ସନାତନ ଧର୍ମରେ ଯଦି କୌଣସି ମାସକୁ ସମ୍ପୂର୍ଣ୍ଣ ଭାବରେ ଶୁଭ ବୋଲି ଗ୍ରହଣ କରାଯାଏ ତାହା ହେଲା ପବିତ୍ର କାର୍ତ୍ତିକ ମାସ।ସାଧାରଣତଃ ଏହା ଅକ୍ଟୋବରରୁ ନଭେମ୍ବର ଭିତରେ ପଡିଥାଏ ଆମ ହିନ୍ଦୁ ପଞ୍ଜିକା ଅନୁସାରେ। କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି ମଧ୍ୟ କୁହାଯାଇଥାଏ। କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ କାର୍ତ୍ତିକ ମାସ କୁହାଯାଏ। ଏହାର ପୂର୍ବବର୍ତ୍ତୀ ମାସ ଆଶ୍ୱିନ ଏବଂ ପରବର୍ତ୍ତୀ ମାସ ମାର୍ଗଶୀର ମାସ। ଏହି ମାସଟି ଶରତ ପୁର୍ଣ୍ଣିମାରୁ ଆରମ୍ଭ କରି କାର୍ତ୍ତିକ ପୁର୍ଣ୍ଣିମା ପର୍ଯ୍ଯନ୍ତ ଚାଲି ଥାଏ। କାର୍ତ୍ତିକ ମାସରେ ଦୀପ ଦାନ କରିବା ଏବଂ ଗଙ୍ଗାରେ ସ୍ନାନ କରିବାକୁ ବେଶ୍ ମହତ୍ତ୍ଵ ଦିଆଯାଏ। ଏହା କରିବା ଦ୍ଵାରା ସବୁ ପାପ ନଷ୍ଟ ହୋଇଥାଏ ବୋଲି ବିଶ୍ଵାସ କରାଯାଏ।ନାରଦୀୟ ପୁରାଣ ମତେ ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ। ଏହା ଧର୍ମ ମାସ ହୋଇଥିବାରୁ ଏହି ମାସଟିକୁ ନିଷ୍ଠା ସହକାରେ ପାଳନ କରାଯାଏ। ବିଶ୍ଵଜନନୀ କରୁଣାମୟୀ ମା ଦୁର୍ଗାଙ୍କ ଶାରଦୀୟ ବନ୍ଦନା ପରେପରେ ଚନ୍ଦ୍ର ଏବଂ ମା କାଳୀଙ୍କ ଆରାଧନା ଅତ୍ୟନ୍ତ ଆଡ଼ମ୍ବର ସହକାରେ ସମାହିତ ହୁଏ ଏହି ମାସରେ। ଦେବ ସେନାପତି ଚିର କୁମାର କାର୍ତ୍ତିକେୟଙ୍କ ଆରାଧନା ମଧ୍ୟ ଏହି ମାସରେ ଅତ୍ୟନ୍ତ ଉତ୍ସାହର ସହିତ ସମ୍ପାଦିତ ହୁଏ ଓଡ଼ିଶାର ପୁରପଲ୍ଲୀରେ। ଏହି ମାସରେ ଅନେକ ମହତ୍ତ୍ଵପୂର୍ଣ୍ଣ ପର୍ବପର୍ବାଣି ପଡିବା ସହିତ ସାରା ମାସ ଧରି ବିଭିନ୍ନ ଧର୍ମାନୁଷ୍ଠାନ କରାଯାଇଥାଏ। ସୂର୍ଯ୍ୟ ଯେତେବେଳେ ତାଙ୍କର ଦକ୍ଷିଣାୟନ ଆରମ୍ଭ କରନ୍ତି ଓ ତୁଳା ରାଶିକୁ ପ୍ରବେଶ କରନ୍ତି କାର୍ତ୍ତିକ ମାସ ଆରମ୍ଭ ହୁଏ। ଏହି ମାସ ଏଭଳି ପବିତ୍ର ଯେ ଏ ମାସର ଯେ କୌଣସି ଦିନରେ ଧାର୍ମିକ କାର୍ଯ୍ୟାନୁଷ୍ଠାନ ଆଦି ଆରମ୍ଭ କରାଯାଇପାରେ। ପ୍ରବାଦ ଅଛି ଏହି ମାସରେ ଯେ କୌଣସି ଧାର୍ମିକ ଅନୁଷ୍ଠାନ କଲେ ତାହା ଧାର୍ମିକ କ୍ଷେତ୍ରକୁ ତୀର୍ଥ ଯିବାର ପୂଣ୍ୟଫଳ ପ୍ରଦାନ କରିଥାଏ।
ପୁରାଣରେ ବର୍ଣ୍ଣିତ କଥା ଅନୁଯାୟୀ ଭଗବାନ ବିଷ୍ଣୁ ଦେବଶୟନ ଏକାଦଶୀରେ ଯୋଗ ନିଦ୍ରାରେ ଗମନ କରି ୪ ମାସ ପରେ ଅର୍ଥାତ୍ ଏହି କାର୍ତ୍ତିକ ମାସର ଦେବ ପ୍ରବୋଧିନୀ ଏକାଦଶୀ ଦିନ ଯୋଗ ନିଦ୍ରାରୁ ଉଠିଥିଲେ ଓ ଏକ ପବିତ୍ର ସମୟର ଆଗମନ ହୋଇଥିଲା ।
କାର୍ତ୍ତିକ ମାସରେ ବୟସ୍କ ତଥା ଧର୍ମପ୍ରାଣ ଆବାଳ- ବୃଦ୍ଧ- ବନିତା ପ୍ରତ୍ୟେହ ପ୍ରାତଃକାଳରେ ସ୍ନାନ ସମାପନ ପୂର୍ବକ ଦେବ ଦର୍ଶନ ଏବଂ ନଗର ସଂକୀର୍ତ୍ତନରେ ଆତ୍ମବିଭୋର ହୋଇଉଠନ୍ତି। କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ପଞ୍ଚ ପର୍ବ ବା ମହାପଞ୍ଚକ ନାମରେ ପରିଚିତ। ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର ପୂର୍ବକ ଶ୍ରଦ୍ଧା ଭାବନା ତଥା ଧର୍ମୀୟ ମନୋଭାବରେ ଦେବତାଙ୍କୁ ପୂଜା କରିଥାନ୍ତି। କୁହାଯାଏ ଯେ ଏହି ପାଞ୍ଚ ଦିନ ଯାକ ବଗ ମଧ୍ୟ ଆମିଷ ସ୍ପର୍ଶ କରେ ନାହିଁ । ସେ ଯାହା ହେଉନା କାହିଁକି ଏହି ମାସର ଶୁକ୍ଳପକ୍ଷ ଏକାଦଶୀ ବା ବଡ ଏକାଦଶୀ ଠାରୁ ପୂର୍ଣ୍ଣମୀ ପାଞ୍ଚଦିନ ପର୍ଯ୍ୟନ୍ତ ମହାପଞ୍ଚକ ହିନ୍ଦୁମାନଙ୍କ ପାଇଁ ଧର୍ମଗତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ବିଧବାମାନଙ୍କ ପକ୍ଷରେ ଏହି ମାସଟି ତ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ I ସେମାନେ ହବିଷ୍ୟ ପାଳନ ପୂର୍ବକ ପ୍ରତ୍ୟେହ ସନ୍ଧ୍ୟାରେ ଆକାଶଦୀପ ପ୍ରଜ୍ଜଳନ କରିଥାନ୍ତି। ପ୍ରତ୍ୟେକ ଦିନ ପ୍ରତ୍ୟୁଷରୁ ଶଯ୍ୟା ତ୍ୟାଗକରି ସ୍ନାନ କରି ସେମାନେ ଦେବାଦେବୀ ଦର୍ଶନ ପାଇଁ ଯାଆନ୍ତି ଏବଂ ଦେବାଳୟରୁ ଫେରିବା ପରେ ତୁଳସୀ ବୃକ୍ଷ ପାଖରେ ଅତ୍ୟନ୍ତ ଭକ୍ତି ସହକାରେ କାର୍ତ୍ତିକ ମାହାତ୍ମ୍ୟ ପାଠ ଓ ଶ୍ରବଣ କରନ୍ତି। କାର୍ତ୍ତିକ ମାସରେ ପୁରୀରେ ହବିଷ ପାଇଁ ହବିଷ୍ୟାଳିଙ୍କ ବହୁ ଭିଡ଼ ପରିଲିକ୍ଷିତ ହୋଇଥାଏ।
ପୌରାଣିକ ତଥ୍ୟ ଅନୁଯାୟୀ ପରମପିତା ବ୍ରହ୍ମା ବ୍ରହ୍ମର୍ଷି ନାରଦଙ୍କୁ କାର୍ତ୍ତିକ ମାସର ମହାତ୍ମ୍ୟ ବୁଝାଇ କହିଛନ୍ତି :-
“ମାସ ମାନଙ୍କ ମଧ୍ୟରେ କାର୍ତ୍ତିକ, ଦେବତା ମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ଏବଂ ତୀର୍ଥମାନଙ୍କ ମଧ୍ୟରେ ବଦ୍ରିକାଧାମ ଶ୍ରେଷ୍ଠ ଅଟେ।
“ନାଁ କାର୍ତ୍ତିକ ସମୋ ମାସୋ
ନ କୃତେନ ସମଂ ଯୁଗମ୍ବ,
ନ ବେଦ ସଦୃଶଂ ଶାସ୍ତ୍ରଂ
ନ ତୀର୍ଥଂ ଗଙ୍ଗାୟା ସମମ୍”।।
ଅର୍ଥାତ୍- କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ। କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ। ତନ୍ମଧ୍ୟରୁ ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅତ୍ୟନ୍ତ ପବିତ୍ର। ଏହି ପାଞ୍ଚ ଦିନକୁ ଭୀଷ୍ମ ପଞ୍ଚୁକ,ବକ ପଞ୍ଚୁକ, ମହାପଞ୍ଚୁକ ଇତ୍ୟାଦି କୁହାଯାଏ।
ଆକାଶଦୀପ ପ୍ରତିଷ୍ଠା ପବିତ୍ର କାର୍ତ୍ତିକ କୃତ୍ୟର ଆଉ ଏକ ମହତ୍ତ୍ଵପୂର୍ଣ୍ଣ ଅବଦାନ। କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ। ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମ ପଥକୁ ଆଲୋକିତ କରିବା ସକାଶେ ଉଚ୍ଚ ସ୍ଥାନରେ ଏହି ପ୍ରଦୀପ ପ୍ରଜ୍ଜଳନ ବିଧି ପ୍ରଚଳିତ ତେଣୁ ପ୍ରାୟତଃ ପ୍ରତ୍ୟେକ ଗ୍ରାମରେ, ମନ୍ଦିରରେ ଏକ ଉଚ୍ଚ ବାଉଁଶରେ ପ୍ରତି ସନ୍ଧ୍ୟାରେ ଆକାଶଦୀପ ରଖାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ଅବକାଶରେ କଦଳୀପଟୁଆ ନିର୍ମିତ ଡଙ୍ଗା ଭସାଇବାର ବିଧି ପ୍ରଚଳିତ ରହିଅଛି ହିନ୍ଦୁ ଧର୍ମରେ, ସେ ଦିନ ପ୍ରତ୍ୟୁଷରୁ ଆବାଳ ବୃଦ୍ଧା ବନିତା ନଦୀ ବା ପୁଷ୍କରଣୀରେ ବୁଡ ପକାଇ କଦଳୀ ବାହୁଙ୍ଗା ବା ସୋଲ ତିଆରି ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ଭସାଇ ଦିଅନ୍ତି। ଏହି ସମୟରେ ସମସ୍ତେ ଉତ୍ ଫୁଲ୍ଲିତ ଚିତ୍ତରେ ଗାନ କରନ୍ତି ‘ଆ କା ମା ବୈ ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର” ଏହି ଅବସରରେ ପ୍ରତ୍ୟେକ ପୁଣ୍ୟ ଅର୍ଜନ ସକାଶେ ମନାସ କରିଥାନ୍ତି । ବିଶ୍ଵାସ ରହିଛି ଯେ ଏହିଦିନ ପ୍ରତ୍ୟୁଷରୁ ସ୍ନାନପୂର୍ବକ ଦେବଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ ।
ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ- ଏଇ ଚାରିମାସ ହେଉଛି ସୂର୍ଯ୍ୟଙ୍କର ଅୟନାନ୍ତ କାଳ ସମ୍ଭବତଃ ଏହି ଅୟନାନ୍ତ ଦିବସମାନଙ୍କରେ ସୌରଦେବଙ୍କ ଉପାସନା କରାଯାଏ। ପୌରାଣିକ ଅନୁଧ୍ୟାନରୁ ଏହି ଚାରିମାସ ଧର୍ମ ଦୃଷ୍ଟିରୁ ଶୁଭପ୍ରଦ ଏବଂ ଦେବଦେବୀଙ୍କ ଉପାସନା ସକାଶେ ଅତ୍ୟନ୍ତ ଅନୁକୂଳ । ତେଣୁ ଏହି ଚାରିମାସର ଆଦ୍ୟବର୍ଣ୍ଣ ‘ ଆ କା ମା ବୈ ’କୁ ଡଙ୍ଗା ଭସାଇବା ସମୟରେ ଗାନ କରାଯାଇଥାଏ।କୁହାଯାଏ କାର୍ତ୍ତିକ ମାସ ସମୟରେ ପ୍ରତ୍ୟେହ ଗୀତାର ଗୋଟିଏ ଶ୍ଳୋକ ପାଠ କରି ମଧ୍ୟ ମନୁଷ୍ୟ ଜୀବନ୍ମୁକ୍ତ ହୋଇପାରିବ ବୋଲି ବିଶ୍ୱାସ ରହିଅଛି। ସ୍କନ୍ଦ ପୁରାଣ ମତେ: –
“କାର୍ତ୍ତିକ ମାସି ବିପ୍ରେନ୍ଦ୍ର ଯସ୍ତୁଗୀତାଂ ପଠେନ୍ନରଃ,
ତସ୍ୟ ପୁଣ୍ୟଫଳଂ ବକ୍ତୁଂ ମମଶକ୍ତି ର୍ନ ବିଦୀତେ,
ଗୀତାୟାସ୍ତୁ ସମଂ ଶାସ୍ତ୍ରଂ ନ ଭୂତଂ ନ ଭବିଷ୍ୟତି,
ସର୍ବ ପାପହରା ନିତ୍ୟଂ ଗୀତୈକା ମୋକ୍ଷଦାୟିନୀ,
ଶ୍ରୀମଦ୍ ଭଗବତସ୍ୟାପି ଶ୍ରବଣଂ ଯଃ ସମାଚରେତ୍,
ସର୍ବପାପ ବିନିର୍ମୁକ୍ତଃ ପରଂ ନିର୍ବାଣ ମୃଚ୍ଛତି”
ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସରେ ତୁଳସୀ ଗଛର ପୂଜା କରିବା ଦ୍ଵାରା ବହୁତ ଲାଭ ହୋଇଥାଏ। ହିନ୍ଦୁ ଧର୍ମରେ ତୁଳସୀକୁ ବହୁତ ପବିତ୍ର ବୋଲି କୁହାଯାଏ। କୁହାଯାଏ ଯଦି ଆପଣ ବହୁତ ଚେଷ୍ଟା କରିବା ସତ୍ତ୍ବେ ଆପଣଙ୍କର କୌଣସି କାମ ହେଉ ନାହିଁ ତେବେ ଆପଣଙ୍କୁ ତୁଳସୀର ପୂଜା ନିଶ୍ଚିତ କରିବା ଉଚିତ୍। ଏହା କରିବା ଦ୍ଵାରା ଆପଣଙ୍କ ଘରେ କିଛି ଦିନରେ ନିଶ୍ଚିତ ପରିବର୍ତ୍ତନ ଆସିବ।
କାର୍ତ୍ତିକ ମାସରେ ପାଳନ କରାଯାଉଥିବା କେତୋଟି ମୁଖ୍ୟ ପର୍ବପର୍ବାଣୀ ମଧ୍ୟରୁ ଶ୍ରୀ କ୍ଷେତ୍ରରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ, କୃଷ୍ଣପକ୍ଷ ଦ୍ୱାଦଶୀରେ ଗୋବତ୍ସା ଦ୍ୱାଦଶୀ, କୃଷ୍ଣପକ୍ଷ ତ୍ରୟୋଦଶୀରେ ଧନ ତ୍ରୟୋଦଶୀ ବା ଧନତେରାସ ବା ଧନ୍ୱନ୍ତରୀ ଜୟନ୍ତୀ, କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ନରକ ଚତୁର୍ଦ୍ଦଶୀ, ଅମାବାସ୍ୟାରେ କାଳୀ ପୂଜା, ଦୀପାବଳୀ ଏବଂ ପୟାଶ୍ରାଦ୍ଧ। ସେହିପରି ଶୁକ୍ଳପକ୍ଷ ଦ୍ୱିତୀୟାରେ ଯମ ଦ୍ୱିତୀୟା, ଶୁକ୍ଳପକ୍ଷ ଅଷ୍ଟମୀରେ ଗୋଷ୍ଠାଷ୍ଟମୀ ବା ଗୋପାଷ୍ଟମୀ, ଶୁକ୍ଳପକ୍ଷ ନବମୀରେ ଅଁଳା ନବମୀ ଏବଂ ଶୁକ୍ଳପକ୍ଷ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭୀଷ୍ମ ପଞ୍ଚକ, ଶୁକ୍ଳପକ୍ଷ ଏକାଦଶୀରେ ଦେବ ଉତ୍ଥାପନ ଏକାଦଶୀ ବା ପ୍ରବୋଧିନୀ ଏକାଦଶୀ ଓ ଶ୍ରୀମନ୍ଦିରରେ ଲକ୍ଷ୍ମୀ ନାରାୟଣ ବେଶ ବା ଠିଆକିଆ ବେଶ, ଶୁକ୍ଳପକ୍ଷ ଦ୍ୱାଦଶୀରେ ଗରୁଡ଼ ଦ୍ୱାଦଶୀ ଓ ଶ୍ରୀମନ୍ଦିରରେ ବାଙ୍କଚୂଡ଼ା ବେଶ ବା ବାମନ ବେଶ, ତ୍ରୟୋଦଶୀରେ ଶ୍ରୀମନ୍ଦିରରେ ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ, ଶୁକ୍ଳପକ୍ଷ ଚତୁର୍ଦ୍ଦଶୀରେ ବୈକୁଣ୍ଠ ଚତୁର୍ଦ୍ଦଶୀ ଓ ଶ୍ରୀମନ୍ଦିରରେ ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ ଶେଷରେ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଓ ଶ୍ରୀମନ୍ଦିରରେ ରାଜରାଜେଶ୍ୱର ବେଶ ବା ସୁନାବେଶ।
ଏହି ମାସଟି ଯେ କେବଳ ହିନ୍ଦୁ ଧାର୍ମିକ ମାସ ତାହା ନୁହେଁ, ସାରା ପ୍ରକୃତି ହସିଉଠେ ଏହି ମାସରେ। ଏହି ମାସରେ ଆରମ୍ଭ ହୋଇଥାଏ ନୂଆ ଫସଲର ଆମଦାନୀ ତେଣୁ କାର୍ତ୍ତିକ ମାସଟି ସମସ୍ତଙ୍କ ପାଇଁ ଏକ ସୁନ୍ଦର, ପବିତ୍ର ଓ ମଙ୍ଗଳ ମାସ କହିଲେ ଅତ୍ୟୁକ୍ତି ହେବ ନାହିଁ।