ଗାଁର ବେକାରିଆ ଟୋକାଙ୍କ ଠାରୁ ଆରମ୍ଭ କରି ଗାଁ ମାଇପେ ପର୍ଯ୍ୟନ୍ତ, ପୋଖରୀ ତୁଠ ଠୁଁ ଆରମ୍ଭ କରି ଚା’ ଖଟି ପର୍ଯ୍ୟନ୍ତ, ପେଣ୍ଠସ୍ଥଳ ଠାରୁ ଆରମ୍ଭ କରି ତାସ ପାଲି ପର୍ଯ୍ୟନ୍ତ ସବୁଠି ଗୋଟିଏ କଥା “ଆହା, ବିଚରା ଶୁକୁଟା ମରିଗଲା”।
ଯଦିଓ ଶୁକୁଟା ସେମାନଙ୍କ ସ୍ୱାମୀ ନୁହେଁ ତଥାପି ବିଧବା ରମା ବେୱା କାନ୍ଦୁଛି। ସୁନ୍ଦରୀ ଦିବ୍ୟା କାନ୍ଦୁଛି। ଗାଁ ର ଅନେକଙ୍କ ଆଖିରେ ଲୁହ…।
ଶୁକୁଟା ମରିଗଲା ପରେ ଗାଁ ର ରାସ୍ତା ଘାଟ ତା’ ନାମରେ ନାମିତ ହେବନି। ଗାଁ ଛକରେ ତାର ବଡ଼ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ ନାହିଁ। ଗାଁ ପାଠାଗାର କିମ୍ବା ବିଦ୍ୟାଳୟ ଗୁଡିକ ଶୁକୁଟା ନାମରେ ନାମିତ କରାଯିବ ନାହିଁ।
କେବେ ନୁହଁ।
ତେବେ ଏତେ ଲୋକଙ୍କ ଆଖିରେ ଅଶ୍ରୁ କାହିଁକି?
ପାଞ୍ଚ ପଚିଶରେ ଶୁକୁଟା ମୃତ୍ୟୁର ଚର୍ଚ୍ଚା କାହିଁକି..??
ଏଇ ଶୁକୁଟା କିଏ..??
ଗାଁ ଜମିଦାର ମଲା ବେଳକୁ ଏମିତି ଚର୍ଚ୍ଚା ତ ହେଇ ନଥିଲା। କୁରାଳ ପଞ୍ଚାୟତର ନିର୍ବାଚନ ଜିତିଥିବା ବୁଢା ସରପଞ୍ଚ ମଲା ବେଳେ ତ ଏମିତି ଚର୍ଚ୍ଚା ହେଇ ନଥିଲା..। ପନ୍ଦରଶହରୁ ଦୁଇ ହଜାର ବସ୍ତିର ଏଇ ଗାଁ, ଗାଁ ସଭାପତି ରଘୁନାଥ ବାବୁ ମଲାବେଳେ ତ ଏମିତି ଚର୍ଚ୍ଚା ହେଇ ନଥିଲା। ସେମାନଙ୍କ ଠାରୁ ଏଇ ଶୁକୁଟା କଣ ଏତେ ବଡ଼ ଯେ ତା ବିଷୟରେ ଗାଁ ସାରା ଚର୍ଚ୍ଚା ଚାଲିଛି..??
ସକାଳ ସାତ ରୁ ଯୋଗିଆ ମାଆ କହି ଦେଇ ଗଲାଣି “ଶୁକୁଟା ମରି ପଡିଛି”। ବର୍ତ୍ତମାନ ଅପରାହ୍ନ ଚାରିଟା ହେବ। ସେମିତି ଶୁକୁଟାର ଶବଟା ଘର ଭିତରେ ପଡି ରହିଥିଲା।
ଶୁକୁଟାର କିଏ ଅଛି…?
ଶୁକୁଟା କୁ ଧରି କାନ୍ଦିବା ପାଇଁ ଆତ୍ମୀୟ ସ୍ଵଜନ ବୋଲି କେହିବି ନାହାନ୍ତି। ଆହା ପଦେ କହିବାକୁ ନିଜର ବୋଲି କେହି ନାହାନ୍ତି। ପୁଅ, ଝିଅ ଭାରିଜା କିଏ ଅଛି ଯେ ଶୁକୁଟାର ଶବ ଦାହ କରିବ..?? ଭାଇ ଭାଗାରିଆ କେହିବି ନାହାନ୍ତି। ସେଥିପାଇଁ ଶବଟା ଏମିତି ଜାରଜର ଶବ ଭଳି ପଡି ରହିଛି।
ଅର୍ଦ୍ଧ ଭଗ୍ନ ଚାଳ କୁଡ଼ିଆ ଭିତରୁ ଗାଁ ଯୁବକ ସଂଘର ଯୁବକମାନେ ଶବଟିକୁ ସଂଗ୍ରହ କଲେ। ଶବ ଉପରେ ତ୍ରିରଙ୍ଗା ପତାକାଟିଏ ଘୋଡେଇ ଦେଇ “ରାମ ନାମ୍ ସତ୍ୟ ହୈ” ହରି ନାମ୍ ସତ୍ୟ ହୈ ଉଚ୍ଚାରଣ କରି ଶ୍ମଶାନ ଆଡକୁ ନେଇ ଚାଲିଲେ। ଯୁବକ ସଂଘର ଜଣେ ସକ୍ରିୟ ସଭ୍ୟ ମୁଖାଗ୍ନି ଦେଇ ଶବ ଦାହ କଲେ।
ଯୋଗିଆ ମାଆ ଠାରୁ ଆରମ୍ଭ କରି ସାଧବାଣୀ ପର୍ଯ୍ୟନ୍ତ ସମସ୍ତେ ଯୁବକ ସଂଘର କର୍ମକର୍ତ୍ତାଙ୍କୁ ଧନ୍ୟ ଧନ୍ୟ କହିଲେ।
ଶୁକୁଟା ମୃତ୍ୟୁରେ ସବୁଠୁ ଅଧିକ ଦୁଃଖ ଅନୁଭବ କରିଛି ଯୋଗିଆ ମାଆ।ଶୁକୁଟା ଶଯ୍ୟାଶାୟୀ ହେଲା ଦିନଠାରୁ ମୃତ୍ୟୁପର୍ଯ୍ୟନ୍ତ ଶୁକୁଟାକୁ ସେବା ଦେଇ ଆସିଛି ସିଏ। ତୋରାଣି ପାଣି ଠାରୁ ଆରମ୍ଭ କରି ପଥୀ ମହୌଷଧି ପର୍ଯ୍ୟନ୍ତ ସବୁ ଯୋଗାଇ ଆସିଛି ଏଇ ଯୋଗିଆ ମାଆ।ଦିନେ କତରା ଆଉ ଲୁଗାପଟା ରେ ଝାଡା ହେଇଯାଇଥିଲା ଶୁକୁଟା। ଯୋଗିଆ ବାପା ନୂଆ ଲୁଗା ପିନ୍ଧାଇ ଅସନା କତରା ଓ ଲୁଗାପଟା ଯୋଗିଆ ମାଆକୁ ଦେଲା । ଯୋଗିଆ ମାଆ ନଈରେ କ୍ଷାର ସର୍ଫ ଦେଇ ସବୁ ସଫା କରି ପୁନଃ ବ୍ୟବହାର ଯୋଗ୍ୟ କରାଇ ଆଣିଦେଲା ଶୁକୁଟା ପାଇଁ।
ଏସବୁ ଖାଦ୍ୟପେୟ, ସେବା ଶୁଶ୍ରୁଷା ପାଇଁ ଯୋଗିଆ ବାପା ଦିନେ ହେଲେ ଯୋଗିଆ ମାଆକୁ ବାଧା ଦେଇ ନାହିଁ।
ଯୋଗିଆ ବାପା କହୁଥିଲା, ବୁଝିଲୁ ଯୋଗିଆ ମାଆ ଶୁକଦେଵ ସିଂ ଆଜି ଆମ ଗାଁ ରେ ଶୁକୁଟା ହୋଇଯାଇଛି। ଆଜାଦ ହିନ୍ଦ୍ ଫୌଜରେ ଥିଲାବେଳେ ଶୁକଦେଵ ବାବୁଙ୍କର ବଡ଼ ଖାତିର ଥିଲା।ରେଂଗୁନ୍ ଅଞ୍ଚଳରେ ଯେତେବେଳେ ବିପର୍ଯ୍ୟୟ ଦେଖା ଦେଲା ଏଇ ଶୁକଦେଵ ସିଂ ଅନେକ ଓଡ଼ିଆ ଲୋକଙ୍କୁ ଘରକୁ ଫେରିବା ପାଇଁ ହାତ ଖର୍ଚ୍ଚ ଦେଇ ନୌକାରେ ବସାଇ ବିଦା କରେଇ ଥିଲେ। ଆଉ ସେମାନଙ୍କ ମଧ୍ୟରୁ ମୁଁ ଜଣେ। ଆଜି ଯଦି ତୁ ମୋତେ ଦେଖୁଛୁ ତେବେ ଏଇ ଶୁକଦେଵ ବାବୁଙ୍କ ପାଇଁ।
ଶୁକଦେଵ ସିଂ। ରେଂଗୁନ୍ ରୁ ଫେରିଲା ପରେ ନିଜକୁ ବଦଳେଇ ଦେଇଥିଲେ। ପରିବାର ବୋଲି ଯାହାକୁ ଆପଣେଇ ନେଇଥିଲେ ସିଏ ଥିଲା, ହଳେ ଗୋରୁ। ଗୋଟିଏ ଶଗଡ଼। ଲଙ୍ଗଳ ଆଉ ମଇ ଖଣ୍ଡିଏ। ଝାଟିମାଟିର ଘର ଖଣ୍ଡକୁ ଛାଡିଦେଲେ ନିଜର ଗୋବେ ବୋଲି ଜମି ନାହିଁ। ତଥାପି ଶୁକଦେଵ ବାବୁଙ୍କର କୃଷି ଯନ୍ତ୍ରପାତିକୁ ନେଇ ବଡ଼ ପଟୁଆର। ହଳହଡା ନେଇ ଲୋକଙ୍କ ଭଡାରେ ଯାଆନ୍ତି।
ରମା ବେୱାର କିଏ ଅଛି? ଗୋଟିଏ ବୋଲି ପୁଅ।ସାହବ ହେଲାପରେ ଯାଇ ସହରରେ ରହୁଛି।ମାଆ ବୋଲି କେବେ ଆଡ଼ ଆଖିରେ ଦେଖେନି।ପଇସା ପତ୍ର ଦିଏନି। ରମାର ଆଗକୁ ପଛକୁ କେହି ନାହିଁ। ଶେଷ ସମ୍ବଳ ବୋଲେ ଦୁଇ ମାଣ ଜମି।ସେତକ ମଧ୍ୟ ବର୍ଷେ ଦୁଇବର୍ଷ ପଡିଆ ପଡିଲା।ହଳହଡା ଭଡ଼ାକରି ଚାଷ କରିବାକୁ ପାଇସା କାଇଁ?? ଏ କଥା ଯେବେ ଠାରୁ ଶୁକଦେଵ ବାବୁଙ୍କ କାନରେ ପଡିଛି ସେବେ ଠାରୁ ରମାର କ୍ଷେତ ଉଠିଆ।ସେ ଆଜାଦ ହିନ୍ଦ୍ ଫୌଜର ଲୋକ। ନିଶହାୟ ଲୋକ ଠାରୁ ଶୁକଦେଵ ବାବୁ ହଳ ଭଡା ନେବେ..??
ଶଗଡ଼ ଭଡା ମାଗିବେ..??
ତାହା କେମିତି ସମ୍ଭବ..?
ସୁନ୍ଦରୀ ଦିବ୍ୟାର ସ୍ୱାମୀ ଅସମୟରେ ଆରପାରିକୁ ଚାଲିଗଲେ। ପୁଅ ନାହିଁ। ଚାରି ଚାରିଟା ଝିଅ। ସମସ୍ତଙ୍କୁ ଯାନିଯୌତୁକ ଦେଇ ଶାଶୁ ଘରକୁ ଛାଡିଲା ବେଳକୁ ସର୍ବଶ୍ବାନ୍ତ। ଏମିତିରେ ଚାରି ଚାରିଟା ଝିଅ ବୋଲି ଜାତି ଭାଇରେ ତାକୁ କେତେ ହିନବେଖାତର ଦେଖିନାହାଁନ୍ତି। କେତେ ଇଲିଇଲେଇ ହୋଇ କଥା କହିନାହାନ୍ତି..। ଆଉ ଏମାନେ କଣ ସୁନ୍ଦରୀ ଦିବ୍ୟାର କ୍ଷେତି ବାଡ଼ି କାମ କରିଦେବେ..?
ବଡ ଝିଅର ଶଶୁର ଘର ଠାରୁ ସୁନ୍ଦରୀ ଦିବ୍ୟାର ଘର ଦଶ ମଇଲି।ବଡ ଝିଅର ଶଶୁର ମଲା ବେଳକୁ ଦଶ ମାଇଲ ଦୂର ଯିବାପାଇଁ ସୁନ୍ଦରୀ ପାଖରେ ସାଧନ ନଥିଲା। ଚାଲିଚାଲି ଏତେ ବାଟ ଯିବା କଣ ସମ୍ଭବ..? ଶୁକଦେଵ ବାବୁଙ୍କ ଶଗଡ଼ ଗାଡ଼ି ହିଁ ଶାହା ଭରସା। ଯେମିତି ଶୁକଦେଵ ବାବୁଙ୍କ କାନରେ କଥା ଟା ପଡିଛି। ଶଗଡ଼ ନେଇ ହାଜର..
ଶଗଡରେ ଯାଉ ଯାଉ ଶ୍ରମ ଲାଘବ ଏବଂ ସମୟ ଅତିବାହିତ ପାଇଁ ସୁନ୍ଦରୀ ନିଜ ଦୁଃଖ କାହାଣୀ ଶୁକୁଟା ଆଗରେ ବଖାଣି ବସିଲା। ସେଇ ବର୍ଷ ଠାରୁ ତା ଜମି ମାଣକ ଆଉ ପଡିଆ ପଡିନି।
ଏମିତି ଗରିବ ଗୁରୁବାମାନଙ୍କ ସେବା କାର୍ଯ୍ୟରେ ଲିପ୍ତ ରହି ନିଜକୁ ଭୃତ୍ୟ ସଜେଇ ସାରିଥିବା ଶୁକଦେଵ ବାବୁଙ୍କୁ ସମାଜର ସମ୍ଭ୍ରାନ୍ତ ବ୍ୟକ୍ତିମାନେ, ବଡ଼ପଣ୍ଡାମାନେ, ପରଶ୍ରୀକାତର ବଶତଃ ଶୁକଦେଵରୁ ଶୁକୁଟା ସଜେଇଦେବା ଆମ ସମାଜରେ ଏକ ସାଧାରଣ କଥା।
କ୍ରମେ ଶୁକଦେଵ ବାବୁ ନିଜ ସମାଜସେବା ଓ ପରୋପକାରୀ ଗୁଣ ପାଇଁ ଶୁକଦେଵ ରୁ ଶୁକୁଟା ହୋଇଗଲେ ସିନା ସମ୍ଭ୍ରାନ୍ତ ଗୋଷ୍ଠୀର ପଦଲେହନ କଲେ ନାହିଁ।
ମଧ୍ୟବିତ୍ତ ଆଉ ସମ୍ଭ୍ରାନ୍ତ ପରିବାରର ଲୋକଙ୍କ ଜମିରେ ହଳ କରି, ଗୁଡୁ ଶଗଡ଼ ଭଡା ନେଇ ଯୋଉ ଦି ପଇସା ରୋଜଗାର ହୁଏ ସେଥିରେ ନିଜର ଗୁଜୁରାଣ ମେଣ୍ଟାଏ ଶୁକୁଟା। ଜୀବନ କାଳରେ କାହା ଆଗରେ ହାତ ପତେଇଥିବା ଗାଁ ଲୋକ କେହି କେବେ ଦେଖି ନାହାନ୍ତି। ସ୍ୱାଭିମାନର ଜୀବନ ଜିଁ ଥିଲା ଶୁକୁଟା।
ଗାଁ ଯୁବକ ସଂଘ ଯେତେବେଳେ ଗାଁ ର ମାଟି ରାସ୍ତା ମରାମତି କରିବା ପାଇଁ ନିଷ୍ପତ୍ତି ନେଲା, ସେତେବେଳକୁ ଲୋକେ ଜୋରସୋରରେ ଜମିଜମାକୁ ଖତ ଭିଡ଼େଇବାରେ ବ୍ୟସ୍ତ। “ଚଷା ହୁରୁଡ଼ିଲେ ବରଷେ” ଖତ କଢ଼ା କାମ ଛାଡି କିଏ ନିଜ ଶଗଡରେ ଯୁବକ ସଂଘ ପାଇଁ ମୋରାମ ଭିଡ଼େଇବ? ଏଣେ ସଂଘ ଵାଲା ଗାଁ ର ଅଭାବ ଅସୁବିଧା ନେଇ ନିଜ ପଂଚାୟତକୁ ମନ୍ତ୍ରୀଙ୍କୁ ଡକାଇ ଦେଇଛନ୍ତି।ରାସ୍ତା ଘାଟ ସମତୁଲ ନକଲେ ମନ୍ତ୍ରୀଙ୍କ ଗାଡି ଗାଁ ପର୍ଯ୍ୟନ୍ତ ଆସି ପାରିବ ତ??
ଅନ୍ୟ ଉପାୟ ନପାଇ ଯୁବକ ସଂଘ ପିଲେ ଧାଇଁଲେ ଶୁକୁଟା ପାଖକୁ। ଶୁକୁଟା କହିଲା ତମ ମନ୍ତ୍ରୀ ଆସୁ ନ ଆସୁ। ଗାଁ ରାସ୍ତା ମରାମତି ହେବା ନିତାନ୍ତ ଆବଶ୍ୟକ। ନିଜେ ଝୁଡ଼ିରେ କୋଡ଼ି ଦେଇ ଶଗଡରେ ମୁରୁମୁ ଭର୍ତ୍ତି କଲା ଶୁକୁଟା।ଗାଁ ରାସ୍ତାର ଖାଲ ଖମା ରାସ୍ତା ପାଖରେ ମୁରୁମୁ ଗାଳି ଦେଇ ସମତୁଲ କରିଦେଲା।ଶଗଡେ ନୁହେଁ ପାଞ୍ଚ ଶଗଡ଼ ମୁରୁମୁ ଗାଳି ଏକୁଟିଆ ରାସ୍ତାରେ ଖେଳେଇ ଦେଲା ଶୁକୁଟା।
ରାସ୍ତାରେ ଯାଉଥିବା ପଥିକ ଶୁକୁଟାକୁ ଧନ୍ୟ ଧନ୍ୟ କହିଲେ। ଗାଁ ଲୋକେ ଶୁକୁଟାକୁ ଧନ୍ୟ ଧନ୍ୟ କହିଲେ। ସମ୍ମାନ ବଞ୍ଚେଇ ଦେଇ ଏଭଳି ମହାନ କାର୍ଯ୍ୟ ସମ୍ପାଦନ କରିଥିବାରୁ ଯୁବକ ସଂଘ ପିଲେ ଶୁକୁଟାକୁ ନେଇ ଗର୍ବ ଅନୁଭବ କଲେ।
ଶୁକୁଟା ଶଗଡରେ ଖାସିୟତ ଥିଲା। ଜମିଦାର ଘରେ କଣ ଶଗଡ଼ ଗାଡ଼ି ନାହିଁ? ଜମିଦାର ଘରର ବୋହୁ ଡାକରା ହେଉ କିମ୍ବା ଝିଅ ଛାଡିବା ହେଉ, ଶୁକୁଟାର ଶଗଡ଼ ହିଁ ଭଡାକୁ ଯିବ। ଜମିଦାର ସିନା ଶୁକୁଟାକୁ ଇର୍ଷାକଲା ଦୃଷ୍ଟିରେ ଦେଖନ୍ତି, ସାନବାବୁ, ବଡବାବୁ, ସାଆନ୍ତାଣୀ, ବୋହୁ ମାଆ ଆଉ ସାଆନ୍ତାଣୀଙ୍କ ଝିଅମାନେ ଶୁକୁଟାକୁ ଖୁବ ଆଗ୍ରହ ଆଦର କରନ୍ତି । ଖାଇବାକୁ ଦିଅନ୍ତି।ବକ୍ସିସ୍ ଦିଅନ୍ତି। ଆଗକୁ ପୁଣି କେବେ ଶଗଡ଼ ଗାଡ଼ିର ଆବଶ୍ୟକ ପଡିବ ସୂଚାଇ ଦେଇଥାନ୍ତି।
କାଇଁ, ସରପଞ୍ଚଙ୍କ ପେଟରେ ପେଟେ ପାପ ସିନା; ଶଗଡର ଆବଶ୍ୟକତା ପଡିଲେ ଆଗେ ଶୁକୁଟାକୁ ଖୋଜନ୍ତି। ଆବଶ୍ୟକ ପୂରଣ ହେବାଯାଏ ବଡ଼ କଅଁଳେଇ କଥା କୁହନ୍ତି। ଶୁକୁଟାଟା ବଡ଼ ବିଶ୍ୱସ୍ତ।ସେଥିପାଇଁ ସରପଞ୍ଚେ ଆବଶ୍ୟକ ଠାରୁ ଟିକିଏ ଅଧିକ ଭଡା ଦେଇ ଦିଅନ୍ତି। ଶୁକୁଟା ଆଗରେ ନିଜର ଛବିଟା ବି ଟିକିଏ ନିର୍ମଳ ରହିବ, ସେଇ ଆଶା ରଖି ସରପଞ୍ଚେ ଏମିତି କରିଥାନ୍ତି।
ଗାଁ ସଭାପତି ରଘୁନାଥ ବାବୁଙ୍କ ଭଉଣୀ ବାହାଘର ବେଳକୁ ପଚିଶି ଖଣ୍ଡ ଶଗଡ଼ ଭଡା ହେଇଥିଲା।କିନ୍ତୁ ସବା ଆଗରେ ରଘୁନାଥ ବାବୁଙ୍କ ଭଉଣୀକୁ ବସାଇ ଶୁକୁଟାର ଗୁଡୁ ଶଗଡ଼ ହିଁ ଗଡିଥିଲା। କୋଉ ଶଗଡ଼ରେ ସିନ୍ଦୁକ ତ କୋଉ ଶଗଡରେ ଠିଆ ସିନ୍ଧୁକ।କୋଉ ଶଗଡରେ ପଲଙ୍କ ତ କୋଉ ଶଗଡରେ ଶଶ୍ୟ ପୁରୁଗ।କୋଉ ଶଗଡରେ ପ୍ରସ୍ତର ନିର୍ମିତ ଶୀଳ, ଘୋରଣା,ପେଷେଣା, ପଥୁରି ତ ଆଉ କୋଉ ଶଗଡରେ ଉଖୁଡା କନ୍ଦି ଭର୍ତ୍ତି। ସବା ଆଗରେ କିନ୍ତୁ, ଶୁକୁଟାର ଶଗଡ଼। ମଝିରେ ମଝିରେ ହୋଡୁ ହ.. ହ.. ସାଙ୍ଗକୁ ରାସ୍ତା ଘାଟ, ଗିରି କନ୍ଦର ଫଟେଇ ଭାସି ଆସେ ଶୁକୁଟାର କଣ୍ଠ ସଙ୍ଗୀତ। ଘିଡିଘିଡି ନାଦ କରି ଆଗକୁ ଆଗକୁ ଗଡିଚାଲେ ଶୁକୁଟାର ଶଗଡ଼।
ଗାଁ ଠାରୁ ସହର ତିନି ଚାରି ମାଇଲି ରାସ୍ତା। ପ୍ରେକ୍ଷାଳୟରେ ନୂଆଁ ନୂଆଁ ଚଳଚିତ୍ର ଚାଲେ। ମରଦ ଲୋକ ଚାଲି ଚାଲି କିମ୍ବା ଶୂନଗାଡି ନେଇ ଚଳଚିତ୍ର ଦେଖି ଯାଆନ୍ତି। ମାଇପି ଲୋକ ଚଳଚ୍ଚିତ୍ର ଦେଖିଯିବା ପାଇଁ ଶୁକୁଟାର ଶଗଡ଼କୁ ହିଁ ଭରଷା କରିଥାନ୍ତି। ଶୁକୁଟା ତ ଏକମାତ୍ର ଲୋକ ଯିଏ ଉଛୁର ସଅଳ ହେଲେ କିଛି କହେନି। ଆଉ ଯେତେ ଶଗଡ଼ିଆ ଅଧିକ ଅର୍ଥ ଲାଳସାରେ ଟିକିଏ ବିଳମ୍ବ ହେଲେ ମୁହଁ ଝାଡ଼ି କଥା କହନ୍ତି। ସେଥିପାଇଁ ଶୁକୁଟା ଶଗଡ଼ିଆ ସମସ୍ତଙ୍କର ପ୍ରିୟପାତ୍ର।
ସବୁଦିନ ସମାନ ରହେନା। ବିଜ୍ଞାନ ଅଗ୍ରଗତି କଲାଣି। ଦୂରଦୂରାନ୍ତକୁ ଯିବା ପାଇଁ ଯନ୍ତ୍ରଚାଳିତ ଗାଡି ବାହାରିଲାଣି। ଯନ୍ତ୍ରଚାଳିତ ଗାଡି ଏକାଥରକେ ତିରିଶ ୩୫ ଲୋକଙ୍କୁ ଧରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା କରୁଛି। ଆଉ ଶୁକୁଟାର ଶଗଡ଼ ଗାଡିକୁ ପଚାରେ କିଏ?
ଭଡାଭଡି ମାନ୍ଦା। ପର କ୍ଷେତରେ ହଳ କରି ଦୁଇ ପାଇସା ସଂଗ୍ରହ କରୁଥିଲା ଶୁକୁଟା, ଟ୍ରାକ୍ଟର ବୋଲି ଗୋଟିଏ କୃଷି ଯନ୍ତ୍ର ବାହାରିଲାଣି। ଶୁକୁଟାର ହଳ ଲଙ୍ଗଳ ଠାରୁ କୁଆଡେ ଅଧିକ ଚାଷ ହଉଛି। ଶୁକୁଟା ଲଙ୍ଗଳରେ ଗାରେ ମାରିଲା ବେଳକୁ କଳ ଲଙ୍ଗଳ କୁଆଡେ ଦଶ ଗାର ଟାଣି ଦେଉଛି। ମୁଣ୍ଡ ଝାଳ ତୁଣ୍ଡରେ ମାରି ଶୁକୁଟା ଯେଉଁ ଜମିକୁ ଦିନ ସାରା ଲାଗିପଡି ଚାଷ କରୁଥିଲା, କଳ ଲଙ୍ଗଳରେ ସେଇ ଚାଷ ଜମି କୁଆଡେ ମାତ୍ର ଅଧଘଣ୍ଟାରେ ଚାଷ କରିଦେଇ ପାରୁଛି।
ଟ୍ରାକ୍ଟର ଗଣ୍ଡା ଗଣ୍ଡା,
ହଳ ଶଗଡ଼କୁ ପଚାରେ କିଏ??
ବଜାରକୁ ଯନ୍ତ୍ରଚାଳିତ ମୋଟର ଗାଡି ସବୁ ଆସିଲାନି ଯେ ଶୁକୁଟା ମୁଣ୍ଡ ଉପରକୁ ଅକାଳ ବଜ୍ରପାତ ଗୁଡାଏ ମାଡି ଆସିଲା। ତା’ ଦାନାପାଣିରେ ଯନ୍ତ୍ର ମାନବ ଭାଗ ବସେଇବା ଆରମ୍ଭ କଲା। ଇଂରେଜମାନେ ଭାରତ ଦଖଲ କଲାଭଳି ସବୁ କର୍ମସଂସ୍ଥାନ ଗୁଡିକୁ ଦଖଲ କରିନେଲା। ଶୁକୁଟା ବେରୋଜଗାର ହେଲା। ଧୀରେ ଧୀରେ ଶୁକୁଟାର ଆର୍ଥିକ ମେରୁଦଣ୍ଡ ଭୁଶୁଡିବାକୁ ଲାଗିଲା। ଗଛିତ ଅସ୍ଥାବର ସମ୍ପତି ଶେଷ ହେବାକୁ ଆସିଲା। ଅର୍ଥ ରୋଜଗାରର ମୂଳ ଉତ୍ସ ତ ଥିଲା ଏଇ ଶଗଡ଼। ଆଜି କିନ୍ତୁ ଏହା ଅଦରକାରୀ ପାଲଟି ଯାଇଛି।। ଶଗଡର ଅର, ପହିକୁ ଜାବୁଡି ଧରି ଏକାନ୍ତରେ କେତେଥର ନ କାନ୍ଦିଛି ଶୁକୁଟା।ଯୋଉ ଶଗଡ଼ ତା’ ଅର୍ଥ ଉପାର୍ଜନର ମାଧ୍ୟମ ଥିଲା ସେ ଆଜି ନିଶ୍ଚଳ ହୋଇଯାଇଛି।
ଶୁକୁଟାର ଲଙ୍ଗଳ କୁରାଳ ଗାଁ ରେ ଶ୍ରେଷ୍ଠ ଲଙ୍ଗଳ ଥିଲା।ଲୋକ ପରସ୍ପର କୁହା କୁହି ହୁଅନ୍ତି ଆମେ ଶୁକୁଟାର ଲଙ୍ଗଳ ଭଳି ଲଙ୍ଗଳ କରିବା । ତା’ ଲଙ୍ଗଳରେ ଲାଗିଥିବା ଇଶ ଭଳି ଇଶଟିଏ ବି ଲଗେଇବା। ଶୁକୁଟାର ଲଙ୍ଗଳ କଣ୍ଟି ସହ ଅନ୍ୟର ଲଙ୍ଗଳ କଣ୍ଟିକୁ ତୁଳନା ହୁଏ। ଶୁକୁଟାର ଶ୍ରେଷ୍ଠ ଲଙ୍ଗଳ ଆଜି ନିରବି ଯାଇଛି।ଶୁକୁଟା ଆସେ। ଲଙ୍ଗଳ ପାଖରେ ବସେ। ନିର୍ମିମେଶ ନୟନରେ ଲଙ୍ଗଳ ଆଡକୁ ଦୀର୍ଘ ସମୟ ଧରି ଚାହେଁ।କଣ ଚିନ୍ତାକରେ କେଜାଣି, ତା ଆଖିରୁ ଶ୍ରାବଣର ବରଷା ଧାରା ଭଳି ଅଶ୍ରୁ ବୁନ୍ଦା ଗୁଡିକ ବହିଆସେ।
ଯଦିଓ ଶୁକୁଟାକୁ କୋଉ ରାଜା ମହାରାଜା ସହିତ ତୁଳନା କରାଯାଇ ନପାରେ, ଶୁକୁଟାର ଭଲପାଇବା ପୁରାଣର, ଇତିହାସର କୋଉ ପ୍ରେମୀଯୁଗଳ ଠାରୁ କମ୍ ନୁହେଁ। କିମ୍ବଦନ୍ତୀ ସାଜିଥିବା ନାୟକ ମାନେ ତାଙ୍କ ପ୍ରେମିକା ପାଇଁ ପାଗଳ ଥିଲେ। ଶୁକୁଟା ପାଗଳ ଭଳି ଭଲ ପାଉଥିଲା ତା’ ବଳଦ ହଳକୁ।ସେ ପଛେ ଦିନେ ଓଳିଏ ନଖାଇ ରହିଯିବ, ତା’ ଚାନ୍ଦ ଆଉ ଟୀକା ହଳକୁ କୁଣ୍ଡା ତୋରାଣି, ଘାସ ପାଳ ନଦେଲେ ଅଧର୍ଯ୍ୟ ହୋଇ ପଡିବ। ସେମାନେ କଥା କହିପାରନ୍ତି ନାହିଁ ବୋଲି ତାଙ୍କୁ କଣ ଭୋକ ହୁଏନି? ସକାଳୁ ଉଠି ଆଗେ ଗୁହାଳ ଗୋବର କଥା ଦେଖି କୁଣ୍ଡା ତୋରାଣି ପିଆଇବ।ତେଣିକି ଯାହାକିଛି। ଶଯ୍ୟାଶାୟୀ ହେବା ପୂର୍ବରୁ ଯୋଗିଆ ମାଆ ହାତରେ ଚାନ୍ଦ ଆଉ ଟୀକାର ଭାର ସଂଅପି ଦେଇଥିଲା ଶୁକୁଟା।
କଣ ଖାଇବାକୁ ଦିଏ ନ’ଦିଏ ସେଇ ଯୋଗିଆ ମାଆ ହିଁ ଜାଣିଥିବ ।
ଶଯ୍ୟାରେ ପଡି ଚାନ୍ଦ ଆଉ ଟୀକା ହଳକୁ ଅନେଇ ଅନେଇ ଅତୀତକୁ ମାନସପଟ୍ଟରେ ରୋମନ୍ଥନ କରେ ଶୁକୁଟା।କେଡେ ବିଶ୍ୱସ୍ତ ସତେ ଏଇ ଚାନ୍ଦ ଆଉ ଟୀକା।ଉପକାର ପାଇଥିବା, ଅନ୍ତରଙ୍ଗ ବୋଲାଉଥିବା ସମସ୍ତ ପାଖ ଲୋକ ଆଜି ଛାଡି ଚାଲିଯାଇଛନ୍ତି।କିନ୍ତୁ ନିରବ ନିଶ୍ଚଳ ଭାବରେ ଠିଆ ହୋଇଛନ୍ତି ଚାନ୍ଦ ଆଉ ଟୀକା।ଜୀବନର ଅନ୍ତିମ ସମୟରେ ଦୁଆର ଆଗରେ ଠିଆ ହୋଇ ବଳଦ ହଳକ ମୁଣ୍ଡ ହଲେଇ ଶୁକୁଟାକୁ ସତେ ଯେମିତି କହୁଛନ୍ତି, ଏଇ ମଣିଷମାନେ ସ୍ୱାର୍ଥପର।ସମସ୍ତେ ପଳେଇ ଗଲେଣି, ଯାଆନ୍ତୁ।ଆମେ କାଲି ତୁମ ସାଥିରେ ଥିଲୁ ଆଜିବି ଅଛୁ। ଜାଣିଛୁ ତମର ଅସମୟ।ସେଥିପାଇଁ କୁଣ୍ଡା, ପାଳ ଘାସ କିଛି ମାଗୁନୁ।ବଳଦ ହଳକ ବିଷୟରେ ଚିନ୍ତା କରୁକରୁ ଧାର ଧାର ଅଶ୍ରୁ ବହିଆସିଲା ଶୁକୁଟାର ଦୁଇ ନୟନ କୋଣରୁ.. । ଚାନ୍ଦ ଆଉ ଟୀକା ଆଡକୁ ଚାହିଁ ଚାହିଁ ନିସ୍ତେଜ ହୋଇଗଲା ଶୁକୁଟାର ପ୍ରୌଢ ଶରୀରଟା….
ସକାଳ ସାତ ଟା ସମୟରେ ଯୋଗିଆ ମାଆ ଆସି ଦେଖେତ ଶୁକୁଟା ଆଉ ଏଇ ମରସଂସାରରେ ନାହିଁ। କଥାଟା ଚାରିଆଡେ ରାଷ୍ଟ୍ର ହୋଇଗଲା।
ଗାଁ ର ବେକାରିଆ ଟୋକାଙ୍କଠାରୁ ଆରମ୍ଭ କରି ଗାଁ ମାଇପେ ପର୍ଯ୍ୟନ୍ତ,ପୋଖରୀ ତୁଠ ଠୁଁ ଆରମ୍ଭ କରି ଚା’ ଖଟି ପର୍ଯ୍ୟନ୍ତ, ପେଣ୍ଠସ୍ଥଳଠାରୁ ଆରମ୍ଭ କରି ତାସ ପାଲି ପର୍ଯ୍ୟନ୍ତ ସବୁଠି ଗୋଟିଏ କଥା ଚର୍ଚ୍ଚା ହେଲା “ଆହା, ବିଚରା ଶୁକୁଟା ମରିଗଲା।”
ଗାଳ୍ପିକ: ଶାନ୍ତନୁ ବିଶୋଇ
ଦଣ୍ଡୋର, ନୟାଗଡ଼