ଆଜି ମହାପ୍ରଭୁଙ୍କ ପଦ୍ମବେଶ।

ପଦ୍ମଫୁଲ ଆଉ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପର୍କ ଖୁବ ନିବିଡ। ଖାସ ସେଇଥି ପାଇଁ ମହାପ୍ରଭୁଙ୍କ ବିଭିନ୍ନ ଅଙ୍ଗକୁ ପଦ୍ମ ସହ ତୁଳନା କରାଯାଏ । ଫୁଲମାନଙ୍କ ଭିତରେ କମଳ ବା ପଦ୍ମ ଶ୍ରେଷ୍ଠ ହୋଇଥିବାରୁ ମହାପ୍ରଭୁଙ୍କ ବର୍ଷକୁ ଗୋଟିଏ ଥର ପଦ୍ମ ବେଶରେ ସଜ୍ଜିତ କରାଯାଏ। ଏ ବର୍ଷର ଏହି ଶୁଭ ଦିନଟି ହେଉଛି ଆଜି।

ଆଜି ରାତିରେ କାଳିଆ ଠାକୁରଙ୍କ ନିତ୍ୟ ବଡ଼ସିଂହାର ବେଶ ହେବନାହିଁ। ପଦ୍ମ ବେଶରେ ରହି ରାତ୍ର ପହୁଡ଼ ହେବ।

ବେଶର ଇତିହାସ : ସପ୍ତଦଶ ଶତାବ୍ଦୀରୁ ଏହି ବେଶ ହୋଇ ଆସୁଛି ବୋଲି ଗବେଷକମାନେ କୁହନ୍ତି। ଯାହାର ପ୍ରବର୍ତ୍ତକ ହେଉଛନ୍ତି ବଡଛତା ମଠର ସନ୍ଥ ରଘୁବର ଦାସ । ତାଙ୍କ ସମୟରୁ ହିଁ ଏହି ବେଶର ସମସ୍ତ ଖର୍ଚ୍ଚ ମଠ ବହନ କରି ଆସୁଛି।

ବେଶ ପଛର କାହାଣୀ : ଉତ୍ତର ଭାରତର ସନ୍ଥ ମନୋହର ଦାସ। ଶ୍ରୀଜୀଉ ଦର୍ଶନ ପାଇଁ ମାଇଲ ମାଇଲ ଦୂରରୁ ଆସୁଥାନ୍ତି ପୁରୀ। ବାଟରେ ପଦ୍ମ ପୋଖରୀ ଦେଖନ୍ତି। ଶୀତ ଦିନେ ପଦ୍ମ ପୋଖରୀ ପୁଷ୍ପ ପୂର୍ଣ୍ଣ ହୋଇପଡିଥିବାରୁ ସେ ଆଶ୍ଚର୍ଯ୍ୟ ହୁଅନ୍ତି। ଓ ମହାପ୍ରଭୁଙ୍କ ନିମିତ୍ତ ପଦ୍ମ ତୋଳି ଦିଅନ୍ତି। ନିଜ ଅଙ୍ଗବସ୍ତ୍ରରେ ଗୁଡ଼ାଇ ଏହାକୁ ଧରି ବାବାଜୀ ଚାଲନ୍ତି ଶ୍ରୀକ୍ଷେତ୍ର। ହେଲେ ପହଂଚୁ ପହଂଚୁ ବିଳମ୍ବ ହେବାରୁ ମଉଳି ଯାଇ ପଦ୍ମ ଫୁଲ। ସେବକଗଣ ଏହି ଫୁଲ ଲାଗି ହେବା ସମ୍ଭବ ନୁହେଁ କହି ଫିଙ୍ଗି ଦିଅନ୍ତି। ଦୁଃଖରେ ମ୍ରିୟମାଣ ସାଧୁ ମୂର୍ଚ୍ଛା ଯାନ୍ତି ସିଂହଦ୍ୱାର ସମ୍ମୁଖରେ। ଭାବଗ୍ରାହୀ ଜଗନ୍ନାଥ ଭକ୍ତର ଦୁଃଖ ବୁଝନ୍ତି। ଆଉ ସ୍ୱପ୍ନାଦେଶ ହୁଏ ସେହି ମଉଳି ଯାଇଥିବା ପଦ୍ମ ଫୁଲରେ ଶ୍ରୀଅଙ୍ଗ ଶୃଙ୍ଗାର ପାଇଁ। ଦଉଡି ଆସନ୍ତି ଗଜପତି।

ମଉଳି ଯାଇଥିବା ପଦ୍ମ ଲାଗି ହୁଅନ୍ତି ବଡଠାକୁର । ଶୁଷ୍କ ଫୁଲ ଜୀବନ ପାଏ। ଅଶ୍ରୁପାତ ହୁଏ ସାଧୁଙ୍କର। ସେବେଠାରୁ ଆରମ୍ଭ ହୁଏ ପଦ୍ମବେଶ ପରମ୍ପରା। ହେଲେ ଶୀତ ଋତୁରେ ପଦ୍ମ ସଂଗ୍ରହ ସମ୍ଭବ ନୁହେଁ ଭାବି ବଡ଼ଛତା ମଠର ତତ୍କାଳୀନ ମହନ୍ତ ରଘୁବର ଦାସ ଆରମ୍ଭ କରନ୍ତି ଭିନ୍ନ ପରମ୍ପରା। ସୋଲ, କନା, କଇଥ ଅଠା, ରଙ୍ଗରେ ଆରମ୍ଭ ହୁଏ ବେଶ। ସେବେଠାରୁ ନିରବଚ୍ଛିନ୍ନ ଭାବେ ଏହି ବେଶ ଅନୁଷ୍ଠିତ ହେଉଛି। ଏହା ଶ୍ରୀଜୀଉଙ୍କ ଏକ ଆକର୍ଷଣୀୟ ବେଶ। ଯେଉଁଥିରେ ତିନି ଠାକୁରେ ତିନି ପ୍ରସ୍ପୁଟିତ ପଦ୍ମ ହୋଇ ରତ୍ନସିଂହାସନରେ ଛିଡା ହୋଇଥାନ୍ତି । ଏବଂ ଦୁଇ ଯୋଡ଼ା ହଂସ ପଦ୍ମରୁପି ମହାପ୍ରଭୁଙ୍କୁ ଚୁମ୍ବନ ଦେବା ଢଙ୍ଗରେ ରହିଥାନ୍ତି।

ବେଶ ସମୟ : ପ୍ରତିବର୍ଷ ମାଘ ଅମାବାସ୍ୟାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର କିମ୍ବା ଶନିବାର ଏହି ବେଶ ହେବାର ପରମ୍ପରା। ମହାପ୍ରଭୁ କଳା କିମ୍ବା ନୀଳ ଘୋଡ଼ରେ ଥାଇ ଏହି ବେଶ ହୁଅନ୍ତି। ଏହି ବେଶ ଥାଇ ରାତ୍ର ପହୁଡ଼ ହୁଏ। ତହିଁ ପରଦିନ ସକାଳେ ମଧ୍ୟ ଏହି ବେଶ ଦର୍ଶନର ସୁଯୋଗ ଭକ୍ତଙ୍କୁ ମିଳିଥାଏ।

ସାମ୍ପ୍ରତିକ ସ୍ଥିତି : ୨୦୧୧ ମସିହାରେ ଭୁବନେଶ୍ୱରର ଜଣେ ସଂସ୍କୃତ ଶିକ୍ଷକ ଚିନ୍ତାମଣି ଦାଶ ପ୍ରତିବର୍ଷ ଏହିଦିନ ୫ ହଜାର ସଜ ପଦ୍ମଫୁଲ ମହାପ୍ରଭୁଙ୍କ ବେଶ ପାଇଁ ପ୍ରଦାନ କରୁଛନ୍ତି। ଯାହାଙ୍କ ଫୋଟୋ ଏକ ଜଗନ୍ନାଥ ସଂସ୍କୃତି ସମ୍ପକିତ ପୃଷ୍ଠାରୁ ସଂଗୃହିତ କରି ନିମ୍ନରେ ଦେଇଛି।

ଗବେଷଣା ଓ ଉପସ୍ଥାପନା: ମିହିର ପଟ୍ଟନାୟକ

ଯଦୁମଣି ରହସ୍ୟ: ଛାମୁ ଯାହା ଦେଲେ ହରଷେ।

ରାଜା ବିନାୟକ ଯଦୁମଣିଙ୍କୁ ଜମି ଖଣ୍ଡିଏ ନିଷ୍କରରେ ଦେବାକୁ ରାଜ କଚେରିର ବେବର୍ତ୍ତା ପଟ୍ଟନାୟକଙ୍କୁ ଆଦେଶ ଦେଲେ। ଦିନ ପରେ ଦିନ ଅତିବାହିତ ହେଲା। ଯଦୁମଣି ଜମି ପାଇବା ଲାଳସାରେ ବେବର୍ତ୍ତାଙ୍କୁ ପାଞ୍ଚ ଦଶଥର ଜଣାଇଲେ। ଏପରି ଭାବରେ ବର୍ଷଟିଏ ଚାଲିଗଲା। ଶେଷକୁ ସେ ରାଜାଙ୍କୁ ଜଣେଇବେ ବୋଲି କହିବାରୁ ବେବର୍ତ୍ତା ଅତି ନିକୃଷ୍ଟ ଢ଼ିପ ଜମି ଖଣ୍ଡିଏ ଲେଖିଦେଲେ। ଜମି ଦେଖିବାକୁ ଯାଇ ଯଦୁମଣି ହତାଶ ହୋଇ ଫେରିଲେ। ଯେଉଁ ଜମି ତାଙ୍କୁ ଦିଆଯାଇଥିଲା, ତାହା ବହୁକାଳରୁ ପତିତ ହୋଇ ପଡ଼ିଥିଲା। ସେଥିରେ କୋଡ଼ିଏ ପଚିଶ ବର୍ଷ ଧରି କେହି ଫସଲ କରି ନଥିଲେ। ବହୁକାଳ ପୂର୍ବେ କନ୍ଧ କେତେ ଘର, ତାହା ଫସଲ ଲାଗି ତିଆରି କରି ଫସଲ ନ ହେବାରୁ ଛାଡ଼ି ପଳାଇଥିଲେ।
ଯଦୁମଣି ଗୋଟାଏ କିଏ ? ତାକୁ ପୁଣି ଜମି ନିଷ୍କର ଜାଗିରରେ ଦିଆଯିବ, ଏହା ବେବର୍ତ୍ତା ପଟ୍ଟନାୟକ ଏକା କୁହନ୍ତି, ରାଜକର୍ମଚାରୀ କେହି ଜଣେ ହେଲେ ସହିପାରିଲେ ନାହିଁ। ତେଣୁ ‘ସାପ ନ ମରୁ ବାଡ଼ି ନ ଭାଙ୍ଗୁ’ ରୀତିରେ ତାଙ୍କୁ ଜମି ଖଣ୍ଡିକର ଲେଖା ଦିଆଗଲା। ଦାରିଦ୍ର୍ୟ ନିପୀଡ଼ିତ ଯଦୁମଣି ସେ ଜମି ବା ନେଇ କ’ଣ କରିବେ ? ତେଣୁ ସେ ଏକାନ୍ତ ଅସନ୍ତୁଷ୍ଟ ହୋଇ ରାଜାଙ୍କୁ ଲେଖି ଗୋଟିଏ କବିତାରେ ଜଣେଇଲେ :

ଛାମୁ ଯାହା ଦେଲେ ହରଷେ
କରଣ ତା’ କଲେ ବରଷେ
ବାଛି ବାଛି କରି ଦେଲେ ପଡ଼ିଆ
ଶ୍ରାବଣ ମାସରେ ଭାଙ୍ଗେ ନଡ଼ିଆ
ଏମନ୍ତ ସେ ଭୂଇଁ
ଚାକୁଣ୍ଡା ବୁଣିଲେ ଉଠଇ ନାହିଁ ।

ରାଜା ଏ କବିତା ପାଠକରି କ୍ରୋଧରେ ଅଜ୍ଞାନ ହୋଇ ବେବର୍ତ୍ତାଙ୍କୁ ଡକାଇ ତିରସ୍କାର କରିବାରୁ, ତୁରନ୍ତ ଉତ୍କୃଷ୍ଟ ବାହଲମଡ଼ା ଭୂସମ୍ପତ୍ତି ଖଣ୍ଡିଏ ଉକ୍ତ ଢିପ ଜମି ବଦଳରେ ତାଙ୍କୁ ଦିଆଗଲା। ବେବର୍ତ୍ତା ଏହା ଫଳରେ ଦୀର୍ଘ ତିନି ମାସ ଧରି ଛାମୁଁ ମନା ହୋଇ ରହିଲେ।

ପର୍ଯ୍ୟଟନ ମାନଚିତ୍ରର ଶ୍ରେଷ୍ଠ ଶୈବକ୍ଷେତ୍ର ବାବା ଦୁତିକେଶ୍ବର ମନ୍ଦିର ।

ସଂସ୍କୃତ ସାହତ୍ୟ, ଗଣିତ, ଓଡ଼ିଆ କାବ୍ୟ, କବିତା, ପ୍ରବନ୍ଧ, ଗଳ୍ପ, ବ୍ୟଙ୍ଗ, କଳା, ସ୍ଥାପତ୍ୟ ଏବଂ ଭାସ୍କର୍ଯ୍ୟ ପାଇଁ ନୟାଗଡ଼ ଜିଲ୍ଲା ଖ୍ୟାତି ଅର୍ଜନ କରିଥିଲେ ହେଁ ବଣ ଜଙ୍ଗଲ ପରିବେଷ୍ଟିତ ନୟାଗଡ଼ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଏହାର ଶ୍ରୀ ବୃଦ୍ଧି କରୁଅଛି। ସୌନ୍ଦର୍ଯ୍ୟ ଓ ପର୍ଯ୍ୟଟନ ସତେ ଯେମିତି ନୟାଗଡ଼ ଜିଲ୍ଲାର ପ୍ରଧାନ ଆଭୂଷଣ। ପ୍ରତି ପନ୍ଦର କିଲୋମିଟର ବ୍ୟବଧାନରେ ଆପଣଙ୍କୁ ନିଶ୍ଚୟ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ଦୃଶ୍ୟମାନ ହେବ।

ଶୈବ,ଶାକ୍ତ, ଗାଣପତ୍ୟ, ବୈଷ୍ଣବ ଏବଂ ବୌଦ୍ଧ ଧର୍ମର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡିକ ନୟାଗଡ଼ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପକୁ ସମୃଦ୍ଧ କରିବା ସଙ୍ଗେ ସଙ୍ଗେ ସମଗ୍ର ଓଡ଼ିଶାରେ ନୟାଗଡ଼ ଜିଲ୍ଲାକୁ ଦେଇଛି ସ୍ୱତନ୍ତ୍ର ପରିଚୟ।

ସମଗ୍ର ପର୍ଯ୍ୟଟନ କ୍ଷେତ୍ର ସହିତ କିମ୍ବଦନ୍ତୀ, ଇତିହାସ ଏବଂ ପୌରାଣିକ ଉପାଖ୍ୟାନମାନ ଯୋଡିହୋଇ ତଥ୍ୟାବଳୀ ଗୁଡିକୁ କରିଛି ରୁଚିବନ୍ତ ଓ ପର୍ଯ୍ୟଟନସ୍ଥଳୀ ଗୁଡିକୁ କରିଛି ରୁଦ୍ଧିମନ୍ତ।

ନୟାଗଡ଼ ଜିଲ୍ଲାର ବିଭିନ୍ନ ଶୈବପୀଠ ଗୁଡିକ ମଧ୍ୟରୁ ଶୁଳିଆ ପାହାଡ଼ର ଦକ୍ଷିଣ ଶେଷ ସୀମାନ୍ତରେ ଅବସ୍ଥିତ ବାବା ଦୁତିକେଶ୍ଵର ପୀଠ ହେଉଛି ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ।

ଶୁଳିଆ ପାହାଡ଼ ନୟାଗଡ଼ ରାଜ୍ୟ ପ୍ରତିଷ୍ଠା ହେବା ଦିନଠାରୁ ନୟାଗଡ଼ର ଐତିହ୍ୟ ବହନ କରି ଆସୁଛି।ଏହି ଐତିହ୍ୟପୂର୍ଣ୍ଣ କିମ୍ବଦନ୍ତୀ ପାହାଡ଼କୁ ଛାଡି ନୟାଗଡ଼ ଇତିହାସ ରଚନା କରିବା ବାହୁଲ୍ୟ ମାତ୍ର। ଜାମୁପାଟଣା ଅର୍ଥାତ୍ ଦୁତିକେଶ୍ୱର ମନ୍ଦିର ଠାରୁ ଉତ୍ତର ଦିଗକୁ ଷୋହଳ ମାଇଲ ପରିବ୍ୟାପ୍ତ ଏହି ପାହାଡ଼ ନୟାଗଡ଼ ଜିଲ୍ଲା ସଦରମହୁକୁମାକୁ ସ୍ପର୍ଶ କରିଛି। ପାହାଡର ମଝାମଝି ରହିଛି କିମ୍ବଦନ୍ତୀ ତଥା ଇତିହାସକୁ ପୁଷ୍ଟ କରୁଥିବା ମହାନ ଶକ୍ତିପୀଠ ବାଉରାଣୀ ଠାକୁରାଣୀ, ନୟାଗଡ଼ରାଜ୍ୟକୁ ଅଙ୍କୁରୋଦ୍ଗମ କରାଇଥିବା “ରଳବ ଗଡ଼”।

ଶୁଳିଆ ପାହାଡର ପ୍ରାକୃତିକ ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ।ସୁନ୍ଦର ସବୁଜିମା ବୃକ୍ଷରାଜି।ଆମ୍ରକୁଞ୍ଜ।ସୁଗଠିତ ଚଟାଣ ସଦୃଶ ବିରାଟ ବିରାଟ କଳାମୁଗୁନି ପ୍ରସ୍ତର ଖଣ୍ଡ।ଝରଣାର କୁଳୁକୁଳୁ ନିନାଦ। ବିଭିନ୍ନ ପଶୁପକ୍ଷୀ ମାନଙ୍କର ବିଚରଣ ସାଙ୍ଗକୁ ସେମାନଙ୍କ କଳରବ ପର୍ଯ୍ୟଟକଙ୍କୁ ମନ୍ତ୍ରମୁଗ୍ଧ କରେ।

ପୁରାଣ ବା କିମ୍ବଦନ୍ତୀ ଆଧାରରେ ବାବା ଦୁତିକେଶ୍ୱର ମନ୍ଦିର।
କବି ସୁଧାକର ଜେନାଙ୍କ ପୁରାଣ/କିମ୍ବଦନ୍ତୀ ସମ୍ବଳିତ ବାବା “ଦୁତିକେଶ୍ୱର ପୁରାଣ”ରୁ ଜଣାପଡେ ଯେ, ତ୍ରେତୟା ଯୁଗରେ ଶ୍ରୀରଘୁନାଥ ବନବାସ ସମୟରେ ଢେଙ୍କେଣା ମଠ ଆଶ୍ରମ ଦେଇ ଏହି ରାସ୍ତାରେ ଯାଇଥିଲେ।ଯେଉଁ ଶବରୁଣୀ ତାଙ୍କୁ ଅଇଁଠା ଫଳ ଦେଇ ତୋଷ କରିଥିଲା ତାକୁ କଳିଯୁଗରେ “ଦୁତି” କନ୍ଧୁଣି ହୋଇ ଜନ୍ମ ଗ୍ରହଣ କରିବା ପାଇଁ ଆଶୀର୍ବାଦ ଦେଇ ଶୁଳିଆ ପାହାଡରେ ପ୍ରଭୁ ଶୂଳୀଙ୍କୁ ପୂଜା କରିବାକୁ ବର ପ୍ରଦାନ କରିଥିଲେ,ଏବଂ ଦୁତି କନ୍ଧୁଣି ପୂଜାର୍ଚ୍ଚନା କରିବାରୁ ଶୂଳୀ ପଶୁପତିନାଥ “ଦୁତିକେଶ୍ୱର” ନାମରେ ଖ୍ୟାତ ହେବ ବୋଲି କହିଥିଲେ।

ଇତିହାସ ଆଧାରରେ ବାବା ଦୁତିକେଶ୍ୱର।
ଇତିହାସ ସହିତ ଯୋଡିବାକୁ ଯାଇ କବି ସୁଧାକର ଜେନା ଲେଖିଛନ୍ତି ଯେ, ଦୁତି କନ୍ଧୁଣି ଆହାର ସଂଗ୍ରହ କରିବାକୁ ଯାଇ କନ୍ଦମୂଳ, ପିଠଳ ଭଳି ବିଭିନ୍ନ ମୂଳ ଖୋଳି ଥିଲା।ତା ଦ୍ୱାରା ବ୍ୟବହୃତ ଖଣତି ଶିବ ଲିଙ୍ଗର ଉପରି ଭାଗରେ ବାଜି ଖୋଦିତ ହୋଇଯାଇଥିଲା।ଖୋଦିତ ଜାଗାରୁ ରକ୍ତ ସ୍ରବିତ ହେବାକୁ ଲାଗିଲା।ପାଖରେ ଥିବା ବିଲ୍ଵ ବୃକ୍ଷରୁ ପତ୍ର ଛିଣ୍ଡାଇ ସେ ଉକ୍ତ ଲିଙ୍ଗ ଉପରେ ଘୋଡେଇ ଦେଇ ବା ଚିହ୍ନ ରଖି ରାଜା ସୂର୍ଯ୍ୟମଣି ଓ ଚନ୍ଦ୍ରମଣିଙ୍କ ପାଖକୁ ଯାଇ ଆଶ୍ଚର୍ଯ୍ୟ ଚକିତ ଭାବରେ ପଥରରୁ ରକ୍ତ ବାହାରିବା ତଥା “ପ୍ରଭୁ ଶୂଳୀ” ପ୍ରକଟ ହେବା ଘଟଣା ବର୍ଣ୍ଣନା କରିଥିଲା। ବେନି ଭାଇ ଉକ୍ତ ସ୍ଥାନକୁ ଆସି ଘଟଣାର ସତ୍ୟତା ପରୀକ୍ଷା କରିଥିଲେ।ପରିଶେଷରେ ଦୁତି ନାମରେ ମହାଦେବଙ୍କ ନାମ “ଦୁତିକେଶ୍ୱର” ରଖିଥିଲେ। ଯଦି ଏହା ସତ୍ୟ ହୋଇଥାଏ, ତେବେ ନୟାଗଡ଼ ରାଜ୍ୟ ଗଠନ ହେବା ଦିନଠାରୁ ଦୁତିକେଶ୍ୱର ପୀଠର ଅୟମାରମ୍ଭ ବୋଲି ଧରିନେବାକୁ ପଡିବ,କିନ୍ତୁ ଏହି “ଦୁତିକେଶ୍ବର ପୁରାଣ”ରେ ଦୁତିକେଶ୍ୱର ପ୍ରକଟ ହେବାର କୌଣସି ସମୟ ଅବଧି ବିଷୟରେ ଉଲ୍ଲେଖ ନାହିଁ।

ସାମାଜିକ,ଭୌଗଳିକ ବା ଦାର୍ଶନିକ ଦୃଷ୍ଟିକୋଣରୁ ବାବା ଦୁତିକେଶ୍ୱର।
ଏହା ଧ୍ରୁବସତ୍ୟ ଯେ, ଦୁତି ନାମକ କନ୍ଧୁଣିର ନାମାନୁସାରେ ବାବା “ଦୁତିକେଶ୍ୱର” ନାମିତ ହୋଇଛନ୍ତି। ଶିବ ଲିଙ୍ଗ ଉପରେ ଚିହ୍ନିତ ଖଣତି ଦାଗ ମଧ୍ୟ ପ୍ରମାଣିତ କରୁଛି ଯେ, କେହି ଜଙ୍ଗଲି ଆଦିବାସୀ କନ୍ଦ,ପିଠଳଖୋଳିବା ପାଇଁ ଆସିଥିବା ବେଳେ ଖନନ ଯନ୍ତ୍ର ଆଘାତରେ ଉକ୍ତ ଲିଙ୍ଗରେ ଏଭଳି କ୍ଷତ ସୃଷ୍ଟି ହୋଇଛି। ବାବା ଦୁତିକେଶ୍ୱର ବିଜେ ଜାମୁପାଟଣା ଗାଁ ରେ କୌଣସି ଆଦିବାସୀ ବା କନ୍ଧ ସମ୍ପ୍ରଦାୟର ଲୋକ ନାହାନ୍ତି। ଦୁତି କନ୍ଧୁଣି ନିକଟସ୍ଥ ଢୋଲମସ୍କା ଗାଁ ର ବୋଲି ବିଶ୍ଵାସ କରାଯାଏ। ଓଡ଼ଗାଁ ଅଞ୍ଚଳରେ ବିଭିନ୍ନ ଜନଜାତି ମଧ୍ୟରେ ପାଲାମାଲିଆ,ଢ଼ିଙ୍କିଶାଳିଆ କନ୍ଧ ଜନଜାତି ବସବାସ କରନ୍ତି।ଯାହାକୁ ଓଡ଼ିଆ କନ୍ଧ ଭାବରେ ଅଭିହିତ କରାଯାଏ। ମାଙ୍କଡଖିଆ ବା ମାଳୁଆ କନ୍ଧ ଅନ୍ୟ ଏକ ଜନଜାତି ଅଟନ୍ତି।ଓଡ଼ିଆ କନ୍ଧ ମାନଙ୍କର ଚଳଣି ସାଧାରଣ ଲୋକଙ୍କ ଜୀବନୀ ଆଧାରରେ ହୋଇଥିବା ବେଳେ ମାଳୁଆ କନ୍ଧଙ୍କର କଥିତଭାଷା,ଚାଲିଚଳନ, ପର୍ବପର୍ବାଣି ସମ୍ପୂର୍ଣ୍ଣ ଅଲଗା। ଓଡ଼ଗାଁ ଅଞ୍ଚଳରେ ରହୁଥିବା ମାଳୁଆ କନ୍ଧଙ୍କର କଥିତ ଭାଷାର ଲିପି ଆଜିପର୍ଯ୍ୟନ୍ତ ସେମାନେ ଜାଣିନାହାନ୍ତି। କାଠ(Wood)କୁ ବେସ୍କା, ଲୁଣ(Salt)କୁ ସାଆରୁ, ତରକାରି(Curry)କୁ ଜକେଡିଙ୍ଗ୍ ବାପା(Father)କୁ ବୁଆ, ପୁଅ(Son)କୁ ଆବୁ, ଝିଅ(Daughter)କୁ ଆପି, ମେଘ(Cloud)କୁ ପିଜୁ, ଭାତ(Rice)କୁ ଏଜୁ, ପାଣି(Water)କୁ କାକୁରି, ଦିଅ(give)କୁ ସ୍ୟାଁଉ, କୁକୁର(Dog)କୁ ନାଉଣି, ବଳଦ(ox)କୁ କଡ୍ଡି, ପୁରୁଷର ଯୌନାଙ୍ଗକୁ ପିଡୁ, ଯୌନକ୍ରିୟାକୁ କାଁଜେଇ, ଏବେ ବା ସାଙ୍ଗେ ସାଙ୍ଗେକୁ ଉନ ଏବଂ ଉପରେ(Up)କୁ ସାଣ୍ଡେତେ ବୋଲି କୁହନ୍ତି। କହିବାର ତାତ୍ପର୍ଯ୍ୟ, ଢୋଲମସ୍କା ଗାଁ ରେ ଅଦ୍ୟାବଧି ମାଳୁଆ କନ୍ଧ ସମ୍ପ୍ରଦାୟର ଲୋକମାନେ ବସବାସ କରୁଛନ୍ତି।ଏଣୁ ନିର୍ବିଘ୍ନରେ କୁହାଯାଇପାରେ ଯେ, ଦୁତିକା କନ୍ଧୁଣି ଢୋଲମସ୍କା ଗାଁ ର ମାଳୁଆ କନ୍ଧ ପରିବାରର ମହିଳା ଥିଲା।ବିଶେଷତଃ ଏହି ମାଳୁଆ କନ୍ଧ ଆଦିବାସୀ ମାନେ ଜଙ୍ଗଲରୁ ଖାଦ୍ୟ ସଂଗ୍ରହ କରିଥାନ୍ତି।ଦୁତି କନ୍ଧୁଣି ଶୁଳିଆ ପାହାଡରୁ ପିଠଳ ଖୋଳୁ ଖୋଳୁ ଶୂଳୀ ଚନ୍ଦ୍ରଶେଖରଙ୍କ ଲିଙ୍ଗ ଆବିଷ୍କୃତ ହୋଇଥିଲା ଏବଂ ଦୁତିକାର ନାମାନୁସାରେ ଶୂଳୀଙ୍କ ନାମ “ଦୁତିକେଶ୍ୱର” ମହାଦେବ ରଖାଯାଇଛି।

ପ୍ରଥମେ ଦୁତିକେଶ୍ୱର ମହାଦେବ ମୁକ୍ତାକାଶ ତଳେ ରହୁଥିଲେ।ଦେଓଗାଁ ହଜାରି ଜେନା (ନାହାକ ଉପାଧି ଭୂଷିତ) ଜଙ୍ଗଲରୁ ଖସୁଥିବା ପାଣି ଦୁତିକେଶ୍ୱରଙ୍କ ପାଖରେ ନ ପଶିବା ପାଇଁ ନିଜସ୍ୱ ଖର୍ଚ୍ଚରେ ସୁରକ୍ଷା କାନ୍ଥ(Guard Wall) ନିର୍ମାଣ କରିଥିଲେ। ହଜାରି ଜେନା ଙ୍କ ଜେଜେ ବାପା ଗଙ୍ଗାଧର ପାଇକରାୟ ଠାକୁରଙ୍କୁ ଖରା, ବର୍ଷା ଓ ହିଂସ୍ର ଜନ୍ତୁଙ୍କ ଦାଉରୁ ରକ୍ଷା ପାଇଁ ପ୍ରଥମେ ଚାଳ ଘରଟିଏ ନିର୍ମାଣ କରିଥିଲେ।ତତ୍ ସଙ୍ଗେ ସଙ୍ଗେ ଗୋଟିଏ ମଣ୍ଡପ ଏବଂ କନକ ମଣ୍ଡଳୀ ନିର୍ମାଣ କରିଥିଲେ।

୧୯୪୩ମସିହାରେ ପ୍ରଧାନ ଉଦ୍ୟୋକ୍ତା ଶ୍ରୀ ଶ୍ରୀ ଦୁର୍ଗାମାଧବ ମର୍ଦ୍ଦରାଜ ଭ୍ରମରବର ଦେଓଙ୍କ ଉଦ୍ୟୋଗରେ ବିଶ୍ୱଶାନ୍ତି ଶୈବଯଜ୍ଞ ଆରମ୍ଭ କରାଯାଇଥିଲା। ବୋଧହୁଏ ଏହା ଏ ଅଞ୍ଚଳର ସର୍ବପ୍ରଥମ ଯଜ୍ଞ, ଯାହା ଆଗାମୀ ଦିନମାନଙ୍କରେ ସୁବର୍ଣ୍ଣ ଜୟନ୍ତୀ ବା ହୀରକ ଜୟନ୍ତୀ ପାଳନ କରିବା ପାଇଁ ଯୋଗ୍ୟ ହୋଇ ରହିବ।

୧୯୫୧ରେ ପ୍ରଥମ କରି ଦୁତିକେଶ୍ୱର ମନ୍ଦିରର ଟ୍ରଷ୍ଟ ବୋର୍ଡ ଗଠନ କରାଯାଇଥିଲା।ଏଥିରେ ଲୋକନାଥ ମିଶ୍ର, ଚିନ୍ତାମଣି ମିଶ୍ର ଏବଂ ଦାଶରଥି ଉପାଧ୍ୟାୟ ପ୍ରମୁଖ ମନ୍ଦିର କାର୍ଯ୍ୟଭାର ହାତକୁ ନେଇଥିଲେ। ଭାଗବତ ସିଂହ, ଭାଗବତ ମହାପାତ୍ର ଏବଂ ଲୋକନାଥ ମହାପାତ୍ରଙ୍କ ଠାରୁ ଆର୍ଥିକ ସହାୟତା ଗ୍ରହଣ କରି ପାର୍ବତୀ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପାଦନ କରିଥିଲେ।

ଠିକ୍ ବାରବର୍ଷ ପରେ ଅର୍ଥାତ୍ ୧୯୬୩ ମସିହାରେ ଏହି ଟ୍ରଷ୍ଟ ବୋର୍ଡର ପୁନର୍ଗଠନ ହେଲା।କୋରାପିଠାର ସାମନ୍ତ ରାଜା ଶ୍ରୀ ଶ୍ରୀ ଦୁର୍ଗାମାଧବ ମର୍ଦ୍ଦରାଜ ଭ୍ରମରବର ଦେଓ ଏହି ଟ୍ରଷ୍ଟ ବୋର୍ଡର ସଦସ୍ୟତା ଗ୍ରହଣ କରିଥିଲେ। ୧୯୬୪ମସିହାରେ ଶ୍ରୀ ଦୁ:ମ:ଭ୍ର ଦେଓ ବାବା ଦୁତିକେଶ୍ୱରଙ୍କ ମନ୍ଦିର ତୋଳା କାର୍ଯ୍ୟ ଆରମ୍ଭ କରିଥିଲେ। ପୁନରପି ୧୯୭୨ମସିହାରେ ଦୁତିକେଶ୍ୱର ଟ୍ରଷ୍ଟ ବୋର୍ଡର ପୁନର୍ଗଠନ କରାଯାଇଥିଲା।ଏଥିରେ କୋରାପିଠା (ସାମନ୍ତ ରାଜା)ଶ୍ରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଭ୍ରମରବର ଦେଓ ଏବଂ ହଜାରି ଜେନା(ନାହାକ ଉପାଧିରେ ଭୂଷିତ) ଦେଓଗାଁ, ସଭ୍ୟ ପଦ ଗ୍ରହଣ କରିଥିଲେ।
୧୯୯୦ମସିହାରେ (ସ୍ୱାଧୀନତା ପରଠାରୁ ଯଦିଓ ରାଜରାଜୁଡା ପ୍ରଥା ଉଠିଯାଇଛି ତଥାପି ସ୍ଥାନୀୟ ଲୋକେ ତାଙ୍କ ପରିବାରକୁ ଅଦ୍ୟାବଧି ସାଆନ୍ତେ ବା ସାମନ୍ତ ରାଜା ବୋଲି ମାନି ଆସୁଛନ୍ତି) ସାମନ୍ତ ରାଜା ଶ୍ରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଭ୍ରମରବର ଦେଓ ବାବା ଦୁତିକେଶ୍ୱର ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିଥିଲେ।ମନ୍ଦିରର ରତ୍ନମୁଦ ଓ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳନ କରିଥିଲେ।

୧୯୯୪ ମସିହାରେ ଅଞ୍ଚଳ ପ୍ରସିଦ୍ଧ ବିଶ୍ୱଶାନ୍ତି ଶୈବଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ପାଳନ ସଙ୍ଗେ ସଙ୍ଗେ ଚୈତ୍ର ପର୍ବରେ ଅନୁଷ୍ଠିତ ହେଉଥିବା ଦଣ୍ଡଯାତ୍ରାର ସପ୍ତଶମ୍ଭୁ ମିଳନ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଥିଲା।ତତ୍କାଳୀନ ଦଶପଲ୍ଲା ବିଧାୟକ ରୁଦ୍ରମାଧଵ ରାୟ ଏହାର ପୃଷ୍ଠପୋଷକ/ଉଦଘାଟକ ଥିଲେ।

୨୭ ଖଣ୍ଡ ମୌଜାକୁ ନେଇ ଟ୍ରଷ୍ଟ ବୋର୍ଡ ଗଠନ ହୋଇଥିବାରୁ ଚୁଲି ଚାନ୍ଦା ଆଦାୟ କରି ମନ୍ଦିରର ଉନ୍ନତି ଦିଗରେ ଧ୍ୟାନ ଦେବାକୁ ସମସ୍ତେ ସଦା ତତ୍ପର ଅଛନ୍ତି।ବାବା ଦୁତିକେଶ୍ୱରଙ୍କର ସର୍ବମୋଟ ୯୬ଏକର ଭୁ-ସମ୍ପତି ଖଞ୍ଜା ଅଛି।

ଜନଶ୍ରୁତି ଅନୁସାରେ ଦୁତିକେଶ୍ୱର ମହାଦେବ ପ୍ରତ୍ୟକ୍ଷ ଠାକୁର।ସମାଜ ତଳସ୍ତରର ଲୋକଙ୍କ ଠାରୁ ଆରମ୍ଭ କରି ଅମଲାତନ୍ତ୍ରୀ, ବିଧାୟକ ଏବଂ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଲୋକ ନିଜର ଅଭିଷ୍ଟ ପୂରଣ ହେଉଥିବାରୁ ମନ୍ଦିରର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମ୍ପାଦନ କରିଅଛନ୍ତି।ଧର୍ମ ବିଶ୍ଵାସ ହେଉ ବା ଅନ୍ଧ ବିଶ୍ୱାସ, ଅନେକ ଗୁହାରିଆ ନିଜ ନିଜର ଦୁରାରୋଗ୍ୟରୁ ମୁକ୍ତ ହେବାପାଇଁ ଜିହ୍ଵା ଛେଦନ କରି, ତଣ୍ଟି କାଟି, କୋଷ କାଟି ଏବଂ ସ୍ତ୍ରୀ ଲୋକମାନେ ନିଜସ୍ତନକୁ କାଟି ଗୁହାରିଆ ପଡି ଥାଆନ୍ତି। କୁହାଯାଏ, ରାତ୍ରିରେ ବ୍ୟାଘ୍ର, ସିଂହ ଭଳି ହିଂସ୍ର ଜନ୍ତୁଙ୍କର ବିକଟାଳ ରୂପ ଗୁହାରିଆ ମାନଙ୍କୁ ଦେଖାଦେଇଥାଏ।ଯିଏ ସେମାନଙ୍କୁ ଦେଖି ଡରିଯାଏ ସେ ମାନସିକ ଭାଙ୍ଗି ଚାଲିଯାଏ, ଯିଏ ନ ଡରି ଉପାସନା ରେ ବ୍ରତୀ ଥାଏ ସେ ଅଚିରେ ସିଦ୍ଧିଲାଭ କରେ ଏବଂ ନିଜର ମାନସିକ ପୂରଣ କରି ଘରକୁ ଫେରିଥାଏ।

ପ୍ରଭୁ ଦୁତିକେଶ୍ୱରଙ୍କ ପୀଠରେ ବିଭିନ୍ନ ପର୍ବ ପର୍ବାଣୀ ପାଳିତ ହୁଏ।ଏହି ଆଧ୍ୟାତ୍ମିକ ଶୈବ କ୍ଷେତ୍ରର ପ୍ରମୁଖ ପର୍ବ ମଧ୍ୟରୁ ବାରେଡି ଯାତ୍ରା, ଜାଗର ଯାତ୍ରା, ବିଶ୍ୱଶାନ୍ତି ଶୈବଯଜ୍ଞ ପ୍ରଧାନ ଅଟେ। କାର୍ତ୍ତିକ ମାସ ପ୍ରତ୍ୟେକ ସୋମବାର, ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ଭକ୍ତମାନଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ। ବିବାହ, ବ୍ରତ, ସ୍ଵନକ୍ଷେତ୍ର ବିଭିନ୍ନ ମାନସିକଧାରୀଙ୍କ ପୂଜାର୍ଚ୍ଚନା ଭିନ୍ନ ଭିନ୍ନ ସମୟରେ ମନ୍ଦିର ପରିସରକୁ ଜନାରଣ୍ୟ କରିଥାଏ।

ବାରେଡି ଯାତ୍ରା।
ବିଲୁପ୍ତ ବାରାଡ଼ିହି ମୌଜାର ନାମାନୁସାରେ ବାରେଡି ଯାତ୍ରା ହେଉଥିବାର ଅନୁମାନ କରାଯାଏ। ବାରେଡି, ବାରାଡ଼ିହି ଶବ୍ଦର ଅପଭ୍ରଂଶ ଶବ୍ଦ ମାତ୍ର।ମନ୍ଦିରର ପଶ୍ଚିମ ପଟର ପଡ଼ିଆ ଠାରେ ବାରାଡ଼ିହି ମୌଜା ଥିଲା।ଲୌହ୍ଵ, ପିତଳ, ରସ ସାମଗ୍ରୀ ଭଳି ଜିନିଷ ନିର୍ମାଣକାରୀ କୌଳିକ ବୃତିଧାରୀ ପରିବାରମାନ ଏଠାରେ ବସତି ସ୍ଥାପନ କରିଥିଲେ।ଯାହାକି ଏକ ପ୍ରାକୃତିକ ଆବଶ୍ୟକୀୟ ବଜାର ଥିଲା। ଏହି ବଜାରର ବିଲୟ ପରେ ବାରାଡ଼ିହି ଗ୍ରାମର ସ୍ମୃତି ବହନ କରୁଥିବା ଏହି ବାରେଡି ଯାତ୍ରା କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଦୁଇଦିନ ଧରି ଚାଲିଥାଏ।ବାବା ଦୁତିକେଶ୍ୱରଙ୍କର ଏହି ବାରେଡି ଯାତ୍ରାରେ ଶହ ଶହ ଲୋକଙ୍କ ଜନସମାଗମ ହୋଇଥାଏ।

ଜାଗର ଯାତ୍ରା।
ଫାଲଗୁନ ମାସର ଅମାବାସ୍ୟା ତିଥିକୁ ଜାଗର ଯାତ୍ରା ଭାବରେ ପାଳନ କରାଯାଏ।ପ୍ରଭୁ ଦୁତିକେଶ୍ୱରଙ୍କର ପ୍ରମୁଖ ଯାତ୍ରା ମଧ୍ୟରୁ ଏହି ଜାଗର ଯାତ୍ରା ପ୍ରଧାନ ଅଟେ।ମନ୍ଦିର ପରିବେଶକୁ ସୁରମ୍ୟ କରି ସାଜସଜ୍ଜା କରାଯାଇଥାଏ । ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଆଦି ଜିଲ୍ଲାର ବହୁ ଦୂରଦୂରାନ୍ତ ଭକ୍ତମାନେ ଆସି ଏଠାରେ ରାତ୍ରି ଉଜାଗର ରହି ଜାଗର ଯାତ୍ରା ପାଳିଥାଆନ୍ତି। ନାଟ, ସଂକୀର୍ତ୍ତନ, ଭଜନ ପରିବେଷଣ ମହା ଆଡମ୍ବରରେ ହୋଇଥାଏ। ମଧ୍ୟ ରାତ୍ରିରେ ମନୋଜ୍ଞ, ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଦୁତିକେଶ୍ୱରଙ୍କ ମହାଦୀପ ମନ୍ଦିର ଶିଖରକୁ ଉଠିଥାଏ।ଏହିଦିନ ଓଡ଼ଗାଁ, ବାହାଡ଼ାଝୋଲା ଅଞ୍ଚଳରୁ ଏତେ ପରିମାଣରେ ମୋଟର ଯାନ ଯିବା ଆସିବା କରେ ଯେ ଏଠାରେ ଟ୍ରାଫିକ ସମସ୍ୟା ଉପୁଜିଥାଏ।

ବିଶ୍ୱଶାନ୍ତି ଶୈବଯଜ୍ଞ।
ବୋଧହୁଏ ଏହା ଏହି ଅଞ୍ଚଳର ସର୍ବପ୍ରଥମ ଯଜ୍ଞ।୧୯୪୩ ମସିହା ମାଘମାସ ଶୁକ୍ଳ ଏକାଦଶୀ ତିଥିରୁ ମାଘମାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ବିଶ୍ୱଶାନ୍ତି ଶୈବଯଜ୍ଞ ଅନୁଷ୍ଠିତ ହୋଇଥାଏ।ଇତିହାସକୁ ଅବଲୋକନ କଲେ ଜଣାଯାଏ ଠିକ୍ ଦଶବର୍ଷ ପରେ କେବଳ ୧୯୫୩ ମସିହା ଜ୍ୟେଷ୍ଠ ମାସସ୍ନାନ ପୂର୍ଣ୍ଣିମାରେ ଦଣ୍ଡୋର ମାଆ ପାଣିଷଣ୍ଢ ମନ୍ଦିର ଠାରେ ପ୍ରଥମ ଶକ୍ତିଯଜ୍ଞ ଅନୁଷ୍ଠିତ ହୋଇଥିଲା।
କ୍ରମେ ବାବା ଦୁତିକେଶ୍ୱରଙ୍କ ଶୈବଯଜ୍ଞ ସହିତ ସପ୍ତଶମ୍ଭୁ ମିଳନ ଉତ୍ସବ ଯୋଡ଼ାଯାଇ ଏହି ଯଜ୍ଞକୁ ଅଧିକ ପରିପୁଷ୍ଟ କରାଯାଇଥିଲା।
ବର୍ତ୍ତମାନ ମାଳି ମହାପାତ୍ର ସମ୍ପ୍ରଦାୟର ଲୋକମାନେ ଏହି ମନ୍ଦିରର ପ୍ରଧାନ ପୂଜକ। ଜଳାଭିଷେକ, କ୍ଷୀରାଭିଷେକତଥା ରୁଦ୍ରାଭିଷେକ ସମୟରେ ବ୍ରାହ୍ମଣ ସମ୍ପ୍ରଦାୟର ପୂଜକମାନେ ଯୋଗଦେଇଥାନ୍ତି।

ବାବା ଦୁତିକେଶ୍ୱରଙ୍କ ମହିମା ପ୍ରଚାର ପ୍ରସାର ଦିଗରେ ୧୯୮୮ ମସିହାରେ ଶ୍ରୀମତୀ ସୈରୀନ୍ଦ୍ରୀ ଦାଶ ବିଭିନ୍ନ ଛାନ୍ଦରେ ଲିଖିତ ଦୁତିକେଶ୍ୱର ଜଣାଣ ପ୍ରକାଶିତ କରିଥିଲେ।
ବିଶ୍ୱଶାନ୍ତି ଶୈବଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ଏବଂ ନବମ ବାର୍ଷିକୀ ସପ୍ତଶମ୍ଭୁ ମିଳନ ଉତ୍ସବ ସମାରୋହ ଅବସରରେ ଦୁତିକେଶ୍ୱରଙ୍କ ଐତିହ୍ୟ ବହନକାରୀ ସ୍ମରଣୀକା ୧୯୯୪ ଫେବୃଆରୀ ମାସ ୨୫ ତାରିଖରେ “ଶିବାମୃତ” ମୁକ୍ତିଲାଭ କରିଥିଲା।

ଲକ୍ଷ୍ମୀକାନ୍ତ ପଟ୍ଟନାୟକ କୁରୁମ ବାଙ୍କତରା, ସୁରେନ୍ଦ୍ର ମହାରଣା ଓଡ଼ଗାଁ, ଗୋଦାବରୀଶ ମିଶ୍ର କୈବଲ୍ୟ ପୁର ଙ୍କ ଉଦ୍’ଯୋଗରେ ଦୁତିକେଶ୍ୱର ଶୈବ ବାର୍ତ୍ତା ପ୍ରଚାର ପ୍ରସାର ପାଇଁ “ପଦୋଦକ” ପତ୍ରିକା କାର୍ଯ୍ୟ କରି ଆସିଥିଲା।ସମୟ ସୁଅରେ ବର୍ତ୍ତମାନ ତାହା ବନ୍ଦ ଅଛି।

ଅଖ୍ୟାତପଲ୍ଲୀ ବିଲ ମାନପୁର ମାଟିର ମହାକବି ସୁଧାକର ଜେନା ଦୁତିକେଶ୍ୱରଙ୍କ ପ୍ରତି ଆତ୍ମସମର୍ପଣ ପୂର୍ବକ ୧୨-୧୦-୨୦୦୫ମସିହା ଦଶହରା ପର୍ବରେ “ଦୁତିକେଶ୍ୱର ପୁରାଣ” ପ୍ରକାଶ କରିଥିଲେ।

ଏତଦ୍ ଭିନ୍ନ ବିଭିନ୍ନ ଲେଖକ, ଲେଖିକା, କବି, କବୟିତ୍ରୀ ବାବା ଦୁତିକେଶ୍ୱରଙ୍କର ଗୁଣକୀର୍ତ୍ତନ କରିଅଛନ୍ତି।

ଜାମୁପାଟଣା ମାଟିରେ ଅଧିଷ୍ଠିତ ବାବା ଦୁତିକେଶ୍ୱର ମନ୍ଦିର ପର୍ଯ୍ୟଟନ ସ୍ଥଳୀକୁ, ଓଡ଼ିଶା ପର୍ଯ୍ୟଟନ ବିଭାଗ ମାନ୍ୟତା ପ୍ରଦାନ କରିଅଛି। କିନ୍ତୁ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କ ଦ୍ୱାରା ମନ୍ଦିରର ଯାହା ଉନ୍ନତି ହୋଇଛି ତାହା ତୁଳନାରେ OTDC ର ଏହି ମନ୍ଦିର ପ୍ରତି ସହଯୋଗ ପ୍ରାୟ ନଗଣ୍ୟ ଅଟେ। ପର୍ଯ୍ୟଟନ ବିଭାଗ ତରଫରୁ ମନ୍ଦିର ପାଦଦେଶରେ ଗୋଟିଏ ସୁରମ୍ୟ ପ୍ରମୋଦ ଉଦ୍ୟାନ ନିର୍ମାଣ ସହିତ ଏକ ଡାକ ବଙ୍ଗଳା ନିର୍ମାଣ ଓ ଆନୁଷଙ୍ଗିକ ବ୍ୟବସ୍ଥାମାନ କରାଗଲେ ଦୁତିକେଶ୍ୱର ପୀଠର ଅଶେଷ ଉନ୍ନତି ସାଧିତ ହୋଇପାରନ୍ତା।ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ସୁରକ୍ଷା କର୍ମୀ ନିୟୋଜିତ କରାଗଲେ ମନ୍ଦିର ଅଧିକ ସୁରକ୍ଷିତ ହୋଇ ପାରନ୍ତା।

ନୟାଗଡ଼ ଜିଲ୍ଲା ସଦରମହକୁମା ଠାରୁ ଏକୋଇଶି ନମ୍ବର ରାଜ୍ୟ ରାଜପଥ ଦେଇ ଛବିଶି କିଲୋମିଟର ରାସ୍ତା ଅତିକ୍ରାନ୍ତ କଲେ ଓଡ଼ଗାଁ ଠାରୁ ବାହାଡ଼ାଝୋଲା ରାସ୍ତାରେ ପାଞ୍ଚ କିଲୋମିଟର ପରେ, ଏହି ଶୈବପୀଠ ଦୁତିକେଶ୍ୱର ମନ୍ଦିର ପଡେ।
ନୂଆଗାଁ, ଦଶପଲ୍ଲା ପଟରୁ ଆସୁଥିବା ଭକ୍ତ/ଦର୍ଶକମାନେ ମହିପୁର ଦେଇ ବାହାଡ଼ାଝୋଲା ଆସିପାରିବେ।ବାହାଡ଼ାଝୋଲା ଠାରୁ ଓଡ଼ଗାଁ ଯିବା ରାସ୍ତାରେ ମାତ୍ର ଚାରି କିଲୋମିଟର ଗଲେ ବାବା ଦୁତିକେଶ୍ୱର ମନ୍ଦିର ଦର୍ଶନ କରିହୁଏ।

ବ୍ରହ୍ମପୁରରୁ ଆସୁଥିବା ଭକ୍ତମାନେ ଭାୟା ବୁଗୁଡା, କରସିଙ୍ଗି ଦେଇ ଓଡ଼ଗାଁ ପହଞ୍ଚି, ବାହାଡ଼ାଝୋଲା ରାସ୍ତାରେ ପାଞ୍ଚ କିଲୋମିଟର ଯାଇ ଠାକୁର ଦର୍ଶନ କରିପାରିବେ। ଭଞ୍ଜନଗର ପଟରୁ ଆସୁଥିବା ଭକ୍ତମାନେ ଜଗନ୍ନାଥ ପ୍ରସାଦ,କରସିଙ୍ଗି ଦେଇ ଓଡ଼ଗାଁ ଠାରୁ ଦୁତିକେଶ୍ୱର ମନ୍ଦିର ଯାଇପାରିବେ। ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର। ଭୁବନେଶ୍ୱରରୁ NH57 ଦେଇ ନୟାଗଡ଼ ଠାରୁ ରାଜ୍ୟ ରାଜପଥ 21ଦେଇ ଆସିପାରିବେ।

ଦୁତିକେଶ୍ୱର ମନ୍ଦିର ଦର୍ଶନରେ ଆସିଲେ ଶ୍ରୀରଘୁନାଥ ମନ୍ଦିର ଓଡ଼ଗାଁ, ରାମସାଗାର ପାର୍କ ଓଡ଼ଗାଁ ଏବଂ ବୁଢ଼ାବୁଢ଼ିଆଣି ଜଳଭଣ୍ଡାର ଦେଖିବାକୁ ଭୁଲନ୍ତୁ ନାହିଁ।
ଦୁତିକେଶ୍ୱର ଠାରୁ ବାହାଡ଼ାଝୋଲା ଦେଇ ଆଠ କିଲୋମିଟର ଦୂର ଗଲେ ମାଆ ପେଟେଇଚଣ୍ଡୀ ମନ୍ଦିର ଦର୍ଶନ କରିବାର ଗୌରବ ଲାଭ କରନ୍ତୁ।
ଏତଦ୍ ବ୍ୟତୀତ ନୟାଗଡ଼ ପଟରୁ ଆସୁଥିବା ଭକ୍ତ ନୟାଗଡ଼ରେ ଦକ୍ଷିଣ କାଳୀ ଏବଂ ଶରଣକୁଳ ଠାରେ ଅନନ୍ୟ ଶୈବ ପୀଠ ବାବା ଲଡୁକେଶ ମହେଶ ଦର୍ଶନ କରିପାରିବେ।

ଐତିହ୍ୟ ସମ୍ପନ୍ନ ଶୁଳିଆ ପାହାଡ଼,ମୁକ୍ତ ଜଳବାୟୁ, ପ୍ରାକୃତିକ ପରିବେଶ ମଣ୍ଡିତ ଦୁତିକେଶ୍ୱର ମନ୍ଦିର, ମନ୍ଦିରର କଳା ଭାସ୍କର୍ଯ୍ୟ, ତତ୍ ସଂଲଗ୍ନ ଅନ୍ୟାନ୍ୟ ମନ୍ଦିର ଦର୍ଶନ କରିବାର ସୁଯୋଗ ଆପଣଙ୍କୁ ଭବ୍ୟ ସ୍ୱାଗତ ଅପେକ୍ଷାରେ କରି ରହିଛି।

ଉପସ୍ଥାପନା: ଶାନ୍ତନୁ ବିଶୋଇ
ଦଣ୍ଡୋର,ଓଡ଼ଗାଁ
ନୟାଗଡ଼।

Mob-7077171816

ଶ୍ରୀରାଧାଙ୍କ ପାଦ ଦର୍ଶନ ଓ ଅଁଳା ନବମୀ l

ଧର୍ମର ମାସ କାର୍ତ୍ତିକ l ଏହି ମାସରେ ଧନ୍ୱନ୍ତରୀ ଜୟନ୍ତୀ,କାଳୀପୂଜା,ଗୋବିନ୍ଦ ଚତୁର୍ଦ୍ଦଶୀ,ନାଗଲ ଚତୁର୍ଥୀ,ଦୀପାବଳୀ,ଗୋବର୍ଦ୍ଧନପୂଜା,ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ,ଅଁଳା ନବମୀ,ରାଧା ଦାମୋଦର ପୂଜା,କାର୍ତ୍ତିକବ୍ରତ,ତୁଳସୀ ପୂଜା,ବଡ଼ ଏକାଦଶୀ , ପଞ୍ଚୁକବ୍ରତ,ଆକାଶଦୀପ ଦାନ,ପାୟାଶ୍ରାଦ୍ଧ ଏବଂ ଶେଷରେ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଆଦି ଅନେକ ପବିତ୍ର ପର୍ବ ପର୍ବାଣି ପଡ଼େ l ଏଥି ପାଇଁ କାର୍ତ୍ତିକ ମାସକୁ ଏକ ମହାପୁଣ୍ୟମୟ ମାସ ବୋଲି ଶାସ୍ତ୍ରମାନେ ବିବେଚନା କରନ୍ତି l କାର୍ତ୍ତିକ ମାହାତ୍ମ୍ୟ ବର୍ଣ୍ଣନା କରି ସ୍କନ୍ଧ ପୁରାଣ କୁହନ୍ତି :-
ମାସାନାଂ କାର୍ତ୍ତିକ ଶ୍ରେଷ୍ଠ ଦେଵାନାଂ ମଧୁସୂଦନଃ l
ତୀର୍ଥ ନାରାୟଣାକ୍ଷାମ୍ହିତ୍ରିତୟମ୍ ଦୁର୍ଲଭମ୍ କଲୌ l
ନାକାର୍ତ୍ତିକ ସମଃମାସୋ ନ କୃତେନ ସମଃଯୁଗମ୍l
ନା ବେଦସଦୃଶ ଶାସ୍ତ୍ରମ୍ ନା ତୀର୍ଥ ଗଙ୍ଗା ସମମ୍ ll
ଆମର ଆଧ୍ୟାତ୍ମିକ ଶାସ୍ତ୍ରମାନଙ୍କରେ ପ୍ରତିଟି ପର୍ବ, ଓଷା ଏବଂ ବ୍ରତ ପଛରେ କିଛି ନା କିଛି କାହାଣୀ ବା କିମ୍ବଦନ୍ତୀ ରହିଛି l ସେହି ଭଳି ଅଁଳା ନବମୀ ପାଳନ ପଛରେ କେତେକ ପୌରାଣିକ ସିଦ୍ଧାନ୍ତ ଓ କାହାଣୀ ରହିଛି l ଏ ଦିବସଟି କାର୍ତ୍ତିକ ଶୁକ୍ଲ ପକ୍ଷ ନବମୀ ତିଥିରେ ପଡିଥାଏ l ଅଁଳା ନବମୀ ସହିତ ଏହି ଦିନର ମହତ୍ୱ ହେଲା ସତ୍ୟବାଦୀସ୍ଥ ସାକ୍ଷୀ ଗୋପାଳଙ୍କ ପୀଠରେ ମାଆ ରାଧାରାଣୀଙ୍କ ପାଦ ଦର୍ଶନ l କାର୍ତ୍ତିକ ବ୍ରତ ଧାରୀ ହବିଷ୍ୟାଳୀ ମାନେ ଏହିଦିନ ଅଁଳାଗଛମୂଳେ ଏକତ୍ରହୋଇ ଭୋଜନ କରନ୍ତି l ଅଁଳା ଗୋଟିଏ ବୃକ୍ଷବୋଲି ସାଧାରଣତଃ ଆମେ ଜାଣୁ l କିନ୍ତୁ ଅଁଳା କିଏ, କାର୍ତ୍ତିକ ମାସରେ କାହିଁକି ତାହାର ପୂଜା କରାଯାଏ ଏ ନେଇ ବହୁ କାହାଣୀ କିମ୍ବଦନ୍ତୀ ଓ ପୌରାଣିକ ଆଖ୍ୟାୟିକା ମାନ ରହିଛି l
ଅଁଳା,ତୁଳସୀ ଏବଂ ମାଳତୀ ବୃନ୍ଦାବତୀଙ୍କର ତ୍ରି ଗୁଣ ରୂପର ପରିପ୍ରକାଶ l ମା’ ବୃନ୍ଦାବତୀ ଥିଲେ ଦୈତ୍ୟ ଜଳନ୍ଧରଙ୍କ ପତ୍ନୀ l ସେ ଥିଲେ ପତିବ୍ରତା ସତୀ ନାରୀ l ତାଙ୍କର ସତୀତ୍ୱ ପ୍ରଭାବରୁ ଦୈତ୍ୟ ଜଳନ୍ଧର ପ୍ରବଳ ପରାକ୍ରମୀ ଓ ଅଜେୟ ଥିଲା l ତାର ଉତ୍ପାତରେ ତ୍ରିପୁର ଥର ହର ହେଉଥିଲା l କଥା ଥିଲା ଯେ ପର୍ଯ୍ୟନ୍ତ ତା’ର ମହାସତୀ ପତ୍ନୀ ବୃନ୍ଦାବତୀଙ୍କର ସତୀତ୍ୱ ଅପହରଣ ନ ହୋଇଛି ଜଳନ୍ଧରର ମୃତ୍ୟୁ ହେବନାହିଁ l ସେ ଦେବ,ଦାନବ ଓ ମାନବଙ୍କୁ ପୀଡ଼ା ଦେଉ ଥିବ l ଜଳନ୍ଧର ବଧ ପାଇଁ ନାରାୟଣ ମାୟାରେ ଜଳନ୍ଧର ରୂପ ଧାରଣ କରି ବୃନ୍ଦାବତୀଙ୍କ ସତୀତ୍ୱ ହରଣ କଲେ l ଏହା ଫଳରେ ଜଳନ୍ଧର ବିଷ୍ଣୁଙ୍କ ହସ୍ତରେ ପରାସ୍ତହୋଇ ନିହତହେଲା l ବୃନ୍ଦାବତୀ ଏକଥା ଜାଣିଲେ l ସେ ନାରାୟଣଙ୍କୁ ଅଭିଶାପ ଦେଲେ, ତାଙ୍କର ପତ୍ନୀକୁ ସେମିତି ରାକ୍ଷସ ହରଣ କରୁ ଏବଂ ସେ ପାଷାଣ ପାଲଟି ଯାଆନ୍ତୁ l ତାହା ହିଁ ଘଟିଥିଲା l ଶ୍ରୀରାମ ଅବତାରରେ ମାଆ ଜାନକୀଙ୍କୁ ରାକ୍ଷସ ରାବଣ ହରଣ କରି ନେଇଥିଲା ଓ ବିଷ୍ଣୁ ଶାଳଗ୍ରାମ ଶିଳା ରୂପ ଧାରଣ କରିଥିଲେ l
ଜଳନ୍ଧରର ବଧ ପରେ ବୃନ୍ଦା ଅଗ୍ନିିରେ ଝାସ ଦେଇ ଆତ୍ମ ବିସର୍ଜନ କଲେ l ତାଙ୍କ ଆତ୍ମା ଅନ୍ତରୀକ୍ଷକୁ ଯାଇ ତିନୋଟି ବୀଜ ରୂପେ ଭୂ ପତିତ ହେଲେ l ସେଥିରୁ ଯଥାକ୍ରମେ ତିନିଗୁଣ ଧରି ତିନୋଟି ବୃକ୍ଷ ଅଁଳା,ତୁଳସୀ ଓ ମାଳତୀ ସୃଷ୍ଟି ହେଲେ :-
ରଜଗୁଣରେ ସରସ୍ୱତୀ l
ତା ଅଂଶେ ଧାତ୍ରୀ ଉତପତି ll
ତୁଳସୀ ସତ୍ୱ ଗୁଣେ ଜାତ l
ଗଉରୀ ଅଂଶରେ ବିଦିତ ll
ଉମା ଅଂଶରେ ତମୋ ଗୁଣେ l
ମାଳତୀ ଉପୁଜିଲା ବନେ ll
ବିଷ୍ଣୁଙ୍କ ମାୟାରୁ ହିଁ ଏ ସବୁ ଘଟି ଥିଲା l ମାଳତୀ ତାର ତମ ଗୁଣ ହେତୁ ଶ୍ରୀ ଲକ୍ଷ୍ମୀଙ୍କ ପ୍ରିୟ ହୋଇ ନ ପାରି ବନ ମଧ୍ୟରେ ଦୂରେଇ ରହିଲା l ଦ୍ୱାପର ଯୁଗରେ ବନ ଫୁଲ ହୋଇ ସେ ଶ୍ରୀକୃଷ୍ଣଙ୍କ ପ୍ରିୟ ହେବ ବୋଲି କଥା ଦେଲା l ଶ୍ରୀବିଷ୍ଣୁ ଅଁଳା ଏବଂ ତୁଳସୀଙ୍କୁ ନେଇ ବୈକୁଣ୍ଠ ଚାଲି ଗଲେ l ବିଷ୍ଣୁଙ୍କ ଇଛାନୁସାରେ ମାଳତୀ ମର୍ତ୍ତ୍ୟରେ ପୂଜା ପାଇଲେ, ଅଁଳା ମର୍ତ୍ତ୍ୟ ଓ ସ୍ୱର୍ଗ ଏବଂ ତୁଳସୀ ତିନି ପୁରରେ ପୂଜା ପାଇଲେ l
ଧାତ୍ରୀ ତୁଳସୀ ବୃକ୍ଷ ବେନି l
ତାହାଙ୍କୁ ସଙ୍ଗତରେ ଘେନି ll
ବୈକୁଣ୍ଠେ ବୀଜେ ଲକ୍ଷ୍ମୀପତି l
ଅରଣ୍ୟେ ରହିଲେ ମାଳତୀ ll
ବିଷ୍ଣୁଙ୍କ ମାୟା ଓ ସତୀ ବୃନ୍ଦାଙ୍କ ଆତ୍ମାରୁ ସୃଷ୍ଟ ଏ ତିନି ପବିତ୍ର ବୃକ୍ଷ ଭଗବାନ ବିଷ୍ଣୁଙ୍କ ଅନୁଗ୍ରହରୁ ସ୍ୱତନ୍ତ୍ର ଗୁଣାବଳୀ ଦ୍ୱାରା ମଣ୍ଡିତ ହୋଇଛନ୍ତି l ଏ ତିନି ବୃକ୍ଷର ମହିମା କୀର୍ତ୍ତନ କରି କୁହାଯାଇଛି :-
ଧାତ୍ରୀ ଛାୟାରେ ଯେଉଁଜନ l
କରିବ ଗୋବିନ୍ଦ କୀର୍ତ୍ତନ ll
ଦଣ୍ଡକେ ଦଶଯୁଗ ଲେଖି l
ମୋ ପୁରେ ବସିହେବ ସୁଖୀ ll
କାର୍ତ୍ତିକେ ଧାତ୍ରୀ ବୃକ୍ଷ ତଳେ l
ହବିଷ ଅନ୍ନ ଏକ ବେଳେ ll
ଯେ ଜନ କରିବ ଭୋଜନ ll
ତା ପାପ ହୋଇବ ଦହନ l
ଅଶୌଚ ଦ୍ରବ୍ୟ ଥିଲେ ଭକ୍ଷି l
ସେ ଦୋଷ ନ ରହିବ କିଛି ll
ନିର୍ମଳ ହୋଇବ ଶରୀର l
ତେଣୁ ଅଏଁଳା ନାମ ତାର ll
ଅଏଁଳା, ତୁଳସୀ, ମାଳତୀ l
ଏ ତିନି ମୋହ ପ୍ରିୟ ଅତି ll
ବିଶେଷ ତୁଳସୀ ପ୍ରଧାନ l
ସଂସାରେ ମୋହରି ସମାନ ll
କାର୍ତ୍ତିକ ମାହାତ୍ମ୍ୟର ଉପରୋକ୍ତ ଉକ୍ତିରୁ ଜଣାଯାଏ ତୁଳସୀଙ୍କ ମାହାତ୍ମ୍ୟ ତଳକୁ ଅଁଳାଙ୍କର ମାହାତ୍ମ୍ୟ ରହିଛି l ଅଁଳାର ଉତ୍ପତ୍ତି ସମ୍ବନ୍ଧରେ ଆଉ ଦୁଇଟି ପୌରାଣିକ କିମ୍ବଦନ୍ତୀ ମଧ୍ୟ ଶୁଣାଯାଏ l
ପ୍ରଥମ କିମ୍ବଦନ୍ତୀ ଅନୁସାରେ, ଯେଉଁ ସମୟରେ ସମଗ୍ର ବିଶ୍ୱ ପ୍ରଳୟ ଜଳରେ ନିମଗ୍ନ ହୋଇଥିଲା, ସେତେବେଳେ ସ୍ୱୟଂ ବ୍ରହ୍ମା ବିଷ୍ଣୁଙ୍କ ନାଭିରୁ ଉତ୍ପନ କମଳ ଉପରେ ଉପବେଶନ କରି ପରଂବ୍ରହ୍ମ ପ୍ରଭୁ ନିରାକାରଙ୍କ ଧ୍ୟାନ ଓ ତପସ୍ୟାରେ ମଗ୍ନ ଥିଲେ l ତପସ୍ୟା କରି କରି ତାଙ୍କ ଆଖିରୁ ଲୁହ ଗଡି ପଡି ଥିଲା l ସେହି ଲୁହ ଭୂ ପତିତ ହେବାରୁ ସେଥିରୁ ଅଁଳା ବୃକ୍ଷ ସୃଷ୍ଟି ହୋଇଥିଲା l
ଦ୍ୱିତୀୟ କିମ୍ବଦନ୍ତୀ କହେ ମା’ଲକ୍ଷ୍ମୀ ଓ ସରସ୍ବତୀ ଏକଦା ଶ୍ରୀହରିଙ୍କୁ ଏକ ନୂତନ ପଦାର୍ଥରେ ପୂଜା କରିବାକୁ ଚାହିଁଲେ l ଏହି କଥା ଚିନ୍ତା କରୁ କରୁ କେଇବୁନ୍ଦା ଆନନ୍ଦାଶ୍ର ସେମାନଙ୍କ ଚକ୍ଷୁରୁ ନିଗିଡି ପଡିଲା l ଏହି ଅଶ୍ରୁରୁ ମାଘ ମାସ ଶୁକ୍ଳ ଏକାଦଶୀ ଦିନ ଅଁଳା ବୃକ୍ଷ ଉତ୍ପତ୍ତି ହୋଇଥିଲା l
ଅଁଳା ଏକ ପବିତ୍ର ବୃକ୍ଷ ଓ ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ ହୋଇ ଥିବାରୁ ଧର୍ମ ମାସ କାର୍ତ୍ତିକରେ ସେ ମଧ୍ୟ ପୂଜ୍ୟା l ଅଁଳା ଗଛମୂଳକୁ କାର୍ତ୍ତିକ ମାସରେ ପରିଷ୍କାରକରି ଗୋମୟରେ ଲିପି ଭକ୍ତିସହକାରେ ଯଥା ବିଧି ପୂଜା କରାଯାଏ l ବିଷ୍ଣୁଙ୍କ ନାମ ସ୍ମରଣ ପୂର୍ବକ ଏହି ବୃକ୍ଷକୁ ପରିକ୍ରମା କରା ଯାଏ l ଏହା ମୂଳରେ ନାମ ସଂକୀର୍ତ୍ତନ ମଧ୍ୟ କରାଯାଏ l ଅଁଳା ଓ ତୁଳସୀ ବିଷ୍ଣୁଙ୍କର ଅତି ପ୍ରୀୟ l ପତ୍ରସହ ଅଁଳା ଫଳ ଓ ତୁଳସୀ ବିଷ୍ଣୁଙ୍କୁ ଅର୍ପଣ କଲେ ଭଗବାନ ସନ୍ତୋଷ ଲାଭ କରିଥାନ୍ତି l କାର୍ତ୍ତିକ ମାସରେ ଵିଷ୍ଣୁ ଦେବତା ଓ ଋଷି ମାନଙ୍କ ସହିତ ଅଁଳା ବୃକ୍ଷରେ ବାସ କରନ୍ତି l ତେଣୁ ଏହି ମାସରେ ଅଁଳା ବୃକ୍ଷକୁ ପୂଜା କରାଯାଏ l ହବିଷ୍ୟାଳି ମାନେ ଅଁଳା ବଟା କରି ସେଥିରେ ବିଷ୍ଣୁ ପ୍ରତିମାକୁ ସ୍ନାନକରାଇ ପୂଜା କରିବା ସହିତ ଏହାକୁ ନିଜେ ମଧ୍ୟ ଲଗାଇ ସ୍ନାନ କରନ୍ତି l କାର୍ତ୍ତିକମାସରେ ଅଁଳା ବୃକ୍ଷରୁ ପତ୍ର,ପୁଷ୍ପ ଓ ଫଳ ଚୟନ ନିଷିଦ୍ଧ l ପୂର୍ବରୁ ସଂଗୃହୀତ ଥିବା ଅଁଳା ଦଳ,ଫଳ ଏବଂ ପୁଷ୍ପରେ କାର୍ତ୍ତିକପୂଜା କରା ଯାଏ l ପଦ୍ମପୁରାଣରେ ବର୍ଣ୍ଣିତ ଅଛି ପ୍ରାତଃ ସ୍ନାନ ପରେ ଵିଷ୍ଣୁ ନାମ ସ୍ମରଣ କରି ଅଁଳା ଜଳ ସିଞ୍ଚନ ଓ ସେବନ ଦ୍ୱାରା ମନୁଷ୍ୟର ସକଳ କଳୁଷ ନାଶ ହୋଇ ସେ ନିରୋଗ ଓ ସ୍ୱାସ୍ଥ୍ୟବାନ ହୋଇଥାଏ l ଅଁଳା ବୃକ୍ଷ ତଳେ ହରିନାମ ସଂକୀର୍ତ୍ତନ,ହବିଷ୍ୟ ଅନ୍ନ ଭୋଜନ କଲେ ବୈକୁଣ୍ଠ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି l ଅଁଳାର ଅନ୍ୟ ନାମ ଧାତ୍ରୀ l ଶାସ୍ତ୍ରରେ ତୁଳସୀ,ଅଁଳା, ମାଳତୀ, ବଦରି,ବେଲ, ବର,ଅଶ୍ୱସ୍ତ ଆଦି ବୃକ୍ଷକୁ ପବିତ୍ର ବୃକ୍ଷର ମାନ୍ୟତା ଦିଆଯାଇଛି l ସରସ୍ବତୀଙ୍କ ସତ୍ୱଗୁଣ ଧରି ଅଁଳାର ଜନ୍ମ l ଏଣୁ ଏହା ଏକ ଅତ୍ୟନ୍ତ ଉପକାରୀ ଏବଂ ପବିତ୍ର ବୃକ୍ଷ l ଅଁଅଳା ବା ଧାତ୍ରୀ ବୃକ୍ଷ ସ୍ୱୟଂ ବୃକ୍ଷ ନାରାୟଣ l ଏହାକୁ ଅକାରଣରେ ଛେଦନ ନିଷିଦ୍ଧ ଅଟେ l ଧାତ୍ରୀ ଓ ତୁଳସୀ ଏହି ଦୁଇ ପବିତ୍ର ବୃକ୍ଷ ସମ୍ବନ୍ଧରେ ପଦ୍ମ ପୁରାଣରେ କୁହାଯାଇଛି :-
ଧାତ୍ରୀ ବୃକ୍ଷ ଅଟଇ ଯେ ତୁଳସୀ ସମାନ l
ତାହାର ମହିମା ଦେବୀ ପାର୍ବତୀ ଗୋ ଶୁଣ ll
ଯେତେକ ଦେବତା ଥାନ୍ତି ତୁଳସୀ ମୂଳରେ l
ତେତେକ ଥାଆନ୍ତି ସେହି ଧାତ୍ରୀର ମୂଳରେ ll
ଗଙ୍ଗାଦି ସକଳ ତୀର୍ଥ ତହିଁରେ ଥାଆନ୍ତି l
ବ୍ରହ୍ମା ବିଷ୍ଣୁ ଶିବ ଆଦି ଦଣ୍ଡେ ନ ଛାଡ଼ନ୍ତି ll
ତୁଳସୀ ଧାତ୍ରୀ ମହିମା ଯେ କେହି ଶୁଣଇ l
ସକଳ ପାତକ ନାଶି ବୈକୁଣ୍ଠେ ବସଇ ll
ଅଁଳା ପୂଜନ ବୈଜ୍ଞାନିକ ଦୃଷ୍ଟି କୋଣରୁ ବିଚାର କଲେ ଜଣା ଯାଏ ଯେ ଏହା ପ୍ରକୃତ ପକ୍ଷେ ଧର୍ମ ନାମରେ ପ୍ରକୃତି ପୂଜା l ପୂଜାହେଉଛି ଉପକାରର ସ୍ମୃତିଗାନକରି ତା’ର ମହତ୍ୱ ପ୍ରତିପାଦନ କରିବା l ଅଁଳାର ଔଷଧିୟ ଗୁଣ ସର୍ବ ଜନ ବିଦିତ l ଆମର ଆୟୁର୍ବେଦ ମତରେ ଅଁଳା ପୃଥିବୀର ଏକ ଶ୍ରେଷ୍ଠ ମହୋଷଧି l ଏହା ଅକାଳ ବାର୍ଦ୍ଧକ୍ୟ ଦୂର କରେ l ଏହାର ଅମ୍ଳରସ ବାୟୁ ,ମଧୁର ରସ ପିତ୍ତ, କଷା ରସ କଫ ନାଶ କରିଥାଏ l ଆୟୁର୍ବେଦ ମତରେ ଶରୀରର ସମସ୍ତ ବ୍ୟାଧିର କାରଣ ବାତ ,ପିତ୍ତ ଓ କଫ l ଏହାର ଅସନ୍ତୁଳନରେ ଶରୀରରେ ବିଭିନ୍ନ ରୋଗ ଉପୁଜି ଥାଏ l ଏହାର ସନ୍ତୁଳନପାଇଁ ଅଁଳା ଏକ ଅମୋଘ ଔଷଧରୂପେ ବ୍ୟବହାର କରାଯାଇ ଥାଏ l ହରିଡ଼ା, ବାହାଡା ଏବଂ ଅଁଳାରୁ ପ୍ରସ୍ତୁତ ତ୍ରି ଫଳା ଏକ ବହୁ ଗୁଣ ବହନ କରୁଥିବା ଔଷଧ l ଅଁଳା ରସରେ ପ୍ରଚୁର ମାତ୍ରାରେ ଖାଦ୍ୟସାର ଭରି ରହିଛି l ପୁରାଣରେ ବର୍ଣ୍ଣିତ ଅଛି ମହର୍ଷି ଚ୍ୟବନ ଅଁଳାପ୍ରସ୍ତୁତ ଚ୍ୟବନପ୍ରାସ ସେବନକରି ବାର୍ଦ୍ଧକ୍ୟରୁ ଯୌବନ ପ୍ରାପ୍ତ ହୋଇଥିଲେ l ଅଁଳାପୂଜନ ଉଭୟ ବିଜ୍ଞାନ ଓ ଧାର୍ମିକ ଦୃଷ୍ଟିକୋଣରୁ ଯଥାର୍ଥ ବୋଲି ପ୍ରତିପାଦିତ ହୋଇଛି l
ଅଁଳାର ବହୁବିଧ ଉପକାରୀ ଗୁଣର ପ୍ରଚାର ପାଇଁ ସମ୍ଭବତଃ ଆମର ପୂର୍ବସୁରୀମାନେ ଏହି ଧର୍ମୀୟ ପର୍ବ ଅଁଳା ନବମୀ ବା ଧାତ୍ରୀ ନବମୀର ସୃଷ୍ଟି କରି ଛନ୍ତି l ଅଁଳା ନବମୀ ସୃଷ୍ଟି ପଛରେ ମଧ୍ୟ ଗୋଟିଏ ସୁନ୍ଦର କିମ୍ବଦନ୍ତୀ ରହିଛି l କିମ୍ବଦନ୍ତିଟି ହେଉଛି :-
ଏକଦା କାଶୀ ନଗରୀରେ ଗୋଟିଏ ନିଃସନ୍ତାନ ଧର୍ମାତ୍ମା ବୈଶ୍ୟ ଦମ୍ପତି ରହୁ ଥିଲେ l ବୈଶ୍ୟଙ୍କ ପତ୍ନୀଙ୍କୁ ତାଙ୍କର ଜଣେ ପଡୋଶୀ କହିଲେ ଯଦି କାଳ ଭୈରବଙ୍କୁ ସେ ଏକ ବାଳକ ବଳି ଦେବେ ତେବେ ତାଙ୍କର ପୁତ୍ର ସନ୍ତାନ ପ୍ରାପ୍ତି ହେବ l ଏହି କଥା ବୈଶ୍ୟଙ୍କୁ ପତ୍ନୀ କହିବାରୁ ସେ ଏଭଳି କ୍ରୁର ପାପକର୍ମ କରିବା ପାଇଁ ମନା କରିଦେଲେ l କିନ୍ତୁ ବୈଶ୍ୟପତ୍ନୀ ପୁତ୍ର ଲାଭ ଆଶାରେ ଏହା କରିବା ପାଇଁ ଚାହୁଁଥିଲେ l ଦିନେ ସେ ଜଣେ ବାଳିକାକୁ ଭୈରବଙ୍କ ନାମରେ ବଳି ଚଢାଇ ଏକ କୂପରେ ଫିଙ୍ଗି ଦେଲେ l ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ବୈଶ୍ୟ ପତ୍ନୀଙ୍କ ଦେହ ଭୀଷଣ ଭାବରେ ଅସୁସ୍ଥ ହୋଇ ପଡିଲା ଏବଂ ସେହି କନ୍ୟାର ଆତ୍ମା ତାଙ୍କୁ ସବୁବେଳେ ହଇରାଣ କରିବାକୁ ଲାଗିଲା l ପରେ ବୈଶ୍ୟ ପତ୍ନୀଙ୍କ ଠାରୁ ସମସ୍ତ ଘଟଣା ବିଷୟରେ ଅବଗତ ହେଲେ l ବୈଶ୍ୟ ତାଙ୍କୁ ତିରସ୍କାର କରି କହିଲେ,ଗୋ,ବ୍ରାହ୍ମଣ ଏବଂ ବାଳ ବଧ କରିଥିବା ବ୍ୟକ୍ତି ନିମନ୍ତେ ସଂସାରରେ କେଉଁଠି ସ୍ଥାନ ନାହିଁ l ଗଙ୍ଗାସ୍ନାନ,ବିଭୁ ଚିନ୍ତନ ଓ ଭଜନ ଦ୍ୱାରା ତାଙ୍କର ଏହି ଘୋର ପାପର ପ୍ରାୟଶ୍ଚିତ ହୋଇ ପାରିବ l ବୈଶ୍ୟ ପତ୍ନୀ ପଶ୍ଚାତାପ କରି ପାପ ଧୌତ ପାଇଁ ଗଙ୍ଗାକୁ ସ୍ନାନ ପାଇଁ ଗଲେ l ସ୍ନାନକାଳରେ ଗଙ୍ଗା ଦେବୀଙ୍କୁ ଆକୁଳ ପ୍ରାର୍ଥନା କରୁଥିଲାବେଳେ ଗଙ୍ଗା ମାତା ଆବିର୍ଭାବ ହୋଇ ତାଙ୍କୁ ଏ ପାପର ଖଣ୍ଡନ ପାଇଁ କାର୍ତ୍ତିକ ଶୁକ୍ଳ ନବମୀ ତିଥିରେ ଅଁଳା ଗଛର ପୂଜା କରିବା ସହ ଅଁଳା ସେବନ କରିବା ନିମନ୍ତେ କହିଲେ l ଗଙ୍ଗା ମାତାଙ୍କ କହିବା ଅନୁଯାୟୀ ସେ ଅଁଳା ଗଛର ପୂଜା କରି ଅଁଳା ସେବନ କରିବାରୁ ତାଙ୍କ ଶରୀର ରୋଗ ମୁକ୍ତ ହେଲା l ଏହି ପୂଜା କରିବାର କିଛିଦିନ ପରେ ତାଙ୍କୁ ଏକ ପୁତ୍ରପ୍ରାପ୍ତି ମଧ୍ୟ ହୋଇଥିଲା l ଅଁଳା ନବମୀରେ ଅଁଳା ଗଛକୁ ପୂଜା କରିବା ବିଧି ସେହିଦିନ ଠାରୁ ଚଳି ଆସୁଛି ବୋଲି ବିଶ୍ୱାସ କରାଯାଏ l
ଅଁଳା ନବମୀ ଦିନ ଆମ ଓଡ଼ିଶାର ଏକ ବିଶିଷ୍ଟ ପର୍ବ ମା’ରାସେଶ୍ୱରୀ ରାଧାରାଣୀଙ୍କ ପାଦ ଦର୍ଶନ l ଏଥିପାଇଁ ସାକ୍ଷୀଗୋପାଳ ମନ୍ଦିରରେ ବହୁ ଭକ୍ତଙ୍କ ସମାଗମ ହୋଇଥାଏ l ସତ୍ୟବାଦୀର ବକୁଳବନ ସାକ୍ଷୀଗୋପାଳରେ ପ୍ରତିଷ୍ଠିତ ଭଗବାନ ଶ୍ରୀକୃଷ୍ଣଙ୍କ ମଣିବିଗ୍ରହ ଓ ରାଧାରାଣୀଙ୍କ କମନୀୟ ମୂର୍ତ୍ତି ବିଷୟରେ ସୁନ୍ଦର ଐତିହାସିକ କାହାଣୀ ରହିଛି l
ବହୁ ଦିନ ତଳେ ରାଜା ଉନମାଧବ ଯମୁନା ନଦୀ କୂଳରୁ ଶ୍ରୀକୃଷ୍ଣଙ୍କ ମଣିବିଗ୍ରହ ଆଣି ବୃନ୍ଦାବନରେ ଅଧିଷ୍ଠିତ କରାଇଥିଲେ l ପରବର୍ତ୍ତୀ କାଳରେ ଏହି ମଣିବିଗ୍ରହଙ୍କୁ ବୃନ୍ଦାବନରୁ କାଞ୍ଚିର ଜଣେ ଶ୍ରୀବତ୍ସ ବ୍ରାହ୍ମଣ ସାକ୍ଷୀ ଦେବା ନିମନ୍ତେ କାଞ୍ଚି ନେଇ ଯାଇ ଥିଲେ l ସାକ୍ଷୀ ଦେବାପାଇଁ ଆସି ପ୍ରଭୁ ଗୋପାଳ କାଞ୍ଚିରେ ରହି ଆଉ ବୃନ୍ଦାବନ ଫେରି ନଥିଲେ ଓ କାଞ୍ଚିରେ ରହି ସାକ୍ଷୀଗୋପାଳ ନାମରେ ପୂଜିତ ହେଲେ l କାଞ୍ଚି କାବେରୀ ଯୁଦ୍ଧରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହାୟତାରେ ଉତ୍କଳ ଗଜପତି ଶ୍ରୀ ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ କରି ପ୍ରଭୁ ଶ୍ରୀ ସାକ୍ଷୀଗୋପାଳ,ମାଆ ତାରିଣୀ,କାଞ୍ଚି ଗଣେଶଙ୍କୁ ଉତ୍କଳ ନେଇ ଆସିଥିଲେ l ପରବର୍ତ୍ତୀ ସମୟରେ ମାଆ ତାରିଣୀଙ୍କୁ କାଞ୍ଚି ଯୁଦ୍ଧରେ ସହାୟତା କରି ଥିବା କେନ୍ଦୁଝର ରାଜା ଗୋବିନ୍ଦଭଞ୍ଜ ନେଇ ତାଙ୍କ ରାଜ୍ୟର ଘଟଗାଆଁ ଠାରେ ସ୍ଥାପନ କରି ଥିଲେ l ଗଣେଶ ଶ୍ରୀମନ୍ଦିର ପରିସରରେ ଶ୍ରୀମନ୍ଦିର ପଛ ପଟେ ଏକ ଛୋଟ ମନ୍ଦିର ମଧ୍ୟରେ କାଞ୍ଚି ଗଣେଶ ନାମରେ ଅବସ୍ଥାପିତ ହୋଇଛନ୍ତି l ମହାପ୍ରଭୁ ଶ୍ରୀ ସାକ୍ଷୀଗୋପାଳଙ୍କୁ ପ୍ରଥମେ କଟକର ବାରବାଟୀ ଦୁର୍ଗରେ ସ୍ଥାପନ କରା ଯାଇଥିଲା l ବାରବାଟିରୁ ଖୋର୍ଦ୍ଧା ରଥିପୁରଗଡ଼ ଓ ତା ପରେ କନ୍ତଳବାଇକୁ ସ୍ଥାନାନ୍ତରିତ ହୋଇଥିଲେ lଶେଷରେ ମହାପ୍ରଭୁଙ୍କ ମଣି ବିଗ୍ରହ ପୁରୀ ଶ୍ରୀ ମନ୍ଦିରର ଭୋଗ ମଣ୍ଡପ ନିକଟରେ ସ୍ଥାପିତ ହେଲା l ଶ୍ରୀ ସାକ୍ଷୀଗୋପାଳ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠିତ ହେବାର ଅଳ୍ପ ଦିନ ପରେ ରାଜା ରାମଚନ୍ଦ୍ରଦେବଙ୍କୁ ମହାପ୍ରଭୁଙ୍କ ସ୍ୱପ୍ନ ହେଲା,’ସାକ୍ଷୀଗୋପାଳ ଭୋଗ ବୁହା ବାଟ ପାଖରେ ବସି ଆମର ପିଠା ଆଦି ସମସ୍ତ ମିଷ୍ଟାନ୍ନ ପଦାର୍ଥ ଗୁଡ଼ିକୁ ଆଗରୁ ଉଚ୍ଛିଷ୍ଟ କରି ଦେଉଛନ୍ତି , ଆମେ ଉପବାସ ରହୁଛୁ’ l ଚମକି ପଡ଼ି ରାଜାଙ୍କ ନିଦ ତତକ୍ଷଣାତ ଭାଙ୍ଗିଗଲା l ରାଜା ଭାରି ବ୍ୟସ୍ତ ବିବ୍ରତ ଅବସ୍ଥାରେ ଅଛନ୍ତି ଏହି ସମୟରେ ବାବା ବ୍ରହ୍ମଚାରୀ ନାମକ ଜଣେ ସନ୍ନ୍ୟାସୀ ଗଜପତିଙ୍କ ପାଖକୁ ଯାଇ କହିଲେ ହେ ରାଜନ!ପୁରୀରୁ ୧୫ ମାଇଲ ଦୂର ବ୍ରାହ୍ମଣ ଶାସନର କେନ୍ଦ୍ରସ୍ଥଳ ପୁଣ୍ୟ ତୋୟା ରତ୍ନଚିରା ନଦୀ ତୀରରେ ବକୁଳ,ତମାଳ ଛୁରିଅନା,କେତକୀ ଓ ନାରିକେଳ ବୃକ୍ଷ ଶୋଭିତ ମନୋରମ ବନରେ ମହାପ୍ରଭୁ ସାକ୍ଷୀଗୋପାଳଙ୍କୁ ସ୍ଥାପନ କର,ସେଠାରେ ତାଙ୍କର ରହିବାକୁ ଭାରି ଇଚ୍ଛା l ଏହି ଧାମ ବୃନ୍ଦାବନ ଧାମ ସଦୃଶ l ରାଜା ଗଜପତି ରାମଚନ୍ଦ୍ର ଦେବ ବାବା ବ୍ରହ୍ମଚାରୀଙ୍କର ଏହି ପରାମର୍ଶକୁ ସ୍ୱୟଂ ସାକ୍ଷୀଗୋପାଳଙ୍କ ଇଚ୍ଛା ଭାବି ଏହି ପ୍ରାକୃତିକ ବନରେ ସିଦ୍ଧ ବଳରାମଙ୍କ ନିକଟରେ ଏକ ମନ୍ଦିର ନିର୍ମାଣ କରି ପ୍ରଭୁ ସାକ୍ଷୀ ଗୋପାଳଙ୍କୁ ସ୍ଥାପନ କଲେ l ଏହି ପୀଠକୁ ଗୁପ୍ତ ବୃନ୍ଦାବନ ବୋଲି ଅଭିହିତ କରାଯାଏ l ଏବେକାର ସାକ୍ଷୀ ଗୋପାଳ ମନ୍ଦିର 1865 ରେ ନିର୍ମାଣ କରା ଯାଇଛି l ଶ୍ରୀକୃଷ୍ଣ ସାକ୍ଷୀଗୋପାଳ ରୂପେ ରହିଲେ ସାକ୍ଷୀଗୋପାଳରେ, ରାଧାରାଣୀ ରହିଲେ ବୃନ୍ଦାବନରେ l ତାଙ୍କର ପରସ୍ପର ସହିତ ମିଳନ ନ ହେବାରୁ ଉଭୟେ ବ୍ୟାକୁଳ ହେଲେ l ସମୟ କ୍ରମେ ଶ୍ରୀରାଧା ସାକ୍ଷୀଗୋପାଳଙ୍କ ବଡ଼ ପଣ୍ଡା ବେଲେଶ୍ୱର ମହାପାତ୍ରଙ୍କ ଘରେ ତାଙ୍କର ଝିଅ ଲକ୍ଷ୍ମୀ ରୂପରେ ଜନ୍ମ ନେଲେ l ସାକ୍ଷୀଗୋପାଳ ପ୍ରତିଦିନ ରାତ୍ରିର ତୃତୀୟ ପ୍ରହର ବେଳେ ମନ୍ଦିର ଛାଡ଼ି ଆସି ଲକ୍ଷ୍ମୀ ସହିତ ମିଳିତ ହୁଅନ୍ତି l ଗୁପ୍ତବୃନ୍ଦାବନ ବକୁଳ ବନରେ ଲକ୍ଷ୍ମୀସହ କେଳି କରନ୍ତି l ଅଧିକାଂଶ ସମୟରେ ମହାପ୍ରଭୁଙ୍କ ବଂଶୀ,ରାତ୍ରର ପିନ୍ଧା ବସନ, ଚୂଳ ଆଦି ଲକ୍ଷ୍ମୀଙ୍କ ଶୟନକକ୍ଷରୁ ମିଳିଲା l ରାଜା ବଡ଼ପଣ୍ଡାଙ୍କୁ ଚୋର ସାବ୍ୟସ୍ତ କରି ନାନା ପ୍ରକାର ନିର୍ଯ୍ୟାତନା ଦେଲେ l ବେଲେଶ୍ୱର ମହାପାତ୍ରେ ନିରୁପାୟ ହୋଇ ପ୍ରଭୁ ସାକ୍ଷୀଗୋପାଳଙ୍କ ଶରଣ ପଶିଲେ l ଭକ୍ତବତ୍ସଳ ଭଗବାନ ପ୍ରଭୁ ସାକ୍ଷୀଗୋପାଳ ରାଜାଙ୍କୁ ସ୍ୱପ୍ନରେ ନିର୍ଦ୍ଧେଶ ଦେଲେ,ହେ ରାଜା ! ବଡ଼ପଣ୍ଡା ନିର୍ଦୋଷ, ମୋର ପ୍ରାଣପ୍ରିୟା ରାଧା ତାଙ୍କ ଘରେ ଲକ୍ଷ୍ମୀ ରୂପେ ଜନ୍ମଲାଭ କରିଛି l ଯଥାଶୀଘ୍ର ଲକ୍ଷ୍ମୀଙ୍କ ପରି ଏକ ସୁବର୍ଣ୍ଣର ପ୍ରତିମା ନିର୍ମାଣ କରାଇ ମୋ ନିକଟରେ ପ୍ରତିଷ୍ଠା କରାଅ l ମହାପ୍ରଭୁଙ୍କ ସ୍ୱପ୍ନାଦେଶ ପାଇ ଗଜପତି,ଗଡ଼ଜାତ ରଣପୁର ଅଞ୍ଚଳରୁ କେତେକ କୁଶଳୀ କାରିଗର ଅଣାଇ ଲକ୍ଷ୍ମୀଙ୍କ ପରି ଗୋଟିଏ ସୁବର୍ଣ୍ଣ ମୂର୍ତ୍ତି ନିର୍ମାଣ କରାଇଲେ l ମୂର୍ତ୍ତିଟି ନିର୍ମାଣ ଆରମ୍ଭ ଦିନରୁ ଲକ୍ଷ୍ମୀ ଶଯ୍ୟାଶାୟୀ ହେଲା l ସେହି ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠାଦିନ ଲକ୍ଷ୍ମୀ ଇହଲୀଳା ସାଙ୍ଗ କରିଥିଲେ l ସେହି ଦିନଥିଲା ଅଁଳା ନବମୀ l ପ୍ରଭୁ ସାକ୍ଷୀଗୋପାଳଙ୍କ ଇଚ୍ଛାନୁଯାୟୀ ତାଙ୍କ ପ୍ରାଣପ୍ରିୟା ଲକ୍ଷ୍ମୀଙ୍କ ମର ଶରୀରକୁ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ସଂସ୍କାର କରା ଯାଇଥିଲା l ଏ କଥାକୁ ସ୍ମରଣ ରଖିବା ପାଇଁ ପରବର୍ତ୍ତୀ କାଳରେ ଲକ୍ଷ୍ମୀଙ୍କ ସମାଧି ସ୍ଥଳରେ ଏକ ମହାବୀର ମନ୍ଦିର ପ୍ରତିଷ୍ଠା କରା ହୋଇଥିଲା l ଲକ୍ଷ୍ମୀଙ୍କୁ ରାଧିକା ରୂପେ ପାଇ ଶ୍ରୀ ସାକ୍ଷୀଗୋପାଳଙ୍କ ଦୀର୍ଘ ଦିନର ମନସ୍କାମନା ପୂର୍ଣ୍ଣ ହେଲା l ଠାକୁର ପଶ୍ଚିମାଞ୍ଚଳ ବାସୀ ହୋଇ ଥିବାରୁ ଅନ୍ନପ୍ରସାଦ ପରିବର୍ତ୍ତେ ତାଙ୍କ ନିକଟରେ ଗହମ ଜାତ ସାମଗ୍ରୀମାନ ଭୋଗ ଲାଗି ହେଲା l ପଶ୍ଚିମାଞ୍ଚଳ ମହିଳାଙ୍କ ପରି ରାଧାରାଣୀଙ୍କ ପିନ୍ଧା ଶାଢ଼ୀ ଦ୍ୱାରା ତାଙ୍କର ପାଦ ବର୍ଷସାରା ଘୋଡ଼ାଇ ହୋଇ ରହିଲା l ଏମିତି କିଛି ଦିନ ବିତିବା ପରେ ଏକଦା କିଛି ସେବକ ବସି ବିଚାର କଲେ ମାଆ ଶ୍ରୀରାଧା,ମାନବୀ ପ୍ରିୟା ଲକ୍ଷ୍ମୀରୂପେ ଓଡ଼ିଶାରେ ଆସି ସତ୍ୟବାଦୀରେ ରହିଲେ କିନ୍ତୁ ଦିନେହେଲେ ତ ଓଡ଼ିଆଣୀ ବେଶ ହେଲେ ନାହିଁ ? ଶେଷରେ ସ୍ଥିର ହେଲା ରାଧାରୂପେ ପୂଜା ପାଉଥିବା ମାନବୀ ପ୍ରିୟା ଲକ୍ଷ୍ମୀଙ୍କ ଜନ୍ମ ଦିନ, କେତେକଙ୍କ ମତରେ ତିରୋଧାନ ଦିବସ,କାର୍ତ୍ତିକ ଶୁକ୍ଳନବମୀ ତିଥିରେ ଓଡ଼ିଆଣୀ ବେଶ ଅନୁଷ୍ଠିତ ହେବ l ପୁନଶ୍ଚ ଏହି ତିଥିରେ କୃଷ୍ଣ ରାଧାଙ୍କ ପାଦରେ ଅଳତା ଲଗାଇ ଥିଲେ ଏବଂ ରାଧା ଏହିଦିନ କୃଷ୍ଣଙ୍କୁ ପାଦ ରେଣୁ ଦେଇ ସୁସ୍ଥ କରାଇ ଥିଲେ l
ଏହା ପରେ ଗୁପ୍ତ ବୃନ୍ଦାବନ ସାକ୍ଷୀଗୋପାଳରେ ବର୍ଷ ସାରା ରାଧା ରାଣୀଙ୍କ ଆବୃତ ପାଦ ଭକ୍ତଙ୍କ ପାଇଁ ଅଁଳାନବମୀ ଦିନ ଉନ୍ମୁକ୍ତ ହେଲା l ମାଆଙ୍କ ପାଦ ଯୁଗଳକୁ ଶ୍ରଦ୍ଧାଳୁମାନେ ଅଁଳା ନବମୀ ଦିନ ଦର୍ଶନ କରିବାର ସୁଯୋଗ ପାଇଲେ l ଓଡ଼ିଆଣୀ ବେଶରେ ମାଆ ରାଧାରାଣୀ କାଣିଆ କଛା ମାରି ଶାଢ଼ୀ ପରିଧାନ କରନ୍ତି l ପ୍ରଭୁ ସାକ୍ଷୀଗୋପାଳଙ୍କୁ ଚନ୍ଦନ ବେଶ କରାଯାଇ ଶିରରେ ସ୍ୱର୍ଣ୍ଣ କିରୀଟ ଓ ମୟୁରପୂଛ,ହସ୍ତରେ ସୁବର୍ଣ୍ଣ ବଂଶୀ ଧାରଣ ପୂର୍ବକ ଅତି ମନୋରମ ନଟବର ବେଶରେ ସଜାଇ ଦିଆ ଯାଏ l ରାଧାରାଣୀଙ୍କୁ ଖଣ୍ଡୁଆ ପାଟବସ୍ତ୍ର,କିରୀଟ, ପାଉଁଜି,ଝୁଣ୍ଟିଆ,କୁଣ୍ଡଳ,ଚାପସରି,ସେବତୀ ହାର, ନୋଥ, ଗୁଣା ଏବଂ ଅଁଳା ହାର ଆଦି ଲାଗି କରି ମନ ମୁଗ୍ଧକର ଓଡ଼ିଆଣୀ ବେଶରେ ସଜାଇ ଦିଆ ଯାଏ l ରାଧା ରାଣୀଙ୍କ ପାଦ ଦର୍ଶନ କରିବା ସହ ଶ୍ରୀକୃଷ୍ଣଙ୍କ ମନୋହର ନଟବର ବେଶ ଦର୍ଶନକରି ଭକ୍ତମାନେ ଅପୂର୍ବ ଆନନ୍ଦ ଲାଭ କରିଥାନ୍ତି l ଶ୍ରୀକୃଷ୍ଣଙ୍କ ନଟବର ବେଶ ରାଧାରାଣୀଙ୍କର ଅତି ପ୍ରୀୟ l ନଟବର ବେଶରେ ପ୍ରଭୁ ଦ୍ୱାପର ଯୁଗରେ ଗୋପୀ ମାନଙ୍କ ସହ ବୃନ୍ଦାବନରେ ଶରଦ ରାସ ରଚନା କରିଥିଲେ l ଅତି ମନୋରମ ଏ ନଟବର ବେଶ ମହର୍ଷି ବ୍ୟାସଦେବ କୃତ ଶ୍ରୀମଦ ଭାଗବତ ମହା ପୁରାଣରେ ଅତି ଚମତ୍କାର ଭାବେ ବର୍ଣ୍ଣିତ ହୋଇଛି l
ବର୍ହିପୀଡ଼ଃ ନଟବର ବପୁ
କର୍ଣ୍ଣୟୋ କର୍ଣ୍ଣିକାରଂ l
ବିଭ୍ରଦଵାସଃ କନକକପୀଶଂ
ବୈଜୟନ୍ତୀ ଚ ମାଳାମ୍ l
ରନ୍ଦ୍ରାନ ବେଣୋଧର ସୁଧୟା
ପୁରୟନ ଗୋପ ବୃନ୍ଦେଐ l
ଵୃନ୍ଦାରଣ୍ୟମ୍ ସ୍ୱପଦ ରମଣମ୍
ପ୍ରାବିଶଦ ଗୀତକୀର୍ତ୍ତିହଃ ll
ଉତ୍କଳ ମାଟିର ମହାକବି ଶ୍ରୀଜୟଦେବ ମଧ୍ୟ ଶ୍ରୀ ଗୀତ ଗୋବିନ୍ଦରେ ଏ ବେଶର ବର୍ଣ୍ଣନା କରି ଲେଖିଛନ୍ତି :-
ଚନ୍ଦନ ଚର୍ଚ୍ଚିତ ନୀଳ କଳେବର
ପୀତ ବସନ ବନମାଳୀ l
କେଳି ଚନ୍ଦନ ମଣି କୁଣ୍ଡଳ ମଣ୍ଡିତ
ଗଣ୍ଡଯୁଗ ସ୍ମିତଶାଳୀ ll
କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି ପବିତ୍ର ଅଁଳା ନବମୀ ବା ଧାତ୍ରୀ ନବମୀ ତଥା ଶ୍ରୀରାଧାଙ୍କ ପାଦ ଦର୍ଶନ ଯାତ୍ରା ରୂପେ ସୁପରିଚିତ l ସାକ୍ଷୀଗୋପାଳ ମନ୍ଦିରରେ ମହା ଭାବମୟୀ ଗୋପୀ ଶ୍ରେଷ୍ଠା ପ୍ରଭୁ ଶ୍ରୀକୃଷ୍ଣଙ୍କ ଆହ୍ଲାଦିନୀ ଶକ୍ତି ସ୍ୱରୂପା ମହାପ୍ରଭୁଙ୍କ ଆନନ୍ଦ ସ୍ୱରୂପାଙ୍କ ପାଦ ଦର୍ଶନ ଭକ୍ତ ଗଣଙ୍କୁ ଭାବ ସମୁଦ୍ରରେ ବୁଡା଼ଇଦିଏ lବର୍ଷସାରା ବସ୍ତ୍ର ଘେରରେ ଘୋଡ଼ାଇ ହୋଇ ରହିଥିବା ରାଧାଙ୍କର ପାଦପଦ୍ମ ଯୁଗକୁ ବର୍ଷକେ ଥରେ ନବମୀ ଦିନ ଭକ୍ତ ମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି l ଗୁପ୍ତବୃନ୍ଦାବନ ସାକ୍ଷୀଗୋପାଳର ଏହି ଅଁଳା ନବମୀ, ଶ୍ରୀକ୍ଷେତ୍ର ରଥ ଯାତ୍ରା ପରେ ଦ୍ୱିତୀୟ ବଡ଼ ଯାତ୍ରା l କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଏ ଯାତ୍ରା ପାଳିତ ହୁଏ l ଆସନ୍ତୁ ଆଜିର ଏହି ପବିତ୍ର ଅଅଁଳା ନବମୀରେ ଭାବମୟୀ ଶ୍ରୀ ରାଧାଙ୍କ ଚରଣ କମଳରେ ପ୍ରଣତି ବାଢ଼ିବା l
ତପ୍ତକାଞ୍ଚନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ଵରୀ,
ଵୃଷଭାନୁସୁତେ ଦେଵୀ ପ୍ରଣମାମି ହରି ପ୍ରିୟେ।

ଧର୍ମର ଅନ୍ୟନାମ କାର୍ତ୍ତିକ ମାସ।

ସନାତନ ଧର୍ମରେ ଯଦି କୌଣସି ମାସକୁ ସମ୍ପୂର୍ଣ୍ଣ ଭାବରେ ଶୁଭ ବୋଲି ଗ୍ରହଣ କରାଯାଏ ତାହା ହେଲା ପବିତ୍ର କାର୍ତ୍ତିକ ମାସ।ସାଧାରଣତଃ ଏହା ଅକ୍ଟୋବରରୁ ନଭେମ୍ବର ଭିତରେ ପଡିଥାଏ ଆମ ହିନ୍ଦୁ ପଞ୍ଜିକା ଅନୁସାରେ। କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି ମଧ୍ୟ କୁହାଯାଇଥାଏ। କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ କାର୍ତ୍ତିକ ମାସ କୁହାଯାଏ। ଏହାର ପୂର୍ବବର୍ତ୍ତୀ ମାସ ଆଶ୍ୱିନ ଏବଂ ପରବର୍ତ୍ତୀ ମାସ ମାର୍ଗଶୀର ମାସ। ଏହି ମାସଟି ଶରତ ପୁର୍ଣ୍ଣିମାରୁ ଆରମ୍ଭ କରି କାର୍ତ୍ତିକ ପୁର୍ଣ୍ଣିମା ପର୍ଯ୍ଯନ୍ତ ଚାଲି ଥାଏ। କାର୍ତ୍ତିକ ମାସରେ ଦୀପ ଦାନ କରିବା ଏବଂ ଗଙ୍ଗାରେ ସ୍ନାନ କରିବାକୁ ବେଶ୍ ମହତ୍ତ୍ଵ ଦିଆଯାଏ। ଏହା କରିବା ଦ୍ଵାରା ସବୁ ପାପ ନଷ୍ଟ ହୋଇଥାଏ ବୋଲି ବିଶ୍ଵାସ କରାଯାଏ।ନାରଦୀୟ ପୁରାଣ ମତେ ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ। ଏହା ଧର୍ମ ମାସ ହୋଇଥିବାରୁ ଏହି ମାସଟିକୁ ନିଷ୍ଠା ସହକାରେ ପାଳନ କରାଯାଏ। ବିଶ୍ଵଜନନୀ କରୁଣାମୟୀ ମା ଦୁର୍ଗାଙ୍କ ଶାରଦୀୟ ବନ୍ଦନା ପରେପରେ ଚନ୍ଦ୍ର ଏବଂ ମା କାଳୀଙ୍କ ଆରାଧନା ଅତ୍ୟନ୍ତ ଆଡ଼ମ୍ବର ସହକାରେ ସମାହିତ ହୁଏ ଏହି ମାସରେ। ଦେବ ସେନାପତି ଚିର କୁମାର କାର୍ତ୍ତିକେୟଙ୍କ ଆରାଧନା ମଧ୍ୟ ଏହି ମାସରେ ଅତ୍ୟନ୍ତ ଉତ୍ସାହର ସହିତ ସମ୍ପାଦିତ ହୁଏ ଓଡ଼ିଶାର ପୁରପଲ୍ଲୀରେ। ଏହି ମାସରେ ଅନେକ ମହତ୍ତ୍ଵପୂର୍ଣ୍ଣ ପର୍ବପର୍ବାଣି ପଡିବା ସହିତ ସାରା ମାସ ଧରି ବିଭିନ୍ନ ଧର୍ମାନୁଷ୍ଠାନ କରାଯାଇଥାଏ। ସୂର୍ଯ୍ୟ ଯେତେବେଳେ ତାଙ୍କର ଦକ୍ଷିଣାୟନ ଆରମ୍ଭ କରନ୍ତି ଓ ତୁଳା ରାଶିକୁ ପ୍ରବେଶ କରନ୍ତି କାର୍ତ୍ତିକ ମାସ ଆରମ୍ଭ ହୁଏ। ଏହି ମାସ ଏଭଳି ପବିତ୍ର ଯେ ଏ ମାସର ଯେ କୌଣସି ଦିନରେ ଧାର୍ମିକ କାର୍ଯ୍ୟାନୁଷ୍ଠାନ ଆଦି ଆରମ୍ଭ କରାଯାଇପାରେ। ପ୍ରବାଦ ଅଛି ଏହି ମାସରେ ଯେ କୌଣସି ଧାର୍ମିକ ଅନୁଷ୍ଠାନ କଲେ ତାହା ଧାର୍ମିକ କ୍ଷେତ୍ରକୁ ତୀର୍ଥ ଯିବାର ପୂଣ୍ୟଫଳ ପ୍ରଦାନ କରିଥାଏ।

ପୁରାଣରେ ବର୍ଣ୍ଣିତ କଥା ଅନୁଯାୟୀ ଭଗବାନ ବିଷ୍ଣୁ ଦେବଶୟନ ଏକାଦଶୀରେ ଯୋଗ ନିଦ୍ରାରେ ଗମନ କରି ୪ ମାସ ପରେ ଅର୍ଥାତ୍ ଏହି କାର୍ତ୍ତିକ ମାସର ଦେବ ପ୍ରବୋଧିନୀ ଏକାଦଶୀ ଦିନ ଯୋଗ ନିଦ୍ରାରୁ ଉଠିଥିଲେ ଓ ଏକ ପବିତ୍ର ସମୟର ଆଗମନ ହୋଇଥିଲା ।

କାର୍ତ୍ତିକ ମାସରେ ବୟସ୍କ ତଥା ଧର୍ମପ୍ରାଣ ଆବାଳ- ବୃଦ୍ଧ- ବନିତା ପ୍ରତ୍ୟେହ ପ୍ରାତଃକାଳରେ ସ୍ନାନ ସମାପନ ପୂର୍ବକ ଦେବ ଦର୍ଶନ ଏବଂ ନଗର ସଂକୀର୍ତ୍ତନରେ ଆତ୍ମବିଭୋର ହୋଇଉଠନ୍ତି। କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ପଞ୍ଚ ପର୍ବ ବା ମହାପଞ୍ଚକ ନାମରେ ପରିଚିତ। ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର ପୂର୍ବକ ଶ୍ରଦ୍ଧା ଭାବନା ତଥା ଧର୍ମୀୟ ମନୋଭାବରେ ଦେବତାଙ୍କୁ ପୂଜା କରିଥାନ୍ତି। କୁହାଯାଏ ଯେ ଏହି ପାଞ୍ଚ ଦିନ ଯାକ ବଗ ମଧ୍ୟ ଆମିଷ ସ୍ପର୍ଶ କରେ ନାହିଁ । ସେ ଯାହା ହେଉନା କାହିଁକି ଏହି ମାସର ଶୁକ୍ଳପକ୍ଷ ଏକାଦଶୀ ବା ବଡ ଏକାଦଶୀ ଠାରୁ ପୂର୍ଣ୍ଣମୀ ପାଞ୍ଚଦିନ ପର୍ଯ୍ୟନ୍ତ ମହାପଞ୍ଚକ ହିନ୍ଦୁମାନଙ୍କ ପାଇଁ ଧର୍ମଗତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ବିଧବାମାନଙ୍କ ପକ୍ଷରେ ଏହି ମାସଟି ତ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ I ସେମାନେ ହବିଷ୍ୟ ପାଳନ ପୂର୍ବକ ପ୍ରତ୍ୟେହ ସନ୍ଧ୍ୟାରେ ଆକାଶଦୀପ ପ୍ରଜ୍ଜଳନ କରିଥାନ୍ତି। ପ୍ରତ୍ୟେକ ଦିନ ପ୍ରତ୍ୟୁଷରୁ ଶଯ୍ୟା ତ୍ୟାଗକରି ସ୍ନାନ କରି ସେମାନେ ଦେବାଦେବୀ ଦର୍ଶନ ପାଇଁ ଯାଆନ୍ତି ଏବଂ ଦେବାଳୟରୁ ଫେରିବା ପରେ ତୁଳସୀ ବୃକ୍ଷ ପାଖରେ ଅତ୍ୟନ୍ତ ଭକ୍ତି ସହକାରେ କାର୍ତ୍ତିକ ମାହାତ୍ମ୍ୟ ପାଠ ଓ ଶ୍ରବଣ କରନ୍ତି। କାର୍ତ୍ତିକ ମାସରେ ପୁରୀରେ ହବିଷ ପାଇଁ ହବିଷ୍ୟାଳିଙ୍କ ବହୁ ଭିଡ଼ ପରିଲିକ୍ଷିତ ହୋଇଥାଏ।

ପୌରାଣିକ ତଥ୍ୟ ଅନୁଯାୟୀ ପରମପିତା ବ୍ରହ୍ମା ବ୍ରହ୍ମର୍ଷି ନାରଦଙ୍କୁ କାର୍ତ୍ତିକ ମାସର ମହାତ୍ମ୍ୟ ବୁଝାଇ କହିଛନ୍ତି :-

“ମାସ ମାନଙ୍କ ମଧ୍ୟରେ କାର୍ତ୍ତିକ, ଦେବତା ମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ଏବଂ ତୀର୍ଥମାନଙ୍କ ମଧ୍ୟରେ ବଦ୍ରିକାଧାମ ଶ୍ରେଷ୍ଠ ଅଟେ।

“ନାଁ କାର୍ତ୍ତିକ ସମୋ ମାସୋ
ନ କୃତେନ ସମଂ ଯୁଗମ୍ବ,
ନ ବେଦ ସଦୃଶଂ ଶାସ୍ତ୍ରଂ
ନ ତୀର୍ଥଂ ଗଙ୍ଗାୟା ସମମ୍”।।

ଅର୍ଥାତ୍- କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ। କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ। ତନ୍ମଧ୍ୟରୁ ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅତ୍ୟନ୍ତ ପବିତ୍ର। ଏହି ପାଞ୍ଚ ଦିନକୁ ଭୀଷ୍ମ ପଞ୍ଚୁକ,ବକ ପଞ୍ଚୁକ, ମହାପଞ୍ଚୁକ ଇତ୍ୟାଦି କୁହାଯାଏ।

ଆକାଶଦୀପ ପ୍ରତିଷ୍ଠା ପବିତ୍ର କାର୍ତ୍ତିକ କୃତ୍ୟର ଆଉ ଏକ ମହତ୍ତ୍ଵପୂର୍ଣ୍ଣ ଅବଦାନ। କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ। ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମ ପଥକୁ ଆଲୋକିତ କରିବା ସକାଶେ ଉଚ୍ଚ ସ୍ଥାନରେ ଏହି ପ୍ରଦୀପ ପ୍ରଜ୍ଜଳନ ବିଧି ପ୍ରଚଳିତ ତେଣୁ ପ୍ରାୟତଃ ପ୍ରତ୍ୟେକ ଗ୍ରାମରେ, ମନ୍ଦିରରେ ଏକ ଉଚ୍ଚ ବାଉଁଶରେ ପ୍ରତି ସନ୍ଧ୍ୟାରେ ଆକାଶଦୀପ ରଖାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ଅବକାଶରେ କଦଳୀପଟୁଆ ନିର୍ମିତ ଡଙ୍ଗା ଭସାଇବାର ବିଧି ପ୍ରଚଳିତ ରହିଅଛି ହିନ୍ଦୁ ଧର୍ମରେ, ସେ ଦିନ ପ୍ରତ୍ୟୁଷରୁ ଆବାଳ ବୃଦ୍ଧା ବନିତା ନଦୀ ବା ପୁଷ୍କରଣୀରେ ବୁଡ ପକାଇ କଦଳୀ ବାହୁଙ୍ଗା ବା ସୋଲ ତିଆରି ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ଭସାଇ ଦିଅନ୍ତି। ଏହି ସମୟରେ ସମସ୍ତେ ଉତ୍ ଫୁଲ୍ଲିତ ଚିତ୍ତରେ ଗାନ କରନ୍ତି ‘ଆ କା ମା ବୈ ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର” ଏହି ଅବସରରେ ପ୍ରତ୍ୟେକ ପୁଣ୍ୟ ଅର୍ଜନ ସକାଶେ ମନାସ କରିଥାନ୍ତି । ବିଶ୍ଵାସ ରହିଛି ଯେ ଏହିଦିନ ପ୍ରତ୍ୟୁଷରୁ ସ୍ନାନପୂର୍ବକ ଦେବଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ ।

ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ- ଏଇ ଚାରିମାସ ହେଉଛି ସୂର୍ଯ୍ୟଙ୍କର ଅୟନାନ୍ତ କାଳ ସମ୍ଭବତଃ ଏହି ଅୟନାନ୍ତ ଦିବସମାନଙ୍କରେ ସୌରଦେବଙ୍କ ଉପାସନା କରାଯାଏ। ପୌରାଣିକ ଅନୁଧ୍ୟାନରୁ ଏହି ଚାରିମାସ ଧର୍ମ ଦୃଷ୍ଟିରୁ ଶୁଭପ୍ରଦ ଏବଂ ଦେବଦେବୀଙ୍କ ଉପାସନା ସକାଶେ ଅତ୍ୟନ୍ତ ଅନୁକୂଳ । ତେଣୁ ଏହି ଚାରିମାସର ଆଦ୍ୟବର୍ଣ୍ଣ ‘ ଆ କା ମା ବୈ ’କୁ ଡଙ୍ଗା ଭସାଇବା ସମୟରେ ଗାନ କରାଯାଇଥାଏ।କୁହାଯାଏ କାର୍ତ୍ତିକ ମାସ ସମୟରେ ପ୍ରତ୍ୟେହ ଗୀତାର ଗୋଟିଏ ଶ୍ଳୋକ ପାଠ କରି ମଧ୍ୟ ମନୁଷ୍ୟ ଜୀବନ୍ମୁକ୍ତ ହୋଇପାରିବ ବୋଲି ବିଶ୍ୱାସ ରହିଅଛି। ସ୍କନ୍ଦ ପୁରାଣ ମତେ: –

“କାର୍ତ୍ତିକ ମାସି ବିପ୍ରେନ୍ଦ୍ର ଯସ୍ତୁଗୀତାଂ ପଠେନ୍ନରଃ,
ତସ୍ୟ ପୁଣ୍ୟଫଳଂ ବକ୍ତୁଂ ମମଶକ୍ତି ର୍ନ ବିଦୀତେ,
ଗୀତାୟାସ୍ତୁ ସମଂ ଶାସ୍ତ୍ରଂ ନ ଭୂତଂ ନ ଭବିଷ୍ୟତି,
ସର୍ବ ପାପହରା ନିତ୍ୟଂ ଗୀତୈକା ମୋକ୍ଷଦାୟିନୀ,
ଶ୍ରୀମଦ୍ ଭଗବତସ୍ୟାପି ଶ୍ରବଣଂ ଯଃ ସମାଚରେତ୍,
ସର୍ବପାପ ବିନିର୍ମୁକ୍ତଃ ପରଂ ନିର୍ବାଣ ମୃଚ୍ଛତି”

ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସରେ ତୁଳସୀ ଗଛର ପୂଜା କରିବା ଦ୍ଵାରା ବହୁତ ଲାଭ ହୋଇଥାଏ। ହିନ୍ଦୁ ଧର୍ମରେ ତୁଳସୀକୁ ବହୁତ ପବିତ୍ର ବୋଲି କୁହାଯାଏ। କୁହାଯାଏ ଯଦି ଆପଣ ବହୁତ ଚେଷ୍ଟା କରିବା ସତ୍ତ୍ବେ ଆପଣଙ୍କର କୌଣସି କାମ ହେଉ ନାହିଁ ତେବେ ଆପଣଙ୍କୁ ତୁଳସୀର ପୂଜା ନିଶ୍ଚିତ କରିବା ଉଚିତ୍। ଏହା କରିବା ଦ୍ଵାରା ଆପଣଙ୍କ ଘରେ କିଛି ଦିନରେ ନିଶ୍ଚିତ ପରିବର୍ତ୍ତନ ଆସିବ।

କାର୍ତ୍ତିକ ମାସରେ ପାଳନ କରାଯାଉଥିବା କେତୋଟି ମୁଖ୍ୟ ପର୍ବପର୍ବାଣୀ ମଧ୍ୟରୁ ଶ୍ରୀ କ୍ଷେତ୍ରରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ, କୃଷ୍ଣପକ୍ଷ ଦ୍ୱାଦଶୀରେ ଗୋବତ୍ସା ଦ୍ୱାଦଶୀ, କୃଷ୍ଣପକ୍ଷ ତ୍ରୟୋଦଶୀରେ ଧନ ତ୍ରୟୋଦଶୀ ବା ଧନତେରାସ ବା ଧନ୍ୱନ୍ତରୀ ଜୟନ୍ତୀ, କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ନରକ ଚତୁର୍ଦ୍ଦଶୀ, ଅମାବାସ୍ୟାରେ କାଳୀ ପୂଜା, ଦୀପାବଳୀ ଏବଂ ପୟାଶ୍ରାଦ୍ଧ। ସେହିପରି ଶୁକ୍ଳପକ୍ଷ ଦ୍ୱିତୀୟାରେ ଯମ ଦ୍ୱିତୀୟା, ଶୁକ୍ଳପକ୍ଷ ଅଷ୍ଟମୀରେ ଗୋଷ୍ଠାଷ୍ଟମୀ ବା ଗୋପାଷ୍ଟମୀ, ଶୁକ୍ଳପକ୍ଷ ନବମୀରେ ଅଁଳା ନବମୀ ଏବଂ ଶୁକ୍ଳପକ୍ଷ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭୀଷ୍ମ ପଞ୍ଚକ, ଶୁକ୍ଳପକ୍ଷ ଏକାଦଶୀରେ ଦେବ ଉତ୍ଥାପନ ଏକାଦଶୀ ବା ପ୍ରବୋଧିନୀ ଏକାଦଶୀ ଓ ଶ୍ରୀମନ୍ଦିରରେ ଲକ୍ଷ୍ମୀ ନାରାୟଣ ବେଶ ବା ଠିଆକିଆ ବେଶ, ଶୁକ୍ଳପକ୍ଷ ଦ୍ୱାଦଶୀରେ ଗରୁଡ଼ ଦ୍ୱାଦଶୀ ଓ ଶ୍ରୀମନ୍ଦିରରେ ବାଙ୍କଚୂଡ଼ା ବେଶ ବା ବାମନ ବେଶ, ତ୍ରୟୋଦଶୀରେ ଶ୍ରୀମନ୍ଦିରରେ ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ, ଶୁକ୍ଳପକ୍ଷ ଚତୁର୍ଦ୍ଦଶୀରେ ବୈକୁଣ୍ଠ ଚତୁର୍ଦ୍ଦଶୀ ଓ ଶ୍ରୀମନ୍ଦିରରେ ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ ଶେଷରେ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଓ ଶ୍ରୀମନ୍ଦିରରେ ରାଜରାଜେଶ୍ୱର ବେଶ ବା ସୁନାବେଶ।

ଏହି ମାସଟି ଯେ କେବଳ ହିନ୍ଦୁ ଧାର୍ମିକ ମାସ ତାହା ନୁହେଁ, ସାରା ପ୍ରକୃତି ହସିଉଠେ ଏହି ମାସରେ। ଏହି ମାସରେ ଆରମ୍ଭ ହୋଇଥାଏ ନୂଆ ଫସଲର ଆମଦାନୀ ତେଣୁ କାର୍ତ୍ତିକ ମାସଟି ସମସ୍ତଙ୍କ ପାଇଁ ଏକ ସୁନ୍ଦର, ପବିତ୍ର ଓ ମଙ୍ଗଳ ମାସ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଚନ୍ଦ୍ରଶେଖର।

ଦିନେ ଶଙ୍କର ଗୌରୀ ପଶା ଖେଳରେ ମଗ୍ନ ଥିବା ସମୟରେ ମହାଦେବ ଜାଣି ଜାଣି ନିଜକୁ ହରାଇଲେ। ନିଜ ଜିତିବା ଦେଖି ଦେବୀ ପାର୍ବତୀ ଆନନ୍ଦରେ ଅଧିର ହୋଇ ପଡିଲେ। ଆଉ ଶିବଙ୍କୁ କହିଲେ ଆପଣ ଆଜି ହାରିଗଲେ ଆଉ ଆମ୍ଭେ ଜିତିଗଲୁ। ଶିବ କହିଲେ ଆମେ ସବୁ କ୍ଷେତ୍ରେ ଅଜେୟ ଅଟୁ ଆଉ ଆମ୍ଭେ ଆପଣା ଇଚ୍ଛାରେ ହାରିଅଛୁ। ଏହି କଥାରୁ ଗୋଟିଏ ମିଠା କଳି ଆରମ୍ଭ ହୋଇଗଲା। ଦେବୀ ପାର୍ବତୀ କହିଲେ ଆପଣ ଯଦି ସ୍ଵୟଂ ସମ୍ପୂର୍ଣ୍ଣ ଅଜେୟ ତେବେ ଆମ୍ଭେ ଆପଣଙ୍କ ଶକ୍ତିର ଆଧାର ଅଟୁ। ପୁଣି ଶିବ କହୁଛନ୍ତି ଆମ୍ଭେ ସକଳ ସୃଷ୍ଟିର ଆଧାର ଜ୍ୟୋତିର୍ଲିଙ୍ଗ ଅଟୁ। ଆମଠାରୁ ସକାଳ ସୃଷ୍ଟି ଉତ୍ପନ୍ନ ହୋଇଅଛି। ଏହାର ଉତ୍ତରରେ ଦେବୀ କହୁଛନ୍ତି ଆପଣ ଜ୍ୟୋତିର୍ଲିଙ୍ଗ ହେଲେ ଆମ୍ଭେ ସେହି ଜ୍ୟୋତିର ଆଧାରଭୂତା ଶକ୍ତି ଅଟୁ। ଶଙ୍କର ପୁଣି କହୁଛନ୍ତି ଆମ୍ଭେ ଆପଣା ଇଚ୍ଛାରେ ଯେ କୌଣସି ରୂପ ଧାରଣ କରିପାରୁ।

ଠାକୁରାଣୀ ଏଇଠି ହସିଦେଇ କହୁଛନ୍ତି ଯଦି ଆପଣ ନିଜ ଇଚ୍ଛାରେ ବିଭିନ୍ନ ରୂପ ଧାରଣ କରିପାରନ୍ତି ତେବେ ଏପରି ବିଚିତ୍ର ରୂପ ଧାରଣ କରିଲେ କାହିଁକି। ଜଟା ଗୁଡିକ ଆଲୁରା ପୁଣି ସେଥିରେ ଜଳ ବହି ସର୍ବଦା ସିକ୍ତ। ଏପରି ଓଦା ସରସର ଜଟା କିପରି ଧାରଣ କରି ଅଛନ୍ତି। ଦେହ ସାରା ପାଉଁଶ ବୋଳି ହୋଇଛନ୍ତି। ପୁଣି ହାଡ଼ ଖପୁରି ଆଦିର ଅଳଙ୍କାର, ତା ସହିତ ବ୍ୟାଘ୍ର ହସ୍ତୀଙ୍କ ଚମଡାରେ ବସ୍ତ୍ର। ପୁଣି କେତେବେଳେ ଦିଗମ୍ବର ସ୍ଵରୂପ। ଆଉ ବିଚିତ୍ର ଆଖି ଥାଇ ବିରୂପାକ୍ଷ ବୋଲାଇଥାନ୍ତି। ଅନ୍ୟ ଦେବତା ମାନେ କେଡେ ସୁନ୍ଦର ରୂପ ଧାରଣ କରିଥାନ୍ତି, କେତେ ଅଳଙ୍କାର ପିନ୍ଧିଥାନ୍ତି। ହେଲେ ଆପଣେ ସେହି ଚମଡା କପାଳ ଧାରଣ କରି ଭୂତ ପ୍ରେତ ଗଣ ସହ ବାସ କରୁଛନ୍ତି।

ଯଦି ଆପଣ ସ୍ଵୟଂ ଇଚ୍ଛାରେ ରୂପ ଧାରଣ କରି ପାରନ୍ତି ତେବେ ଏପରି ରୂପ କାହିଁକି?? ଏହା କହି ମହାଦେବୀ ଆଉ ଇଶ୍ୱରଙ୍କ ଆଡ଼କୁ ନ ଅନାଇ ନିଜ ଶୁକ ସହ କଥା ହେବାକୁ ଲାଗିଲେ।……

ଯେ ସ୍ଵୟଂ ସମ୍ପୂର୍ଣ୍ଣ, ଯେ ସକଳ ଐଶ୍ଵର୍ଯ୍ୟ ଠାରୁ ଉର୍ଦ୍ଧ୍ଵରେ ତାଙ୍କୁ କ’ଣ ଯେ ଆବଶ୍ୟକ ସୁନ୍ଦର ହେବା ପାଇଁ। ତଥାପି ଠାକୁରାଣୀଙ୍କ ଆଗ୍ରହରେ ଦେବ ନିଜର ରୂପ ପରିବର୍ତ୍ତନ କରିବାକୁ ଇଚ୍ଛା କଲେ। କି ବର୍ଣ୍ଣନା କରିବା ସେ ରୂପକୁ। ଯିଏ ବର୍ଣ୍ଣନାର ଉର୍ଦ୍ଧ୍ଵରେ ସେ କୋଉ ବର୍ଣ୍ଣନାରେ ଆସିବେ କି। ଯାହାଙ୍କର ଅଙ୍ଗରେ ଚନ୍ଦ୍ର ଲାଗିବାରୁ ସେହି ଚନ୍ଦ୍ର ଚନ୍ଦ୍ରକଳା ସମ ପ୍ରତୀୟ ହୁଏ। ହରି ବ୍ରହ୍ମା ସହିତରେ କୌଣସି ଦେବତାଙ୍କର ଅଙ୍ଗରେ ନାଗ ଭୂଷଣ, ଚର୍ମ ବସ୍ତ୍ର କିମ୍ବା ଭସ୍ମ ଲେପନ ଶୋଭା ପାଏ ନାହିଁ ଯେପରି ସଦାଶିବଙ୍କ ଶ୍ରୀ ଅଙ୍ଗରେ ସୁନ୍ଦର ଦିଶୁଥାଏ। ଏହି ଆଭରଣ ଅସୁନ୍ଦର ହୋଇଥିଲେ ମଧ୍ଯ ସଦାଶିବଙ୍କ ଶ୍ରୀ ଅଙ୍ଗ ଲାଗିବାରୁ ସେମାନେ ସୁନ୍ଦର ଦିଶିଥାନ୍ତି ।

ଚନ୍ଦ୍ରଶେଖର….. କର୍ପୂର ଗୌରାଙ୍ଗ ଶରୀରକୁ କୋଟି ସୂର୍ଯ୍ୟଙ୍କ ସମ କାନ୍ତି, କିନ୍ତୁ ସେ କାନ୍ତିରେ ସୂର୍ଯ୍ୟଙ୍କ ରୌଦ୍ରତା ନାହିଁ। ସେ କାନ୍ତିରେ କୋଟି ଚନ୍ଦ୍ରଙ୍କ ଶୀତଳତା। ମସ୍ତକରେ ଆଲୁରା ଜଟ ସ୍ଥାନରେ, ସୁନ୍ଦର ଜଟା ମୁକୁଟ ସହ ରତ୍ନ କିରିଟରେ ଶୋଭିତ। ତ୍ରିନୟନ କସ୍ତୁରୀ ତିଳକରେ ସୁନ୍ଦର ଦିଶୁଛି। ଅଙ୍ଗରେ ହାଡ଼ ଖପୁରିର ଅଳଙ୍କାର ନାହିଁ। ସେ ସ୍ଥାନରେ ବିବିଧ ସୁବର୍ଣ୍ଣ ଜଡିତ ରତ୍ନ ଆଭରଣ। କର୍ଣ୍ଣରେ ତମ୍ବା କୁଣ୍ଡଳ ସ୍ଥାନରେ ମକର କୁଣ୍ଡଳ। କଟୀରେ ଚର୍ମ ବସନ ଆଉ ନାହିଁ ସେ ସ୍ଥାନରେ ନାନାଦି ପଟ୍ଟ ବସ୍ତ୍ରର ଆଭରଣ। ପ୍ରତେକ ଅଙ୍ଗ ଅଙ୍ଗ ନନ୍ଦନ କାନନର ଚନ୍ଦନରେ ସୁଶୋଭିତ ଯାହା ଗଙ୍ଗା ଜଳରେ ଘୋରା ହୋଇ ଲାଗି ହୋଇଅଛି। ଉର୍ଦ୍ଧ ହସ୍ତରେ ମୃଗ ପରଶୁ। ସେହି ମୃଗ ଯାହା ଚଞ୍ଚଳ ମନର ପ୍ରତୀକ ଅଟେ। ଚଞ୍ଚଳ ମନକୁ ଆୟତ୍ତ କରି ଯୋଗ ପଥରେ ଅଗ୍ରସର ହେବାକୁ ଏହି ମୃଗ ସୂଚାଇ ଥାଏ। ପରଶୁ ହେଉଛି ବନ୍ଧନ କାଟିବାର ଅସ୍ତ୍ର। ଯାହା ମାୟାରୁ ମୁକ୍ତି ପ୍ରଦାନ କରିଥାଏ। ନିମ୍ନ ଦୁଇ ହସ୍ତରେ ଅଭୟ ବରଦା ମୁଦ୍ରା। ଯାହା ଭକ୍ତଙ୍କୁ ଅଭୟ ପ୍ରଦାନ ସହ ଭକ୍ତର ଆବଶ୍ୟକତା ଅନୁସାରେ ଉପଯୁକ୍ତ ବର ପ୍ରଦାନ କରିଥାନ୍ତି। ଚନ୍ଦ୍ରମୌଳୀଙ୍କ ଶ୍ରୀଅଙ୍ଗର ଦିବ୍ୟ ଆଭା ଚତୁର୍ଦ୍ଦିଗକୁ ଦୀପ୍ତିମନ୍ତ କରୁଥାଏ।

ସେହି ଦିବ୍ୟ ରୂପ ଯେବେ ପ୍ରକଟ ହେଲେ ସମସ୍ତ ସୁର, ନର, ମୁନି, ଅସୁର ସହିତେ ସମସ୍ତ ସୃଷ୍ଟି ଆଶ୍ଚର୍ଯ୍ୟ ଚକିତ ହୋଇଗଲା। ଅମରଗଣେ ବାରମ୍ବାର ଚକ୍ଷୁ ପ୍ରକ୍ଷାଳନ କରୁଥାନ୍ତି ସତରେ ଏମିତି ରୂପ ଅଛି କି ନା ସ୍ଵପ୍ନ ଦେଖୁଛନ୍ତି। ଶ୍ରୀ ଚନ୍ଦ୍ରଶେଖର ଦେବୀଙ୍କ ସମ୍ମୁଖରେ ଉପସ୍ଥିତ ହେବା କ୍ଷଣି ମହାମାୟୀ ବହୁ ଆନନ୍ଦିତା ହେଲେ। ମହାପ୍ରଭୁଙ୍କ ବାମ ଭାଗେ ଦେବୀ ବିରାଜମାନ ହେବାରୁ ବେନି ରୂପ ପୂର୍ଣ୍ଣ ରୂପ ଧାରଣ କରିଲା। ଶ୍ରୀ ଚନ୍ଦ୍ରଶେଖର ପାର୍ବତୀ ଦିବ୍ୟ ଦମ୍ପତ୍ତି ବେଶେ ସମସ୍ତଙ୍କୁ ଦର୍ଶନ ଦେଲେ। ଯାହା ଶିବଙ୍କ ଅନ୍ୟ ଏକ ପ୍ରିୟ ରୂପ ରୂପେ ଜଗତରେ ପୂଜା ପାଇଲା।

ଅନ୍ୟ ଏକ ସମୟରେ ମଧ୍ଯ ମହାଦେବ ଚନ୍ଦ୍ରଶେଖର ରୂପ ଧାରଣ କରିଥିଲେ। ତାହା ହେଉଛି ଶିବ ବିବାହ। ମେନାବତୀ ବର ବରଣୀ ସମୟରେ ଶିବଙ୍କ ଭସ୍ମ ବିଲେପିତ ଶରୀର ଓ ନାଗାଭରଣ ଦେଖି ଚେତା ଶୂନ୍ୟ ହେଲେ ଓ ବିବାହ ନିମିତ୍ତ ରାଜି ହେଲେ ନାହିଁ। ତତ୍ପରେ ଦେବୀ ପାର୍ବତୀଙ୍କ ଆଗ୍ରାହ୍ୟରେ ମହାଦେବ ବେଶ ପରିବର୍ତ୍ତନ ନିମନ୍ତେ ରାଜି ହୋଇଥିଲେ। ସ୍ଵୟଂ ନାରାୟଣ ଶିବଙ୍କୁ ବେଶ କରାଇଲେ। ଯାହା ଚନ୍ଦ୍ରଶେଖର ବେଶ ରୂପେ ପରିଚିତ ହେଲା। ଦେବୀ ପାର୍ବତୀ ଶିବଙ୍କୁ ସେହି ଚନ୍ଦ୍ରଚୂଡ଼ ବେଶରେ ବରଣ କରିଲେ। ଉମା ମହେଶ୍ୱରଙ୍କ ବିବାହ ବିନା ବିଘ୍ନରେ ସମ୍ପନ୍ନ ହୋଇଲା।

ଉପସ୍ଥାପନା: ଅରବିନ୍ଦ ମହାନ୍ତି

ଭାଦ୍ରବ ପୂର୍ଣ୍ଣିମା ଓ ଭାଗବତ ଜନ୍ମ।

କଥିତ ଅଛି ଆଜିର ଦିନରେ ବ୍ୟାସଦେବ ମୂଳ ଭାଗବତ ପୁରାଣ (ସଂସ୍କୃତରେ) ରଚନା ଆରମ୍ଭ କରିଥିଲେ।

ମୂଳ ସଂସ୍କୃତ ଭାଗବତ ଅଠର ହଜାର ଶ୍ଳୋକରେ ବ୍ୟାସ ଦେବ ରଚନା କରିଥିଲେ l ଅତିବଡ଼ି ଜଗନ୍ନାଥ ଦାସ ଏହି ଟିକାକୁ ସରଳ ନବାକ୍ଷରୀ ଛନ୍ଦ ରେ ଓଡ଼ିଆ ଅନୁବାଦ କରିଛନ୍ତି l

ଭଗବାନ ବ୍ୟାସଦେବଙ୍କ ଦ୍ବାରା ରଚିତ ” ଶ୍ରୀମଦ୍ଭାଗବତ ” ମହାପୁରାଣରେ ପରମ ଧର୍ମ ଓ ବିଶୁଦ୍ଧ ଜ୍ଞାନ ହିଁ ନିରୂପଣ କରାଯାଇଛି । ଏହି ” ଭାଗବତଧର୍ମ ” ଆମ୍ଭମାନଙ୍କୁ ଜନ୍ମମୃତ୍ୟୁରୁ ଉଦ୍ଧାର କରି ମୋକ୍ଷ ପ୍ରଦାନ କରାଇଥାଏ । ଯେଉଁ ସନ୍ଥଜନଙ୍କ ମନରେ କୌଣସି ପ୍ରକାର ବିକାର ନଥାଏ, ସେହି ଶୁଦ୍ଧହୃଦୟ ପୁରୁଷ ହିଁ ଏହି ତତ୍ତ୍ବ ଜାଣିପାରନ୍ତି । ଏହା ତ୍ରିବିଧ ତାପକୁ ସମୂଳେ ନାଶ କରି ପରମ କଲ୍ୟାଣ ସାଧନ କରିଥାଏ ।

ବ୍ୟାସଦେବଙ୍କଦ୍ୱାରା ରଚିତ ସଂସ୍କୃତ ଶ୍ରୀମଦ ଭାଗବତ ଓଡ଼ିଆ ଭାଷାଭାଷୀଙ୍କ ନିକଟରେ ଆଦୃତ ହୋଇପାରିନଥିଲା। ଜଗନ୍ନାଥ ଦାସଙ୍କ ପିତା ଭଗବାନ ଦାସ ବଡ଼ଦେଉଳରେ ପୁରାଣପଣ୍ଡା ଥିଲେ । ତାଙ୍କ ପରେ ଜଗନ୍ନାଥ ଦାସ ପୁରାଣପଣ୍ଡା ହେଲେ । ସେ ସଂସ୍କୃତ ଭାଗବତକୁ ସରଳ ଭାଷାରେ ବୁଝାଇ ଦେଉଥିଲେ । ଜଗନ୍ନାଥଙ୍କ ବୋଉ ଓଡ଼ିଆ ଭାଷାରେ ପଦ୍ୟରୂପରେ ଶୁଣିବା ପାଇଁ ପୁଅକୁ ନିର୍ଦ୍ଦେଶ ଦିଅନ୍ତି । ବିଧବା ମା’ ବାର୍ଦ୍ଧକ୍ୟର ପୁଣ୍ୟ ସଞ୍ଚୟ ଆଶାରେ କୃଷ୍ଣଚରିତ ଶୁଣିବାକୁ ଆଶାୟୀ ହେବାରୁ ଜଗନ୍ନାଥ ଦାସ ଜନନୀର ଅଭିଳାଷ ପୂରଣ ନିମନ୍ତେ ଅଧ୍ୟାୟେ ଅଧ୍ୟାୟେ ପଦ୍ୟାନୁବାଦ ଶୁଣାଇବାକୁ ଲାଗିଲେ । ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା । ଜଗନ୍ନାଥ ଦାସ ଗୋସ୍ୱାମୀ ବଟ ଗଶେଶଙ୍କ ନିକଟରେ ବସି ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ରଚନା କରିଥିଲେ ।

ଏହି ସମ୍ପୂର୍ଣ୍ଣ ଭାଗବତ ୧୨ଟି ସ୍କନ୍ଧ ବିଶିଷ୍ଠ। ପ୍ରତ୍ୟେକ ସ୍କନ୍ଧ ୧୦-୩୦ ଅଧ୍ୟାୟ ବିଶିଷ୍ଟ ଏବଂ ପ୍ରତି ଅଧ୍ୟାୟରେ ୫୦ – ୩୦୦ ଛନ୍ଦ ରହିଛି।

ଓଡ଼ିଆ ଭାଗବତ ମୁଖ୍ୟତଃ ମୂଳ ସଂସ୍କୃତ ଭାଗବତର ଓଡ଼ିଆ ମର୍ମାନୁବାଦ । ମୂଳ ସଂସ୍କୃତ ଭାଗବତ ଭଳି ଏହା ବାର ସ୍କନ୍ଧ ବିଶିଷ୍ଟ । (ତେବେ କେତେକ ରଚନାରେ ତ୍ରୟୋଦଶ ସ୍କନ୍ଧର ବର୍ଣ୍ଣନା ଦେଖିବାକୁ ମିଳେ) ।

ବୈଦିକ ସାହିତ୍ୟର ରୀତି ଅନୁସାରେ ବୈଦିକ ସାହିତ୍ୟର ରଚନା ପୂର୍ବରୁ ମଙ୍ଗଳାଚରଣ ସହିତ ଗ୍ରନ୍ଥ ରଚନା ଆରମ୍ଭ ହୁଏ । ତେବେ ଜଗନ୍ନାଥ ଦାସଙ୍କ ଭାଗବତରେ ମୂଳ ସଂସ୍କୃତ ଭାଗବତର ମଙ୍ଗଳାଚରଣ ସ୍ଥାନ ପାଇବା ଦେଖିବାକୁ ମିଳେ।

ମଙ୍ଗଳାଚରଣ।

ବାଗୀଶା ଯସ୍ୟ ବଦନେ ଲକ୍ଷ୍ମୀର୍ଯସ୍ୟ ଚ ବକ୍ଷସି ।
ଯସ୍ୟାସ୍ତେ ହୃଦୟେ ସଂବିତ୍ ତଂ ନୃସିଂହମହଂ ଭଜେ || ୧ ||

(ଭାବାର୍ଥ:- ଯାହାଙ୍କ ମୁଖରେ ସରସ୍ୱତୀ, ବକ୍ଷସ୍ଥଳରେ ଲକ୍ଷ୍ମୀ ଏବଂ ହୃଦୟରେ ଜ୍ଞାନ ବିରାଜମାନ, ସେହି ନୃସିଂହ ଭଗବାନଙ୍କୁ ମୁଁ ବନ୍ଦନା କରୁଛି ।)

ବିଶ୍ୱସର୍ଗବିସର୍ଗାଦିନବଲକ୍ଷଣଲକ୍ଷିତମ୍
ଶ୍ରୀକୃଷ୍ଣାଖ୍ୟଂ ପରଂଧାମ ଜଗଦ୍ଧାମ ନମାମ ତତ୍ || ୨ ||

ଭାବାର୍ଥ:- ବିଶ୍ୱର ସର୍ଗ, ବିସର୍ଗ ଆଦି ନବଲକ୍ଷଣ (ସର୍ଗ, ବିସର୍ଗ, ସ୍ଥାନ, ପୋଷଣ, ଉତି, ମନ୍ୱନ୍ତର, ଈଶାନୁକଥା, ନିରୋଧ ଓ ମୁକ୍ତି)ଦ୍ୱାରା ଲକ୍ଷିତ, ସମଗ୍ର ଜଗତର ପରମ ଆଶ୍ରୟ ତଥା ବିଶ୍ୱର ଅନ୍ଧକାର ବିନାଶକାରୀ ପରମ ତେଜୋମୟ ଶ୍ରୀକୃଷ୍ଣଙ୍କ ସାକ୍ଷାତ୍ ସ୍ୱରୂପ ଶ୍ରୀମଦଭାଗବତକୁ ଆମ୍ଭେମାନେ ନମସ୍କାର କରୁଛୁ ।

ମାଧବୋମାଧବାବୀଶୌ ସର୍ବସିଦ୍ଧି ବିଧାୟିନୌ ।
ବନ୍ଦେ ପରସ୍ପରାତ୍ମାନୌ ପରସ୍ପରନୁତିପ୍ରିୟୋ ।। ୩ ||

ଭାବାର୍ଥ:- ସର୍ବସିଦ୍ଧି ପ୍ରଦାୟକ, ପରସ୍ପର ଏକାତ୍ମରୂପ ଏବଂ ପରସ୍ପରର ସ୍ତୁତିରେ ପ୍ରସନ୍ନ ହେଉଥିବା ମାଧବ (ଲକ୍ଷ୍ମୀପତି ବିଷ୍ଣୁ) ଓ ଉମାଧବଙ୍କୁ (ଉମାପତି ଶିବଙ୍କୁ) ଆମ୍ଭେ ବନ୍ଦନା କରୁଛୁ ।

ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍ ।
ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦମାଧବମ୍ | ୪ ||

ଭାବାର୍ଥ:- ଯାହାଙ୍କ କୃପା ମୂକକୁ ବାଗ୍ମୀ କରିଦେଇପାରେ, ପଙ୍ଗୁକୁ ଗିରି ଲଂଘନ କରାଇ ଦେଇପାରେ, ସେହି ପରମାନନ୍ଦ ମାଧବଙ୍କୁ ମୁଁ ବନ୍ଦନା କରୁଛି ।

ଯଂ ବ୍ରହ୍ମାବରୁଣେନ୍ଦ୍ରରୁଦ୍ରମରୁତଃ ସ୍ତୁନ୍ୱନ୍ତି ଦିବୈଃ ସ୍ତବୈ-
ର୍ବେଦୈଃ ସାଙ୍ଗପଦକ୍ରମୋପନିଷଦୈଗାୟନ୍ତି ଯଂ ସାମଗାଃ ।

ଧ୍ୟାନାବତ୍ସିତଦ୍‌ଗତେନ ମନସା ପଶଂନ୍ତି ଯଂ ଯୋଗିନୋ
ଯସ୍ୟାନ୍ତଂ ନ ବିଦୁଃ ସୁରାସୁରଗଣା ଦେବାୟ ତସ୍ମୈ ନମଃ || ୫ ||

ଯାହାଙ୍କୁ ବ୍ରହ୍ମା, ବରୁଣ, ଇନ୍ଦ୍ର, ରୁଦ୍ର, ମରୁତ ପ୍ରଭୃତି ଦିବ୍ୟ ସ୍ତୋତ୍ରଦ୍ୱାରା ସ୍ତୁତି କରନ୍ତି; ଯାହାଙ୍କ ମହିମା ସାମବେଦ ଗାୟନକାରୀମାନେ ପଦକ୍ରମାନୁସାରେ ବେଦ ଉପନିଷଦ ପ୍ରଭୃତିଦ୍ୱାରା ଗାନ କରନ୍ତି; ଧ୍ୟାନାଭିଭୂତ ମନ ମଧ୍ୟରେ ଯୋଗୀମାନେ ଯାହାଙ୍କୁ ଦର୍ଶନ କରନ୍ତି ଏବଂ ଦେବ ଦାନବଗଣ ଯାହାଙ୍କର ଅନ୍ତ ପାଇ ପାରନ୍ତି ନାହିଁ, ସେହି ଦେବଙ୍କୁ ମୁଁ ନମସ୍କାର କରୁଛି ।

ନାରାୟଣଂ ନମସ୍କୃତ୍ଂୟ ନରଂ ଚୈବ ନରୋତ୍ତମମ୍ ।
ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍ || ୬ ||

ଭଗବାନ ନାରାୟଣ, ନରୋତ୍ତମ ନର, ଦେବୀ ସରସ୍ୱତୀ ଓ ମହର୍ଷି ବ୍ୟାସଦେବଙ୍କୁ ନମସ୍କାର କରି ସଂସାର ଓ ଅନ୍ତଃକରଣର ନାନାବିଧ ବିକାର ଉପରେ ବିଜୟ ପ୍ରଦାନ କରାଉଥିବା ଏହି ଶ୍ରୀମଦଭାଗବତ ମହାପୁରାଣକୁ ପାଠ କରିବା ଉଚିତ।

ଭାଗବତ ବାଣୀ।

“ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ।
ପଦୁ ଗଡ଼ୁଛି ମକରନ୍ଦ ॥
ସେ ମକରନ୍ଦ ପାନ କରି ।
ହେଳେ ତରିଲେ ବ୍ରଜନାରୀ ॥
ସେ ବ୍ରଜନାରୀଙ୍କ ପୟରେ ।
ମନ ମୋ ରହୁ ନିରନ୍ତରେ ॥
ମନ ମୋ ନିରନ୍ତରେ ଥାଉ ।
ହା କୃଷ୍ଣ ବୋଲି ଜୀବ ଯାଉ ॥”

ଜଗନ୍ନାଥ ଦାସ, ଭାଗବତ ବାଣୀ।

ସୁଦଶା ବ୍ରତ କଥା।

ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାରରେ ପଡ଼ିଲେ, ତାହା ସୁଦଶା ବ୍ରତ ରୂପେ ପାଳିତ ହୁଏ । ଏଥିରେ ଲକ୍ଷ୍ମୀଙ୍କୁ ପୂଜା କରାଯାଏ ।

ସୁଦଶାର ଅର୍ଥ ଭଲ ସମୟ କିନ୍ତୁ ପଲ୍ଲୀ ମାନସରେ ସମ୍ଭବତଃ ସୁଦଶା ଶବ୍ଦ ସହିତ ଦଶ ସଂଖ୍ୟାଟି ସଂଯୋଜିତ ହୋଇ ଆସିଅଛି । ଫଳତଃ ଉପାସନାରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶମେଞ୍ଚା କଦଳୀ, ଦଶଗୋଟି ମଣ୍ଡା ଓ ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ଲକ୍ଷ୍ମୀଙ୍କ ଦଶନାମ ଲକ୍ଷ୍ମୀନାରାୟଣୀ, କମଳିନୀ, ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି, ବିଷ୍ଣୁ ପାଟରାଣୀ ।

ସୁମରିତ ଦଶଖିଅ ଧଳାସୂତାର ଏକ ବ୍ରତ ପୂଜା କରାଯିବାର ବିଧି ରହିଛି । ସେହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ ।

ଏହି ପର୍ବ ଓଡ଼ିଶାର ବିଶେଷତ୍ୱ, ଏହାକୁ କେବଳ ଓଡ଼ିଆ ମହିଳା (ହିନ୍ଦୁ) ମାନେ ପାଳନ କରିଥାନ୍ତି । ଭାରତର ଅନ୍ୟ ରାଜ୍ୟରେ ବା ଭାରତ ବାହାରେ ଏହା ଦେଖା ଯାଏ ନାହିଁ ।

ବ୍ରତ କାହାଣୀ।

ଜନୈକା ବିଧବା ବ୍ରାହ୍ମଣୀ ନଦୀରୁ ଜଳ ଆଣିବା ସମୟରେ ନିଜ ବ୍ରତଟିକୁ ହଜାଇ ଦେଇଛନ୍ତି । ବ୍ରତ ହରାଇ ବିକଳ ଭାବେ କ୍ରନ୍ଦନ କରୁଥିବା ବେଳେ ନଳ ରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବଦ୍ଧ ହୋଇ ନିଜ ରାଣୀଙ୍କ ଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଇଛନ୍ତି । ବ୍ରତଟି ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥିବାରୁ ବ୍ରତଦାନ କଲେ ଲକ୍ଷ୍ମୀଛଡ଼ା ହେବାର କଥିତ ଥିବାରୁ ରାଣୀ ଅତ୍ୟନ୍ତ କୁଣ୍ଠାର ସହ ବ୍ରତଟିକୁ ଦେଇଛନ୍ତି । ବ୍ରତଦାନ ପରେ ତାଙ୍କର ସକଳ ସମ୍ପଦ, ସୁଖ, ଐଶ୍ୱର୍ଯ୍ୟ ଅପହୃତ ହୋଇ ରାଜା ଓ ରାଣୀ ଲକ୍ଷ୍ମୀଛଡ଼ା ଓ ଶ୍ରୀହୀନ ହୋଇ ପଡ଼ିଛନ୍ତି । ଯାବତୀୟ ଦୁଃଖ ଦୁର୍ଦ୍ଦଶା ଭୋଗ କଲାପରେ ରାଣୀ ପୁନଶ୍ଚ ଯଥାବିଧି ସୁଦଶା ବ୍ରତ ପାଳନ କରିବାପରେ ସେମାନଙ୍କର ସମସ୍ତ ଅପହୃତ ସୁଖ ସୌଭାଗ୍ୟ ଫେରି ଆସିଛି ।

ମା ମହାଲକ୍ଷ୍ମୀ ଜଗତର ମଙ୍ଗଳ କରନ୍ତୁ।

ଅତିବଡ଼ି ଜଗନ୍ନାଥ ଦାସ।

ଓଡିଆର ପ୍ରିୟ ଓଡିଆ ଭାଗବତର ରଚୟିତା ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଓ ପ୍ରଣିପାତ।

ସେ ଜଗନ୍ନାଥ ଚକ୍ରଧର ।। ଚକ୍ର ରେ କାଟେ ମାୟା ଘୋର
ତାଙ୍କ ମହିଁମା ଯେଉଁ ମାନେ ।। ଶୁଣନ୍ତି ଶୁଣାନ୍ତି ଗାୟନେ
ତାଙ୍କର କର୍ମ ବନ୍ଧ ନାହିଁ ।। ସଂସାର ମାୟା ନ ଲାଗଇଁ
ଅନ୍ତେ ସେ ବୈଇକୁଣ୍ଠ ପାନ୍ତି ।। ସକଳ ପାପ ରୁ ତରନ୍ତି
ବାସୁଦେବ ର ପାଦ ଚିନ୍ତ ।। କହଇଁ ଦାସ ଜଗନ୍ନାଥ

୧୪୯୦ ଖ୍ରୀଷ୍ଟାଦ୍ଦ ଭାଦ୍ରବମାସ ଶୁକ୍ଲପକ୍ଷ ଅଷ୍ଟମୀ ଅନୁରାଧା ନକ୍ଷତ୍ର ବୁଧବାର ଦିନ ମଧ୍ୟାହ୍ନ ସମୟରେ କପିଳେଶ୍ଵରପୁର ଶାସନରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିଲେ । ଯେଉଁ କ୍ଷଣରେ ବୃଷଭାନୁ ନନ୍ଦିନୀ ମାରାଧା ରାଣୀ ଦେବୀଙ୍କର ଜନ୍ମ ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି, ଠିକ ସେହିକ୍ଷଣରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ରାଧାଙ୍କର ଅଂଶାବତାର ବୋଲି କୁହାଯାଇଥାଏ ପୁନଶ୍ଚ ବଳରାମ ଦାସଙ୍କ ଭାବ ସମୁଦ୍ର ଗ୍ରନ୍ଥରେ ଉଲ୍ଲେଖ ଅନୁଯାୟୀ ଉତ୍କଳ ର ପଞ୍ଚସଖା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ସୃଷ୍ଟି ଏବଂ ଅତିବଡ଼ି ଜଗନ୍ନାଥ ଦାସ ମହାପ୍ରଭୁ ଜଗନ୍ନାଥଙ୍କ ବାମ ବାହୁ ବା ରାଧା ଅଙ୍ଗରୁ ଉତ୍ପତି ହୋଇଛନ୍ତି ! ତାଙ୍କ ପିତାଙ୍କ ନାମ ଭଗବାନ ଦାସ ଓ ମାତାଙ୍କ ନାମ ପଦ୍ମାବତୀ । ଭଗବାନ ଦାଶ ମହାରାଜା ପୁରୁଷୋତ୍ତମ ଦେବଙ୍କର ପୌରାଣିକ ଥିଲେ ।

ଜଗନ୍ନାଥ ଦାସ ସଂସାର କୋଳାହଳ ବର୍ଜ୍ଜିତ ସମୁଦ୍ରତୀରବର୍ତ୍ତୀ ବାଲୁକାମୟ ଭୂମିରେ ଏକ ନିର୍ଜନ ଭଜନକୁଟୀର ସ୍ଥାପନ କଲେ । ଏହାର ନାମ ସାତଲହଡ଼ି ମଠ ।ଅଦ୍ୟାବଧି ବିଦ୍ୟମାନ ଏହି ମଠଟି ଶଙ୍କରାଚାର୍ଯ୍ୟମଠର ଦକ୍ଷିଣରେ ଅବସ୍ଥିତ । ଏଠାରେ ଜଗନ୍ନାଥ ଦାସଙ୍କର ମଣିବିଗ୍ରହ (ପ୍ରସ୍ତର—ମୂର୍ତ୍ତି) ବିଦ୍ୟମାନ । କଥିତ ଅଛି ଜଗନ୍ନାଥ ଦାସ ସମୁଦ୍ର ତରଙ୍ଗର ଘୋର ଗର୍ଜନ ଯୋଗୁଁ ଭଜନସ୍ମରଣରେ ଅସୁବିଧା ଅନୁଭବ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କୃପାପ୍ରାର୍ଥୀ ହୋଇ ଜଗନ୍ନାଥ ଦାସ ସମୁଦ୍ରକୁ ସାତ ସ୍ତର ଲହରୀର ଦୂରତା ପର୍ଯ୍ୟନ୍ତ ଦୂରକୁ ଘୁଞ୍ଚି ଯିବାକୁ ଆଦେଶ ଦେଇଥିଲେ । ତେଣୁ ସେହି ଦିନଠାରୁ ଉକ୍ତ ମଠଟିର ନାମ ସାତଲହଡ଼ି ମଠ ହୋଇଅଛି ।

ଜଗନ୍ନାଥ ଦାସ ଜଣେ ଓଡ଼ିଆ କବି ଓ କୃଷ୍ଣ ପ୍ରେମର ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତ ସମାହାର; ଶ୍ରୀଅଚ୍ୟୁତାନନ୍ଦ ଦାସ, ଶ୍ରୀବଳରାମ ଦାସ, ଶ୍ରୀଶିଶୁ ଅନନ୍ତ ଦାସ, ଶ୍ରୀଯଶୋବନ୍ତ ଦାସଙ୍କ) ଭିତରୁ ଜଣେ ।
ଏହି ପଞ୍ଚସଖା ଓଡ଼ିଶାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ “ଭକ୍ତି” ଧାରାର ଆବାହକ ଥିଲେ । ଶ୍ରୀଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ “ଅତିବଡ଼ି” ଡାକୁଥିଲେ (ଅର୍ଥାତ “ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ”‌) । ଜଗନ୍ନାଥ ଓଡ଼ିଆ ଭାଗବତ ଓ ବହୁ ଗ୍ରନ୍ଥ ରଚନା କରିଥିଲେ ।

ଉପସ୍ଥାପନା: ଆଫତାବ ହୋସେନ

ଷଠୀ ଓଷା।

ଭାଦ୍ରବ ମାସର ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଷଷ୍ଠୀ ଦେବୀଙ୍କର ଆରଧନା କରାଯାଏ। ଦୁର୍ଗା ବା ପ୍ରକୃତି ଙ୍କ କଳା ଷଷ୍ଠୀ ଓ ସ୍କନ୍ଦ ଭାର୍ଯ୍ୟା। ଏ ଷୋଡଶମାତୃକା ମଧ୍ୟରେ ପ୍ରଧାନ ଦେବୀ ।ଏହାଙ୍କର ଅନ୍ୟ ନାମ ଦେବସେନା।ଏହାଙ୍କର ପ୍ରସାଦ ରେ ପୁତ୍ରପୌତ୍ରାଦି ଲାଭ ହୁଏ ଓ ଜଗତର ଶିଶୁମାନଙ୍କର ପାଳିକା ଓ ରକ୍ଷାକାରିଣୀ।ପିଲା ଜନ୍ମ ହେବାର ଷଷ୍ଠ “ଷଠୀ ବା ଏକୋଇଶିଆ ଦିନ ଏହାଙ୍କ ପୂଜା କରାଯାଏ ।ଅପୁତ୍ରିକ ବ୍ଯକ୍ତି ଏକବର୍ଷ ପର୍ଯ୍ୟନ୍ତ ସ୍ତବ ଶ୍ରବଣ କଲେ ପୁତ୍ର ସନ୍ତାନ ଲାଭ ହୁଏ ଓ ରୁଗ୍ଣ ସନ୍ତାନ ନୀରୋଗ ହୁଏ ।ସନ୍ତାନବତୀ ରମଣୀ ମାନେ ନିଜ ନିଜ ର ସନ୍ତାନମାନଙ୍କ ମଙ୍ଗଳାର୍ଥେ ପ୍ରତି ମାସର ଶୁକ୍ଳ ଷଷ୍ଠୀ ପାଳନ କରିବା ବିଧେୟ।

ଶାସ୍ତ୍ର ମତରେ, ଏ ଭର୍ତ୍ତାଙ୍କ ଚକ୍ଷୁରେ ସୁନ୍ଦରୀ ଓ ଯୁବତୀରୂପ ଧାରଣ କରନ୍ତି ଏବଂ ଶିଶୁ ମାନଙ୍କର ରକ୍ଷିକାରୂପେ ମାତୃରୂପି,ଦୟାରୂପି,ବୃଦ୍ଧରୂପା ଓ ଯୋଗିନୀ ରୂପା ହୁଅନ୍ତି। ସୂତିକାଗାରରେ ଶିଶୁଜନ୍ମର ଷଷ୍ଠ ଦିନ ରେ କାନ୍ଥ ରେ ଏହାଙ୍କର ରୂପ ଗଢାଯାଇ ବା ପିତୁଳା ସ୍ଥାପିତ ହୋଇ ପୂଜାକରାଯାଏ ।ଏ ସୁପୁତ୍ରଦା ଓ ସୁଖଦା ଅଟନ୍ତି ।କଥିତ ଅଛି ଯେ, ଏ ଦେବୀ ସର୍ବଦା ଶିଶୁ ମାନଙ୍କୁ ଜଗିଥାନ୍ତି।ଶିଶୁ ଶୋଇପଡିଲେ ତାକୁ ଉଠାଇ ଦେଇଥାନ୍ତି ଓ ଶିଶୁ ଶୋଇଥିବା ସମୟରେ ତାଙ୍କୁ ସ୍ବପ୍ନ ଦେଖାଇ ହସାଇଥାନ୍ତି ଓ କନ୍ଦାଇଥାନ୍ତି।ପ୍ରତି ଶୁକ୍ଳ ଷଷ୍ଠୀ ରେ ଓ ବିଶେଷତଃ ଭାଦ୍ରବ ଶୁକ୍ଳ ଷଷ୍ଠୀ ରେ (ଷଠୀ ଓଷା ରେ) ଏହାଙ୍କର ବିଶେଷ ପୂଜା କରାଯାଏ ।

ଏହାଙ୍କୁ ଶାଳଗ୍ରାମ ଶିଳା ରେ ଘଟରେ ଓ ବଟମୂଳରେ ତଥା କାନ୍ଥ ରେ ମାଟିରେ ପିତୁଳାସ୍ଥାପନ କରି ପୂଜା କରାଯାଇଥାଏ ।ଏହାଙ୍କ ଧ୍ୟାନ ରେ ଏହାଙ୍କୁ ରତ୍ନଭୂଷଣ ଭୂଷିତା ଓ ପବିତ୍ର ରୂପା ବୋଲି ବର୍ଣ୍ଣିତ ହୋଇଅଛନ୍ତି । ଏହାଙ୍କର ଅଷ୍ଟାକ୍ଷର ମନ୍ତ୍ର “ନୌ ହ୍ରୀଂ ଷଷ୍ଠୀଦେବ୍ୟୈ ସ୍ଵାହା”।।ବ୍ରହ୍ମବୈବର୍ତ୍ତ ପୂରାଣ ପ୍ରକୃତି ଖଣ୍ଡ ୧ମ ଓ ୪ର୍ଥ ଅଧ୍ୟାୟରେ ଏହାଙ୍କର ପୂଜାବିଧି ବର୍ଣ୍ଣିତ ହୋଇଛି। ଷଠୀ ଓଷା ଦିନ ଘରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଷଷ୍ଠୀ ଦେବୀ ଙ୍କ ନିକଟରେ ସମର୍ପଣ କରାଯାଏ।