ମହାପ୍ରଭୁଙ୍କ ପାଖରେ ପଖାଳ ଭୋଗ।

ଜାଣିଛନ୍ତି, ଖାଲି ଓଡ଼ିଆ ଘରେ ନୁହେଁ, ଓଡ଼ିଆଙ୍କ ଆରାଧ୍ୟ ବଡ଼ ଠାକୁର ବି ଭାରି ଭଲ ପାଆନ୍ତି ପଖାଳକୁ। ସେଇଥି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ବଢା ହେଉଥିବା ପଖାଳରେ କେତେବଳେ ଦହି ଭାସେ, କେତେବେଳେ ଘିଅ ବାସେ।
ମହାପ୍ରଭୁଙ୍କ ବଡ଼ ପଣିଆକୁ ପ୍ରତିପାଦିତ କରିବାକୁ ଯାଇ ଓଡ଼ିଆ ଲୋକେ କଥା କଥାରେ ଥଟ୍ଟା କରି କୁହନ୍ତି, “ପଖାଳ ଭାତରେ ଘି’ ତୋ ବୋପା ଖାଇଥିଲା କି” ।

ତେବେ ଏହି ପଖାଳର ନାଁ ସବୁ କଣ :

ସୁବାସ ପଖାଳ: ପ୍ରଥମେ କୁଡୁଆରେ ଅନ୍ନ ରନ୍ଧା ହୋଇସାରିବା ପରେ ସେଥିରେ ପାଣି ମିଶିଥାଏ। ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ପରଷାଯାଏ। ଏହା ଏକ ସୁଗନ୍ଧିତ ଅନ୍ନ ହୋଇଥିବାରୁ ପାରମ୍ପରିକ ଭାବେ ଏହାକୁ ସୁବାସ ପଖାଳ ବୋଲି କୁହାଯାଏ।

ଚୁପୁଡା ପଖାଳ: ରନ୍ଧା ହୋଇଥିବା ଅନ୍ନକୁ ଭଲଭାବେ ଚିପୁଡି ଦିଆଯାଏ। ଏଥିରେ ଭଜା ଜିରା, ଲୁଣ ଓ ଦହି ମିଶାଇ ପ୍ରସାଦ ଭାବେ ମାଟିପାତ୍ରରେ ମହାପ୍ରଭୂଙ୍କୁ ପରଷି ଦିଆଯାଏ।
ପାଣି ପଖାଳ: ରନ୍ଧା ହୋଇଥିବା ଅନ୍ନରେ କେବଳ ପାଣି ଓ ଲୁଣ ମିଶାଇ ଏହି ପଖାଳ ପ୍ରସ୍ତୁତ ହୁଏ। ଏଥିରେ ଅନ୍ୟ କୌଣସି ଦ୍ରବ୍ୟ ମିଶ୍ରଣ କରାଯାଏ ନାହିଁ। ସାଧାରଣତଃ ଏହା ପ୍ରତ୍ୟକ ଓଡ଼ିଆ ଘରର ସାଧାରଣ ଖାଦ୍ୟ।

ଦହି ପଖାଳ: ସୁଖିଲା ଅନ୍ନରେ କେବଳ ଦହି ପକାଇ ଗୋଳାଇ ଦିଆଯାଏ। ଏଥିରେ ଦହିର ମାତ୍ରା ଅଧିକ ଥାଏ। ଏହି ମିଶ୍ରିତ ଅନ୍ନରେ ଭଜା ଜିରା ଓ ଅଦା ପାକାଇ ପ୍ରସ୍ତୁତ କରାଯାଏ।

ମିଠା ପଖାଳ: ସାଧା ଅନ୍ନରେ ଚିନି କିମ୍ବା ଧଳା ଗୁଡ ପାକାଇ ରନ୍ଧାଯାଏ। ଏଥିରେ ଭଜା ଜିରା, ଲୁଣ ଓ ଅଦାଖଣ୍ଡ ପକାଇ ପରଷା ଯାଇଥାଏ।

ମଲ୍ଲିଫୁଲ ପଖାଳ: ଏହି ପଖାଳ ଦହି ପଖାଳ ଭଳି ପ୍ରସ୍ତୁତ ହୋଇଥାଏ । ମାତ୍ର ଏହାକୁ ସୁବାସିତ କରିବାକୁ ମଲ୍ଲିଫୁଲ ଦେଇ ପରସାଯାଏ।

ଟଭା ପଖାଳ: ସାଧାଅନ୍ନରେ ଟଭା ମିଶ୍ରିତ ଜଳ ଦେଇ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହୁଏ। ଉପରୋକ୍ତ ପ୍ରଣାଳୀରେ ଏହି ପଖାଳ ପ୍ରସ୍ତୁତ ହୁଏ। ଏହା ମଧ୍ୟ ସୁବାସ ପଖାଳ ପର୍ଯ୍ୟାୟଭୁକ୍ତ।

ଘିଅ ପଖାଳ: ସାଧାଅନ୍ନ, ଲୁଣ, ଅଦାଖଣ୍ଡ, ଦହି, ଭଜା ଜିରା ଇତ୍ୟାଦି ଓଳିରେ ରଖାଯାଇ ଏଥିରେ ଘିଅ ମିଶାଯାଏ। ଯାହାକୁ ଶ୍ରୀମନ୍ଦିର ପାରମ୍ପରିକ ପରିଭାଷାରେ ଘିଅ ପଖାଳ କୁହାଯାଏ।

ବିଶେଷ କରି ସନ୍ଧ୍ୟାଧୂପ ଓ ବଡ଼ ସିଂହାର ବା ରାତ୍ର ପହୁଡ଼ ପୂର୍ବରୁ ମହାପ୍ରଭୁଙ୍କ ପାଖରେ ପଖାଳ ଓ କଦଳୀ ଭଜା ଭୋଗ ଲାଗିଥାଏ।

ଉପସ୍ଥାପନା: ମିହିର ପଟ୍ଟନାୟକ
ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ

ଐତିହ୍ୟ ସମ୍ପନ୍ନ ରଣପୁରଗଡ଼ ।

ରଣପୁର ହେଉଛି ଏକ ଐତିହ୍ୟ ସମ୍ପନ୍ନ ସହର। ରଣାସୁର ପୁର ରୁ ରଣପୁର ହୋଇଛି ବୋଲି ଲୋକକଥା ରହିଛି। ଏହା ହେଉଛି ଉତ୍କଳ ର ସର୍ବପ୍ରାଚୀନ ଗଡଜାତ ରାଜ୍ୟ ମାନଙ୍କ ମଧ୍ୟରୁ ଅନ୍ୟତମ। ରଣପୁର ରାଜ୍ୟ ସ୍ଥାପନ ଆରମ୍ଭରୁ ଗୋଟିଏ ବଂଶର ୧୧୦ ଜଣ ରାଜା ରଣପୁର କୁ ଶାସନ କରିଛନ୍ତି। ବହୁ ଐତିହାସିକ ସ୍ଥାନ ରହିଛି ରଣପୁର ରେ। ଏହା ସହିତ ରଣପୁର ବହୁ ଐତିହାସିକ ଘଟଣା ସହିତ ଜଡିତ।ଶହୀଦ ଅର୍ଜୁନ ରାଉତ ଏବଂ ଶହୀଦ୍ ରଘୁ ଦିବାକର ଙ୍କ ମାଟି ହେଉଛି ରଣପୁର। ନୃଶଂସ ଇଂରେଜ ପଲିଟିକାଲ ଏଜେଣ୍ଟ ମେଜର ବେଜେଲଗେଟ କୁ ଏହି ରଣପୁର ମାଟି ରେ ଠେଙ୍ଗା ରେ ପିଟି ପିଟି ହତ୍ୟା କରାଯାଇଥିଲା। ଯାହାକି ସେତେବେଳେ ସାରା ବିଶ୍ବକୁ ଚକିତ କରି ଦେଇଥିଲା। ବିଲାତ ସଂସଦ ଦୋହଲି ଯାଇଥିଲା। ଉତ୍କଳ ର ଗଜପତି ମହାରାଜା ଙ୍କ ଦରବାରରେ ରଣପୁର ରାଜା ଙ୍କର ରହିଥିଲା ସ୍ବତନ୍ତ୍ର ସ୍ଥାନ।ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ଠାରୁ ରଣପୁର ର ଦୂରତା ହେଉଛି ମାତ୍ର ୬୨ କିମି। ଭୁବନେଶ୍ବର ଠାରୁ ୧୬ ଜାତୀୟ ରାଜପଥ ରେ ବ୍ରହ୍ମପୁର ରାସ୍ତାରେ ଜଙ୍କିଆ ଠାରୁ ୨୦ କିମି ଡାହାଣ କୁ ଗଲେ ପଡେ ଐତିହାସିକ ସହର ରଣପୁର। ଯାହାକି ପ୍ରଥମେ ପୁରୀ ଜିଲ୍ଲାରେ ଥିଲା। ବର୍ତ୍ତମାନ କିନ୍ତୁ ଏହା ନୟାଗଡ଼ ଜିଲ୍ଲାର ଅଂଶ ବିଶେଷ। ଏହା ନୟାଗଡ଼ ଜିଲ୍ଲାର ଏକ ତହସିଲ। ଏହା ନୟାଗଡ଼ ଜିଲ୍ଲାର ଏକ ବୃହତ୍ ବ୍ଲକ।

ରଣପୁର ହେଉଛି ଦ୍ବିତୀୟ ଶ୍ରୀକ୍ଷେତ୍ର। ଏଠାରେ ରହିଛି ଓଡ଼ିଶାର ପ୍ରାଚୀନ ଶ୍ରୀ ଜଗନ୍ନାଥ ମନ୍ଦିର। ରଣପୁର ର ୯୨ ତମ ରାଜା ଉଦ୍ଧବ ସିଂହ ନରେନ୍ଦ୍ର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସ୍ଵପ୍ନାଦେଶ ପାଇ ୧୩୬୩ ଖ୍ରୀଷ୍ଟାବ୍ଦ ରେ ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କରାଇଥିଲେ। ରଣପୁର ସହର ମଝି ଭାଗରେ ଅବସ୍ଥିତ ଏହି ମନ୍ଦିର। ଦେଖିବାକୁ ପୁରା ପୁରୀ ଶ୍ରୀମନ୍ଦିର ଭଳି। ସେହି ବଡ ଦେଉଳ,ବଡ ଦାଣ୍ଡ, ବଡ ଠାକୁର, ଆନନ୍ଦ ବଜାର, ମେଘନାଦ ପାଚେରୀ, ସିଂହ ଦ୍ଵାର, ପ୍ରସିଦ୍ଧ ରଥଯାତ୍ରା ,ସୁନାବେଶ,ଚନ୍ଦନ ପୁଷ୍କରିଣୀ, ଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର,ସ୍ନାନ ମଣ୍ଡପ ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ବାର ମାସରେ ତେର ପର୍ବ ପର୍ବାଣୀ ଅନୁଷ୍ଠିତ ହୋଇଥାଏ। ଏହି ମନ୍ଦିରରେ ଦ୍ବାଦଶ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ରହିଛି ଏଠାରେ ଛତିଷା ନିଯୋଗ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଷୋହଳ କଳା ରୁ ଗୋଟିଏ କଳା ରଣପୁର ମହାପ୍ରଭୁ ଙ୍କ ଠାରେ ରହିଛି ବୋଲି ବିଶ୍ୱାସ ରହିଛି। ପୁରୀ ନଯାଇ ପାରିଲେ ଭକ୍ତ ରଣପୁର ଆସିଥାଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ।ଏଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁର୍ଣ୍ୟ ମିଳେ ବୋଲି ବିଶ୍ଵାସ ରହିଛି। ଚତୁର୍ଧା ମୁର୍ତ୍ତି ଙ୍କୁ ଦେଖିଲେ ଆଖି ଲାଖିଯିବ। ମହାପ୍ରଭୁ ଙ୍କ ଆଖି ରେ ଆଖି ମିଶାଇଲେ ଆଖିରେ ଲୁହ ଆସିଯିବ। ସେହି ସମୟରେ ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟ ଙ୍କ ଜଗନ୍ନାଥଷ୍ଟକମ୍ ମନେପଡିଯିବ। “ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବଃ ତୁମେ”। ଦ୍ବିତୀୟ ଶ୍ରୀକ୍ଷେତ୍ର ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିର ହେଉଛି ଓଡ଼ିଶା ପର୍ଯ୍ୟଟନ ର ଏକ ପ୍ରମୁଖ ତଥା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସମୟରେ ଏଠାରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ।

ଶ୍ରୀ ଜଗନ୍ନାଥ ମନ୍ଦିର ର ଡାହାଣ ପାର୍ଶ୍ଵରେ ରହିଛି ରଣପୁର ରାଜା ଙ୍କର ସର୍ବପ୍ରାଚୀନ ଐତିହାସିକ ରାଜପ୍ରସାଦ।ଯେଉଁ ଠାରୁ ଦିନେ ସାରା ରଣପୁର ଗଡ଼ ର ପ୍ରଶାସନିକ କାର୍ଯ୍ୟ ହେଉଥିଲା। ଉତ୍ତର ରେ ରାଜସୁନାଖଳା ଠାରୁ ଦକ୍ଷିଣରେ ଚାନ୍ଦପୁର ଚମ୍ପାଗଡ ଏବଂ ପୂର୍ବରୁ ନରସିଂହପୁର ଗ୍ରାମ ଠାରୁ ପଶ୍ଚିମ ରେ ଦର୍ପନାରାୟଣପୁର ପର୍ଯ୍ୟନ୍ତ ରଣପୁର ଗଡଜାତ ପରିବ୍ୟାପ୍ତ ଥିଲା। ରଣପୁର ରାଜପ୍ରସାଦ ରେ ରହିଛି ରାଜାମହଲ, ରାଣୀମହଲ ଏବଂ ବହୁ ପ୍ରାଚୀନ ଗୃହ ସବୁ। ଏହା ରଣପୁର ପର୍ଯ୍ୟଟନ ର ଏକ ପ୍ରମୁଖ ସ୍ଥାନ। ଯାହାକି ରହିଛି ରଣପୁର ସହର ର ମଧ୍ୟ ଭାଗରେ।

ରଣପୁର ସହର ର ପଶ୍ଚିମ ପାର୍ଶ୍ଵରେ ରହିଛି ମୈନାକ ପର୍ବତ। ମୈନାକ ପର୍ବତ ର ଉପରେ ରହିଛି ମା ମଣିନାଗ ମନ୍ଦିର। ଯାହାକୁ ଉପର ମଣିନାଗ କୁହାଯାଏ। ରଣପୁର ର ପ୍ରଥମ ରାଜା ବିଶ୍ବାବାସବ ଙ୍କ ଦ୍ୱାରା ଖ୍ରୀ ପୂ ୧୭୨୭ ଖୀଷ୍ଟାବ୍ଦ ରେ ପ୍ରତିଷ୍ଠିତ ମା ମଣିନାଗ। ମା ମଣିନାଗ ହେଉଛନ୍ତି ରଣପୁର ଗଡଜାତ ର ଗଡଦେବୀ। ପାହାଡ଼ ର ତଳେ ରହିଛି ଆଉ ଏକ ମଣିନାଗ ମନ୍ଦିର। ଯାହାକୁ ତଳ ମଣିନାଗ ମନ୍ଦିର କୁହାଯାଏ। ତଳ ମଣିନାଗ ଠାରୁ ଉପର ମଣିନାଗ କୁ ଏକ ଘାଟୀ ରାସ୍ତା ରହିଛି। ଅତି ସୁନ୍ଦର ସ୍ଥାନ। ବର୍ଷ ଯାକ ଏଠାରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଲାଗିରହିଥାଏ। ତଳ ମଣିନାଗ ମନ୍ଦିର ପାଖରେ ରହିଛି ହନୁମାନ ଙ୍କ ମନ୍ଦିର।ଯାହାକି ଦେଖିଲେ ଆଖି ଲାଖିଯିବ। ଉପର ମଣିନାଗ ରୁ ରଣପୁର ସହର ର ସୌନ୍ଦର୍ଯ୍ୟ ଭରା ମନୋରମ ଦୃଶ୍ୟ ଅତି ସୁନ୍ଦର। ଏହା ଓଡ଼ିଶା ପର୍ଯ୍ୟଟନ ର ଏକ ପ୍ରସିଦ୍ଧ ସ୍ଥାନ।

ରଣପୁର ସହରର ଶାମୁକା ସାହି ଠାରେ ରହିଛି ବାବା ସ୍ବପ୍ନେଶ୍ବର ମନ୍ଦିର। ଏହା ଏକ ପୁରାତନ ଶୈବପୀଠ। ଏହା ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ।

ରଣପୁର ସହର ଠାରୁ ନୟାଗଡ଼ ରାସ୍ତାରେ ୮ କିମି ଆଗକୁ ଗଲେ ବଜ୍ରକୋଟ ଗ୍ରାମ ନିକଟରେ ପାହାଡ ତଳେ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନ ରେ ଅବସ୍ଥିତ ମା ଅସୁରକୁମାରୀ ମନ୍ଦିର ଏବଂ ଝରଣା।ଯେଉଁଠାରେ ବାଙ୍କୀ ର ମା ଚର୍ଚ୍ଚିକା ବଧ କରିଥିଲେ ରଣାସୁର କୁ। ଯାହାର ନାମ ଅନୁସାରେ ରଣପୁର ର ନାମକରଣ ହୋଇଛି। ଏହା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ମନୋରମ ସ୍ଥାନ। ଏଠାରେ ମା ଙ୍କ ମନ୍ଦିର ସହିତ ରହିଛି ଏକ ସୁଉଚ୍ଚ ଝରଣା। ପାହାଡ଼ ଉପରକୁ ରହିଛି ଏକ ପାଦଚଲା ପାହାଚ ର ରାସ୍ତା। ଶୀତ ଋତୁରେ ଏଠାରେ ରାଜ୍ୟ ର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ହୁଏ। ଏହା ବଣଭୋଜି ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏଠାରେ ରହିଛି ମନୋରମ ଜଙ୍ଗଲ ଏବଂ ରାସ୍ତାର ଉଭୟ ପାର୍ଶ୍ବରେ ରହିଛି ଦୁଇଟି ବୃହତ ଜଳାଶୟ। ଅତି ସୁନ୍ଦର ସ୍ଥାନ।
ରଣପୁର ଠାରୁ ମଝିଆଖଣ୍ଡ ରାସ୍ତାରେ ଗଲେ ପଡେ ମଝିଆଖଣ୍ଡ ଠାରେ ପ୍ରସିଦ୍ଧ ପଶ୍ଚିମାଭିମୁଖି ବାବା କମଳେଶ୍ବର ଶୈବପୀଠ।ବାବା ଅତି ପ୍ରତ୍ୟକ୍ଷ ଠାକୁର। ସେଠାରୁ ବନ୍ଧମୁଣ୍ଡା ପଞ୍ଚାୟତ ରାସ୍ତାରେ ଗଲେ ପଡେ ଭେଟବର ଡ୍ୟାମ। ସେଠାରୁ ଆଗକୁ ଗଲେ ପଡେ ମା ଖିଲାମୁଣ୍ଡା ଦେବୀ ମନ୍ଦିର। ମା ଅତି ପ୍ରତ୍ୟକ୍ଷ ଠାକୁରାଣୀ। ତାଙ୍କୁ ରଣପୁର ରାଜା ଙ୍କର ଯୁଦ୍ଧଦେବୀ ବୋଲି କୁହାଯାଏ। ମା ଙ୍କ ପାଖରୁ କେହି ଖାଲି ହାତରେ ଫେରିନାହାନ୍ତି। ଦଶହରା ସମୟରେ ମା ଖିଲାମୁଣ୍ଡା ରଣପୁର ରାଜା ଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ଷୋଡ଼ଶ ପୂଜା ପାଇଁ ରଣପୁର ଗଡ କୁ ଆସିଥାନ୍ତି। ସେଠାରୁ ଆଗକୁ ୩ କିମି ଗଲେ ପଡେ ବାବା ଗଙ୍ଗେଶ୍ବର ଶୈବପୀଠ। ଏହା ଏକ ସର୍ବପୁରାତନ ମନ୍ଦିର। ଏହି ମନ୍ଦିର ବର୍ତ୍ତମାନ ସଂପୂର୍ଣ୍ଣ ଭଗ୍ନ ଅବସ୍ଥାରେ ରହିଛି।

ରଣପୁର ଠାରୁ ସୁନାଖଳା ରାସ୍ତାରେ ଗଲେ ପଡେ ବାଘ ଗୁମ୍ଫା।ଏହା ରଣପୁର ପର୍ଯ୍ୟଟନ ର ଏକ ପ୍ରସିଦ୍ଧ ସ୍ଥାନ।

ଆପଣ ରଣପୁର କୁ ବର୍ଷର ଯେ କୌଣସି ସମୟରେ ଆସିପାରିବେ।ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୂର ଆମ ରଣପୁର ଅଂଚଳ।ପ୍ରସିଦ୍ଧ ରଥଯାତ୍ରା, ପନ୍ଚୁଦୋଳ, ଚନ୍ଦନ ଯାତ୍ରା, ଦଣ୍ଡ ଯାତ୍ରା, ଦଶହରା ,ରଣପୁର ମହୋତ୍ସବ ଆଦି ହେଉଛି ରଣପୁର ର ପ୍ରସିଦ୍ଧ ପର୍ବ।

ଉପସ୍ଥାପନା: କଳିଙ୍ଗ କିଶୋର ସେଠୀ