ଓଡିଆର ପ୍ରିୟ ଓଡିଆ ଭାଗବତର ରଚୟିତା ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଓ ପ୍ରଣିପାତ।
ସେ ଜଗନ୍ନାଥ ଚକ୍ରଧର ।। ଚକ୍ର ରେ କାଟେ ମାୟା ଘୋର
ତାଙ୍କ ମହିଁମା ଯେଉଁ ମାନେ ।। ଶୁଣନ୍ତି ଶୁଣାନ୍ତି ଗାୟନେ
ତାଙ୍କର କର୍ମ ବନ୍ଧ ନାହିଁ ।। ସଂସାର ମାୟା ନ ଲାଗଇଁ
ଅନ୍ତେ ସେ ବୈଇକୁଣ୍ଠ ପାନ୍ତି ।। ସକଳ ପାପ ରୁ ତରନ୍ତି
ବାସୁଦେବ ର ପାଦ ଚିନ୍ତ ।। କହଇଁ ଦାସ ଜଗନ୍ନାଥ
୧୪୯୦ ଖ୍ରୀଷ୍ଟାଦ୍ଦ ଭାଦ୍ରବମାସ ଶୁକ୍ଲପକ୍ଷ ଅଷ୍ଟମୀ ଅନୁରାଧା ନକ୍ଷତ୍ର ବୁଧବାର ଦିନ ମଧ୍ୟାହ୍ନ ସମୟରେ କପିଳେଶ୍ଵରପୁର ଶାସନରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିଲେ । ଯେଉଁ କ୍ଷଣରେ ବୃଷଭାନୁ ନନ୍ଦିନୀ ମାରାଧା ରାଣୀ ଦେବୀଙ୍କର ଜନ୍ମ ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି, ଠିକ ସେହିକ୍ଷଣରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ରାଧାଙ୍କର ଅଂଶାବତାର ବୋଲି କୁହାଯାଇଥାଏ ପୁନଶ୍ଚ ବଳରାମ ଦାସଙ୍କ ଭାବ ସମୁଦ୍ର ଗ୍ରନ୍ଥରେ ଉଲ୍ଲେଖ ଅନୁଯାୟୀ ଉତ୍କଳ ର ପଞ୍ଚସଖା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ସୃଷ୍ଟି ଏବଂ ଅତିବଡ଼ି ଜଗନ୍ନାଥ ଦାସ ମହାପ୍ରଭୁ ଜଗନ୍ନାଥଙ୍କ ବାମ ବାହୁ ବା ରାଧା ଅଙ୍ଗରୁ ଉତ୍ପତି ହୋଇଛନ୍ତି ! ତାଙ୍କ ପିତାଙ୍କ ନାମ ଭଗବାନ ଦାସ ଓ ମାତାଙ୍କ ନାମ ପଦ୍ମାବତୀ । ଭଗବାନ ଦାଶ ମହାରାଜା ପୁରୁଷୋତ୍ତମ ଦେବଙ୍କର ପୌରାଣିକ ଥିଲେ ।
ଜଗନ୍ନାଥ ଦାସ ସଂସାର କୋଳାହଳ ବର୍ଜ୍ଜିତ ସମୁଦ୍ରତୀରବର୍ତ୍ତୀ ବାଲୁକାମୟ ଭୂମିରେ ଏକ ନିର୍ଜନ ଭଜନକୁଟୀର ସ୍ଥାପନ କଲେ । ଏହାର ନାମ ସାତଲହଡ଼ି ମଠ ।ଅଦ୍ୟାବଧି ବିଦ୍ୟମାନ ଏହି ମଠଟି ଶଙ୍କରାଚାର୍ଯ୍ୟମଠର ଦକ୍ଷିଣରେ ଅବସ୍ଥିତ । ଏଠାରେ ଜଗନ୍ନାଥ ଦାସଙ୍କର ମଣିବିଗ୍ରହ (ପ୍ରସ୍ତର—ମୂର୍ତ୍ତି) ବିଦ୍ୟମାନ । କଥିତ ଅଛି ଜଗନ୍ନାଥ ଦାସ ସମୁଦ୍ର ତରଙ୍ଗର ଘୋର ଗର୍ଜନ ଯୋଗୁଁ ଭଜନସ୍ମରଣରେ ଅସୁବିଧା ଅନୁଭବ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କୃପାପ୍ରାର୍ଥୀ ହୋଇ ଜଗନ୍ନାଥ ଦାସ ସମୁଦ୍ରକୁ ସାତ ସ୍ତର ଲହରୀର ଦୂରତା ପର୍ଯ୍ୟନ୍ତ ଦୂରକୁ ଘୁଞ୍ଚି ଯିବାକୁ ଆଦେଶ ଦେଇଥିଲେ । ତେଣୁ ସେହି ଦିନଠାରୁ ଉକ୍ତ ମଠଟିର ନାମ ସାତଲହଡ଼ି ମଠ ହୋଇଅଛି ।
ଜଗନ୍ନାଥ ଦାସ ଜଣେ ଓଡ଼ିଆ କବି ଓ କୃଷ୍ଣ ପ୍ରେମର ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତ ସମାହାର; ଶ୍ରୀଅଚ୍ୟୁତାନନ୍ଦ ଦାସ, ଶ୍ରୀବଳରାମ ଦାସ, ଶ୍ରୀଶିଶୁ ଅନନ୍ତ ଦାସ, ଶ୍ରୀଯଶୋବନ୍ତ ଦାସଙ୍କ) ଭିତରୁ ଜଣେ ।
ଏହି ପଞ୍ଚସଖା ଓଡ଼ିଶାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ “ଭକ୍ତି” ଧାରାର ଆବାହକ ଥିଲେ । ଶ୍ରୀଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ “ଅତିବଡ଼ି” ଡାକୁଥିଲେ (ଅର୍ଥାତ “ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ”) । ଜଗନ୍ନାଥ ଓଡ଼ିଆ ଭାଗବତ ଓ ବହୁ ଗ୍ରନ୍ଥ ରଚନା କରିଥିଲେ ।
ଉପସ୍ଥାପନା: ଆଫତାବ ହୋସେନ