ଶ୍ରୀକ୍ଷେତ୍ରେ ଶ୍ରୀ ପୁରୁଷୋତ୍ତମ ମହାପ୍ରଭୁ ଯେ କେବଳ ଭୋଜନ ପ୍ରିୟ ତା ନୁହେଁ କୃତ୍ତିବାସ କଟକରେ ବିଜେ ଶ୍ରୀ ତ୍ରିଭୁବନେଶ୍ୱର ମଧ୍ଯ ଭୋଜନ ପ୍ରିୟ ଅଟନ୍ତି। ସେ ଲାଗି ଖଞ୍ଜା ପଞ୍ଚ ଅବକାଶ ଓ ତିନି ଧୂପ। ଏହି ପଞ୍ଚ ଅବକାଶ ଓ ତିନି ଧୂପକୁ ମିଶାଇ ଅଷ୍ଟ ବାରି ମହାପ୍ରଭୁଙ୍କ ପାଶେ ଭୋଗ ଲାଗି ହୁଏ। ଏହା କେବଳ ଯେ ଭୋଗ କିମ୍ବା ପ୍ରସାଦ କେବଳ ନୁହେଁ ଏହା କୃତ୍ତିବାସଙ୍କର ମହାପ୍ରସାଦ।
ସ୍ଵର୍ଣ୍ଣାଦ୍ରି ମହୋଦୟ କହେ……
ଯେ ଲିଙ୍ଗ କୌଣସି ଦେବତା ନୁହଁନ୍ତି, ରୁଦ୍ର, ବ୍ରହ୍ମା କିବା ମାଧବ ମଧ୍ଯ ନୁହଁନ୍ତି ତାଙ୍କ ନୈବେଦ୍ୟ ଅନ୍ୟ ଶିବଲିଙ୍ଗ ଠାରେ ପ୍ରଚଳିତ ନିୟମ ଆଧାରରେ କିପରି ପରିଚାଳିତ ହେବ। ସେହି ଲିଙ୍ଗ ହେଉଛନ୍ତି ଅର୍ଦ୍ଧମାତ୍ରାତ୍ମକରୁ ଉର୍ଦ୍ଧ୍ଵରେ ବ୍ରହ୍ମ ନିତ୍ୟ ସନାତନ ସ୍ଵରୁପ। ସେହି ବ୍ରହ୍ମଲିଙ୍ଗଙ୍କ ଲାଗି ନୈବେଦ୍ୟ ହିଁ ମହାପ୍ରସାଦ ବୋଲାଇ ଥାଏ। ଯାହା ଦେବ ଭୋଗ୍ୟ, ହରି ବ୍ରହ୍ମାଙ୍କ ନିମନ୍ତେ ମଧ୍ଯ ପ୍ରିୟ ତାହା ସାଧାରଣ ହେବ ବା କେମିତି। ବର୍ଣ୍ଣ ଆଧାରରେ ଭିନ୍ନତା ନାହିଁ ନା ଆଶ୍ରମ ଅନୁସାରେ ଭିନ୍ନତା। ଶୁଷ୍କ, ପଚିତ କିବା ବହୁ ଦୂରରୁ ଆନୟନ ହୋଇଥିଲେ ମଧ୍ଯ ଏହାର ମହତ୍ତ୍ଵ କ୍ଷୁଣ୍ଣ ହୋଇ ନଥାଏ। ଏହା ସୃଷ୍ଟିର ପ୍ରତ୍ୟେକ ଅଂଶରେ ଗ୍ରହଣ କଲେ ମଧ୍ଯ ମୁକ୍ତି ପ୍ରଦାୟକ ହୋଇଥାଏ।
ନଦୀନାଂ ଚ ଯଥା ଗଙ୍ଗା ସରସାଂ ସାଗରୋ ଯଥା ।
ନକ୍ଷତ୍ରାଣାଂ ଯଥା ଚନ୍ଦ୍ରୋ ଭାସ୍କରସ୍ତପତାଂ ଯଥା I୩୧
ବର୍ଣ୍ଣାନାଂ ବ୍ରାହ୍ମଣୋ ଯଜ୍ଞଦେବାନାଂ ବ୍ରହ୍ମଭାବନା ।
ପାବନାନାଂ ଚ ସର୍ବେକ୍ଷାଂ ତଦନଂ ପାବନଂ ମହତ୍ ।୩୨
ପୀୟୂଷଭକ୍ଷଣାଜ୍ଜନ୍ମ ପୁନରାପଦ୍ୟତେ ନରଃ ।
ନ ପୁନର୍ଜାୟତେ ଜନ୍ମ ଲିଙ୍ଗରାଜାନ୍ନଭକ୍ଷଣାତ୍ ।୩୪
ନଦୀମାନଙ୍କ ମଧ୍ୟରେ ଗଙ୍ଗା ଯେପରି ପବିତ୍ର, ସରସୀ ମାନଙ୍କ ମଧ୍ୟରେ ସାଗର ଯେପରି ଶ୍ରେଷ୍ଠ, ନକ୍ଷତ୍ରମାନଙ୍କ ମଧ୍ୟରେ ଚନ୍ଦ୍ର ଯେପରି ଶ୍ରେଷ୍ଠ ତାପ ପ୍ରଦାତା ମାନଙ୍କ ମଧ୍ୟରେ ଭାସ୍କର ଯେପରି ଶ୍ରେଷ୍ଠ, ବର୍ଣ୍ଣ ମାନଙ୍କ ମଧ୍ୟରେ ବ୍ରାହ୍ମଣ ଯେପରି ଶ୍ରେଷ୍ଠ, ଯଜ୍ଞୀୟ ଦେବତାମାନଙ୍କ ମଧ୍ୟରେ ବ୍ରହ୍ମ ଯେପରି ଶ୍ରେଷ୍ଠ, ସେହିପରି ସମସ୍ତ ପବିତ୍ର ଦ୍ରବ୍ୟମାନଙ୍କ ମଧ୍ୟରେ ଲିଙ୍ଗରାଜଙ୍କ ନୈବେଦ୍ୟ ପ୍ରସାଦ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। ଅମୃତଭକ୍ଷଣ କରିଲେ ମନୁଷ୍ୟ ପୁନର୍ଜନ୍ମ ପାଇଥାଏ । କିନ୍ତୁ ଲିଙ୍ଗରାଜକ ନୈବେଦ୍ୟ ଭକ୍ଷଣ କରିଲେ ପୁନର୍ଜନ୍ମର ସମ୍ଭାବନା ନ ଥାଏ । (ସ୍ଵର୍ଣ୍ଣାଦ୍ରି ମହୋଦୟ)
ଏହା ଭଗବାନ ଶିବଙ୍କର ଦ୍ଵାରା ବ୍ରହ୍ମାଙ୍କୁ ଉକ୍ତି। ଏଥିରୁ ଅନୁମାନ କରିପାରୁଥିବେ କେତେ ମହତ୍ତ୍ୱପୂର୍ଣ୍ଣ ଶ୍ରୀ ଲିଙ୍ଗରାଜଙ୍କ ମହାପ୍ରସାଦ।
ମହାପ୍ରଭୁଙ୍କ ଦୈନିକ ଭୋଗ।
ସକାଳୁ ଆରମ୍ଭ କରି ବଡ଼ସିଂହାର ଯାଏଁ ମହାପ୍ରଭୁଙ୍କ ପାଶେ ପଞ୍ଚ ଅବକାଶ ଓ ତିନି ଧୂପକୁ ମିଶାଇ ଅଷ୍ଟ ବାରି ନୈବେଦ୍ୟ ଲାଗି ହୋଇଥାଏ। ଏହି ଅଷ୍ଟ ଭୋଗ ଗୁଡିକର ନାମ ହେଲା।
୧. ବାଳ ଧୂପ ବା ବାଳ ବଲ୍ଳଭ
୨. ସକାଳ ଧୂପ
୩. ଭୋଗ ମଣ୍ଡପ ଧୂପ ବା ଛତ୍ର ଭୋଗ
୪. ବୀରକିଶୋର ବଲ୍ଳଭ
୫. ଦ୍ଵିପ୍ରହର ଧୂପ ବା ମଧ୍ୟାହ୍ନ ଧୂପ
୬. ଟେରାଫିଟା
୭. ସନ୍ଧ୍ଯା ଧୂପ
୮. ବଡ଼ ସିଂହାର
୧. ବାଳ ବଲ୍ଳଭରେ ମହାପ୍ରଭୁଙ୍କୁ କୋରା, ଖଇ, ଦହି ଇତ୍ୟାଦି ଭୋଗ ଲାଗି ହୋଇଥାଏ।
୨. ସକାଳ ଧୂପରେ ଅନ୍ନ, ଖେଚୁଡ଼ି, ଶାଗ, ପୁଳି, ହଂସକେଳି, ଏଣ୍ଡୁରୀ, କାନ୍ତି, ଇତ୍ୟାଦି ନୈବେଦ୍ୟ ଅର୍ପଣ କରାଯାଏ।
୩. ଛତ୍ର ଭୋଗରେ ଭକ୍ତମାନଙ୍କ ନିମନ୍ତେ ଅଧିକ ଅନ୍ନ, ଡାଲି, ଶାକର ଆଦି ଅନ୍ୟାନ୍ୟ ଭୋଗ ଅର୍ପଣ ହୋଇଥାଏ।
୪. ବୀରକିଶୋର ବଲ୍ଳଭରେ ମିଷ୍ଟାନ୍ନ ଯେପରି କାକରା, ତ୍ରିପୁରୀ ଆଦି ଅର୍ପଣ ହୋଇଥାଏ।
୫. ଦ୍ଵିପ୍ରହର ଧୂପ ବା ମଧ୍ୟାହ୍ନ ଧୂପରେ ଆଟିକିଆ ମାନଙ୍କରେ ମହାପ୍ରଭୁଙ୍କୁ ଅନ୍ନ, ଡାଲି, ତରକାରୀ ଆଦି ଅର୍ପଣ କରାଯାଏ।
୬. ପହୁଡ଼ ନୀତି ଶେଷ ପରେ #ଟେରାଫିଟା ଭୋଗରେ ପିଷ୍ଟକ ଆଦି ନୈବେଦ୍ୟ ଅର୍ପଣ ହୋଇଥାଏ।
୭. ସନ୍ଧ୍ଯା ଧୂପରେ ଲଡୁ, ଖଜା, ଆରିସା ପିଠା, ଖର୍ଜୁର ଆଦି ପ୍ରସାଦ ଅର୍ପଣ କରାଯାଏ।
୮. ବଡ଼ସିଂହାର ବା ଦିବସର ଶେଷ ଭୋଗରେ ଦହିପଖାଳ, ଭଜା, ଶାକର, ଖଟା ଆଦି ନୈବେଦ୍ୟ ଅର୍ପଣ ହୋଇଥାଏ ।
ଏତିକି ତ କେବଳ ଦୈନିକ ନୀତି। ପୁଣି ବାହାର ଏବଂ ଭିତର ଯାତ ବିଜେ ଅଛି। ପୁଣି ଯାତ ଅନୁସାରେ ନୈବେଦ୍ୟ ମଧ୍ଯ ବହୁ ପ୍ରକାରର। ହୋଇପାରେ ଲୋକ ଅଗୋଚର ହେତୁ ଲିଙ୍ଗରାଜ ମହାପ୍ରଭୁଙ୍କ ମହାପ୍ରସାଦର ପ୍ରଚାର ପ୍ରସାର କମ୍ ହୋଇଥାଇପାରେ। କିନ୍ତୁ ପୂର୍ବେ ମହାପ୍ରଭୁଙ୍କ ନୈବେଦ୍ୟ ମହାପ୍ରସାଦର ଅଶେଷ ମହିମା ଗାନ କରାଯାଉଥିଲା। ଯାହା ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରତିରୂପ ବର୍ଣ୍ଣନାରୁ ମିଳେ। ଇତିହାସର ବହୁ ଘାତ ପ୍ରତିଘାତରେ କିନ୍ତୁ ଏହାର ମହିମା କେବେ କ୍ଷୁଣ୍ଣ ହୋଇନାହିଁ। ସଗର୍ବେ ଏହା ମୁକ୍ତି ଦାୟକ ବୋଲାଇଅଛି।
ଏହା ଥିଲା କୃତିବାସ ମହାପ୍ରଭୁଙ୍କ ମହାପ୍ରସାଦ ସମ୍ପର୍କରେ ଏକ ସଂକ୍ଷିପ୍ତ ଆଲୋଚନା। ବ୍ରହ୍ମଲିଙ୍ଗଙ୍କ ବର୍ଣ୍ଣନା ସବୁ ଏକାବେଳେ କରିବା ସମ୍ଭବ ହୁଏନାହିଁ। ସମୟାନୁକ୍ରମେ ଏହା ମହାପ୍ରଭୁଙ୍କ କୃପାରୁ ଧୀରେ ଧୀରେ ପ୍ରକାଶିତ ହେବ। କିନ୍ତୁ ଲିଙ୍ଗରାଜ ଯେ ନୈବେଦ୍ୟ ପ୍ରିୟ ଏହା ଦ୍ୱିମତ ନାହିଁ।
ଉପସ୍ଥାପନା: ଅରବିନ୍ଦ ମହାନ୍ତି