ଆଜି ସ୍ବାଭାବକବିଙ୍କ ଜୟନ୍ତୀ।

ମୁଁ ତ ଅମୃତ ସାଗର ବିନ୍ଦୁ
ନଭେ ଉଠିଥିଲି ତେଜି ସିନ୍ଧୁ
ଖସି ମିଶିଛି ଅମୃତ ଧାରେ
ଗତି କରୁଛି ସେ ଅକୂପାରେ

ଚମତ୍କାର ଶବ୍ଦ ସଂଯୋଜନା, ଚମତ୍କାର ଭାବାନ୍ତର। ଆଉ ଏହି ସୁନ୍ଦର ଅନୁସୃଜନର ଜନକ ହେଉଛନ୍ତି ସ୍ୱଭାବକବି ଗଙ୍ଗାଧର ମେହେର।ତାଙ୍କୁ ଓଡ଼ିଆ ରୀତି କବି ବୋଲି ମଧ୍ୟ କୁହାଯାଏ। ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ସେ ଏକାଧାରରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।

ବାଲ୍ୟକାଳରୁ ଗଙ୍ଗାଧର କବିତା ଲେଖିବା ଆରମ୍ଭ କରିଥିଲେ। ଓଡ଼ିଶାର ପୁରାତନ କବି ମାନଙ୍କର ପଦାଙ୍କ ଅନୁସରଣ କରି ସେମାନଙ୍କ ଶୈଳୀରେ ସେ ନିଜର ପ୍ରଥମ ଲେଖା ସବୁ ଲେଖିଥିଲେ । ତାଙ୍କର ଆଦ୍ୟ ରଚନାବଳୀ ଭିତରେ ରସରତ୍ନାକର ଓ ଅହଲ୍ୟାସ୍ତବ ଆଦି ଅନ୍ୟତମ। ଏ ଗୁଡ଼ିକ ରୀତି ଯୁଗୀୟ ଶୈଳୀରେ ରଚନା କରାଯାଇଥିଲା। ଏହା ପରେ କବିବର ରାଧାନାଥ ରାୟଙ୍କ ପ୍ରରୋଚନାରେ ସେ ଆଧୁନିକ ଶୈଳୀରେ ଇନ୍ଦୁମତୀ ନାମକ କାବ୍ୟ ରଚନା କରି ଓଡ଼ିଆ ସାହିତ୍ୟର ଆଧୁନିକ କବିମାନଙ୍କ ଭିତରେ ନିଜର ସ୍ଥାନ ସ୍ଥାପିତ କରି ପାରିଥିଲେ। ତାଙ୍କ ଲେଖା ସବୁ ଉତ୍କଳ ଭାରତୀର ଅମୂଲ୍ୟ ରତ୍ନ।

ପ୍ରକୃତିର ବାହ୍ୟ ରୂପ ସହିତ ଆଭ୍ୟନ୍ତରୀଣ ରୂପକୁ ବର୍ଣ୍ଣନା କରିବାରେ କବିଙ୍କର କୃତିତ୍ୱ ପ୍ରଶଂସିତ ହୋଇଛି । ସେ ନିଜ ଲେଖାରେ କେବଳ ଉଚ୍ଚ ଆଦର୍ଶକୁ ସ୍ଥାନ ଦେଇ ନାହାନ୍ତି, ସେଥିରେ ସେ ମାନବତାର ଜୟଗାନ ମଧ୍ୟ କରିଛନ୍ତି । ଛନ୍ଦମାଧୁର୍ଯର ଆଧୁନିକୀକରଣ କରି ସେ ଓଡ଼ିଆ କବିତାରେ ଗାନଯୋଗ୍ୟତା ଭରିଛନ୍ତି । ଅର୍ଘ୍ୟଥାଳି କବିତାମାଳାର ଭକ୍ତି, ଅମୃତମୟ ଓ ମଧୁମୟ କବିତା ଓଡ଼ିଶାର ପୁରପଲ୍ଲୀରେ ଅତିପରିଚିତ କବିତାମାନଙ୍କ ଭିତରୁ ଅନ୍ୟତମ ।

ସେଇ କାଳଯୟୀ କବି ଗଙ୍ଗାଧର ମେହେରଙ୍କର ଆଜି ଜନ୍ମ ତିଥି। ଏ ଅବସରରେ ବୀର କଳିଙ୍ଗ ପରିବାର ତରଫରୁ କବିଙ୍କୁ ଶତ ନମନ ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ।

Share if you Care

One Reply to “ଆଜି ସ୍ବାଭାବକବିଙ୍କ ଜୟନ୍ତୀ।”

Comments are closed.