକ ହେଉଛନ୍ତି ସ୍ୱଭାବକବି ଗଙ୍ଗାଧର ମେହେର।ତାଙ୍କୁ ଓଡ଼ିଆ ରୀତି କବି ବୋଲି ମଧ୍ୟ କୁହାଯାଏ। ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ସେ ଏକାଧାରରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।

ବାଲ୍ୟକାଳରୁ ଗଙ୍ଗାଧର କବିତା ଲେଖିବା ଆରମ୍ଭ କରିଥିଲେ। ଓଡ଼ିଶାର ପୁରାତନ କବି ମାନଙ୍କର ପଦାଙ୍କ ଅନୁସରଣ କରି ସେମାନଙ୍କ ଶୈଳୀରେ ସେ ନିଜର ପ୍ରଥମ ଲେଖା ସବୁ ଲେଖିଥିଲେ । ତାଙ୍କର ଆଦ୍ୟ ରଚନାବଳୀ ଭିତରେ ରସରତ୍ନାକର ଓ ଅହଲ୍ୟାସ୍ତବ ଆଦି ଅନ୍ୟତମ। ଏ ଗୁଡ଼ିକ ରୀତି ଯୁଗୀୟ ଶୈଳୀରେ ରଚନା କରାଯାଇଥିଲା। ଏହା ପରେ କବିବର ରାଧାନାଥ ରାୟଙ୍କ ପ୍ରରୋଚନାରେ ସେ ଆଧୁନିକ ଶୈଳୀରେ ଇନ୍ଦୁମତୀ ନାମକ କାବ୍ୟ ରଚନା କରି ଓଡ଼ିଆ ସାହିତ୍ୟର ଆଧୁନିକ କବିମାନଙ୍କ ଭିତରେ ନିଜର ସ୍ଥାନ ସ୍ଥାପିତ କରି ପାରିଥିଲେ। ତାଙ୍କ ଲେଖା ସବୁ ଉତ୍କଳ ଭାରତୀର ଅମୂଲ୍ୟ ରତ୍ନ।

ପ୍ରକୃତିର ବାହ୍ୟ ରୂପ ସହିତ ଆଭ୍ୟନ୍ତରୀଣ ରୂପକୁ ବର୍ଣ୍ଣନା କରିବାରେ କବିଙ୍କର କୃତିତ୍ୱ ପ୍ରଶଂସିତ ହୋଇଛି । ସେ ନିଜ ଲେଖାରେ କେବଳ ଉଚ୍ଚ ଆଦର୍ଶକୁ ସ୍ଥାନ ଦେଇ ନାହାନ୍ତି, ସେଥିରେ ସେ ମାନବତାର ଜୟଗାନ ମଧ୍ୟ କରିଛନ୍ତି । ଛନ୍ଦମାଧୁର୍ଯର ଆଧୁନିକୀକରଣ କରି ସେ ଓଡ଼ିଆ କବିତାରେ ଗାନଯୋଗ୍ୟତା ଭରିଛନ୍ତି । ଅର୍ଘ୍ୟଥାଳି କବିତାମାଳାର ଭକ୍ତି, ଅମୃତମୟ ଓ ମଧୁମୟ କବିତା ଓଡ଼ିଶାର ପୁରପଲ୍ଲୀରେ ଅତିପରିଚିତ କବିତାମାନଙ୍କ ଭିତରୁ ଅନ୍ୟତମ ।

ସେଇ କାଳଯୟୀ କବି ଗଙ୍ଗାଧର ମେହେରଙ୍କର ଆଜି ଜନ୍ମ ତିଥି। ଏ ଅବସରରେ ବୀର କଳିଙ୍ଗ ପରିବାର ତରଫରୁ କବିଙ୍କୁ ଶତ ନମନ ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ।

ରକ୍ଷା-ବନ୍ଧନ: ପ୍ରେମ ଓ ବିଶ୍ବାସର ପର୍ବ।

ସ୍ନେହ, ଶ୍ରଦ୍ଧା, ସମ୍ମାନର ପ୍ରତୀକ ରକ୍ଷା ବନ୍ଧନ ସମଗ୍ର ଭାରତବର୍ଷର ଏକ ସମୃଦ୍ଧ ଉତ୍ସବ। ‘ ବସୁଧୈବ କୁଟୁମ୍ବକମ୍ ‘ ଆଦର୍ଶ ଆମର ମୂଳମନ୍ତ୍ର… ସମଗ୍ର ବିଶ୍ଵକୁ ଗୋଟିଏ ପରିବାର ଭାବେ ବିଶ୍ବାସ କରୁଥିବା ଭାରତୀୟ ସଂସ୍କୃତିରେ ରକ୍ଷାବନ୍ଧନ ପର୍ବର ଗୁରୁତ୍ୱ ବେଶ୍ ପ୍ରଭାବଶାଳୀ। ଶ୍ରାବଣ ପୂର୍ଣ୍ଣିମାର ଶୁଭ ଅବସରରେ ପାଳିତ ହେଉଥିବା ଏହି ଉତ୍ସବଟି କେବଳ ଭାଇ-ଭଉଣୀର ପବିତ୍ର ସ୍ନେହର ବନ୍ଧନ ନୁହେଁ ବରଂ ଦୁଇଟି ଆତ୍ମା, ଦୁଇଟି ହୃଦୟ ଏବଂ ଦୁଇଟି ପ୍ରାଣ ମଧ୍ୟରେ ପରସ୍ପର ପ୍ରତି ଘନିଷ୍ଠତା ଆବେଗ ଓ ସମ୍ମାନର ପ୍ରତୀକ।
ରକ୍ଷାବନ୍ଧନ ଉତ୍ସବ ସହ ଅନେକ ପୈ।ରାଣିକ ଓ ଐତିହାସିକ ଘଟଣା ଯୋଡ଼ି ହୋଇ ରହିଛି, ଯାହାକି ଆମ ବିଶ୍ବାସ ଓ ସଂକଳ୍ପକୁ ଶକ୍ତ କରିପାରିଛି। ବିଶେଷ ଭାବେ ଏ ପର୍ବଟି ଦାନବରାଜ ବାଳୀ ଓ ବିଷ୍ଣୁଙ୍କୁ ନେଇ ଆଧ୍ୟାତ୍ମିକ ଅଧ୍ୟାୟର ଏକ ଅଂଶଭାବେ ସ୍ଵିକୃତ। ବାମନ ଅବତାରରେ ଭଗବାନ ବିଷ୍ଣୁ ଦାନବରାଜ ବାଳୀକୁ ତିନିପାଦ ଭୂମି ମାଗିବା ପରେ ଦାନବୀର ବାଳୀ ନିଜ ସଂଙ୍କଳ୍ପ ରକ୍ଷା ସ୍ବରୂପ ତିନିପାଦ ଭୂମି ଦାନ କରିଥିଲେ। ଫଳତଃ ଭଗବାନ ଆକାଶ -ପାତାଳ ଏବଂ ଧରିତ୍ରୀକୁ ତିନିପାଦ କରିବା ସହ ରାଜା ବଳୀକୁ ରସାତଳ ପାତାଳକୁ ଚାପିଦେଇଥିଲେ। କିନ୍ତୁ ଏହାର ପ୍ରତିବଦଳରେ ନିଜ ଭକ୍ତିର ପରାକାଷ୍ଠା ଯୋଗୁଁ ସବୁସମୟରେ ବାଳୀ ସାମ୍ନାରେ ରହିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଭଗବାନ। ଏହା ମାତା ଲକ୍ଷ୍ମୀଙ୍କୁ ଚିନ୍ତାରେ ପକାଇଲା। ସମୟକ୍ରମେ ନାରଦଙ୍କ କଥାନୁସାରେ ମାତା ଲକ୍ଷ୍ମୀ ବଳୀ ପାଖକୁ ଯାଇ ରକ୍ଷା ବନ୍ଧନ କରି ତାକୁ ନିଜ ଭାଇ ଭାବେ ଗ୍ରହଣ କରିବା ସହ ଭଗବାନ ବିଷ୍ଣୁଙ୍କୁ ନିଜ ସହ ନେଇ ଫେରିଥିଲେ। ବିଶ୍ବାସ ଅନୁସାରେ ସେହି ଦିନଠାରୁ ରକ୍ଷା ବନ୍ଧନ ପର୍ବ ପାଳିତ ହୋଇ ଆସୁଅଛି।

ଅନ୍ୟ ଏକ ପୈରାଣିକ ଆଖ୍ୟାନ କ୍ରମେ ଦେବତା ଓ ଦାନବ ମାନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ ଦାନବମାନେ ଦେବତାଙ୍କୁ ପରାସ୍ତ କରୁଥିବାର ଦେଖି ଇନ୍ଦ୍ରଙ୍କ ପତ୍ନୀ ଇନ୍ଦ୍ରାଣୀ ଭଗବାନଙ୍କ ଆରାଧନା କରିଥିଲେ। ଫଳତଃ ଭଗବାନ ଏକ ମନ୍ତ୍ରଯୁକ୍ତ ସୂତା ଇନ୍ଦ୍ରାଣୀଙ୍କୁ ପ୍ରଦାନ କରିବାପରେ ସେଇ ସୂତାକୁ ଇନ୍ଦ୍ରାଣୀ ନେଇ ଇନ୍ଦ୍ରଙ୍କ ହାତରେ ବାନ୍ଧି ଦେଇଥିଲେ। ଫଳତଃ ସେହି ଯୁଦ୍ଧରେ ଇନ୍ଦ୍ର ବିଜୟୀ ହୋଇଥିଲେ। ରକ୍ଷା-ବନ୍ଧନକୁ ନେଇ ମହାଭାରତରେ ମଧ୍ୟ ଏକ ରୋଚକ ପ୍ରସଙ୍ଗ ରହିଛି। ଭଗବାନ ଶ୍ରୀକୃଷ୍ଣଙ୍କ ପରାମର୍ଶକ୍ରମେ ଧର୍ମରାଜ ଯୁଧିଷ୍ଠିର ନିଜର ସମସ୍ତ ସୈନ୍ୟମାନଙ୍କ ହାତରେ ରକ୍ଷା-ସୂତା ବାନ୍ଧିଥିଲେ। ସେହିପରି ମହାଭାରତର ଆଉ ଏକ ପ୍ରସଙ୍ଗ ହେଉଛି ,ଶିଶୁପାଳକୁ ବଧ କରିବା ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ ଆଙ୍ଗୁଠି କ୍ଷତାକ୍ତ ହୋଇଥିବାରୁ ଦୈପଦୀ ନିଜ ଶାଢ଼ୀକୁ ଚିରି ଶ୍ରୀକୃଷ୍ଣଙ୍କ ଆଙ୍ଗୁଠିରେ ବାନ୍ଧି ଦେଇଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ କୁରୁସଭାରେ ଦୈପଦୀଙ୍କ ବସ୍ତ୍ର ହରଣ କରାଯାଇଥିଲା ସେତେବେଳେ ବସ୍ତ୍ରଦାନ କରି ଦୈପଦୀଙ୍କ ଲଜ୍ଜା ନିବାରଣ କରିଥିଲେ ଶ୍ରୀକୃଷ୍ଣ।
ରକ୍ଷା-ବନ୍ଧନକୁ ନେଇ ଏମିତି ଅନେକ ପୈରାଣିକ ପ୍ରସଙ୍ଗ ଥିବା ବେଳେ ଐତିହାସିକ ଦୃଷ୍ଟିକୋଣରୁ ମଧ୍ୟ ଏହି ପର୍ବର ପ୍ରାସଙ୍ଗିକତା ପରିଲକ୍ଷିତ ହୋଇଥାଏ। ମଧ୍ୟଯୁଗରେ ମୁସଲମାନ ଓ ରାଜପୁତ୍ରଙ୍କ ମଧ୍ୟରେ ଯୁଦ୍ଧ ଲାଗି ରହୁଥିଲା। ଚିତୋର ରାଜାଙ୍କ ବିଧବା ରାଣୀ ଗୁଜୁରାତର ସୁଲତାନ ବାହାଦୁର ଶାହଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଦିଲ୍ଲୀର ମୋଗଲ ବାଦଶାହା ହୁମାୟୁନଙ୍କ ପାଖକୁ ରାକ୍ଷୀ ପଠାଇ ସୁରକ୍ଷା କାମନା କରିଥିଲେ। ଏହି ରାକ୍ଷୀକୁ ରକ୍ଷା ପ୍ରତୀକ ଭାବେ ବିବେଚନା କରି ବାଦଶାହା ହୁମାୟୁନ୍ ଚିତୋର ରାଣୀ କର୍ମବତୀଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ। ଏହା ହିନ୍ଦୁ ଓ ମୁସଲମାନମାନଙ୍କ ଭାବନାତ୍ମକ ଏକତାର ଅବିସ୍ମରଣୀୟ ଘଟଣା କହିଲେ ଅତ୍ୟୁକ୍ତି ହେବନାହିଁ।

ପୈ।ରାଣିକ ତଥା ଐତିହାସିକ ଦୃଷ୍ଟିକୋଣରୁ ବେଶ୍ ମହତ୍ଵ ପୂର୍ଣ୍ଣ ଏହି ପବିତ୍ର ପର୍ବ ,ସଂପ୍ରତି ଭାରତରେ ଏକ ଗଣପର୍ବ ଭାବେ ପରିଗଣିତ ହେଉଅଛି। ପ୍ରଥମେ ତ ସୂତା ବାନ୍ଧି ରକ୍ଷା କାମନା କରାଯାଉଥିଲା‌। ସମୟାନୁକ୍ରମେ ବର୍ତ୍ତମାନ ବିଭିନ୍ନ ପ୍ରକାରର ସୁନ୍ଦର ସୁଶୋଭିତ ରାକ୍ଷୀ ବଜାରରେ ଉପଲବ୍ଧ। କୁହାଯାଇପାରେ ସମୟ ସହିତ ବଦଳିଯାଇଛି ରାକ୍ଷୀର ଅଙ୍ଗୀକତା କିନ୍ତୁ ଆତ୍ମିକଭାବେ ସୂତା ହେଉ କି କାରୁକାର୍ଯ୍ୟ ପୂର୍ଣ୍ଣ ରାକ୍ଷୀ; ସବୁହେଉଛି ସ୍ନେହ, ଶ୍ରଦ୍ଧା, ସମ୍ମାନର ପ୍ରତୀକ। ରାକ୍ଷୀରେ ଅଛି ପ୍ରେମ, ବିଶ୍ବାସ ଓ ପବିତ୍ରତାର ଶକ୍ତି।

ଉପସ୍ଥାପନା: ଶରତ ଚନ୍ଦ୍ର ଆଚାର୍ଯ୍ୟ
ତଥାସ୍ତୁ, ଏମ୍. ଆଇ. ଜି – ୨୧
ହାଉସିଂ ବୋର୍ଡ କଲୋନୀ, ନୟାଗଡ଼
ମୋ- 7978233020

ମହାପ୍ରଭୁଙ୍କ ଝୁଲଣ ଯାତ।

“ଝୁଲିବେ ତ ଆଜ କୁଞ୍ଜେ ବ୍ରଜରାଜ
ଭୁଲି ନ ଯିବ କେ ଚାହିଁ।।”
ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଶ୍ରାବଣ ଶୁକ୍ଳ ଦଶମୀଠାରୁ ପ୍ରତିପଦ ଯାଏ ୭ ଦିନ ଧରି ଅନୁଷ୍ଠିତ ହୋଇଥାଏ। ଏହି ନୀତି ପାଇଁ ଭଣ୍ଡାର ରୁ ରୂପା ଗିନା ଆସେ। ଘଟୁଆରୀ ଚନ୍ଦନ ଆଣି ଯୋଗାଏ। ଭଣ୍ଡାର ମେକାପ ଅଳଙ୍କାର ଯୋଗାଏ। ମନ୍ଦିର କୋଠରୁ ମାଣ୍ଡୁଅ ଓ ଅନ୍ୟାନ୍ୟ ଜିନିଷ ମାନ ଯୋଗା ଯାଇଥାଏ।ଏହି ନୀତି ପାଇଁ ପ୍ରାୟ ୧୫ ରୁ ଉର୍ଦ୍ଧରେ ସେବକଙ୍କର ଆବଶ୍ୟକତା ପଡିଥାଏ।

ଝୁଲଣ ର ପ୍ରଥମ ଦିନ ଅର୍ଥାତ ଶ୍ରାବଣ ଶୁକ୍ଳ ଦଶମୀ ଦିନ ମଧ୍ୟାହ୍ନ ଧୂପ ବଢ଼ିବା ପରେ ଭିତର ଗମ୍ଭୀରରେ ପାଣି ପଡି ଧୁଆ ଯିବା ପରେ ଖୁଣ୍ଟିଆ ପୁଷ୍ପାଳକ ଙ୍କୁ ଡାକିଥାନ୍ତି। ଏହି ସମୟରେ ଗରାବଡୁ ସେବକଙ୍କ ଠାରୁ ହାତୁଆଣୀ ନେଇ ପୁଷ୍ପାଳକ ସେବକମାନେ ଶ୍ରୀ ଜୀଉମାନ ଙ୍କ ମଇଲମ କରିଥାନ୍ତି । ପାଳିଆ ମେକାପ ତିନୋଟି ରୂପା ଗିନାରେ ଘଟୁଆରୀ ସେବକ ଦେଇଥିବା ଚନ୍ଦନ କୁ ନେଇ ପାଳିଆ ପୁଷ୍ପାଳକଙ୍କୁ ବଢ଼ାଇଥାନ୍ତି। ତିନି ବାଡ଼ରେ ସର୍ବାଙ୍ଗ ଚନ୍ଦନ ଲାଗି କଲାପରେ ଶ୍ରୀଜୀଉମାନଙ୍କ ବେଶ ବଢିଥାଏ। ଏହି ଦିନ ଏହି ସମୟରେ ସେବକମାନେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଙ୍କୁ ଦକ୍ଷିଣୀ ଘର ପ୍ରାଙ୍ଗଣ ରେ ଖଟଶେଜ ମେକାପ ପକାଇଥିବା ଶେଜ ଉପରେ ବିଜେ କରାନ୍ତି ଓ ଦକ୍ଷିଣୀ ଘରୁ ମଦନମୋହନଙ୍କୁ ଆଣି ଏହାଙ୍କ ବିଜେ କରାନ୍ତି। ଏହିଠାରେ ୩ଦିଅଁଙ୍କ ବେଶ ମହାଜନ ସେବାୟତ କରିଥାନ୍ତି। ଏହାପରେ ପୂଜାପଣ୍ଡା ସେବକ ତିନି ଗୋଟି ସରା ରେ ତିନି ଗୋଟି ମାଣ୍ଡୁଅ ସର୍ପାମଣୋହି ପୂର୍ବକ ଭୋଗ କରିଥାନ୍ତି। ଏହାପରେ ଦକ୍ଷିଣୀ ଘରେ ବିରାଜିତ ସମସ୍ତ ଚଳନ୍ତି ପ୍ରତିମାଙ୍କ ଭୋଗ ହୋଇଥାଏ। ତତ୍ପରେ ଛାମୁ ଦିହୁଡ଼ି ସହ ଶ୍ରୀଦେବୀ , ଭୂଦେବୀ ଓ ମଦନମୋହନ ରତ୍ନସିଂହାସନ ବିଜେ କରିଥାନ୍ତି ସେଠାରେ ପୁଷ୍ପାଳକ ସେବକମାନେ ତିନି ବାଡ଼ରେ କର୍ପୁର ଲାଗି କରିବା ପରେ ସିଂହାସନ ରୁ ଓଲ୍ହାଇ ତିନି ବାଡ଼ରେ ସାନ୍ଧ୍ୟ ଆଳତି କରିଥାନ୍ତି। ଏହାପରେ ଜନୈକ ପୂଜାପଣ୍ଡା ସେବକ ହାତୁଆଣି ନେଇ ମହାପ୍ରଭୁଙ୍କ ଦକ୍ଷିଣ ଭୁଜରୁ ଆଜ୍ଞାମାଳ ନେଇ ଶ୍ରୀ ମଦନମୋହନଙ୍କୁ ଓ ଉତ୍ତର ଭୁଜର ଦୁଇ ଆଜ୍ଞାମାଳ ଭୂଦେବୀ ଓ ଶ୍ରୀଦେବୀ ଙ୍କୁ ଲାଗି କରିଥାନ୍ତି। ତତ୍ପରେ ଛାମୁ ଦିହୁଡ଼ି ସହ ମହାଜନ ସେବକମାନେ ତିନି ଚଳନ୍ତି ପ୍ରତିମାଙ୍କୁ ହସ୍ତରେ ବିଜେ କରାଇ ଜଗମୋହନ , ବଟ ଦ୍ୱାର ଦେଇ ଝୁଲଣ ମଣ୍ଡପ ଦୋଳି ଉପରେ ବିଜେ କରାନ୍ତି। ଏଠାରେ ବିଡ଼ିଆ ମଣୋହି ହୋଇଥାଏ। ଭିତରେ ସନ୍ଧ୍ୟଧୂପ ବଢ଼ିବା ପରେ ଝୁଲଣ ମଣ୍ଡପରେ ସୁଦୁ ସୁଆର ପାଣି ପକାଇବା ପରେ ଆସ୍ଥାନ ପ୍ରତିହାରୀ ଟେରା ବାନ୍ଧି ଶୀତଳ ଭୋଗ ପୂଜା ଠା କରିଥାନ୍ତି । ତତ୍ପରେ ପାଳିଆ ପୂଜାପଣ୍ଡା ଆସି ପଞ୍ଚ ଉପଚାର ରେ ପୂଜା କରିଥାନ୍ତି। ଭୋଗ ଶେଷ ହେବା ପରେ ମୁଦିରସ୍ତ ବନ୍ଦାପନା ନୀତି ବଢ଼ାଇଥାନ୍ତି। ରତ୍ନସିଂହାସନରେ ଶ୍ରୀଜୀଉ ଙ୍କ ଚନ୍ଦନ ଲାଗି ନୀତି ସରିବା ପରେ ଝୁଲଣ କୁଞ୍ଜରେ ମହାଜନ ମାନେ ମଇଲମ କରି ଶ୍ରୀ ମଦନମୋହନ ଙ୍କୁ ଦକ୍ଷିଣୀ ଘର ଓ ଶ୍ରୀଦେବୀ , ଭୂଦେବୀ ଙ୍କୁ ରତ୍ନସିଂହାସନ ବିଜେ କରାଇଥାନ୍ତି।

ଏହିପରି ଭାବେ ୭ ଦିନ ବ୍ୟାପି ଝୁଲଣ ଯାତ୍ରା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ।

ଉପସ୍ଥାପନା: ନୀଳାଦ୍ରିନାଥ ଶ୍ରୀଜଗନ୍ନାଥ

ଶ୍ରୀକ୍ଷେତ୍ର ଝୁଲଣ ଯାତ।

ଓଡ଼ିଶାର ପୁରାତନ ମଠ ମନ୍ଦିରରେ କାହିଁ କେବେ ଠାରୁ ଅନୁଷ୍ଠିତ ହୋଇଆସୁଛି ଝୁଲଣ ଯାତ୍ରା। ଏହି ଝୁଲଣ ଯାତ୍ରା ବର୍ଷ କରେ ଏଇ କୋତୋଟି ଦିନ ଦେଖିବାର ସୁଯୋଗ ମିଳୁଥିବାରୁ ଭକ୍ତଜନଙ୍କ ମନ ବ୍ୟାକୁଳିତ ହୋଇଉଠେ। ଦୋଳିରେ ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି ଦର୍ଶନ କରି ଭକ୍ତ କୃତ୍ୟ କୃତ୍ୟ ହୋଇଥାଏ।ଆଉ ଶ୍ରୀକ୍ଷେତ୍ର ପୁରୀରେ ଏଇ ଝୁଲଣ ଯାତ୍ରା ଅତି ଆଡ଼ମ୍ବର ସହକାରେ ପାଳନ କରାଯାଏ।

ସପ୍ତମ ଶତାବ୍ଦୀର ବୈଦେଶ୍ୱର ମନ୍ଦିର।

ଶ୍ରୀରାମ, ଲକ୍ଷ୍ମଣ, ସୀତା ଦେବୀଙ୍କ ପଦସ୍ପର୍ଶ ପାଇ ନିଜକୁ କୃତ୍ୟ କୃତ୍ୟ ମଣୁଥିବା ପୁରାଣ ପୃଷ୍ଠାର କେଉଁ ଏକ ନିଭୃତ ପୃଷ୍ଠା ମଣ୍ଡନକରିଥିବା ପୁତ ପବିତ୍ର ମନୋରମପୂର୍ଣ୍ଣ ଶାନ୍ତ ସରଳ ଗାଁ ହେଉଛି କଟକ ଜିଲ୍ଲାର ବୈଦ୍ୟେଶ୍ୱର। ଅନବରତ ଯାହାର ପଦଧୌତ କରି ଚାଲିଛି ପୁଣ୍ୟ ପାବନୀ ମହାନଦୀ। ଶସ୍ୟ ଶ୍ୟାମଳାରେ ପୁଷ୍ଟ କରି ପୁଣ୍ୟତୋୟା ମହାନଦୀର ଜଳ ଉନ୍ନତ ସମୃଦ୍ଧ କରିଛି ବୈଦେଶ୍ୱରର ବକ୍ଷ ଦେଶକୁ। ସୁଉଚ୍ଚ ସବୁଜ ବଟ ବୃକ୍ଷର ପରିବେଷ୍ଟନୀ ଅଧିକରୁ ଅଧିକ ଶୀତଳ ଓ ସୌମ୍ୟକାନ୍ତ କରିଛି ମହାନଦୀର ତଟଦେଶରେ ଅବସ୍ଥିତ ଏହି ବୈଦ୍ୟେଶ୍ଵର ଗ୍ରାମକୁ । ମହାଦେବ ବୈଦେଶ୍ୱର ଏହି ଗାଁର ସର୍ବମାନ୍ୟ ଇଷ୍ଟ।ଜନଶ୍ରୁତି ଅନୁଯାୟୀ ପ୍ରଭୁ ବୈଦେଶ୍ୱରଙ୍କ ନାମାନୁସାରେ ଗାଁ ଟିର ନାମ ନାମିତ କରାଯାଇଛି “ବୈଦ୍ୟେଶ୍ଵର”।

ରାମାୟଣ ଯୁଗର କଥା।ରାମ, ଲକ୍ଷ୍ମଣ,ସୀତା ଯେତେବେଳେ ବନବାସରେ କାଳାତିପାତ କରୁଥିଲେ ସେତେବେଳେ ଅଧୁନା ବୈଦେଶ୍ୱର ଓ ପବିତ୍ର ମହାନଦୀର ତଟଦେଶରେ ଥିବା ହାତିଆ ପାହାଡରେ କିଛିଦିନ ଅତିବାହିତ କରିଥିଲେ। ପିତୃଶ୍ରାଦ୍ଧ ସମୟ ଉପନୀତ ହେବାରୁ ଉତ୍କଳ ପାବନି ସ୍ଵର୍ଣଗର୍ଭା ମହାନଦୀ ପ୍ରାନ୍ତ ବାଲୁକା ପ୍ରାଙ୍ଗଣରେ ପିତୃଶ୍ରାଦ୍ଧ ଦେଇଥିଲେ ମାତା ବୈଦେହୀ।ଜଗତ୍ ମାତା ବୈଦେହୀ ସ୍ନାନାଦି ନିତ୍ୟକର୍ମ ସାରି ହାତିଆ ପାହାଡର ପାଦ ଦେଶରେ ଲିଙ୍ଗ ରୂପୀ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ। ଏହି ଶିବ ଲିଙ୍ଗ ସ୍ୱୟଂ ସମ୍ଭୂତ ବା ଫୁଟାଲିଙ୍ଗ ଅଟେ।ବୈଦେହୀ ଏହି ସ୍ୱୟଂସମ୍ଭୂତ ଲିଙ୍ଗଙ୍କୁ ଉପାସନା କରୁଥିବାରୁ ତାଙ୍କ ନାମାନୁସାରେ ବୈଦେହୀ ପୂଜିତ ଈଶ୍ୱର ବା “ବୈଦେଶ୍ୱର” ନାମରେ ନାମିତ ହୋଇଅଛି।

ଏହା ବ୍ୟତୀତ ପ୍ରଭୁ ଶ୍ରୀରାମଚନ୍ଦ୍ର ଏବଂ ସୌମିତ୍ରୀ ମଧ୍ୟ ବନବାସ କାଳରେ ମହାଦେବଙ୍କୁ ଆରାଧନା କରୁଥିଲେ। ରାମଚନ୍ଦ୍ରଙ୍କ ଆରାଧ୍ୟ ମହାଦେବଙ୍କୁ “ରାମନାଥ” ଏବଂ ସୌମିତ୍ରୀ ପୂଜିତ ମହାଦେବ “ସିଂହନାଥ” ନାମରେ ବିଖ୍ୟାତ।ଏକ କିଲୋମିଟର ବ୍ୟବଧାନରେ ସମକୋଣି ତ୍ରିଭୁଜାକାରରେ ବା
ଗଣିତର ଅତଏବ ଚିହ୍ନ ଭଳି ତିନି ମହାଦେବ ଅବସ୍ଥାନ କରୁଥିବାରୁ ଏହି ପୀଠକୁ “ତ୍ରିକୋଟ ଧାମ” ମଧ୍ୟ କୁହାଯାଏ। ଏହି “ତ୍ରିକୋଟ ଧାମ” ବିଷୟରେ ରାମାୟଣରେ ବର୍ଣ୍ଣିତ ଅଛି। ଶିଙ୍ଘନାଥ ମହାଦେବଙ୍କ ମକର ମେଳା ସେ ଅଞ୍ଚଳର ଏକ ସୁପ୍ରସିଦ୍ଧ ଯାତ୍ରା।

ହାତିଆ ପାହାଡ଼ ଉପରେ ଲକ୍ଷ୍ମୀ ପାଦ ଚିହ୍ନିତ ପ୍ରସ୍ତର ଖଣ୍ଡ ଥିବା ବେଳେ ପାଦଦେଶରେ ବୈଦ୍ୟେଶ୍ଵର ମନ୍ଦିର ଅବସ୍ଥିତ।
ଆଶ୍ଚର୍ଯ୍ୟ ବିସ୍ମୟ ବିଜଡିତ ଏହି ମନ୍ଦିରରେ ଶୋଭାପାଉଛନ୍ତି ବିଶ୍ୱନାଥ ଶିବଙ୍କ ସହ ଶ୍ରୀରାମ, ଲକ୍ଷ୍ମଣ ଏବଂ ମହିଷାମର୍ଦ୍ଦିନୀ ଦୁର୍ଗା।ବୈଦେହୀଙ୍କର କୌଣସି ପ୍ରତିମା ଏଠାରେ ସ୍ଥାନିତ ହୋଇ ନାହିଁ।ବୈଦେହୀଙ୍କ ଜାଗାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରମ,ଅନୁଜ ଲକ୍ଷ୍ମଣଙ୍କ ସହ ଦୁର୍ଗା ପ୍ରତିମା ରହିବା ପୁରାଣ ଓ ଇତିହାସ ବିରଳ ଅଟେ।

ଅନ୍ୟ ଏକ ଆଶ୍ଚର୍ଯ୍ୟ ଚକିତ କଥା ହେଲା ଭାରତବର୍ଷ ତଥା ସମଗ୍ର ଓଡିଶା ପ୍ରଦେଶର ସମସ୍ତ ଶୈବ ପୀଠରେ ଗୋଟିଏ ବାସୁଆ ବଳଦ ଶିବଙ୍କ ଆଡକୁ ମୁହଁ କରି ରହୁଥିବା ସ୍ଥଳେ ଏଠାରେ ତିନୋଟି ବାସୁଆ ବଳଦ ବୈଦ୍ୟେଶ୍ୱରଙ୍କ ଆଡକୁ ମୁହଁ କରି ଠିଆ ହୋଇଅଛନ୍ତି।ପଶ୍ଚିମ ଓଡିଶା, ନୟାଗଡ଼, ଅନୁଗୋଳ, ଢେଙ୍କାନାଳ, ଗଞ୍ଜାମ ଜିଲ୍ଲାର ମୁଖ୍ୟ ପ୍ରଧାନ ଏବଂ ପ୍ରସିଦ୍ଧ ଯାତ୍ରା ଚୈତ୍ର ପର୍ବ “ଦଣ୍ଡଯାତ୍ରା” ହୋଇଥିବା ବେଳେ କଟକ ଜିଲ୍ଲାରେ ଦଣ୍ଡଯାତ୍ରା ବିରଳ ପ୍ରାୟ। କିନ୍ତୁ ବୈଦେଶ୍ୱର ମହାଦେବଙ୍କର ଚୈତ୍ର ମାସରେ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥାଏ। ବିପଦପୂର୍ଣ୍ଣ, ଦୁଃସାହସିକତାର ପ୍ରଥା “ଝାମୁଯାତ୍ରା” ଏଠାରେ ଅନୁଷ୍ଠିତ ହୋଇଥାଏ। ସାତ ହାତ, ଚଉଦ ହାତ ଏବଂ ଏକୋଇଶ ହାତ ନିଆଁ ଗାଢରେ ଚାଲିବାର ଦୁଃସାହାସ ବୈଦେଶ୍ୱରଙ୍କ ଦଣ୍ଡୁଆ ଭକ୍ତ ମାନେ କରିଥାନ୍ତି। ଶୀତଳ ଷଷ୍ଠୀ/ଶିବ ବିବାହ ପର୍ବ ଏହି ଶୈବ ପୀଠର ଅନ୍ୟତମ ବୈଶିଷ୍ଟ୍ୟ ଅଟେ।ନିମନ୍ତ୍ରିତ ଅତିଥି ଭାବରେ ସିଂହନାଥ ମହାଦେବ ଏବଂ ରାମନାଥ ମହାଦେବ ବୈଦ୍ୟେଶ୍ଵର ମହାଦେବଙ୍କ ପାଖକୁ ଆସନ୍ତି। କିନ୍ତୁ ବୈଦ୍ୟେଶ୍ଵର ମହାଦେବ କାହାର ଆତିଥ୍ୟ ସ୍ୱୀକାର କରି କୌଣସି ଦେବଦେବୀ ପୀଠକୁ ଯାଆନ୍ତି ନାହିଁ।

ସପ୍ତମ ଶତାବ୍ଦୀରେ କେଶରୀ ବଂଶର ରାଜା ବିରାଟ କେଶରୀଙ୍କ ସମୟରେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପାଦନ ହୋଇଛି ବୋଲି ଅନୁମାନ କରାଯାଏ।ମନ୍ଦିର ପ୍ରବେଶ ଦ୍ୱାର ନିକଟରେ ଏକ ସୁନ୍ଦର ବାମ୍ଫି ନିର୍ମିତ ହୋଇଅଛି।

ଏହି ଐତିହାସିକ, ପୌରାଣିକ ଏବଂ କିମ୍ବଦନ୍ତୀ ସମୃଦ୍ଧ ବୈଦ୍ୟେଶ୍ଵର ମନ୍ଦିର ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇସାରିଛି।କିନ୍ତୁ ମନ୍ଦିରର ସେଭଳି କିଛି ଆଖିଦୃଷ୍ଟିଆ ଉନ୍ନତି ସାଧନ ହୋଇପାରି ନାହିଁ।

ବୈଦ୍ୟେଶ୍ଵର କେବଳ ପୁରାଣ ଓ କିମ୍ବଦନ୍ତୀ ପୃଷ୍ଠାକୁ ସମୃଦ୍ଧ କରି ନିରବି ଯାଇ ନାହିଁ।ଦେବକୀ ସାଜି ଯଶୋଦା ରୂପୀ ଉତ୍କଳ ଜନନୀକୁ ଉପହାର ଦେଇଛି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଭିତିପ୍ରସ୍ତର ସ୍ଥାପକ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କୁ।

ସ୍ବର୍ଣ୍ଣପ୍ରସୂ ଉର୍ବର ମାଆ ମାଟି ବୈଦ୍ୟେଶ୍ଵର ୧୮୬୭ ଡିସେମ୍ବର ୧୪ ତାରିଖରେ ଏକ ଅମୂଲ୍ୟ ରତ୍ନ ପ୍ରତିଭା, ଗୌରବମୟୀ ଓଡ଼ିଶା ଭୂଖଣ୍ଡକୁ ସମର୍ପି ଦେଇଥିଲା। କୁଳିନ ବ୍ରାହ୍ମଣ ପରିବାର ପିତା ଗୌରୀ ଚରଣ ମିଶ୍ର ଏବଂ ମାତା ରୋହିଣୀ ଦେବୀଙ୍କ କୋଳ ମଣ୍ଡନ କରି ଜନ୍ମ ଗ୍ରହଣ କରିଥିଲେ ନୀଳମଣି ମିଶ୍ର(ବିଦ୍ୟାରତ୍ନ)।

ବାଲ୍ୟଶିକ୍ଷା ଗ୍ରହଣ ଓ ପରେ ପରେ ଶିକ୍ଷକତା କରି ବଡମ୍ବା ଗୋପୀନାଥ ପୁର ମଣିଷ ତିଆରି କାରଖାନାରେ ଯୋଗ ଦେଇଥିଲେ କର୍ମବୀର, ଉଚ୍ଚାଭିଳାଷି ନୀଳମଣି। ଓଡ଼ିଆ ଭାଷା ପ୍ରତି ତାଙ୍କର ଥିଲା ଅହେତୁକ ସ୍ନେହ ପ୍ରୀତି ମମତା। ତାଙ୍କରି ଲେଖନୀ ନିର୍ଝରିଣୀରୁ ନିର୍ଗତ ହୋଇଥିଲା ବିଷବୈରୀ,ରାଜନୀତି, ପଶୁ ଚିକିତ୍ସା, ପରିମଳ, ମଣିମଞୁଷା ଭଳି କିଛି ବଳିଷ୍ଠ ପୁସ୍ତିକାବଳୀ।
ପଣ୍ଡିତ ନୀଳମଣି ମିଶ୍ରଙ୍କ ଅଗାଧ ପାଣ୍ଡିତ୍ୟରେ ମୁଗ୍ଧ ହୋଇ ବଡମ୍ବାର ରାଣୀ ତାଙ୍କୁ “ବିଦ୍ୟାରତ୍ନ” ଉପାଧିରେ ଭୂଷିତ କରିଥିଲେ। ପରେ ବିଧିବଦ୍ଧ ଭାବେ ବାମଣ୍ଡାର ମହାରାଜ ସୁଢ଼ଳଦେବଙ୍କଦ୍ୱାରା ତାଙ୍କୁ ବିଦ୍ୟାରତ୍ନ ଉପାଧିରେ ସମ୍ବର୍ଦ୍ଧନା କରାଗଲା। ତା ପରବର୍ତ୍ତୀ ସମୟ ଠାରୁ ସେ ନୀଳମଣି ମିଶ୍ର ବଦଳରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଭାବରେ ପରିଚିତ ଓ ପ୍ରତିଷ୍ଠିତ ହୋଇଥିଲେ।

ସମସାମୟିକ ବହୁ ଲବ୍ଧ ପ୍ରତିଷ୍ଠ ଲେଖକଙ୍କ ସଂସ୍ପର୍ଶରେ ଆସି ପର୍ଯ୍ୟାୟକ୍ରମେ ଅନେକ ପତ୍ରପତ୍ରିକାର ସମ୍ପାଦନା କରିଥିଲେ। ବାସୁଦେବ ସୁଢ଼ଳଦେବଙ୍କ ପୃଷ୍ଠପୋଷକତାରେ “ସମ୍ବଲପୁର ହିତୈଷୀ”,ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜଙ୍କ ପୃଷ୍ଠପୋଷକତାରେ “ପ୍ରଜାବନ୍ଧୁ” ବଡ଼ଖେମୁଣ୍ଡି ରାଜା କୃପାମୟ ଦେବଙ୍କ ପ୍ରକାଶିତ “ଗଞ୍ଜାମ ଗୁଣଦର୍ପଣ”ର ସମ୍ପାଦନା ଭାର ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ତୁଲାଇ ଥିଲେ। ଗୁଣମୁଗ୍ଧ ଗଙ୍ଗାଧର ମେହେର ସମ୍ବଲପୁର ହୈତେଷୀ ପତ୍ରିକାରେ ବାସୁଦେବ ସୁଢ଼ଳଦେବ ଓ ନୀଳମଣି ବିଦ୍ୟାରତ୍ନଙ୍କ ପ୍ରସଂଶା କରିବାକୁ ଯାଇ ଲେଖିଛନ୍ତି:-
“ହିତୈଷୀଣୀ” ସ୍ୱଚ୍ଛାଲୋକେ ଚୌଦିଗ ଉଜ୍ଜ୍ୱଳ
ହେବାରୁ ଏ ଶୁଭଯୋଗ ଲଭିଲା ଉତ୍କଳ।।
ଧନ୍ୟ ଧନ୍ୟ ବାସୁଦେବ ମହିପାଳମଣି
ଧନ୍ୟ ଧନ୍ୟ କ୍ଷଣଜନ୍ମା ବୁଧ ନୀଳମଣି।।
ଗଙ୍ଗାଧର ମେହେର ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କୁ ସୁହୃଦ ଓ ହିତାକାଂକ୍ଷି ଦର୍ଶାଇ ତାଙ୍କର ଅନ୍ୟତମ ମାନସ ସନ୍ତାନ “କୀଚକ ବଧ” ପ୍ରକାଶନରେ ବିଦ୍ୟାରତ୍ନଙ୍କ ଅହଂ ଭୂମିକା ଅଛି ବୋଲି ନିଜେ ସ୍ୱୀକାର କରିଛନ୍ତି।

ଗଙ୍ଗାଧର ମେହେରଙ୍କ କେତେକ କାବ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ପଠନ କରାଯାଉ ବୋଲି ତତ୍କାଳୀନ ସ୍କୁଲ ଇନ୍ସପେକ୍ଟର ରାଧାନାଥ ରାୟଙ୍କ ଅନୁମତି ଭିକ୍ଷାକରି ସେଥିରେ ସଫଳ ହୋଇଥିଲେ ବିଦ୍ୟାରତ୍ନ। ପରବର୍ତ୍ତୀ ସମୟରେ ଗଙ୍ଗାଧର ମେହେରଙ୍କ ଲିଖିତ କାବ୍ୟ କବିତା ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ପଢ଼ାଯାଇଥିଲା।

ନିଜସ୍ୱ କବିତା କୃତି “ବିଦ୍ୟାରତ୍ନଙ୍କ ହିତୈଷୀଣୀ”ରେ ଗଙ୍ଗାଧର ମେହେର ନୀଳମଣି ବିଦ୍ୟାରତ୍ନଙ୍କୁ ବହୁ ଗୁଣର ଆଧାର ବୋଲି ଦର୍ଶାଇ ଲେଖିଛନ୍ତି-
ନିଲମଣି ବିଦ୍ୟାରତ୍ନ ବହୁଗୁଣାଧାର
ନରେନ୍ଦ୍ର ଆଦେଶେ ନେଲେ ତା ରକ୍ଷଣଭାର।।

ଏତଦ୍’ବ୍ୟତୀତ ନିଜେ “ଉତ୍କଳମଧୁପ” ନାମକ ପତ୍ରିକା ପ୍ରକାଶନ ଓ ସମ୍ପାଦନା କରିବା ସଙ୍ଗେ ସଙ୍ଗେ ଜୀବନର ଶେଷାର୍ଦ୍ଧରେ “ଉତ୍କଳ ଦୀପିକା” ପତ୍ରିକାର ସମ୍ପାଦନ କରିଥିଲେ। ଏହାହିଁ ପ୍ରତିପାଦିତ କରୁଅଛି ସ୍ବର୍ଣ୍ଣପ୍ରସୂ ବୈଦ୍ୟେଶ୍ଵର ଓଡ଼ିଆ ଭାଷା ଓ ଓଡ଼ିଶା ପ୍ରଦେଶ ପ୍ରତି ଅମୂଲ୍ୟ ରତ୍ନ ନୀଳମଣି ବିଦ୍ୟାରତ୍ନଙ୍କୁ ଉପହାର ଦେଇ ନିଜକୁ ଗଭୀରରୁ ଅତି ଗଭୀର ପର୍ଯ୍ୟନ୍ତ ଉର୍ବର କରିପାରିଛି। ଖାଲି ସେତିକି ନୁହେଁ, ବୈଦ୍ୟେଶ୍ଵର ମାଟିକୁ ପୁଷ୍ଟ ପୂର୍ଣ୍ଣାଙ୍ଗ କରି ଜନ୍ମଲାଭ କରିଥିବା ଏହି ମହମାନବ ଖଲ୍ଲିକୋଟ ରାଜଦରବାରରେ କାର୍ଯ୍ୟରତ ଥିବା ସମୟରେ ୧୯୦୨ ମସିହାରେ ରାଜା ହରିହର ମର୍ଦ୍ଦରାଜଙ୍କ ସହଯୋଗ କ୍ରମେ “ଗଞ୍ଜାମ ଓଡ଼ିଆ ସଭା”ର ଆୟୋଜନ କରିଥିଲେ।ଯାହା ପରବର୍ତ୍ତୀ ସମୟରେ ଉତ୍କଳ ସମ୍ମିଳନୀର ଦେହୀପିଣ୍ଡି ହୋଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାରେ ମୁଖ୍ୟ ଆୟୁଧ ହୋଇଥିଲା।
ବୈଦ୍ୟେଶ୍ଵର ମାଟି ପାଣି ପବନରେ ଏବଂ ପରିମାର୍ଜିତ ଶିକ୍ଷା, ଦୀକ୍ଷାରେ ପ୍ଲାବୀତ ନୀଳମଣି ବିଦ୍ୟାରତ୍ନ ତତ୍କାଳୀନ ଜଣେ ସୁଦକ୍ଷ ସମାଜ ସଂସ୍କାରକ ମଧ୍ୟ ଥିଲେ। ବିଧବା ବିବାହ ପ୍ରଚଳନ ସପକ୍ଷରେ ଯୁକ୍ତି ବାଢି ସେ ପୁରୀ ଠାରେ ଏକ ବିଧବା ଆଶ୍ରମ ପ୍ରତିଷ୍ଠା କରିଥିଲେ। ସ୍ୱଭାବ କବି ଗଙ୍ଗାଧର ମେହେର ବିଦ୍ୟାରତ୍ନଙ୍କ ଏହି ଚେତନା ମୂଳକ କାର୍ଯ୍ୟରେ ମୁଗ୍ଧ ହୋଇ କହିଛନ୍ତି:-
ବିଧବାର ଦୁଃଖ-ତମେ ଯେ କନ୍ଦର ପୂର୍ଣ୍ଣ,
ନ ଡରିଲା ତହିଁ ପଶି ହେବାପାଇଁ ଚୁର୍ଣ୍ଣ।।
ବିଧବାର ଏକାଦଶୀ କଷ୍ଟ ଅନୁଭବି
ପଶିଗଲା ରଶ୍ମିଜାଳ ହିମରୁପେ ସ୍ରବି।।
ଏବଂ ବାଲ୍ୟବିବାହ ବିପକ୍ଷରେ ସଂଗ୍ରାମ ରତ ବିଦ୍ୟାରତ୍ନଙ୍କୁ ଲକ୍ଷକରି ଲେଖିଛନ୍ତି:-
ଶୈଶବ ବିବାହ ପଥେ ଯେ ଭୀଷଣ ଗ୍ରାମ,
ଜଣାଗଲା ତହିଁ ଗୋଟି ଗୋଟିକର ନାମ।।

ଖାଲି ବୈଦ୍ୟେଶ୍ଵର ନୁହେଁ ବଡମ୍ବା ଓ ବାଙ୍କୀ ଗଡ଼ଜାତର ଅର୍ଥନୈତିକ ମହାମେରୁ ଥିଲେ ଏହି ବୈଦ୍ୟେଶ୍ଵର ମାଟିର ଜମିଦାର ଚୌଧୁରୀ ବଂଶଜ ଦାୟାଦମାନେ। ଯଦିଓ ରାଜବଂଶର ସ୍ୱାଭିମାନ ଉପରେ ଏହି ସତ୍ୟ କୁଠାରଘାତ କରିବ ତଥାପି ତୋଷାମାଦର ଇତିହାସ ଠାରୁ ଦୂରେଇ ରହି କଠୋର ସତ୍ୟ ପ୍ରକାଶ କରିବାକୁ କୁଣ୍ଠାବୋଧ କରିବି ନାହିଁ।ଏହା କାହାର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିବା ଲକ୍ଷ୍ୟ ରଖି ଲେଖାଯାଉ ନାହିଁ।

ସମୟ ସୁଅରେ ଏହି ଅର୍ଥନୈତିକ ଦୁର୍ବଳ ରାଜପରିବାର ଦ୍ୱୟ ଜମିଦାର ଚୌଧୁରୀଙ୍କ ପାଖରେ ରାଜମୁକୁଟ ବନ୍ଧକ ରଖି ଗୁପ୍ତ ଭାବରେ ଅର୍ଥ ନେଣଦେଣ କରୁଥିଲେ। କୁହାଯାଏ ଏବେବି ଚୌଧୁରୀ ବଂଶଜଙ୍କ ଘରେ ବନ୍ଧକ ପଡିଥିବା ଏକ ରାଜମୁକୁଟ ମହଜୁଦ ଅଛି।

ସୁଉଚ୍ଚ ସୁନ୍ଦର କାରୁକାର୍ଯ୍ୟ ବିମଣ୍ଡିତ ଗୋପୀନାଥ ମନ୍ଦିର ଜମିଦାର ବଂଶର ଅଲିଭା କୀର୍ତ୍ତି। ଅଜସ୍ର ଖଞ୍ଜା ବାଡ଼ି ଯୋଗାଇ ଦେବା ସହିତ ପୂଜକ ଓ ମନ୍ଦିର ରକ୍ଷଣାବେକ୍ଷଣ କାର୍ଯ୍ୟ ସୁଚାରୁ ରୂପେ ଜମିଦାର ପରିବାର ସମ୍ପାଦିତ କରିଅଛନ୍ତି।

ବୈଦ୍ୟେଶ୍ୱର ଜମିଦାର ପରିବାରର ଅନ୍ୟତମ ଉଜ୍ଜ୍ୱଳ ଦୀପ୍ତିମନ୍ତ ନକ୍ଷତ୍ର ହେଉଛନ୍ତି ଉଦୟନାଥ ଚୌଧୁରୀ। ବୈଦ୍ୟେଶ୍ଵରରେ ଶିକ୍ଷାର ଉନ୍ନତି କଳ୍ପେ ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପ୍ରତିଷ୍ଠା କରି ସେ ବୈଦ୍ୟେଶ୍ଵର ଜନମାନସରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ଜନସାଧାରଣଙ୍କ ସୁବିଧା ପାଇଁ ଗୋଟିଏ ଏବଂ ନିଜ ଅମାପ ସମ୍ପତିର କାର୍ଯ୍ୟ ଦେଖାରଖା ପାଇଁ ଆଉ ଗୋଟିଏ, ସର୍ବ ମୋଟ ଦୁଇଟି “ରାଜସ୍ୱ ନିରୀକ୍ଷକ” କାର୍ଯ୍ୟାଳୟ ନିଜସ୍ୱ ଉଦ୍ୟମରେ ପ୍ରତିଷ୍ଠା କରାଇଛନ୍ତି।ସମ୍ଭବତଃ ୧୯୩୯ ମସିହାର ଶେଷାର୍ଦ୍ଧରେ ଖଣ୍ଡପଡା ପ୍ରଜାମଣ୍ଡଳ ଆନ୍ଦୋଳନର ଶରଣାପନ୍ନ ବିପ୍ଲବୀ ମାନଙ୍କୁ ଗୁପ୍ତରେ ଖାଇବା ପିଇବାର ବନ୍ଦୋବସ୍ତ କରାଇ ଏବଂ ସୁରକ୍ଷା ଦେଇ ନିଜ ମହାନୀୟତାର ମୃଗନାଭି କସ୍ତୁରୀକୁ ପ୍ରଦର୍ଶିତ କରି ପାରିଅଛନ୍ତି। ପ୍ରଜାମଣ୍ଡଳ ଆନ୍ଦୋଳନର ବୈଦ୍ୟେଶ୍ଵର କ୍ୟାମ୍ପ ଉଦୟନାଥ ଚୌଧୁରୀଙ୍କ ତତ୍ତ୍ଵାବଧାନରେ ସୁରକ୍ଷିତ ଥିଲା।ସେଥିପାଇଁ ସେ ଚିର ନମସ୍ୟ ଓ ପ୍ରାତଃସ୍ମରଣୀୟ ହୋଇ ରହିବେ।
ବୁର୍ଜୁଆ, ଜମିଦାରୀ ଶାସନର ଅନ୍ତ ଘଟିଥିଲେ ମଧ୍ୟ ବୈଦ୍ୟେଶ୍ଵର ପ୍ରତି ତାଙ୍କର ଅବଦାନ ଚିର ଅମ୍ଲାନ ହୋଇ ରହିବ।
ଖୋର୍ଦ୍ଧା, ବାଘମାରୀ ଠାରୁ କଳାପଥର ଦେଇ ବୈଦ୍ୟେଶ୍ଵର ଯିବାକୁ ସୁନ୍ଦର ସଡକ ପଥ ସଂଯୋଗ କରୁଅଛି। କଟକ, ବାଙ୍କୀ ଦେଇ ବୈଦ୍ୟେଶ୍ଵର ଯିବାପାଇଁ ସଡକ ପଥରେ ବସ୍ ସେବା ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ। ୭୬ ପ୍ରତିଶତରୁ ଉର୍ଦ୍ଧ୍ଵ ଶିକ୍ଷା ହାର ରହିତ
ବ୍ରାହ୍ମଣ, କ୍ଷତ୍ରିୟ,ବୈଶ୍ୟ, ଶୁଦ୍ର ସବୁ ବର୍ଣ୍ଣର ଲୋକ ଭାଇଚାରା ସମ୍ପର୍କ ନେଇ ଏହି ଗ୍ରାମରେ ବସତି ସ୍ଥାପନ କରି ଅଛନ୍ତି।

       ଉପସ୍ଥାପନା: ଶାନ୍ତନୁ ବିଶୋଇ।
                ଦଣ୍ଡୋର,ଓଡ଼ଗାଁ
                   ନୟାଗଡ଼।                                          
             Mob-7077171816   

ଆମ ନାଁ କାହିଁକି ବୀର କଳିଙ୍ଗ।

କଳିଙ୍ଗ, ଉତ୍କଳ ବା ଓଡ଼ିଶା ଭାରତର ଏକ ସମୃଦ୍ଧ ରାଜ୍ୟ। ଆମ ରାଜ୍ୟ ଭାଷାରେ ଓ ବୀରତ୍ବରେ ବିଶେଷ ଭାବରେ ସମୃଦ୍ଧ। ସେଥିପାଇଁ ତ ଅଳଙ୍କାର ଶାସ୍ତ୍ରରେ କୁହାଯାଇଛି “କଳିଙ୍ଗାଃ ସାହସିକାଃ”। ଏହା ଛଡ଼ା ଐତିହ୍ୟ, କଳା, ସାହିତ୍ୟ, ସଂସ୍କୃତି, ଓ ପରମ୍ପରା ଦ୍ବାରା ପରିପୂର୍ଣ୍ଣ ଆମର ଏ ରାଜ୍ୟ। ଆମ ଏହି ବୀର କଳିଙ୍ଗ ମାଟିର ବୀର ପୁଅର ବଳିଦାନର ଗାଥା ତଥା କଳା, ସାହିତ୍ୟ, ସଂସ୍କୃତି ଏବଂ ଐତିହ୍ୟର କଥା କହିବୁ ଆମେ ଏଇ ବୀର କଳିଙ୍ଗ ମାଧ୍ୟମରେ।
ଓଡ଼ିଶାର ମାନସପଟ୍ଟରେ କବି ପଣ୍ଡିତଗଣଙ୍କୁ ବଞ୍ଚେଇବା ଓ ତାଙ୍କର ସାହିତ୍ୟ କୃତିକୁ ଜୀବନ୍ତ କରି ରଖିବା ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପର୍ବପର୍ବାଣି ଜାନି ଯାତ୍ରାକୁ ବିଶ୍ବାଭି ମୁଖି କରିବା ପାଇଁ ଆମେ ଅଙ୍ଗିକାରବଦ୍ଧ।

ବୀର କଳିଙ୍ଗ କ’ଣ କରେ?
ଓଡ଼ିଶାର ଐତିହ୍ୟ, କଳା,ସାହିତ୍ୟ,ସଂସ୍କୃତି ଓ ପରମ୍ପରା ଭିତ୍ତିକ କଥା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜାନିଯାତ ଓ ଭାଗବତର ରହସ୍ୟମୟ କଥାକୁ ଆମେ ଭିଡିଓ ମାଧ୍ୟମରେ ବରେଣ୍ୟ ପ୍ରବକ୍ତାଙ୍କ ଦ୍ବାରା ଉପସ୍ଥାପନା କରୁ। ଏଥି ସହିତ ଲେଖା ମାଧ୍ୟମରେ ମଧ୍ୟ ଉପସ୍ଥାପନା କରୁ।

ବୀର କଳିଙ୍ଗର ଉଦ୍ଦେଶ୍ୟ ?
ଓଡ଼ିଆଙ୍କ ପୂର୍ବସୁରୀ ମାନେ ଏ ମାଟିର ବୀର ସନ୍ତାନ। ପୂର୍ବସୁରୀଙ୍କର ପାରଙ୍ଗମତା ଓ ବୀରତ୍ବର କଥା ସଠିକ୍ ଢଙ୍ଗରେ ଉତ୍ତରଦାୟଦ ମାନଙ୍କ ପାଖରେ ପହଞ୍ଚାଇବା ସହିତ ବିସ୍ମୃତି ଗର୍ଭରେ ବିଲୁପ୍ତ ହୋଇଯାଉଥିବା ଅନେକ ପ୍ରତିଭାଙ୍କୁ ଖୋଜି ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନା କରିବା ବୀର କଳିଙ୍ଗର ମୁଖ୍ୟ ଉଦ୍ଦେଶ୍ୟ।