ଓଡ଼ିଆ କାବ୍ୟ ଓ କବିମାନଙ୍କୁ ଆଗାମୀ ପିଢ଼ିଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ଆମର ଏ କାର୍ଯ୍ୟକ୍ରମ “ଓଡ଼ିଆ କାବ୍ୟ ଓ କବି”। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
Month: March 2024
ବାଲିରୁ ଜାତ ବାଲୁଙ୍କେଶ୍ୱର।
ଦେବ ଦେବ ମହାଦେବ ବାଲୁଙ୍କେଶ୍ୱର ନାମରେ ବିଜେ କରିଛନ୍ତି ଖୋର୍ଦ୍ଧା ନିକଟସ୍ଥ ତମାଣ୍ଡୋ ଗ୍ରାମରେ। ଆସନ୍ତୁ ମହାଶିବରାତ୍ରି ଅବସରରେ ସେହି ବାବା ବାଲୁଙ୍କେଶ୍ଵର ଙ୍କ ବିଷୟରେ ଜାଣିବା। ମହାପ୍ରଭୁ ହେଉଛନ୍ତି ସ୍ଵୟମ୍ଭୁ ପାତାଳ ଫୁଟା ଶିବ ଲିଙ୍ଗ। ବର୍ଷସାରା ସେ କ୍ଷୀର ପାଣି ଇତ୍ୟାଦିରେ ଭରି ରୁହନ୍ତି ଓ ମୂଳ ଲିଙ୍ଗଙ୍କ ଦର୍ଶନ କେବେ ମିଳି ପାରେନା। ଅତି ପ୍ରତ୍ୟକ୍ଷ ମହାଦେବ ଅଟନ୍ତି ବାଲୁଙ୍କେଶ୍ବରେ। ବାଲିରୁ ବାହାରିଥିବା ହେତୁ ତାଙ୍କ ନାମ ବାଲୁଙ୍କେଶ୍ୱର ପଡ଼ିଛି ବୋଲି ଶୁଣିବାକୁ ମିଳେ।

ଇତିହାସ କୁହେ,ସେତେବେଳେ ଏହି ଗ୍ରାମରେ ଜଣେ ବୟସ୍କ ଶିବ ଭକ୍ତ ଥିଲେ। ଯେ କି ଶିବ ଦର୍ଶନ ପୂର୍ବରୁ ଅନ୍ନ ଜଳ ସ୍ପର୍ଶ କରନ୍ତି ନାହିଁ। ସେତେବେଳେ ବାଲୁଙ୍କେଶ୍ୱର ମହାଦେବଙ୍କ ଆବିର୍ଭାବ ହୋଇ ନଥିଲା, ପାଖ ଗ୍ରାମ ମଦନପୁରରେ ନୀଳକଣ୍ଠେଶ୍ଵର ମହାଦେବ ନାମରେ ଶିବାଳୟ ଥିଲା। ଯେଉଁଠି କି ଏ ବୃଦ୍ଧ ଶିବ ଭକ୍ତ ଜଣକ ନିତ୍ୟ ଦର୍ଶନ ଓ ଅର୍ଚ୍ଚନା ପାଇଁ ଯାଆନ୍ତି। ଚତୁର୍ମସିୟା ସମୟ ଜୋର(ଏକ ନାଳ ଭଳି) ରେ ପାଣି ବଢ଼ି ବନ୍ୟାର ସମୟ ଦେଖାଦେଲା, ସେବେ ରାସ୍ତାଘାଟର ସୁବିଧା ଭଲ ନଥିବାରୁ ବୃଦ୍ଧ ଜଣକ ବିଲ ହିଡ ପାରି କରି ଦର୍ଶନ ନିମନ୍ତେ ଯାଆନ୍ତି। କିନ୍ତୁ ବନ୍ୟା ହେତୁ ନାଳ ପୋଖରୀ ରାସ୍ତା ଯେମିତି ସମାନ ଯାହା ଫଳରେ ସେ ଯିବାକୁ ସକ୍ଷମ ହେଲେ ନାହିଁ। ଅତି ବିକଳରେ ସେ ମହାପ୍ରଭୁଙ୍କୁ ସ୍ମରଣ କଲେ ଓ କହିଲେ ହେ ପ୍ରଭୁ ତୁମ ଦର୍ଶନ ନକଲେ ମୋ ଜୀବନ ତୁଚ୍ଛ ହୋଇଯିବ। ଯେଉଁ ବ୍ୟକ୍ତି ନିତ୍ୟ ଶିବାଳୟରେ ମହାପ୍ରଭୁଙ୍କ ଦର୍ଶନ ନକଲେ ଅନ୍ନ ଜଳ ସ୍ପର୍ଶ କରନ୍ତି ନାହିଁ ସେ ଅବା କେମିତି ନିଜ ଇଷ୍ଟଙ୍କ ଦର୍ଶନରୁ ବଞ୍ଚିତ ରହିବେ। ଏମିତି ହେଇ ଦୁଇ ଦିନ ଗଲା କିନ୍ତୁ ବନ୍ୟା ପାଣି କମିଲାନି, ଶିବ ଭକ୍ତ ଜଣଙ୍କ ବୃଦ୍ଧ ଥିବା ହେତୁ ଦେହ କ୍ଷୀଣ ଓ ଅସୁସ୍ଥ ହେବାକୁ ଲାଗିଲା। ଅନ୍ତର ମଧ୍ୟରେ ନିଜ ଇଷ୍ଟ ମହାଦେବଙ୍କୁ କାକୁତି ମିନତି କରି ତାଙ୍କ ଦର୍ଶନ ନିମନ୍ତେ ଆକୁଳ ନିବେଦନ କରୁଥାନ୍ତି।
ଶ୍ରୀ ସଦାଶିବ ଶଙ୍କର ତ ଅନ୍ତର୍ଯ୍ୟାମୀ ତାଙ୍କୁ ଅବା କ’ଣ ଅଛପା। ଭକ୍ତର ଗୁହାରି ଶୁଣିକି ଠାକୁରେ ଆଉ ରହି ନପାରି ତୃତୀୟ ଦିନ ରାତ୍ରରେ ତାଙ୍କୁ ସ୍ଵପ୍ନରେ ଦର୍ଶନ ଦେଇ କହିଲେ ଯେ, ତୁମରି ଘର ପାଖେ ଯେଉଁ ବିଶାଳ ବଟବୃକ୍ଷ ଅଛି ସେହି ବଟବୃକ୍ଷ ପାଖରେ ବାଲି ଭିତରେ ମୁଁ ବିଜେ କରିଛି, ଆଜି ଠୁ ତୁମକୁ ଆଉ କୁଆଡ଼େ ଯିବାକୁ ପଡ଼ିବ ନାହିଁ। ତୁମେ ନିତ୍ୟ ମୋର ଦର୍ଶନ ଏହିଠାରେ କରିବ। ଏହା କହି ମହାପ୍ରଭୁ ଅନ୍ତର୍ଧ୍ୟାନ ହୋଇଗଲେ। ଶିବ ଭକ୍ତ ଜଣଙ୍କର ନିଦ୍ରା ଭଙ୍ଗ ହେଲା ଓ ସାହି ପଡ଼ିଶା ଲୋକଙ୍କୁ ଡାକି ଗଲେ ଶମ୍ଭୁଙ୍କ ଲିଙ୍ଗ ସନ୍ଧାନ ଉଦ୍ଧେଶ୍ୟେ। ସତକୁ ସତ ବଟବୃକ୍ଷ ପାଖରେ ବାଲିର ଭିତରକୁ ବହୁତ ତଳେ ଖୋଳିବା ପରେ ମହାପ୍ରଭୁଙ୍କ ଲିଙ୍ଗ ଦୃଶ୍ୟମାନ ହେଲା। ବୃଦ୍ଧ ଶିବ ଭକ୍ତଙ୍କ ମନ ଉଲ୍ଲାସରେ ଭରିଗଲା ନିଜକୁ ଆହୋଭାଗ୍ୟବାନ ମନେ କଲେ ସେ। ସେହି ଦିନ ଠୁ ଶ୍ରୀ ବାଲୁଙ୍କେଶ୍ବର ମହାରୁଦ୍ର ସେହି ସ୍ଥାନରେ ବିଦ୍ୟମାନ ହୋଇ ତାଙ୍କ ନିତ୍ୟଲୀଳା ପ୍ରକାଶ କରୁଛନ୍ତି।

ମହାପ୍ରଭୁ ଶ୍ରୀ ବାଲୁଙ୍କେଶ୍ବର ସେହି ସ୍ଥାନରେ ବିଜେ ହେଲା ପରେ ନିଜ ପ୍ରାଣ ପ୍ରିୟ ବନ୍ଧୁ ଶ୍ରୀ ବସୁଦେବଙ୍କୁ ନିବେଦନ କଲେ ତାଙ୍କ ଏହି ପୁଣ୍ୟ ସ୍ଥାନ ରେ ବିଜେ କରିବା ନିମନ୍ତେ ଯାହା ଫଳରେ ଶ୍ରୀ ବସୁଦେବ ସଦା ଶିବଙ୍କ ସମେତ ଯୁଗଳ କେଶରୀ ନାମରେ ସେହି ପୀଠରେ ବିଜେ କଲେ। କ୍ରମେ ଠାକୁରଙ୍କର ମହିମା ବିଖ୍ୟାତ ହେଲା ଓ ସେତେବେଳର ଜମିଦାରଙ୍କ ସାହାଯ୍ୟରେ ମହାପ୍ରଭୁଙ୍କର ଦେଉଳ ନିର୍ମାଣ ସହ ମନ୍ଦିର ପ୍ରତିଷ୍ଠା, ପାର୍ଶ୍ଵ ଦେବତା ଓ ଯୁଗଳ କେଶରୀଙ୍କ ଦେଉଳ ଓ ଯୁଗଳ କେଶରୀଙ୍କ ପ୍ରତିଷ୍ଠା କରାଗଲା। ଏ ତ ଥିଲା ମହାପ୍ରଭୁଙ୍କ ଆବିର୍ଭାବର ଇତିହାସ। ମୂଳ ଲିଙ୍ଗ ବହୁତ ତଳେ ଥିବାରୁ ସେ ଦୃଶ୍ୟମାନ ହୁଅନ୍ତି ନାହିଁ। କେବଳ ଶକ୍ତିଙ୍କୁ ହିଁ ଦର୍ଶନ କରିହୁଏ। ଏଠି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର ସବୁ ଯାତ୍ରାରେ ଏକା ବିଜେ କରନ୍ତି। ଏଠି ମାତା ପାର୍ବତୀଙ୍କ ବିଗ୍ରହ ଠାକୁରଙ୍କ ସହ ରହି ନାହାଁନ୍ତି। ମୂଳଲିଙ୍ଗ ମନ୍ଦିରରେ ପୂଜା ପାଉଥିବା ବେଳେ ଚଳନ୍ତି ଦିଅଁ ପୂଜକଙ୍କ ଘରେ ପୂଜା ପାଆନ୍ତି।
ପର୍ବପର୍ବାଣୀ:- ବର୍ଷ ତମାମ ଠାକୁରଙ୍କ ଅନେକ ପର୍ବ ପାଳନ ହୁଏ। ସେଥି ମଧ୍ୟରୁ ମୁଖ୍ୟ ପର୍ବ ରୂପେ ଜାଗର, ଦୋଳ ଯାତ୍ରା ଯେଉଁ ଯାତ୍ରାକୁ ୩୦ରୁ ଅଧିକ ସ୍ଥାନର ଦେବତା ଦୋଳ ବିମାନରେ ବସି ମହାପ୍ରଭୁଙ୍କ ଶ୍ରୀ ବାଲୁଙ୍କେଶ୍ୱରଙ୍କ ନିକଟକୁ ବିଜେ କରନ୍ତି, କାର୍ତ୍ତିକ ପୂର୍ଣ୍ଣିମା, ଶ୍ରାବଣ ଓ କାର୍ତ୍ତିକ ମାସର ପ୍ରତି ସୋମବାର ଏବଂ ବୈଶାଖ ମାସରେ ବିଶ୍ଵ ଶାନ୍ତି ମହାଯଜ୍ଞ।

ନିତ୍ୟ ନିତି କାନ୍ତି – ସକାଳୁ ପହଡ଼ ଫିଟିବା ପରେ ମଙ୍ଗଳ ଆଳତି, ତତ୍ ପରେ ଅବକାଶ ଓ ସ୍ନାନ ମଜେନା, ମଜେନା ଅନ୍ତେ ବେଶ ଓ ଗୋପାଳ ବଲ୍ଲଭ ଭୋଗ ଆଳତି, ତତ୍ ପରେ ସାହାଣ ମେଳା ଦର୍ଶନ, ଦ୍ବିପ୍ରହରେ ନିତି ଧୂପ (ଠାକୁର ଏଠି ଦିବା ପହୁଡ଼ ହୁଅନ୍ତିନି), ଏହା ପରେ ସନ୍ଧ୍ୟାରେ ଦହି ପଖାଳ ଭୋଗ ସହ ସନ୍ଧ୍ୟା ଧୂପ ଓ ଆଳତି ଦର୍ଶନ, ପୁନଶ୍ଚ କିଛି ସମୟ ନିମନ୍ତେ ସାହାଣ ମେଳା ଚାଲେ ଓ ଶେଷରେ ପହୁଡ଼ ପଡ଼େ।
ଆଲେଖ୍ୟ – ପ୍ରିଆଂଶୁ ପାତ୍ର
ନାରଗୋଦ, ତମାଣ୍ଡୋ ,
ଜିଲ୍ଲା ଖୋ୍ର୍ଦ୍ଧା, ଭୁବନେଶ୍ୱର
ଖଣ୍ଡପଡାର ଶୈବ ସଂସ୍କୃତି।
ଶିବ ପୁରାଣ ଅନୁଯାୟୀ ଯେ ଶିବ ସେ’ ହିଁ ବିଷ୍ଣୁ।ଉଭୟେ ସତ୍ୟ ଶିବ ସୁନ୍ଦର।ଜଣକୁ ପୂଜା କଲେ ଅନ୍ୟ ଜଣକ ସେ ପୂଜା ଗ୍ରହଣ କରନ୍ତି।ସ୍କନ୍ଦ ପୁରାଣ ଅନୁଯାୟୀ:-
“ଯୋ ରୁଦ୍ରଃ ସୋ ସ୍ବୟଂ ବିଷ୍ଣୁ,ଯୋ ବିଷ୍ଣୁ ସ ମହେଶ୍ୱରଃ,
ଉଭୟୋଃ ଅନ୍ତରଂ ନାସ୍ତି,ପବନାକାଶୟୋଃ ଇବ।”
ଆକାଶ ଏବଂ ବାୟୁର ଭିନ୍ନତା ଯେପରି ଅକଳ୍ପନୀୟ ସେହିପରି ଶିବ ଏବଂ ବିଷ୍ଣୁଙ୍କ ମଧ୍ୟରେ ଭେଦ କଳ୍ପନାତୀତ। ଧର୍ମପ୍ରାଣ ଖଣ୍ଡପଡ଼ାବାସୀ ବୋଧହୁଏ ଏହି ମହାସତ୍ୟ ଠିକ୍ ହୃଦୟଙ୍ଗମ କରି ପାରିଥିଲେ। ତେଣୁ ଏଠାରେ ଜନସାଧାରଣ ବହୁକାଳରୁ ପରମ ବିଷ୍ଣୁ ଭକ୍ତ ଥାଇ ମଧ୍ୟ ପରମ ଶିବ ଭକ୍ତ ଥିଲେ ଏବଂ ଏ ଯାବତ୍ ରହି ଆସିଛନ୍ତି।ଶିବ ମହାଯୋଗେଶ୍ବରଙ୍କ ପ୍ରତୀକ।ସେ ତପେ ବର ଦାନ କରନ୍ତି;କୋପରେ ମଧ୍ୟ ବର ଦିଅନ୍ତି। ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଭକ୍ତକୁ ପ୍ରଥମେ ଶିବ ମନ୍ଦିର ହିଁ ଦେଖାଯାଏ।ଦୁରାରୋଗ୍ୟ ବ୍ୟାଧି ଉପଶମ ପାଇଁ ହେଉ କିମ୍ବା ନିଜର ବ୍ୟକ୍ତିଗତ ଅଭିଷ୍ଟ ସାଧନ ହେଉ କିମ୍ବା ପରିବାରର ମଙ୍ଗଳ କାମନା ହେଉ ଦେବାଧିଦେବଙ୍କ ମନ୍ଦିର ଦୁଆରେ ମୁଣ୍ଡ ପିଟି ଭକ୍ତ ଶରଣ ଯାଏ। ବାଲୁଙ୍କେଶ୍ୱର ଶିବଙ୍କ ବେଢ଼ାରେ ଜିଭ କାଟି ଅଧିଆ ପଡିବା ଅନେକ ଭକ୍ତଙ୍କୁ ପିଲାଦିନେ ଏ ଆଖି ଦେଖିଛି। ସେମାନଙ୍କ ଭିତରୁ କେତେ ତରିଯାଇଛନ୍ତି ତ କେତେ ମରିଯାଇଛନ୍ତି।
ଖଣ୍ଡପଡାର ପ୍ରସିଦ୍ଧ ଶିବ ପୀଠ ମଧ୍ୟରୁ ବ୍ରହ୍ମାଦ୍ରିବିହାରୀ ନୀଳମାଧବ ମନ୍ଦିର ପରିସରରେ ବିରାଜିତ ସିଦ୍ଧେଶ୍ବର ମନ୍ଦିର ଅତି ପୁରାତନ ମନେ ହୁଏ।ଏହା ନୀଳମାଧବଙ୍କ ମନ୍ଦିର ବେଢାର ଦକ୍ଷିଣ ପାର୍ଶ୍ବରେ ଅବସ୍ଥିତ। ଏଠାରେ ଲିଙ୍ଗ ପାତାଳୀ; ଯେତେ ଜଳଶାୟୀ କଲେ ମଧ୍ୟ ଟୋପେ ପାଣି ରହେ ନାହିଁ। ଏହି ମନ୍ଦିର ନୀଳମାଧବ ମନ୍ଦିର ଗଠନ ସମୟରେ ହୋଇଥିବା ଅନୁମାନ କରାଯାଏ।ଏ ପର୍ଯ୍ୟନ୍ତ ନୀଳମାଧବଙ୍କ ମନ୍ଦିର ଗଠନ କାଳ ସଠିକ ଭାବେ ନିର୍ଣ୍ଣୟ କରାଯାଇ ପାରିନାହିଁ। ତଥାପି “ଧାନଚେଙ୍ଗେଡା” ଠାରୁ ପ୍ରାପ୍ତ ତାମ୍ରଲିପି ଭଞ୍ଜବଂଶର ଶୀଳଭଞ୍ଜଙ୍କର ହୋଇ ଥିବାରୁ ଏହି ମନ୍ଦିର ଭଞ୍ଜ ବଂଶର ରାଜାଙ୍କ ଦ୍ବାରା ଗଢା ଯାଇଥିବା ଅନୁମାନ କରାଯାଏ।ବୌଦ୍ଧର ଗନ୍ଧାରାଡି ଶୀଳଭଞ୍ଜଙ୍କର ଦ୍ବିତୀୟ ରାଜଧାନୀ ଥିଲା। ସେଠାରୁ ଅନତି ଦୂରରେ “ଜହ୍ନ ପଙ୍କ” ଅଞ୍ଚଳରେ ମହାନଦୀ କୂଳରେ ଚାରିଶମ୍ଭୂ ମନ୍ଦିର ବିଦ୍ୟମାନ।ତାଭିତରୁ ସିଦ୍ଧେଶ୍ୱର ଏବଂ ନୀଳମାଧବଙ୍କ ଦ୍ବୈତ ମନ୍ଦିର ଠିକ୍ କଣ୍ଟିଲୋର ନୀଳମାଧବଙ୍କ ମନ୍ଦିର ପରି। ଏହି ତଥ୍ୟକୁ ଆଧାର କରି କୁହାଯାଇପାରେ ଯେ ନୀଳମାଧବ ମନ୍ଦିର ଶୀଳଭଞ୍ଜ(ଅଷ୍ଟମ ଶତାବ୍ଦୀ)କିମ୍ବା ତାଙ୍କ ପରବର୍ତ୍ତୀ କୌଣସି ଭଞ୍ଜ ରାଜା କିମ୍ବା ଭଞ୍ଜ ବଂଶ ପରେ ବଉଦରେ ଶାସନ କରୁଥିବା ସୋମବଂଶୀ ରାଜାଙ୍କ ଦ୍ବାରା ନିର୍ମିତ ହୋଇଥିଲା।ଅଷ୍ଟମ ଶତାବ୍ଦୀରୁ ଦଶମ ଶତାବ୍ଦୀ ଭିତରେ ଏହା ନିର୍ମିତ ହୋଇଥିବା ଅନୁମାନ କରାଯାଏ।

ରାମେଶ୍ବର ପୀଠର ଚିତ୍ର ଉପରେ ଦିଆଗଲା।
ଖଣ୍ଡପଡା ଗଡ଼ରେ କୁସୁମୀ ନଦୀ କୂଳରେ ଥିବା ବାଲୁଙ୍କେଶ୍ୱର ମନ୍ଦିର ୩୦୦ ବର୍ଷର ପୁରୁଣା ହେଲେ ମଧ୍ୟ ଏବେ ବି ନୂଆ ଭଳି ଲାଗେ।ଏହି ମନ୍ଦିର ବଘେଲ ବଂଶର ତୃତୀୟ ରାଜା ବାଲୁକେଶ୍ବର ମଙ୍ଗରାଜଙ୍କ ଦ୍ବାରା (୧୭୦୭-୧୭୨୦ ମସିହା) ନିର୍ମିତ ହୋଇଥିଲା। ଏହି ଠାକୁରଙ୍କୁ ଲୋକେ ବଡ଼ ପ୍ରତ୍ୟକ୍ଷ ମାନନ୍ତି ଏବଂ ଏହାଙ୍କ ପାଖରେ ଗୁହାରିଆ ପଡ଼ି ଅଲୌକିକ ଶକ୍ତି ଲାଭ କରିବା ଉଦାହରଣ ଅଛି। ପ୍ରସିଦ୍ଧ ପାଲାକାର ଦାମୋଦର ବାହିନୀପତି (ରାଜା ନଟବରଙ୍କ ସମୟର) ଏଠାରେ ଗୁହାରିଆ ପଡି ଆଶୁକବିତ୍ବ ଲାଭ କରିଥିଲେ। ଏହି ମନ୍ଦିରର ମଣ୍ଡପରେ କାରୁକାର୍ଯ୍ୟରେ ପରିପୂର୍ଣ୍ଣ କାଠର ଅତି ସୁନ୍ଦର ମୂର୍ତ୍ତି ଖଚିତ ହୋଇଥିଲା।ରାଜୁଡା ଶାସନ ଶେଷ ହେବାର କିଛି ବର୍ଷ ଭିତରେ ସେ ସବୁ ଚୋରି ହୋଇଗଲା।
ବର୍ତ୍ତମାନ ରାଜବାଟିର ଅନତି ଦୂରରେ ଯେଉଁ ନୀଳକଣ୍ଠେଶ୍ଵର ଶିବ ମନ୍ଦିର ରହିଛି ତାହା ଦୁଇଶହ ବର୍ଷତଳେ ରାଜା ନୃସିଂହ ଭ୍ରମରବରଙ୍କ ସମୟରେ ନିର୍ମିତ ହୋଇଥିଲା।
ଖଣ୍ଡପଡାର ସବୁ ଶିବପୀଠ ମାନଙ୍କ ମଧ୍ୟରେ ଅଧିକ ଚର୍ଚ୍ଚାରେ ରହିଛି ଖୁଣ୍ଟୁପଡା ଗ୍ରାମରେ ଥିବା ରାମେଶ୍ବର ଶିବଙ୍କ ପୀଠ। ରାମେଶ୍ବର ମହାପ୍ରଭୁଙ୍କ କୃପାରୁ ବିଶ୍ବବନ୍ଦ୍ୟ ଜ୍ୟୋତିର୍ବିଜ୍ଞାନୀ ନକ୍ଷତ୍ର-ପୁରୁଷ, ଉତ୍କଳ-ଭାସ୍କର ସାମନ୍ତ ଚନ୍ଦ୍ରଶେଖର ଧରାପୃଷ୍ଠକୁ ଓହ୍ଲାଇ ଆସି ଥିଲେ ବୋଲି ଏକ ରୋଚକ କିମ୍ବଦନ୍ତୀ ରହିଛି। ପଠାଣି ସାମନ୍ତ ୧୮୩୫ ମସିହା ଡିସେମ୍ବର ମାସ ୧୩ତାରିଖରେ ଜନ୍ମ ଲାଭ କରିଥିଲେ।ତାର ଠିକ୍ ଦଶମାସ ପୂର୍ବରୁ ଏହି ଘଟଣାଟି ରାମେଶ୍ବର ମନ୍ଦିର ପ୍ରାଙ୍ଗଣରେ ଘଟିଥିଲା। ସେଦିନ ଶିବ ଚତୁର୍ଦ୍ଦଶୀ ଯୋଗୁଁ ଖୁଣ୍ଟୁପଡା ଗ୍ରାମର ରାମେଶ୍ବର ଶିବ ମନ୍ଦିର ବେଢ଼ାରେ ଅନେକ ଭକ୍ତଙ୍କର ସମାଗମ ହୋଇଥାଏ। ସେମାନଙ୍କ ଭିତରେ ଶ୍ୟାମବନ୍ଧୁ ସିଂହ ଏବଂ ତାଙ୍କ ଧର୍ମପତ୍ନୀ ବିଷ୍ଣୁମାଳୀ ଦେବୀ ମଧ୍ୟ ଥାଆନ୍ତି।ଆଗରୁ ଗୋଟିଏ ପୁତ୍ର ଏବଂ ଦୁଇଟି କନ୍ୟା ଅକାଳରେ ହରାଇଥିବା ସାମନ୍ତ ଦମ୍ପତି ପୁତ୍ର ଲାଭ ମାନସିକ ନେଇ ଜାଗର ଉପବାସ ପାଳନ କରିବାପାଇଁ ଆସିଥାନ୍ତି। ହଠାତ୍ ରାମେଶ୍ବରଙ୍କ ବୁଢାମାଳୀ ମନ୍ଦିର ଭିତରୁ ଭୟରେ ଥରି ଥରି ବାହାରକୁ ଆସି କହିବାକୁ ଲାଗିଲେ..”ବାବା ହେ,ରକ୍ଷା କର, କ୍ଷମା କର ପ୍ରଭୁ।” ଭକ୍ତମାନେ ଭୟର କାରଣ ପଚାରିବାରୁ ମାଳି କହିଲେ.. ରାମେଶ୍ବରଙ୍କ ଲିଙ୍ଗ ଉପରେ କେତକୀ ପାଖୁଡା ଲାଗି କରିବା ସମୟରେ ତାହା ବାରମ୍ବାର ତଳେ ପଡିଯାଉଥିଲା। ନିରୀକ୍ଷଣ କରି ଦେଖିବାରୁ ଜଣାଗଲା ଯେ ଶିବଲିଙ୍ଗ ଚାରିପାଖରେ ଗୋଟିଏ ନାଗସାପ ଗୁଡେ଼ଇ ହୋଇ ରହିଛି। ଏତେଦିନ ପ୍ରଭୁଙ୍କର ସେବା କରିବା ଭିତରେ ଏଭଳି ଘଟଣା କେବେ ମୋ ଦୃଷ୍ଟି କୁ ଆସିନାହିଁ।”
ଏହା ଶୁଣିବା ପରେ ଉପସ୍ଥିତ ଭକ୍ତ ମାନଙ୍କ ମନରେ ଆବେଗ ସୃଷ୍ଟି ହେବା ସ୍ବଭାବିକ। ସେଦିନ ରାତିରେ ଜାଗର ଜାଳି ଭକ୍ତମାନେ ବେଢ଼ା ଭିତରେ ବସିଥାନ୍ତି।ସାମନ୍ତ ଶ୍ୟାମବନ୍ଧୁ ଏବଂ ବିଷ୍ଣୁମାଳୀ ଦେବୀ ମଧ୍ୟ ଜାଗର ଜାଳି ସେଠାରେ ବସିଥିଲେ। ରାତିର ତୃତୀୟ ପ୍ରହରରେ ଶ୍ୟାମବନ୍ଧୁଙ୍କ ଆଖି ଯେତେବେଳେ ତନ୍ଦ୍ରାଛନ୍ନ ଥିଲା ସେ ଏକ ସ୍ବପ୍ନ ଦେଖିଲେ ଜଣେ ତେଜୋଦୀପ୍ତ ଶୁକ୍ଳାମ୍ବରଧାରୀ ବ୍ରାହ୍ମଣଙ୍କ ପାଖରେ ଜଣେ ଅପୂର୍ବ ସୁନ୍ଦରୀ ନାରୀ ଉପସ୍ଥିତ ହୋଇ ତାଙ୍କ ମସ୍ତକରେ କେତକୀ ପାଖୁଡା ଲାଗି କରିବା ପାଇଁ ଉଦ୍ୟତ ହେଉଛନ୍ତି।ଏହା ଦେଖି ସେ ବ୍ରାହ୍ମଣ କହୁଛନ୍ତି-ଏ କଣ କରୁଛ ପ୍ରିୟେ ! ଚତୁର୍ଦ୍ଦଶୀ ବ୍ୟତୀତ ଅନ୍ୟ କୌଣସି ଦିନରେ ମୁଁ କେତକୀ ପାଖୁଡା ଗ୍ରହଣ କରେନାହିଁ ବୋଲି ତୁମେ କଣ ଜାଣିନାହିଁ ?
ଆଶ୍ଚର୍ଯ୍ୟ ହୋଇ ସେ ଅପୂର୍ବ ନାରୀ କହିଲେ.. କିନ୍ତୁ ମୋର ଭୁଲ୍ କେଉଁଠି ରହିଲା ପ୍ରଭୁ ! ଆଜି ପରା ଜାଗର ଚତୁର୍ଦ୍ଦଶୀ ! ଏହା ଶୁଣି ବ୍ରାହ୍ମଣ କହିଲେ.. ନାଁ ଦେବୀ , ସ୍ଥୂଳ ଗଣନା ଅନୁଯାୟୀ ଆଜି ଭକ୍ତମାନେ ଜାଗର ପାଳନ କରୁଛନ୍ତି। ପ୍ରକୃତରେ ଜାଗର ଆଜି ନୁହେଁ।ବିଶ୍ବବ୍ରହ୍ମାଣ୍ଡ ଏକ ଐଶ୍ୱରୀୟ ନିୟମ ଅନୁସାରେ ପରିଚାଳିତ। ସେଥିରେ ବ୍ୟତୀକ୍ରମ ହେଲେ ଈଶ୍ବର ମଧ୍ୟ ଋଷ୍ଟ ହୁଅନ୍ତି ଏବଂ ସମାଜର ଅମଙ୍ଗଳ ହୁଏ। ଖୁବ୍ ଶୀଘ୍ର ମୋର କଳା ନେଇ ଜଣେ ମହାପୁରୁଷ ଏଇ ମାଟିରେ ଜନ୍ମନେବ ଏବଂ ସୂକ୍ଷ୍ମ ଗଣନା କରି ଠିକ୍ ଭାବରେ ଦିନ ଦଣ୍ଡ ଲିତା ଏବଂ ତିଥି ନିର୍ଣ୍ଣୟ କରିବ।” ଶ୍ୟାମବନ୍ଧୁଙ୍କର ତନ୍ଦ୍ରା ଭାଙ୍ଗିଗଲା। ଠିକ୍ ସେହି ସମୟରେ ତନ୍ଦ୍ରାଛନ୍ନ ଅବସ୍ଥାରେ ତାଙ୍କ ପତ୍ନୀ ବିଷ୍ଣୁମାଳୀ ଦେବୀ ସ୍ବପ୍ନରେ ଦେଖିଲେ ଜଣେ ସୁନ୍ଦରୀ ନାରୀ ତାଙ୍କ ଆଗରେ ଉଭା ହୋଇ କହୁଛନ୍ତି…ଦେବୀ ! ପ୍ରଭୁ ତୁମ ଗୁହାରି ଶୁଣିଛନ୍ତି। ଅତି ଶୀଘ୍ର ତୁମେ ଏକ ଧୀମାନ ପୁତ୍ରର ଜନନୀ ହେବ।କାଲି ସକାଳେ ଶିବ ଦର୍ଶନ ସମୟରେ ଲିଙ୍ଗ ପାଖରେ ଅଣ୍ଡାଳି ଯାହା ପାଇବ ତାହା ନିର୍ବିକାର ମନରେ ଉଦରସ୍ଥ କରିବ। ବିଷ୍ଣୁମାଳୀ ଦେବୀ ତାହାହିଁ କଲେ। ଲିଙ୍ଗ ଚାରିପାଖ ଦରାଣ୍ଡି ଗୋଟିଏ କ୍ଷୁଦ୍ର କୃଷ୍ଣ ଶିଳା ପାଇ ତାହା ଉଦରସ୍ଥ କଲେ। ପରଦିନ ଘରକୁ ଫେରିବା ସମୟରେ ସ୍ବପ୍ନାଦେଶ କଥା ଆଲୋଚନା କରି ଦୁହେଁ ଆଶ୍ଚର୍ଯ୍ୟ ହେଲେ।
କିଛି ଦିନ ପରେ ବିଷ୍ଣୁମାଳୀ ଦେବୀଙ୍କର ଗର୍ଭ ଲକ୍ଷଣ ଦେଖାଗଲା।ଯଥା ସମୟରେ ୧୮୩୫ ମସିହା ଡିସେମ୍ବର ୧୩ ତାରିଖରେ ବିଷ୍ଣୁମାଳୀ ଏବଂ ଶ୍ୟାମବନ୍ଧୁଙ୍କ କୋଳ ଗୋଟିଏ ପୁତ୍ର ସନ୍ତାନ ମଣ୍ଡନ କଲେ।ପ୍ରଭୁ ଶିବ ବା ଚନ୍ଦ୍ରଶେଖରଙ୍କ କୃପାରୁ ପୁତ୍ରଲାଭ ହୋଇଥିବାରୁ ତାଙ୍କ ନାମ ରଖାଗଲା ଚନ୍ଦ୍ର ଶେଖର। ଜ୍ୟୋତିର୍ବିଜ୍ଞାନରେ ଅଲୌକିକ ସାଧନା ଯୋଗୁଁ ଦିନେ ଏହି ମହାପୁରୁଷ ଆମ ଓଡିଆଙ୍କ ପରିଚୟ ଭାବେ ବିଶ୍ବଦରବାରରେ ବନ୍ଦିତ ହୋଇଥିଲେ।
ଆଲେଖ୍ୟ – କୁଳମଣି ଷଡଙ୍ଗୀ
ସାଇ ବିହାର ପଟିଆ କଲେଜ୍ ରୋଡ଼,
ଭୁବନେଶ୍ଵର ୭୫୧୦୨୪
ମୋ: ୭୦୦୮୯୯୪୦୭୧
ମହାଶିବରାତ୍ରିରେ ଜାଣନ୍ତୁ ଗତିକେଶ୍ବର ମହାଦେବଙ୍କ କଥା |
ପବିତ୍ର ମହାଶିବରାତ୍ରିରେ ଆସନ୍ତୁ ଆଜି ଆମେ ବୁଲିଯିବା ଦେବାଧି ଦେବ ମହାଦେବଙ୍କ ଏକ ଅନନ୍ୟ ଶୈବପୀଠକୁ, ଯେଉଁଠି ବାବା ଭୋଳାନାଥ ପୂଜା ପାଉଛନ୍ତି ଗତିକେଶ୍ବରଙ୍କ ନାମରେ।
ପ୍ରକୃତିର କୋଳରେ ବନଜଙ୍ଗଲର ସବୁଜିମା ମଧ୍ୟରେ ଅବସ୍ଥିତ ନୟାଗଡ଼ ଜିଲ୍ଲା , ତେବେ ଆମର ଆଜିର ଯାତ୍ରା ନୟାଗଡ଼ର ପ୍ରସିଦ୍ଧ ଦ୍ବାଦଶସମ୍ଭୁଙ୍କ ମଧ୍ୟରୁ ଅନ୍ୟତମ ଶମ୍ଭୁ ଶ୍ରୀଗତିକେଶ୍ବରଙ୍କ ପୀଠକୁ। ପ୍ରଥମେ ଆମେ ରାଜଧାନୀ ଭୁବନେଶ୍ଵର ରୁ ନୟାଗଡ଼ ଅଭିମୁଖେ ଯାତ୍ରା ଆରମ୍ଭ କଲୁ।ଆଉ ନୟାଗଡ଼ରୁ ବାଲୁଗାଁ ଦେଇ ଅଳ୍ପ କିଛି ବାଟ ଗଲାପରେ ଆମେ ମାଳିସାହି ଗ୍ରାମ ରେ ପହଞ୍ଚିଲୁ। ଆଉ ସେହି ଗ୍ରାମରେ ବିଜେ ହୋଇଛନ୍ତି ବାବା ଗତିକେଶ୍ବର ମହାଦେବ। ତେବେ ଆସନ୍ତୁ ଜାଣିବା ବାବା ଗତିକେଶ୍ବର ମହାଦେବଙ୍କ କିମ୍ବଦନ୍ତୀ ବିଷୟରେ।
ବାବା ଗତିକେଶ୍ବରଙ୍କରର ଏହି ଦେଉଳଟି ହେଉଛି ନବମ ଶତାବ୍ଦୀର। ତେବେ ଏହି ମନ୍ଦିରକୁ ରାଜା ରଣଭଞ୍ଜ ତାଙ୍କ ରାଜତ୍ବ ସମୟରେ ତୋଳାଇଥିଲେ ବୋଲି କିମ୍ବଦନ୍ତି କହେ। ଏବଂ ଲୋକକଥା କହେ ଏହା ଶ୍ରୀ ଲିଙ୍ଗରାଜ ମନ୍ଦିରଠାରୁ ମଧ୍ୟ ପ୍ରାଚୀନ । ଗତୀକେଶ୍ବର ମହାଦେବଙ୍କର କିଛି କିମ୍ବଦନ୍ତୀ ଥାଉ ଅବା ନଥାଉ, ଏହା ଯେ ବୌଦ୍ଧନରେଶଙ୍କ କିର୍ତ୍ତୀ ବୋଲି ଅନେକ ପିଢି଼ରୁ କିମ୍ବଦନ୍ତୀ ରହିଆସିଛି। ଏଠାରେ ଥିବା ପ୍ରାଚୀନ ଶୀଳାଲେଖ ଯାହାକି ବର୍ତ୍ତମାନ ନଷ୍ଟପ୍ରାୟ ଯାହା ଏହାକୁ ବୌଦ୍ଧନରେଶଙ୍କର କିର୍ତ୍ତୀ ବୋଲି ପ୍ରମାଣ କରାଇଥାଏ।
ଦେବ ଦେବ ମହାଦେବଙ୍କ ମନ୍ଦିର ପ୍ରାଙ୍ଗରେ ଶୋଭାପାଉଛନ୍ତି ପାର୍ଶ୍ବ ଦେବ ଦେବୀ, ଯଥା ଅଷ୍ଟଭୂଜା ରଣଚଣ୍ଡୀ , ବିଦ୍ୟାଦାତା ଗଣେଷ, କୁମାର କାର୍ତ୍ତିକେୟ ଆଦି ଅନେକ ବିଗ୍ରହ। ସେଠାକାର ବିଶେସତ୍ତ୍ବ ହେଉଛି ଏକ ୫ଫୁଟ ବିଶିଷ୍ଟ ସ୍ତମ୍ଭ ଯେଉଁଥିରେ ତିନୋଟି ଖୋଲ ଅଛି। ପ୍ରଥମ ଖୋଲରେ ପ୍ରାଚୀନ ଉମାମହେଶ ବିଗ୍ରହ , ଦ୍ବୀତିୟଟିରେ ଦୁଇଜଣ ସଖି ବା ନାରୀ ମୁର୍ତ୍ତି ଶୋଭା ପାଉଥିବା ବେଳେ , ତୃତୀୟ ଖୋଲରେ ବିରାଜିଥିବା ଶିବଗଣ ସମସ୍ତଙ୍କ ମନ ମୋହୁଛନ୍ତି । ମନ୍ଦିରର ଚତୁଃପାର୍ଶ୍ବ ବୁଲି ଦେଖିଲେ ଆପଣ ପାଇ ପାରିବେ ଏକ ପ୍ରାଚୀନ ଦେଉଳର ଅନେକ ଭଗ୍ନାବଶେଷ ।
ବାବା ଗତିକେଶ୍ବରଙ୍କଠାରେ ପ୍ରତିଦିନ ତିନିଧୂପ ଇତ୍ୟାଦି ହେଇଥାଏ, ଏଠାକାର ମୂଖ୍ୟ ପର୍ବପର୍ବାଣୀ ହେଉଛି ମହାଶୀବରାତ୍ରୀ ଓ ଶୀତଳଷଷ୍ଠୀ, ଏହି ଦୁଇପର୍ବ ଗ୍ରାମବାସୀମାନେ ଖୁବ ଉଲ୍ଲାସର ସହ ପାଳନ କରିଥାନ୍ତି। ତେବେ ଏ ଥିଲା କିଛି ତଥ୍ୟ ନୟାଗଡ଼ର ପ୍ରସିଦ୍ଧ ଶମ୍ଭୁ ଗତିକେଶ୍ବରଙ୍କର ଉପରେ। ସମୟ ପାଇଲେ ନିଶ୍ଚୟ ଆସିବେ ଏ ପବିତ୍ର ଶୈବ କ୍ଷେତ୍ରକୁ।
ଆଲେଖ୍ୟ – ରୋହନ ମହାପାତ୍ର
ସମ୍ପାଦକ, ବୀର କଳିଙ୍ଗ
ଭୂମିଷ୍ଟ ଶିଶୁକୁ ମଧ୍ୟ ମାୟା ଆଚ୍ଛାଦିତ କରି ରଖିଥାଏ !
ଭାରତୀୟ ଦର୍ଶନ ଓ ସଂସ୍କୃତି ଆଧାରିତ ଆମର ନିଆରା କାର୍ଯ୍ୟକ୍ରମ “ଭାରତୀୟ ଦର୍ଶନ ଓ ସଂସ୍କୃତି”। ପ୍ରଥମଥର ପାଇଁ ଓଡ଼ିଆ ଭାଷାରେ ଦେଖନ୍ତୁ। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
ରାତି ଦୁଇଟାରେ ମିଳିଲା ସୁଦର୍ଶନଙ୍କ ଦାରୁ !
ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଭକ୍ତଙ୍କ ସହିତ କରନ୍ତି ଅଦୃଶ୍ୟ ଲୀଳା, ଭକ୍ତ ଓ ଭଗବାନଙ୍କ ଭାବକୁ ନେଇ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ “ମହାପ୍ରଭୁଙ୍କ ମହିମା”। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବରରେ ଦାରୁ ଚିହ୍ନଟ ସମୟର ଏକ ଅନୁଭୁତି କହିଲେ ସେବାୟତ । ଆପଣ ଯଦି ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
କବି ଗଙ୍ଗାଧର ମେହେରଙ୍କ ‘କୀଚକ ବଧ’ – ଦ୍ବିତୀୟ ସର୍ଗ |
ଓଡ଼ିଆ କାବ୍ୟ ଓ କବିମାନଙ୍କୁ ଆଗାମୀ ପିଢ଼ିଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ଆମର ଏ କାର୍ଯ୍ୟକ୍ରମ “ଓଡ଼ିଆ କାବ୍ୟ ଓ କବି”। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
କବି ଗଙ୍ଗାଧର ମେହେରଙ୍କ ‘କୀଚକ ବଧ’ – ପ୍ରଥମ ସର୍ଗ | ଭାଗ-୩ |
ଓଡ଼ିଆ କାବ୍ୟ ଓ କବିମାନଙ୍କୁ ଆଗାମୀ ପିଢ଼ିଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ଆମର ଏ କାର୍ଯ୍ୟକ୍ରମ “ଓଡ଼ିଆ କାବ୍ୟ ଓ କବି”। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
କବି ଗଙ୍ଗାଧର ମେହେରଙ୍କ ‘କୀଚକ ବଧ’ – ପ୍ରଥମ ସର୍ଗ | ଭାଗ-୨ |
ଓଡ଼ିଆ କାବ୍ୟ ଓ କବିମାନଙ୍କୁ ଆଗାମୀ ପିଢ଼ିଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ଆମର ଏ କାର୍ଯ୍ୟକ୍ରମ “ଓଡ଼ିଆ କାବ୍ୟ ଓ କବି”। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
କବି ଗଙ୍ଗାଧର ମେହେରଙ୍କ ‘କୀଚକ ବଧ’ – ପ୍ରଥମ ସର୍ଗ |
ଓଡ଼ିଆ କାବ୍ୟ ଓ କବିମାନଙ୍କୁ ଆଗାମୀ ପିଢ଼ିଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ଆମର ଏ କାର୍ଯ୍ୟକ୍ରମ “ଓଡ଼ିଆ କାବ୍ୟ ଓ କବି”। ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ, ଆମର ଏଇ Vir Kalinga ଚ୍ୟାନେଲକୁ Subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
