ମହାପ୍ରଭୁଙ୍କ ଝୁଲଣ ଯାତ।

“ଝୁଲିବେ ତ ଆଜ କୁଞ୍ଜେ ବ୍ରଜରାଜ
ଭୁଲି ନ ଯିବ କେ ଚାହିଁ।।”
ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଶ୍ରାବଣ ଶୁକ୍ଳ ଦଶମୀଠାରୁ ପ୍ରତିପଦ ଯାଏ ୭ ଦିନ ଧରି ଅନୁଷ୍ଠିତ ହୋଇଥାଏ। ଏହି ନୀତି ପାଇଁ ଭଣ୍ଡାର ରୁ ରୂପା ଗିନା ଆସେ। ଘଟୁଆରୀ ଚନ୍ଦନ ଆଣି ଯୋଗାଏ। ଭଣ୍ଡାର ମେକାପ ଅଳଙ୍କାର ଯୋଗାଏ। ମନ୍ଦିର କୋଠରୁ ମାଣ୍ଡୁଅ ଓ ଅନ୍ୟାନ୍ୟ ଜିନିଷ ମାନ ଯୋଗା ଯାଇଥାଏ।ଏହି ନୀତି ପାଇଁ ପ୍ରାୟ ୧୫ ରୁ ଉର୍ଦ୍ଧରେ ସେବକଙ୍କର ଆବଶ୍ୟକତା ପଡିଥାଏ।

ଝୁଲଣ ର ପ୍ରଥମ ଦିନ ଅର୍ଥାତ ଶ୍ରାବଣ ଶୁକ୍ଳ ଦଶମୀ ଦିନ ମଧ୍ୟାହ୍ନ ଧୂପ ବଢ଼ିବା ପରେ ଭିତର ଗମ୍ଭୀରରେ ପାଣି ପଡି ଧୁଆ ଯିବା ପରେ ଖୁଣ୍ଟିଆ ପୁଷ୍ପାଳକ ଙ୍କୁ ଡାକିଥାନ୍ତି। ଏହି ସମୟରେ ଗରାବଡୁ ସେବକଙ୍କ ଠାରୁ ହାତୁଆଣୀ ନେଇ ପୁଷ୍ପାଳକ ସେବକମାନେ ଶ୍ରୀ ଜୀଉମାନ ଙ୍କ ମଇଲମ କରିଥାନ୍ତି । ପାଳିଆ ମେକାପ ତିନୋଟି ରୂପା ଗିନାରେ ଘଟୁଆରୀ ସେବକ ଦେଇଥିବା ଚନ୍ଦନ କୁ ନେଇ ପାଳିଆ ପୁଷ୍ପାଳକଙ୍କୁ ବଢ଼ାଇଥାନ୍ତି। ତିନି ବାଡ଼ରେ ସର୍ବାଙ୍ଗ ଚନ୍ଦନ ଲାଗି କଲାପରେ ଶ୍ରୀଜୀଉମାନଙ୍କ ବେଶ ବଢିଥାଏ। ଏହି ଦିନ ଏହି ସମୟରେ ସେବକମାନେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଙ୍କୁ ଦକ୍ଷିଣୀ ଘର ପ୍ରାଙ୍ଗଣ ରେ ଖଟଶେଜ ମେକାପ ପକାଇଥିବା ଶେଜ ଉପରେ ବିଜେ କରାନ୍ତି ଓ ଦକ୍ଷିଣୀ ଘରୁ ମଦନମୋହନଙ୍କୁ ଆଣି ଏହାଙ୍କ ବିଜେ କରାନ୍ତି। ଏହିଠାରେ ୩ଦିଅଁଙ୍କ ବେଶ ମହାଜନ ସେବାୟତ କରିଥାନ୍ତି। ଏହାପରେ ପୂଜାପଣ୍ଡା ସେବକ ତିନି ଗୋଟି ସରା ରେ ତିନି ଗୋଟି ମାଣ୍ଡୁଅ ସର୍ପାମଣୋହି ପୂର୍ବକ ଭୋଗ କରିଥାନ୍ତି। ଏହାପରେ ଦକ୍ଷିଣୀ ଘରେ ବିରାଜିତ ସମସ୍ତ ଚଳନ୍ତି ପ୍ରତିମାଙ୍କ ଭୋଗ ହୋଇଥାଏ। ତତ୍ପରେ ଛାମୁ ଦିହୁଡ଼ି ସହ ଶ୍ରୀଦେବୀ , ଭୂଦେବୀ ଓ ମଦନମୋହନ ରତ୍ନସିଂହାସନ ବିଜେ କରିଥାନ୍ତି ସେଠାରେ ପୁଷ୍ପାଳକ ସେବକମାନେ ତିନି ବାଡ଼ରେ କର୍ପୁର ଲାଗି କରିବା ପରେ ସିଂହାସନ ରୁ ଓଲ୍ହାଇ ତିନି ବାଡ଼ରେ ସାନ୍ଧ୍ୟ ଆଳତି କରିଥାନ୍ତି। ଏହାପରେ ଜନୈକ ପୂଜାପଣ୍ଡା ସେବକ ହାତୁଆଣି ନେଇ ମହାପ୍ରଭୁଙ୍କ ଦକ୍ଷିଣ ଭୁଜରୁ ଆଜ୍ଞାମାଳ ନେଇ ଶ୍ରୀ ମଦନମୋହନଙ୍କୁ ଓ ଉତ୍ତର ଭୁଜର ଦୁଇ ଆଜ୍ଞାମାଳ ଭୂଦେବୀ ଓ ଶ୍ରୀଦେବୀ ଙ୍କୁ ଲାଗି କରିଥାନ୍ତି। ତତ୍ପରେ ଛାମୁ ଦିହୁଡ଼ି ସହ ମହାଜନ ସେବକମାନେ ତିନି ଚଳନ୍ତି ପ୍ରତିମାଙ୍କୁ ହସ୍ତରେ ବିଜେ କରାଇ ଜଗମୋହନ , ବଟ ଦ୍ୱାର ଦେଇ ଝୁଲଣ ମଣ୍ଡପ ଦୋଳି ଉପରେ ବିଜେ କରାନ୍ତି। ଏଠାରେ ବିଡ଼ିଆ ମଣୋହି ହୋଇଥାଏ। ଭିତରେ ସନ୍ଧ୍ୟଧୂପ ବଢ଼ିବା ପରେ ଝୁଲଣ ମଣ୍ଡପରେ ସୁଦୁ ସୁଆର ପାଣି ପକାଇବା ପରେ ଆସ୍ଥାନ ପ୍ରତିହାରୀ ଟେରା ବାନ୍ଧି ଶୀତଳ ଭୋଗ ପୂଜା ଠା କରିଥାନ୍ତି । ତତ୍ପରେ ପାଳିଆ ପୂଜାପଣ୍ଡା ଆସି ପଞ୍ଚ ଉପଚାର ରେ ପୂଜା କରିଥାନ୍ତି। ଭୋଗ ଶେଷ ହେବା ପରେ ମୁଦିରସ୍ତ ବନ୍ଦାପନା ନୀତି ବଢ଼ାଇଥାନ୍ତି। ରତ୍ନସିଂହାସନରେ ଶ୍ରୀଜୀଉ ଙ୍କ ଚନ୍ଦନ ଲାଗି ନୀତି ସରିବା ପରେ ଝୁଲଣ କୁଞ୍ଜରେ ମହାଜନ ମାନେ ମଇଲମ କରି ଶ୍ରୀ ମଦନମୋହନ ଙ୍କୁ ଦକ୍ଷିଣୀ ଘର ଓ ଶ୍ରୀଦେବୀ , ଭୂଦେବୀ ଙ୍କୁ ରତ୍ନସିଂହାସନ ବିଜେ କରାଇଥାନ୍ତି।

ଏହିପରି ଭାବେ ୭ ଦିନ ବ୍ୟାପି ଝୁଲଣ ଯାତ୍ରା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ।

ଉପସ୍ଥାପନା: ନୀଳାଦ୍ରିନାଥ ଶ୍ରୀଜଗନ୍ନାଥ

ସପ୍ତମ ଶତାବ୍ଦୀର ବୈଦେଶ୍ୱର ମନ୍ଦିର।

ଶ୍ରୀରାମ, ଲକ୍ଷ୍ମଣ, ସୀତା ଦେବୀଙ୍କ ପଦସ୍ପର୍ଶ ପାଇ ନିଜକୁ କୃତ୍ୟ କୃତ୍ୟ ମଣୁଥିବା ପୁରାଣ ପୃଷ୍ଠାର କେଉଁ ଏକ ନିଭୃତ ପୃଷ୍ଠା ମଣ୍ଡନକରିଥିବା ପୁତ ପବିତ୍ର ମନୋରମପୂର୍ଣ୍ଣ ଶାନ୍ତ ସରଳ ଗାଁ ହେଉଛି କଟକ ଜିଲ୍ଲାର ବୈଦ୍ୟେଶ୍ୱର। ଅନବରତ ଯାହାର ପଦଧୌତ କରି ଚାଲିଛି ପୁଣ୍ୟ ପାବନୀ ମହାନଦୀ। ଶସ୍ୟ ଶ୍ୟାମଳାରେ ପୁଷ୍ଟ କରି ପୁଣ୍ୟତୋୟା ମହାନଦୀର ଜଳ ଉନ୍ନତ ସମୃଦ୍ଧ କରିଛି ବୈଦେଶ୍ୱରର ବକ୍ଷ ଦେଶକୁ। ସୁଉଚ୍ଚ ସବୁଜ ବଟ ବୃକ୍ଷର ପରିବେଷ୍ଟନୀ ଅଧିକରୁ ଅଧିକ ଶୀତଳ ଓ ସୌମ୍ୟକାନ୍ତ କରିଛି ମହାନଦୀର ତଟଦେଶରେ ଅବସ୍ଥିତ ଏହି ବୈଦ୍ୟେଶ୍ଵର ଗ୍ରାମକୁ । ମହାଦେବ ବୈଦେଶ୍ୱର ଏହି ଗାଁର ସର୍ବମାନ୍ୟ ଇଷ୍ଟ।ଜନଶ୍ରୁତି ଅନୁଯାୟୀ ପ୍ରଭୁ ବୈଦେଶ୍ୱରଙ୍କ ନାମାନୁସାରେ ଗାଁ ଟିର ନାମ ନାମିତ କରାଯାଇଛି “ବୈଦ୍ୟେଶ୍ଵର”।

ରାମାୟଣ ଯୁଗର କଥା।ରାମ, ଲକ୍ଷ୍ମଣ,ସୀତା ଯେତେବେଳେ ବନବାସରେ କାଳାତିପାତ କରୁଥିଲେ ସେତେବେଳେ ଅଧୁନା ବୈଦେଶ୍ୱର ଓ ପବିତ୍ର ମହାନଦୀର ତଟଦେଶରେ ଥିବା ହାତିଆ ପାହାଡରେ କିଛିଦିନ ଅତିବାହିତ କରିଥିଲେ। ପିତୃଶ୍ରାଦ୍ଧ ସମୟ ଉପନୀତ ହେବାରୁ ଉତ୍କଳ ପାବନି ସ୍ଵର୍ଣଗର୍ଭା ମହାନଦୀ ପ୍ରାନ୍ତ ବାଲୁକା ପ୍ରାଙ୍ଗଣରେ ପିତୃଶ୍ରାଦ୍ଧ ଦେଇଥିଲେ ମାତା ବୈଦେହୀ।ଜଗତ୍ ମାତା ବୈଦେହୀ ସ୍ନାନାଦି ନିତ୍ୟକର୍ମ ସାରି ହାତିଆ ପାହାଡର ପାଦ ଦେଶରେ ଲିଙ୍ଗ ରୂପୀ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ। ଏହି ଶିବ ଲିଙ୍ଗ ସ୍ୱୟଂ ସମ୍ଭୂତ ବା ଫୁଟାଲିଙ୍ଗ ଅଟେ।ବୈଦେହୀ ଏହି ସ୍ୱୟଂସମ୍ଭୂତ ଲିଙ୍ଗଙ୍କୁ ଉପାସନା କରୁଥିବାରୁ ତାଙ୍କ ନାମାନୁସାରେ ବୈଦେହୀ ପୂଜିତ ଈଶ୍ୱର ବା “ବୈଦେଶ୍ୱର” ନାମରେ ନାମିତ ହୋଇଅଛି।

ଏହା ବ୍ୟତୀତ ପ୍ରଭୁ ଶ୍ରୀରାମଚନ୍ଦ୍ର ଏବଂ ସୌମିତ୍ରୀ ମଧ୍ୟ ବନବାସ କାଳରେ ମହାଦେବଙ୍କୁ ଆରାଧନା କରୁଥିଲେ। ରାମଚନ୍ଦ୍ରଙ୍କ ଆରାଧ୍ୟ ମହାଦେବଙ୍କୁ “ରାମନାଥ” ଏବଂ ସୌମିତ୍ରୀ ପୂଜିତ ମହାଦେବ “ସିଂହନାଥ” ନାମରେ ବିଖ୍ୟାତ।ଏକ କିଲୋମିଟର ବ୍ୟବଧାନରେ ସମକୋଣି ତ୍ରିଭୁଜାକାରରେ ବା
ଗଣିତର ଅତଏବ ଚିହ୍ନ ଭଳି ତିନି ମହାଦେବ ଅବସ୍ଥାନ କରୁଥିବାରୁ ଏହି ପୀଠକୁ “ତ୍ରିକୋଟ ଧାମ” ମଧ୍ୟ କୁହାଯାଏ। ଏହି “ତ୍ରିକୋଟ ଧାମ” ବିଷୟରେ ରାମାୟଣରେ ବର୍ଣ୍ଣିତ ଅଛି। ଶିଙ୍ଘନାଥ ମହାଦେବଙ୍କ ମକର ମେଳା ସେ ଅଞ୍ଚଳର ଏକ ସୁପ୍ରସିଦ୍ଧ ଯାତ୍ରା।

ହାତିଆ ପାହାଡ଼ ଉପରେ ଲକ୍ଷ୍ମୀ ପାଦ ଚିହ୍ନିତ ପ୍ରସ୍ତର ଖଣ୍ଡ ଥିବା ବେଳେ ପାଦଦେଶରେ ବୈଦ୍ୟେଶ୍ଵର ମନ୍ଦିର ଅବସ୍ଥିତ।
ଆଶ୍ଚର୍ଯ୍ୟ ବିସ୍ମୟ ବିଜଡିତ ଏହି ମନ୍ଦିରରେ ଶୋଭାପାଉଛନ୍ତି ବିଶ୍ୱନାଥ ଶିବଙ୍କ ସହ ଶ୍ରୀରାମ, ଲକ୍ଷ୍ମଣ ଏବଂ ମହିଷାମର୍ଦ୍ଦିନୀ ଦୁର୍ଗା।ବୈଦେହୀଙ୍କର କୌଣସି ପ୍ରତିମା ଏଠାରେ ସ୍ଥାନିତ ହୋଇ ନାହିଁ।ବୈଦେହୀଙ୍କ ଜାଗାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରମ,ଅନୁଜ ଲକ୍ଷ୍ମଣଙ୍କ ସହ ଦୁର୍ଗା ପ୍ରତିମା ରହିବା ପୁରାଣ ଓ ଇତିହାସ ବିରଳ ଅଟେ।

ଅନ୍ୟ ଏକ ଆଶ୍ଚର୍ଯ୍ୟ ଚକିତ କଥା ହେଲା ଭାରତବର୍ଷ ତଥା ସମଗ୍ର ଓଡିଶା ପ୍ରଦେଶର ସମସ୍ତ ଶୈବ ପୀଠରେ ଗୋଟିଏ ବାସୁଆ ବଳଦ ଶିବଙ୍କ ଆଡକୁ ମୁହଁ କରି ରହୁଥିବା ସ୍ଥଳେ ଏଠାରେ ତିନୋଟି ବାସୁଆ ବଳଦ ବୈଦ୍ୟେଶ୍ୱରଙ୍କ ଆଡକୁ ମୁହଁ କରି ଠିଆ ହୋଇଅଛନ୍ତି।ପଶ୍ଚିମ ଓଡିଶା, ନୟାଗଡ଼, ଅନୁଗୋଳ, ଢେଙ୍କାନାଳ, ଗଞ୍ଜାମ ଜିଲ୍ଲାର ମୁଖ୍ୟ ପ୍ରଧାନ ଏବଂ ପ୍ରସିଦ୍ଧ ଯାତ୍ରା ଚୈତ୍ର ପର୍ବ “ଦଣ୍ଡଯାତ୍ରା” ହୋଇଥିବା ବେଳେ କଟକ ଜିଲ୍ଲାରେ ଦଣ୍ଡଯାତ୍ରା ବିରଳ ପ୍ରାୟ। କିନ୍ତୁ ବୈଦେଶ୍ୱର ମହାଦେବଙ୍କର ଚୈତ୍ର ମାସରେ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥାଏ। ବିପଦପୂର୍ଣ୍ଣ, ଦୁଃସାହସିକତାର ପ୍ରଥା “ଝାମୁଯାତ୍ରା” ଏଠାରେ ଅନୁଷ୍ଠିତ ହୋଇଥାଏ। ସାତ ହାତ, ଚଉଦ ହାତ ଏବଂ ଏକୋଇଶ ହାତ ନିଆଁ ଗାଢରେ ଚାଲିବାର ଦୁଃସାହାସ ବୈଦେଶ୍ୱରଙ୍କ ଦଣ୍ଡୁଆ ଭକ୍ତ ମାନେ କରିଥାନ୍ତି। ଶୀତଳ ଷଷ୍ଠୀ/ଶିବ ବିବାହ ପର୍ବ ଏହି ଶୈବ ପୀଠର ଅନ୍ୟତମ ବୈଶିଷ୍ଟ୍ୟ ଅଟେ।ନିମନ୍ତ୍ରିତ ଅତିଥି ଭାବରେ ସିଂହନାଥ ମହାଦେବ ଏବଂ ରାମନାଥ ମହାଦେବ ବୈଦ୍ୟେଶ୍ଵର ମହାଦେବଙ୍କ ପାଖକୁ ଆସନ୍ତି। କିନ୍ତୁ ବୈଦ୍ୟେଶ୍ଵର ମହାଦେବ କାହାର ଆତିଥ୍ୟ ସ୍ୱୀକାର କରି କୌଣସି ଦେବଦେବୀ ପୀଠକୁ ଯାଆନ୍ତି ନାହିଁ।

ସପ୍ତମ ଶତାବ୍ଦୀରେ କେଶରୀ ବଂଶର ରାଜା ବିରାଟ କେଶରୀଙ୍କ ସମୟରେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପାଦନ ହୋଇଛି ବୋଲି ଅନୁମାନ କରାଯାଏ।ମନ୍ଦିର ପ୍ରବେଶ ଦ୍ୱାର ନିକଟରେ ଏକ ସୁନ୍ଦର ବାମ୍ଫି ନିର୍ମିତ ହୋଇଅଛି।

ଏହି ଐତିହାସିକ, ପୌରାଣିକ ଏବଂ କିମ୍ବଦନ୍ତୀ ସମୃଦ୍ଧ ବୈଦ୍ୟେଶ୍ଵର ମନ୍ଦିର ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇସାରିଛି।କିନ୍ତୁ ମନ୍ଦିରର ସେଭଳି କିଛି ଆଖିଦୃଷ୍ଟିଆ ଉନ୍ନତି ସାଧନ ହୋଇପାରି ନାହିଁ।

ବୈଦ୍ୟେଶ୍ଵର କେବଳ ପୁରାଣ ଓ କିମ୍ବଦନ୍ତୀ ପୃଷ୍ଠାକୁ ସମୃଦ୍ଧ କରି ନିରବି ଯାଇ ନାହିଁ।ଦେବକୀ ସାଜି ଯଶୋଦା ରୂପୀ ଉତ୍କଳ ଜନନୀକୁ ଉପହାର ଦେଇଛି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଭିତିପ୍ରସ୍ତର ସ୍ଥାପକ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କୁ।

ସ୍ବର୍ଣ୍ଣପ୍ରସୂ ଉର୍ବର ମାଆ ମାଟି ବୈଦ୍ୟେଶ୍ଵର ୧୮୬୭ ଡିସେମ୍ବର ୧୪ ତାରିଖରେ ଏକ ଅମୂଲ୍ୟ ରତ୍ନ ପ୍ରତିଭା, ଗୌରବମୟୀ ଓଡ଼ିଶା ଭୂଖଣ୍ଡକୁ ସମର୍ପି ଦେଇଥିଲା। କୁଳିନ ବ୍ରାହ୍ମଣ ପରିବାର ପିତା ଗୌରୀ ଚରଣ ମିଶ୍ର ଏବଂ ମାତା ରୋହିଣୀ ଦେବୀଙ୍କ କୋଳ ମଣ୍ଡନ କରି ଜନ୍ମ ଗ୍ରହଣ କରିଥିଲେ ନୀଳମଣି ମିଶ୍ର(ବିଦ୍ୟାରତ୍ନ)।

ବାଲ୍ୟଶିକ୍ଷା ଗ୍ରହଣ ଓ ପରେ ପରେ ଶିକ୍ଷକତା କରି ବଡମ୍ବା ଗୋପୀନାଥ ପୁର ମଣିଷ ତିଆରି କାରଖାନାରେ ଯୋଗ ଦେଇଥିଲେ କର୍ମବୀର, ଉଚ୍ଚାଭିଳାଷି ନୀଳମଣି। ଓଡ଼ିଆ ଭାଷା ପ୍ରତି ତାଙ୍କର ଥିଲା ଅହେତୁକ ସ୍ନେହ ପ୍ରୀତି ମମତା। ତାଙ୍କରି ଲେଖନୀ ନିର୍ଝରିଣୀରୁ ନିର୍ଗତ ହୋଇଥିଲା ବିଷବୈରୀ,ରାଜନୀତି, ପଶୁ ଚିକିତ୍ସା, ପରିମଳ, ମଣିମଞୁଷା ଭଳି କିଛି ବଳିଷ୍ଠ ପୁସ୍ତିକାବଳୀ।
ପଣ୍ଡିତ ନୀଳମଣି ମିଶ୍ରଙ୍କ ଅଗାଧ ପାଣ୍ଡିତ୍ୟରେ ମୁଗ୍ଧ ହୋଇ ବଡମ୍ବାର ରାଣୀ ତାଙ୍କୁ “ବିଦ୍ୟାରତ୍ନ” ଉପାଧିରେ ଭୂଷିତ କରିଥିଲେ। ପରେ ବିଧିବଦ୍ଧ ଭାବେ ବାମଣ୍ଡାର ମହାରାଜ ସୁଢ଼ଳଦେବଙ୍କଦ୍ୱାରା ତାଙ୍କୁ ବିଦ୍ୟାରତ୍ନ ଉପାଧିରେ ସମ୍ବର୍ଦ୍ଧନା କରାଗଲା। ତା ପରବର୍ତ୍ତୀ ସମୟ ଠାରୁ ସେ ନୀଳମଣି ମିଶ୍ର ବଦଳରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଭାବରେ ପରିଚିତ ଓ ପ୍ରତିଷ୍ଠିତ ହୋଇଥିଲେ।

ସମସାମୟିକ ବହୁ ଲବ୍ଧ ପ୍ରତିଷ୍ଠ ଲେଖକଙ୍କ ସଂସ୍ପର୍ଶରେ ଆସି ପର୍ଯ୍ୟାୟକ୍ରମେ ଅନେକ ପତ୍ରପତ୍ରିକାର ସମ୍ପାଦନା କରିଥିଲେ। ବାସୁଦେବ ସୁଢ଼ଳଦେବଙ୍କ ପୃଷ୍ଠପୋଷକତାରେ “ସମ୍ବଲପୁର ହିତୈଷୀ”,ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜଙ୍କ ପୃଷ୍ଠପୋଷକତାରେ “ପ୍ରଜାବନ୍ଧୁ” ବଡ଼ଖେମୁଣ୍ଡି ରାଜା କୃପାମୟ ଦେବଙ୍କ ପ୍ରକାଶିତ “ଗଞ୍ଜାମ ଗୁଣଦର୍ପଣ”ର ସମ୍ପାଦନା ଭାର ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ତୁଲାଇ ଥିଲେ। ଗୁଣମୁଗ୍ଧ ଗଙ୍ଗାଧର ମେହେର ସମ୍ବଲପୁର ହୈତେଷୀ ପତ୍ରିକାରେ ବାସୁଦେବ ସୁଢ଼ଳଦେବ ଓ ନୀଳମଣି ବିଦ୍ୟାରତ୍ନଙ୍କ ପ୍ରସଂଶା କରିବାକୁ ଯାଇ ଲେଖିଛନ୍ତି:-
“ହିତୈଷୀଣୀ” ସ୍ୱଚ୍ଛାଲୋକେ ଚୌଦିଗ ଉଜ୍ଜ୍ୱଳ
ହେବାରୁ ଏ ଶୁଭଯୋଗ ଲଭିଲା ଉତ୍କଳ।।
ଧନ୍ୟ ଧନ୍ୟ ବାସୁଦେବ ମହିପାଳମଣି
ଧନ୍ୟ ଧନ୍ୟ କ୍ଷଣଜନ୍ମା ବୁଧ ନୀଳମଣି।।
ଗଙ୍ଗାଧର ମେହେର ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କୁ ସୁହୃଦ ଓ ହିତାକାଂକ୍ଷି ଦର୍ଶାଇ ତାଙ୍କର ଅନ୍ୟତମ ମାନସ ସନ୍ତାନ “କୀଚକ ବଧ” ପ୍ରକାଶନରେ ବିଦ୍ୟାରତ୍ନଙ୍କ ଅହଂ ଭୂମିକା ଅଛି ବୋଲି ନିଜେ ସ୍ୱୀକାର କରିଛନ୍ତି।

ଗଙ୍ଗାଧର ମେହେରଙ୍କ କେତେକ କାବ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ପଠନ କରାଯାଉ ବୋଲି ତତ୍କାଳୀନ ସ୍କୁଲ ଇନ୍ସପେକ୍ଟର ରାଧାନାଥ ରାୟଙ୍କ ଅନୁମତି ଭିକ୍ଷାକରି ସେଥିରେ ସଫଳ ହୋଇଥିଲେ ବିଦ୍ୟାରତ୍ନ। ପରବର୍ତ୍ତୀ ସମୟରେ ଗଙ୍ଗାଧର ମେହେରଙ୍କ ଲିଖିତ କାବ୍ୟ କବିତା ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ପଢ଼ାଯାଇଥିଲା।

ନିଜସ୍ୱ କବିତା କୃତି “ବିଦ୍ୟାରତ୍ନଙ୍କ ହିତୈଷୀଣୀ”ରେ ଗଙ୍ଗାଧର ମେହେର ନୀଳମଣି ବିଦ୍ୟାରତ୍ନଙ୍କୁ ବହୁ ଗୁଣର ଆଧାର ବୋଲି ଦର୍ଶାଇ ଲେଖିଛନ୍ତି-
ନିଲମଣି ବିଦ୍ୟାରତ୍ନ ବହୁଗୁଣାଧାର
ନରେନ୍ଦ୍ର ଆଦେଶେ ନେଲେ ତା ରକ୍ଷଣଭାର।।

ଏତଦ୍’ବ୍ୟତୀତ ନିଜେ “ଉତ୍କଳମଧୁପ” ନାମକ ପତ୍ରିକା ପ୍ରକାଶନ ଓ ସମ୍ପାଦନା କରିବା ସଙ୍ଗେ ସଙ୍ଗେ ଜୀବନର ଶେଷାର୍ଦ୍ଧରେ “ଉତ୍କଳ ଦୀପିକା” ପତ୍ରିକାର ସମ୍ପାଦନ କରିଥିଲେ। ଏହାହିଁ ପ୍ରତିପାଦିତ କରୁଅଛି ସ୍ବର୍ଣ୍ଣପ୍ରସୂ ବୈଦ୍ୟେଶ୍ଵର ଓଡ଼ିଆ ଭାଷା ଓ ଓଡ଼ିଶା ପ୍ରଦେଶ ପ୍ରତି ଅମୂଲ୍ୟ ରତ୍ନ ନୀଳମଣି ବିଦ୍ୟାରତ୍ନଙ୍କୁ ଉପହାର ଦେଇ ନିଜକୁ ଗଭୀରରୁ ଅତି ଗଭୀର ପର୍ଯ୍ୟନ୍ତ ଉର୍ବର କରିପାରିଛି। ଖାଲି ସେତିକି ନୁହେଁ, ବୈଦ୍ୟେଶ୍ଵର ମାଟିକୁ ପୁଷ୍ଟ ପୂର୍ଣ୍ଣାଙ୍ଗ କରି ଜନ୍ମଲାଭ କରିଥିବା ଏହି ମହମାନବ ଖଲ୍ଲିକୋଟ ରାଜଦରବାରରେ କାର୍ଯ୍ୟରତ ଥିବା ସମୟରେ ୧୯୦୨ ମସିହାରେ ରାଜା ହରିହର ମର୍ଦ୍ଦରାଜଙ୍କ ସହଯୋଗ କ୍ରମେ “ଗଞ୍ଜାମ ଓଡ଼ିଆ ସଭା”ର ଆୟୋଜନ କରିଥିଲେ।ଯାହା ପରବର୍ତ୍ତୀ ସମୟରେ ଉତ୍କଳ ସମ୍ମିଳନୀର ଦେହୀପିଣ୍ଡି ହୋଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାରେ ମୁଖ୍ୟ ଆୟୁଧ ହୋଇଥିଲା।
ବୈଦ୍ୟେଶ୍ଵର ମାଟି ପାଣି ପବନରେ ଏବଂ ପରିମାର୍ଜିତ ଶିକ୍ଷା, ଦୀକ୍ଷାରେ ପ୍ଲାବୀତ ନୀଳମଣି ବିଦ୍ୟାରତ୍ନ ତତ୍କାଳୀନ ଜଣେ ସୁଦକ୍ଷ ସମାଜ ସଂସ୍କାରକ ମଧ୍ୟ ଥିଲେ। ବିଧବା ବିବାହ ପ୍ରଚଳନ ସପକ୍ଷରେ ଯୁକ୍ତି ବାଢି ସେ ପୁରୀ ଠାରେ ଏକ ବିଧବା ଆଶ୍ରମ ପ୍ରତିଷ୍ଠା କରିଥିଲେ। ସ୍ୱଭାବ କବି ଗଙ୍ଗାଧର ମେହେର ବିଦ୍ୟାରତ୍ନଙ୍କ ଏହି ଚେତନା ମୂଳକ କାର୍ଯ୍ୟରେ ମୁଗ୍ଧ ହୋଇ କହିଛନ୍ତି:-
ବିଧବାର ଦୁଃଖ-ତମେ ଯେ କନ୍ଦର ପୂର୍ଣ୍ଣ,
ନ ଡରିଲା ତହିଁ ପଶି ହେବାପାଇଁ ଚୁର୍ଣ୍ଣ।।
ବିଧବାର ଏକାଦଶୀ କଷ୍ଟ ଅନୁଭବି
ପଶିଗଲା ରଶ୍ମିଜାଳ ହିମରୁପେ ସ୍ରବି।।
ଏବଂ ବାଲ୍ୟବିବାହ ବିପକ୍ଷରେ ସଂଗ୍ରାମ ରତ ବିଦ୍ୟାରତ୍ନଙ୍କୁ ଲକ୍ଷକରି ଲେଖିଛନ୍ତି:-
ଶୈଶବ ବିବାହ ପଥେ ଯେ ଭୀଷଣ ଗ୍ରାମ,
ଜଣାଗଲା ତହିଁ ଗୋଟି ଗୋଟିକର ନାମ।।

ଖାଲି ବୈଦ୍ୟେଶ୍ଵର ନୁହେଁ ବଡମ୍ବା ଓ ବାଙ୍କୀ ଗଡ଼ଜାତର ଅର୍ଥନୈତିକ ମହାମେରୁ ଥିଲେ ଏହି ବୈଦ୍ୟେଶ୍ଵର ମାଟିର ଜମିଦାର ଚୌଧୁରୀ ବଂଶଜ ଦାୟାଦମାନେ। ଯଦିଓ ରାଜବଂଶର ସ୍ୱାଭିମାନ ଉପରେ ଏହି ସତ୍ୟ କୁଠାରଘାତ କରିବ ତଥାପି ତୋଷାମାଦର ଇତିହାସ ଠାରୁ ଦୂରେଇ ରହି କଠୋର ସତ୍ୟ ପ୍ରକାଶ କରିବାକୁ କୁଣ୍ଠାବୋଧ କରିବି ନାହିଁ।ଏହା କାହାର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିବା ଲକ୍ଷ୍ୟ ରଖି ଲେଖାଯାଉ ନାହିଁ।

ସମୟ ସୁଅରେ ଏହି ଅର୍ଥନୈତିକ ଦୁର୍ବଳ ରାଜପରିବାର ଦ୍ୱୟ ଜମିଦାର ଚୌଧୁରୀଙ୍କ ପାଖରେ ରାଜମୁକୁଟ ବନ୍ଧକ ରଖି ଗୁପ୍ତ ଭାବରେ ଅର୍ଥ ନେଣଦେଣ କରୁଥିଲେ। କୁହାଯାଏ ଏବେବି ଚୌଧୁରୀ ବଂଶଜଙ୍କ ଘରେ ବନ୍ଧକ ପଡିଥିବା ଏକ ରାଜମୁକୁଟ ମହଜୁଦ ଅଛି।

ସୁଉଚ୍ଚ ସୁନ୍ଦର କାରୁକାର୍ଯ୍ୟ ବିମଣ୍ଡିତ ଗୋପୀନାଥ ମନ୍ଦିର ଜମିଦାର ବଂଶର ଅଲିଭା କୀର୍ତ୍ତି। ଅଜସ୍ର ଖଞ୍ଜା ବାଡ଼ି ଯୋଗାଇ ଦେବା ସହିତ ପୂଜକ ଓ ମନ୍ଦିର ରକ୍ଷଣାବେକ୍ଷଣ କାର୍ଯ୍ୟ ସୁଚାରୁ ରୂପେ ଜମିଦାର ପରିବାର ସମ୍ପାଦିତ କରିଅଛନ୍ତି।

ବୈଦ୍ୟେଶ୍ୱର ଜମିଦାର ପରିବାରର ଅନ୍ୟତମ ଉଜ୍ଜ୍ୱଳ ଦୀପ୍ତିମନ୍ତ ନକ୍ଷତ୍ର ହେଉଛନ୍ତି ଉଦୟନାଥ ଚୌଧୁରୀ। ବୈଦ୍ୟେଶ୍ଵରରେ ଶିକ୍ଷାର ଉନ୍ନତି କଳ୍ପେ ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପ୍ରତିଷ୍ଠା କରି ସେ ବୈଦ୍ୟେଶ୍ଵର ଜନମାନସରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ଜନସାଧାରଣଙ୍କ ସୁବିଧା ପାଇଁ ଗୋଟିଏ ଏବଂ ନିଜ ଅମାପ ସମ୍ପତିର କାର୍ଯ୍ୟ ଦେଖାରଖା ପାଇଁ ଆଉ ଗୋଟିଏ, ସର୍ବ ମୋଟ ଦୁଇଟି “ରାଜସ୍ୱ ନିରୀକ୍ଷକ” କାର୍ଯ୍ୟାଳୟ ନିଜସ୍ୱ ଉଦ୍ୟମରେ ପ୍ରତିଷ୍ଠା କରାଇଛନ୍ତି।ସମ୍ଭବତଃ ୧୯୩୯ ମସିହାର ଶେଷାର୍ଦ୍ଧରେ ଖଣ୍ଡପଡା ପ୍ରଜାମଣ୍ଡଳ ଆନ୍ଦୋଳନର ଶରଣାପନ୍ନ ବିପ୍ଲବୀ ମାନଙ୍କୁ ଗୁପ୍ତରେ ଖାଇବା ପିଇବାର ବନ୍ଦୋବସ୍ତ କରାଇ ଏବଂ ସୁରକ୍ଷା ଦେଇ ନିଜ ମହାନୀୟତାର ମୃଗନାଭି କସ୍ତୁରୀକୁ ପ୍ରଦର୍ଶିତ କରି ପାରିଅଛନ୍ତି। ପ୍ରଜାମଣ୍ଡଳ ଆନ୍ଦୋଳନର ବୈଦ୍ୟେଶ୍ଵର କ୍ୟାମ୍ପ ଉଦୟନାଥ ଚୌଧୁରୀଙ୍କ ତତ୍ତ୍ଵାବଧାନରେ ସୁରକ୍ଷିତ ଥିଲା।ସେଥିପାଇଁ ସେ ଚିର ନମସ୍ୟ ଓ ପ୍ରାତଃସ୍ମରଣୀୟ ହୋଇ ରହିବେ।
ବୁର୍ଜୁଆ, ଜମିଦାରୀ ଶାସନର ଅନ୍ତ ଘଟିଥିଲେ ମଧ୍ୟ ବୈଦ୍ୟେଶ୍ଵର ପ୍ରତି ତାଙ୍କର ଅବଦାନ ଚିର ଅମ୍ଲାନ ହୋଇ ରହିବ।
ଖୋର୍ଦ୍ଧା, ବାଘମାରୀ ଠାରୁ କଳାପଥର ଦେଇ ବୈଦ୍ୟେଶ୍ଵର ଯିବାକୁ ସୁନ୍ଦର ସଡକ ପଥ ସଂଯୋଗ କରୁଅଛି। କଟକ, ବାଙ୍କୀ ଦେଇ ବୈଦ୍ୟେଶ୍ଵର ଯିବାପାଇଁ ସଡକ ପଥରେ ବସ୍ ସେବା ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ। ୭୬ ପ୍ରତିଶତରୁ ଉର୍ଦ୍ଧ୍ଵ ଶିକ୍ଷା ହାର ରହିତ
ବ୍ରାହ୍ମଣ, କ୍ଷତ୍ରିୟ,ବୈଶ୍ୟ, ଶୁଦ୍ର ସବୁ ବର୍ଣ୍ଣର ଲୋକ ଭାଇଚାରା ସମ୍ପର୍କ ନେଇ ଏହି ଗ୍ରାମରେ ବସତି ସ୍ଥାପନ କରି ଅଛନ୍ତି।

       ଉପସ୍ଥାପନା: ଶାନ୍ତନୁ ବିଶୋଇ।
                ଦଣ୍ଡୋର,ଓଡ଼ଗାଁ
                   ନୟାଗଡ଼।                                          
             Mob-7077171816   

ଆମ ନାଁ କାହିଁକି ବୀର କଳିଙ୍ଗ।

କଳିଙ୍ଗ, ଉତ୍କଳ ବା ଓଡ଼ିଶା ଭାରତର ଏକ ସମୃଦ୍ଧ ରାଜ୍ୟ। ଆମ ରାଜ୍ୟ ଭାଷାରେ ଓ ବୀରତ୍ବରେ ବିଶେଷ ଭାବରେ ସମୃଦ୍ଧ। ସେଥିପାଇଁ ତ ଅଳଙ୍କାର ଶାସ୍ତ୍ରରେ କୁହାଯାଇଛି “କଳିଙ୍ଗାଃ ସାହସିକାଃ”। ଏହା ଛଡ଼ା ଐତିହ୍ୟ, କଳା, ସାହିତ୍ୟ, ସଂସ୍କୃତି, ଓ ପରମ୍ପରା ଦ୍ବାରା ପରିପୂର୍ଣ୍ଣ ଆମର ଏ ରାଜ୍ୟ। ଆମ ଏହି ବୀର କଳିଙ୍ଗ ମାଟିର ବୀର ପୁଅର ବଳିଦାନର ଗାଥା ତଥା କଳା, ସାହିତ୍ୟ, ସଂସ୍କୃତି ଏବଂ ଐତିହ୍ୟର କଥା କହିବୁ ଆମେ ଏଇ ବୀର କଳିଙ୍ଗ ମାଧ୍ୟମରେ।
ଓଡ଼ିଶାର ମାନସପଟ୍ଟରେ କବି ପଣ୍ଡିତଗଣଙ୍କୁ ବଞ୍ଚେଇବା ଓ ତାଙ୍କର ସାହିତ୍ୟ କୃତିକୁ ଜୀବନ୍ତ କରି ରଖିବା ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପର୍ବପର୍ବାଣି ଜାନି ଯାତ୍ରାକୁ ବିଶ୍ବାଭି ମୁଖି କରିବା ପାଇଁ ଆମେ ଅଙ୍ଗିକାରବଦ୍ଧ।

ବୀର କଳିଙ୍ଗ କ’ଣ କରେ?
ଓଡ଼ିଶାର ଐତିହ୍ୟ, କଳା,ସାହିତ୍ୟ,ସଂସ୍କୃତି ଓ ପରମ୍ପରା ଭିତ୍ତିକ କଥା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜାନିଯାତ ଓ ଭାଗବତର ରହସ୍ୟମୟ କଥାକୁ ଆମେ ଭିଡିଓ ମାଧ୍ୟମରେ ବରେଣ୍ୟ ପ୍ରବକ୍ତାଙ୍କ ଦ୍ବାରା ଉପସ୍ଥାପନା କରୁ। ଏଥି ସହିତ ଲେଖା ମାଧ୍ୟମରେ ମଧ୍ୟ ଉପସ୍ଥାପନା କରୁ।

ବୀର କଳିଙ୍ଗର ଉଦ୍ଦେଶ୍ୟ ?
ଓଡ଼ିଆଙ୍କ ପୂର୍ବସୁରୀ ମାନେ ଏ ମାଟିର ବୀର ସନ୍ତାନ। ପୂର୍ବସୁରୀଙ୍କର ପାରଙ୍ଗମତା ଓ ବୀରତ୍ବର କଥା ସଠିକ୍ ଢଙ୍ଗରେ ଉତ୍ତରଦାୟଦ ମାନଙ୍କ ପାଖରେ ପହଞ୍ଚାଇବା ସହିତ ବିସ୍ମୃତି ଗର୍ଭରେ ବିଲୁପ୍ତ ହୋଇଯାଉଥିବା ଅନେକ ପ୍ରତିଭାଙ୍କୁ ଖୋଜି ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନା କରିବା ବୀର କଳିଙ୍ଗର ମୁଖ୍ୟ ଉଦ୍ଦେଶ୍ୟ।

ଉତ୍କଳିୟ ଦୁର୍ଗୋତ୍ସବ।

ଆମ ସମାଜରେ କାହିଁ କେଉଁ କାଳରୁ ଆର୍ଯ୍ୟ ହୁଅନ୍ତୁ ଅବା ଅନାର୍ଯ୍ୟ ହୁଅନ୍ତୁ ପ୍ରକୃତିର ପୂଜା କରିଆସୁଛନ୍ତି। ଆମେ ଜୀବ ଜଗତର ଆଧାର ଆମ ପ୍ରକୃତିକୁ ହିଁ ମାନୁ। ପ୍ରକୃତି କହିଲେ କେବଳ ଜଙ୍ଗଲ ବଣକୁ ବଝାଏନା ମାଆ ମଧ୍ୟ ପ୍ରକୃତି, ଧରା ମଧ୍ୟ ପ୍ରକୃତି ଓ ଦେବୀ ମାଆ ମଧ୍ୟ ପ୍ରକୃତି ସ୍ବରୂପ। ତେବେ ଏହି ଆରାଧନା ମଧ୍ୟରେ ଦଶହରା ବା ଦୁର୍ଗୋତ୍ସବ ସମଗ୍ର ଭାରତ ବର୍ଷରେ ବହୁତ ଆଡ଼ମ୍ବର ସହ ପାଳନ କରାଯାଏ। ଆମ ଓଡି଼ଶାରେ କିନ୍ତୁ ଦୁର୍ଗୋତ୍ସବ ପାଳନର କିଛି ସ୍ବତନ୍ତ୍ରତା ରହିଛି,ଯାହାକି ସମଗ୍ର ଭାରତରେ ଦାଖାଯାଏ ନାହିଁ। ଏବଂ ଶ୍ରୀମନ୍ଦିରରେ ଦୁର୍ଗୋତ୍ସବ ଏକ ଅନନ୍ୟ ପରମ୍ପରା।

ଉତ୍କଳରେ ଦୁର୍ଗାପୂଜା।

ସାଧାରଣତଃ ସମଗ୍ର ଭାରତରେ ଦୁର୍ଗାପୂଜା ପାଳନ କରାଯାଏ କିନ୍ତୁ ଓଡି଼ଶାର ଦୁର୍ଗାପୂଜା ଭିନ୍ନ ଏକ ରଙ୍ଗର। ଓଡି଼ଶା ବାହାରେ ଏହାକୁ ନଅଦିନ(ନବରାତ୍ରୀ)ପାଳନ କରୁଥିବା ବେଳେ ଓଡି଼ଶାରେ ଏହା ଷୋଡ଼ଶ ଦିନାତ୍ମକ ପୂଜା।ଓଡି଼ଶାରେ ଦୁଇଭଳି ପୂଜା ହୋଇଥାଏ ଯଥା ପୀଠରେ ଓ ମଣ୍ଡପରେ। ପୀଠ ବା ମନ୍ଦିରମାନଙ୍କରେ ଦେବୀ ଉତ୍ଥାପନ ପରେପରେ ମୁଳାଷ୍ଟମୀ ଠାରୁ ଏହା ଷୋଡ଼ଶ ଦିନ ପୂଜା ଆରାଧନା କରାଯାଏ(ମାଆ ବିମଳା,ମାଆ ମଙ୍ଗଳା,ମାଆ ବିରଜା ଇତ୍ୟାଦି) ଏଥିରେ ପ୍ରଥମ ଦୀବସରୁ ଘଟ ସଂସ୍ଥାପନା କରାଯାଇ ମାଆଙ୍କର ନାନାଦି ଦ୍ରବ୍ୟରେ ଷୋଡ଼ଶ ଉପଚାର ପୂଜା ଆରାଧନା କରାଯାଏ ଓ ବିଜୟା ଦଶମୀ ଦିନ ଘଟ ବିଷର୍ଜନ କରାଯାଏ। ଅନ୍ୟ ଭାବରେ ହେଉଛି ମଣ୍ଡପ ଦୁର୍ଗାପୂଜା ବା ମୃଣ୍ମୟୀ ପ୍ରତିମାଙ୍କର ପୂଜା।ମଣ୍ଡପମାନଙ୍କରେ ଷଷ୍ଠୀଠାରୁ ବିଲ୍ବବରଣ ଓ ଘଟ ସଂସ୍ଥାପନା କରାଯାଇ ପୂଜା କରାଯାଏ।ଓଡି଼ଶାରେ ସୁପ୍ରସିଦ୍ଧ ଦୁର୍ଗାପୂଜା ହୋଇଥାଏ କଟକରେ। ରୋପ୍ୟନଗରୀ କଟକରେ ଦୁର୍ଗାପୂଜାର ମାହାତ୍ମ୍ୟ ଅନେକ।

ଓଡି଼ଶାରେ ଦୁର୍ଗାପୂଜାର ଆରମ୍ଭ (ମଣ୍ଡପ)

ଯେପରି ଆମ ଦେଶରେ ପଶ୍ଚିମବଙ୍ଗ ଦୁର୍ଗାପୂଜା ନିଆରା ସେପରି ଆମ ରାଜ୍ୟରେ କଟକର ଦୁର୍ଗାପୂଜା ନିଆରା। ତେବେ କଟକରେ ମୃଣ୍ମୟୀ ଦେବୀଙ୍କର ଆରାଧନା ପ୍ରଥମେ ହୋଇଛି ବୋଲି କିଛି ମତ ଦିଅନ୍ତି କିନ୍ତୁ ଭଦ୍ରକ ଜିଲ୍ଳାର ରାମେଶ୍ବରପୁର ଅଞ୍ଚଳରେ ୫୦୦ବର୍ଷ ତଳେ ଦୁର୍ଗାପୂଜାର ଆରମ୍ଭ ହୋଇଥିଲା ବୋଲି ମତ ଦିଆଯାଏ। ଏହା ବିଶ୍ବର ଏକ ପୂରାତନ ପୂଜାସ୍ଥାନ ଏବଂ ଏହା ଅଧୁନା ମଧ୍ୟ ଚାଲୁଅଛି। ସେହିପରି କଟକରେ ଯେବେ ନବଦ୍ବୀପରୁ ଚୈତନ୍ୟ ଦେବ ୧୫୧୨ ମସିହରେ ଓଡି଼ଶା ଆସିଲେ ପ୍ରତାପରୁଦ୍ର ଦେବଙ୍କୁ ଦେଖାକଲେ ସେତବେଳେ ଗଡ଼ ଥାଏ କଟକ ବାରବାଟୀରେ।ତେଣୁ ତାଙ୍କର ପରାମର୍ଶ କ୍ରମେ ପ୍ରଥମେ କଟକରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା ବାଲୁବଜାର ଠାରେ ଯାହା ଏ ପର୍ଯ୍ୟନ୍ତ ମଧ୍ୟ ଚାଲିଛି ତେଣୁ ବାଲୁବଜାର ଠାକୁରାଣୀଙ୍କୁ ବଡ଼ ଭଉଣୀ କୁହାଯାଏ।ତେବେ ଏହି ମେଢ଼ ଆଜି କଟକରୁ ଆରମ୍ଭ ହୋଇ ଅଧୁନା ସମଗ୍ର ଓଡି଼ଶାରେ ବହୁତ ଚିତ୍ତାକର୍ଷକ ଭାବେ ପାଳନ ହେଉଛି।

ନିଆରା ପୁରୀର ଗୋଷାଣୀ ଯାତ;-


ସମଗ୍ର ଭାରତରେ ସଂସ୍କୃତି ଓ ପରମ୍ପରାରେ ପୁରୀ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରୀ। ତେବେ ପୁରୀରେ ଦଶହରା ଏକ ସ୍ବତନ୍ତ୍ର ଓ ନିଆରା ଭାବେ ପାଳନ କରାଯାଏ ଯାହାକୁ ଗୋଷାଣୀ ଯାତ ବୋଲି କୁହାଯାଏ। ଆମେ ଯଦି ଗୋଷାଣୀ ଶବ୍ଦର ଅର୍ଥ ବୁଝିବା, ଏହା ଗୋଷାମଣୀ ଶବ୍ଦର ଏକ ପରିବର୍ତ୍ତିତ ଶବ୍ଦ।ତେବେ ଆମେ ଆମର ରାଜା ବା ମହପ୍ରଭୁଙ୍କୁ ଗୋସ୍ବାମୀ କହୁ ଯଥକ୍ରମେ ମହାରାଣୀ ବା ଦେବୀ ମାଆଙ୍କୁ ଗୋଷାମଣୀ ଡାକେ। ତେଣୁ ପୁରୀରେ ଦେବୀ ଦୁର୍ଗାଙ୍କୁ ସେହି ଅର୍ଥରେ ଗୋଷାଣୀ ଡକାଯାଏ ଯଥା,ଗେଲବାଇ ଗୋଷାଣୀ, ଜହ୍ନିଖାଇ ଗୋଷାଣୀ, ଶୁନ୍ୟ ଗୋଷାଣୀ ଇତ୍ୟାଦି। ଆହୁରି ମଧ୍ୟ ଆମେ ଯଦି ପୁରୀର ମାଆଙ୍କୁ ସ୍ବରୂପକୁ ଧ୍ୟାନ ଦେବା ସେ ସବୁ ପାରମ୍ପରିକ ପଟ୍ଟଚିତ୍ର ଶୈଳୀରେ ଗଠନ। ତେଣୁ ଏଠାକାର ପୂଜାର ଏକ ସ୍ବତନ୍ତ୍ର ମାନ୍ୟତା ଅଛି।

ଶ୍ରୀମନ୍ଦିରରେ ଶକ୍ତି ଉପାସନା ବା ଦୁର୍ଗୋତ୍ସବ।

ସର୍ବ ରହସ୍ୟ ପୁରୁଷୋତ୍ତମ କ୍ଷେତ୍ରରେ ରହସ୍ୟ ହେଉଛି ତେଣୁ ଶ୍ରୀମନ୍ଦିରରେ ଦୁର୍ଗୋତ୍ସବର ମହାତ୍ମ୍ୟ ଅନେକ। କ୍ଷେତ୍ରେଶ୍ବରୀ ବିମଳାଙ୍କ ପୀଠରେ ମୁଖ୍ୟ ରୂପରେ ଦୁର୍ଗୋତ୍ସବ ହୋଇଥାଏ ତାହା ସହି ନାରାୟଣୀ ମନ୍ଦିର ଓ ଉତ୍ତରାୟଣୀ ମନ୍ଦିରରେ ମଧ୍ୟ ଚଣ୍ଡି ଇତ୍ୟାଦି ହୋଇଥାଏ। ଏଥିପାଇଁ ଗଜପତି ମହାରାଜ ନିଜେ ଆଚାର୍ଯ୍ୟ ବରଣ କରିଥାନ୍ତି ଏହି ଷୋଡ଼ଶ ଦିନାତ୍ମକ ପୂଜା ନିମନ୍ତେ। ଶାରଦୀୟ ଦୁର୍ଗାପୂଜାର ସପ୍ତମୀ ଠାରୁ ନବମୀ ଯାଏଁ ମାଆ ବିମଳା ସର୍ବସାଧାରଣ ଦର୍ଶନ ଦିଅନ୍ତି ନାହିଁ,ତେଣୁ ବିମଳାଙ୍କ ପ୍ରତିନିଧି ଭାବେ ଦର୍ଶନ ଦେଇଥାନ୍ତି ଶ୍ରୀକ୍ଷେତ୍ର ପ୍ରମୁଖ ଗୋଷାଣୀ କାକୁଡି଼ଖାଇ ଗୋଷାଣୀ। ଏହି ଦନମାନଙ୍କରେ ହୁଏ ଶାକ୍ତ ଗୁଣ୍ଡିଚା ବା ଗୁପ୍ତଗୁଣ୍ଡିଚା। ପ୍ରସିଦ୍ଦ ଦୁର୍ଗାମାଧବ ଉପାସନା।
ଯେ ଦୁର୍ଗାମାଧବଂ ନିତ୍ୟଂ ସ୍ମରନ୍ତି ଶ୍ରଦ୍ଧୟାନ୍ବିତେ ,
ସର୍ବବିଘ୍ନ ଭୟରେଷାଂ ବିନଶ୍ୟନ୍ତି ପଦେ ପଦେ ।।
ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜାରେ ଦୁର୍ଗା ମାଧବ ଏକତ୍ର ଭଦ୍ରାସନରେ ରୁନ୍ଧା ହୋଇଥାନ୍ତି ଏବଂ ବିମଳା ମନ୍ଦିରରେ ବିଜେ କରିଥାନ୍ତି। ପ୍ରଥମ ୮ ଦିନ ସକାଳ ଧୂପ ସମ୍ପନ୍ନ ହେବା ପରେ ଦୁର୍ଗା ମାଧବ ଭଣ୍ଡାରଘର ନିକଟରୁ ବିମଳା ମନ୍ଦିରକୁ ବିଜେ ହୋଇଥାନ୍ତି । ସନ୍ଧ୍ୟା ଧୂପ ନୀତି ବଢିବା ପରେ ପୁନଃ ଭଣ୍ଡାରଘର ନିକଟକୁ ବାହୁଡ଼ି ଥାନ୍ତି । ଆଶ୍ୱିନ ଶୁକ୍ଳ ପକ୍ଷ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ପ୍ରତିଦିନ ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିରକୁ ରଥରେ ରଥଯାତ୍ରା କରିଥାନ୍ତି , ଏହାକୁ ଶାକ୍ତ ଗୁଣ୍ଡିଚା କୁହାଯାଏ। କିଛି ଗବେଷକଙ୍କ ମତରେ ଉକ୍ତ ପରମ୍ପରା ଆଦି ଶଙ୍କରାଚାର୍ଯ୍ୟଙ୍କ ସମୟରୁ ପ୍ରଚଳିତ ହୋଇ ଆସୁଛି।
ତେଣୁ କୁହାଯାଏ,
” ବିମଳା ସା ମହାଦେବୀ ଜଗନ୍ନାଥାସ୍ତୁ ଭୈରବଃ “
ଏହାକୁ କୁହାଯାଏ ଶାକ୍ତ ବା ଗୁପ୍ତ ଗୁଣ୍ଡିଚା।

ଦଶହରା ନା କି କେବଳ ମହିଷାର ବଧ ଏହିଦିନ ମଧ୍ୟ ଅଧର୍ମ ଉପରେ ଧର୍ମର ବିଜୟ ହୋଇଥିଲା ବିଭିନ୍ନ ସ୍ଥାନରେ ରାବଣ ପୋଡି଼ହୋଇଥାଏ ତାହାର କାରଣ ହେଉଛି ଏହିଦିନ ଶ୍ରୀରାମ ରାବଣର ଅହଂକାର ଶରୀରକୁ ବଦ୍ଧ କରିଥିଲେ।

ଶସ୍ତ୍ର ବା ଆୟୁଧ ପୂଜା

ବିଭିନ୍ନ ସ୍ଥାନରେ ହୁଏ ଶସ୍ତ୍ର ପୂଜା ବିଭିନ୍ନ ଅନୁଷ୍ଠାନ ଓ ଘରମାନଙ୍କର ଶସ୍ତ୍ର ସଜ ବସିଥାଏ। ଆୟୁଧ ପୂଜା ବା ଶସ୍ତ୍ର ପୂଜା ବହୁତ ପୁରାତନ କାଳରୁ ଚାଲୁଛି କାରଣ ଆୟୁଧ ହେଉଛି ଦେବୀଙ୍କର ପ୍ରମୁଖ ଶସ୍ତ୍ର। ଆମର ସମସ୍ତ କାର୍ଯ୍ୟରେ କିଛି ନା କିଛି ଶସ୍ତ୍ର ବା ଆୟୁଧର ବ୍ୟବହାର ତେଣୁ ଏହାର ପୂଜା କରାଯାଏ।

ଏହା ହେଉଛି ଓଡି଼ଶାରେ ହେଉଥିବା ଶାରଦୀୟ ଦୁର୍ଗୋତ୍ସବ। ସମଗ୍ର ଭାରତରେ ଦୁର୍ଗୋତ୍ସବ ବା ପୂଜା ହେଉଥିବା ବେଳେ ଓଡି଼ଶାରେ ତାହାର ମାହାତ୍ମ୍ୟ ଅନେକ।

ଉପସ୍ଥାପନା: ଆଫତାବ ହୋସେନ

ଅଭିମାନର ଅଭିନେତ୍ରୀ।

ହଁ ପ୍ରିୟେ! ଜଗତ ଜଣଙ୍କର ପଡ଼ିଦାତ୍ରି ବୋଲି ଏବେ ଚଉଦ ଭୁବନ ରେ ହୁଡ଼ି ପଡ଼ିଛି। ତମେତ ସୁଯୋଗ ଖୋଜିବାକୁ ଯାଇ ମୂଳ ସୁତ୍ରର ମଞ୍ଜି ଟା କୁ ପାଇଗଲ। ଆଉ କଣ ନ କଲ ଯେ?ଯେଉଁ କଥା ଦିନେ ଅପହଁଞ୍ଚ ହବା କଥା ତାକୁ ତ କଲ ଏବଂ ଅସମ୍ଭବ କୁ ସମ୍ଭବ ରେ ପରିଣତ କରିବାର ସତ୍ୟତା, ନିଷ୍ଠା, ର ମୂଳ ସୂତ୍ର ଟାକୁ ଜଗତକୁ ଦେଇଗଲ। ଯଦି ଏ ବିଷୟରେ ଏତେ କାଣ୍ଡ ଭିଆଇବାରେ ଥିଲା ତ ମତେ ଟିକେ ଇଶାରା ତ ଦେଇପାରିଥାନ୍ତ। ସେଥିରେ କୋଉ ତମ ମାନମୟୀ ସମ୍ମାନରେ ଆଞ୍ଚ ଆସିଥାନ୍ତା କି? ଦିନ ନାହିଁ କାଳେ ନାହିଁ ଇଶାରା ତ ଛାଡ଼, ତମ ସହଯୋଗୀ ଙ୍କ ସହ ଟିକେ ଆଲୋଚନା ତ କରିପାରି ଥାଆନ୍ତ। ଦଣ୍ଡ ଦେଲ ତ ଦେଲ ପୁଣି ତା ବାର ବର୍ଷ। ସତରେ ସେହି ଦୁଃଖକୁ ଅନୁଭବି ନହେଲେ ଭାବି ବସିବ ବା କିଏ? ଟିକିଏ ବୁଦ୍ଧି ଥିଲେ ଏସବୁ ହେଇ ନଥାନ୍ତା। କିନ୍ତୁ ଏତେ ଶୀଘ୍ର ହେଲା ଯେ ଦେହ ସହିଲାନି। ମତେ ଏକା ହେଲେ ଦେଇଥାନ୍ତ, ବଡ଼ ଭାଇ ଙ୍କୁ ସେଥିରେ ପୁରାଇବା କଣ ଠିକ୍? ଯିଏ ଖାଲି ସବୁ କଥା ରେ ନ ବୁଝି ହଁ ନାହିଁ ରେ କାମ ଚଲେଇ ନିଅନ୍ତି…। ତାଙ୍କ କଥାକୁ ଟିକିଏ ସହି ଯାଇଥିଲେ କଣ ହେଇ ନଥାନ୍ତା।!!!?


ତମର ସେହି ଅଭିମାନ ଭରା ମୁଖଟି ମତେ କାହିଁ ଟିକେ ଅଡ଼ୁଆ ଲାଗୁଥିଲା। ବଡ଼ ଠାକୁରଙ୍କ ରୋକ୍ ଠୋକ୍ କଥା, ତମେ ଏକୁଟିଆ ବସି ଯୋଜନା କରିବାର ଦୃଶ୍ୟ ରୁ ଯଦିଓ ମୁଁ କିଛି ଅନୁମାନ କରି ପାରୁଥିଲି, କିନ୍ତୁ ଏତେ ବଡ ଘଟଣା ଘଟିବ ଏକଥା ଅନୁମାନ କରିପାରି ନଥିଲି। ଆଛା କହିଲ ଦେଖି ମୋର କଣ ଭୁଲ? ଏତେ ବଡ ଦେଉଳ ତ ତମର ନାଁ ରେ ଶ୍ରୀ ମନ୍ଦିର, ଆଉ ଶାସନ ଚାଲେ ବଡ଼ ଭାଇଙ୍କ କଥାରେ। ମୋର ବା ଅଛି କଣ? ଖାଲି ଲୋକେ ଯାହା କୁହନ୍ତି ଯାଉଚି ଜଗା ପାଖକୁ। ଯଦି ବଡ଼ ଭାଇ ରାତିରେ କୁଆଡେ ନ ଯିବାକୁ କହିଲେ, ତାହେଲେ ତାଙ୍କ କଥାକୁ ଟିକିଏ ଆପୋଷ ବୁଝାମଣା ଦ୍ଵାରା ତାର ସମାଧାନ କରିଥିଲେ କଣ ହେଇ ନଥାନ୍ତା? ମୁଁ ମଧ୍ୟ ପ୍ରତିବାଦ କରିପାରିଲି ନାହିଁ। ଯିଏ ତ୍ୟାଗର ମୂର୍ତ୍ତି ବନ୍ତ ପ୍ରତୀକ ତାଙ୍କୁ କହିବାକୁ ଦେହ ସହିଲା ନାହିଁ। ତମେ ଟିକେ ବୁଝେଇ ଥିଲେ ହୋଇଥାନ୍ତା। କିନ୍ତୁ ଆମର ଦେଉଳ,ଖାଦ୍ୟ, ଆଖି, ଚରଣ, ଓ ନାମ କୁ ତମ ନାଁ ରେ ସମର୍ପି ଦେଲା ବେଳେ ତ କାଇଁ ବଡ଼ ଭାଇ ବିରୋଧ କରି ନଥିଲେ। ଯୋଉଥି ପାଇଁ ଆଜି ସବୁ ଜିନିଷର ର ପୂର୍ବରୁ ଶ୍ରୀ ଯୋଗ ହେଇ ତମ ନାଁ ରେ ହେଇ ଯାଇଛି। ରାଗିକି ନିଜେ ଗଲ ଯେ ଗଲ, ହେଲେ ଚଉଦ ଭୁବନ ର ଗହଣା ଓ ଖାଦ୍ୟ କୁ ଶୂନ୍ୟେ ଶୂନ୍ୟେ ଉଡେଇ ନେଲ।। ସକାଳୁ ଦୁଇ ଭାଇ ବିଳମ୍ବରେ ଉଠିବାରୁ ସାଠିଏ ପୋଉଠୀ, ଦ୍ୱାଦଶ ବ୍ୟଞ୍ଜନ, ଛପନ ଭୋଗ କଥା ଛାଡ଼, ଅଭଙ୍ଗା କୁଡୁଆ ଟିଏ ବି ପାଇଲୁନି। ଭୋକରେ ଦୁଇ ଭାଇ ରୋଷ ଶାଳାରେ ପ୍ରବେଶ କରନ୍ତେ, ଖାଦ୍ୟ ପାଇବାତ ଦୂରର କଥା ଖାଲି କଳା ରଙ୍ଗବୋଳିବା ସାର ହେଲା। ସେଦିନ ବଡ଼ ଭାଇଙ୍କ ରୂପ ମନେ ପଡ଼ିଲା ବେଳକୁ ଦେହରେ ଶିହରଣ ଉଠୁଚି। ଖାଲି ରାଗରେ ଜର୍ଜରିତ ହେଲେ ସିନା କିଛି ଲାଭ ହେଲା ନାହିଁ। ଆଛା ପ୍ରିୟେ!! କହିଲ ଦେଖି ତମେ ଗଲ ପୁଣି ସେ ଛତିଶା ନିଯୋଗ ଓ ସହଚାରୀଙ୍କୁ ବି ନେଇଗଲ। କିନ୍ତୁ ସେଦିନ ଆଉ କାହା କଥା ମନେ ପଡ଼ିନଥିଲା। କାରଣ “ଅନ୍ନ ଚିନ୍ତା ଚମତ୍କାର”ର ସତ୍ୟାସତ୍ୟ ସେଦିନ ଅନୁଭବ କରୁଥିଲି।


ମତେ ତ ଯାହା କଲ କଲ, ବଡ଼ ଭାଇଙ୍କ ପ୍ରତି ତମର ବ୍ୟବହାର ନିଶ୍ଚିନ୍ତ ଭାବେ ପର ପିଢ଼ି ପାଈଁ ଏକ ଖରାପ ପରମ୍ପରା ସୃଷ୍ଟି କରିବା ସହ ସବୁ ନୀତି ନିୟମକୁ ଉବେଇ ଟୁବେଇ ନଦେବ !! ଏକଥା କିଏ କହିବ? ଲୋକେ ଆମକୁ ଖାଲି ଲକ୍ଷ୍ମୀ ଛଡା ବୋଲି କହିବେ। ଏହାତ ଗୋଟେ ପରମ୍ପରା ହେଇଯିବ!!। ଏହା ଦ୍ବାରା କେତେ ପରିବାର ଯେ ଉଜୁଡ଼ି ନଯିବ, ସେ କଥା କିଏ କହିବ?
ତେବେ କୁହତ-ଚଣ୍ଡାଳ ସାହି କୁ ଯାଇଥିଲ ବୋଲି ଭାଈ ତମକୁ ସେ ସାହିରେ ଘର କରିବାକୁ କହିଲେ। ଶେଷରେ ତମେ ଚଣ୍ଡାଳ ପରି ଅଭିନୟ କରି ଆମକୁ ସେହି ଚଣ୍ଡାଳ ହାତରୁ ଖାଦ୍ୟ ଖୁଆଇ ଦେଲ। ସତରେ ତମକୁ ତ ଭଲ ଅଭିନୟ ଆସେ? ସେଥିରେ ତମର ଶେଷ ଆଶା, ଅଭିଳାଷ ପୂର୍ଣ୍ଣ କରିବା ପ୍ରୟାସରୁ ଯଦିଓ ମୁଁ କିଛି କିଛି ଅନୁମାନ କରି ସମାଧାନ ଖୋଜି ଦେଇଥାନ୍ତି,,,,କିନ୍ତୁ କ୍ଷୁଧା ର ଜ୍ଵାଳା ରେ ମୋର ଭାବନା ଶକ୍ତି ପ୍ରାୟ ଲୋପ ପାଇଯାଇଥିଲା। ଦାର୍ଶନିକ ମାନଙ୍କ ମତରେ ଯଦିଓ ମୁଖ ମନୁଷ୍ୟର ଦର୍ପଣ କିନ୍ତୁ ମୁଁ କିଛି ଅଭିବ୍ୟକ୍ତ କରି ପାରୁନଥିଲି। କିନ୍ତୁ ଏବେ ବୁଝୁଛି,, ଆମ ଦୁଇ ଜଣଙ୍କ ମଧ୍ୟରୁ ଜଣେ କିଏ ଏକଥା ବୁଝି ଯାଇଥିଲେ,, ଏତେ ବଡ ଘଟଣାଟା ଘଟି ନଥାନ୍ତା। ଆଉ ଆଜି ନିନ୍ଦା ପ୍ରଶଂସା ର ଅଡ଼ୁଆ ଗଣ୍ଠି ଗୁଡ଼ିକ ଖୋଜିବାକୁ ପଡି ନଥାନ୍ତା। ତମେ କଣ ଖାଲି ଶ୍ରୀୟା ଚଣ୍ଡାଳୁଣୀର ର ପ୍ରଭୁ କି? ଆମେ ପରା ଭକ୍ତ ଙ୍କୁ କହୁ——–
“ତ୍ରିପୁରେ ଅଛି ମୁହିଁ ଛନ୍ଦି, ମୋତେ ଭକତ ପାରେ ବାନ୍ଧି,
ଆବୋରି ଥାଏ ବେନି ପାଶେ, ତାର ଚରଣ ରେଣୁ ଆସେ।”
ପୁନଶ୍ଚ——–


“ମୋର ଭକତ ମୋର ମିତ୍ର, ସେ କରେ ଜଗତ ପବିତ୍ର,
ମୁଁ ନୁହେଁ ଭକ୍ତ ଠାରୁ ଭିନ୍ନ, ମୁଁ ଅଟେ ଭକ୍ତ ର ଅଧୀନ।”


ତମେ ଏଥିରେ ଏତେ ଅସହଣୀ ହେଇ ପଡ଼ିଲ ଯେ, ରାତିରେ ତା ଘରକୁ ପଳେଇଲ। ଏ କଥା ଟା ଭାଇଙ୍କ ଆଗରେ ପେଶ କରିଥିଲେ କଣ ତମ ସମ୍ମାନରେ କଳଙ୍କ ଲଗିଯାଇଥାନ୍ତା? ସେ ଯାହାବି ହେଉ, ଭବିଷ୍ୟତରେ ଆଉ ଏପରି ଖରାପ ପରମ୍ପରା ସୃଷ୍ଟି ନ କରିବା ର ଶପଥ ନେବା ସହ ପାରିବାରିକ ସ୍ଥିତିକୁ-“ବୈକୁଣ୍ଠ ସମାନ ଆହା ଅଟେ ସେହି ଘର” ଠାରେ ପହଞ୍ଚାଇବା ସହ ସୁସ୍ଥ ଓ ରମଣୀୟ ପରିବେଶ, ପରମ୍ପରା ସୃଷ୍ଟି କରିବା।।।
“ଜୟ ଜଗନ୍ନାଥ”

ଉପସ୍ଥାପନା: ସତ୍ୟଜିତ ପଣ୍ଡା

ଶୁଭେଚ୍ଛା ବାର୍ତ୍ତା।

ବିଶ୍ଵର କଳା ସଂସ୍କୃତିର ଅନ୍ତୁଡ଼ିଶାଳ ଓଡ଼ିଶା। ପାତାଳ ଭେଦୀ ମହାମାନବୀୟ ସଂସ୍କୃତିର ମାଟିରେ ଅନେକ ପାଷାଣ୍ଡ, ବିଧର୍ମୀ, ଲୁଟେରାମାନେ ଶହ ଶହ ବର୍ଷ ଧରି ପ୍ରଚଣ୍ଡ ଆକ୍ରମଣ କରିବା ଏବଂ ଦୁର୍ଭାଗ୍ୟବଶତଃ ୧୫୬୮ରେ ଗୋହୀରା ଟିକିରି ଯୁଦ୍ଧରେ ମୁକୁନ୍ଦ ଦେବଙ୍କ ପରାଜୟ ପରେ ଆଫଗାନ, ମୋଗଲ, ମରହଟ୍ଟା, ଇଷ୍ଟଇଣ୍ଡିଆ କମ୍ପାନୀ ଅବଶେଷରେ ଇଂରେଜ ମାନଙ୍କ ଦ୍ଵାରା ଶାସିତ ହେବା ଫଳରେ ଆମର ଭାଷା, ସାହିତ୍ୟ,କଳା ସଂସ୍କୃତି, କ୍ଷେତ୍ରକୁ ସକଳ ପ୍ରକାର ଅପସଂସ୍କୃତି ଭିତରକୁ ଠେଲି ଦିଆଯାଇଛି। ସ୍ବାଧୀନୋତ୍ତର ଓଡ଼ିଶାରେ ତାର ପୁନଃଉଦ୍ଧାର ପାଇଁ ଯେଭଳି ଉଦ୍ୟମ ଆବଶ୍ୟକ ଥିଲା ତାହା କରାଯାଇପାରି ନାହିଁ।ଅତଏବ ଆମର ଅନେକ ଲୋକକଲା ବିଲୁପ୍ତ ଓ ଅନେକ ସେଇ ପଥର ଯାତ୍ରୀ। ଆମର ଭାଷା ସାହିତ୍ୟକୁ ପରିପ୍ରକାଶ କରୁଥିବା ପାଲା ସଂସ୍କୃତି ଆଜି ଘୋର ବିପଦରେ, ଦାସକାଠିଆ , ପ୍ରହଲ୍ଲାଦ ନାଟକ , ସୁଆଙ୍ଗ,ଛଉ ନୃତ୍ୟ ପ୍ରଭୃତି ମୃତ ପ୍ରାୟ। ଆଜି ବିଶ୍ୱର ପ୍ରଥମ ସାମାଜିକ ନ୍ୟାୟ ସଂହତି ମହାମାନବୀୟ ଦର୍ଶନର ନାଭି କେନ୍ଦ୍ର ଶ୍ରୀଜଗନ୍ନାଥ ସଂସ୍କୃତିକୁ ଲୁପ୍ତ କରିବା ପାଇଁ ପ୍ରତିଯୋଗିତା ଚାଲିଛି। ବିଶ୍ଵ ଆଧ୍ୟାତ୍ମିକ କେନ୍ଦ୍ର ଜଗତର ନାଥ ଜଗନ୍ନାଥଙ୍କ ପୁରୁଷୋତ୍ତମ କ୍ଷେତ୍ରକୁ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ପାଇଁ ଶାସନକଳ ବ୍ୟସ୍ତ ଓ ବ୍ୟଗ୍ର। ଅଷ୍ଟମ ଶତାବ୍ଦୀରେ ପଦ୍ମପୁରାଣରେ ଉଲ୍ଲେଖ ରହିଛି, ବର୍ଷାଣାମ୍ ଭାରତ ଶ୍ରେଷ୍ଠ, ଦେଶାନାମ୍ ଉତ୍କଳ ଶ୍ରୁତଃ, ଉତ୍କଳସ୍ୟ ସମୋଦେଶ ଦେଶ ନାସ୍ତି ମହୀତଳେ। ଅତଏବ ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳର କଳା, ସଂସ୍କୃତି ଆଜି କିଭଳି ବିପନ୍ନ ତାହା ଆମେ ହାଡେ ହାଡେ ଅନୁଭବ କରୁଛେ।ଏହାର ପୁନଃ ଉଦ୍ଧାର ପାଇଁ ଯେଉଁମାନେ ଉଦ୍ୟମରତ ସେମାନେ ସର୍ବଦା ଅଭିନନ୍ଦନୀୟ । ଏଇ ଦୃଶ୍ୟ – ଶ୍ରାବ୍ୟ ମାଧ୍ୟମର ଅନ୍ତୁଡିଶାଳରେ ତାର ଯଶସ୍ଵୀ ଦୀର୍ଘାୟୁ ଜୀବନ କାମନା କରୁଛି।

ପ୍ରଦ୍ୟୁମ୍ନ ଶତପଥୀ (ବରିଷ୍ଠ ସାମ୍ବାଦିକ)

ଶୁଭେଚ୍ଛା ବାର୍ତ୍ତା

ଓଡ଼ିଶାର ସାହିତ୍ୟ ସଂସ୍କୃତି ଓ ଆଧ୍ୟାତ୍ମିକତାର ବିକାଶ ପାଇଁ ପ୍ରଚାର ଓ ପ୍ରସାର ପାଇଁ ଯେଉଁ କେତୋଟି ଓ୍ବେବପୋର୍ଟାଲ ଯେଉଁ କେତୋଟି ଡିଜିଟାଲ ଅନୁଷ୍ଠାନ କାମ କରୁଛନ୍ତି ସେମାନଙ୍କ ଭିତରେ ବୀର କଳିଙ୍ଗ ଅନ୍ୟତମ। ବୀର ସାହିତ୍ୟ ସଂସ୍କୃତି ସମ୍ପନ୍ନ ମାଟି ନୟାଗଡ଼ରୁ ଜନ୍ମ ଲାଭ କରିଛି। ଶୁଣି ଖୁସି ହେଲେ ଯେ ବୀର କଳିଙ୍ଗ ତା’ର ଓ୍ବେବସାଇଟ ପ୍ରଥମଥର ପାଇଁ ଆରମ୍ଭ କରୁଛି । ଆଶା କରୁଛି ବୀର କଳିଙ୍ଗ ଫେସବୁକ ପେଜ ଯେଉଁଭଳି ଭାବରେ ଅଗଣିତ ଜନତାଙ୍କ ଭିତରେ ଭାବ ଭକ୍ତି ଓ ସଂସ୍କୃତି ସଚେତନତାର ଚିନ୍ତନକୁ ସଞ୍ଚାରଣ କରିଛି ବୀର କଳିଙ୍ଗ ଓ୍ବେବସାଇଟ ମଧ୍ୟ ସେଇଭଳି ଭାବରେ ସାହିତ୍ୟ ଓ ସଂସ୍କୃତିର ସେବକ ହୋଇ କାର୍ଯ୍ୟ କରିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ବୀର କଳିଙ୍ଗ ଓ୍ବେବସାଇଟର ବିକାଶ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି।
ଜୟ ଜଗନ୍ନାଥ।

  ଶରଣାରବିନ୍ଦ ଓଝା

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ

ଶୁଭେଚ୍ଛା ବାର୍ତ୍ତା

ଅକେଲେ ଚଲେଥେ ଲୋଗ ମିଲିତେ ଗେ ଫିର କାରବା ବନତାଗୟା।
କୁହାଯାଏ, ଯାହାର ଆରମ୍ଭ ଯେତିକି ସୁନ୍ଦର,ତାର ପ୍ରତ୍ୟେକଟି ଅଭିଯାନ ସେତିକି ସୁନ୍ଦର। ଆମେ କେବେ ଭାବି ନଥିଲୁ, ଚିନ୍ତା ବି କରିନଥିଲୁ ଯେତେବେଳେ ଏଭଳି ଏକ ଛୋଟିଆ ସଂସ୍ଥା ଟିଏ କରିଥିଲୁ ଯେ ଆପଣମାନଙ୍କ ଏତେ ଭଲ ପାଇବା, ଶ୍ରଦ୍ଧା, ସ୍ନେହ , ବିଶ୍ଵାସ ପାଇବୁ ବୋଲି। ଏଇ ତ ଆରମ୍ଭ ମାତ୍ର। ଆଗକୁ ବହୁତ ବାଟ ଯିବାର ଅଛି। ଯଦି ଭଲପାଇବାର ଏହି ଧାରା ଆଗକୁ ଜାରିରୁହେ ତେବେ ଏଇ ବୀର କଳିଙ୍ଗ ଚ୍ୟାନେଲ ଆପଣଙ୍କ ଚ୍ୟାନେଲ ହେବ। ଓଡ଼ିଆ ସାହିତ୍ୟ,କଳା ଓ ସଂସ୍କୃତିକୁ ଆଗକୁ ବଢ଼ାଇବାରେ ସମୃଦ୍ଧ କରିବାରେ ସବୁବେଳେ ସବୁସମୟରେ କାମ କରିବ।

ଭବାନୀ ମହାପାତ୍ର (ବରିଷ୍ଠ ଉପସ୍ଥାପକ)

ଆଜି ମହାପ୍ରଭୁଙ୍କ ଚିତାଲାଗି।

ଶ୍ରୀମନ୍ଦିର ରେ ପାଳିତ ଅନେକ ଯାତ୍ରା , ଉପଯାତ୍ରା ତଥା ଉତ୍ସବାଦି ଓ ତ୍ରୟୋଦଶ ଯାତ୍ରା ବ୍ୟତୀତ ୫୦ରୁ ଉର୍ଦ୍ଧ ଉପଯାତ୍ରା , ଉତ୍ସବାଦି ମଧ୍ୟରେ ଚିତାଲାଗି ଅମାବାସ୍ୟା ଅନ୍ୟତମ ଅଟେ ।

“ଶ୍ରାବଣସ୍ୟ ଚ ଦର୍ଶେ ଅପିହ୍ୟରୁଣୋଦୟକାଳକେ।
ନୈବେଦ୍ୟାମଧିକଂ ଦଦ୍ୟାତ୍ ପ୍ରାତଃ ପୂଜନକାଳକେ।।
ସୁବର୍ଣ୍ଣରଚିତଂ ଦିବ୍ୟଂ ନାନାରତ୍ନସମୁଜ୍ଜ୍ଵଳମ୍।
ତିଳକଂ ତୁ କପାଳେଷୁ ଦେବାନାଂ ଭିଲ୍ଲଜାତୟଃ।।”

ଶ୍ରାବଣ ଅମାବାସ୍ୟା ଦିନ ଶ୍ରୀମନ୍ଦିର ରେ ଚିତା ଲାଗି ଅମାବାସ୍ୟା ନୀତି ପାଳିତ ହୋଇଥାଏ। ଏହି ଦିନ ମହାପ୍ରଭୁଙ୍କ ସ୍ଵର୍ଣଚିତା ଲାଗି ହୋଇଥାଏ।

ଏହି ଦିନ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ରତ୍ନସିଂହାସନ ରୁ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରକୁ ବିଜେ କରିଥାନ୍ତି। ଏହାପରେ ଶ୍ରୀଜୀଉମାନଙ୍କ ଝୋବା ମଇଲମ ହୋଇ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥାଏ। ଏହି ଦିନ ସାଗର ବିଜେ କରିଥିବା ଅମାବାସ୍ୟା ଠାକୁର ଶ୍ରୀମନ୍ଦିର କୁ ବାହୁଡା ବିଜେ କରିବା ପରେ ପତି ମହାପାତ୍ର , ବାଡ଼ଗ୍ରାହୀ ଦଇତା ମାନେ ରତ୍ନସିଂହାସନାଧିଷ୍ଠିତ ଶ୍ରୀଜୀଉ ଙ୍କର ଚିତାଲାଗି କାର୍ଯ୍ୟ କରିଥାନ୍ତି । ତିନୋଟି ସ୍ବର୍ଣ୍ଣ ଚିତା ଶ୍ରୀଜୀଉମାନଙ୍କ କପାଳର ଶୀର୍ଷ ଭାଗରେ ଓଷୁଅ ରେ ପାଟ ଡୋର ସାହାଯ୍ୟରେ ଏହାକୁ ଦୃଢ଼ ଭାବରେ ବନ୍ଧା ଯାଇଥାଏ।

ସୂଚନାଯୋଗ୍ୟ ଯେ ଏହି ରତ୍ନଖଚିତ ସ୍ବର୍ଣ୍ଣ ଚିତା କୁ ପୂର୍ବରୁ ଅର୍ଥାତ ସ୍ନାନପୂର୍ଣ୍ଣିମା ଦିନ ରାତ୍ରି ରେ ଶ୍ରୀଜୀଉମାନଙ୍କ ଶ୍ରୀକପାଳ ଦେଶରୁ ଓଲାଗି କରାଯାଇଥାଏ। ଏହି ଚିତାକୁ ଭଣ୍ଡାରରୁ ଅଣାଯାଇ ଶ୍ରୀମନ୍ଦିର ପରିସର ରେ ଦେଉଳକରଣ , ତଢ଼ାଉ କରଣ , ଶ୍ରୀମନ୍ଦିର ପ୍ରଶାସନ ର ପଦାଧିକାରୀ ଉପସ୍ଥିତି ରେ ବଣିଆ ସେବକ ଦ୍ୱାରା ସଫା କରାଯାଇଥାଏ ଓ ପୁନଃ ସଂସ୍ଥାପିତ ହୋଇଥାଏ। ଚିତାଲାଗି ନୀତି ଗୋପନୀୟ ହୋଇଥିବାରୁ ଏହି ସମୟରେ ଭକ୍ତ ଙ୍କୁ ଭିତରକାଠ ମଧ୍ୟକୁ ପ୍ରବେଶ କରିବାକୁ ବାରଣ କରାଯାଇଥାଏ।

ବଡ଼ ଠାକୁର ଶ୍ରୀ ବଳଭଦ୍ର ଙ୍କ ସ୍ୱର୍ଣ୍ଣ ଚିତା ମଝିରେ ଏକ ବଡ଼ ମର୍କତ ପଥର ରହିଛି । ଏହାର ଚାରି ପାର୍ଶ୍ୱରେ ପାଞ୍ଚୋଟି ବେଢ଼ରେ ଛୋଟ ଛୋଟ ମାଣିକ୍ୟ , ହୀରା , ମର୍କତ / ପାନ୍ନା ଏବଂ ନୀଳ ପଥର ଖଚିତ ହୋଇଛି।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସ୍ଵର୍ଣ୍ଣଚିତା ମଝିରେ ହୀରା ରହିଛି । ଚିତାର ସାତୋଟି ବେଢ଼ ରେ ମାଣିକ୍ୟ , ହୀରା , ପାନ୍ନା ଏବଂ ଓପଲ ଖଞ୍ଜା ଯାଇଛି। ଶେଷ ଅର୍ଥାତ ସପ୍ତମ ବେଢ଼ରେ ଶୀର୍ଷରେ ବା ଚିତାର ଶୀର୍ଷରେ ପାନପତ୍ର ଅକୃତିର ଏକ ହୀରା ପଥର ରହିଛି । ଏହାକୁ ବ୍ରହ୍ମଜ୍ୟୋତି ହୀରା କୁହାଯାଏ।

ଦେବୀ ସୁଭଦ୍ରା ଙ୍କ ଚିତା ମଝିରେ ଏକ ବଡ଼ ମାଣିକ୍ୟ ପଥର ରହିଛି । ଚିତାର ତିନୋଟି ବେଢ଼ରେ ପାନ୍ନା , ମର୍କତ , ହୀରା ଓ ମାଣିକ୍ୟ ରହିଛି।

ଏହି ତିନୋଟି ରତ୍ନଖଚିତ ସୁବର୍ଣ୍ଣ ଚିତାଗୁଡିକୁ ମର୍କତ ଚିତା , ହୀରଚିତା ଏବଂ ପାନ୍ନା ଚିତା କୁହାଯାଇଥାଏ। ଚିତା ଲାଗି ନୀତି ସମ୍ପର୍ଣ୍ଣ ହେଲା ପରେ ମହାସ୍ନାନ ବଢ଼ି ଅନ୍ୟାନ୍ୟ ନୀତି ହୋଇଥାଏ। ଏହି ତୀଥିରେ କେତେକ ନିଯୋଗ ମାନଙ୍କ ପକ୍ଷରୁ ଆଳତି ଭୋଗ ମଧ୍ୟ ହୋଇଥାଏ। ଏଥିରେ ଛେନା ତାଡ଼ିଆ , ଫାଳ ସୋଲା ପ୍ରଭୃତି ଭୋଗ ହୋଇଥାଏ।

ଇତିହାସ ପୃଷ୍ଠା ରୁ ଜଣାଯାଏ କି ରକ୍ତବାହୁ ଆକ୍ରମଣ ସମୟରେ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ସୁବର୍ଣ୍ଣପୁର ରେ ପାତଳୀ କରି ରଖା ଯାଇଥିଲା । ଆଦି ଶଙ୍କରାଚାର୍ଯ୍ୟ ଙ୍କ ତତ୍ୱାବଧାନରେ ଯଯାତି କେଶରୀ ଶ୍ରୀଜୀଉମାନଙ୍କୁ ସେଠାରୁ ଆଣି ଶ୍ରୀମନ୍ଦିର ରେ ରତ୍ନବେଦୀରେ ପଟାଅଭିଷେକ କରାଇଥିଲେ ଏବଂ ଏହି ରତ୍ନଖଚିତ ସୁବର୍ଣ୍ଣ ଚିତା ଲାଗି କରାଇଥିଲେ । ସେହିଦିନ ଠାରୁ ଓଡ଼ିଶାର ପୁରପଲ୍ଲୀ ଶ୍ରାବଣ ମାସ ଅମାବାସ୍ୟା ଚିତା ଲାଗି ଅମାବାସ୍ୟା ନାମରେ ପରିଚିତ ହୋଇଛି।
ଏହି ଦିନ ପ୍ରତିହାରୀ ନିଯୋଗମାନଙ୍କ ପକ୍ଷରୁ ଆଳତି ଭୋଗ ହୋଇଥାଏ।

ଉପସ୍ଥାପନା: ଆମେ ଓଡ଼ିଆ,ଆମ ଜଗନ୍ନାଥ।

ବାଇଶି ପାହାଚକୁ ନେଇ ଜଣା ଅଜଣା କଥା।

ସିଂହଦ୍ୱାର ଗୁମୁଟରୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅର୍ଥାତ କୁର୍ମବେଢ଼ା, ରୋଷଶାଳ, ଆନନ୍ଦ ବଜାର ଯିବା ପାଇଁ ଥିବା ବାଇଶି ଗୋଟି ପାହାଚ ବାଇଶି ପାହାଚ ନାମରେ ଜଣା । ବାଇଶି ପାହାଚ ବଉଳମାଳା ମାଙ୍କଡ଼ା ପଥରରେ ତିଆରି ହୋଇଛି ।

ପାହାଚଗୁଡ଼ିକର ଓସାର ୬ଫୁଟ, ଲମ୍ବ ୭୦ଫୁଟ ଓ ଉଚ୍ଚତା ୬ଇଞ୍ଚରୁ ୭ଇଞ୍ଚ ମଧ୍ୟରେ ହେବ । ବାଇଶି ପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ । ଭକ୍ତମାନେ ବର୍ଷସାରା ବାଇଶି ପାହାଚ ବାଟଦେଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ଶ୍ରୀଜୀଉମାନେ ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ି ବାଇଶି ପାହାଚ ବାଟ ଦେଇ ବଡ଼ଦାଣ୍ଡରେ ଥିବା ରଥକୁ ଆସିଥାନ୍ତି ।

ବାଇଶି ପାହାଚର ଅଧିଷ୍ଠାତ୍ରୀ ଦେବୀଗଣ ହେଲେ ମାୟା, ଚେତନା, ବୁଦ୍ଧି, ନିଦ୍ରା, କ୍ଷୁଧା, ଛାୟା, ତୃଷ୍ଣା, କ୍ଷାନ୍ତି, ଜାତି, ଲଜ୍ଜା, ଶାନ୍ତି, କାନ୍ତି, ବୃତ୍ତି, ସ୍ମୃତି, ଦୟା, ତୁଷ୍ଟି, ବିକ୍ରୀ, ମାତୃ, ଭ୍ରାନ୍ତି ଓ ପ୍ରଜ୍ଞା । ବିଶ୍ୱାସ ଅଛି ଯେ, ପ୍ରତ୍ୟେକ ମଣିଷ ୨୨ ପ୍ରକାର ପାପରୁ ମୋକ୍ଷ ନିମନ୍ତେ ୨୨ ପାହାଚ ଅତିକ୍ରମ କରିବା ଆବଶ୍ୟକ । ୨୨ ପାହାଚ ଯୋଗ ବିଦ୍ୟା ବର୍ଣ୍ଣିତ ୨୨ଟି ସ୍ତରର ପ୍ରତୀକ । ବାଇଶି ପାହାଚରେ ୩ୟ ସୋପାନରେ ରହିଛି ଜମଶିଳା । ଶ୍ରଦ୍ଧାଳୁମାନେ ଏହି ଶିଳାକୁ ସ୍ପର୍ଶ କରି ଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ ଓ ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ଲୋକ ବିଶ୍ୱାସ ରହିଛି ।

ଉପସ୍ଥାପନା- ମାନସ ରଞ୍ଜନ ସାହୁ