ପର୍ଯ୍ୟଟନ ମାନଚିତ୍ରର ଶ୍ରେଷ୍ଠ ଶୈବକ୍ଷେତ୍ର ବାବା ଦୁତିକେଶ୍ବର ମନ୍ଦିର ।

ସଂସ୍କୃତ ସାହତ୍ୟ, ଗଣିତ, ଓଡ଼ିଆ କାବ୍ୟ, କବିତା, ପ୍ରବନ୍ଧ, ଗଳ୍ପ, ବ୍ୟଙ୍ଗ, କଳା, ସ୍ଥାପତ୍ୟ ଏବଂ ଭାସ୍କର୍ଯ୍ୟ ପାଇଁ ନୟାଗଡ଼ ଜିଲ୍ଲା ଖ୍ୟାତି ଅର୍ଜନ କରିଥିଲେ ହେଁ ବଣ ଜଙ୍ଗଲ ପରିବେଷ୍ଟିତ ନୟାଗଡ଼ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଏହାର ଶ୍ରୀ ବୃଦ୍ଧି କରୁଅଛି। ସୌନ୍ଦର୍ଯ୍ୟ ଓ ପର୍ଯ୍ୟଟନ ସତେ ଯେମିତି ନୟାଗଡ଼ ଜିଲ୍ଲାର ପ୍ରଧାନ ଆଭୂଷଣ। ପ୍ରତି ପନ୍ଦର କିଲୋମିଟର ବ୍ୟବଧାନରେ ଆପଣଙ୍କୁ ନିଶ୍ଚୟ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ଦୃଶ୍ୟମାନ ହେବ।

ଶୈବ,ଶାକ୍ତ, ଗାଣପତ୍ୟ, ବୈଷ୍ଣବ ଏବଂ ବୌଦ୍ଧ ଧର୍ମର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡିକ ନୟାଗଡ଼ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପକୁ ସମୃଦ୍ଧ କରିବା ସଙ୍ଗେ ସଙ୍ଗେ ସମଗ୍ର ଓଡ଼ିଶାରେ ନୟାଗଡ଼ ଜିଲ୍ଲାକୁ ଦେଇଛି ସ୍ୱତନ୍ତ୍ର ପରିଚୟ।

ସମଗ୍ର ପର୍ଯ୍ୟଟନ କ୍ଷେତ୍ର ସହିତ କିମ୍ବଦନ୍ତୀ, ଇତିହାସ ଏବଂ ପୌରାଣିକ ଉପାଖ୍ୟାନମାନ ଯୋଡିହୋଇ ତଥ୍ୟାବଳୀ ଗୁଡିକୁ କରିଛି ରୁଚିବନ୍ତ ଓ ପର୍ଯ୍ୟଟନସ୍ଥଳୀ ଗୁଡିକୁ କରିଛି ରୁଦ୍ଧିମନ୍ତ।

ନୟାଗଡ଼ ଜିଲ୍ଲାର ବିଭିନ୍ନ ଶୈବପୀଠ ଗୁଡିକ ମଧ୍ୟରୁ ଶୁଳିଆ ପାହାଡ଼ର ଦକ୍ଷିଣ ଶେଷ ସୀମାନ୍ତରେ ଅବସ୍ଥିତ ବାବା ଦୁତିକେଶ୍ଵର ପୀଠ ହେଉଛି ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ।

ଶୁଳିଆ ପାହାଡ଼ ନୟାଗଡ଼ ରାଜ୍ୟ ପ୍ରତିଷ୍ଠା ହେବା ଦିନଠାରୁ ନୟାଗଡ଼ର ଐତିହ୍ୟ ବହନ କରି ଆସୁଛି।ଏହି ଐତିହ୍ୟପୂର୍ଣ୍ଣ କିମ୍ବଦନ୍ତୀ ପାହାଡ଼କୁ ଛାଡି ନୟାଗଡ଼ ଇତିହାସ ରଚନା କରିବା ବାହୁଲ୍ୟ ମାତ୍ର। ଜାମୁପାଟଣା ଅର୍ଥାତ୍ ଦୁତିକେଶ୍ୱର ମନ୍ଦିର ଠାରୁ ଉତ୍ତର ଦିଗକୁ ଷୋହଳ ମାଇଲ ପରିବ୍ୟାପ୍ତ ଏହି ପାହାଡ଼ ନୟାଗଡ଼ ଜିଲ୍ଲା ସଦରମହୁକୁମାକୁ ସ୍ପର୍ଶ କରିଛି। ପାହାଡର ମଝାମଝି ରହିଛି କିମ୍ବଦନ୍ତୀ ତଥା ଇତିହାସକୁ ପୁଷ୍ଟ କରୁଥିବା ମହାନ ଶକ୍ତିପୀଠ ବାଉରାଣୀ ଠାକୁରାଣୀ, ନୟାଗଡ଼ରାଜ୍ୟକୁ ଅଙ୍କୁରୋଦ୍ଗମ କରାଇଥିବା “ରଳବ ଗଡ଼”।

ଶୁଳିଆ ପାହାଡର ପ୍ରାକୃତିକ ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ।ସୁନ୍ଦର ସବୁଜିମା ବୃକ୍ଷରାଜି।ଆମ୍ରକୁଞ୍ଜ।ସୁଗଠିତ ଚଟାଣ ସଦୃଶ ବିରାଟ ବିରାଟ କଳାମୁଗୁନି ପ୍ରସ୍ତର ଖଣ୍ଡ।ଝରଣାର କୁଳୁକୁଳୁ ନିନାଦ। ବିଭିନ୍ନ ପଶୁପକ୍ଷୀ ମାନଙ୍କର ବିଚରଣ ସାଙ୍ଗକୁ ସେମାନଙ୍କ କଳରବ ପର୍ଯ୍ୟଟକଙ୍କୁ ମନ୍ତ୍ରମୁଗ୍ଧ କରେ।

ପୁରାଣ ବା କିମ୍ବଦନ୍ତୀ ଆଧାରରେ ବାବା ଦୁତିକେଶ୍ୱର ମନ୍ଦିର।
କବି ସୁଧାକର ଜେନାଙ୍କ ପୁରାଣ/କିମ୍ବଦନ୍ତୀ ସମ୍ବଳିତ ବାବା “ଦୁତିକେଶ୍ୱର ପୁରାଣ”ରୁ ଜଣାପଡେ ଯେ, ତ୍ରେତୟା ଯୁଗରେ ଶ୍ରୀରଘୁନାଥ ବନବାସ ସମୟରେ ଢେଙ୍କେଣା ମଠ ଆଶ୍ରମ ଦେଇ ଏହି ରାସ୍ତାରେ ଯାଇଥିଲେ।ଯେଉଁ ଶବରୁଣୀ ତାଙ୍କୁ ଅଇଁଠା ଫଳ ଦେଇ ତୋଷ କରିଥିଲା ତାକୁ କଳିଯୁଗରେ “ଦୁତି” କନ୍ଧୁଣି ହୋଇ ଜନ୍ମ ଗ୍ରହଣ କରିବା ପାଇଁ ଆଶୀର୍ବାଦ ଦେଇ ଶୁଳିଆ ପାହାଡରେ ପ୍ରଭୁ ଶୂଳୀଙ୍କୁ ପୂଜା କରିବାକୁ ବର ପ୍ରଦାନ କରିଥିଲେ,ଏବଂ ଦୁତି କନ୍ଧୁଣି ପୂଜାର୍ଚ୍ଚନା କରିବାରୁ ଶୂଳୀ ପଶୁପତିନାଥ “ଦୁତିକେଶ୍ୱର” ନାମରେ ଖ୍ୟାତ ହେବ ବୋଲି କହିଥିଲେ।

ଇତିହାସ ଆଧାରରେ ବାବା ଦୁତିକେଶ୍ୱର।
ଇତିହାସ ସହିତ ଯୋଡିବାକୁ ଯାଇ କବି ସୁଧାକର ଜେନା ଲେଖିଛନ୍ତି ଯେ, ଦୁତି କନ୍ଧୁଣି ଆହାର ସଂଗ୍ରହ କରିବାକୁ ଯାଇ କନ୍ଦମୂଳ, ପିଠଳ ଭଳି ବିଭିନ୍ନ ମୂଳ ଖୋଳି ଥିଲା।ତା ଦ୍ୱାରା ବ୍ୟବହୃତ ଖଣତି ଶିବ ଲିଙ୍ଗର ଉପରି ଭାଗରେ ବାଜି ଖୋଦିତ ହୋଇଯାଇଥିଲା।ଖୋଦିତ ଜାଗାରୁ ରକ୍ତ ସ୍ରବିତ ହେବାକୁ ଲାଗିଲା।ପାଖରେ ଥିବା ବିଲ୍ଵ ବୃକ୍ଷରୁ ପତ୍ର ଛିଣ୍ଡାଇ ସେ ଉକ୍ତ ଲିଙ୍ଗ ଉପରେ ଘୋଡେଇ ଦେଇ ବା ଚିହ୍ନ ରଖି ରାଜା ସୂର୍ଯ୍ୟମଣି ଓ ଚନ୍ଦ୍ରମଣିଙ୍କ ପାଖକୁ ଯାଇ ଆଶ୍ଚର୍ଯ୍ୟ ଚକିତ ଭାବରେ ପଥରରୁ ରକ୍ତ ବାହାରିବା ତଥା “ପ୍ରଭୁ ଶୂଳୀ” ପ୍ରକଟ ହେବା ଘଟଣା ବର୍ଣ୍ଣନା କରିଥିଲା। ବେନି ଭାଇ ଉକ୍ତ ସ୍ଥାନକୁ ଆସି ଘଟଣାର ସତ୍ୟତା ପରୀକ୍ଷା କରିଥିଲେ।ପରିଶେଷରେ ଦୁତି ନାମରେ ମହାଦେବଙ୍କ ନାମ “ଦୁତିକେଶ୍ୱର” ରଖିଥିଲେ। ଯଦି ଏହା ସତ୍ୟ ହୋଇଥାଏ, ତେବେ ନୟାଗଡ଼ ରାଜ୍ୟ ଗଠନ ହେବା ଦିନଠାରୁ ଦୁତିକେଶ୍ୱର ପୀଠର ଅୟମାରମ୍ଭ ବୋଲି ଧରିନେବାକୁ ପଡିବ,କିନ୍ତୁ ଏହି “ଦୁତିକେଶ୍ବର ପୁରାଣ”ରେ ଦୁତିକେଶ୍ୱର ପ୍ରକଟ ହେବାର କୌଣସି ସମୟ ଅବଧି ବିଷୟରେ ଉଲ୍ଲେଖ ନାହିଁ।

ସାମାଜିକ,ଭୌଗଳିକ ବା ଦାର୍ଶନିକ ଦୃଷ୍ଟିକୋଣରୁ ବାବା ଦୁତିକେଶ୍ୱର।
ଏହା ଧ୍ରୁବସତ୍ୟ ଯେ, ଦୁତି ନାମକ କନ୍ଧୁଣିର ନାମାନୁସାରେ ବାବା “ଦୁତିକେଶ୍ୱର” ନାମିତ ହୋଇଛନ୍ତି। ଶିବ ଲିଙ୍ଗ ଉପରେ ଚିହ୍ନିତ ଖଣତି ଦାଗ ମଧ୍ୟ ପ୍ରମାଣିତ କରୁଛି ଯେ, କେହି ଜଙ୍ଗଲି ଆଦିବାସୀ କନ୍ଦ,ପିଠଳଖୋଳିବା ପାଇଁ ଆସିଥିବା ବେଳେ ଖନନ ଯନ୍ତ୍ର ଆଘାତରେ ଉକ୍ତ ଲିଙ୍ଗରେ ଏଭଳି କ୍ଷତ ସୃଷ୍ଟି ହୋଇଛି। ବାବା ଦୁତିକେଶ୍ୱର ବିଜେ ଜାମୁପାଟଣା ଗାଁ ରେ କୌଣସି ଆଦିବାସୀ ବା କନ୍ଧ ସମ୍ପ୍ରଦାୟର ଲୋକ ନାହାନ୍ତି। ଦୁତି କନ୍ଧୁଣି ନିକଟସ୍ଥ ଢୋଲମସ୍କା ଗାଁ ର ବୋଲି ବିଶ୍ଵାସ କରାଯାଏ। ଓଡ଼ଗାଁ ଅଞ୍ଚଳରେ ବିଭିନ୍ନ ଜନଜାତି ମଧ୍ୟରେ ପାଲାମାଲିଆ,ଢ଼ିଙ୍କିଶାଳିଆ କନ୍ଧ ଜନଜାତି ବସବାସ କରନ୍ତି।ଯାହାକୁ ଓଡ଼ିଆ କନ୍ଧ ଭାବରେ ଅଭିହିତ କରାଯାଏ। ମାଙ୍କଡଖିଆ ବା ମାଳୁଆ କନ୍ଧ ଅନ୍ୟ ଏକ ଜନଜାତି ଅଟନ୍ତି।ଓଡ଼ିଆ କନ୍ଧ ମାନଙ୍କର ଚଳଣି ସାଧାରଣ ଲୋକଙ୍କ ଜୀବନୀ ଆଧାରରେ ହୋଇଥିବା ବେଳେ ମାଳୁଆ କନ୍ଧଙ୍କର କଥିତଭାଷା,ଚାଲିଚଳନ, ପର୍ବପର୍ବାଣି ସମ୍ପୂର୍ଣ୍ଣ ଅଲଗା। ଓଡ଼ଗାଁ ଅଞ୍ଚଳରେ ରହୁଥିବା ମାଳୁଆ କନ୍ଧଙ୍କର କଥିତ ଭାଷାର ଲିପି ଆଜିପର୍ଯ୍ୟନ୍ତ ସେମାନେ ଜାଣିନାହାନ୍ତି। କାଠ(Wood)କୁ ବେସ୍କା, ଲୁଣ(Salt)କୁ ସାଆରୁ, ତରକାରି(Curry)କୁ ଜକେଡିଙ୍ଗ୍ ବାପା(Father)କୁ ବୁଆ, ପୁଅ(Son)କୁ ଆବୁ, ଝିଅ(Daughter)କୁ ଆପି, ମେଘ(Cloud)କୁ ପିଜୁ, ଭାତ(Rice)କୁ ଏଜୁ, ପାଣି(Water)କୁ କାକୁରି, ଦିଅ(give)କୁ ସ୍ୟାଁଉ, କୁକୁର(Dog)କୁ ନାଉଣି, ବଳଦ(ox)କୁ କଡ୍ଡି, ପୁରୁଷର ଯୌନାଙ୍ଗକୁ ପିଡୁ, ଯୌନକ୍ରିୟାକୁ କାଁଜେଇ, ଏବେ ବା ସାଙ୍ଗେ ସାଙ୍ଗେକୁ ଉନ ଏବଂ ଉପରେ(Up)କୁ ସାଣ୍ଡେତେ ବୋଲି କୁହନ୍ତି। କହିବାର ତାତ୍ପର୍ଯ୍ୟ, ଢୋଲମସ୍କା ଗାଁ ରେ ଅଦ୍ୟାବଧି ମାଳୁଆ କନ୍ଧ ସମ୍ପ୍ରଦାୟର ଲୋକମାନେ ବସବାସ କରୁଛନ୍ତି।ଏଣୁ ନିର୍ବିଘ୍ନରେ କୁହାଯାଇପାରେ ଯେ, ଦୁତିକା କନ୍ଧୁଣି ଢୋଲମସ୍କା ଗାଁ ର ମାଳୁଆ କନ୍ଧ ପରିବାରର ମହିଳା ଥିଲା।ବିଶେଷତଃ ଏହି ମାଳୁଆ କନ୍ଧ ଆଦିବାସୀ ମାନେ ଜଙ୍ଗଲରୁ ଖାଦ୍ୟ ସଂଗ୍ରହ କରିଥାନ୍ତି।ଦୁତି କନ୍ଧୁଣି ଶୁଳିଆ ପାହାଡରୁ ପିଠଳ ଖୋଳୁ ଖୋଳୁ ଶୂଳୀ ଚନ୍ଦ୍ରଶେଖରଙ୍କ ଲିଙ୍ଗ ଆବିଷ୍କୃତ ହୋଇଥିଲା ଏବଂ ଦୁତିକାର ନାମାନୁସାରେ ଶୂଳୀଙ୍କ ନାମ “ଦୁତିକେଶ୍ୱର” ମହାଦେବ ରଖାଯାଇଛି।

ପ୍ରଥମେ ଦୁତିକେଶ୍ୱର ମହାଦେବ ମୁକ୍ତାକାଶ ତଳେ ରହୁଥିଲେ।ଦେଓଗାଁ ହଜାରି ଜେନା (ନାହାକ ଉପାଧି ଭୂଷିତ) ଜଙ୍ଗଲରୁ ଖସୁଥିବା ପାଣି ଦୁତିକେଶ୍ୱରଙ୍କ ପାଖରେ ନ ପଶିବା ପାଇଁ ନିଜସ୍ୱ ଖର୍ଚ୍ଚରେ ସୁରକ୍ଷା କାନ୍ଥ(Guard Wall) ନିର୍ମାଣ କରିଥିଲେ। ହଜାରି ଜେନା ଙ୍କ ଜେଜେ ବାପା ଗଙ୍ଗାଧର ପାଇକରାୟ ଠାକୁରଙ୍କୁ ଖରା, ବର୍ଷା ଓ ହିଂସ୍ର ଜନ୍ତୁଙ୍କ ଦାଉରୁ ରକ୍ଷା ପାଇଁ ପ୍ରଥମେ ଚାଳ ଘରଟିଏ ନିର୍ମାଣ କରିଥିଲେ।ତତ୍ ସଙ୍ଗେ ସଙ୍ଗେ ଗୋଟିଏ ମଣ୍ଡପ ଏବଂ କନକ ମଣ୍ଡଳୀ ନିର୍ମାଣ କରିଥିଲେ।

୧୯୪୩ମସିହାରେ ପ୍ରଧାନ ଉଦ୍ୟୋକ୍ତା ଶ୍ରୀ ଶ୍ରୀ ଦୁର୍ଗାମାଧବ ମର୍ଦ୍ଦରାଜ ଭ୍ରମରବର ଦେଓଙ୍କ ଉଦ୍ୟୋଗରେ ବିଶ୍ୱଶାନ୍ତି ଶୈବଯଜ୍ଞ ଆରମ୍ଭ କରାଯାଇଥିଲା। ବୋଧହୁଏ ଏହା ଏ ଅଞ୍ଚଳର ସର୍ବପ୍ରଥମ ଯଜ୍ଞ, ଯାହା ଆଗାମୀ ଦିନମାନଙ୍କରେ ସୁବର୍ଣ୍ଣ ଜୟନ୍ତୀ ବା ହୀରକ ଜୟନ୍ତୀ ପାଳନ କରିବା ପାଇଁ ଯୋଗ୍ୟ ହୋଇ ରହିବ।

୧୯୫୧ରେ ପ୍ରଥମ କରି ଦୁତିକେଶ୍ୱର ମନ୍ଦିରର ଟ୍ରଷ୍ଟ ବୋର୍ଡ ଗଠନ କରାଯାଇଥିଲା।ଏଥିରେ ଲୋକନାଥ ମିଶ୍ର, ଚିନ୍ତାମଣି ମିଶ୍ର ଏବଂ ଦାଶରଥି ଉପାଧ୍ୟାୟ ପ୍ରମୁଖ ମନ୍ଦିର କାର୍ଯ୍ୟଭାର ହାତକୁ ନେଇଥିଲେ। ଭାଗବତ ସିଂହ, ଭାଗବତ ମହାପାତ୍ର ଏବଂ ଲୋକନାଥ ମହାପାତ୍ରଙ୍କ ଠାରୁ ଆର୍ଥିକ ସହାୟତା ଗ୍ରହଣ କରି ପାର୍ବତୀ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପାଦନ କରିଥିଲେ।

ଠିକ୍ ବାରବର୍ଷ ପରେ ଅର୍ଥାତ୍ ୧୯୬୩ ମସିହାରେ ଏହି ଟ୍ରଷ୍ଟ ବୋର୍ଡର ପୁନର୍ଗଠନ ହେଲା।କୋରାପିଠାର ସାମନ୍ତ ରାଜା ଶ୍ରୀ ଶ୍ରୀ ଦୁର୍ଗାମାଧବ ମର୍ଦ୍ଦରାଜ ଭ୍ରମରବର ଦେଓ ଏହି ଟ୍ରଷ୍ଟ ବୋର୍ଡର ସଦସ୍ୟତା ଗ୍ରହଣ କରିଥିଲେ। ୧୯୬୪ମସିହାରେ ଶ୍ରୀ ଦୁ:ମ:ଭ୍ର ଦେଓ ବାବା ଦୁତିକେଶ୍ୱରଙ୍କ ମନ୍ଦିର ତୋଳା କାର୍ଯ୍ୟ ଆରମ୍ଭ କରିଥିଲେ। ପୁନରପି ୧୯୭୨ମସିହାରେ ଦୁତିକେଶ୍ୱର ଟ୍ରଷ୍ଟ ବୋର୍ଡର ପୁନର୍ଗଠନ କରାଯାଇଥିଲା।ଏଥିରେ କୋରାପିଠା (ସାମନ୍ତ ରାଜା)ଶ୍ରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଭ୍ରମରବର ଦେଓ ଏବଂ ହଜାରି ଜେନା(ନାହାକ ଉପାଧିରେ ଭୂଷିତ) ଦେଓଗାଁ, ସଭ୍ୟ ପଦ ଗ୍ରହଣ କରିଥିଲେ।
୧୯୯୦ମସିହାରେ (ସ୍ୱାଧୀନତା ପରଠାରୁ ଯଦିଓ ରାଜରାଜୁଡା ପ୍ରଥା ଉଠିଯାଇଛି ତଥାପି ସ୍ଥାନୀୟ ଲୋକେ ତାଙ୍କ ପରିବାରକୁ ଅଦ୍ୟାବଧି ସାଆନ୍ତେ ବା ସାମନ୍ତ ରାଜା ବୋଲି ମାନି ଆସୁଛନ୍ତି) ସାମନ୍ତ ରାଜା ଶ୍ରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଭ୍ରମରବର ଦେଓ ବାବା ଦୁତିକେଶ୍ୱର ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିଥିଲେ।ମନ୍ଦିରର ରତ୍ନମୁଦ ଓ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳନ କରିଥିଲେ।

୧୯୯୪ ମସିହାରେ ଅଞ୍ଚଳ ପ୍ରସିଦ୍ଧ ବିଶ୍ୱଶାନ୍ତି ଶୈବଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ପାଳନ ସଙ୍ଗେ ସଙ୍ଗେ ଚୈତ୍ର ପର୍ବରେ ଅନୁଷ୍ଠିତ ହେଉଥିବା ଦଣ୍ଡଯାତ୍ରାର ସପ୍ତଶମ୍ଭୁ ମିଳନ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଥିଲା।ତତ୍କାଳୀନ ଦଶପଲ୍ଲା ବିଧାୟକ ରୁଦ୍ରମାଧଵ ରାୟ ଏହାର ପୃଷ୍ଠପୋଷକ/ଉଦଘାଟକ ଥିଲେ।

୨୭ ଖଣ୍ଡ ମୌଜାକୁ ନେଇ ଟ୍ରଷ୍ଟ ବୋର୍ଡ ଗଠନ ହୋଇଥିବାରୁ ଚୁଲି ଚାନ୍ଦା ଆଦାୟ କରି ମନ୍ଦିରର ଉନ୍ନତି ଦିଗରେ ଧ୍ୟାନ ଦେବାକୁ ସମସ୍ତେ ସଦା ତତ୍ପର ଅଛନ୍ତି।ବାବା ଦୁତିକେଶ୍ୱରଙ୍କର ସର୍ବମୋଟ ୯୬ଏକର ଭୁ-ସମ୍ପତି ଖଞ୍ଜା ଅଛି।

ଜନଶ୍ରୁତି ଅନୁସାରେ ଦୁତିକେଶ୍ୱର ମହାଦେବ ପ୍ରତ୍ୟକ୍ଷ ଠାକୁର।ସମାଜ ତଳସ୍ତରର ଲୋକଙ୍କ ଠାରୁ ଆରମ୍ଭ କରି ଅମଲାତନ୍ତ୍ରୀ, ବିଧାୟକ ଏବଂ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଲୋକ ନିଜର ଅଭିଷ୍ଟ ପୂରଣ ହେଉଥିବାରୁ ମନ୍ଦିରର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମ୍ପାଦନ କରିଅଛନ୍ତି।ଧର୍ମ ବିଶ୍ଵାସ ହେଉ ବା ଅନ୍ଧ ବିଶ୍ୱାସ, ଅନେକ ଗୁହାରିଆ ନିଜ ନିଜର ଦୁରାରୋଗ୍ୟରୁ ମୁକ୍ତ ହେବାପାଇଁ ଜିହ୍ଵା ଛେଦନ କରି, ତଣ୍ଟି କାଟି, କୋଷ କାଟି ଏବଂ ସ୍ତ୍ରୀ ଲୋକମାନେ ନିଜସ୍ତନକୁ କାଟି ଗୁହାରିଆ ପଡି ଥାଆନ୍ତି। କୁହାଯାଏ, ରାତ୍ରିରେ ବ୍ୟାଘ୍ର, ସିଂହ ଭଳି ହିଂସ୍ର ଜନ୍ତୁଙ୍କର ବିକଟାଳ ରୂପ ଗୁହାରିଆ ମାନଙ୍କୁ ଦେଖାଦେଇଥାଏ।ଯିଏ ସେମାନଙ୍କୁ ଦେଖି ଡରିଯାଏ ସେ ମାନସିକ ଭାଙ୍ଗି ଚାଲିଯାଏ, ଯିଏ ନ ଡରି ଉପାସନା ରେ ବ୍ରତୀ ଥାଏ ସେ ଅଚିରେ ସିଦ୍ଧିଲାଭ କରେ ଏବଂ ନିଜର ମାନସିକ ପୂରଣ କରି ଘରକୁ ଫେରିଥାଏ।

ପ୍ରଭୁ ଦୁତିକେଶ୍ୱରଙ୍କ ପୀଠରେ ବିଭିନ୍ନ ପର୍ବ ପର୍ବାଣୀ ପାଳିତ ହୁଏ।ଏହି ଆଧ୍ୟାତ୍ମିକ ଶୈବ କ୍ଷେତ୍ରର ପ୍ରମୁଖ ପର୍ବ ମଧ୍ୟରୁ ବାରେଡି ଯାତ୍ରା, ଜାଗର ଯାତ୍ରା, ବିଶ୍ୱଶାନ୍ତି ଶୈବଯଜ୍ଞ ପ୍ରଧାନ ଅଟେ। କାର୍ତ୍ତିକ ମାସ ପ୍ରତ୍ୟେକ ସୋମବାର, ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ଭକ୍ତମାନଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ। ବିବାହ, ବ୍ରତ, ସ୍ଵନକ୍ଷେତ୍ର ବିଭିନ୍ନ ମାନସିକଧାରୀଙ୍କ ପୂଜାର୍ଚ୍ଚନା ଭିନ୍ନ ଭିନ୍ନ ସମୟରେ ମନ୍ଦିର ପରିସରକୁ ଜନାରଣ୍ୟ କରିଥାଏ।

ବାରେଡି ଯାତ୍ରା।
ବିଲୁପ୍ତ ବାରାଡ଼ିହି ମୌଜାର ନାମାନୁସାରେ ବାରେଡି ଯାତ୍ରା ହେଉଥିବାର ଅନୁମାନ କରାଯାଏ। ବାରେଡି, ବାରାଡ଼ିହି ଶବ୍ଦର ଅପଭ୍ରଂଶ ଶବ୍ଦ ମାତ୍ର।ମନ୍ଦିରର ପଶ୍ଚିମ ପଟର ପଡ଼ିଆ ଠାରେ ବାରାଡ଼ିହି ମୌଜା ଥିଲା।ଲୌହ୍ଵ, ପିତଳ, ରସ ସାମଗ୍ରୀ ଭଳି ଜିନିଷ ନିର୍ମାଣକାରୀ କୌଳିକ ବୃତିଧାରୀ ପରିବାରମାନ ଏଠାରେ ବସତି ସ୍ଥାପନ କରିଥିଲେ।ଯାହାକି ଏକ ପ୍ରାକୃତିକ ଆବଶ୍ୟକୀୟ ବଜାର ଥିଲା। ଏହି ବଜାରର ବିଲୟ ପରେ ବାରାଡ଼ିହି ଗ୍ରାମର ସ୍ମୃତି ବହନ କରୁଥିବା ଏହି ବାରେଡି ଯାତ୍ରା କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଦୁଇଦିନ ଧରି ଚାଲିଥାଏ।ବାବା ଦୁତିକେଶ୍ୱରଙ୍କର ଏହି ବାରେଡି ଯାତ୍ରାରେ ଶହ ଶହ ଲୋକଙ୍କ ଜନସମାଗମ ହୋଇଥାଏ।

ଜାଗର ଯାତ୍ରା।
ଫାଲଗୁନ ମାସର ଅମାବାସ୍ୟା ତିଥିକୁ ଜାଗର ଯାତ୍ରା ଭାବରେ ପାଳନ କରାଯାଏ।ପ୍ରଭୁ ଦୁତିକେଶ୍ୱରଙ୍କର ପ୍ରମୁଖ ଯାତ୍ରା ମଧ୍ୟରୁ ଏହି ଜାଗର ଯାତ୍ରା ପ୍ରଧାନ ଅଟେ।ମନ୍ଦିର ପରିବେଶକୁ ସୁରମ୍ୟ କରି ସାଜସଜ୍ଜା କରାଯାଇଥାଏ । ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଆଦି ଜିଲ୍ଲାର ବହୁ ଦୂରଦୂରାନ୍ତ ଭକ୍ତମାନେ ଆସି ଏଠାରେ ରାତ୍ରି ଉଜାଗର ରହି ଜାଗର ଯାତ୍ରା ପାଳିଥାଆନ୍ତି। ନାଟ, ସଂକୀର୍ତ୍ତନ, ଭଜନ ପରିବେଷଣ ମହା ଆଡମ୍ବରରେ ହୋଇଥାଏ। ମଧ୍ୟ ରାତ୍ରିରେ ମନୋଜ୍ଞ, ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଦୁତିକେଶ୍ୱରଙ୍କ ମହାଦୀପ ମନ୍ଦିର ଶିଖରକୁ ଉଠିଥାଏ।ଏହିଦିନ ଓଡ଼ଗାଁ, ବାହାଡ଼ାଝୋଲା ଅଞ୍ଚଳରୁ ଏତେ ପରିମାଣରେ ମୋଟର ଯାନ ଯିବା ଆସିବା କରେ ଯେ ଏଠାରେ ଟ୍ରାଫିକ ସମସ୍ୟା ଉପୁଜିଥାଏ।

ବିଶ୍ୱଶାନ୍ତି ଶୈବଯଜ୍ଞ।
ବୋଧହୁଏ ଏହା ଏହି ଅଞ୍ଚଳର ସର୍ବପ୍ରଥମ ଯଜ୍ଞ।୧୯୪୩ ମସିହା ମାଘମାସ ଶୁକ୍ଳ ଏକାଦଶୀ ତିଥିରୁ ମାଘମାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ବିଶ୍ୱଶାନ୍ତି ଶୈବଯଜ୍ଞ ଅନୁଷ୍ଠିତ ହୋଇଥାଏ।ଇତିହାସକୁ ଅବଲୋକନ କଲେ ଜଣାଯାଏ ଠିକ୍ ଦଶବର୍ଷ ପରେ କେବଳ ୧୯୫୩ ମସିହା ଜ୍ୟେଷ୍ଠ ମାସସ୍ନାନ ପୂର୍ଣ୍ଣିମାରେ ଦଣ୍ଡୋର ମାଆ ପାଣିଷଣ୍ଢ ମନ୍ଦିର ଠାରେ ପ୍ରଥମ ଶକ୍ତିଯଜ୍ଞ ଅନୁଷ୍ଠିତ ହୋଇଥିଲା।
କ୍ରମେ ବାବା ଦୁତିକେଶ୍ୱରଙ୍କ ଶୈବଯଜ୍ଞ ସହିତ ସପ୍ତଶମ୍ଭୁ ମିଳନ ଉତ୍ସବ ଯୋଡ଼ାଯାଇ ଏହି ଯଜ୍ଞକୁ ଅଧିକ ପରିପୁଷ୍ଟ କରାଯାଇଥିଲା।
ବର୍ତ୍ତମାନ ମାଳି ମହାପାତ୍ର ସମ୍ପ୍ରଦାୟର ଲୋକମାନେ ଏହି ମନ୍ଦିରର ପ୍ରଧାନ ପୂଜକ। ଜଳାଭିଷେକ, କ୍ଷୀରାଭିଷେକତଥା ରୁଦ୍ରାଭିଷେକ ସମୟରେ ବ୍ରାହ୍ମଣ ସମ୍ପ୍ରଦାୟର ପୂଜକମାନେ ଯୋଗଦେଇଥାନ୍ତି।

ବାବା ଦୁତିକେଶ୍ୱରଙ୍କ ମହିମା ପ୍ରଚାର ପ୍ରସାର ଦିଗରେ ୧୯୮୮ ମସିହାରେ ଶ୍ରୀମତୀ ସୈରୀନ୍ଦ୍ରୀ ଦାଶ ବିଭିନ୍ନ ଛାନ୍ଦରେ ଲିଖିତ ଦୁତିକେଶ୍ୱର ଜଣାଣ ପ୍ରକାଶିତ କରିଥିଲେ।
ବିଶ୍ୱଶାନ୍ତି ଶୈବଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ଏବଂ ନବମ ବାର୍ଷିକୀ ସପ୍ତଶମ୍ଭୁ ମିଳନ ଉତ୍ସବ ସମାରୋହ ଅବସରରେ ଦୁତିକେଶ୍ୱରଙ୍କ ଐତିହ୍ୟ ବହନକାରୀ ସ୍ମରଣୀକା ୧୯୯୪ ଫେବୃଆରୀ ମାସ ୨୫ ତାରିଖରେ “ଶିବାମୃତ” ମୁକ୍ତିଲାଭ କରିଥିଲା।

ଲକ୍ଷ୍ମୀକାନ୍ତ ପଟ୍ଟନାୟକ କୁରୁମ ବାଙ୍କତରା, ସୁରେନ୍ଦ୍ର ମହାରଣା ଓଡ଼ଗାଁ, ଗୋଦାବରୀଶ ମିଶ୍ର କୈବଲ୍ୟ ପୁର ଙ୍କ ଉଦ୍’ଯୋଗରେ ଦୁତିକେଶ୍ୱର ଶୈବ ବାର୍ତ୍ତା ପ୍ରଚାର ପ୍ରସାର ପାଇଁ “ପଦୋଦକ” ପତ୍ରିକା କାର୍ଯ୍ୟ କରି ଆସିଥିଲା।ସମୟ ସୁଅରେ ବର୍ତ୍ତମାନ ତାହା ବନ୍ଦ ଅଛି।

ଅଖ୍ୟାତପଲ୍ଲୀ ବିଲ ମାନପୁର ମାଟିର ମହାକବି ସୁଧାକର ଜେନା ଦୁତିକେଶ୍ୱରଙ୍କ ପ୍ରତି ଆତ୍ମସମର୍ପଣ ପୂର୍ବକ ୧୨-୧୦-୨୦୦୫ମସିହା ଦଶହରା ପର୍ବରେ “ଦୁତିକେଶ୍ୱର ପୁରାଣ” ପ୍ରକାଶ କରିଥିଲେ।

ଏତଦ୍ ଭିନ୍ନ ବିଭିନ୍ନ ଲେଖକ, ଲେଖିକା, କବି, କବୟିତ୍ରୀ ବାବା ଦୁତିକେଶ୍ୱରଙ୍କର ଗୁଣକୀର୍ତ୍ତନ କରିଅଛନ୍ତି।

ଜାମୁପାଟଣା ମାଟିରେ ଅଧିଷ୍ଠିତ ବାବା ଦୁତିକେଶ୍ୱର ମନ୍ଦିର ପର୍ଯ୍ୟଟନ ସ୍ଥଳୀକୁ, ଓଡ଼ିଶା ପର୍ଯ୍ୟଟନ ବିଭାଗ ମାନ୍ୟତା ପ୍ରଦାନ କରିଅଛି। କିନ୍ତୁ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କ ଦ୍ୱାରା ମନ୍ଦିରର ଯାହା ଉନ୍ନତି ହୋଇଛି ତାହା ତୁଳନାରେ OTDC ର ଏହି ମନ୍ଦିର ପ୍ରତି ସହଯୋଗ ପ୍ରାୟ ନଗଣ୍ୟ ଅଟେ। ପର୍ଯ୍ୟଟନ ବିଭାଗ ତରଫରୁ ମନ୍ଦିର ପାଦଦେଶରେ ଗୋଟିଏ ସୁରମ୍ୟ ପ୍ରମୋଦ ଉଦ୍ୟାନ ନିର୍ମାଣ ସହିତ ଏକ ଡାକ ବଙ୍ଗଳା ନିର୍ମାଣ ଓ ଆନୁଷଙ୍ଗିକ ବ୍ୟବସ୍ଥାମାନ କରାଗଲେ ଦୁତିକେଶ୍ୱର ପୀଠର ଅଶେଷ ଉନ୍ନତି ସାଧିତ ହୋଇପାରନ୍ତା।ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ସୁରକ୍ଷା କର୍ମୀ ନିୟୋଜିତ କରାଗଲେ ମନ୍ଦିର ଅଧିକ ସୁରକ୍ଷିତ ହୋଇ ପାରନ୍ତା।

ନୟାଗଡ଼ ଜିଲ୍ଲା ସଦରମହକୁମା ଠାରୁ ଏକୋଇଶି ନମ୍ବର ରାଜ୍ୟ ରାଜପଥ ଦେଇ ଛବିଶି କିଲୋମିଟର ରାସ୍ତା ଅତିକ୍ରାନ୍ତ କଲେ ଓଡ଼ଗାଁ ଠାରୁ ବାହାଡ଼ାଝୋଲା ରାସ୍ତାରେ ପାଞ୍ଚ କିଲୋମିଟର ପରେ, ଏହି ଶୈବପୀଠ ଦୁତିକେଶ୍ୱର ମନ୍ଦିର ପଡେ।
ନୂଆଗାଁ, ଦଶପଲ୍ଲା ପଟରୁ ଆସୁଥିବା ଭକ୍ତ/ଦର୍ଶକମାନେ ମହିପୁର ଦେଇ ବାହାଡ଼ାଝୋଲା ଆସିପାରିବେ।ବାହାଡ଼ାଝୋଲା ଠାରୁ ଓଡ଼ଗାଁ ଯିବା ରାସ୍ତାରେ ମାତ୍ର ଚାରି କିଲୋମିଟର ଗଲେ ବାବା ଦୁତିକେଶ୍ୱର ମନ୍ଦିର ଦର୍ଶନ କରିହୁଏ।

ବ୍ରହ୍ମପୁରରୁ ଆସୁଥିବା ଭକ୍ତମାନେ ଭାୟା ବୁଗୁଡା, କରସିଙ୍ଗି ଦେଇ ଓଡ଼ଗାଁ ପହଞ୍ଚି, ବାହାଡ଼ାଝୋଲା ରାସ୍ତାରେ ପାଞ୍ଚ କିଲୋମିଟର ଯାଇ ଠାକୁର ଦର୍ଶନ କରିପାରିବେ। ଭଞ୍ଜନଗର ପଟରୁ ଆସୁଥିବା ଭକ୍ତମାନେ ଜଗନ୍ନାଥ ପ୍ରସାଦ,କରସିଙ୍ଗି ଦେଇ ଓଡ଼ଗାଁ ଠାରୁ ଦୁତିକେଶ୍ୱର ମନ୍ଦିର ଯାଇପାରିବେ। ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର। ଭୁବନେଶ୍ୱରରୁ NH57 ଦେଇ ନୟାଗଡ଼ ଠାରୁ ରାଜ୍ୟ ରାଜପଥ 21ଦେଇ ଆସିପାରିବେ।

ଦୁତିକେଶ୍ୱର ମନ୍ଦିର ଦର୍ଶନରେ ଆସିଲେ ଶ୍ରୀରଘୁନାଥ ମନ୍ଦିର ଓଡ଼ଗାଁ, ରାମସାଗାର ପାର୍କ ଓଡ଼ଗାଁ ଏବଂ ବୁଢ଼ାବୁଢ଼ିଆଣି ଜଳଭଣ୍ଡାର ଦେଖିବାକୁ ଭୁଲନ୍ତୁ ନାହିଁ।
ଦୁତିକେଶ୍ୱର ଠାରୁ ବାହାଡ଼ାଝୋଲା ଦେଇ ଆଠ କିଲୋମିଟର ଦୂର ଗଲେ ମାଆ ପେଟେଇଚଣ୍ଡୀ ମନ୍ଦିର ଦର୍ଶନ କରିବାର ଗୌରବ ଲାଭ କରନ୍ତୁ।
ଏତଦ୍ ବ୍ୟତୀତ ନୟାଗଡ଼ ପଟରୁ ଆସୁଥିବା ଭକ୍ତ ନୟାଗଡ଼ରେ ଦକ୍ଷିଣ କାଳୀ ଏବଂ ଶରଣକୁଳ ଠାରେ ଅନନ୍ୟ ଶୈବ ପୀଠ ବାବା ଲଡୁକେଶ ମହେଶ ଦର୍ଶନ କରିପାରିବେ।

ଐତିହ୍ୟ ସମ୍ପନ୍ନ ଶୁଳିଆ ପାହାଡ଼,ମୁକ୍ତ ଜଳବାୟୁ, ପ୍ରାକୃତିକ ପରିବେଶ ମଣ୍ଡିତ ଦୁତିକେଶ୍ୱର ମନ୍ଦିର, ମନ୍ଦିରର କଳା ଭାସ୍କର୍ଯ୍ୟ, ତତ୍ ସଂଲଗ୍ନ ଅନ୍ୟାନ୍ୟ ମନ୍ଦିର ଦର୍ଶନ କରିବାର ସୁଯୋଗ ଆପଣଙ୍କୁ ଭବ୍ୟ ସ୍ୱାଗତ ଅପେକ୍ଷାରେ କରି ରହିଛି।

ଉପସ୍ଥାପନା: ଶାନ୍ତନୁ ବିଶୋଇ
ଦଣ୍ଡୋର,ଓଡ଼ଗାଁ
ନୟାଗଡ଼।

Mob-7077171816