ଆଜି ମହାପ୍ରଭୁଙ୍କ ଚିତାଲାଗି।

ଶ୍ରୀମନ୍ଦିର ରେ ପାଳିତ ଅନେକ ଯାତ୍ରା , ଉପଯାତ୍ରା ତଥା ଉତ୍ସବାଦି ଓ ତ୍ରୟୋଦଶ ଯାତ୍ରା ବ୍ୟତୀତ ୫୦ରୁ ଉର୍ଦ୍ଧ ଉପଯାତ୍ରା , ଉତ୍ସବାଦି ମଧ୍ୟରେ ଚିତାଲାଗି ଅମାବାସ୍ୟା ଅନ୍ୟତମ ଅଟେ ।

“ଶ୍ରାବଣସ୍ୟ ଚ ଦର୍ଶେ ଅପିହ୍ୟରୁଣୋଦୟକାଳକେ।
ନୈବେଦ୍ୟାମଧିକଂ ଦଦ୍ୟାତ୍ ପ୍ରାତଃ ପୂଜନକାଳକେ।।
ସୁବର୍ଣ୍ଣରଚିତଂ ଦିବ୍ୟଂ ନାନାରତ୍ନସମୁଜ୍ଜ୍ଵଳମ୍।
ତିଳକଂ ତୁ କପାଳେଷୁ ଦେବାନାଂ ଭିଲ୍ଲଜାତୟଃ।।”

ଶ୍ରାବଣ ଅମାବାସ୍ୟା ଦିନ ଶ୍ରୀମନ୍ଦିର ରେ ଚିତା ଲାଗି ଅମାବାସ୍ୟା ନୀତି ପାଳିତ ହୋଇଥାଏ। ଏହି ଦିନ ମହାପ୍ରଭୁଙ୍କ ସ୍ଵର୍ଣଚିତା ଲାଗି ହୋଇଥାଏ।

ଏହି ଦିନ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ରତ୍ନସିଂହାସନ ରୁ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରକୁ ବିଜେ କରିଥାନ୍ତି। ଏହାପରେ ଶ୍ରୀଜୀଉମାନଙ୍କ ଝୋବା ମଇଲମ ହୋଇ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥାଏ। ଏହି ଦିନ ସାଗର ବିଜେ କରିଥିବା ଅମାବାସ୍ୟା ଠାକୁର ଶ୍ରୀମନ୍ଦିର କୁ ବାହୁଡା ବିଜେ କରିବା ପରେ ପତି ମହାପାତ୍ର , ବାଡ଼ଗ୍ରାହୀ ଦଇତା ମାନେ ରତ୍ନସିଂହାସନାଧିଷ୍ଠିତ ଶ୍ରୀଜୀଉ ଙ୍କର ଚିତାଲାଗି କାର୍ଯ୍ୟ କରିଥାନ୍ତି । ତିନୋଟି ସ୍ବର୍ଣ୍ଣ ଚିତା ଶ୍ରୀଜୀଉମାନଙ୍କ କପାଳର ଶୀର୍ଷ ଭାଗରେ ଓଷୁଅ ରେ ପାଟ ଡୋର ସାହାଯ୍ୟରେ ଏହାକୁ ଦୃଢ଼ ଭାବରେ ବନ୍ଧା ଯାଇଥାଏ।

ସୂଚନାଯୋଗ୍ୟ ଯେ ଏହି ରତ୍ନଖଚିତ ସ୍ବର୍ଣ୍ଣ ଚିତା କୁ ପୂର୍ବରୁ ଅର୍ଥାତ ସ୍ନାନପୂର୍ଣ୍ଣିମା ଦିନ ରାତ୍ରି ରେ ଶ୍ରୀଜୀଉମାନଙ୍କ ଶ୍ରୀକପାଳ ଦେଶରୁ ଓଲାଗି କରାଯାଇଥାଏ। ଏହି ଚିତାକୁ ଭଣ୍ଡାରରୁ ଅଣାଯାଇ ଶ୍ରୀମନ୍ଦିର ପରିସର ରେ ଦେଉଳକରଣ , ତଢ଼ାଉ କରଣ , ଶ୍ରୀମନ୍ଦିର ପ୍ରଶାସନ ର ପଦାଧିକାରୀ ଉପସ୍ଥିତି ରେ ବଣିଆ ସେବକ ଦ୍ୱାରା ସଫା କରାଯାଇଥାଏ ଓ ପୁନଃ ସଂସ୍ଥାପିତ ହୋଇଥାଏ। ଚିତାଲାଗି ନୀତି ଗୋପନୀୟ ହୋଇଥିବାରୁ ଏହି ସମୟରେ ଭକ୍ତ ଙ୍କୁ ଭିତରକାଠ ମଧ୍ୟକୁ ପ୍ରବେଶ କରିବାକୁ ବାରଣ କରାଯାଇଥାଏ।

ବଡ଼ ଠାକୁର ଶ୍ରୀ ବଳଭଦ୍ର ଙ୍କ ସ୍ୱର୍ଣ୍ଣ ଚିତା ମଝିରେ ଏକ ବଡ଼ ମର୍କତ ପଥର ରହିଛି । ଏହାର ଚାରି ପାର୍ଶ୍ୱରେ ପାଞ୍ଚୋଟି ବେଢ଼ରେ ଛୋଟ ଛୋଟ ମାଣିକ୍ୟ , ହୀରା , ମର୍କତ / ପାନ୍ନା ଏବଂ ନୀଳ ପଥର ଖଚିତ ହୋଇଛି।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସ୍ଵର୍ଣ୍ଣଚିତା ମଝିରେ ହୀରା ରହିଛି । ଚିତାର ସାତୋଟି ବେଢ଼ ରେ ମାଣିକ୍ୟ , ହୀରା , ପାନ୍ନା ଏବଂ ଓପଲ ଖଞ୍ଜା ଯାଇଛି। ଶେଷ ଅର୍ଥାତ ସପ୍ତମ ବେଢ଼ରେ ଶୀର୍ଷରେ ବା ଚିତାର ଶୀର୍ଷରେ ପାନପତ୍ର ଅକୃତିର ଏକ ହୀରା ପଥର ରହିଛି । ଏହାକୁ ବ୍ରହ୍ମଜ୍ୟୋତି ହୀରା କୁହାଯାଏ।

ଦେବୀ ସୁଭଦ୍ରା ଙ୍କ ଚିତା ମଝିରେ ଏକ ବଡ଼ ମାଣିକ୍ୟ ପଥର ରହିଛି । ଚିତାର ତିନୋଟି ବେଢ଼ରେ ପାନ୍ନା , ମର୍କତ , ହୀରା ଓ ମାଣିକ୍ୟ ରହିଛି।

ଏହି ତିନୋଟି ରତ୍ନଖଚିତ ସୁବର୍ଣ୍ଣ ଚିତାଗୁଡିକୁ ମର୍କତ ଚିତା , ହୀରଚିତା ଏବଂ ପାନ୍ନା ଚିତା କୁହାଯାଇଥାଏ। ଚିତା ଲାଗି ନୀତି ସମ୍ପର୍ଣ୍ଣ ହେଲା ପରେ ମହାସ୍ନାନ ବଢ଼ି ଅନ୍ୟାନ୍ୟ ନୀତି ହୋଇଥାଏ। ଏହି ତୀଥିରେ କେତେକ ନିଯୋଗ ମାନଙ୍କ ପକ୍ଷରୁ ଆଳତି ଭୋଗ ମଧ୍ୟ ହୋଇଥାଏ। ଏଥିରେ ଛେନା ତାଡ଼ିଆ , ଫାଳ ସୋଲା ପ୍ରଭୃତି ଭୋଗ ହୋଇଥାଏ।

ଇତିହାସ ପୃଷ୍ଠା ରୁ ଜଣାଯାଏ କି ରକ୍ତବାହୁ ଆକ୍ରମଣ ସମୟରେ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ସୁବର୍ଣ୍ଣପୁର ରେ ପାତଳୀ କରି ରଖା ଯାଇଥିଲା । ଆଦି ଶଙ୍କରାଚାର୍ଯ୍ୟ ଙ୍କ ତତ୍ୱାବଧାନରେ ଯଯାତି କେଶରୀ ଶ୍ରୀଜୀଉମାନଙ୍କୁ ସେଠାରୁ ଆଣି ଶ୍ରୀମନ୍ଦିର ରେ ରତ୍ନବେଦୀରେ ପଟାଅଭିଷେକ କରାଇଥିଲେ ଏବଂ ଏହି ରତ୍ନଖଚିତ ସୁବର୍ଣ୍ଣ ଚିତା ଲାଗି କରାଇଥିଲେ । ସେହିଦିନ ଠାରୁ ଓଡ଼ିଶାର ପୁରପଲ୍ଲୀ ଶ୍ରାବଣ ମାସ ଅମାବାସ୍ୟା ଚିତା ଲାଗି ଅମାବାସ୍ୟା ନାମରେ ପରିଚିତ ହୋଇଛି।
ଏହି ଦିନ ପ୍ରତିହାରୀ ନିଯୋଗମାନଙ୍କ ପକ୍ଷରୁ ଆଳତି ଭୋଗ ହୋଇଥାଏ।

ଉପସ୍ଥାପନା: ଆମେ ଓଡ଼ିଆ,ଆମ ଜଗନ୍ନାଥ।

ବାଇଶି ପାହାଚକୁ ନେଇ ଜଣା ଅଜଣା କଥା।

ସିଂହଦ୍ୱାର ଗୁମୁଟରୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅର୍ଥାତ କୁର୍ମବେଢ଼ା, ରୋଷଶାଳ, ଆନନ୍ଦ ବଜାର ଯିବା ପାଇଁ ଥିବା ବାଇଶି ଗୋଟି ପାହାଚ ବାଇଶି ପାହାଚ ନାମରେ ଜଣା । ବାଇଶି ପାହାଚ ବଉଳମାଳା ମାଙ୍କଡ଼ା ପଥରରେ ତିଆରି ହୋଇଛି ।

ପାହାଚଗୁଡ଼ିକର ଓସାର ୬ଫୁଟ, ଲମ୍ବ ୭୦ଫୁଟ ଓ ଉଚ୍ଚତା ୬ଇଞ୍ଚରୁ ୭ଇଞ୍ଚ ମଧ୍ୟରେ ହେବ । ବାଇଶି ପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ । ଭକ୍ତମାନେ ବର୍ଷସାରା ବାଇଶି ପାହାଚ ବାଟଦେଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ଶ୍ରୀଜୀଉମାନେ ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ି ବାଇଶି ପାହାଚ ବାଟ ଦେଇ ବଡ଼ଦାଣ୍ଡରେ ଥିବା ରଥକୁ ଆସିଥାନ୍ତି ।

ବାଇଶି ପାହାଚର ଅଧିଷ୍ଠାତ୍ରୀ ଦେବୀଗଣ ହେଲେ ମାୟା, ଚେତନା, ବୁଦ୍ଧି, ନିଦ୍ରା, କ୍ଷୁଧା, ଛାୟା, ତୃଷ୍ଣା, କ୍ଷାନ୍ତି, ଜାତି, ଲଜ୍ଜା, ଶାନ୍ତି, କାନ୍ତି, ବୃତ୍ତି, ସ୍ମୃତି, ଦୟା, ତୁଷ୍ଟି, ବିକ୍ରୀ, ମାତୃ, ଭ୍ରାନ୍ତି ଓ ପ୍ରଜ୍ଞା । ବିଶ୍ୱାସ ଅଛି ଯେ, ପ୍ରତ୍ୟେକ ମଣିଷ ୨୨ ପ୍ରକାର ପାପରୁ ମୋକ୍ଷ ନିମନ୍ତେ ୨୨ ପାହାଚ ଅତିକ୍ରମ କରିବା ଆବଶ୍ୟକ । ୨୨ ପାହାଚ ଯୋଗ ବିଦ୍ୟା ବର୍ଣ୍ଣିତ ୨୨ଟି ସ୍ତରର ପ୍ରତୀକ । ବାଇଶି ପାହାଚରେ ୩ୟ ସୋପାନରେ ରହିଛି ଜମଶିଳା । ଶ୍ରଦ୍ଧାଳୁମାନେ ଏହି ଶିଳାକୁ ସ୍ପର୍ଶ କରି ଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ ଓ ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ଲୋକ ବିଶ୍ୱାସ ରହିଛି ।

ଉପସ୍ଥାପନା- ମାନସ ରଞ୍ଜନ ସାହୁ