ଚନ୍ଦ୍ରଶେଖର।

ଦିନେ ଶଙ୍କର ଗୌରୀ ପଶା ଖେଳରେ ମଗ୍ନ ଥିବା ସମୟରେ ମହାଦେବ ଜାଣି ଜାଣି ନିଜକୁ ହରାଇଲେ। ନିଜ ଜିତିବା ଦେଖି ଦେବୀ ପାର୍ବତୀ ଆନନ୍ଦରେ ଅଧିର ହୋଇ ପଡିଲେ। ଆଉ ଶିବଙ୍କୁ କହିଲେ ଆପଣ ଆଜି ହାରିଗଲେ ଆଉ ଆମ୍ଭେ ଜିତିଗଲୁ। ଶିବ କହିଲେ ଆମେ ସବୁ କ୍ଷେତ୍ରେ ଅଜେୟ ଅଟୁ ଆଉ ଆମ୍ଭେ ଆପଣା ଇଚ୍ଛାରେ ହାରିଅଛୁ। ଏହି କଥାରୁ ଗୋଟିଏ ମିଠା କଳି ଆରମ୍ଭ ହୋଇଗଲା। ଦେବୀ ପାର୍ବତୀ କହିଲେ ଆପଣ ଯଦି ସ୍ଵୟଂ ସମ୍ପୂର୍ଣ୍ଣ ଅଜେୟ ତେବେ ଆମ୍ଭେ ଆପଣଙ୍କ ଶକ୍ତିର ଆଧାର ଅଟୁ। ପୁଣି ଶିବ କହୁଛନ୍ତି ଆମ୍ଭେ ସକଳ ସୃଷ୍ଟିର ଆଧାର ଜ୍ୟୋତିର୍ଲିଙ୍ଗ ଅଟୁ। ଆମଠାରୁ ସକାଳ ସୃଷ୍ଟି ଉତ୍ପନ୍ନ ହୋଇଅଛି। ଏହାର ଉତ୍ତରରେ ଦେବୀ କହୁଛନ୍ତି ଆପଣ ଜ୍ୟୋତିର୍ଲିଙ୍ଗ ହେଲେ ଆମ୍ଭେ ସେହି ଜ୍ୟୋତିର ଆଧାରଭୂତା ଶକ୍ତି ଅଟୁ। ଶଙ୍କର ପୁଣି କହୁଛନ୍ତି ଆମ୍ଭେ ଆପଣା ଇଚ୍ଛାରେ ଯେ କୌଣସି ରୂପ ଧାରଣ କରିପାରୁ।

ଠାକୁରାଣୀ ଏଇଠି ହସିଦେଇ କହୁଛନ୍ତି ଯଦି ଆପଣ ନିଜ ଇଚ୍ଛାରେ ବିଭିନ୍ନ ରୂପ ଧାରଣ କରିପାରନ୍ତି ତେବେ ଏପରି ବିଚିତ୍ର ରୂପ ଧାରଣ କରିଲେ କାହିଁକି। ଜଟା ଗୁଡିକ ଆଲୁରା ପୁଣି ସେଥିରେ ଜଳ ବହି ସର୍ବଦା ସିକ୍ତ। ଏପରି ଓଦା ସରସର ଜଟା କିପରି ଧାରଣ କରି ଅଛନ୍ତି। ଦେହ ସାରା ପାଉଁଶ ବୋଳି ହୋଇଛନ୍ତି। ପୁଣି ହାଡ଼ ଖପୁରି ଆଦିର ଅଳଙ୍କାର, ତା ସହିତ ବ୍ୟାଘ୍ର ହସ୍ତୀଙ୍କ ଚମଡାରେ ବସ୍ତ୍ର। ପୁଣି କେତେବେଳେ ଦିଗମ୍ବର ସ୍ଵରୂପ। ଆଉ ବିଚିତ୍ର ଆଖି ଥାଇ ବିରୂପାକ୍ଷ ବୋଲାଇଥାନ୍ତି। ଅନ୍ୟ ଦେବତା ମାନେ କେଡେ ସୁନ୍ଦର ରୂପ ଧାରଣ କରିଥାନ୍ତି, କେତେ ଅଳଙ୍କାର ପିନ୍ଧିଥାନ୍ତି। ହେଲେ ଆପଣେ ସେହି ଚମଡା କପାଳ ଧାରଣ କରି ଭୂତ ପ୍ରେତ ଗଣ ସହ ବାସ କରୁଛନ୍ତି।

ଯଦି ଆପଣ ସ୍ଵୟଂ ଇଚ୍ଛାରେ ରୂପ ଧାରଣ କରି ପାରନ୍ତି ତେବେ ଏପରି ରୂପ କାହିଁକି?? ଏହା କହି ମହାଦେବୀ ଆଉ ଇଶ୍ୱରଙ୍କ ଆଡ଼କୁ ନ ଅନାଇ ନିଜ ଶୁକ ସହ କଥା ହେବାକୁ ଲାଗିଲେ।……

ଯେ ସ୍ଵୟଂ ସମ୍ପୂର୍ଣ୍ଣ, ଯେ ସକଳ ଐଶ୍ଵର୍ଯ୍ୟ ଠାରୁ ଉର୍ଦ୍ଧ୍ଵରେ ତାଙ୍କୁ କ’ଣ ଯେ ଆବଶ୍ୟକ ସୁନ୍ଦର ହେବା ପାଇଁ। ତଥାପି ଠାକୁରାଣୀଙ୍କ ଆଗ୍ରହରେ ଦେବ ନିଜର ରୂପ ପରିବର୍ତ୍ତନ କରିବାକୁ ଇଚ୍ଛା କଲେ। କି ବର୍ଣ୍ଣନା କରିବା ସେ ରୂପକୁ। ଯିଏ ବର୍ଣ୍ଣନାର ଉର୍ଦ୍ଧ୍ଵରେ ସେ କୋଉ ବର୍ଣ୍ଣନାରେ ଆସିବେ କି। ଯାହାଙ୍କର ଅଙ୍ଗରେ ଚନ୍ଦ୍ର ଲାଗିବାରୁ ସେହି ଚନ୍ଦ୍ର ଚନ୍ଦ୍ରକଳା ସମ ପ୍ରତୀୟ ହୁଏ। ହରି ବ୍ରହ୍ମା ସହିତରେ କୌଣସି ଦେବତାଙ୍କର ଅଙ୍ଗରେ ନାଗ ଭୂଷଣ, ଚର୍ମ ବସ୍ତ୍ର କିମ୍ବା ଭସ୍ମ ଲେପନ ଶୋଭା ପାଏ ନାହିଁ ଯେପରି ସଦାଶିବଙ୍କ ଶ୍ରୀ ଅଙ୍ଗରେ ସୁନ୍ଦର ଦିଶୁଥାଏ। ଏହି ଆଭରଣ ଅସୁନ୍ଦର ହୋଇଥିଲେ ମଧ୍ଯ ସଦାଶିବଙ୍କ ଶ୍ରୀ ଅଙ୍ଗ ଲାଗିବାରୁ ସେମାନେ ସୁନ୍ଦର ଦିଶିଥାନ୍ତି ।

ଚନ୍ଦ୍ରଶେଖର….. କର୍ପୂର ଗୌରାଙ୍ଗ ଶରୀରକୁ କୋଟି ସୂର୍ଯ୍ୟଙ୍କ ସମ କାନ୍ତି, କିନ୍ତୁ ସେ କାନ୍ତିରେ ସୂର୍ଯ୍ୟଙ୍କ ରୌଦ୍ରତା ନାହିଁ। ସେ କାନ୍ତିରେ କୋଟି ଚନ୍ଦ୍ରଙ୍କ ଶୀତଳତା। ମସ୍ତକରେ ଆଲୁରା ଜଟ ସ୍ଥାନରେ, ସୁନ୍ଦର ଜଟା ମୁକୁଟ ସହ ରତ୍ନ କିରିଟରେ ଶୋଭିତ। ତ୍ରିନୟନ କସ୍ତୁରୀ ତିଳକରେ ସୁନ୍ଦର ଦିଶୁଛି। ଅଙ୍ଗରେ ହାଡ଼ ଖପୁରିର ଅଳଙ୍କାର ନାହିଁ। ସେ ସ୍ଥାନରେ ବିବିଧ ସୁବର୍ଣ୍ଣ ଜଡିତ ରତ୍ନ ଆଭରଣ। କର୍ଣ୍ଣରେ ତମ୍ବା କୁଣ୍ଡଳ ସ୍ଥାନରେ ମକର କୁଣ୍ଡଳ। କଟୀରେ ଚର୍ମ ବସନ ଆଉ ନାହିଁ ସେ ସ୍ଥାନରେ ନାନାଦି ପଟ୍ଟ ବସ୍ତ୍ରର ଆଭରଣ। ପ୍ରତେକ ଅଙ୍ଗ ଅଙ୍ଗ ନନ୍ଦନ କାନନର ଚନ୍ଦନରେ ସୁଶୋଭିତ ଯାହା ଗଙ୍ଗା ଜଳରେ ଘୋରା ହୋଇ ଲାଗି ହୋଇଅଛି। ଉର୍ଦ୍ଧ ହସ୍ତରେ ମୃଗ ପରଶୁ। ସେହି ମୃଗ ଯାହା ଚଞ୍ଚଳ ମନର ପ୍ରତୀକ ଅଟେ। ଚଞ୍ଚଳ ମନକୁ ଆୟତ୍ତ କରି ଯୋଗ ପଥରେ ଅଗ୍ରସର ହେବାକୁ ଏହି ମୃଗ ସୂଚାଇ ଥାଏ। ପରଶୁ ହେଉଛି ବନ୍ଧନ କାଟିବାର ଅସ୍ତ୍ର। ଯାହା ମାୟାରୁ ମୁକ୍ତି ପ୍ରଦାନ କରିଥାଏ। ନିମ୍ନ ଦୁଇ ହସ୍ତରେ ଅଭୟ ବରଦା ମୁଦ୍ରା। ଯାହା ଭକ୍ତଙ୍କୁ ଅଭୟ ପ୍ରଦାନ ସହ ଭକ୍ତର ଆବଶ୍ୟକତା ଅନୁସାରେ ଉପଯୁକ୍ତ ବର ପ୍ରଦାନ କରିଥାନ୍ତି। ଚନ୍ଦ୍ରମୌଳୀଙ୍କ ଶ୍ରୀଅଙ୍ଗର ଦିବ୍ୟ ଆଭା ଚତୁର୍ଦ୍ଦିଗକୁ ଦୀପ୍ତିମନ୍ତ କରୁଥାଏ।

ସେହି ଦିବ୍ୟ ରୂପ ଯେବେ ପ୍ରକଟ ହେଲେ ସମସ୍ତ ସୁର, ନର, ମୁନି, ଅସୁର ସହିତେ ସମସ୍ତ ସୃଷ୍ଟି ଆଶ୍ଚର୍ଯ୍ୟ ଚକିତ ହୋଇଗଲା। ଅମରଗଣେ ବାରମ୍ବାର ଚକ୍ଷୁ ପ୍ରକ୍ଷାଳନ କରୁଥାନ୍ତି ସତରେ ଏମିତି ରୂପ ଅଛି କି ନା ସ୍ଵପ୍ନ ଦେଖୁଛନ୍ତି। ଶ୍ରୀ ଚନ୍ଦ୍ରଶେଖର ଦେବୀଙ୍କ ସମ୍ମୁଖରେ ଉପସ୍ଥିତ ହେବା କ୍ଷଣି ମହାମାୟୀ ବହୁ ଆନନ୍ଦିତା ହେଲେ। ମହାପ୍ରଭୁଙ୍କ ବାମ ଭାଗେ ଦେବୀ ବିରାଜମାନ ହେବାରୁ ବେନି ରୂପ ପୂର୍ଣ୍ଣ ରୂପ ଧାରଣ କରିଲା। ଶ୍ରୀ ଚନ୍ଦ୍ରଶେଖର ପାର୍ବତୀ ଦିବ୍ୟ ଦମ୍ପତ୍ତି ବେଶେ ସମସ୍ତଙ୍କୁ ଦର୍ଶନ ଦେଲେ। ଯାହା ଶିବଙ୍କ ଅନ୍ୟ ଏକ ପ୍ରିୟ ରୂପ ରୂପେ ଜଗତରେ ପୂଜା ପାଇଲା।

ଅନ୍ୟ ଏକ ସମୟରେ ମଧ୍ଯ ମହାଦେବ ଚନ୍ଦ୍ରଶେଖର ରୂପ ଧାରଣ କରିଥିଲେ। ତାହା ହେଉଛି ଶିବ ବିବାହ। ମେନାବତୀ ବର ବରଣୀ ସମୟରେ ଶିବଙ୍କ ଭସ୍ମ ବିଲେପିତ ଶରୀର ଓ ନାଗାଭରଣ ଦେଖି ଚେତା ଶୂନ୍ୟ ହେଲେ ଓ ବିବାହ ନିମିତ୍ତ ରାଜି ହେଲେ ନାହିଁ। ତତ୍ପରେ ଦେବୀ ପାର୍ବତୀଙ୍କ ଆଗ୍ରାହ୍ୟରେ ମହାଦେବ ବେଶ ପରିବର୍ତ୍ତନ ନିମନ୍ତେ ରାଜି ହୋଇଥିଲେ। ସ୍ଵୟଂ ନାରାୟଣ ଶିବଙ୍କୁ ବେଶ କରାଇଲେ। ଯାହା ଚନ୍ଦ୍ରଶେଖର ବେଶ ରୂପେ ପରିଚିତ ହେଲା। ଦେବୀ ପାର୍ବତୀ ଶିବଙ୍କୁ ସେହି ଚନ୍ଦ୍ରଚୂଡ଼ ବେଶରେ ବରଣ କରିଲେ। ଉମା ମହେଶ୍ୱରଙ୍କ ବିବାହ ବିନା ବିଘ୍ନରେ ସମ୍ପନ୍ନ ହୋଇଲା।

ଉପସ୍ଥାପନା: ଅରବିନ୍ଦ ମହାନ୍ତି

ଭାଦ୍ରବ ପୂର୍ଣ୍ଣିମା ଓ ଭାଗବତ ଜନ୍ମ।

କଥିତ ଅଛି ଆଜିର ଦିନରେ ବ୍ୟାସଦେବ ମୂଳ ଭାଗବତ ପୁରାଣ (ସଂସ୍କୃତରେ) ରଚନା ଆରମ୍ଭ କରିଥିଲେ।

ମୂଳ ସଂସ୍କୃତ ଭାଗବତ ଅଠର ହଜାର ଶ୍ଳୋକରେ ବ୍ୟାସ ଦେବ ରଚନା କରିଥିଲେ l ଅତିବଡ଼ି ଜଗନ୍ନାଥ ଦାସ ଏହି ଟିକାକୁ ସରଳ ନବାକ୍ଷରୀ ଛନ୍ଦ ରେ ଓଡ଼ିଆ ଅନୁବାଦ କରିଛନ୍ତି l

ଭଗବାନ ବ୍ୟାସଦେବଙ୍କ ଦ୍ବାରା ରଚିତ ” ଶ୍ରୀମଦ୍ଭାଗବତ ” ମହାପୁରାଣରେ ପରମ ଧର୍ମ ଓ ବିଶୁଦ୍ଧ ଜ୍ଞାନ ହିଁ ନିରୂପଣ କରାଯାଇଛି । ଏହି ” ଭାଗବତଧର୍ମ ” ଆମ୍ଭମାନଙ୍କୁ ଜନ୍ମମୃତ୍ୟୁରୁ ଉଦ୍ଧାର କରି ମୋକ୍ଷ ପ୍ରଦାନ କରାଇଥାଏ । ଯେଉଁ ସନ୍ଥଜନଙ୍କ ମନରେ କୌଣସି ପ୍ରକାର ବିକାର ନଥାଏ, ସେହି ଶୁଦ୍ଧହୃଦୟ ପୁରୁଷ ହିଁ ଏହି ତତ୍ତ୍ବ ଜାଣିପାରନ୍ତି । ଏହା ତ୍ରିବିଧ ତାପକୁ ସମୂଳେ ନାଶ କରି ପରମ କଲ୍ୟାଣ ସାଧନ କରିଥାଏ ।

ବ୍ୟାସଦେବଙ୍କଦ୍ୱାରା ରଚିତ ସଂସ୍କୃତ ଶ୍ରୀମଦ ଭାଗବତ ଓଡ଼ିଆ ଭାଷାଭାଷୀଙ୍କ ନିକଟରେ ଆଦୃତ ହୋଇପାରିନଥିଲା। ଜଗନ୍ନାଥ ଦାସଙ୍କ ପିତା ଭଗବାନ ଦାସ ବଡ଼ଦେଉଳରେ ପୁରାଣପଣ୍ଡା ଥିଲେ । ତାଙ୍କ ପରେ ଜଗନ୍ନାଥ ଦାସ ପୁରାଣପଣ୍ଡା ହେଲେ । ସେ ସଂସ୍କୃତ ଭାଗବତକୁ ସରଳ ଭାଷାରେ ବୁଝାଇ ଦେଉଥିଲେ । ଜଗନ୍ନାଥଙ୍କ ବୋଉ ଓଡ଼ିଆ ଭାଷାରେ ପଦ୍ୟରୂପରେ ଶୁଣିବା ପାଇଁ ପୁଅକୁ ନିର୍ଦ୍ଦେଶ ଦିଅନ୍ତି । ବିଧବା ମା’ ବାର୍ଦ୍ଧକ୍ୟର ପୁଣ୍ୟ ସଞ୍ଚୟ ଆଶାରେ କୃଷ୍ଣଚରିତ ଶୁଣିବାକୁ ଆଶାୟୀ ହେବାରୁ ଜଗନ୍ନାଥ ଦାସ ଜନନୀର ଅଭିଳାଷ ପୂରଣ ନିମନ୍ତେ ଅଧ୍ୟାୟେ ଅଧ୍ୟାୟେ ପଦ୍ୟାନୁବାଦ ଶୁଣାଇବାକୁ ଲାଗିଲେ । ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା । ଜଗନ୍ନାଥ ଦାସ ଗୋସ୍ୱାମୀ ବଟ ଗଶେଶଙ୍କ ନିକଟରେ ବସି ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ରଚନା କରିଥିଲେ ।

ଏହି ସମ୍ପୂର୍ଣ୍ଣ ଭାଗବତ ୧୨ଟି ସ୍କନ୍ଧ ବିଶିଷ୍ଠ। ପ୍ରତ୍ୟେକ ସ୍କନ୍ଧ ୧୦-୩୦ ଅଧ୍ୟାୟ ବିଶିଷ୍ଟ ଏବଂ ପ୍ରତି ଅଧ୍ୟାୟରେ ୫୦ – ୩୦୦ ଛନ୍ଦ ରହିଛି।

ଓଡ଼ିଆ ଭାଗବତ ମୁଖ୍ୟତଃ ମୂଳ ସଂସ୍କୃତ ଭାଗବତର ଓଡ଼ିଆ ମର୍ମାନୁବାଦ । ମୂଳ ସଂସ୍କୃତ ଭାଗବତ ଭଳି ଏହା ବାର ସ୍କନ୍ଧ ବିଶିଷ୍ଟ । (ତେବେ କେତେକ ରଚନାରେ ତ୍ରୟୋଦଶ ସ୍କନ୍ଧର ବର୍ଣ୍ଣନା ଦେଖିବାକୁ ମିଳେ) ।

ବୈଦିକ ସାହିତ୍ୟର ରୀତି ଅନୁସାରେ ବୈଦିକ ସାହିତ୍ୟର ରଚନା ପୂର୍ବରୁ ମଙ୍ଗଳାଚରଣ ସହିତ ଗ୍ରନ୍ଥ ରଚନା ଆରମ୍ଭ ହୁଏ । ତେବେ ଜଗନ୍ନାଥ ଦାସଙ୍କ ଭାଗବତରେ ମୂଳ ସଂସ୍କୃତ ଭାଗବତର ମଙ୍ଗଳାଚରଣ ସ୍ଥାନ ପାଇବା ଦେଖିବାକୁ ମିଳେ।

ମଙ୍ଗଳାଚରଣ।

ବାଗୀଶା ଯସ୍ୟ ବଦନେ ଲକ୍ଷ୍ମୀର୍ଯସ୍ୟ ଚ ବକ୍ଷସି ।
ଯସ୍ୟାସ୍ତେ ହୃଦୟେ ସଂବିତ୍ ତଂ ନୃସିଂହମହଂ ଭଜେ || ୧ ||

(ଭାବାର୍ଥ:- ଯାହାଙ୍କ ମୁଖରେ ସରସ୍ୱତୀ, ବକ୍ଷସ୍ଥଳରେ ଲକ୍ଷ୍ମୀ ଏବଂ ହୃଦୟରେ ଜ୍ଞାନ ବିରାଜମାନ, ସେହି ନୃସିଂହ ଭଗବାନଙ୍କୁ ମୁଁ ବନ୍ଦନା କରୁଛି ।)

ବିଶ୍ୱସର୍ଗବିସର୍ଗାଦିନବଲକ୍ଷଣଲକ୍ଷିତମ୍
ଶ୍ରୀକୃଷ୍ଣାଖ୍ୟଂ ପରଂଧାମ ଜଗଦ୍ଧାମ ନମାମ ତତ୍ || ୨ ||

ଭାବାର୍ଥ:- ବିଶ୍ୱର ସର୍ଗ, ବିସର୍ଗ ଆଦି ନବଲକ୍ଷଣ (ସର୍ଗ, ବିସର୍ଗ, ସ୍ଥାନ, ପୋଷଣ, ଉତି, ମନ୍ୱନ୍ତର, ଈଶାନୁକଥା, ନିରୋଧ ଓ ମୁକ୍ତି)ଦ୍ୱାରା ଲକ୍ଷିତ, ସମଗ୍ର ଜଗତର ପରମ ଆଶ୍ରୟ ତଥା ବିଶ୍ୱର ଅନ୍ଧକାର ବିନାଶକାରୀ ପରମ ତେଜୋମୟ ଶ୍ରୀକୃଷ୍ଣଙ୍କ ସାକ୍ଷାତ୍ ସ୍ୱରୂପ ଶ୍ରୀମଦଭାଗବତକୁ ଆମ୍ଭେମାନେ ନମସ୍କାର କରୁଛୁ ।

ମାଧବୋମାଧବାବୀଶୌ ସର୍ବସିଦ୍ଧି ବିଧାୟିନୌ ।
ବନ୍ଦେ ପରସ୍ପରାତ୍ମାନୌ ପରସ୍ପରନୁତିପ୍ରିୟୋ ।। ୩ ||

ଭାବାର୍ଥ:- ସର୍ବସିଦ୍ଧି ପ୍ରଦାୟକ, ପରସ୍ପର ଏକାତ୍ମରୂପ ଏବଂ ପରସ୍ପରର ସ୍ତୁତିରେ ପ୍ରସନ୍ନ ହେଉଥିବା ମାଧବ (ଲକ୍ଷ୍ମୀପତି ବିଷ୍ଣୁ) ଓ ଉମାଧବଙ୍କୁ (ଉମାପତି ଶିବଙ୍କୁ) ଆମ୍ଭେ ବନ୍ଦନା କରୁଛୁ ।

ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍ ।
ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦମାଧବମ୍ | ୪ ||

ଭାବାର୍ଥ:- ଯାହାଙ୍କ କୃପା ମୂକକୁ ବାଗ୍ମୀ କରିଦେଇପାରେ, ପଙ୍ଗୁକୁ ଗିରି ଲଂଘନ କରାଇ ଦେଇପାରେ, ସେହି ପରମାନନ୍ଦ ମାଧବଙ୍କୁ ମୁଁ ବନ୍ଦନା କରୁଛି ।

ଯଂ ବ୍ରହ୍ମାବରୁଣେନ୍ଦ୍ରରୁଦ୍ରମରୁତଃ ସ୍ତୁନ୍ୱନ୍ତି ଦିବୈଃ ସ୍ତବୈ-
ର୍ବେଦୈଃ ସାଙ୍ଗପଦକ୍ରମୋପନିଷଦୈଗାୟନ୍ତି ଯଂ ସାମଗାଃ ।

ଧ୍ୟାନାବତ୍ସିତଦ୍‌ଗତେନ ମନସା ପଶଂନ୍ତି ଯଂ ଯୋଗିନୋ
ଯସ୍ୟାନ୍ତଂ ନ ବିଦୁଃ ସୁରାସୁରଗଣା ଦେବାୟ ତସ୍ମୈ ନମଃ || ୫ ||

ଯାହାଙ୍କୁ ବ୍ରହ୍ମା, ବରୁଣ, ଇନ୍ଦ୍ର, ରୁଦ୍ର, ମରୁତ ପ୍ରଭୃତି ଦିବ୍ୟ ସ୍ତୋତ୍ରଦ୍ୱାରା ସ୍ତୁତି କରନ୍ତି; ଯାହାଙ୍କ ମହିମା ସାମବେଦ ଗାୟନକାରୀମାନେ ପଦକ୍ରମାନୁସାରେ ବେଦ ଉପନିଷଦ ପ୍ରଭୃତିଦ୍ୱାରା ଗାନ କରନ୍ତି; ଧ୍ୟାନାଭିଭୂତ ମନ ମଧ୍ୟରେ ଯୋଗୀମାନେ ଯାହାଙ୍କୁ ଦର୍ଶନ କରନ୍ତି ଏବଂ ଦେବ ଦାନବଗଣ ଯାହାଙ୍କର ଅନ୍ତ ପାଇ ପାରନ୍ତି ନାହିଁ, ସେହି ଦେବଙ୍କୁ ମୁଁ ନମସ୍କାର କରୁଛି ।

ନାରାୟଣଂ ନମସ୍କୃତ୍ଂୟ ନରଂ ଚୈବ ନରୋତ୍ତମମ୍ ।
ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍ || ୬ ||

ଭଗବାନ ନାରାୟଣ, ନରୋତ୍ତମ ନର, ଦେବୀ ସରସ୍ୱତୀ ଓ ମହର୍ଷି ବ୍ୟାସଦେବଙ୍କୁ ନମସ୍କାର କରି ସଂସାର ଓ ଅନ୍ତଃକରଣର ନାନାବିଧ ବିକାର ଉପରେ ବିଜୟ ପ୍ରଦାନ କରାଉଥିବା ଏହି ଶ୍ରୀମଦଭାଗବତ ମହାପୁରାଣକୁ ପାଠ କରିବା ଉଚିତ।

ଭାଗବତ ବାଣୀ।

“ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ।
ପଦୁ ଗଡ଼ୁଛି ମକରନ୍ଦ ॥
ସେ ମକରନ୍ଦ ପାନ କରି ।
ହେଳେ ତରିଲେ ବ୍ରଜନାରୀ ॥
ସେ ବ୍ରଜନାରୀଙ୍କ ପୟରେ ।
ମନ ମୋ ରହୁ ନିରନ୍ତରେ ॥
ମନ ମୋ ନିରନ୍ତରେ ଥାଉ ।
ହା କୃଷ୍ଣ ବୋଲି ଜୀବ ଯାଉ ॥”

ଜଗନ୍ନାଥ ଦାସ, ଭାଗବତ ବାଣୀ।

ସୁଦଶା ବ୍ରତ କଥା।

ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାରରେ ପଡ଼ିଲେ, ତାହା ସୁଦଶା ବ୍ରତ ରୂପେ ପାଳିତ ହୁଏ । ଏଥିରେ ଲକ୍ଷ୍ମୀଙ୍କୁ ପୂଜା କରାଯାଏ ।

ସୁଦଶାର ଅର୍ଥ ଭଲ ସମୟ କିନ୍ତୁ ପଲ୍ଲୀ ମାନସରେ ସମ୍ଭବତଃ ସୁଦଶା ଶବ୍ଦ ସହିତ ଦଶ ସଂଖ୍ୟାଟି ସଂଯୋଜିତ ହୋଇ ଆସିଅଛି । ଫଳତଃ ଉପାସନାରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶମେଞ୍ଚା କଦଳୀ, ଦଶଗୋଟି ମଣ୍ଡା ଓ ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ଲକ୍ଷ୍ମୀଙ୍କ ଦଶନାମ ଲକ୍ଷ୍ମୀନାରାୟଣୀ, କମଳିନୀ, ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି, ବିଷ୍ଣୁ ପାଟରାଣୀ ।

ସୁମରିତ ଦଶଖିଅ ଧଳାସୂତାର ଏକ ବ୍ରତ ପୂଜା କରାଯିବାର ବିଧି ରହିଛି । ସେହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ ।

ଏହି ପର୍ବ ଓଡ଼ିଶାର ବିଶେଷତ୍ୱ, ଏହାକୁ କେବଳ ଓଡ଼ିଆ ମହିଳା (ହିନ୍ଦୁ) ମାନେ ପାଳନ କରିଥାନ୍ତି । ଭାରତର ଅନ୍ୟ ରାଜ୍ୟରେ ବା ଭାରତ ବାହାରେ ଏହା ଦେଖା ଯାଏ ନାହିଁ ।

ବ୍ରତ କାହାଣୀ।

ଜନୈକା ବିଧବା ବ୍ରାହ୍ମଣୀ ନଦୀରୁ ଜଳ ଆଣିବା ସମୟରେ ନିଜ ବ୍ରତଟିକୁ ହଜାଇ ଦେଇଛନ୍ତି । ବ୍ରତ ହରାଇ ବିକଳ ଭାବେ କ୍ରନ୍ଦନ କରୁଥିବା ବେଳେ ନଳ ରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବଦ୍ଧ ହୋଇ ନିଜ ରାଣୀଙ୍କ ଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଇଛନ୍ତି । ବ୍ରତଟି ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥିବାରୁ ବ୍ରତଦାନ କଲେ ଲକ୍ଷ୍ମୀଛଡ଼ା ହେବାର କଥିତ ଥିବାରୁ ରାଣୀ ଅତ୍ୟନ୍ତ କୁଣ୍ଠାର ସହ ବ୍ରତଟିକୁ ଦେଇଛନ୍ତି । ବ୍ରତଦାନ ପରେ ତାଙ୍କର ସକଳ ସମ୍ପଦ, ସୁଖ, ଐଶ୍ୱର୍ଯ୍ୟ ଅପହୃତ ହୋଇ ରାଜା ଓ ରାଣୀ ଲକ୍ଷ୍ମୀଛଡ଼ା ଓ ଶ୍ରୀହୀନ ହୋଇ ପଡ଼ିଛନ୍ତି । ଯାବତୀୟ ଦୁଃଖ ଦୁର୍ଦ୍ଦଶା ଭୋଗ କଲାପରେ ରାଣୀ ପୁନଶ୍ଚ ଯଥାବିଧି ସୁଦଶା ବ୍ରତ ପାଳନ କରିବାପରେ ସେମାନଙ୍କର ସମସ୍ତ ଅପହୃତ ସୁଖ ସୌଭାଗ୍ୟ ଫେରି ଆସିଛି ।

ମା ମହାଲକ୍ଷ୍ମୀ ଜଗତର ମଙ୍ଗଳ କରନ୍ତୁ।

ଅତିବଡ଼ି ଜଗନ୍ନାଥ ଦାସ।

ଓଡିଆର ପ୍ରିୟ ଓଡିଆ ଭାଗବତର ରଚୟିତା ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଓ ପ୍ରଣିପାତ।

ସେ ଜଗନ୍ନାଥ ଚକ୍ରଧର ।। ଚକ୍ର ରେ କାଟେ ମାୟା ଘୋର
ତାଙ୍କ ମହିଁମା ଯେଉଁ ମାନେ ।। ଶୁଣନ୍ତି ଶୁଣାନ୍ତି ଗାୟନେ
ତାଙ୍କର କର୍ମ ବନ୍ଧ ନାହିଁ ।। ସଂସାର ମାୟା ନ ଲାଗଇଁ
ଅନ୍ତେ ସେ ବୈଇକୁଣ୍ଠ ପାନ୍ତି ।। ସକଳ ପାପ ରୁ ତରନ୍ତି
ବାସୁଦେବ ର ପାଦ ଚିନ୍ତ ।। କହଇଁ ଦାସ ଜଗନ୍ନାଥ

୧୪୯୦ ଖ୍ରୀଷ୍ଟାଦ୍ଦ ଭାଦ୍ରବମାସ ଶୁକ୍ଲପକ୍ଷ ଅଷ୍ଟମୀ ଅନୁରାଧା ନକ୍ଷତ୍ର ବୁଧବାର ଦିନ ମଧ୍ୟାହ୍ନ ସମୟରେ କପିଳେଶ୍ଵରପୁର ଶାସନରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିଲେ । ଯେଉଁ କ୍ଷଣରେ ବୃଷଭାନୁ ନନ୍ଦିନୀ ମାରାଧା ରାଣୀ ଦେବୀଙ୍କର ଜନ୍ମ ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି, ଠିକ ସେହିକ୍ଷଣରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ରାଧାଙ୍କର ଅଂଶାବତାର ବୋଲି କୁହାଯାଇଥାଏ ପୁନଶ୍ଚ ବଳରାମ ଦାସଙ୍କ ଭାବ ସମୁଦ୍ର ଗ୍ରନ୍ଥରେ ଉଲ୍ଲେଖ ଅନୁଯାୟୀ ଉତ୍କଳ ର ପଞ୍ଚସଖା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ସୃଷ୍ଟି ଏବଂ ଅତିବଡ଼ି ଜଗନ୍ନାଥ ଦାସ ମହାପ୍ରଭୁ ଜଗନ୍ନାଥଙ୍କ ବାମ ବାହୁ ବା ରାଧା ଅଙ୍ଗରୁ ଉତ୍ପତି ହୋଇଛନ୍ତି ! ତାଙ୍କ ପିତାଙ୍କ ନାମ ଭଗବାନ ଦାସ ଓ ମାତାଙ୍କ ନାମ ପଦ୍ମାବତୀ । ଭଗବାନ ଦାଶ ମହାରାଜା ପୁରୁଷୋତ୍ତମ ଦେବଙ୍କର ପୌରାଣିକ ଥିଲେ ।

ଜଗନ୍ନାଥ ଦାସ ସଂସାର କୋଳାହଳ ବର୍ଜ୍ଜିତ ସମୁଦ୍ରତୀରବର୍ତ୍ତୀ ବାଲୁକାମୟ ଭୂମିରେ ଏକ ନିର୍ଜନ ଭଜନକୁଟୀର ସ୍ଥାପନ କଲେ । ଏହାର ନାମ ସାତଲହଡ଼ି ମଠ ।ଅଦ୍ୟାବଧି ବିଦ୍ୟମାନ ଏହି ମଠଟି ଶଙ୍କରାଚାର୍ଯ୍ୟମଠର ଦକ୍ଷିଣରେ ଅବସ୍ଥିତ । ଏଠାରେ ଜଗନ୍ନାଥ ଦାସଙ୍କର ମଣିବିଗ୍ରହ (ପ୍ରସ୍ତର—ମୂର୍ତ୍ତି) ବିଦ୍ୟମାନ । କଥିତ ଅଛି ଜଗନ୍ନାଥ ଦାସ ସମୁଦ୍ର ତରଙ୍ଗର ଘୋର ଗର୍ଜନ ଯୋଗୁଁ ଭଜନସ୍ମରଣରେ ଅସୁବିଧା ଅନୁଭବ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କୃପାପ୍ରାର୍ଥୀ ହୋଇ ଜଗନ୍ନାଥ ଦାସ ସମୁଦ୍ରକୁ ସାତ ସ୍ତର ଲହରୀର ଦୂରତା ପର୍ଯ୍ୟନ୍ତ ଦୂରକୁ ଘୁଞ୍ଚି ଯିବାକୁ ଆଦେଶ ଦେଇଥିଲେ । ତେଣୁ ସେହି ଦିନଠାରୁ ଉକ୍ତ ମଠଟିର ନାମ ସାତଲହଡ଼ି ମଠ ହୋଇଅଛି ।

ଜଗନ୍ନାଥ ଦାସ ଜଣେ ଓଡ଼ିଆ କବି ଓ କୃଷ୍ଣ ପ୍ରେମର ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତ ସମାହାର; ଶ୍ରୀଅଚ୍ୟୁତାନନ୍ଦ ଦାସ, ଶ୍ରୀବଳରାମ ଦାସ, ଶ୍ରୀଶିଶୁ ଅନନ୍ତ ଦାସ, ଶ୍ରୀଯଶୋବନ୍ତ ଦାସଙ୍କ) ଭିତରୁ ଜଣେ ।
ଏହି ପଞ୍ଚସଖା ଓଡ଼ିଶାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ “ଭକ୍ତି” ଧାରାର ଆବାହକ ଥିଲେ । ଶ୍ରୀଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ “ଅତିବଡ଼ି” ଡାକୁଥିଲେ (ଅର୍ଥାତ “ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ”‌) । ଜଗନ୍ନାଥ ଓଡ଼ିଆ ଭାଗବତ ଓ ବହୁ ଗ୍ରନ୍ଥ ରଚନା କରିଥିଲେ ।

ଉପସ୍ଥାପନା: ଆଫତାବ ହୋସେନ

ଷଠୀ ଓଷା।

ଭାଦ୍ରବ ମାସର ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଷଷ୍ଠୀ ଦେବୀଙ୍କର ଆରଧନା କରାଯାଏ। ଦୁର୍ଗା ବା ପ୍ରକୃତି ଙ୍କ କଳା ଷଷ୍ଠୀ ଓ ସ୍କନ୍ଦ ଭାର୍ଯ୍ୟା। ଏ ଷୋଡଶମାତୃକା ମଧ୍ୟରେ ପ୍ରଧାନ ଦେବୀ ।ଏହାଙ୍କର ଅନ୍ୟ ନାମ ଦେବସେନା।ଏହାଙ୍କର ପ୍ରସାଦ ରେ ପୁତ୍ରପୌତ୍ରାଦି ଲାଭ ହୁଏ ଓ ଜଗତର ଶିଶୁମାନଙ୍କର ପାଳିକା ଓ ରକ୍ଷାକାରିଣୀ।ପିଲା ଜନ୍ମ ହେବାର ଷଷ୍ଠ “ଷଠୀ ବା ଏକୋଇଶିଆ ଦିନ ଏହାଙ୍କ ପୂଜା କରାଯାଏ ।ଅପୁତ୍ରିକ ବ୍ଯକ୍ତି ଏକବର୍ଷ ପର୍ଯ୍ୟନ୍ତ ସ୍ତବ ଶ୍ରବଣ କଲେ ପୁତ୍ର ସନ୍ତାନ ଲାଭ ହୁଏ ଓ ରୁଗ୍ଣ ସନ୍ତାନ ନୀରୋଗ ହୁଏ ।ସନ୍ତାନବତୀ ରମଣୀ ମାନେ ନିଜ ନିଜ ର ସନ୍ତାନମାନଙ୍କ ମଙ୍ଗଳାର୍ଥେ ପ୍ରତି ମାସର ଶୁକ୍ଳ ଷଷ୍ଠୀ ପାଳନ କରିବା ବିଧେୟ।

ଶାସ୍ତ୍ର ମତରେ, ଏ ଭର୍ତ୍ତାଙ୍କ ଚକ୍ଷୁରେ ସୁନ୍ଦରୀ ଓ ଯୁବତୀରୂପ ଧାରଣ କରନ୍ତି ଏବଂ ଶିଶୁ ମାନଙ୍କର ରକ୍ଷିକାରୂପେ ମାତୃରୂପି,ଦୟାରୂପି,ବୃଦ୍ଧରୂପା ଓ ଯୋଗିନୀ ରୂପା ହୁଅନ୍ତି। ସୂତିକାଗାରରେ ଶିଶୁଜନ୍ମର ଷଷ୍ଠ ଦିନ ରେ କାନ୍ଥ ରେ ଏହାଙ୍କର ରୂପ ଗଢାଯାଇ ବା ପିତୁଳା ସ୍ଥାପିତ ହୋଇ ପୂଜାକରାଯାଏ ।ଏ ସୁପୁତ୍ରଦା ଓ ସୁଖଦା ଅଟନ୍ତି ।କଥିତ ଅଛି ଯେ, ଏ ଦେବୀ ସର୍ବଦା ଶିଶୁ ମାନଙ୍କୁ ଜଗିଥାନ୍ତି।ଶିଶୁ ଶୋଇପଡିଲେ ତାକୁ ଉଠାଇ ଦେଇଥାନ୍ତି ଓ ଶିଶୁ ଶୋଇଥିବା ସମୟରେ ତାଙ୍କୁ ସ୍ବପ୍ନ ଦେଖାଇ ହସାଇଥାନ୍ତି ଓ କନ୍ଦାଇଥାନ୍ତି।ପ୍ରତି ଶୁକ୍ଳ ଷଷ୍ଠୀ ରେ ଓ ବିଶେଷତଃ ଭାଦ୍ରବ ଶୁକ୍ଳ ଷଷ୍ଠୀ ରେ (ଷଠୀ ଓଷା ରେ) ଏହାଙ୍କର ବିଶେଷ ପୂଜା କରାଯାଏ ।

ଏହାଙ୍କୁ ଶାଳଗ୍ରାମ ଶିଳା ରେ ଘଟରେ ଓ ବଟମୂଳରେ ତଥା କାନ୍ଥ ରେ ମାଟିରେ ପିତୁଳାସ୍ଥାପନ କରି ପୂଜା କରାଯାଇଥାଏ ।ଏହାଙ୍କ ଧ୍ୟାନ ରେ ଏହାଙ୍କୁ ରତ୍ନଭୂଷଣ ଭୂଷିତା ଓ ପବିତ୍ର ରୂପା ବୋଲି ବର୍ଣ୍ଣିତ ହୋଇଅଛନ୍ତି । ଏହାଙ୍କର ଅଷ୍ଟାକ୍ଷର ମନ୍ତ୍ର “ନୌ ହ୍ରୀଂ ଷଷ୍ଠୀଦେବ୍ୟୈ ସ୍ଵାହା”।।ବ୍ରହ୍ମବୈବର୍ତ୍ତ ପୂରାଣ ପ୍ରକୃତି ଖଣ୍ଡ ୧ମ ଓ ୪ର୍ଥ ଅଧ୍ୟାୟରେ ଏହାଙ୍କର ପୂଜାବିଧି ବର୍ଣ୍ଣିତ ହୋଇଛି। ଷଠୀ ଓଷା ଦିନ ଘରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଷଷ୍ଠୀ ଦେବୀ ଙ୍କ ନିକଟରେ ସମର୍ପଣ କରାଯାଏ।

ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ଦାଶିଆ ଅଜା।

ମଣିଷ ଆପଣା ଧନପର, ଯେତେ ପାରୁଛ ମଣିଷ ଧର ବୋଲି ବାଣୀର ଉଦ୍ୟକ୍ତା ଦାଶିଆ ଅଜା ପାଠଗାର ଆନ୍ଦୋଳନର ପ୍ରମୂଖ ପୁରୋଧା । ଦାଶିଆ ଅଜା ତଥା ଦାଶରଥି ପଟ୍ଟନାୟକ ୧୯୦୭ ମସିହା ଜୁଲାଇ ୧୨ ତାରିଖ ଦିନ ନୟାଗଡ଼ ନିକଟସ୍ଥ ଚାହାଳୀ ପଞ୍ଚାୟତର ରାଇପୁର ଗ୍ରାମରେ ବାଞ୍ଛାନିଧି ପଟ୍ଟନାୟକ ଓ ପାର୍ବତୀ ଦେବୀଙ୍କ ପୁତ୍ର ଭାବେ ଜନ୍ମ ଗ୍ରହଣ କରିଥିଲେ  । ୧୯୨୨ରେ ରାଇପୁରରୁ ନୂଆଗାଁ ଠାରୁ ୪ କିଲୋମିଟର ଉଦୟପୁରକୁ ଆସି ଏହାକୁ ନିଜର କର୍ମଭୂମୀ ରୂପେ ପରିଚିତ ହୋଇଥିଲା  । ଆଜି ପ୍ରବାଦପୁରୁଷ ଦାଶରଥିଙ୍କ ପାଇଁ ଏକ ମହାନ ପୀଠ ଜାତୀୟ ତୀର୍ଥ କ୍ଷେତ୍ରରେ ପରିଣତ ହୋଇପାରିଛି  । ଦାଶରଥି ନିଜର ପାରିବାରିକ ଆର୍ଥିକ ବିଡ଼ମ୍ବନା ପରିସ୍ଥିତି ଦୃଷ୍ଟିରୁ ଚାଟଶାଳୀରେ ମାତ୍ର ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ  । ଚଳିବାକୁ ଏଠି ସେଠି ସବୁଆଡ଼େ ବୁଲିଲେ । ବିଭିନ୍ନ ଆଡ଼େ ଚାକିରି ପାଇଁ ବୁଲି ଚାଲିଲେ । ନିଜର ପ୍ରାରମ୍ଭିକ ଜୀବନରେ ହଳିଆ, ରାନ୍ଧୁଣିଆ, ବୋଲକରା, ଚପରାଶି, ପୋଲିସ ଏବଂ ଜଙ୍ଗଲ ଓ ଶିକ୍ଷା ବିଭାଗର କର୍ମଚାରୀ, ସର୍ବରାକାର, ଭୂଦାନକର୍ମୀ, ସର୍ଭେ ଟ୍ରେନିଙ୍ଗ କେନ୍ଦ୍ରର ପରିଚାଳକ ଭାବେ କାର୍ଯ୍ୟ କରି ଶେଷରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀ ଭାବରେ ସରକାରଙ୍କଠାରୁ କୌଣସି ଭା ଗ୍ରହଣ କରିନଥିବା ଦାଶରଥି ନିଜ ଜୀବନ ଅପରାହ୍ନରେ ୧୯୫୦ ମସିହାଠାରୁ ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ନିଜ ଶରୀରରୁ ରକ୍ତ ନିଗାଡ଼ି, ଖଣ୍ଡିଏ ଗାମୁଛା ପିନ୍ଧି ଓ ଖଣ୍ଡିଏ ଗାମୁଛା ମୁଣ୍ଡରେ ଠେକାବାନ୍ଧି କାନ୍ଧରେ ଏକ ଝୁଲାମୁଣି ଓହଳାଇ ସମଗ୍ର ଓଡ଼ିଶାର ଗାଁ ଗହଳିଠାରୁ ଆରମ୍ଭ କରି ସହର ବଜାର ଘରଦ୍ୱାର ବୁଲି ବୁଲି ପାଦରେ ଚାଲି ଚାଲି ରାଜ୍ୟ ଓ ଦେଶବାସୀଙ୍କ କଲ୍ୟାଣ ସାଧନ ଉଦ୍ଦେଶ୍ୟରେ ଏବଂ ଗ୍ରାମାଳର ଜନସାଧାରଣଙ୍କୁ ପାଠାଗାର ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ଓ ଦେଶ ବିଦେଶ ପାଠକ, ଗବେଷକମାନଙ୍କ ପାଇଁ ଗବେଷଣା ତଥ୍ୟ ଯୋଗାଇ ଦେବା ସହ ଓଡ଼ିଶାର ପ୍ରାଚୀନ ପରମ୍ପରା, ଐତିହ୍ୟ ଓ ସଂସ୍କୃତିର ପ୍ରଚାର, ପ୍ରସାର ଏବଂ ଓଡ଼ିଆ ସାହିତ୍ୟର ବିକାଶ ପାଇଁ ପାଇଁ କାର୍ଯ୍ୟ କରିଥିଲେ । ସାଧକ ଦାଶରଥି ନିଜର ଏକନିଷ୍ଠ ସାଧନାରେ ୩ ଗୋଟି ମହାନ ସଂସ୍ଥାନ ଗଢ଼ିଉଠିଥିଲା । ୧୯୫୯ରେ ବାଞ୍ଛାନିଧି ପାଠାଗାର, ୧୯୭୩ରେ ଶ୍ରୀଅରବିନ୍ଦ ସଂଗ୍ରହାଳୟ ଓ ୧୯୭୫ରେ ଯଦୁମଣି ସାହିତ୍ୟ ସଂସଦ ଅନୁଷ୍ଠାନ ଗଢ଼ିଥିଲେ । ପାଠାଗାରକୁ ୧୯୫୯ରେ ରମାଦେବୀ ଉଦ୍‌ଘାଟନ କରିଥିଲେ । ୧୯୯୫ରେ ଦାଶରଥି ପଟ୍ଟନାୟକ ଲାଇବ୍ରେରୀ ଟ୍ରଷ୍ଟ ଗଠିତ ହେଲା । ୧୯୯୬ରେ ପ୍ରଫେସର ଡଃ. ବିକ୍ରମ ଦାଶ ଚନ୍ଦ୍ରମଣ୍ଡଳ ପଥର, ରୂପା ସୁନା ପଥର ଆମେରିକାରୁ ଆଣି ଦାଶରଥିଙ୍କୁ ଉପହାର ଦେଇଥିଲେ । ଦାଶରଥିଙ୍କ ବିବାହ ୧୯୪୦ ମସିହାରେ ଖାଲମନା ଗ୍ରାମରେ ହୋଇଥିଲା । ଏହି ମହାନ କାର୍ଯ୍ୟରେ ନିଜ ସ୍ତ୍ରୀ ପୌଷମାସୀ ଦେବୀ ନିଜ ଦାମ୍ପତ୍ୟ ଜୀବନର ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟକୁ ତ୍ୟାଗ କରି ନିଜେ ସମର୍ପି ଦେଇଥିଲେ ଦାଶରଥିଙ୍କ ସୁଦୀର୍ଘ ସଂସ୍କୃତି ଯାତ୍ରାରେ । ଏହି ପାଠାଗାରରେ ପୃଥିବୀର ବିଭିନ୍ନ ଭାଷାର ପୁରାତନ ଓ ଆଧୁନିକ ୨୫୫୦ ପ୍ରକାରର ପୁସ୍ତକ, ୪୦ ହଜାର ବିରଳ ପୁସ୍ତକ, ୩୮ଟି ଭାଷାର ଅଭିଧାନ ସମେତ ୬୫ ହଜାର ପତ୍ର ପତ୍ରିକା ଏବଂ ବିଭିନ୍ନ ପ୍ରକାରର ପୁରାତନ ଏବଂ ଆଧୁନିକ ସମ୍ବାଦପତ୍ରମାନ ସଂଗୃହୀତ ହୋଇ ରହିଛି  । ସଂଗ୍ରହାଳୟରେ ୧ ହଜାର ୫ ଶହ ପୁରାତନ ତାଳପତ୍ର ପୋଥି ଏବଂ ଚିତ୍ରପୋଥି ସମେତ ଆଦିମ ଯୁଗଠାରୁ ର୍ବମାନ ଯୁଗ ପର୍ଯ୍ୟନ୍ତ ଦେଶ ବିଦେଶର ବହୁ ପ୍ରାଚୀନ ସ୍ୱର୍ଣ୍ଣ, ରୌପ୍ୟ, ତାମ୍ରମୁଦ୍ରା, ପୁରାତନ ଯୁଗର ଅସ୍ତ୍ରଶସ୍ତ୍ର, ଦେଶ ବିଦେଶର ଖଣି ସମ୍ପଦର ଉପାଦାନ, ବିଭିନ୍ନ କାଠ ସାମଗ୍ରୀ ଚାରୁଶିଳ୍ପର ବହୁ ପୁରାତନ ଓ ନୂତନ ର୍ମୂି, ଚିତ୍ର, ପଟ୍ଟଚତ୍ର କାଠ, କାର୍ପାସ, କାଗଜ, ବାଉଁଶ ଓ ବିଭିନ୍ନ ଧାତୁର ଅନେକ ହସ୍ତଶିଳ୍ପ, ପ୍ରାଗ୍ ଐତିହାସିକ ପ୍ରସ୍ତର ଯୁଗର ବିଭିନ୍ନ ପ୍ରକାରର ର୍ମୃିକ ସିଲ୍‌, ଆଦିବାସୀ ସଭ୍ୟତାର ବେଶ ପୋଷାକ, ଅଳଙ୍କାର ତଥା ଅନ୍ୟାନ୍ୟ ଉପାଦାନ, ସଙ୍ଗୀତ ଯନ୍ତ୍ରପାତି, ଦେଶ ବିଦେଶର ଅନେକ ପ୍ରକାର ଡାକଟିକଟ, ମହାପୁରୁଷ ସାଧୁସନ୍ଥମାନଙ୍କର ଜନ୍ମାମାଟି, ପାଣି ଓ ସେମାନେ ବ୍ୟବହାର କରୁଥିବା ବିଭିନ୍ନ ପଦାର୍ଥ, ଅଗଣିତ ଫଟୋଚିତ୍ର, ବିଭିନ୍ନ ପ୍ରକାରର ଖାଦ୍ୟ ଶସ୍ୟ, ତୈଳବୀଜର ନମୁନା, ଅନେକ ଫଳଫୁଲର ପ୍ରାକୃତିକ ନମୁନା, ବିଭିନ୍ନ ଦେଶର ମାନଚିତ୍ର, ପୁରାତନ ଯୁଗର ମାପ ଓ ଓଜନର ଏକକମାନ, କମଣ୍ଡଳ ପଥର, ବିଭିନ୍ନ ପ୍ରକାରର ଦୀପ ଓ ମାଟିପାତ୍ର, ଚେରମୂଳ ତଥା ଲତା ଗୁଳ୍ମ, ରାଜା ରାଜୁଡ଼ା ଅମଳର ଦସ୍ତାବିଜ, ଅମୂଲ୍ୟ ଚିଠିପତ୍ର ଏପରିକି ଦୁର୍ମୁଲ୍ୟ ପଦାର୍ଥମାନ ସଂଗ୍ରହାଳୟରେ ୪୦ ଗୋଟି ବିଭାଗରେ ସଂଗୃହିତ ହୋଇ ରହିଛି । ଏହି ମହାପୁରୁଷଙ୍କ ଶେଷ ଜୀବନ ଅତ୍ୟନ୍ତ ଦୁଃଖମୟଥିଲା । ଦିନେ ଦେଖିଲାବେଳକୁ ହାତରେ ବାଡ଼ି ନଥିଲା । ଗାମୁଛାରେ ଖଣ୍ଡିଏ ଚିଠି ସହ ଲଙ୍ଗଳା ଦେହଟା ଗାଁ ପାଖ କୁଅ ପାଣିରେ ଭାସୁଥିଲା । କେହି ଦେଖିପାରିଲେ ନାହିଁ, କେହି ଜାଣିପାରିଲେନି ଲଙ୍ଗଳା ଫକିରର ପୁଙ୍ଗୁଳା କଥା । ସତକୁ ସତ ତାଙ୍କ କବିତା ତାଙ୍କ ପାଇଁ ସତ ହୋଇଗଲା । ତାଙ୍କର କବିତା-
“କେହି ନଜାଣିବେ କେହି ନଦେଖିବେ ନକାନ୍ଦିବେ ଥରେ କେହି-
ଚାଲିଯିବି ଏକା, ଏତିକି ମାଗୁଣି ତୁମ୍ଭନାମ ଗାଇ ଗାଇ  ।”

ଗଣପର୍ବ ନୂଆଖାଇ।

ନୂଆଖାଇ ଯୁହାର ସଭିଙ୍କୁ।
ଆମେ ଆମର ମାଟିକୁ ମାଆ ବୋଲି କହୁ ଓ ଧାନକୁ ଲକ୍ଷ୍ମୀ ବୋଲି କହୁ। ତେବେ ଏ ନୂଆଖାଇ ପର୍ବଟି ହେଉଛି ଆମ ମାଟି ମାଆ ଓ ତାର ଫସଲର ପର୍ବ। ଏହା ଏକ କୃଷି ଭିତ୍ତିକ ପର୍ବ,ଏମିତି ଦେଖିବାକୁ ଗଲେ ଓଡି଼ଶାର ଅଧା ପର୍ବ କୃଷି ଭିତ୍ତିକ ହିଁ ହୋଇଥାଏ। କିନ୍ତୁ ଏ ନୂଆଖାଇ ପର୍ବ ଏକ ନିଆରା ପର୍ବ ଏକ ଭାଇଚାରାର ପର୍ବ ଆନନ୍ଦ ଉଲ୍ଳାସର ପର୍ବ ଓ ଏକତାର ପର୍ବ।କାଇଁ କେଉଁ ଆବାହମାନ କାଳରୁ ଚାଲି ଆସୁଛି ଏ ପରମ୍ପରା।

ବିଶେଷତଃ ଏହା ଏକ ଗଣ ଓ କୃଷି ପର୍ବ ଯାହାକି ମୁଖ୍ୟତଃ ଓଡି଼ଶାର ପଶ୍ଚିମ ଭାଗରେ ବା ପଶ୍ଚିମ ଓଡି଼ଶାରେ ପାଳନ କରାଯାଏ। ଏହାର ପରମ୍ପରା ନୀତି ସ୍ବତନ୍ତ୍ର ଓ ନିଆରା। ଆମେ ଓଡି଼ଶାରେ ଲକ୍ଷ କରେ ବା ଓଡି଼ଶା ଏକ କୃଷି ପ୍ରଧାନ ଦେଶ ଅତୀତରେ ପ୍ରତ୍ୟେକ ଲୋକ କୃଷକ ଥିଲେ ଚାଷ କାମ କରୁଥିଲେ। ଏଣୁ କୃଷି ବା ଚାଷ ହିଁ ଆମର ପ୍ରଧାନ କର୍ମ ଥିଲା ଏହାକୁ ନେଇ ଲୋକମାନେ ଜୀବନ ଜୀବିକା ନିର୍ବାହ କରୁଥିଲେ। ଏଥିପାଇଁ ସେ ଏହି କର୍ମକୁ ଏକ ପର୍ବ ରୂପରେ ପାଳନ କରୁଥିଲେ ଓ ପୂଜା ମଧ୍ୟ କରୁଥିଲେ ଓ ଏହାର ଅନ୍ତିମ କର୍ମ ବା ସେହି କୃଷିରୁ ଯେଉଁ ସବୁ ଫଳ ବା ଶଷ୍ୟ ଉତ୍ପାଦନ ହେଉଥିଲା ତାହାଙ୍କୁ ତାଙ୍କ ଇଷ୍ଟ ଦେବୀଙ୍କ ନିକଟରେ ସମର୍ପଣ ଅରୁଥିଲେ,ତେଣୁ ଏହା ଏକ ଆନନ୍ଦର ପର୍ବ କାରଣ କୃଷକ ଭାଇ ମାନଙ୍ଅର ଅକ୍ଳାନ୍ତ ପରିଶ୍ରମରେ ହିଁ ଏହି ଶସ୍ୟ ଅମଳ ହୋଇଥାଏ ତେଣୁ ଏହି ଦିନକୁ ସେମାନେ ଉଲ୍ଲାସରେ ପାଳନ କରିଥାନ୍ତି।

ଆମର ପଶ୍ଚିମ ଓଡି଼ଶାରେ ଘରେଘରେ ଏହା ପାଳନ କରାଯାଏ ଘରର ଯଦି କୌଣସି ସଦସ୍ୟ ଯଦି ବାହାରେ ବସବାସ କରନ୍ତି ଏ ସମୟରେ ଘରକୁ ଆସନ୍ତି ନୂଆଖାଇ ପାଳନ କରିବାକୁ ଓ ନବାନ୍ନ ଭକ୍ଷଣ କରିବାକୁ। ଏହା ଯୌଥ ପରିବାରରେ ବହୁତ ଆଡ଼ମ୍ବର ସହ ପାଳନ କରଯାଏ,ସଭିଏଁ ଗୋଟିଏ ସ୍ଥାନରେ ଭେଟ ହୋଇ ଆନନ୍ଦ ଉଲ୍ଲାସ କରୁଥିବାରୁ ଏହାକୁ ନୂଆଖାଇ ଭେଟଘାଟ କୁହାଯାଏ। ତେବେ ସମ୍ବଲପୁର ଅଞ୍ଚଳରେ ମାଆ ସମଲେଇଙ୍କ ନିକଟରେ ଏହା ବିଶେଷ ଆଡ଼ମ୍ବର ସ୍ବତନ୍ତ୍ର ଭାବେ ପାଳନ କରାଯାଏ।ଏହା ସହିତ ମାଆ ମାଣିକେଶ୍ବରୀ, କିଚକେଶ୍ବରୀ ଇତ୍ୟାଦି ପୀଠରେ ମଧ୍ୟ ବହୁତ ଧୁମଧାମରେ ଏହାକୁ ପାଳନ କରାଯାଏ। ସକାଳୁ ସକାଳୁ ସ୍ନାନ ସାରି ଘରର ନାରୀମାନେ ଚୁଲିକୁ ଲିପା ପୋଛା କରି ନୂତନ ଉତ୍ପାଦିତ ଶଷ୍ୟରେ ପିଠା,ମିଠା,ଖିରି,ପୁରି ଇତ୍ୟାଦି ନିର୍ମାଣ କରି ରଖନ୍ତି ସେହି ପରି ମନ୍ଦିରରେ ମଧ୍ୟ ଏହା ହୋଇ ଏକ ନିର୍ଦ୍ଧାରିତ ସମୟରେ ପ୍ରସ୍ତୁତ ନବାନ୍ନକୁ ମାଆଙ୍କ ନିକଟରେ ସମର୍ପଣ ବା ନୈବେଦ୍ୟ ଅର୍ପଣ କରାଯାଏ। ଏହିପରି ଘରେଘରେ ନିଜ ଇଷ୍ଟଦେବୀଙ୍କ ନିକଟରେ ମଧ୍ୟ ନବାନ୍ନ ନୈବେଦ୍ୟ ହେଲାପରେ ସମସ୍ତେ ଘରର ଏକାଠି ବସିକରି ଆବାଳ ବୃଦ୍ଧବନିତା ସେହି ନୈବେଦ୍ୟକୁ ସେବନ କରନ୍ତି ପ୍ରଥମେ ଘରର ମୁରବୀ ଅର୍ଥ ଜ୍ୟେଷ୍ଠ ବ୍ୟକ୍ତି ହିଁ ନବାନ୍ନ ଭକ୍ଷଣ କରନ୍ତି ଏହାପରେ ଭେଟଘାଟ ଉତ୍ସବ ପାଳନ କରାଯାଇଥାଏ।

ସମସ୍ତେ ନୂତନ ବସ୍ତ୍ର ଇତ୍ୟାଦି ଧାରଣ କରି ମାଆଙ୍କୁ ଆରାଧନା କରନ୍ତି ଓ ଜ୍ୟେଷ୍ଠ ବ୍ୟକ୍ତିଙ୍କ ଠାରୁ ଘରର ଛୋଟପିଲାମାନେ ଆଶୀର୍ବାଦ ଭିକ୍ଷା କରନ୍ତି। ପରେପରେ ଭେଟଘାଟ ପର୍ବରେ ବାର୍ତ୍ତାଳାପ ଠାରୁ ଆରମ୍ଭ କରି ସଂଗୀତ ନୃତ୍ୟ ମନାନ୍ତର ମତାନ୍ତର ମଧ୍ୟ ଉଭୟ ଉଭୟ ମଧ୍ୟରେ ଭାବରେ ଖୁସିରେ ହୋଇଥାନ୍ତି। ତେଣୁ ଏ ପର୍ବ ଏକ ଗଣପର୍ବ, ସଂଘତୀର ପର୍ବ ଭାଇଚାରାର ପର୍ବ।ମାଟି ମାଆ ସହ ଯୋଡି଼ହୋଇ ରହିଥିବା ଏ ପରମ୍ପରା ସବୁଠାରୁ ନିଆରା। ଏ ପର୍ବ ଏକ ସ୍ବତନ୍ତ୍ର ଓ ମାଟି ମାଆ ସହ ଯୋଡି଼ ହେବାର ଏକ ମହନୀୟ ପରମ୍ପରା।

ଉପସ୍ଥାପନା: ଆଫତାବ ହୋସେନ